Unknown

 

 

 

 

 

 

 

 

 

 

ସ୍ୱପ୍ନ ଶିଉଳି

ସାତକଡ଼ି ହୋତା

 

ଏକ

 

ଗଲଫ୍ ଖେଳିବାପାଇଁ ଆସିଥିଲା ଦେବଦତ୍ତ । ମାଘ ମାସର ସକାଳ । ଦକ୍ଷିଣାଭିମୁଖୀ ସୂର୍ଯ୍ୟର ସ୍ତିମିତ କିରଣ ଗଲଫ୍ ପ୍ରାନ୍ତର ଉପରେ ବିଛାଡ଼ି ହୋଇ ପଡ଼ିଥିଲା । ଉତ୍ତର ଦିଗରୁ ଥଣ୍ଡା ପବନ ବହି ଦେହ ଓ ମନକୁ ଶୀତଳ କରିଦେଉଥିଲା । ଦେହରେ ଯଥେଷ୍ଟ ଗରମ ପୋଷାକ ପରିଧାନ କରିଥିଲା ଦେବଦତ୍ତ । ବାହାରର ଥଣ୍ଡା ପବନ ତା’ର ଦେହକୁ ସ୍ପର୍ଶ କରିପାରୁ ନଥିଲା; କିନ୍ତୁ ଭିତରେ ଯେତିକି ଉତ୍ତାପ ଓ ପ୍ରାଣଶକ୍ତି ସଂଚରିତ ହେଲେ ବାହାରର ଶୀତଳତାକୁ ଗ୍ରହଣ କରିହୁଏ ସନ୍ତୋଷ ମନରେ, ତାହା ନଥିଲା ତା’ର । ସକାଳ ସୂର୍ଯ୍ୟର ନାଲି ପେଣ୍ଡୁଟା ଦେଖି ଗଲଫ୍ କୋର୍ସ ଅଭିମୁଖେ ବାହାରି ପଡ଼ିଥିଲା; କିନ୍ତୁ ଥରେ ଦି’ଥର ଏପାଖ ସେପାଖ ହୋଇ ଭିତରର ଉତ୍ତାପ ବାହାରକୁ ସଂଚରିତ ହେବା ଆଗରୁ ଆନମନା ହୋଇ ପଡ଼ିଲା ଦେବଦତ୍ତ । ପିଲା ଦୁଇଟି ବଲ୍ ଗୋଟାଇ ଆଣିବାପାଇଁ ଟିକିଏ ଦୂରରେ ଛିଡ଼ା ହୋଇଥିଲେ । ସେମାନଙ୍କୁ ଆଡ଼ ନୟନରେ ଥରେ ଦେଖିନେଲା । ଶୀତରେ ଥରୁଥିଲେ ପିଲା ଦୁଇଟି । ଦେହରେ ତାଙ୍କର ଯଥେଷ୍ଟ ସୂତାଲୁଗା ନଥିଲା । ଶୀତଲୁଗା ତାଙ୍କ ଭାଗ୍ୟର ବହୁ ଦୂରରେ । କାହିଁକି କେଜାଣି ମନଟା ଖରାପ ହୋଇଗଲା ତା’ର । ଦେହର ସମସ୍ତ ଶକ୍ତି ଓ ଉତ୍ତାପ ଯେପରି ହଠାତ୍ ମାଘମାସର କନକନିଆ ଶୀତ ପବନରେ ନିସ୍ତେଜ ହୋଇଗଲା, ଏହା ଅନୁଭବ କଲା ସେ । ଚାରିଆଡ଼କୁ ଆଖି ବୁଲାଇଲା ଦେବଦତ୍ତ । ଗଲଫ୍ କୋର୍ସ ଆଜି ଶୂନ୍ୟ । କେବଳ ଏକାକୀ ସେ । ଦୂରକୁ ଚାହିଁଲା । ଗଲଫ୍ କୋର୍ସର ଧାର ଛୁଇଁ ଯେଉଁ ଜାତୀୟରାଜପଥ ଖଡ଼ଗ୍‍ପୁରର ଉପକଣ୍ଠ ଦେଇ ଚାଲିଯାଇଛି, ତା’ ଉପରେ ଗୋଟେ ଦୁଇଟା ମାଲବାହୀ ଲରୀ ଯିବାର ଦେଖାଯାଉଥିଲା ।

 

ମନଟା ଯେତିକି ଗରମ ହେଲେ ଗଲଫ୍ ଖେଳିହୁଏ, ତାହା ହେଲା ନାହିଁ । ଦେବଦତ୍ତ ଗୋଟାଏ ଅପେକ୍ଷାକୃତ ପରିଷ୍କାର ସ୍ଥାନ ଦେଖିଯାଇ ବସିଲା । ପିଲା ଦୁଇଟା ପ୍ରାୟ ପଚାଶ ଗଜ ଦୂରରେ ଗୁଲି ଖେଳି ଦଉଡ଼ା ଦଉଡ଼ି କରୁଥିଲେ । ଏଇ ଖେଳ ମଧ୍ୟ ଦେଇ ବାହାରର ଶୀତ ପବନର ତୀବ୍ରତାକୁ ଏଡ଼ାଇବା ପାଇଁ ସେମାନେ ଚେଷ୍ଟା କରୁଥିବାର ଲକ୍ଷ୍ୟ କଲା ସେ । ପଛପଟେ ଯେଉଁ ଆମ୍ୱଗଛଟା ଗଲଫ୍ କୋର୍ସର ପ୍ରବେଶ ପଥରେ ପ୍ରହରୀ ପରି ଛିଡ଼ା ହୋଇଛି, ତା’ ଉପରେ ଆଖି ପଡ଼ିଲା ତା’ର । ଖରା ବିଛାଡ଼ି ହୋଇ ପଡ଼ିଥିଲା ପଡ଼ନ୍ତ ପଳିତ ଆମ୍ୱ ପତ୍ର ଉପରେ । ମାଘ ମାସର ଆରମ୍ଭ । ଆଉ କେଇଟା ଦିନ ପରେ ପଳିତ ପତ୍ରଗୁଡ଼ିକ ଖସିପଡ଼ିବ ବୃକ୍ଷ ଶାଖା ପ୍ରଶାଖାରୁ-। ତା’ପରେ ପୁଣି କଅଁଳି ଉଠିବ ନୂଆଁ ପତ୍ର....କିଶଳୟ । କେତେ ବୃକ୍ଷର ପତ୍ର ଝଡ଼େ ଏଇ ମାଘ ମାସର ଶୀତରେ । ସବୁଆଡ଼କୁ ଆଖି ବୁଲାଇଲା ଦେବଦତ୍ତ । ସବୁଠାରେ ଲକ୍ଷ୍ୟ କଲା ବାର୍ଦ୍ଧକ୍ୟ, ସ୍ଥବିରତ୍ୱ । ସୂର୍ଯ୍ୟର ଉତ୍ତାପରେ ଆକର୍ଷଣ ଅଛି, କିନ୍ତୁ ଉନ୍ମାଦନା ନାହିଁ । ପ୍ରକୃତିର ସମ୍ଭାର ପ୍ରସାରିତ କିନ୍ତୁ ପ୍ରଲୁବ୍ଧ କରୁନି ମନ ନୟନକୁ । ମନଟା ଆହୁରି ଖରାପ ହୋଇଗଲା ଦେବଦତ୍ତର । ହଠାତ୍ ଅନ୍ତର ଭିତରେ ଅନୁଭବ କଲା ସେ ଯେପରି କ୍ରମଶଃ ବୁଢ଼ା ହୋଇଯାଉଛି । ବୟସ ଗଡ଼ି ଯାଇଛି ।

 

ବୟସ ଗଡ଼ି ଯାଉଛି–ସେ ବୁଢ଼ା ହୋଇଯାଉଛି ଏଇ ଚିନ୍ତାଟା ବିଜୁଳି ପରି ସର୍ବାଙ୍ଗରେ ଖେଳିଗଲା ତା’ର । ସେଇ ସଙ୍ଗେ ସଙ୍ଗେ ବାହାରର ଶୀତଳ ପବନ ତାକୁ ଆହୁରି ବେଶୀ ଶୀତଳ ମନେହେଲା । ଯଥେଷ୍ଟ ପରିଧାନ ସତ୍ତ୍ୱେ ଭିତରେ ଭିତରେ ଶୀତଳତାର ଏକ ଗାଢ଼ ପ୍ରଲେପ ଅନୁଭବ କଲା ସେ । ଅପ୍ରତ୍ୟାଶିତ ଭାବରେ ଛାତି ଭିତରେ ବରଫର ସ୍ପର୍ଶ ପାଇଲା । ତା’ହେଲେ ସେ କ’ଣ.....। ଆଉ ଭାବିପାରିଲାନି ଦେବଦତ୍ତ । ବ୍ୟାଗ୍ ଖୋଲି ଫ୍ଳାସ୍କଟା ବାହାର କଲା । ସୋଡ଼ା ମିଶା ସ୍କଚ୍ ହୁଇସ୍କିରୁ ପ୍ରାୟ ଦୁଇ ପେଗ ପାନ କଲା ସେ । ଫ୍ଳାସ୍କଟା ପୁଣି ବ୍ୟାଗ୍ ଭିତରେ ରଖି ପକେଟ ଭିତରୁ ଦୁଇଟା କାଜୁ ବାଦାମ ଆଣି ଚୋବାଇଲା ।

 

କ୍ଷଣକ ଭିତରେ ଦେବଦତ୍ତ ପୁଣି ଉତ୍ତପ୍ତ ହୋଇ ଉଠିଲା । ସ୍କଚ ହୁଇସ୍କି ସମ୍ମାନାର୍ଥେ ନିଜ ହାତ ପାପୁଲି ଉପରେ ନିଜେ ଚୁମ୍ୱନ କଲା । କ୍ଷଣକ ପୂର୍ବର ଶୀତଳତା ଏବଂ ନିସ୍ପୃହତା ସବୁ ଭୁଲିଗଲା । ତା’ର ମନେପଡ଼ିଲା ନାହିଁ କ’ଣ ସେ ଭାବୁଥିଲା, କ’ଣ ସେ ଦେଖୁଥିଲା । ଚାରିଆଡ଼େ ଆଖି ବୁଲାଇ ନେଲା ଦେବଦତ୍ତ । ସବୁଆଡ଼େ ସେ ଲକ୍ଷ୍ୟ କଲା ଯାହା ପଳିତ, ପଡ଼ନ୍ତ ଅବସ୍ଥାରେ ଶେଷ ଦିନର ପ୍ରତୀକ୍ଷା କରୁଛି ତା’ ସ୍ଥାନରେ ନୂତନ କିଶଳୟର ପ୍ରତୀକ୍ଷା କରୁଛି ଶାଖା ପ୍ରଶାଖା । ନୂତନ ଆସିବ । ନୂତନର ମହକରେ, ନବାଗତର ପ୍ରତିନିଧିରେ ସଜୀବ ସଚଳ ହୋଇ ଉଠିବ ଚତୁର୍ଦ୍ଦିଗ । ପୁରାତନର ପ୍ରତ୍ୟାବର୍ତ୍ତନରେ ଟିକିଏ ହେଲେ ସହାନୁଭୂତି ଜାଗ୍ରତ ହେଲା ନାହିଁ ତା’ ହୃଦୟ ଭିତରେ । ବରଂ ନବୋଦ୍ଗମର ଆଗମନୀର ପଦ ଧ୍ୱନି କର୍ଣ୍ଣ ମନରେ କେବଳ ଯେ ସୁସ୍ପଷ୍ଟ ଭାବରେ ସେ ଶୁଣିପାରିଲା ତାହା ନୁହେଁ, ସର୍ବାଙ୍ଗରେ ସେଇ ଆଗମନୀର ଝଙ୍କାର ଅନୁଭବ ମଧ୍ୟ କଲା ।

 

ସେଇ ଅନୁଭବର ଉଜ୍ଜ୍ୱଳତାର ଝଲକରେ କ’ଣ ହେଲା କେଜାଣି ସର୍ବାଙ୍ଗର ରକ୍ତ ପ୍ରବାହ ଭିତରେ ଏକ ଅହେତୁକୀ ଆନନ୍ଦ, ଏକ ଅଦ୍ଭୁତ ବଣ୍ୟତା ଉନ୍ମତ୍ତ କରି ତୋଳିଲା ତାକୁ । ସେଇ ଉନ୍ମାଦନା, ସେଇ ବଣ୍ୟତାର ସ୍ୱାଦ ଥରେ ନୁହେଁ ବାରମ୍ୱାର ଆସ୍ୱାଦନ କରିବାପାଇଁ ଚାରିଆଡ଼କୁ ଆଖି ବୁଲାଇଲା ଦେବଦତ୍ତ, କାହିଁ କେଉଁଠାରେ କେହି ଦେଖାଯାଉନାହାନ୍ତି । ଖରା ହେଲାଣି, ବେଳ ପ୍ରାୟ ଦଶଟା ବାଜିବ । ନା, ଆଉ ନୁହେଁ । ଶୁଖିଲା ଗଲଫ୍ କୋର୍ସରେ ଏକାକୀ ନିର୍ଜୀବ ପରି ବସି ରହିପାରିବ ନାହିଁ ସେ । କାହାର ସାନିଧ୍ୟ ଲୋଡ଼ା । ଆବଶ୍ୟକ ଆଉ ଜଣକର ସାହଚର୍ଯ୍ୟ ଏବଂ ସ୍ପର୍ଶ । ପ୍ରୟୋଜନ ଏକ ନିବିଡ଼ ପରିବେଶ ।

 

ସ୍ପର୍ଶ ! କେଉଁପରି, କାହା ସହିତ ? ସେଇ ବାସନା ତଡ଼ିତ୍ ପ୍ରବାହ ପରି ଖେଳିଗଲା ତା’ର ରକ୍ତ କଣିକାରେ । ନିଜ ଅଧରକୁ ନିଜେ ସଜୋରେ ଦଂଶନ କଲା ଦେବଦତ୍ତ ସ୍ପର୍ଶ ! ସ୍ପର୍ଶ !! ହଁ ଜଣକର ସ୍ପର୍ଶ ତା’ର ପ୍ରୟୋଜନ ସେଇ ସ୍ପର୍ଶର ପ୍ରତୀକ୍ଷା କରିବ ସେ ଦେହର ସମସ୍ତ ଉତ୍ତାପ ଏବଂ ଐଶ୍ୱର୍ଯ୍ୟ ନେଇ ।

 

ଉଠିବସିଲା ଦେବଦତ୍ତ । ନା, ଆଉ ନୁହେଁ । ବହୁତ ବେଶୀ ବେଳ ହୋଇଗଲାଣି । ପିଲା ଦୁଇଟାକୁ ସମସ୍ତ ଜିନିଷ ବଙ୍ଗଳାକୁ ବୋହିନେବା ପାଇଁ ଦେଇ ସ୍କୁଟର ଉପରେ ଚାପି ବସିଲା-। ସକାଳୁ ଚା’ ଆଉ ଟୋଷ୍ଟ ଖାଇ ଆସିଥିଲା । ଭୋକ ହେଲାଣି । ଭୋକର ତୀବ୍ରତା ଅନୁଭବ କଲା ସେ । କିଛି ଖାଇବାପାଇଁ ଇଚ୍ଛା ହେଲା ତା’ର । କ’ଣ ଖାଇବ, କ’ଣ କରିଥିବ ବବୁର୍ଚ୍ଚି-? ଆଗକୁ ମାଡ଼ିଚାଲିଲା ଭେସ୍ପା ସ୍କୁଟର । ଜାତୀୟରାଜପଥର ମୋଡ଼ ଉପରେ ଡାହାଣକୁ ମୁହାଁଇଲା ଦେବଦତ୍ତ । ସେଣ୍ଟ୍ରାଲ ଏଭିନିଉ ପାର ହୋଇ ପାର୍କ ରୋଡ଼ରେ ଗଲେ ବାମ ପାଖରେ ପାଞ୍ଚ ନମ୍ୱର ବଙ୍ଗଳା ତା’ର । କ୍ଷୁଧାର ପରିତୃପ୍ତ ପାଇଁ କେବେ ଚଞ୍ଚଳତା ଅନୁଭବ କରି ନଥିଲା ସେ; କିନ୍ତୁ ଆଜି କାହିଁକି ଉଦର ଭିତରେ ଏକ ଅଦମନୀୟ ପ୍ରବୃତ୍ତି କିଛି ଖାଇବାପାଇଁ, ଯାହା ସୁଦୃଢ଼ ଦାନ୍ତଦେଇ ଚୂର୍ଣ୍ଣ ବିଚୂର୍ଣ୍ଣ କରି ହେବ, ସମଗ୍ର ସତ୍ତାର ଆସ୍ୱାଦନ ଦେଇ ଚାଖିପାରିବ ତା’ର ସ୍ୱାଦ-

 

ପାଞ୍ଚନମ୍ୱର କୋଠି ଆଗରେ ପହଞ୍ଚିଲାମାତ୍ରେ ଗେଟ୍ ଖୋଲି ଛିଡ଼ା ହେଲା ଜମାଦାର । ସାହେବକୁ କୁର୍ଣ୍ଣୀଶ କରି ରାସ୍ତା ପରିସ୍କାର କରିଦେଲା । ସିଧା ସ୍କୁଟର ଉପରେ ବସି ବଙ୍ଗଳାରେ ପୋର୍ଟିକୋ ଉପରେ ଯାଇ ଓହ୍ଲାଇଲା ଦେବଦତ୍ତ । ଛ’ମାସର ଆଲସେସିଅନ୍ ବଚ୍ଚା ଟିପୁ ଆସି ମୁନିବ ଉପରେ ଚଢ଼ିଯାଇ ଲାଞ୍ଜ ହଲାଇ ଅଭିନନ୍ଦନ ଜଣାଇଲା । ତାକୁ ତଳକୁ ଓହ୍ଲାଇ ଦେଇ ବେତ ଚୌକିଟା ଉପରେ ସଜୋରେ ବସି ପଡ଼ି ଡାକିଲା ଦେବଦତ୍ତ ।

 

ଶୋଭାନ୍....

 

ଶୋଭାନ୍ ମିଆଁ ଦେବଦତ୍ତର ବବୁର୍ଚ୍ଚି । ରନ୍ଧାବଢ଼ା ଘରର ସମସ୍ତ ପରିଚର୍ଯ୍ୟା ତାହାରି ହାତରେ ଛାଡ଼ିଦେଇ ନିଶ୍ଚିନ୍ତ ରହେ ସେ । ଶୋଭାନ୍ ଭଲ ରାନ୍ଧେ । ସାହେବକୁ ଯତ୍ନ କରି ଖୁଆଏ । ବିଶ୍ୱାସୀ ଅନୁଗତ ଭୃତ୍ୟ ।

 

ଭିତରୁ ପ୍ରାୟ ଦୌଡ଼ି ଆସୁ ଆସୁ ଶୋଭାନ୍ କହିଲା–ହଜୁର...

 

“ଛୋଟା ହାଜିର...”

 

“ଅଭି ଦେତାହୁଁ ହଜୁର–”କହି କହି କୁର୍ଣ୍ଣୀଶ କରି କ୍ଷିପ୍ର ପଦରେ ଯେପରି ଆସିଥିଲା ସେହିପରି ଦଉଡ଼ିଲା ଭିତରକୁ ।

 

ପାଞ୍ଚମିନିଟ୍ ଭିତରେ ଟେବୁଲ ଉପରେ କଣ୍ଟା ଚାମଚ, ପ୍ଳେଟ, ଗ୍ଳାସ ରଖିବାର ଝୁଣଝାଣ ଶବ୍ଦ ଭାସି ଆସିଲା ବାହାରକୁ । ମନେ ମନେ ଖୁସି ହେଲା ଦେବଦତ୍ତ । ଶୋଭାନ୍‍ର କର୍ମ କୁଶଳତାକୁ ତାରିଫ କଲା ।

 

“ହଜୁର ଛୋଟା ହାଜିର ଲଗା ହୈ...”

 

“ଚଲୋ–”

 

ଆଗେଇ ଚାଲିଲା ଦେବଦତ୍ତ । ଟିପୁ ତା’ର ପଛେ ପଛେ ଅନୁଗମନ କଲା ।

 

ଟେବୁଲ ଉପରେ ବସି ପ୍ଳେଟରେ କିଛି ଦୁଧ ଓ କର୍ଣ୍ଣଫ୍ଳେକସ୍ ଢାଳି ଚାମୁଚ ଘୂରାଇଲା ସେ । ଆଖି ପଡ଼ିଲା ଯାଇ ଖାଦ୍ୟ ସମ୍ଭାର ଉପରେ । ବିଶେଷ ଆଡ଼ମ୍ୱର ନାହିଁ, ତଥାପି ମନେହେଲା ପର୍ଯ୍ୟାପ୍ତ ଆହାର ପ୍ରସ୍ତୁତ କରିଛି ଶୋଭାନ୍ ମିଆଁ । ସେ ଜାଣେ ରବିବାରର ପ୍ରାତଃ ଭୋଜନଟା ସାହେବଙ୍କର ଖୁବ୍ ଜାକଜମକରେ ହେବା ପ୍ରୟୋଜନ । ସେଇ ଅନୁସାରେ ପ୍ରଭୁଭକ୍ତ ଶୋଭାନ୍ ସଜାଇଛି ଟେବୁଲ୍ ଉପରେ ଦୁଧ, କର୍ଣ୍ଣଫ୍ଳେକ୍‍ସ, ଟୋଷ୍ଟ, ଲହୁଣୀ, ଚିଙ୍ଗୁଡ଼ି କଟ୍‍ଲେଟ୍‍, କିଛି ଆପେଲ ଏବଂ ଅଙ୍ଗୁର । ଆଉ ତା’ ସାଙ୍ଗେ ସାଙ୍ଗେ ଗରମ କଫି । କେଟଲି ଢଙ୍କା ହୋଇ ରହିଛି ଭଲ କଭର ଭିତରେ । ଥଣ୍ଡା ନ ହୋଇଯାଏ, ସେଥିପାଇଁ ସତର୍କ ଦୃଷ୍ଟି !

 

ଟୋଷ୍ଟର ଗୋଟିଏ ଟୁକୁରା ପାଟି ଭିତରେ ପୂରାଉ ପୂରାଉ ଆଉ ଖଣ୍ଡେ ଟିପୁ ଉଦ୍ଦେଶ୍ୟରେ ତଳକୁ ଫିଙ୍ଗିଲା ଦେବଦତ୍ତ । ଲାଞ୍ଜ ହଲାଇ ମହାଆନନ୍ଦରେ ଝାମ୍ପଦେଲା ଟିପୁ ସେଇ ଟୋଷ୍ଟ ଖଣ୍ଡକ ଉପରେ । ଭୋକ ସମସ୍ତଙ୍କ ପେଟରେ ଜଳୁଛି ଜଠାରାଗ୍ନି । ସେ ଅଗ୍ନିକୁ ନିର୍ବାପିତ କରିବାପାଇଁ ଖାଦ୍ୟର ପ୍ରୟୋଜନ ।

 

ପ୍ରାତଃଭୋଜନ ଶେଷକରି କଫି ପିଇଲା ଦେବଦତ୍ତ । ତା’ପରେ ସିଗାରେଟ୍‍ରେ ଅଗ୍ନି ସଂଯୋଗ କରି ଲନ୍‍ରେ ଯାଇ ପଦଚାରଣ କରିବାରେ ଲାଗିଲା । ଅନେକଟା ଆରାମ ବୋଧ ହେଲା ତାକୁ । ଅନେକଟା ଆଶ୍ୱସ୍ତ ହେଲା ସେ; କିନ୍ତୁ କ’ଣ ରହି ରହି ତାକୁ ଅସ୍ଥିର କରୁଥିଲା । ତା’ର ଦେହ ଭିତରେ କ’ଣ ପାଇବାର ପ୍ରତ୍ୟାଶା ଅସତର୍କ ଭାବରେ ଉଙ୍କିମାରି ତାତି ସୃଷ୍ଟି କରି ତାକୁ କେତେଟା କୃଦ୍ଧ, କେତେଟା ବଣ୍ୟ କରି ତୋଳୁଥିଲା; ତାହା ସେ ନିଜେ ମଧ୍ୟ ବୁଝିପାରିଲା ନାହିଁ । କାରଣ ଖୋଜୁ ଖୋଜୁ ଆଖି ପଡ଼ିଲା ଯାଇ ଫୁଟନ୍ତା ଡାଲିଆର ବର୍ଣ୍ଣୋତ୍ସବ ଉପରେ । ସେ ପାଖରେ ହଲିହକ୍‍ସ ଆମନ୍ତ୍ରଣ କରୁଥିଲା ଆଖିଠାରି । ଶୀତ କମି ଆସିଲାଣି । ରୌଦ୍ରତାପ ଭଲଲାଗୁଛି ଦେହକୁ । ଘୂରି ଘୂରି ଦେଖିଲା ଦେବଦତ୍ତ । ଲନ୍ ଭର୍ତ୍ତି ମଣ୍ଡିତ ଦୂର୍ବାଦଳର ବହଳ ଘନସବୁଜ ଆସ୍ତରଣ । ଯୋରରେ ଯୋତା ଜାକି ଜାକି ଚାଲିଲା ଦେବଦତ୍ତ–ଆଉ ଯୋତାତଳେ କଅଁଳି ଆସୁଥିବା ନରମ ନରମ ଦୂବଘାସଗୁଡ଼ାକର ଭୀରୁ ଚାହାଣୀ ଦେଖି ଆତ୍ମଗର୍ବରେ ପୂରି ଉଠୁଥିଲା ସେ ।

 

ବେଳ ପ୍ରାୟ ଏଗାରଟା ଅତିକ୍ରାନ୍ତ ହୋଇ ଗଲାଣି । ରବିବାର । କାମର ବ୍ୟସ୍ତତା ନାହିଁ-। ଅଫିସର ଜଞ୍ଜାଳ ନାହିଁ । ଆଜି ସବୁ ନୀରବ । ସବୁ ଆଲୁଳାୟିତ । ଇଚ୍ଛାନୁସାରେ ଖାଅ, ବସ, ଫୂର୍ତ୍ତି କର । କେହି ତୁମକୁ ବ୍ୟସ୍ତ କରିବେ ନାହିଁ । ରବିବାରର ରୂପ ଦେଖି ମୁଗ୍ଧ ହୁଏ ଦେବଦତ୍ତ । “ବନାଜୀ କ୍ଳବ”ରେ ଆଜି ସନ୍ଧ୍ୟାବେଳକୁ ଅଛି ଡିନର୍ ଏବଂ ଡ୍ୟାନ୍ସ । ରାତ୍ରି ଭୋଜନ ଓ ନାଚର ବିପୁଳ ଆୟୋଜନ କରିଛନ୍ତି କ୍ଳବର କର୍ମକର୍ତ୍ତାମାନେ । ଶୀତ ବର୍ଷକରେ ଥରେ ଆସେ । ତା’ର ସ୍ଥିତି ସଂକୁଚିତ । ସେଇ ଅଳ୍ପ ସମୟ ମଧ୍ୟରେ ଶୀତର ସମସ୍ତ ରସଟିକୁ ନିଗାଡ଼ି ନେଇ ଅନୁଭବ କରିବ ମଣିଷ ! ଅନୁଭବ କରିବେ ବନାନୀ କ୍ଳବର ସଦସ୍ୟମାନେ ।

 

ଶୀତରେହିଁ ଉତ୍ତାପର ପ୍ରୟୋଜନ । ଦେହରେ, ମନରେ ଓ ଉଦରରେ କ୍ଷୁଧାର ନୂତନ ଉତ୍ତେଜନା ଓ ଖାଇବାର ଅପୂର୍ବ ଉତ୍ସାହ । ଆଜି ତା’ର ଦେହର ଉନ୍ମାଦନା ଭିତରେ ଦାହର ସ୍ୱାଦ ଅନୁଭବ କଲା ଦେବଦତ୍ତ । “ବନାନୀ କ୍ଳବ”ର କୋଳାହଳ ଏବଂ କଳରୋଳ ଭିତରେ ହଜାଇ ଦେବ ନିଜକୁ । ପୁଲକରେ ଆହୁରି ଫୂର୍ତ୍ତି ହେଲା ସେ । ମ୍ୟାଟିନୀ ଶୋ ଦେଖି ଆସିବା ପାଇଁ ଇଚ୍ଛାହେଲା ତା’ର । କିନ୍ତୁ ଏକାକୀ । ଏକାକୀ ସିନେମା ଯିବାର କ’ଣ ଆନନ୍ଦ ଥାଏ ? ତାହା ହେଲେ ସଙ୍ଗୀ ଯୁଟିବ କେଉଁଠୁ ? କିଏ ସାଙ୍ଗ ହେବ ତା’ର । ଚଞ୍ଚଳ ପାଦରେ ଆସି ଟେଲିଫୋନରେ ଏକ ନିର୍ଦ୍ଦିଷ୍ଟ ନମ୍ୱର ଡାଏଲ କଲା ଦେବଦତ୍ତ–

 

–ହ୍ୟାଲୋ...

 

–ମୁଁ ଦେବଦତ୍ତ କହୁଛି...

 

–ବହୁଦିନ ପରେ ମନେପଡ଼ିଲା....

 

ଅଭିମାନିଆ ସ୍ୱରରେ ଭାସିଆସିଲା ଏକ କୋମଳ କଣ୍ଠ ସ୍ୱର ଅନ୍ୟ ପାଖରୁ ।

 

–କ୍ଷମା କରିବ, ବଡ଼ ବ୍ୟସ୍ତ ଥିଲି ଏଇ କେଇ ଦିନ, ତା’ପରେ–

 

–ତା’ପରେ ଆଉ କ’ଣ ? ହୁଏତ ନୂଆସଙ୍ଗୀ ଯୁଟି ଯାଇଥିବେ ଫୂର୍ତ୍ତି କରିବା ପାଇଁ.... ଅନୁଯୋଗ ଥିଲା ସେ କଣ୍ଠରେ ।

 

–ନା, ନା, ତା’ ନୁହେଁ । ମୋତେ ଭୁଲ ବୁଝିବନି ।

 

–ମୁଁ କ’ଣ ଭୁଲ ବୁଝୁଛି, ତୁମେଇ ବରଂ ଭୁଲ ବୁଝୁଛ ।

 

–ଓଃ ! ସେ ଦିନର ଘଟଣାଟି କ’ଣ ଭୁଲିପାରିନ ?

 

–ନା, ସବୁକଥା ଭୁଲିଯିବା ଏଡ଼େ ସହଜ ନୁହେଁ....

 

–ମୋର ଅନୁରୋଧ ତୁମେ ଭୁଲିଯାଅ ସେ ଦିନର ଘଟଣା ଫର୍‍ଗେଟ୍ ଦ୍ୟାଟ୍–ମୁଁ ସେଥିପାଇଁ ଅତ୍ୟନ୍ତ ଦୁଃଖିତ......

 

–ତା’ ପାଇଁ ଶାସ୍ତି ନେବାକୁ ପଡ଼ିବ.....

 

–ରାଜି କ’ଣ କୁହ, ନତଶିରରେ ସ୍ୱୀକାର କରିବି ।

 

–ଆଜି କ୍ଳବକୁ ଆସୁଛ.....

 

–ତୁମେ ରାଜିହେଲେ ଯିବି...କାଏଦା କରି କହିଲେ ଦେବଦତ୍ତ ।

 

–ମୋ କଥା ଅନୁସାରେ କ’ଣ ତୁମେ ସବୁଠାକୁ ଯିବା ଆସିବା କର

 

–ତୁମେ ରାଗିଛ ।

 

–ନା,

 

–ତାହେଲେ...

 

–ତାହେଲେ.....

 

ଦୁଇ ପାଖରୁ ହସର ଜୁଆର ଟେଲିଫୋନର ନିର୍ଜୀବ ଲାଇନ୍‍ଟା ସଜୀବ କରି ତୋଳିଲା-। ସୁଯୋଗ ନେଇ କହିଲା ଦେବଦତ୍ତ.....

 

–ଆଜି ମ୍ୟାଟିନୀ ସୋରେ ଗୋଟାଏ ଭଲ ଛବି ଅଛି ।

 

–ଛବି ଦେଖା ମୁଁ ଛାଡ଼ି ଦେଇଛି.......

 

–କ’ଣ ମୋ ଉପରେ ରାଗ କରି.......

 

ପୁଣି କାଏଦା କଲା ଦେବଦତ୍ତ ।

 

–ନା, ନା, ତୁମ ଉପରେ ରାଗିବି କାହିଁକି ?

 

–ତୁମ କଥାର ସ୍ୱର କହିଦେଉଛି ତୁମେ ରାଗିଛ ।

 

–ଛାଡ଼–ଆମ ରାଗିବା ନ ରାଗିବାର ମୂଲ୍ୟ ନାହିଁ ।

 

–ତୁମେ ଅଭିମାନ କରିଛ......... ।

 

–ସେଥିରେ ତୁମର ଯାଏ ଆସେ କେତେ ?

 

ଟିକିଏ ନୀରବ ରହିଲା ଦେବଦତ୍ତ । କଥାର ନିରୁତ୍ତାପ ଭାବ ଭିତରେ ଉତ୍ତାପ ସଞ୍ଚରିତ କରି କହିଲା ସେ–

 

–ତୁମେ ବଡ଼ ସେନ୍‍ସିଟିଭି୍ । ଏତେ ଭାବପ୍ରବଣ ହେଲେ ।

 

–ତୁମେ ଇ ତ ଚାହିଁ ଥିଲ ମୁଁ ଭାବପ୍ରବଣ ହୁଏ....... ।

 

–ମୋରି କଥାରେ ମୋତେ ଶାସ୍ତି ଦେଉଛ । ଠିକ୍ ଅଛି, ତୁମ ଶାସ୍ତି ନେବାପାଇଁ ମୁଁ ଶପଥ କରୁଛି......

 

–ତାହେଲେ ତୁମ ମ୍ୟାଟିନୀ ସୋ କ’ଣ ହେଲା !

 

–ସେ ତମ ଉପରେ ନିର୍ଭର କରେ । ତୁମେ ଯାହା କହିବ ତାହା ହବ । କିନ୍ତୁ ଛବିଟା ଖୁବ୍ ଭଲଥିଲା–ଥରେ ଭାବି ଦେଖିପାର ।

 

–କି ଛବି ?

 

–‘ଏ ବେଡ଼୍ ଫର ଟୁ ।’

 

–ସେ ପାଖରୁ ଖିଲଖିଲ୍ ହସର ଜୁଆର ଭାସି ଆସିଲା ।

 

–ତିନିଟାବେଳେ ପ୍ରସ୍ତୁତ ଥିବ । I will pick you up.

 

–ବେଶ୍ କିନ୍ତୁ ବାବାଙ୍କୁ କ’ଣ କହିବି ?

 

–ସିନେମା ଯାଉଛ କହିବ ।

 

–ଆଉ ଛବିର ନାମ ?

 

ଟିକିଏ ଭାବିଲା ଦେବଦତ୍ତ । ତା’ପରେ ଜବାବ ଦେଲା ।

 

–ତୁମେ ସେ କଥା ଠିକ୍ କର ।

 

–ଏ ବେଡ଼୍ ବୟ.....

 

–ହଁ, ହଁ, ଖୁବ୍ ଭଲ ନାମ ବାଛିଛ । ହସି ହସି କହିଲା ଦେବଦତ୍ତ ।

 

–ମୁଁ ଛାଡ଼ି ଦେଉଛି.....

 

–ଆଚ୍ଛା, Cheer you.

 

–Cheer you.......

 

ସଂଳାପ ଶେଷହେଲା; କିନ୍ତୁ ତା’ର ମାଧୁର୍ଯ୍ୟ ଲାଗି ରହିଲା ଦେବଦତ୍ତର ମନରେ, କାନରେ ଏବଂ ଦେହରେ । ଆଜି ସେ ଜିତିଛି । ବହୁ ଦିନର ବର୍ଣ୍ଣାଢ଼୍ୟ ଆଶା ଆଜି ବାସ୍ତବତାର ଝଲକରେ ରସାଳ ହୋଇ ଉଠିଛି । ଲନ୍ ଉପରୁ ଅପସରି ଯାଇ ଶୋଇବା ଘରେ ପଶିଲା ଦେବଦତ୍ତ । ଡନ୍‍ଲପ୍‍ପିଲୋର ସୁକୋମଳ, ସୁଉଚ୍ଚ ଗଦି ଉପରେ ନିଜର ଦେହଟାକୁ ଲୋଟାଇ ଦେଇ ଦେହରେ, ମନରେ ଏବଂ ସର୍ବାଙ୍ଗରେ ପ୍ରତିକ୍ଷୀତ ମୁହୂର୍ତ୍ତର ମାଧୁର୍ଯ୍ୟ ଅନୁଭବ କଲା ସେ ।

ପାର୍କ ରୋଡ଼ରେ ପାଞ୍ଚ ନମ୍ୱର ବଙ୍ଗଳା ଦେବଦତ୍ତର । ରେଳପଥର ଇଂଜିନିୟର । ଅଫିସର ଭାବରେ ସୁନାମ ଅଛି ତା’ର । ଅଳ୍ପ ସମୟ ଭିତରେ କାର୍ଯ୍ୟ କ୍ଷେତ୍ରରେ ନିଜର ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଭରି ଦେଇଛି । ତରୁଣ ସୁଦର୍ଶନ ଦେବଦତ୍ତର ଆକର୍ଷଣ ଅଛି । ଲମ୍ୱା, ମସୃଣ ଦେହର ଗଠନ । ମେଦହୀନ ଦେହରେ ତା’ର ଏକ ମିଠା ଚଞ୍ଚଳତା । ପୂରାପୂରି ସୁପୁରୁଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସେଇଥିପାଇଁ ତା’ର ଯିବା ରାସ୍ତାରେ ଶତ୍ରୁ ମଧ୍ୟ ମୁହଁ ଫେରାଇ ଅନାଏ । ଦେବଦତ୍ତକୁ ଦେଖି ତୃପ୍ତି ହୁଏ ।

ପାର୍କ ରୋଡ଼ର ବିରାଟ ବଙ୍ଗଳାର ଅଧିକାରୀଙ୍କ ଉପରେ ଅନେକଙ୍କର ନଜର । କିଏ ଆସେ ସାନିଧ୍ୟ ପାଇଁ, କିଏ ଅନ୍ନ ସଂସ୍ଥାନ ପାଇଁ ଏବଂ ଆଉ କିଏ ଆସେ କୌଣସି ସ୍ୱାର୍ଥ ନ ରଖି କେବଳ ତାକୁ ଦେଖି ଯିବାପାଇଁ । ସେ ଖୁସି । କ୍ଷମତା ଅନୁସାରେ ସମସ୍ତଙ୍କୁ ସାହାଯ୍ୟ କରେ । ଅଯାଚିତଭାବେ ବନ୍ଧୁତ୍ୱ ସ୍ଥାପନ କରେ । ପରିବାର ବୋଲି କିଛି ନାହିଁ । ପ୍ରତିବେଶୀମାନଙ୍କ ମଧ୍ୟରେ ଚଳିଯାଏ ଦେବଦତ୍ତ । ବାପା ଚାକିରୀରୁ ଅବସର ଗ୍ରହଣ କରି ଆଜି ପୁରୀ କାଲି କାଶୀ ହେଉଅଛନ୍ତି । ମା’ଙ୍କର କାଳ ବହୁଆଗରୁ ହୋଇଯାଇଛି । ଭାଇ ଭଉଣୀ କେହି ନାହାନ୍ତି ଆଉ । ବାପା ମଝିରେ ମଝିରେ ଆସି ଦିନେଅଧେ ରହି ଚାଲିଯାଆନ୍ତି । ବବୁର୍ଚ୍ଚି ଖାନା ସ୍ପର୍ଶ କରନ୍ତି ନାହିଁ ସେ । ସେ ଆସିଲେ ସେଇ କେତେଦିନ ଶୋଭାନ ମିଆଁ ଛୁଟି ପାଇ ଫୂର୍ତ୍ତି କରେ । ବ୍ରାହ୍ମଣ ଆସି ରନ୍ଧାବଢ଼ା କରେ । ଦେବଦତ୍ତ ପଞ୍ଚାମୃତ, ପଞ୍ଚଗବ୍ୟ ଖାଇ ବାପାଙ୍କ ପାଖରେ ଖାଇ ବସେ ।

ବିଷ୍ଣୁପଦବାବୁ ଦେବଦତ୍ତକୁ ଲକ୍ଷ୍ୟ କରନ୍ତି, ତାଙ୍କ ଆଖିରେ ଦେବଦତ୍ତର ସବୁ ଅପରାଧ ମାର୍ଜନୀୟ ପ୍ରତୀୟମାନ ହୁଏ । ମନକୁ ମନ କହନ୍ତି ପିଲାଟା ସମୟ ଆସିଲେ ଠିକ୍ ହୋଇଯିବ । ଦେବଦତ୍ତ ସଶଙ୍କ ଚିତ୍ତରେ ସେଇ କେଇଦିନ ଚଳିଯାଏ । ବଙ୍ଗଳାକୁ ଯିବା ଆସିବା କରିବା ଲୋକଙ୍କ ସଂଖ୍ୟା ଓ ଶ୍ରେଣୀ କମି ଆସେ । ନାରୀ ବନ୍ଧୁମାନଙ୍କର ଟେଲିଫୋନ୍ ବନ୍ଦ୍ ହୋଇଯାଏ ।

ବିଷ୍ଣୁପଦବାବୁ ଚାଲିଗଲେ ପୁଣି ପୂର୍ବନିୟମ ଜାରୀ ହୁଏ । ଶୋଭାନ ମିଆଁର କଣ୍ଟା ଚାମୁଚ ଶବ୍ଦରେ ମୁଖରୀତ ହୁଏ ଖାଇବା ଟେବୁଲ । ସୁସ୍ୱାଦୁ ଖାଦ୍ୟର ସୁମଧୁର ଗନ୍ଧ ଘୂରିବୁଲେ ଘରର ଚତୁର୍ଦ୍ଦିଗରେ । ସେଇଥିପାଇଁ ଯିବା ଆସିବା କରୁଥିବା ରସିକ ବନ୍ଧୁମାନେ ପରିହାସ କରି କହନ୍ତି–ପୁଣି ଶୋଭାନ୍ ମିଆଁର ରାଜତ୍ୱ ଆରମ୍ଭ ହେଲା !

ମିଆଁ ହସେ । ଉତ୍ତର ଦିଏନା । ମୁନିବର ଲୁଣ ଖାଉଛି ସେ । ତାଙ୍କରି ଗୁଣ କୀର୍ତ୍ତନ ଶୁଣିଲେ ଆନନ୍ଦ ପାଏ ମନରେ ।

ମଧ୍ୟାହ୍ନଭୋଜନ ପର୍ଯ୍ୟନ୍ତ ସେମିତି ଶୋଇ ରହିଲା ଦେବଦତ୍ତ । ଆଖିକୁ ତା’ର ତନ୍ଦ୍ରା ଆସିଥିଲା । ସେ ତନ୍ଦ୍ରାରେ ମଧ୍ୟ ସ୍ୱପ୍ନ ଦେଖୁଥିଲା, ଏ ବେଡ଼୍ ଫଚ୍‍ଟୁ (ଦୁହିଁଙ୍କ ପାଇଁ ଗୋଟିଏ ଶଯ୍ୟା) ଛବିର ।

ସେ ଛବି ତିନିଟା ପନ୍ଦର ମିନିଟ୍‍ରେ ଶୀତତାପ ନିୟନ୍ତ୍ରିତ “କ୍ୟାପିଟାଲ ସିନେମା”ରେ–

 

ଦୁଇ

 

ବନାନୀ କ୍ଳବର ବଲ୍ ରୁମରେ ନୃତ୍ୟଗୀତର ବିପୁଳ ଆୟୋଜନ । ପୂର୍ବଉପକୂଳରେ ଏହି କ୍ଳବ ଯେପରି ବିଖ୍ୟାତ, ଏହାର ରୁଚି ଓ ପରମ୍ପରା ମଧ୍ୟ ସେଇପରି ଉଜ୍ଜ୍ୱଳ । ବନାନୀ କ୍ଳବ ସହର ଉପକଣ୍ଠରେ ସାଲୁଆ ସେନା କେନ୍ଦ୍ର ନିକଟରେ ଅବସ୍ଥିତ । ଚତୁର୍ଦ୍ଦିଗରେ ଶାଳବନ । ସବୁଜ ସୁଉଚ୍ଚ ଶାଳବନର ମର୍ମରିତ ଛନ୍ଦ ବନାନୀ କ୍ଳବର ଜୀବନ । ସେଇଥିପାଇଁ ନାମ କରଣ ହୋଇଛି...ବନାନୀ କ୍ଳବ ।

ଆଉ କିଏ କିଏ କହନ୍ତି ଏହି କ୍ଳବର ନାମକରଣ ପଛରେ ଅଛି ଏକ ଉତ୍ତେଜନାପୂର୍ଣ୍ଣ ଇତିହାସ । ଇତିହାସ ନୁହେଁ ତ ଆଉ କ’ଣ ? ଯାହା ଅତୀତରେ ଘଟିଯାଇଛି ବ୍ୟକ୍ତି ବା ବ୍ୟଷ୍ଟିର ଜୀବନରେ ତାକୁହିଁ ନେଇତ ଇତିହାସ । ତାହେଲେ ବନାନୀ କ୍ଳବର ନାମ ପଛରେ ଯାହା ଲୁଚି ରହିଛି ତାହା ଇତିହାସ ନ ହେବ କାହିଁକି ?

ସେ ଅନେକଦିନ ତଳର କଥା ସେତେବେଳେ ହିଜଳୀ ପୂରାପୂରି ଅନୁନ୍ମତ ଅବସ୍ଥାରେ-। ଖଡ଼ଗ୍‍ପୁର ସହର କେବଳ ରେଳବାଇର ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ଏତେଜନ ଗହଳି, ଗାଡ଼ି ଘୋଡ଼ା, ସଂପ୍ରସାରଣ ସେତେବେଳେ ନଥିଲା । ସାଲୁଆର ଶାଳବନରେ ସେତେବେଳେ ଶୃଗାଳର ରାଜତ୍ୱ, କେବେ କିଏ ଶୀତ ଦିନରେ ବଣଭୋଜୀ କରିବା ପାଇଁ ଯାଉଥିଲେ । ସେମାନଙ୍କର ସଂଖ୍ୟାଥିଲା ଅତି ଅଳ୍ପ । ସହର ଛାଡ଼ି, ମେଦିନୀପୁର ନିକଟର ନଦୀକୂଳ ଛାଡ଼ି ସାଲୁଆର ସେହି ନିର୍ଜନତାକୁ ଯେଉଁମାନେ ଭଲପାଉଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ କେତେକ ଇଂରାଜୀ ସାହେବ ଏବଂ ତାଙ୍କ ଅନୁଚର ମୁଷ୍ଟିମେୟ ଆଂଲୋଇଣ୍ଡିଆନ୍ । ପ୍ରାୟ ୧୯୩୭ ମସିହା । ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେବାପାଇଁ ଏବେବି ବହୁତ ଡେରି । ପ୍ରସ୍ତୁତି ପର୍ବ କିନ୍ତୁ ଜୋରସୋରରେ ଚାଲିଥିଲା । ସେଇ ସମୟରେ ଖଡ଼ଗ୍‍ପୁରରେ ଗୋରା ସାହେବ ଏବଂ ଆଂଲୋଇଣ୍ଡିଆନମାନଙ୍କର ପୂରା ଅଧିପତ୍ୟ । ସେମାନଙ୍କର ପୃଥକ୍ ସାମାଜିକ ଜୀବନ, କ୍ଳବ, ରେସ୍ତୋରାଁ, ସିନେମା ଥିଏଟର ସେମାନଙ୍କ ପାଇଁ ସଂରକ୍ଷିତ ଥିଲା ଦକ୍ଷିଣାଞ୍ଚଳର ପ୍ରଶସ୍ତ ଇଲାକା । ସେଣ୍ଟ୍ରାଲ ଏଭିନିଉ ପାର୍କରୋଡ଼, ହିଲ୍ ଟପ୍ ସର୍କଲ ପ୍ରଭୃତି ସମ୍ଭ୍ରାନ୍ତ ଏବଂ ସୁପ୍ରଶସ୍ତି ଅଞ୍ଚଳ । ନେଟିଭ ଭାରତୀୟମାନଙ୍କ ମଧ୍ୟରେ ଏହା ଥିଲା ନିଷିଦ୍ଧ ଅଞ୍ଚଳ । ଆଂଲୋଇଣ୍ଡିଆନ୍‍ମାନେ ମଧ୍ୟ ଭାରତୀୟଙ୍କୁ ନେଟିଭ୍ କହି ଆନନ୍ଦ ଉପଭୋଗ କରୁଥିଲେ । ସେମାନଙ୍କ ପାଇଁ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ଥିଲା । ଅଲଗା ବେତନ ହାର, ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା । କାରଣ ସେମାନେ ଇଂରେଜ ସାହେବ ନ ହେଲେ ମଧ୍ୟ ତାଙ୍କରି ରକ୍ତ ସହିତ ସଂପୃକ୍ତ । ଉପର ଚମଡ଼ା ସେମାନଙ୍କର ସାହେବମାନଙ୍କ ପରି ଗୋରା । ଇଂରାଜ୍, ଡଚ୍ ସ୍କଚ୍ ବା ପର୍ତ୍ତୁଗୀଜ କେତେ ଜାତିର ରକ୍ତ ପ୍ରବାହିତ ସେମାନଙ୍କର ଶୀରା ପ୍ରଶୀରାରେ । ସେତେବେଳେ ସାହେବମାନଙ୍କର ଅପୂର୍ବ କ୍ଷମତା, ସେମାନଙ୍କର ଇଚ୍ଛାହିଁ ଆଇନ୍, ମର୍ଜିହିଁ ନ୍ୟାୟ । ସେଇ ଗୋରାମାନଙ୍କ ଭିତରେ କିନ୍ତୁ ଜଣେ ଜଣେ ଥିଲେ ଯେଉଁମାନେ ଥିଲେ ଅନ୍ୟ ପ୍ରକାର । ନ୍ୟାୟଶୀଳ, ବିଚାରବନ୍ତ ସେଇ ଗୋରା ସାହେବଙ୍କ ସାମ୍ନାରେ ନଥିଲା ବର୍ଣ୍ଣବୈଷମ୍ୟ, ନଥିଲା ବର୍ଣ୍ଣ ପ୍ରୀତି ଏବଂ ଅହଂକାର । ସେଇମାନଙ୍କ ମଧ୍ୟରୁ ଜଣେ ଥିଲେ ୱାଟସନ ସାହେବ । ରେଲବାଇର ଇଂଜିନିୟର ହୋଇ ଭାରତକୁ ଆସିଥିଲେ ସେ । ନିଜର ମେଧା ଏବଂ କାର୍ଯ୍ୟଦକ୍ଷତା ଫଳରେ ସେତେବେଳେ ଏକଜ୍ୟିକୁଟିଭ ଇଂଜିନିୟର ହୋଇଥିଲେ ଅଳ୍ପକାଳ ମଧ୍ୟରେ ।

ୱାଟସନ ସାହେବ ଥିଲେ ମିତାଭାଷୀ, ମେଳାପୀ, ସହିଷ୍ଣୁ ଏବଂ ସଦାଚାରର ପ୍ରତିମୂର୍ତ୍ତି । ବଡ଼ଦିନରେ ହିନ୍ଦୁ ଓ ମୁସଲମାନ, କର୍ମଚାରୀ ଏବଂ ସହକର୍ମୀମାନଙ୍କୁ ନିମନ୍ତ୍ରଣ କରୁଥିଲେ ନିଜର ବଙ୍ଗଳାକୁ । ସେତେବେଳେ ସେଣ୍ଟ୍ରାଲ ଏଭିନିଉର ସାତନମ୍ୱର ବଙ୍ଗଳାରେ ବଡ଼ଦିନରେ ଯେଉଁ ଅପୂର୍ବ ସାଜସଜ୍ଜା ଏବଂ ଅଭ୍ୟର୍ଥନାର ଆୟୋଜନ ହେଉଥିଲା, ତାହା ଦେଖି ଲୋକଙ୍କର ଆଖି ଖୋସି ହୋଇଯାଉଥିଲା । କଳା ଲୋକମାନଙ୍କର ସହିତ ଏତେ ମିଳାମିଶା ତାଙ୍କର ବହୁ ସାହେବ ବନ୍ଧୁ ପସନ୍ଦ କରୁ ନଥିଲେ । କିନ୍ତୁ ସେଥିରେ ସେ ଆଦୌ ବିଚଳିତ ହେଉ ନଥିଲେ । ଯାହା ନ୍ୟାୟ, ଯାହା ଠିକ୍ ବୋଲି ସେ ମନେକରୁଥିଲେ, ତା’ ଆଗରେ ବାଧା ପ୍ରତିବନ୍ଧକ ଆସିଲେ ବୀର ବିକ୍ରମରେ ଛିଡ଼ା ହେଉଥିଲେ ୱାଟସନ ସାହେବ । ସେ ସବୁ ଅତିକ୍ରମ କରି ନ୍ୟାୟ, ଧର୍ମ ଓ ବିଚାରର ପରାକାଷ୍ଠା ଦେଖାଇବା ଥିଲା ତାଙ୍କର ଏକ ଜିଦ୍ । ସେଇଥିପାଇଁ ହିନ୍ଦୁ ଏବଂ ମୁସଲମାନ ସବୁ ଶ୍ରେଣୀର ଭାରତୀୟମାନଙ୍କ ମଧ୍ୟରେ ପ୍ରିୟ ହୋଇପାରିଥିଲେ ସେ । ଦୁର୍ଗାପୂଜାର ବିଜୟା ଦଶମୀ ଦିନ ୱାଟସନ୍ ସାହେବ ବଙ୍ଗୀୟ ବନ୍ଧୁମାନଙ୍କୁ ଯେଉଁଭଳି ସମ୍ବର୍ଦ୍ଧନା ଏବଂ ସମ୍ମାନ ଜଣାଉଥିଲେ, ସେଇପରି ଇଦ୍‍ମୁବାରକରେ ମୁସଲମାନ ବନ୍ଧୁମାନଙ୍କୁ ସମ୍ଭାଷଣ କରୁଥିଲେ ।

ସେଇ ୱାଟସନ ସାହେବଙ୍କ ଜୀବନରେ କିନ୍ତୁ ଅପ୍ରତ୍ୟାଶିତ ଏକ ଘଟଣା ଅତି ସଂଗୋପନରେ ଘଟିଗଲା । ତା’ର ଆରମ୍ଭ ଯେପରି ମଧୁର, ଅନ୍ତିମ ସେହିପରି କରୁଣ । ମିଷ୍ଟର ଦିନେଶ୍ ରାୟ ସେତେବେଳେ ରେଳବାଇ କଣ୍ଟ୍ରାକ୍ଟର । ମିଷ୍ଟର ରାୟ ଥିଲେ ବ୍ରାହ୍ମ । ତାଙ୍କ ପରିବାର ସହିତ ୱାଟସନ ସାହେବଙ୍କ ଅକୃତ୍ରିମ ବନ୍ଧୁତା ଥିଲା । ସେଇ ବନ୍ଧୁତା ଶେଷରେ ପରିଣତ ହେଲା ସାମାଜିକ ବନ୍ଧନରେ । ଦିନେ ସାହେବମାନଙ୍କର “ଇଷ୍ଟ ଏଣ୍ଡ କ୍ଳବ”ର ରାତ୍ରିଭୋଜନବେଳେ ୱାଟସନ ସାହେବ ଘୋଷଣା କରିଦେଲେ ତାଙ୍କର ପାଣିଗ୍ରହଣ ସମ୍ୱନ୍ଧରେ । ସେ ମିଷ୍ଟର ଦିନେଶ ରାୟଙ୍କର ଭଉଣୀ ବନାନୀ ରାୟର ଥିଲେ ପ୍ରଣୟୀ । ବନାନୀ ଥିଲେ ୱାଟସନ ସାହେବଙ୍କର ପ୍ରଣୟିନୀ ଓ ପୂଜାରିଣୀ ଉଭୟ । ୱାଟସନ ବନାନୀଙ୍କୁ ପ୍ରଥମେ ଏଡ଼ିଯିବା ପାଇଁ ଚେଷ୍ଟା କରିଥିଲେ; କିନ୍ତୁ ବେଶିଦିନ ସମ୍ଭବ ହେଲାନି ତାହା । ବନାନୀ ବନ୍ୟହରିଣୀ ପରି ମୁଗ୍ଧ, ଚଞ୍ଚଳ ହୋଇ ପଡ଼ୁଥିଲେ ୱାଟସନଙ୍କୁ ଦେଖି । ଦିନେ ଅପ୍ରତ୍ୟାଶିତଭାବେ ସରଳ କଣ୍ଠରେ ମିଷ୍ଟର ୱାଟସନଙ୍କୁ ଜଣାଇଲେ ନିଜର ପ୍ରଚ୍ଛନ୍ନ ଭଲପାଇବା ଆଉ ସେଇକ୍ଷଣି ୱାଟସନ ସାହେବ ବନାନୀ ରାୟଙ୍କର ଚିବୁକ ଉପରେ ଏକ ଚିକ୍କଣ ଚୁମ୍ୱନ ଆଙ୍କିଦେଇ ସମ୍ମତି ଜଣାଇଥିଲେ । ଏହା ମୂଳରେ ଥିଲା ଭାରତୀୟ ନାରୀ, ତା’ର ପତି ଓ ପରିବାର ପ୍ରେମ ଏବଂ ଆତ୍ମୋତ୍ସର୍ଗ ସମ୍ୱନ୍ଧରେ ୱାଟସନ ସାହେବଙ୍କର ଅଗାଧ ବିଶ୍ୱାସ ଏବଂ ସମ୍ମାନ । ସେ ବନାନୀ ରାୟଙ୍କୁ ବ୍ରାହ୍ମମତ ଅନୁସାରେ ବିବାହ କଲେ । ସାହେବମାନେ ସାମୂହିକ ଭାବରେ ତାଙ୍କର ବିବାହ ସମ୍ୱର୍ଦ୍ଧନା ବର୍ଜନ କଲେ; କିନ୍ତୁ ସେଥିରେ ବିଚଳିତ ବା ହତୋତ୍ସାହ ହେଲେନାହିଁ ୱାଟସନ ସାହେବ । ସେ ନିଜ ନ୍ୟାୟ ବିଚାର ଉପରେ ଆସ୍ଥା ରଖି ଯାହା କରିଅଛନ୍ତି, ତାହା କରିବାର ଅଧିକାର ଯେ ତାଙ୍କର ଅଛି; ସେଥିରେ ଅନ୍ୟର ହସ୍ତକ୍ଷେପ କେବଳ ଅନ୍ୟାୟ ନୁହେଁ, ଅପରାଧ ସେଇକଥା ଜିଦ୍ କରି ପ୍ରଚାର କଲେ ୱାଟସନ ଏବଂ ହନିମୁନ୍ (ମଧୁଚନ୍ଦ୍ରିକା) ପାଇଁ ପନ୍ଦର ଦିନ ଛୁଟିନେଇ ଦାର୍ଜିଲିଂ ଚାଲିଗଲେ ସ୍ତ୍ରୀଙ୍କ ସହିତ । କିନ୍ତୁ ବନାନୀ ଆଉ ଫେରିଲେ ନାହିଁ । ଫେରିଆସିଲେ ମିଷ୍ଟର ୱାଟସନ ଏକା । ସେତେବେଳେ ଯେଉଁମାନେ ତାଙ୍କୁ ଦେଖିଅଛନ୍ତି, ସେମାନେ ବିଶ୍ୱାସ କରିପାରିଲେ ନାହିଁ ସେ ହେଉଛନ୍ତି ମିଷ୍ଟର ୱାଟସନ ବା ତାଙ୍କର ଭୂତ । ସମସ୍ତ ରସବୋଧ, ମୁହଁ ଉପରେ ସଦା ଲାଗିଥିଲା ହସ ଏବଂ ତାଙ୍କର ପ୍ରାଣଶକ୍ତି ପ୍ରାୟ ସ୍ତିମିତ ହୋଇଯାଇଥିଲା । ପୂର୍ବପରି ଉଦ୍ୟମ ନଥିଲା କର୍ମରେ, ଉଦ୍ଦାମ ନଥିଲା ପ୍ରାଣ ପ୍ରବାହରେ ପନ୍ଦର ଦିନ ପରେ ପନ୍ଦରବର୍ଷ ବୟସ ବଢ଼ି ଯାଇଥିଲା ୱାଟସନ ସାହେବଙ୍କର । ବନାନୀ ଦାର୍ଜିଲିଂରେ ମାତ୍ର ୫ ଦିନ ନିମୋନିଆ ଭୋଗି ଚିରଦିନ ପାଇଁ ଇହଧାମ ତ୍ୟାଗ କରିଥିଲେ । କିନ୍ତୁ ସେଇ ବିଦଗ୍ଧ ଓ ବିଡ଼ମ୍ୱିତ ଜୀବନ ନେଇ ଯାହା ସମ୍ୱଳ ଥିଲା, ତା’ର ବିନିମୟରେ ୱାଟସନ ସାହେବ ଦୁଇଟି ଜିନିଷ ନିର୍ମାଣ କଲେ । ଗୋଟିଏ ହେଉଛି ସାଲୁଆର ନିଘଞ୍ଚ ଶାଳ ବନରେ “ବନାନୀ କ୍ଳବ” ଏବଂ ଆଉ ଗୋଟିଏ ଆଦର୍ଶ ବାଳିକା ବିଦ୍ୟାଳୟ । ବନାନୀଙ୍କ ସହ ଯେତେବେଳେ ପ୍ରଥମ ପ୍ରେମ ସମ୍ଭାଷଣ ହୁଏ, ତାହା ହୋଇଥିବା ସାଲୁଆର ଏହି ଶାଳବନ ଭିତରେ, ଏକ ବଣଭୋଜୀ ସମୟରେ । ଶାଳ ବନର ନିବିଡ଼ ପରିବେଶ ଦୁଇଟି ଜୀବନକୁ ଦେଇଥିଲା ରୋମାଞ୍ଚ ଓ ଆତ୍ମଦାନର ଶୀତ୍କାର । ସେଇ ସ୍ମୃତିକୁ ସଂଜୀବିତ କରି ରଖିବା ପାଇଁ କ୍ଳବର ନାମ ଦେଲେ ୱାଟସନ ସାହେବ ‘ବନାନୀ କ୍ଳବ’ । ବନାନୀ ଥିଲେ ଶିକ୍ଷିତା ଏବଂ ବୁଦ୍ଧିମତୀ ଏବଂ ସେ ସମୟର ଖଡ଼ଗ୍‍ପୁର କନ୍‍ଭେଣ୍ଟର ପ୍ରଥମ ଭାରତୀୟ ମହିଳା ଶିକ୍ଷୟିତ୍ରୀ । ପତ୍ନୀଙ୍କର ଅପୂର୍ଣ୍ଣ କାମକୁ ଶେଷ କରିବା ପାଇଁ ସେ ଖୋଲିଥିଲେ ଏକ ବାଳିକା ବିଦ୍ୟାଳୟ–ବନାନୀ ବାଳିକା ବିଦ୍ୟାଳୟ ।

ଏହାପରେ ବେଶୀଦିନ ଭାରତରେ ରହିପାରି ନଥିଲେ ୱାଟସନ ସାହେବ । ଚାକିରୀରୁ ଇସ୍ତଫା ଦେଇ କେଉଁଆଡ଼େ ଗଲେ କେହି ଜାଣିଲେ ନାହିଁ । କେହି ଖବର ରଖିପାରିଲେ ନାହିଁ । କ୍ରମଶଃ ଲୋକେ ଭୁଲିଗଲେ ମିଷ୍ଟର ୱାଟସନଙ୍କୁ । କିନ୍ତୁ ଆଜି ତାଙ୍କର ଶେଷ ସ୍ମୃତିସ୍ତମ୍ଭ ଭାବରେ ରହିଛି ବନାନୀକ୍ଳବ ଓ ବନାନୀ ବାଳିକା ବିଦ୍ୟାଳୟ ।

ଏଇ ପ୍ରେମାପ୍ଳୁତ କାହାଣୀହିଁ ହେଉଛି ବନାନୀ କ୍ଳବର ପ୍ରାଣ । ସାଲୁଆର ନିଘଞ୍ଚ ଶଳବନର ନିବିଡ଼ତା ଆଜି ନାହିଁ, କିନ୍ତୁ ତାହେଲେ ମଧ୍ୟ ସେଇ ଶାଳବନର ମଧୁର ଗନ୍ଧ ତା’ର ଘନଛାୟା ଏବଂ ସବୁଜଶ୍ରୀ ଆକର୍ଷଣ କରେ ଅନେକ ଲୋକଙ୍କୁ । ଯେତେବେଳେ ଆରମ୍ଭ ହୋଇଥିଲା ବନାନୀ କ୍ଳବ, ସେତେବେଳେ ନଥିଲା ଏଥିରେ ବର୍ଣ୍ଣବୈଷମ୍ୟ । ଆଜି ମଧ୍ୟ ନାହିଁ । ବନାନୀ କ୍ଳବ ସମ୍ଭ୍ରାନ୍ତ, ସୁରୁଚିବାନ୍‍ମାନଙ୍କ ପାଇଁ ଉଦ୍ଦିଷ୍ଟ । ବନାନୀ କ୍ଳବର ବଣ୍ୟ ପରିବେଶ ଆକର୍ଷଣ କରେ ସମସ୍ତଙ୍କୁ । ସହର ଠାରୁ ଅଳ୍ପ ଦୂରରେ, ଅଥଚ ସହରର ସମସ୍ତ ସୁବିଧା ମିଳୁଥିବ ଏହିପରି ଏକ ନିଛାଟିଆ ସୁନ୍ଦର ସ୍ଥାନ କ୍ଳବ ପକ୍ଷରେ ଅନୁକୂଳ । ଆଜି ସେଇଥିପାଇଁ ବନାନୀକ୍ଳବର ସଦସ୍ୟମାନଙ୍କ ଭିତରେ ରେଲବାଇ ଏବଂ ସୈନ୍ୟବାହିନୀର ଅଫିସର, ଅଧ୍ୟାପକ, ଡାକ୍ତର, କଣ୍ଟ୍ରାକ୍ଟର, ସାମ୍ୱାଦିକ ଓ ବ୍ୟବସାୟୀ ସମସ୍ତେ ଅନ୍ତର୍ଭୁକ୍ତ ।

କ୍ଳବର ସାଜସଜ୍ଜା ଦେଖି ମୁଗ୍ଧ ହେଲା ଦେବଦତ୍ତ । ଆଜିର ଉତ୍ସବର ବିଶେଷତ୍ୱ ପାଶ୍ଚାତ୍ୟ ନୃତ୍ୟ । କଳା ଗରମ ଟ୍ରାଉଜର, ଧଳା ଗଳାବନ୍ଧ କୋଟ ବଟନ ହୋଲ ଭିତରେ ଗୋଟାଏ ଅର୍ଦ୍ଧ ମୁକୁଳିତ ରକ୍ତ ଗୋଲାପ । ଲୋଭନୀୟ ଚେହେରା ଦେବଦତ୍ତର ଆହୁରି ଲୋଭନୀୟ, ଆକର୍ଷଣୀୟ ହୋଇ ଉଠିଥିଲା । ତା’ର ଚାହାଣୀରେ ଓ ଚାଲିଲେ ସଂକ୍ଷିପ୍ତ ଅଥଚ ସୁରୁଚିପୂର୍ଣ୍ଣ ସମ୍ଭାଷଣରେ ଅନେକ ଆନନ୍ଦିତ ହୋଇଥିଲେ ।

ଚାରିଆଡ଼କୁ ଚକିତ ନୟନରେ ଥରେ ଥରେ ଚାହିଁ ଦେଖୁଥିଲା ସେ । ଆଠଟା ବାଜିଲାଣି ତଥାପି ଆସିନି ମିଲି । କ୍ଷୁବ୍ଧ ହୁଏ ତା’ର ଚିତ୍ତ । ଅସ୍ଥିର ହୁଏ ତା’ର ପଦପାତ । ଆଗ୍ରହ କ୍ରମଶଃ ଆଶଙ୍କାରେ ପରିଣତ ହେଲା ଯେତେବେଳେ ସାଢ଼େ ଆଠଟା ସୁଦ୍ଧା ଆସିଲା ନାହିଁ ମିଲି-। ସାଢ଼େ ଆଠଟାରେ ଡିନର ଏବଂ ତା’ପରେ ଡ୍ୟାନ୍ସ । ରାତ୍ରିଭୋଜନର ଗୋଟିଏ ସୁନିର୍ଦ୍ଦିଷ୍ଟ ସମୟ ଅଛି । ନୃତ୍ୟର ଗୋଟିଏ କାର୍ଯ୍ୟସୂଚୀ ଅଛି । ସେ ସବୁର ଅଦଳବଦଳ ହୋଇପାରେନା, ହେବା ଉଚିତ ମଧ୍ୟ ନୁହେଁ । ଏଠାରେ ସେ କେବଳ ଏକା ନୁହେଁ, ବହୁ ସଦସ୍ୟ ସଦସ୍ୟାଙ୍କ ସମାଗମରେ ମୁଖରିତ ହୋଇଛି କ୍ଳବର କକ୍ଷ । ଚତୁର୍ଦ୍ଦିଗରେ ପ୍ରାଣ ଚାଞ୍ଚଲ୍ୟ ଓ ଉଦ୍ଦାମ ଜୀବନ ପ୍ରବାହର ଆବେଗ । କଳରୋଳରେ ସମଗ୍ର ପରିବେଶ ମୁଖରିତ ।

ମିଷ୍ଟର୍ ଏବଂ ମିସେସ୍ ମହାନ୍ତି ଆସି ପହଞ୍ଚିଲେ । ଡେରି ହୋଇଯାଇଛି । ନିଜର ହାତଘଡ଼ି ଉପରକୁ ଚାହିଁ କହିଲେ ମିଷ୍ଟର ମହାନ୍ତି–ମୁଁ ଅତ୍ୟନ୍ତ ଦୁଃଖିତ । କ୍ଷମା କରିବେ, ଆମର ଅନେକ ବିଳମ୍ୱ ହୋଇଯାଇଛି ।

 

ଚାରିଆଡ଼ୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଭାସି ଆସିଲା । “ଆସନ୍ତୁ ମିସେସ୍ ମହାନ୍ତି, ମିଷ୍ଟର ମହାନ୍ତିଙ୍କ ସଙ୍ଗରେ ପଡ଼ି ଆପଣ ଆଜିକାଲି ସବୁ ଉତ୍ସବକୁ ବିଳମ୍ୱରେ ଆସୁଛନ୍ତି ? କଥା କ’ଣ ?” ଟିପ୍ପଣୀ କାଟିଲା କିଏ । ତା’ପରେ ଚତୁର୍ଦ୍ଦିଗରୁ ଉଚ୍ଚହାସ୍ୟର ତରଙ୍ଗଭାସି ଆସିଲା । ମିନି ସ୍କାର୍ଟ ଭିତରେ ନିଜର ତରଙ୍ଗାୟିତ ଯୌବନକୁ ଆକର୍ଷିତ କରି ଆଗେଇ ଆସିଲେ ଅସୀମା ମହାନ୍ତି । ଅସୀମ ଆକାଂକ୍ଷା ଅସୀମା ମହାନ୍ତିଙ୍କର । ନିଜ ସ୍ୱାମୀଙ୍କ ସାନିଧ୍ୟରେ ସବୁଆଡ଼କୁ ଯାଆନ୍ତି । ତାହା ତାଙ୍କର ରକ୍ଷାକବଚ । ସେଇ କବଚ ପରିଧାନ କରି ଅସୀମା ଅନେକବାର ସୀମାଲଙ୍ଘନ କରନ୍ତି । ସମୟ, ଅସମୟ ଭୁଲି ପ୍ରେମଭିକ୍ଷା କରନ୍ତି । ଦେହରେ ତାଙ୍କର ଅନେକ ଦାହ, ଅନେକ ତାତି । ସେଇଥିପାଇଁ ଯେତିକି ନ ହେଲେ ନ ଚଳେ ଆବୃତ ରଖି ଦେହର ବାକୀ ଅଂଶ ଟିକକ ଅନାବୃତ ରଖନ୍ତି ଅସୀମା । ଆଭରଣର ରକ୍ଷଣଶୀଳତା ଭିତରେ ନିଜର ପ୍ରକାଶକୁ ରୁଦ୍ଧ କରିପାରିବେ ନାହିଁ ସେ । ଯାହା ଅପ୍ରକାଶ୍ୟ, ତା’ରି ଉନ୍ମାଦନାରେ ଭୁଲିଯାଆନ୍ତି ସବୁ ।

 

ଅସୀମାଙ୍କୁ ଆଗେଇ ଆସି ଶୁଭସନ୍ଧ୍ୟା ଓ ଶୁଭେଚ୍ଛା ଜଣାଇଲା ଦେବଦତ୍ତ । ମିଷ୍ଟର ମହାନ୍ତି ସେତେବେଳକୁ ଆଗେଇ ଚାଲିଗଲେଣି, ବନ୍ଧୁମାନଙ୍କ ସହିତ କରମର୍ଦ୍ଦନ କରିବା ପାଇଁ ।

 

ଅସୀମା କଣେଇ ଚାହିଁଲେ ଦେବଦତ୍ତକୁ । ତା’ର ସବଳ ସୁଶ୍ରୀ ଦେହ ଶ୍ରୀକୁ । ଆଖି କୋଣରେ ଆଶାର ଝଲକ ନାଚି ଉଠିଲା ତାଙ୍କର । ବଙ୍କା ହସର ଗାରଟାଣି ଅନୁଚ୍ଚ କଥାରେ କହିଲେ ଅସୀମା–ଆଜି କିନ୍ତୁ ତମେ ଅଦ୍ଭୁତ ଦେଖାଯାଉଛ ଦେବୁ । Really you look wonderful.

 

ସତେ ! ଦେବଦତ୍ତ ଦୁଷ୍ଟାମୀ କରି କହିଲା । ଅସୀମା ବୁଝିଲେ ସେ ଇଙ୍ଗିତ । ହାତରେ ତା’ର ଟିକିଏ ଉଷ୍ଣ ଚାପ ଦେଇ କହିଲେ–ମନେ ପଡ଼ିବତ ଇଚ୍ଛା ଯେଉଁଠି, ଇଙ୍ଗିତ ସେଠାରେ ବର୍ଣ୍ଣାଢ଼୍ୟ । ସବୁ ବୁଝିଲା ଦେବଦତ୍ତ । ମିଲିର ଅଭାବରେ ଦବି ଆସୁଥିବା ଅନୁଭୂତି ଟିକକ ପୁଣି ସଜୀବ ଚଞ୍ଚଳ ହୋଇ ଉଠିଲା । ପୁଣି ଭାବପ୍ରବଣତା ଦେଖାଦେଲା ଦେବଦତ୍ତର ଚଲାବୁଲା କଥାବାର୍ତ୍ତାରେ ।

 

ଡିନର ପ୍ରସ୍ତୁତ ହୋଇସାରିଛି । ରାତ୍ରିଭୋଜନର ତାଗିଦା ଆସିଲା ଭିତରୁ । ସୁପ୍ ପରିବେଷଣ କରାଗଲା । ସୁପ୍‍ରେ ଚୁମ୍ୱନ କଲା ଦେବଦତ୍ତ । ଆଖି ତା’ର ଚାରିଆଡ଼େ ବୁଲୁଛି । ସନ୍ଧାନ କରୁଛି ଆସିବା ଯିବା ବ୍ୟକ୍ତିଙ୍କର । ନା, ସମସ୍ତ ଆଶା ନଷ୍ଟ କରି ଆସିଲା ନାହିଁ ମିଲି । ମନେ ମନେ ସେ ବିରକ୍ତ ହେଲା । ମ୍ୟାଟିନୀ ଶୋର ଶେଷ ଅଭିନୟ ଆଉ ହୋଇପାରିଲା ନାହିଁ ।

 

କ୍ଳବର ବାର ଭିତରୁ କିଏ ଡାକିଲା ଦେବଦତ୍ତକୁ ହାତରେ ସୁପ୍ କପ୍‍ଟାକୁ ଧରି ସେ ଆଗେଇ ଗଲା ବାର ଭିତରକୁ । ଭିତରେ ମି. ମହାନ୍ତି ଓ ମିସେସ୍ ମହାନ୍ତିଙ୍କୁ ପ୍ରାୟ ପାଞ୍ଚସାତ ଜଣ ସ୍ତାବକ ବନ୍ଧୁ ଘେରି ରହିଛନ୍ତି । ସମସ୍ତଙ୍କ ହାତରେ ମଦ୍ୟପାତ୍ର । ସେ ପହଞ୍ଚିବା ସଙ୍ଗେ ସଙ୍ଗେ ମିସେସ୍ ଏବଂ ମିଷ୍ଟର ମହାନ୍ତିଙ୍କ ସୁସ୍ୱାସ୍ଥ୍ୟ କାମନା କରି ମିଷ୍ଟର ଚୌଧୁରୀ ଟୋଷ୍ଟ ପ୍ରସ୍ତାବ କଲେ । ସମସ୍ତେ ଆନନ୍ଦରେ ଯୋଗଦେଲେ ସେଥିରେ ଗ୍ଳାସ ଉଠାଇ । ଦେବଦତ୍ତ ଆଡ଼କୁ ଗୋଟାଏ ତୀର୍ଯ୍ୟକ ଚାହାଣୀ ହାଣି ପାନ କଲେ ଅସୀମା । ଆଉ ଦୁଇ ପେଗ୍ ପିଇଲା ଦେବଦତ୍ତ । ଅସୀମା ପାନ ଶେଷକରି ଆସି ଦେବଦତ୍ତ ପାଖରେ ଛିଡ଼ାହେଲେ । ଦେହରେ ତାଙ୍କର ଯୌବନର ତରଙ୍ଗାୟିତ ଲାସ୍ୟ । ଆଖିରେ ନିମନ୍ତ୍ରଣର ମଦିରା । ଓଠରେ ସ୍ୱାଗତ କାହାଣୀ । ଦେବଦତ୍ତର ହାତପାପୁଲି ଉପରେ ପୁଣି ଚାପ ଦେଲେ ଅସୀମା । ସେ ଟିକିଏ ହସି ଅନେଇଲା ତାଙ୍କ ମୁହଁକୁ । ଦୁହିଁଙ୍କ ଆଖି ପଡ଼ିଲା ଦୁହିଁଙ୍କ ଉପରେ । ଆଖିର ଇଶାରା ଦୁହେଁ ବୁଝିଲେ । ଆଗେଇଗଲେ ଅସୀମା-। ମିଷ୍ଟର ଦୀକ୍ଷିତ, ମିଷ୍ଟର ଚୌଧୁରୀ, ମିଷ୍ଟର ସେନ୍ ଶ୍ୱାନ ଲାଞ୍ଜ ହଲାଇ ପ୍ରଭୁର କୃପାପାଇଁ ଅନୁଧାବନ କଲାପରି ଅନୁସର କଲେ ତାଙ୍କର । ସମସ୍ତେ ଚାହାନ୍ତି ତାଙ୍କର ସାନିଧ୍ୟ ଓ ସାହଚର୍ଯ୍ୟ । ଅସୀମା ସ୍ଫୀତ ବକ୍ଷରେ ପ୍ରଜାପତି ପରି ଜଣକ ପାଖରୁ ଆଉ ଜଣକ ପାଖକୁ ଯାଇ ପଦେଅଧେ ମଧୁବୋଳା ମନ୍ତବ୍ୟ ପ୍ରକାଶ କରୁଥାନ୍ତି । ସେଇଥିରେ କୃତ୍ୟ କୃତ୍ୟ ମଣୁଥାନ୍ତି ସମସ୍ତେ-। ଦେହର ଆବୃତ୍ତ ଅଂଶକୁ ଅଧିକ ପ୍ରକାଶ କରିବା ପାଇଁ କେତେବେଳେ ତୀର୍ଯ୍ୟକ କେତେବେଳେ ବକ୍ର, କେତେବେଳେ ବା ଉର୍ଦ୍ଧ୍ୱକୁ ଚାହିଁ ବିଭିନ୍ନ ପୋଜ୍‍ର ସୃଷ୍ଟି କରୁଥାନ୍ତି ଅସୀମା । ବକ୍ଷ ତାଙ୍କର ଅର୍ଦ୍ଧଉନ୍ମୁକ୍ତ । ତଥାପି ବାକୀ ଟିକକର ନଗ୍ନତା ଦେଖାଇ ଦେବାପାଇଁ ଥରେ ଥରେ ନଇଁ ପଡ଼ି ଅନ୍ତର୍ବାସକୁ ଢିଲା କରି ଦିଅନ୍ତି ସେ । ଗୋପନ ରଖିବାରେ, ରହସ୍ୟ ସୃଷ୍ଟି କରିବାରେ ତାଙ୍କର ଯେତିକି ଇଚ୍ଛା, ସ୍ଥଳବିଶେଷରେ ଅନ୍ୟକୁ ସେହି ରହସ୍ୟର ଦ୍ୱାରୋଦ୍‍ଘାଟନ ପାଇଁ ନିମନ୍ତ୍ରଣ ଜଣାଇବାରେ ତାଙ୍କର ସେତିକି ସ୍ପୃହା । ତାଙ୍କର ବିଶ୍ୱାସ ସବୁ ଟିକକ ଆଗରେ ଏକାବେଳକେ ଅନାବୃତ୍ତ କରି ଦିଆଯାଏ, ତାହେଲେ ଥରକରେ ସବୁ ଶେଷ ହୋଇଯିବ । ସମସ୍ତ ରହସ୍ୟ, ସମସ୍ତ କାମନା ଏକାଥରେ ଶେଷ ହୋଇଯିବ । ପୁଣି ସବୁକୁ ଯଦି ଆବୃତ୍ତ କରି ରଖାଯାଏ, ତାହେଲେ ସେଥିରେ ଆକାଂକ୍ଷାକୁ ଆକର୍ଷଣ କରିବାର ମାଦକତା ମରିଯିବ । ଏଣୁ କିଛି ଛାଇ କିଛି ଖରା ପରି ଆବୃତ ଅନାବୃତ୍ତର ଏପାଖ ସେପାଖ ଭିତରେ ନିଜେ ଯେତିକି ପ୍ରକାଶମୟୀ, ସେତିକି ରହସ୍ୟମୟୀ ହୋଇ ରସବତୀ ହେବାପାଇଁ ଆୟାସ ତାଙ୍କର । ସେଇଥିପାଇଁ ତାଙ୍କର ଲୋଡ଼ା ହୁଏ ବିଭିନ୍ନ ପୋଷାକ, ବିଭିନ୍ନ ରଙ୍ଗର ସମାବେଶ, ବିଭିନ୍ନ ସମାବେଶରେ ଭିନ୍ନ ଭିନ୍ନ ଠାଣିର ମାଧୁର୍ଯ୍ୟ । ମଦାଳସା ଶ୍ରୀମତୀ ଅସୀମା ମହାନ୍ତି । ମିଷ୍ଟର ମହାନ୍ତି କିନ୍ତୁ ଭିନ୍ନ ଧାତୁରେ ଗଢ଼ା । ପତ୍ନୀଙ୍କର ଆବରଣରେ ତାଙ୍କର ଯେତିକି ଆଗ୍ରହ, ଅନାବରଣରେ ମଧ୍ୟ ସେତିକି ଆନନ୍ଦ । ଏକାନ୍ତରେ, ନିଭୃତରେ ସେ ଅନୁଭବ କରନ୍ତି ନିଜ ପତ୍ନୀଙ୍କୁ । କିନ୍ତୁ ସଭାରେ, ସମାବେଶରେ ଅନ୍ୟମାନେ ଅନୁଭବ କରନ୍ତୁ । ଯାହା ସୁନ୍ଦର, ତାହା ସହଜ ହୋଇ ଧରାଦେଉ ଅନ୍ୟ ଆଖିରେ । ତାହେଲେ ଯାଇ ସିନା ଗୃହାଞ୍ଚଳର ଆବଦ୍ଧ ଲାବଣ୍ୟ ହସି ଉଠିବ ଦୁନିଆର ପ୍ରକାଶରେ । ହସାଇ ପାରିବ ଅନ୍ୟକୁ ନିଜ ପ୍ରକାଶର ଝଲକରେ ।

 

ସୁପ୍‍ କପ୍ ବେହେରା ଆସି ନେଇ ଗଲା । ସମସ୍ତଙ୍କ ଉଦରାଗ୍ନି ହୁ ହୁ ହୋଇ ଜଳୁଛି । ଖାଦ୍ୟ ଲୋଡ଼ା । ଚର୍ବ୍ୟ, ଚୁଷ୍ୟ, ଲେହ୍ୟ, ପେୟର ପ୍ରୟୋଜନ । ଚୋବାଇବା ପାଇଁ ମାଂସ ଆବଶ୍ୟକ । ଦାନ୍ତର ଧାର ପରଖି ନେବାପାଇଁ ହାଡ଼ଯୁକ୍ତ ମାଂସ ଚାହିଁ । ନ ହେଲେ କ’ଣ ଚୁଷି ଚୁଷି ମେଦ ବାହାରକରି ହେବ । ପେୟର ଆଗରୁ ହୋଇଯାଉଛି । ପାନ ପରେ ଭୋଜନ ପୁଣି ଭୋଜନ ପରେ ପାନ । ଦେବଦତ୍ତର ଶିରାରେ ଶିରାରେ ରକ୍ତ କଣିକାରେ ଏବଂ ସର୍ବାଙ୍ଗରେ ଏକ ଅଦ୍ଭୁତ କ୍ଷୁଧା । ଚର୍ବ୍ୟ, ଚୁଷ୍ୟ, ଲେହ୍ୟ ଓ ପେୟ ସବୁ ତା’ର ଏକାବେଳକେ ପ୍ରୟୋଜନ । ବହୁତ ଖାଇଲା ଦେବଦତ୍ତ । ଏଠାରେ ଖାଇବା ପିଇବା ନାଚିବା ବା ଗାଇବାରେ ଲଜ୍ୟା ନାହିଁ, ସଂକୀର୍ଣ୍ଣତା ନାହିଁ, ସଂକୋଚନ ନାହିଁ । ସବୁ ମନ ପ୍ରସାରିତ । ସବୁ ଚାହାଣୀରେ ଅଯାଚିତ ଅନୁଜ୍ଞା । ଆଧୁନିକତାର ଆବରଣ ସଂକୋଚନରେ ନୁହେଁ, ସଂପ୍ରସାରଣରେ ! ସଂଗୋପନରେ ନୁହେଁ, ସହଜ ପ୍ରକାଶନରେ । ଲଜ୍ୟା, ସରମ ବାଦ୍ ଦେଇ ଯେ ଯାହାର ଯାହା ଇଚ୍ଛା ଖାଇ, ପିଅ, ଫୂର୍ତ୍ତି କର । ଏକଚାଟିଆ ଅଧିକାର ବର୍ଜନ କରି ସାମାଜିକ ସମାବେଶରେ ଯାହା ସୁନ୍ଦର, ଯାହା ଆକର୍ଷଣୀୟ ଏବଂ ଲୋଭନୀୟ ତାହା ଅନୁଭବ କର, ଉପଭୋଗ କର । ମଧ୍ୟ ଯୁଗର କବର ଉପରେ ବସି ବିଂଶ ଶତାବ୍ଦୀର ଏହାହିଁ ଦୁନ୍ଦୁଭି । ଏହାହିଁ ଘୋଷଣା । ତୁମେ ଯଦି ଏହାକୁ ମନ୍ଦ ବୋଲି, ଅବାଞ୍ଚିତ ବୋଲି ଉଡ଼ାଇ ଦିଅ, ତାହେଲେ ଆବର୍ଜନା ପରି ଶତାବ୍ଦୀର ଏକ କୋଣରେ ପଡ଼ି ରହିବ ଘୃଣିତ ହୋଇ । ଅନସ୍ୱାଦିତ ରହିଯିବ ତୁମର ବହୁସ୍ୱାଦ, ଅଭୁକ୍ତ ରହିଯିବ ତୁମେ ଖାଦ୍ୟର ଅଫରନ୍ତ ଭଣ୍ଡାର ଭିତରେ-

 

ଅସୀମା ଯେତେ ଖାଇବାର ପେଟଭରି ଖାଇଲେ, କିନ୍ତୁ ଲୋକ କ’ଣ କେବଳ ଖାଇବାରେ ଶାନ୍ତହୁଏ । ଆହୁରି କ’ଣ ଯେପରି ଖାଇ ନାହାନ୍ତି କ’ଣ ଯେପରି ଅନସ୍ୱାଦିତ ରହିଗଲା, ଏୟା ମନେ ହେଲା ତାଙ୍କର । ସର୍ବାଙ୍ଗ ଭରି ସେଇ ଗୋଟାଏ କ୍ଷୁଧାର ଜ୍ୱାଳା, ଗୋଟିଏ କ୍ଷୁଧାର ବିପ୍ଳବ । ଅଶ୍ୱସ୍ତି ଅନୁଭବ କଲେ ସେ । ଦେହଯାକ କି ଅଦ୍ଭୁତ ତାତି, ଏଇ ଗୋଟାଏ ଦେହରେ କି ଅଭାବନୀୟ ଦାହ । କେଉଁଠି ଲୁଚି ରହିଥିଲା ଏତେ ବଣ୍ୟ ଉତ୍ତେଜନା, ଏତେ ସୁପ୍ତ ଜୀବନ ପ୍ରବାହ-। ଚାରିଆଡ଼କୁ ଆଖି ବୁଲାଇ ଚାହିଁଲେ । ସମସ୍ତେ ନୃତ୍ୟର ତାଳେ ତାଳେ ପାଦ ରଖି ଯୋଡ଼ି ଯୋଡ଼ି ହୋଇ ଛନ୍ଦ ରଚନା କରୁଛନ୍ତି । ସବୁ ବିସ୍ୱାଦ ମନେ ହେଲା ଅସୀମାଙ୍କର । ସ୍ୱାମୀଙ୍କର ହାତ ମୁଠା ଭିତରେ ନିଜ ହାତ ବନ୍ଦୀ । କିପରି ଖରାପ ଲାଗିଲା ତାଙ୍କୁ । କଟି ଉପରେ ମିଷ୍ଟର ମହାନ୍ତିଙ୍କ ହାତ । ଛାତି ପାଖରେ ମିଷ୍ଟର ମହାନ୍ତିଙ୍କ ଛାତି । ଆଗକୁ ଚାହିଁଲେ ଅସୀମା । ଆଖିଆଗରେ ମିଷ୍ଟର ମହାନ୍ତିଙ୍କର ସେଇ ପୁରୁଣା ସବୁଦିନ ଦେଖୁଥିବା ଅନାକର୍ଷଣୀୟ ମାଧୁର୍ଯ୍ୟ ହୀନ ମୁହଁଟା । ସେଥିରେ ନୂତନାର ଆକର୍ଷଣ କାହିଁ, ନବୀନତାର ଲୁବ୍ଧତା ନାହିଁ । ଛି, ଛି, ମନଟା ଏକାବେଳକେ ଖଟା ହୋଇଗଲା ତାଙ୍କର । ଅନ୍ୟ ଆଡ଼କୁ ଆଖି ଫେରାଇଲେ ଅସୀମା । ସେପାଖରେ ମିସ୍‍ ମିଲି ସେନ୍‍ଙ୍କ ସହିତ ନାଚୁଛି ଦେବଦତ୍ତ । ମିଲି ସେନ୍ । ମିଷ୍ଟର ଶୋଭାକାନ୍ତ ସେନ୍‍ଙ୍କର କନ୍ୟା ମିଲି ସେନ୍ । ମିଲିତ ଆସି ନଥିଲା, କେତେବେଳେ ଆସିଲା ମନେହେଲା ନାହିଁ ତାଙ୍କର । ମିଲିର ହାତ ନିଜ ହାତ ମୁଠା ଭିତରେ ରଖି, ତା’ର କଟିରେ କର ବେଷ୍ଟନ କରି, ନିଜର ଉଷ୍ଣତା ଅନୁଭବ କରିପାରିବା ଭଳି ଦୂରତା ରକ୍ଷାକରି ନାଚୁଛି ଦେବଦତ୍ତ ବେକାରୀ ଫ୍ୟାକ୍ଟିରର ଅଧିକାରୀ ମିଷ୍ଟର ସେନଙ୍କ କନ୍ୟା ମିଲି ସହିତ । ଆଉ ଚାହିଁ ପାରିଲେ ନାହିଁ ଅସୀମା । ସମଗ୍ର ସତ୍ତା ତାଙ୍କର ବିପ୍ଳବ କରି ଉଠିଲା, ସମଗ୍ର ସର୍ବାଙ୍ଗରେ ସେ ଅନୁଭବ କଲେ ଆଗ୍ନେୟ ଉଦ୍ଗୀରଣର ଏକ ଅଦ୍ଭୁତ ବଣ୍ୟ ମତ୍ତତା । ନା, ନା ଦେବଦତ୍ତକୁ ଏପରି ଭାବରେ ସେ ଛାଡ଼ି ଦେଇପାରିବେ ନାହିଁ । ମିଲିର ମିଳନାତ୍ମକ ଅଭିନୟ ଦେଖିବା ପାଇଁ ବନାନୀ କ୍ଳବକୁ ଆସି ନଥିଲେ ସେ । ମିଷ୍ଟର ମହାନ୍ତିଙ୍କ ହାତ ମୁଠା ଭିତରୁ ବିରକ୍ତିରେ ନିଜ ହାତକୁ ମୁକ୍ତ କରି, ନାଚ ବନ୍ଦ କଲେ ଅସୀମା । ମିଷ୍ଟର ମହାନ୍ତି ଆଗେଇ ଗଲେ ନିତ୍ତାରାୟଙ୍କ ଆଗକୁ ହସ୍ତ ସଂପ୍ରସାରିତ କରି । ଅଧ୍ୟାପିକା ମିସେସ୍ ନିତ୍ତା ରାୟ । ସାଗ୍ରହେ ଯୋଗବେଳେ ମିଷ୍ଟର ମହାନ୍ତିଙ୍କ ସହିତ । ନାଚ ଚାଲିଲା । ଏକ ବିଲାତି ସୁରର ଉନ୍ମତ୍ତ ତାଳ ସଙ୍ଗେ ତାଳ ରଖି । ଏସବୁ ପ୍ରତି ଲକ୍ଷ୍ୟ ରହିଲା ନାହିଁ ଅସୀମାଙ୍କର, ଖିଆଲ ରହିଲା ନାହିଁ କ’ଣ ହେଉଛି ଦେଖିବା ପାଇଁ ।

 

ଦେବଦତ୍ତ ଲକ୍ଷ୍ୟକଲା ଅସୀମା ଝଡ଼ ପରି ତା’ ଆଡ଼େ ଚାହିଁଛନ୍ତି । ସେ ଚାହାଣୀରେ ସର୍ବଗ୍ରାସୀ କ୍ଷୁଧାର ଲେଲୀହାନ ଆମନ୍ତ୍ରଣ । ସମଗ୍ର ସାଗ୍ରହେ ବିସର୍ଜନ ଦେବାପାଇଁ ଏକ ଦୁର୍ବାର ଅଭିନନ୍ଦନ । ଆଖି ଫେରାଇ ମିଲି ମୁହଁ ଉପରକୁ ପୁଣି ଚାହିଁଲା ସେ । ଏଇ ଦୁଇଟା ଚାହାଣୀ ଭିତରେ ଏତେ ପାର୍ଥକ୍ୟ, ଏତେ ପ୍ରଭେଦ । ଭାବି ନ ପାରି ସ୍ତବ୍ଧ ହେଲା ଦେବଦତ୍ତ । ଗୋଟିଏ ଭୀରୁ ଚାହାଣୀ ଭିତରେ ଅନାସ୍ୱାଦିତ, ଅନାଡ଼ମ୍ୱର ଏକ ଆକାଂକ୍ଷା ଆଉ ଗୋଟାଏ ଭିତରେ ସର୍ବଭୁକ୍ ଦାବାଗ୍ନି ପରି ଉଜ୍ଜ୍ୱଳତା । ଗୋଟାକ ଭିତରେ ଫଲ୍ଗୁର ନିବିଡ଼ତା ଆଉ ଗୋଟିଏ ଭିତରେ ବ୍ରହ୍ମପୁତ୍ରର କରାଳ ସର୍ବଗ୍ରାସୀ ବନ୍ୟା । ତା’ର ସମସ୍ତ ଚେତନା ଶକ୍ତି ଦେଇ ମିଲିର ସତ୍ତା ଅନୁଭବ କଲା ଦେବଦତ୍ତ । ମିଲିର ଅବର୍ତ୍ତମାନରେ ମନଟା ତା’ର ବିଷାଦମୟ ହୋଇ ଉଠିଥିଲା । କିନ୍ତୁ ତା’ର ସମସ୍ତ ହତାଶା ଓ ଅବସାଦ ଦୂରକରି ଯେତେବେଳେ ପିତାଙ୍କ ସହ ମିଲି ଆସି ପହଞ୍ଚିଲା । ସେତେବେଳେ ଡିନରର ଠିକ୍ ଅବ୍ୟବହିତ ପୂର୍ବରୁ, ଅପ୍ରତ୍ୟାଶିତ ଆନନ୍ଦରେ ରୋମାଞ୍ଚ ହେଲା ଦେବଦତ୍ତର । ସେ ଚାହୁଁଥିଲା ତା’ର ଉପସ୍ଥିତି, ଏଣୁ ଯେତେବେଳେ ଇପ୍ସିତା ଆସି ଅନବଗୁଣ୍ଠିତା ଏବଂ ଅକୁଣ୍ଠିତା ଭାବରେ ଅଧର ଉପରେ ହସର ସରୁ ରେଖାଟିଏ ଟାଣି ଛିଡ଼ା ହେଲା, ତା’ର ବିଳମ୍ୱରେ ଆସିବାର କଥାଟା ପୂରାପୂରି ଭୁଲିଯାଇ ସେ ସ୍ୱାଗତ କରିଥିଲା ମିଲିକୁ । ମିଲି ଶେଷ ମୁହୂର୍ତ୍ତରେ ଆସି ପହଞ୍ଚି ପାରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଲା ସହସ୍ରବାର । ଦେବଦତ୍ତର ମୁହଁର ଉଜ୍ଜ୍ୱଳତାରୁ ବୁଝିପାରିଥିଲା କେତେ ଆନନ୍ଦିତ ହୋଇଛି ସେ ତା’ର ଉପସ୍ଥିତିରେ ।

 

ଅସୀମା କଟାକ୍ଷ ହାଣିଲେ ଦେବଦତ୍ତକୁ ଚାହିଁ । ଏ କଟାକ୍ଷର ଗବାକ୍ଷ ଦେଇ କେତେ ଶୀକାର ପାଦତଳେ ଆତ୍ମଦାନ ନିବେଦନ କରିଛନ୍ତି । କାହାକୁ ଫେରାଇ ଦେଇଛନ୍ତି ଟିକିଏ ହସ ଦେଇ, କାହାକୁ ଟିକିଏ ସ୍ପର୍ଶ ଦେଇ ଏବଂ କାହାକୁ ରାଜରାଜେଶ୍ୱର କରି ଅଧିଷ୍ଠିତ କରିଛନ୍ତି କେତୋଟି ସ୍ମରଣୀୟ ମୁହୂର୍ତ୍ତ ପାଇଁ । ଚେନାଏ ହସରେ, ଲହକାଏ ସ୍ପର୍ଶରେ କେତେ ନିକାଞ୍ଚନ ଜୀବନ ଭୂମିକୁ ଉର୍ବର ଓ ମୁଖର କରିଅଛନ୍ତି ସେ । ଆଜି ସାମାନ୍ୟ ଦେବଦତ୍ତ ତାଙ୍କୁ ବଳିଯିବ । ତା’ର ସୁଗଠିତ ଦୀର୍ଘ ଲୋଭନୀୟ ରୂପକୁ ଚାହିଁଲେ ଅସୀମା । ଯେତିକି ଚାହିଁଲେ, ସେତିକି ତାଙ୍କର ଚେତନା ଜଗତର ସମସ୍ତ ଜଡ଼ତା ନଷ୍ଟକରି କିଏ ଚିତ୍କାର କରି କହିଲା–ଦେବଦତ୍ତହିଁ ଲୋଡ଼ା । ସେହିହିଁ କେବଳ ଆବଶ୍ୟକ । ଆଜିର ଦାହର ପ୍ରଶମନ ପାଇଁ ତା’ରିହିଁ ପ୍ରୟୋଜନ ।

 

ପ୍ରୟୋଜନ ବହୁତ ସମ୍ଭାର ଜୀବନର ପୂର୍ଣ୍ଣତା ପାଇଁ । କିନ୍ତୁ ସବୁବେଳେ କ’ଣ ଯାହା ପ୍ରୟୋଜନ ତାହା ହାତମୁଠାରେ ମିଳେ । ଯଦି ଅନାୟସରେ ବା ଅଳ୍ପ ଆୟାସ ସହିତ ମିଳୁଥାଆନ୍ତା, ତାହେଲେ ଜୀବନ ଏଡ଼େ ଦୁର୍ବହ, ଜୀବନଯାତ୍ରା ଏତେ ବିଡ଼ମ୍ୱିତ ହୁଅନ୍ତା ନାହିଁ । ସେଇଥିପାଇଁ ଅନେକ ସମୟରେ ଲକ୍ଷ୍ୟ ସିଦ୍ଧି ପାଇଁ, ଆକାଂକ୍ଷିତର ଆଗମନ ପାଇଁ ବହୁ ସାଧ୍ୟ, ସାଧନା ବହୁ ଆୟୋଜନ ଓ ଆତ୍ମଦାନ, କରିବାକୁ ହୁଏ ମଣିଷକୁ । ଯେ ଭାଗ୍ୟବାନ ସେହି ତ କେବଳ ସବୁ ସମୟରେ ସାଧନାରେ ସିଦ୍ଧି ପାଏ ।

 

ଅସୀମାଙ୍କର ସାଧନା ନାହିଁ, କିନ୍ତୁ ସାଧ୍ୟ କରିବାର ସଂପଦ ଅଛି । ତାଙ୍କର ଆଲୁଳାୟିତ ରୂପକୁ ଚାହିଁ ମୁହଁ ଫେରାଇଲା ଦେବଦତ୍ତ । ମିଲି ଟିକିଏ ଅବସର ନେବାପାଇଁ ଆଡ଼େଇ ଗଲା । ଅସୀମା, ଆଗେଇ ଆସିଲେ । ଦେବଦତ୍ତ କିଛି ନିଷ୍ପତ୍ତି କରିବା ପୂର୍ବରୁ ତା’ର ହାତ ଭିତରେ ନିଜର ହାତ ରଖି ତାଳ ଦେଇ ପାଦ ପକାଇଲେ । ବାଧ୍ୟ ହୋଇ ସାଧ୍ୟ ହେଲା ଦେବଦତ୍ତ । ଗୀତର ତାଳେ ତାଳେ, ଝଙ୍କାରର ପ୍ରତିଟି ଛନ୍ଦକୁ ଜୀବନ୍ତ କରି ନୃତ୍ୟ କଲେ ଅସୀମା । କେତେବେଳେ ଝୁଙ୍କି ପଡ଼ି, କେତେବେଳେ ନିବିଡ଼ ହୋଇ ଏବଂ କେତେବେଳେ ହାତର ଉଷ୍ଣତାର ସଂଚରଣ କରି ନିଜକୁ ବହୁ ଭାବରେ ଧରି ତୋଳିଲେ କପୋଳ ଉପରେ ଉଷ୍ଣ ନିଶ୍ୱାସ ଛାଡ଼ୁଥିବା ଗୋଟାଏ ମଣିଷ ଆଗରେ । ସେ ମଣିଷ ଜଡ଼ ନୁହେଁ, ଜାନ୍ତବ । ତା’ର ଜନ୍ତୁ ପରି ଜିହ୍ୱାରେ ଏବଂ ଉଦରରେ ଭରି ଦେବାପାଇଁ ଚେଷ୍ଟାକଲେ ଏକ ଦୂରନ୍ତ କ୍ଷୁଧା । ଜନ୍ତୁ ପରି ଶୀକାର କରିବାପାଇଁ ତା’ର ନଖରେ, ଦନ୍ତରେ ଏବଂ ବଳିଷ୍ଠ ମାଂସପେଶୀଗୁଡ଼ାକରେ ଆଣିଦେଲେ ଉନ୍ମାଦନା । ଉନ୍ମାଦଗ୍ରସ୍ତ ରୋଗୀ ପରି ଅଳ୍ପ କେଇଟା ମୁହୂର୍ତ୍ତରେ ଅସୀମାଙ୍କର ଅପରିସୀମା ସତ୍ତା ଭିତରେ ଆତ୍ମବିସର୍ଜନ କଲା ଦେବଦତ୍ତ । ଭୁଲିଗଲା ସେ ମିଲି ସେନ୍‍ର ଉପସ୍ଥିତି, ଭୁଲିଗଲା ସେ ସ୍ଥାନ, ପାତ୍ର ଓ କାଳର ଅବସ୍ଥିତି । ତା’ର ସମଗ୍ର ଚେତନା ସତ୍ତାରେ ସେ ଅନୁଭବ କଲା ଗୋଟାଏ ସତ୍ୟ–ଅସୀମାଙ୍କର ସୀମାହୀନ ଅଭିବ୍ୟକ୍ତି । ସେଇ ଅଶ୍ଳୀଳ ଅଭିବ୍ୟକ୍ତି ଆଗରେ ଆତ୍ମବିସର୍ଜନ କଲା ଦେବଦତ୍ତ ।

 

ନାଚଗୀତ ଶେଷକରି ବନାନୀ କ୍ଳବର ସଦସ୍ୟମାନେ ଫେରିଗଲାବେଳକୁ ରାତ୍ରି ପ୍ରାୟ ଦୁଇଟା । ମଦ୍ୟପାନର ଉତ୍ତେଜନା ନିସ୍ତେଜ ହୋଇଆସିଥାଏ ସେତେବେଳକୁ । ଆକାଶ ଉପରେ ଲକ୍ଷ ତାରକାର ମହୋତ୍ସବ ତଳେ ମାଟିର ଆସ୍ତରଣ । ଶୀତ ଦିନର କନକନିଆ ଥଣ୍ଡା ପବନ ଅଳ୍ପ ସମୟ ଆଗର ଦେହର ଦାହକୁ ଅନେକାଂଶରେ କରିଛି ପ୍ରଶମିତ ।

 

କିନ୍ତୁ ପ୍ରଶମିତ ହେଲା ନାହିଁ ଗୋଟିଏ ବୁଭୁକ୍ଷୁ ହୃଦୟ, ଗୋଟାଏ ଅଭୁକ୍ତ ଅନ୍ତର । ସେଇ କୃଷ୍ଣ ଜାମିନୀର ଅନ୍ଧକାର ଭିତରେ ଦୁଇ ଆଖିରେ ଭରି ରହିଥିଲା ତା’ର ଉଷ୍ଣ ଅଶ୍ରୁର ପ୍ଳାବନ, ନୟନ ଆଲୋକର ସ୍ତିମିତ ଉଜ୍ଜ୍ୱଳତାରେ ଜାଣିହେଉ ନଥିଲା ସେ କିଏ, କ’ଣ ତା’ର ଉଦ୍ଦେଶ୍ୟ । କିନ୍ତୁ ଯେତିକି ଅନ୍ଧକାର ଭିତରେ ଅଗ୍ରସର ହେଲା ସେ, ସେତିକି ବଣ୍ୟଜନ୍ତୁ ପରି ହିଂସ୍ର ହୋଇ ଉଠିଲା । ମାଂସପେଶୀଗୁଡ଼ାକ ଶକ୍ତ ହୋଇ ଉଠିଲା ଏବଂ ପରେ ପରେ ଏକ ଜାନ୍ତବ ସଂଘର୍ଷ ଘଟିଗଲା ଗୋଟିଏ ବୃକ୍ଷର ଘନ କୃଷ୍ଣଛାୟା ତଳେ । କେହି ଜାଣିଲେ ନାହିଁ କ’ଣ ହେଲା, କିନ୍ତୁ ଯେ ଜାଣିଲା ସେଇ ରାତ୍ରିର ବହଳ ଅନ୍ଧକାର ଭିତରେ ଅଜଣା ଅଚିହ୍ନା ରହିଗଲା ସେ ।

 

ତିନି

 

ସକାଳ ହେବା ସଙ୍ଗେ ସଙ୍ଗେ ସମଗ୍ର ଦକ୍ଷିଣାଞ୍ଚଳ ମୁଖରିତ ହୋଇ ଉଠିଲା । ଏତେ ଶୀଘ୍ର ସାହେବ ପଡ଼ାରେ କେବେ ଜନଗହଳି ଦେଖାଯାଏ ନାହିଁ । ରାତ୍ରିଭୋଜନ ଓ ଚାରଣ ଶେଷକରି ନିଶାଚରପରି ସାହେବ ପଡ଼ାର ଅଧିକାରୀମାନେ ଶୁଅନ୍ତି ପ୍ରାୟ ପ୍ରାତଃ କାଳବେଳକୁ । ସେମାନଙ୍କର କ’ଣ ଏତେ ଶୀଘ୍ର ନିଦ ଭାଙ୍ଗିବାର କଥା ! ବସ୍ତୁତଃ ଆଠଟା ନଅଟା ଆଗରୁ ଶଯ୍ୟା ତ୍ୟାଗ କରିବା କାହାରି ପକ୍ଷେ ସମ୍ଭବ ହୋଇ ଉଠେନାହିଁ । ଯେତେବେଳେ ହାଟ, ବଜାର ଜନାକୀର୍ଣ୍ଣ ହୋଇଉଠେ, ଯେତେବେଳେ ମନ୍ଦିର, ବିଦ୍ୟାଳୟ ପୂରିଉଠେ କୋଳାହଳରେ, ଜୀବନଯାତ୍ରା ଯେତେବେଳେ ପ୍ରାୟ ପୂର୍ଣ୍ଣ ଉଦ୍ୟମରେ ଆଗେଇ ଚାଲେ ଆଗାମୀ ସମରରେ ବିଜୟୀ ହେବା ପାଇଁ; ସେତେବେଳେ ସାହେବ ପଡ଼ା (ଏଇ ନାମରେ ଅଫିସର କଲୋନୀ ଅଭିହିତ ଲୋକଙ୍କ ମୁଖରେ) ସୁପ୍ତ ଅବସ୍ଥାରୁ ପ୍ରତ୍ୟାବର୍ତ୍ତନ କରେ । ସାହେବମାନଙ୍କର ସେତେବେଳେ ଲୋଡ଼ା ହୁଏ ‘ବେଡ଼୍ ଟି’ । ଅଧୁଆମୁହଁରେ ବାସି ଶେଯରେ ‘ପ୍ରାତଃ ଚା’ ନ ଖାଇଲେ ସେମାନଙ୍କର ଆଭିଜାତ୍ୟର ଅହଂକାର ଉପରେ ଆଞ୍ଚ ଆସେ ।

 

କିନ୍ତୁ ସେ ଦିନ ଆଉ ପ୍ରାତଃ ଚା’ ପିଆ ହୋଇ ପାରିଲାନି ଦେବଦତ୍ତର । ଶୋଭାନ୍ ମିଆଁ ଚା’ ଆଣିବା ପୂର୍ବରୁ ଟେଲିଫୋନ୍ ରିଙ୍ଗ୍ ଘନଘନ ଆସିବାରେ ଲାଗିଲା । ବିରକ୍ତ ହୋଇ ରିସିଭରଟା ତୋଳି ଧରି ହାଇ ତୋଳୁ ତୋଳୁ କହିଲା ଦେବଦତ୍ତ–

 

ହ୍ୟାଲୋ....

 

ଆପଣ କ’ଣ ମିଷ୍ଟର ଦାସ କହୁଛନ୍ତି ?

 

ହଁ, ହଁ ମୁଁ ଦେବଦତ୍ତ ଦାସ କହୁଛି–

 

ସୁପ୍ରଭାତ...ମୁଁ ପୋଲିସ ଇନିସ୍‍ପେକ୍‍ଟର ଶ୍ରୀମୟ ମିଶ୍ର କହୁଛି....

 

ସୁପ୍ରଭାତ.....

 

କୁହନ୍ତୁ କ’ଣ କାମ ମୋ ପାଖରେ....

 

–ଆପଣଙ୍କ ସହିତ ଗୋଟିଏ ଜରୁରୀ କଥା ଅଛି । ଆସିପାରେ କି ।

 

–ଖୁବ୍ ଜରୁରୀ ନ ହେଲେ ଆପଣ ଏଗାରଟା ସମୟରେ ଅଫିସରେ...

 

–କ୍ଷମା କରିବେ ଆଜ୍ଞା ! ଅତି ଜରୁରୀ ଏବଂ ଆବଶ୍ୟକୀୟ ବିଷୟ । ବର୍ତ୍ତମାନହିଁ ମୋର ଆସିବା ଦରକାର ।

 

–ବର୍ତ୍ତମାନ ।

 

–ହଁ ବର୍ତ୍ତମାନ ।

 

–ତାହେଲେ ଆସନ୍ତୁ, ମୁଁ ଅପେକ୍ଷା କରୁଛି । କହି ରିସିଭରଟା ଖୁବ୍ ଜୋରରେ ରଖିଦେଲା ଦେବଦତ୍ତ । ସକାଳ ନ ହେଉଣୁ ପୋଲିସର ଆବଶ୍ୟକତାଟା କେଉଁଠି କିଛି ବୁଝି ନପାରି ଅସ୍ୱସ୍ତି ଅନୁଭବ କରିବାରେ ଲାଗିଲା ସେ । ଶୋଭାମିଆଁ କେତେବେଳେ ‘ବେଡ଼୍ ଟି’ ଥୋଇ ଦେଇଯାଇଛି ମନେ ମଧ୍ୟ ପଡ଼ିଲା ନାହିଁ ତା’ର । ଯେତେବେଳେ ଚା’ର କପ୍‍ଟା ଆଣି ଚୁମୁକ୍ ଦେଲା, ସେତେବେଳରୁ ଶୀତଳ ହୋଇ ବିସ୍ୱାଦ ଲାଗୁଥିଲା ତାହା । ବିରକ୍ତିରେ ବାଥ୍‍ରୁମ୍ ଭିତରକୁ ପ୍ରବେଶ କଲା ଦେବଦତ୍ତ ।

ଆଉ ଠିକ୍ ସେଇ ସମୟରେ ଟେଲିଫୋନଟା ପୁଣି ଗର୍ଜନ କରି ଉଠିଲା–କ୍ରିଂ–କ୍ରିଂ–କ୍ରିଂ-। ପୁଣି ଫେରିଆସି ରିସିଭରଟା ତୋଳି ନେଲା ସେ ।

–ହ୍ୟାଲୋ.....

–କିଏ ଦେବଦତ୍ତ.....

–ହଁ,

–ମୁଁ ମିଷ୍ଟର ମହାନ୍ତି କହୁଛି......

–ସୁପ୍ରଭାତ ମିଷ୍ଟର ମହାନ୍ତି, ଖବର କ’ଣ ?

–ଖବର କିଛି ଭଲ ନୁହେଁ । କାଲି ଗୋଟାଏ ମସ୍ତବଡ଼ ଦୁର୍ଘଟଣା ଘଟିଯାଇଛି...ବ୍ୟଥିତ ସ୍ୱରରେ କହିଲେ ମିଷ୍ଟର ମହାନ୍ତି ।

–ଦୁର୍ଘଟଣା–କ’ଣ ହେଇଛି ପରିଷ୍କାର କରି କୁହନ୍ତୁ ତ !

–ମୋର ସ୍ତ୍ରୀ ମିସେସ୍ ମହାନ୍ତି କାଲି କ୍ଳବରୁ ଫେରୁ ଫେରୁ ଆହତ ହୋଇଅଛନ୍ତି ।

ତଡ଼ିତ୍ ବେଗରେ ଯେପରି କିଏ ଗୋଟାଏ ଚାବୁକ ମାଇଲା ଦେବଦତ୍ତ ପିଠିରେ, ସେ ଅସ୍ପଷ୍ଟ ସ୍ୱରରେ କହି ପକାଇଲା–

–ଆହତ ହୋଇଛନ୍ତି.....

–ହଁ କାଲି କ୍ଳବରୁ ଫେରୁ ଫେରୁ ବହୁତ ରାତି ହୋଇଯାଇଥିଲା । ଆପଣ ତ ଜାଣନ୍ତି, ମୁଁ ଡାଏବେଟିକ୍‍ସ ରୋଗୀ । ମୁଁ ଟିକିଏ ଆଗରୁ ଚାଲି ଆସିଥିଲି । ମିସେସ୍ ମହାନ୍ତି କାର୍‍ଟା ନେଇ ଏକାକୀ ଫେରୁଥିଲେ । ଫେରିଲା ବାଟରେ ଠିକ୍ ମୋ ବଙ୍ଗଳା ସାମ୍ନାରେ ଯେଉଁ ବରଗଛଟା ଅଛି ସେଇଠି ଟର୍ଣ୍ଣ ନେବାପାଇଁ ଯେତେବେଳେ ଗାଡ଼ିର ବେଗ କମ୍ କରି ମୋଡ଼ ଭାଙ୍ଗିଲେ ମିସେସ୍ ମହାନ୍ତି, ହଠାତ୍ ଗଛର ଅନ୍ଧକାର ଭିତରୁ କିଏ ଜଣେ ଏସିଡ଼୍ ଫୋପାଡ଼ିଲା ତାଙ୍କୁ ଲକ୍ଷ୍ୟ କରି । ଭାଗ୍ୟ ଭଲ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ସେ ।

 

ଶୁଣି ବଡ଼ ଦୁଃଖିତ ହେଲି ମିଷ୍ଟର ମହାନ୍ତି, ଆପଣଙ୍କ ସ୍ତ୍ରୀଙ୍କୁ ମୋର ଶୁଭେଚ୍ଛା ଏବଂ ସମବେଦନା ଜଣାଇଦେବେ । ମୁଁ ସତରେ ଆନ୍ତରିକ ଦୁଃଖିତ । କିନ୍ତୁ ଆଶ୍ଚର୍ଯ୍ୟ ଆପଣଙ୍କ ପରି ପ୍ରତିଷ୍ଠାବାନ୍ ଲୋକର.....

 

–ସେଇତ ହେଉଛି ରହସ୍ୟ । ମୁଁ କଳ୍ପନାବି କରିପାରୁ ନାହିଁ ଏହା ହେଲା କିପରି ! ଏତେ ସାହସ ହେଲା କାହାର !

 

–ମିସେସ୍ ମହାନ୍ତି ବର୍ତ୍ତମାନ କେଉଁଠି ।

 

–ସେ ପ୍ରାଥମିକ ଚିକିତ୍ସା ପରେ ହସ୍‍ପିଟାଲରୁ ଫେରି ଆସିଅଛନ୍ତି । ଡାକ୍ତରମାନେ ରହିବାକୁ କହୁଥିଲେ କିନ୍ତୁ ରାଜି ହେଲେନି ସେ । ସେ ବଡ଼ ଜୋର ଆଘାତ ପାଇଛନ୍ତି ମନରେ ।

 

–ଆଘାତ ପାଇବା ସ୍ୱାଭାବିକ ମିଷ୍ଟର ମହାନ୍ତି ! ମୁଁ ମଧ୍ୟ ମର୍ମାହତ । ଆପଣ ପୋଲିସରେ ଏତେଲା ଗୋଟାଏ ଦେବା ନିହାତି ଦରକାର ।

 

–ମୁଁ ଦେଇଛି । କିନ୍ତୁ ପୋଲିସ କିଛି କରିପାରିବ ବୋଲି ବିଶ୍ୱାସ ନାହିଁ ମୋର ମି : ଦାସ-

 

–ଆପଣ ନିର୍ଭର କରନ୍ତୁ । ମୁଁ ଏସ୍. ପିଙ୍କୁ କହିବି । ସେ ମୋର ବନ୍ଧୁ ।

 

–ତାହେଲେ ଭଲ । ଅପରାଧୀକୁ ଦଣ୍ଡ ଦେବା ବାଞ୍ଛନୀୟ ।

 

କଥା ଶେଷ ହେଲା । ଦେବଦତ୍ତର ମନଟା ବିଷାଦ ଏବଂ ବିରକ୍ତରେ ବିସ୍ୱାଦ ହୋଇ ଉଠିଲା । ସେ ଟେଲିଫୋନ୍‍ର ପ୍ଳଗ୍‍ଟା କାଢ଼ି ଦେଇ ବାଥ୍‍ରୁମ୍ ଭିତରକୁ ଗଲା ନିରୁଦ୍‍ବିଗ୍ନ ଭାବରେ କେତେଟା କଥା ଭାବି ନେବାପାଇଁ ।

 

ଅସୀମାଙ୍କ କଥା ଭାବି ମନରେ କଷ୍ଟ ପାଇଲା ବିଚାରୀ । ଅଫୁରନ୍ତ ଯୌବନର ଫୁଟନ୍ତ ପଟୁଆର ନେଇ ଚାଲିଥିଲେ ସେ । ପ୍ରାଣ ପ୍ରାଚୁର୍ଯ୍ୟର ପରାକାଷ୍ଠା ପ୍ରକାଶ ପାଉଥିଲା ତାଙ୍କର ଚାଲିରେ, ଚାହାଣୀରେ ଏବଂ ପ୍ରତ୍ୟେକ ଅବୟବର ସଂଚାଳନରେ । ମନେପଡ଼ିଲା ଦେବଦତ୍ତର ଗତରାତ୍ରିର ପ୍ରତ୍ୟେକଟି ଉତ୍ତାପମୟ ମୁହୂର୍ତ୍ତ । ମିଲିକୁ ବିଶ୍ରାମ ଦେଇ ହାତ ବଢ଼ାଇଥିଲା ଅସୀମାଙ୍କର ଆମନ୍ତ୍ରଣ ରକ୍ଷା କରିବା ପାଇଁ । ନାଚୁ ନାଚୁ ନାଚର ନିଶାରେ ନିଜକୁ ହରାଇ ଦେଇଥିଲା ସେ । ନାଚର ପ୍ରତିଟି ମୂହୁର୍ତ୍ତକୁ ମୂର୍ତ୍ତ କରି ତା’ର ସ୍ପର୍ଶ କାତର ମନକୁ ଉତ୍ତାଳକରି ତୋଳିଥିଲେ । ଆଉ ସେଇ ଉତ୍ତାଳ ଉତ୍ତେଜନାର ବନ୍ୟାଭିତରେ ମିଲିର ଉପସ୍ଥିତି ପ୍ରାୟ ଭୁଲି ଯାଇଥିଲା ସେ । ନାଚୁ ନାଚୁ ସଂଲଗ୍ନ ନିଭୃତ ପ୍ରକୋଷ୍ଠ ଭିତରକୁ ପ୍ରାୟ ଜୋରକରି ଟାଣି ନେଇଥିଲେ ତାକୁ । ସେ ନିଶାରେ ଜ୍ଞାନଶୂନ୍ୟ ହୋଇ ଯେଉଁ ଆଡ଼େ, ଯେପରି ଆକର୍ଷଣ କରିଥିଲେ ଅସୀମା, ସେଇଆଡ଼େ ଚାଲି ଯାଇଥିଲା । ସେଇ ନିଭୃତ ପ୍ରକୋଷ୍ଠରେ ଅଳ୍ପ କେଇଟା ମୁହୂର୍ତ୍ତରେ ତାଙ୍କର ନଗ୍ନ ଆତ୍ମପ୍ରକାଶ ଦେଖି ଭୟ ଏବଂ ସଙ୍କୋଚରେ ଶୀତଳ ହୋଇଯାଇଥିଲା ତା’ର ଦେହ ମନ କିନ୍ତୁ ତଥାପି କ’ଣ ସେ ମୁକ୍ତି ପାଇଥିଲା । ତା’ର ଦେହ ଉପରେ ଆଲୁଳାୟିତ ଅସୀମାଙ୍କର ନିବୀଡ଼ ଆଲିଙ୍ଗନକୁ ପ୍ରାୟ ସଜୋରେ ଗୋଟିଏ କଡ଼କୁ ଠେଲି ଦେଇ ବାହାରକୁ ଆସି ସ୍ୱସ୍ତିର ନିଶ୍ୱାସ ମାରିଥିଲା ଦେବଦତ୍ତ । ଅସୀମାଙ୍କୁ ସଂଯତ ହୋଇ ସମାବେଶ ଭିତରକୁ ଫେରିଆସିବା ପାଇଁ ପ୍ରାୟ ଅଧଘଣ୍ଟାଏ ଲାଗିଥିଲା । ଫେରିଆସିଲାବେଳେ ତାଙ୍କର ମୁହଁକୁ ଚାହିଁ ଆଶ୍ଚର୍ଯ୍ୟ ହୋଇଥିଲା ସେ । ପ୍ରାୟ ଘଣ୍ଟାକ ପୂର୍ବର ମୁହଁ ସହିତ ଏ ମୁହଁର ତୁଳନା କରାଯାଇପାରେନା । ସେତେବେଳର ସର୍ବଗ୍ରାସୀ ଲାଳସା ଲାଗି ରହି ନଥିଲା, ତାଙ୍କର ନିଟୋଳ ମୁଖମଣ୍ଡଳରେ । ତା’ ସ୍ଥାନରେ ଥିଲା ବିଜୟିନୀର ବଡ଼ିମା, ତୃପ୍ତିର ତୁଷାର ତରଳା ହସ ଚେନାଏ ।

 

ସେତେବେଳେ କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ମିଲିକୁ ପାଇପାରି ନଥିଲା ଦେବଦତ୍ତ । କେତେବେଳେ କେଉଁଆଡ଼େ ସେ କ୍ଳବ ଛାଡ଼ି ଚାଲିଯାଇଥିଲା କେହି କହିପାରିଲେ ନାହିଁ । ମିଷ୍ଟର ସେନ୍ ମଧ୍ୟ ନଥିଲେ । ହୁଏତ କନ୍ୟାର ଅନୁଗମନ କରିଥିବେ । ମନଟା ବିସ୍ୱାଦରେ ଭରିଗଲା ତା’ର-। ଛି ! କାହା ଗହଣରୁ ଯାଇ କାହା ଗହଣରେ ପଡ଼ିଲା ସେ ! ଅସୀମାଙ୍କର ସୌଖ୍ୟ କାମ୍ୟ, କିନ୍ତୁ ସଙ୍ଗ ସ୍ପୃହଣୀୟ ନୁହେଁ । ଯେତେହେଲେ ମିଷ୍ଟର ମହାନ୍ତି ତା’ର ବନ୍ଧୁ । ଦୁହେଁ ବହୁଦିନର ପରିଚିତ । ବହୁଦିନ ଧରି ଯାହା ଏଡ଼ାଇ ଆସିବାପାଇଁ ଚେଷ୍ଟା କରିଥିଲା, ଆଜି ଯେପରି ତାହା ତା’ ଆଗରେ ଏକ ନିରାଟ ସତ୍ୟ, ବାସ୍ତବ ବୋଲି ମନେହେଲା ତା’ର ।

 

ଭାବାନ୍ତର ହେଲା ଦେବଦତ୍ତର । ମିଲି କେତେବେଳେ କାହା ଗହଣରେ ଫେରିଗଲା ଜାଣି ମଧ୍ୟ ଜାଣିପାରିଲା ନାହିଁ ସେ । ଆଗମନ ତା’ର ଯେପରି ଅତର୍କିତ, ପ୍ରତ୍ୟାଗମନ ସେହିପରି ଅପ୍ରତ୍ୟାଶିତ । ସେ ନିଜକୁ ଦୋଷୀ ମନେକଲା । ମିଲି ପାଖରେ ପ୍ରସଙ୍ଗଟାର ପୁଙ୍ଖାନୁପୁଙ୍ଖ ପ୍ରକାଶ କରିବା ପାଇଁ ଅବସରର ପ୍ରତୀକ୍ଷା କଲା ।

 

ବାହାରେ ମୋଟର ସାଇକେଲ ଆସିବାର ଗୁଞ୍ଜନ ଶୁଣାଗଲା । ପ୍ରାତଃକୃତ୍ୟ ଶେଷ ହୋଇ ଆସିଥିଲା ତା’ର । ପ୍ରାୟ ଆଉ ପାଞ୍ଚ ମିନିଟ୍ ମଧ୍ୟରେ ପରିଷ୍କାର ପରିଚ୍ଛନ୍ନ ଦେବଦତ୍ତ ଗତରାତ୍ରିର ଅଧିକ ଉତ୍ତେଜନା ବଶତଃ ସମସ୍ତ ଅବସାଦ ପରିତ୍ୟାଗ କରି ଡ୍ରଇଂ ରୁମ୍‍ରେ ବସିଲା ଯାଇ-। ଇନ୍‍ସପେକ୍‍ଟର ଶ୍ରୀମୟ ମିଶ୍ର ତା’ର ଉପସ୍ଥିତି ଅପେକ୍ଷାରେ ଥିଲେ ।

 

ଶୋଭାନ୍ ମିଆଁ ଗରମ କଫି ଏବଂ ବିସ୍କୁଟ୍ ଦେଇଗଲା । ଶ୍ରୀମୟ ପାଖକୁ କଫି କପ୍‍ଟା ଆଗେଇ ଦେଉଁ ଦେଉଁ କହିଲା ଦେବଦତ୍ତ–

 

–ଏତେବେଳେ ଆରମ୍ଭ କରନ୍ତୁ ଆପଣଙ୍କ ଜେରା ।

 

ଜେରା ନୁହେଁ ସାର୍, କେତେଟା ଆବଶ୍ୟକୀୟ ସମ୍ୱାଦ ଆପଣଙ୍କ ପାଖରୁ ପାଇପାରିଲେ ଆନନ୍ଦିତ ହେବି–ଭୂମିକା କରି କହିଲା, ଶ୍ରୀମୟ ।

 

–ପଚାରନ୍ତୁ ।

 

–ଗତରାତି ଆପଣ ବନାନୀ କ୍ଳବକୁ ଯାଇଥିଲେ ।

 

–ହଁ ।

 

–ମିଷ୍ଟର ଏବଂ ମିସେସ୍ ମହାନ୍ତିଙ୍କ ସହିତ ଆପଣଙ୍କର ଆଳାପ ହୋଇଥିଲା ସେଠାରେ-

 

–ନିଶ୍ଚୟ ଏବଂ ନିଃସନ୍ଦେହରେ ।

 

–ଆପଣ କେତେବେଳେ ଫେରିଲେ ।

 

–ପ୍ରାୟ ଦୁଇଟା ତିରିଶ ମିନିଟ୍ । ତେବେ ମୋ ସାଙ୍ଗରେ ମିସେସ୍ ମହାନ୍ତି ପାର୍କରୋଡ଼ର ମୋଡ଼ ପର୍ଯ୍ୟନ୍ତ ଆସିଥିଲେ । ମୁଁ କ୍ଳବ ଛାଡ଼ିଲା ପରେ ମିଷ୍ଟର ଦୀକ୍ଷିତ କ୍ଳବ ଛାଡ଼ିଲେ ବୋଧହୁଏ ।

 

–ତାହେଲେ ମିଷ୍ଟର ମହାନ୍ତି ଆପଣମାନଙ୍କ ସହ ଫେରିଲାବେଳେ ନଥିଲେ ।

 

–ନା, ସେ ଡାଏବେଟିସ୍ ରୋଗୀ । ରାତି ଅଧିକ ହୋଇଯାଉଛି ବୋଲି ସେ ପ୍ରାୟ ଗୋଟେ ଦେଢ଼ଟା ମଧ୍ୟରେ ଚାଲିଯାଇଥିଲେ ସମସ୍ତଙ୍କ ପାଖରୁ ବିଦାୟ ନେଇ ।

 

–ମିସେସ୍ ମହାନ୍ତିଙ୍କ ଦୁର୍ଘଟଣା ନେଇ ଆପଣ କାହାକୁ ସନ୍ଦେହ କରନ୍ତି !

 

–ଦେଖନ୍ତୁ ! ଏ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷରେ ସମ୍ଭବ ନୁହେଁ । ସେଠାରେ ଯେତେ ଭଦ୍ରବ୍ୟକ୍ତି, ଭଦ୍ରମହିଳା ଥିଲେ, ସମସ୍ତେ ସମ୍ଭ୍ରାନ୍ତ ଏବଂ ଆଭିଜାତ ଶ୍ରେଣୀର; ସମସ୍ତଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ସୂକ୍ଷ୍ମ ଯୋଗସୂତ୍ରର ବନ୍ଧନହିଁ ଏଇ ବନାନୀ କ୍ଳବ ।

 

–ଧନ୍ୟବାଦ ! କ୍ଷମା କରିବେ ସାର୍ ! ଆପଣଙ୍କୁ ସକାଳଟାରେ ବିରକ୍ତ କଲି ।

 

–ନା, ନା, ସେ କିଛି ନୁହେଁ । ମୁଁ ଖୁସିହେବି ଯଦି ଆପଣ ଅପରାଧୀକୁ ଆଲୋକ ଭିତରକୁ ଆଣିପାରିବେ ।

 

–ଦେଖାଯାଉ, କ’ଣ ହେଉଛି ।

 

ନମସ୍କାର କରି ବିଦାୟ ନେଲେ ଶ୍ରୀମୟ ମିଶ୍ର । ସିଧାଯାଇ ବ୍ରେକଫାଷ୍ଟ ଖାଇବା ପାଇଁ ବସିଲା ଦେବଦତ୍ତ । ପ୍ରାତଃଭୋଜନ ପ୍ରସ୍ତୁତଃ ହୋଇସାରିଥିଲା । ଦୁଇ ଟୁକୁରା ଟୋଷ୍ଟ ସହିତ କିଛି ମାର୍ମଲେଡ଼ ଏବଂ ଟୁକୁରାଏ ଆମ୍‍ଲେଟ୍ ଖାଇ ପ୍ରାତଃଭୋଜନ ସମାପ୍ତ କଲା ଦେବଦତ୍ତ । ଆଉ କପେ କଫି ପିଇ ବାହାରି ପଡ଼ିଲା ଅଫିସ । ଯିବା ବାଟରେ ମିସେସ୍ ମହାନ୍ତିଙ୍କୁ ଦେଖିଯିବ । ଜଣାଇଦେଇ ଯିବ ସହାନୁଭୂତି ଓ ସମବେଦନା ।

 

ଟିପୁ ଆସି ଲାଞ୍ଜ ହଲାଇଲା ତା’ ଆଗରେ । ତା’ ମଥା ଉପରେ ଥରେ ଆଉଁସି ଦେଲା ଦେବଦତ୍ତ । ତା’ପରେ ସ୍କୁଟର ଉପରେ ବସି ଷ୍ଟାର୍ଟ ଦେଲା । ଗେଟ୍ ଖୋଲି ସନ୍ତର୍ପଣରେ ଛିଡ଼ା ହେଲା ଜମାଦାର । ସଡ଼କ ମଝିରେ ସ୍କୁଟରେ ଉପରେ ତା’ର ସକାଳର ସଜରୂପ ଦେଖି ଆଖି ଫେରାଇ ଅନାଇ ରହିଲେ ଅନେକ । ପଛରୁ ଜଣେ ମନ୍ତବ୍ୟ କଲା–ଦେଖିଲା ଭଳିଆ ଚେହେରା–ଶତ୍ରୁ ମଧ୍ୟ ଆଖି ଫେରାଇ ଦଣ୍ଡେ ଚାହିଁବ ।

 

ଦେବଦତ୍ତର ସ୍କୁଟର ଯାଇ ଛିଡ଼ା ହେଲା ହିଲ୍‍ଟପ୍‍ର ତିନି ନମ୍ୱର ବଙ୍ଗଳା ସାମ୍ନାରେ । ଫୁଟନ୍ତ ସୂର୍ଯ୍ୟମୁଖୀ, ଜିନିଆ, କ୍ରନ୍ଥୋସିଅସ୍ ମଥାହଲାଇ ସମ୍ୱର୍ଦ୍ଧନା କଲେ ଦେବଦତ୍ତକୁ । ମିଷ୍ଟର ମହାନ୍ତି ଆସି ଅଭ୍ୟର୍ଥନା କରି ପାଛୋଟି ନେଲେ ତାକୁ । ଭିତରେ ଗୋଟାଏ ଶୋଇବା ଘରେ ଶୋଇଛନ୍ତି ଅସୀମା । ହାତରେ ବ୍ୟାଣ୍ଡେଜ୍, ବେକରେ ବ୍ୟାଣ୍ଡେଜ୍ । ପାଖରେ ନର୍ସ ଜଗି ରହିଛି । ଆଖି ବୁଜିଛନ୍ତି ସେ । ସେହି ସୁପ୍ତ ଆଖିପତା, ସ୍ନୋ, ପାଉଡ଼ର ମୁକ୍ତ ମୁଖ ଏବଂ ରଙ୍ଗହୀନ ମୁଦ୍ରିତ ଅଧର ଦେଖି ଅସୀମାଙ୍କର ଆଉ ଗୋଟିଏ ଭିନ୍ନ ରୂପ ଦେଖି ଆନନ୍ଦ ପାଇଲା ସେ । ଅସୀମା ପ୍ରକୃତରେ ସୁନ୍ଦରୀ ଓ ଲାବଣ୍ୟମୟୀ । କୃତ୍ରିମ ନ ହେଲେ ସେ ଯେପରି ଅଧିକ ଆକର୍ଷଣୀୟ, ଅଧିକ ରୁଚିକର, ଏୟା ମନେହେଲା ଦେବଦତ୍ତର । ପାଖରେ ଯାଇ ଛିଡ଼ା ହେଲେ ସେ । ମିଷ୍ଟର ମହାନ୍ତିଙ୍କୁ କିଛି କହିବାକୁ ପଡ଼ିଲାନି । କିଏ ଆସିଛି, ବିନାନିମନ୍ତ୍ରଣରେ କାହାର ଶୁଭାଗମନ ହୋଇଛି, ମନେ ମନେ ଆଖି ନ ଖୋଲି ମଧ୍ୟ ଅନୁଭବ କଲେ ଅସୀମା । ଅଧର ଦୁଇଟା କମ୍ପି ଉଠିଲା ଟିକିଏ । ଆଖିପତା ଦୁଇଟା ହଲିଲା ଟିକିଏ । ତା’ପରେ ଅଧା ଚାହାଣୀ, ଅଧାମେଲା ଅଧର ଭିତରୁ କେବଳ ଗୋଟିଏ ପଦ ବାହାରି ଆସିଲା–

 

–ଦେବଦତ୍ତ....

 

–ହଁ, ମୁଁ ବଡ଼ ଦୁଃଖିତ ମିସେସ୍ ମହାନ୍ତି । କିମିତି ଲାଗୁଛି ବର୍ତ୍ତମାନ ।

 

ପୁଣି ଟିକିଏ କମ୍ପିଲା ଅଧର ତାଙ୍କର । କ’ଣ ଯେପରି ଚାପି ରଖିବା ପାଇଁ ଚେଷ୍ଟା କରୁଅଛନ୍ତି ସେ ।

 

କହିପାରିଲେ ନାହିଁ । ଥରିଲା ଓଠ, ମୁଦିଲା ଆଖି କୋଣ ଟିକିଏ ଥରିଉଠିଲା । ମନେହେଲା ଯେପରି ସେ କିଛି କହିବାପାଇଁ ଚାହାନ୍ତି କିନ୍ତୁ ଭାବାବେଗବଶତଃ କହିପାରୁନାହାନ୍ତି । ପାଖକୁ ଆସି ବସିଲା ଦେବଦତ୍ତ । ତା’ର ସାନିଧ୍ୟରେ ସାନ୍ତ୍ୱନା ପାଇଲେ ଅସୀମା । ସ୍ୱାମୀ ମଥା ପାଖରେ ଛିଡ଼ା ହୋଇଅଛନ୍ତି । ଔଷଧ ଶିଶି ଗୋଟେ ହାତରେ ଏପାଖ ସେପାଖ କରୁ କରୁ କହିଲେ ଅବିନାଶ,–ବୁଝିଲ ଦେବଦତ୍ତ ଅସୀମାଙ୍କର ସହ୍ୟ ଶକ୍ତି ଅସୀମ । ଏତେ ବଡ଼ ଆଘାତ ପାଇ ମୁଁ ବୋଧେ ସହ୍ୟ କରିପାରି ନଥାନ୍ତି, କିନ୍ତୁ ସେ ସହ୍ୟ କରି ନେଇଛନ୍ତି । ବର୍ତ୍ତମାନ କେବଳ ଭଗବାନଙ୍କ ପାଖରେ ଆମର ଏକାନ୍ତ ପ୍ରାର୍ଥନା ସେ ଭଲ ହୋଇଯାଆନ୍ତୁ ।

 

କହି ସାରି ଅବିନାଶ ଚାହିଁଲେ ସ୍ତ୍ରୀର ମୁହଁ ଉପରକୁ । କିନ୍ତୁ ତଥାପି ଚାହିଁଲା ନ ଚାହିଁଲା ଅବସ୍ଥାରେ ପଡ଼ି ରହିଲେ ସେ । ଆଖି ଖୋଲି ସମସ୍ତଙ୍କୁ ଦେଖିନେବା ପାଇଁ ଇଚ୍ଛା ହେଲା ନାହିଁ ତାଙ୍କର । କ’ଣ ଗୋଟେ ଆଣିବାପାଇଁ କକ୍ଷ ତ୍ୟାଗ କଲେ ଅବିନାଶ । ଅସୀମା ବୁଝିପାରିଲେ । ନର୍ସ ଆସି ମହଁ ପାଖରେ ଔଷଧ ଗ୍ଳାସଟା ଟେକି ଧରିଲା । କିନ୍ତୁ ମୁହଁ ଖୋଲିଲେ ନାହିଁ ସେ । ଔଷଧ ଖାଇବାରେ ଆଗ୍ରହ ନାହିଁ ତାଙ୍କର । ଯେଉଁଠାରେ ଆଗ୍ରହ ନାହିଁ, ସେଠାରେ ଉତ୍ତାପ ନାହିଁ । କ୍ଳାନ୍ତି ଅନୁଭବ କଲେ ଅସୀମା ।

 

ଦେବଦତ୍ତ ତାଙ୍କ ପାପୁଲି ଉପରେ ଟିକିଏ ସ୍ପର୍ଶ ଦେଇ କହିଲା–ଖାଇଦିଅ ଔଷଧ ଟିକିକ-। ବି ଏ ଗୁଡ଼୍ ଗାର୍ଲ । Be a good Girl.

 

ସାମାନ୍ୟ ଚାହିଁଲେ ଅସୀମା । ଅଧା ଚାହିଁବା, ଅଧା ନ ଚାହିଁବା, ଭିତରେ ମେଘ ଓ ଖରାର ଲୁଚକାଳି । ଉତ୍ତାପ ଓ ଶୀତଳତାର ଆନନ୍ଦ । ଶୀତଳତାରେ ସ୍ୱାଦ ନଥାଏ । ଶୀତଳତାରେ ଉତ୍ତେଜନା ନଥାଏ । ନିରୁତ୍ତାପ, ନିରୁଦ୍ବେଗ ଜୀବନରେ ଆଶା, ଆନନ୍ଦର ସ୍ଥାନ ହୋଇପାରେନା । ସେ ଚାହିଁଲେ । ତାଙ୍କର ଭୀରୁ ଚାହାଣୀ ଭିତରେ ନୀରବତାର ମୁଖରୀତ କବିତା । ଟିକିଏ ରୋମାଞ୍ଚିତ ହେଲେ ସେ । ଚିକିଏ ପୁଲକ ପାଇଲେ ତନୁରେ ଓ ମନରେ ଦେବଦତ୍ତର ଗୋଟିଏ ଅଙ୍ଗୁଳି ଉପରେ କୃତଜ୍ଞତାର ପରଶ ଦେଇ ଚାହିଁଲେ ସେ । ଦୁଇ ଆଖି କୋଣରେ ପ୍ରଭାତର ଶିଶିର ବିନ୍ଦୁ ପରି ଦୁଇଟି ମୁକ୍ତା ବିନ୍ଦୁ ଢଳ ଢଳ ହେଉଥିଲେ । ବେଦନା ଏବଂ ଆବେଗର ସେଇ ଦୁଇ ବିନ୍ଦୁ ଲୁହ ଭିତରେ ହୃଦୟରେ ଆଲୋଡ଼ନ ଅନୁଭବ କଲା ଦେବଦତ୍ତ । ନର୍ସ ହାତରୁ ଔଷଧ ଶିଶିଟା ନେଇ ତାଙ୍କର ମୁହଁ ଭିତରେ ଢାଳି ଦେଉଁ ଦେଉଁ ଲକ୍ଷ୍ୟ କଲା ସେ ଧଳାଫୁଲ ପରି ତାଙ୍କର ସୁସମଞ୍ଜସ ଦାନ୍ତଗୁଡ଼ିକ । ଗ୍ଳାସଟାକୁ ଓଠ ଉପରେ ନୁଆଇଁ ଆଣୁ ଆଣୁ ତା’ର କାଣି ଆଙ୍ଗୁଠିର ଶେଷାଗ୍ର ସ୍ପର୍ଶ କଲା ଅସୀମାର ଓଷ୍ଠାଧର । ଚାହାଣୀର ଗୋଟାଏ ଝିଲିକିରେ କୃତାଞ୍ଜଳି ଜଣାଇଲେ ସେ । ଅବିନାଶ କୋଠରୀ ଭିତରକୁ ପଶି ଆସୁ ଆସୁ ପୁଣି ଫେରି ଗଲେ ଆଉ ଗୋଟେ କ’ଣ ଆଣିବାପାଇଁ । ନର୍ସ ଆସି ଗ୍ଳାସଟା ଦେବଦତ୍ତ ହାତରୁ ନେଇଗଲା ।

 

ମୁଁ ତାହେଲେ ଯାଉଛି । ପରେ ପୁଣି ଆସିବି । କିଛି ମନେକରିବନି ।

 

–ତୁମେ ଆସିବ, ନିଶ୍ଚୟ ଆସିବ ।

 

–ହଁ, ନିଶ୍ଚୟ । ବର୍ତ୍ତମାନ ଟିକିଏ ଶୋଇପଡ଼, କଷ୍ଟ ହେଉଥିବ ।

 

ସେ ଉଠି ଛିଡ଼ା ହେଲା । ଅସୀମା ତା’ ଆଡ଼କୁ ଅପଲକ ନେତ୍ରରେ ଏକ କରୁଣ ଆବେଦନ ନେଇଁ ଚାହିଁ ରହିଲେ । ଅବିନାଶଙ୍କୁ ଚେତାଇ ଦେଇ ଡାକିଲା ଦେବଦତ୍ତ–

 

–ମୁଁ ଚାଲିଲି ମିଷ୍ଟର ମହାନ୍ତି !

 

–“ଗୋଟାଏ ମିନିଟ୍ ଏଇ ଆସୁଛି”,, କହି କହି ପୁଣି ପ୍ରବେଶ କଲେ ମିଷ୍ଟର ମହାନ୍ତି । ପଛେ ପଛେ ଚାକର, ହାତରେ ଟ୍ରେ । ଚା’ ଆଣୁଛି ।

 

–ଆଃ ! ଆପଣ ବଡ଼ ଫର୍ମାଲ ହୋଇ ପଡ଼ୁଛନ୍ତି ମିଷ୍ଟର ମହାନ୍ତି ! ଚା’ଟା ପରେ ପିଇଥିଲେବି ଚଳିଥାନ୍ତା ।

 

–ନା’ ନା’ ପରେ କାହିଁକି । ଚା’ଟା ପିଇ ନିଅନ୍ତୁ, ଦେଖିବେ ଦେହ ମନରେ ଟିକେ ଫୂର୍ତ୍ତି ଆସିବ । ଟିକିଏ ଉତ୍ତେଜନା ଜାଗିବ ।

 

କହୁଁ କହୁଁ ଟିକିଏ ହସିଲେ ଅବିନାଶ । ହସରେ ଯୋଗ ଦେଲା ଦେବଦତ୍ତ । ଅସୀମା କିନ୍ତୁ ହସିଲେନି । ମୁହଁ ବୁଜି ଆଖି ବନ୍ଦ କରି ଶୋଇ ରହିଲେ । ଆଖି କୋଣରେ, ମୁଦ୍ରିତ ମୁହଁର ଝଲକରେ କ୍ଷଣକ ପୂର୍ବର ଆବେଶ ବଦଳରେ ନିସ୍ପୃହତା ଫୁଟି ଉଠୁଥିଲା ।

 

ଚାରି

 

ସେଦିନ ଆଉ ଅବିନାଶଙ୍କ ଘରକୁ ଯାଇ ପୁଣିଥରେ ଅସୀମାଙ୍କୁ ଦେଖି ଆସିପାରିଲା ନାହିଁ ଦେବଦତ୍ତ । କେବଳ ସେ ଦିନ ନୁହେଁ, ଲାଗି ଲାଗି ଛଅଦିନ ସେ ଏଭଳି କାର୍ଯ୍ୟ ବ୍ୟସ୍ତ ରହିଲା ଯେ ତାକୁ ଭଲଭାବରେ ବସି ଖାଇବା ପିଇବାପାଇଁ ମଧ୍ୟ ସମୟ ମିଳିଲା ନାହିଁ । କାମର ଚାପରେ, କର୍ମସୂଚୀର ଭିଡ଼ରେ ସେ ଏକାବେଳକେ ଭୁଲିଗଲା ତା’ର ବ୍ୟକ୍ତିଗତ ସ୍ଥିତି ସମ୍ବନ୍ଧରେ । ଆଜିକାଲି କେବଳ କାମ, କାମ, କାମ । ଦେଶରେ ଆରାମ ହାରାମ ହୈଡ଼ୁହା ଦିଆଯାଉଛି । ବସିବାପାଇଁ ସମୟ ନାହିଁ । କେବଳ ଚାଲ, ଆଗକୁ ମାଡ଼ି ଚାଲ । ବାଧା ବନ୍ଧନ ଛିନ୍ନ କରି, ଅସୁବିଧା ଅଭାବକୁ ପାଦରେ ଦଳି ଯଦି ଆଗକୁ ନ ଚାଲିପାରିବ, ପଡ଼ି ରହିବ ପଛରେ । ଦେଶବ୍ୟାପୀ, ବିଶ୍ୱଭରି କେବଳ ଏଇ ଗୋଟିଏ ଇଙ୍ଗିତ । ଆଗକୁ ମାଡ଼ି ଚାଲ । ଯେ ଯାଇପାରିବ ନାହିଁ, ସେ ସ୍ଥବିର, ପଙ୍ଗୁ ଏବଂ ଅଥର୍ବ ନ ହୋଇ ପଡ଼ିରହୁ । ତା’ ପାଇଁ କାହାରି ହୃଦୟରେ ଅନୁକମ୍ପା ଜାଗ୍ରତ ହେବ ନାହିଁ, କାହାରି ଅନ୍ତର ଅନୁରାଗରେ ଅନୁରଞ୍ଜିତ ହେବନାହିଁ । ତା’ର ବେଦନା କେବଳ ତା’ରି ଏକାର, ସମୂହର ନୁହେଁ, କାଳର ନୁହେଁ ବା ବିଶ୍ୱର ନୁହେଁ । ଚାଲିପାରିଲେ, ଆଗକୁ ଯାଇପାରିଲେ, ବାହାବା ସବୁ ତୁମର, କରତାଳି ସବୁ ନିଜର । ତେଣୁ ପଦପ୍ରାସ ଭୁଲି, ବେଗ ସହିତ ତାଳ ରଖି ଆଗକୁ ଯିବାପାଇଁ ହେବ । ବେଗହିଁ ଏ ଶତାବ୍ଦୀର ଉନ୍ନତିର ଲକ୍ଷଣ । ଜେଟ୍‍ରେ ବିହାର କର, ରକେଟରେ ଯାଇ ଚନ୍ଦ୍ରମଣ୍ଡଳ ପରିଦର୍ଶନ କରିଆସ, ଏହାହିଁ ଏ ଯୁଗର ଆହ୍ୱାନ ।

 

ସେ ଆହ୍ୱାନ ଏଡ଼ିଦେଇ ଦେବଦତ୍ତ ଯାଇପାରି ନାହିଁ । ସେ ଏଡ଼ି ଦେଇପାରିବ ନାହିଁ, ସମ୍ଭବ ନୁହେଁ । ସେଇ ଆହ୍ୱାନ ଯେଉଁମାନେ ଗ୍ରହଣ କରି ଶୀତ, ବର୍ଷା, ଗ୍ରୀଷ୍ମ, ଶରତ୍ ସବୁଦିନ ସବୁ ସମୟରେ ରେଲବାଇର ଚକ ଗଡ଼ାଇ ଚାଲିଛନ୍ତି ଆଗକୁ ସେମାନଙ୍କ ମଧ୍ୟରେ ସେ ଜଣେ । ସେଇ ଅଗଣିତ ପ୍ରଗତିକାମୀ ପୁରୁଷମାନଙ୍କ ମଧ୍ୟରେ ସେ ଏକା ସେ ଚକହିଁ ଏ ଦେଶର ପ୍ରଗତିର ଚକ, ରେଳଗାଡ଼ିର ବେଗହିଁ ଆମ ପ୍ରଗତିର ଲକ୍ଷଣ । ସେଇ ଚକର ଅଖଣ୍ଡ ଯାତ୍ରାର ଦାୟିତ୍ୱ ଦେବଦତ୍ତ ଉପରେ । ରେଳପଥ ସୁରକ୍ଷିତ, ଯୁଗମ୍ୟ କରି ନିରାପତ୍ତା ଆଣିବା ହେଉଛି ତା’ର କର୍ତ୍ତବ୍ୟ । ସେ କର୍ତ୍ତବ୍ୟ ସମ୍ପାଦନ କରିବାରେ ଅବହେଳାକୁ ଅସ୍ପୃହଣୀୟ ଏବଂ ଅନ୍ତର୍ଘାତୀ ମନେକରେ । ତେଣୁ ଯେତେବେଳେ ପୋଲ ଉପରେ ରେଳ ଦୁର୍ଘଟଣାର ସମ୍ବାଦ ପାଇଲା ଦେବଦତ୍ତ, କାଳବିଳମ୍ବ ନ କରି ସମସ୍ତ ଶକ୍ତି ପ୍ରୟୋଗ କରି ରେଳପଥ ଓ ପୋଲର ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଲା ଏବଂ କହିବା ବାହୁଲ୍ୟ ଛଅଦିନ ମଧ୍ୟରେ ସମ୍ପୂର୍ଣ୍ଣ ସଫଳ କାମ ହେଲା ସେ । ତା’ର କର୍ମ ପ୍ରେରଣା, ନେତୃତ୍ୱ, କର୍ତ୍ତବ୍ୟନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ସହକର୍ମୀ ଏବଂ ନିମ୍ନ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଏବଂ ଉନ୍ମାଦନା ଆଣି ଦେଇଥିଲା । କାମ ଚାରି ପାଖରେ ଘୂରିବୁଲୁଥିବା ସେଇ ଉଦ୍‍ଭ୍ରାନ୍ତ ପରି ପ୍ରତିମୂର୍ତ୍ତିକୁ ସେତେବେଳେ ଯେ ଦେଖିଛି ସ୍ନେହ ଏବଂ ଶ୍ରଦ୍ଧା ଜଣାଇ କହିଛି–କାମ ପାଗଳ ସାହେବ । ଲୋକମୁଖର କଥାଟା କାନରେ ଶୁଣି ଭଲଲାଗିଲା ତାକୁ । କାମ ପାଗଳ । କାମ ପାଗଳ ନ ହେଲେ କ’ଣ ସାର୍ଥକତା ଆସେ ? ଆଉ ସାର୍ଥକତା ସଙ୍ଗେ ସଙ୍ଗେ ଆସେ ଶ୍ରଦ୍ଧା, ସମ୍ମାନ ଏବଂ ସମ୍ପଦ ।

 

ଛଅଦିନ ପରେ କର୍ମକ୍ଳାନ୍ତ ଶରୀରକୁ ସାମାନ୍ୟ ଅବସର ଦେବାପାଇଁ ଯେତେବେଳେ ଲନ୍‍ରେ ଗୋଟାଏ ଆରାମ ଚୌକିରେ ବସି ସାମ୍ନାରେ ଥିବା ଛୋଟ ଟୋବୁଲଟା ଉପରେ ନିଜର ପାଦ ଲମ୍ବାଇ ଅଧା ମୁଦା ସ୍ୱପ୍ନିଳ ଆଖିରେ ଚାହିଁଲା ସେ ଆଗକୁ ଜିନିଆ, ଡାଲିଆ, ହଲିହକ୍‍ସ ଓ ଲେଡ଼ିଜ୍ ଲେଗ୍ ପ୍ରଭୃତି ସେମାନଙ୍କର ଫୁଟନ୍ତ ଶୋଭା ସମ୍ଭାର ଏବଂ ରଙ୍ଗମହୋତ୍ସବର ଦୀପାବଳୀ ଜାଳି ତାକୁ ଶୁଭେଚ୍ଛା ଜଣାଉଥିଲେ ।

 

ଶୀତଦିନର ବଗିଚା । ଋତୁର ନାନାଦି ପୁଷ୍ପସମ୍ଭାରଦ୍ୱାରା ଶୋଭିତ । ଚାରିଆଡ଼େ ରଙ୍ଗ ଏବଂ ରୂପର ଚହଟ ଚିକ୍‍କଣ ରୂପ । ଫୁଲର ସେଇ ପୁଷ୍ପିତ ନିବେଦନ ତା’ର ଦେହ ଏବଂ ମନକୁ ଅନେକାଂଶରେ ଲଘୁ ଏବଂ ଚଞ୍ଜଳ କଲା ।

 

ଆଖି ପ୍ରାୟ ବୁଜି ଆସିଥିଲା ତା’ର । ଟିକିଏ ଖରା, ଟିକିଏ ଛାଇ ପରି, ଟିକିଏ ଚେତନା, ଟିକିଏ ନିଦ ଭିତରେ ବେଶ୍ ଆରାମ ବୋଧ କରୁଥିଲା ସେ । ଶୋଇପଡ଼ୁଥିବା ଦେବଦତ୍ତର ଅଙ୍ଗରେ ଶିହରଣର ସଞ୍ଚାର କରି ଯେତେବେଳେ ଟେଲିଫୋନ ବାଜି ଉଠିଲା, ଅଧାଖୋଲା ଆଖିରେ ଆଗକୁ ଚାହିଁଲା ଦେବଦତ୍ତ । ବେହେରା ଦୌଡ଼ିଯାଇ ଟେଲିଫୋନଟା ଆଣି ଛୋଟ ବେତ ମୋଡ଼ା ଉପରେ ସାମ୍ନାରେ ରଖିଦେଲା । ରିସିଭରଟାକୁ ଉପରକୁ ଉଠାଇ ତଦ୍ରାଳସ କଣ୍ଠରେ କହିଲା......ହ୍ୟାଲୋ.....

 

–କିଏ, ଦେବଦତ୍ତ–

 

–ହଁ, ମୁଁ ଦେବଦତ୍ତ କହୁଛି !

 

–ଆଜି କେତେଦିନ ପରେ କଥା କହୁଛ ?

 

–ଓଃ, ଅସୀମା । କ୍ଷମା କରିବ, ମୁଁ ଭୀଷଣ କାର୍ଯ୍ୟ ବ୍ୟସ୍ତ ଥିଲି ।

 

–ମୁଁ କ’ଣ କୈଫିୟତ ମାଗୁଛି ! ମୁଁ କେବଳ ଜାଣିବାପାଇଁ ଚାହୁଁଛି ଆଜି କେତେଦିନ ପରେ କଥା କହୁଛ ?

 

–ଛଅଦିନ ପରେ କିନ୍ତୁ....ମୁଁ କ’ଣ କାହିଁକି କିନ୍ତୁ ପଚାରୁଛି ?

 

ବୁଝିପାରିଲା ନାହିଁ ଦେବଦତ୍ତ ଏ ସ୍ୱରରେ ଅନୁରାଗ ବା ଅଭିଯୋଗ କ’ଣ ଫୁଟି ଉଠୁଥିଲା । ହଠାତ୍ ତା’ର ମନେପଡ଼ିଲା ମିଲି କଥା । ମିଲି ହୋଇଥିଲେ ପଚାରିଥାନ୍ତା, କେତେ କ’ଣ, କ’ଣ କରୁଥିଲ, କେଉଁଠିକି ଯାଇଥିଲ, କାହାସହିତ ଯାଇଥିଲ ଇତ୍ୟାଦି । ଅନୁଯୋଗ, ଅଭିଯୋଗ ପରେ ପରେ କରିଥାନ୍ତା ଅଭିମାନ ଏବଂ ସବାଶେଷରେ କେତେ ସାଧ୍ୟ ସାଧନା ପରେ ଛୋଟ ଏକ ନିର୍ଝରିଣୀ ପରି କଳ କଳ ନାଦରେ ଉଚ୍ଛ୍ୱସିତ, ଉଦ୍ଦୀପ୍ତ ହୋଇ ବହି ଯାଇଥାନ୍ତା । କଳନା କଲା ଏବଂ ତୁଳନା କଲା ସେ ଏଇ ସ୍ୱର, ସେଇ ସ୍ୱର ଭିତରେ ପାର୍ଥକ୍ୟ କ’ଣ ? ଏ କଣ୍ଠ ସେ କଣ୍ଠ ଭିତରେ ପ୍ରଭେଦ କେଉଁଠାରେ ? ସେ କଣ୍ଠରେ ଥାଏ କହିବାର ଆବେଗ, ଏ କଣ୍ଠରେ ଅଛି ଆବେଶ ସେ ସ୍ୱରରେ ଥାଏ ଶିହରଣ, ଏ ସ୍ୱରରେ ସଂଚରଣ ।

 

ବେଶି ସମୟ ଭାବିପାରିଲାନି ସେ । ଉତ୍ତର ପ୍ରତ୍ୟାଶା କରି ଆଉଥରେ ପଚାରିଲେ ଅସୀମା–କ’ଣ ନୀରବ ରହିଲେ ଯେ.....

 

–ଯେତେବେଳେ ବହୁତ କହିବାର ଥାଏ, ସେତେବେଳେ କିଛି କହି ହୁଏନା.......

 

କାଏଦା କଲା ଦେବଦତ୍ତ । ସେ ଜାଣେ କ’ଣ ଅସୀମା ଚାହାଁନ୍ତି, କ’ଣ ପାଇଁ ଦ୍ୱିପ୍ରହରର ଏ ଅନୁରାଗ ।

 

–କେବଳ କହିବାରେ କ’ଣ ସବୁ ଶେଷହୁଏ ?

 

–ନା, ଯେପରି ଶୋଷ କଲେ ଚା’ ଖାଇ ଶାନ୍ତି ମିଳେନି ।

 

–ତୁମେ ବଡ଼ ଚାଲାକ୍ । ତୁମକୁ କ’ଣ ମୁଁ କଥାରେ ପାରିବି, ହେଲେ.........

 

–ହେଲେ କ’ଣ ?

 

–ହେଲେ ତୁମେ ଶୋଷ କଲେ ପାଣି ନ ପିଇ ଏତେ ଚା’ ପିଉଛ କାହିଁକି ? ସେପାଖରୁ ଅନୁଚ୍ଚ ଅଥଚ ଉତ୍ତପ୍ତ ହସର କଳନାଦ ଝରି ପଡ଼ିଲା କାନ ପାଖରେ । ଟିକିଏ ଲାଜେଇ ଗଲା ଦେବଦତ୍ତ । କାହିଁକି କ୍ଷଣକ ପାଇଁ ତା’ର କାନ ଦୁଇଟା ଉତ୍ତପ୍ତ ହୋଇ ଉଠିଲା । ସେ ମଥାରେ ଗରମ ବୋଧ କଲା । କିନ୍ତୁ ସେଇ କ୍ଷଣିକ, ତା’ପରେ ସ୍ୱଭାବ ସୁଲଭ କଥାର ଚାତୁରୀ ଖେଳାଇ କହିଲା ସେ–

 

–ପାଣି ପାଖରେ ନ ମିଳିଲେ ଚା’ହିଁ ପିଇବାକୁ ହୁଏ ।

 

–ହାତବଢ଼ାଇ ପାଣି ଗ୍ଳାସଟା ନ ଆଣିଲେ, କେବଳ ଚା’ପିଆହିଁ ହୁଏ, ପାଣି ମିଳେନା...ପୁଣି ଅନୁଚ୍ଚ ହସର ଫୁଆରା ।

 

–ତମେ ବଡ଼ ସୁନ୍ଦର କଥା କହି ଶିଖିଛ.......

 

–ଶିଖିଲି ଆଉ କେତେବେଳେ ! ଶିକ୍ଷକ ମିଳୁନାହାଁନ୍ତି ତ ।

 

–ମୋତେ ଗୃହ ଶିକ୍ଷକ ନିଯୁକ୍ତି କର.......

 

କଥାଟା ଆପେ ଆପେ ବାହାରିଗଲା ତା’ ମୁହଁରୁ । ଛି, ଛି, ଏତେ ବେଶି ଆଗେଇବାର ଅଧିକାର ନାହିଁ । ଅସୀମା ବିବାହିତା, ସ୍ୱାମୀ ଅବିନାଶ ତା’ର ବନ୍ଧୁ । ବନ୍ଧୁତାର ବନ୍ଧନ ଭିତରେ ଶୋଭନତା ରକ୍ଷା କରି ଯେମିତି କରିହୁଏ, ତା’ ଠାରୁ ବେଶି କରିବା ଅନ୍ୟାୟ, ଅପରାଧ କିନ୍ତୁ ପରକ୍ଷଣରେ ତା’ର ସମସ୍ତ ଆତ୍ମଚେତନାକୁ ବିପର୍ଯ୍ୟସ୍ତ କରି ଉତ୍ତାପ ସଂଚାରିତ କରି କହିଲେ ଅସୀମା–

 

–ଆଜି ଠାରୁ ଗୃହ ଶିକ୍ଷକର ପ୍ରୟୋଜନ । ଆଜି ଏଇ ନାଗେ ଆସ ।

 

ବିବ୍ରତ ବୋଧ କଲା ଦେବଦତ୍ତ । ବର୍ତ୍ତମାନ କୌଣସି ଭଦ୍ରଲୋକ ଯିବାରବେଳ ନୁହେଁ । ମାତ୍ର ଦୁଇଟା ପଚାଶ ମିନିଟ । ଏତେବେଳେ ପ୍ରତ୍ୟେକର ନିଜ ନିଜର ସମୟ ଗୃହାଞ୍ଚଳରେ । ଏତେବେଳେ ଆରାମ କରିବାର ଏକ ଅପୂର୍ବ ଆନନ୍ଦ ପୂର୍ଣ୍ଣ ସମୟ । ସେ ଟିକିଏ ଶିଥିଳ ସ୍ୱରରେ କହିଲା–

 

–ଏଇ ନାଗେ, ଏତେ ଜଲଦି ।

 

–ହଁ, ଏଇନାଗେ । ସାତଦିନ ବିଛଣାରେ ଶୋଇ ଶୋଇ କି ଯେ ଯନ୍ତ୍ରଣା ପାଇଛି ମୁଁ, ତୁମେ ତାହା ବୁଝିପାରିବନି ଦେବ । ମୋର ସର୍ବାଙ୍ଗର ଶିଥିଳତା, ମୋର ସୁପ୍ତ ମନର ମଉଳି ପଡ଼ିଥିବା ଚେତନାକୁ ମୁଁ ଜାଗ୍ରତ କରିବାକୁ ଚାହେଁ ।

 

ଆହୁରି କ’ଣ କହିଥାନ୍ତେ ଅସୀମା । କିନ୍ତୁ କହିପାରିଲେନି । ଲାଇନ୍ କଟିଗଲା । ଆଶ୍ୱସ୍ତ ହେଲା ଦେବଦତ୍ତ । କାନ ଏବଂ କଣ୍ଠରେ ତା’ର ସେତେବେଳେ କିଏ ଯେପରି କୌଣସି ତରଳ ଉତ୍ତପ୍ତ ପଦାର୍ଥ ଢାଳି ଦେଇଛି । ଶୀତ ଦିନର ଶୀତଳତା ମଧ୍ୟରେ ଦେହରେ କିଭଳି ଗୋଟାଏ ତୃଷା ଜାଗିଲା ତା’ର । ପାଣି ପିଇ ସାମାନ୍ୟ ଶାନ୍ତି ପାଇଲା ସେ, କିନ୍ତୁ ଅଳ୍ପ ସମୟ ପରେ ପୁଣି ସେଇ ଶୋଷ । ପୁଣି ପାଣି ପିଇଲା ଦେବଦତ୍ତ ।

 

ପାଣି ପିଇଲା ତିନିଥର, କିନ୍ତୁ ତେବେବି ଶୋଷ ଶାନ୍ତ ହେଲାନି ତା’ର ମନ । ଖରାଦିନର ମାଟି ଉପରେ ପାଣି ପଡ଼ିଲେ ଯେପରି ତାହା ନିମିଷକରେ ଶୋଷି ନିଏ ମାଟି, ସେହିପରି ସବୁ ପାଣିର ଶୀତଳତା ସତ୍ତ୍ୱେ ଗରମ ଲାଗିଲା ତାକୁ । କଣ୍ଠରେ ଶୁଷ୍କତା, ପେଟ ଭିତରେ କିଏ ଯେପରି ହୁଂକାର କରି କହୁଛି ଭୋକ...ଭୋକ । ଏକ ଅଦ୍ଭୁତ ଅନୁଭବ ହେଲା ତା’ର ସର୍ବାଙ୍ଗରେ । ସେହି କ୍ଷୁଧା, ସେହି ଶୋଷ ତାକୁ କ୍ରମଶ କ୍ରୁର କରି ପକାଇଲା, କୃଦ୍ଧ କରି ପକାଇଲା ତା’ର ଦେହ ମନକୁ ଅସ୍ୱସ୍ତି ଜାଗିଲା ମନରେ । ସେ ଏକ ବିଚିତ୍ର ଅନୁଭୂତି । ଭିତରକୁ ଯାଇ ପ୍ରାୟ ଚାରିପେଗ୍ ରମ୍ ପାନ କଲା । ତା’ପରେ ଆଉ କୌଣସି ଆଡ଼କୁ ନ ଚାହିଁ, ସିଧା ଯାଇ ଷ୍ଟାର୍ଟ ଦେଲା ସ୍କୁଟରରେ । ଭେସ୍‍ପା ସ୍କୁଟର ଉନ୍ମାଦ ପରି ଛୁଟି ଚାଲିଲା ଆଗକୁ–ଆଗକୁ ।

 

ପାର୍କ ରୋଡ଼, ପଞ୍ଚମ ଏଭିନିଉ, ହିଲଟପ୍, ତା’ପରେ ଜାତୀୟରାଜପଥ ଉପର ଦେଇ ଛୁଟି ଚାଲିଲା ଦେବଦତ୍ତର ଭେସ୍‍ପା ସ୍କୁଟର । ଜାଣିପାରିଲା ନାହିଁ ସେ କେଉଁଆଡ଼େ ଯାଉଛି, ବୁଝିପାରିଲା ନାହିଁ କ’ଣ ତା’ର ଲକ୍ଷ୍ୟ । ଅନିର୍ଦ୍ଦିଷ୍ଟ ଭାବରେ ପ୍ରାୟ ଘଣ୍ଟାଏ ଘୂରିବୁଲି ଯେତେବେଳେ ଗୋଟାଏ ବଙ୍ଗଳା ଭିତରକୁ ପଶି ଆସି କଲିଙ୍ଗ୍ ବେଲ୍ ଉପରେ ଚାପଦେଲା, ସେତେବେଳେ ଜାଣିଲା ଦେବଦତ୍ତ ମିଷ୍ଟର ମହାନ୍ତିଙ୍କ ଘରକୁ ଆସିଛି ।

 

ମିଷ୍ଟର ମହାନ୍ତି ବିଶେଷ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ବେହେରା ଆସି ଦ୍ୱାର ଖୋଲି ଡ୍ରଇଂ ରୁମରେ ବସିବା ପାଇଁ ଅନୁରୋଧ କଲା । କିନ୍ତୁ ବସି ପାରିଲା ନାହିଁ ସେ । ସେତେବେଳକୁ ଅଳ୍ପସମୟ ପୂର୍ବର ବଣ୍ୟମତ୍ତତା ଅନେକାଂଶରେ ହ୍ରାସ ପାଇଁ ଆସିଥିଲା । ସେ ଛିଡ଼ା ହୋଇ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଢୋଳା ହୋଇଥିବା ଅବିନାଶ ଏବଂ ଅସୀମାଙ୍କର ଫଟୋଗୁଡ଼ାକୁ ଦେଖୁଥିଲା । ଯେତିକି ଦେଖୁଥିଲା ବିଚିତ୍ର ବର୍ଣ୍ଣା, ସେଇ ସୌନ୍ଦର୍ଯ୍ୟ ଭିତରେ କ’ଣ ଯେପରି ଦେଖି ମଧ୍ୟ ସମ୍ପୂର୍ଣ୍ଣରୂପେ ସେ ଦେଖିପାରୁ ନଥିଲା । ସ୍ୱାମୀ ଗହଣରେ ଅସୀମା କେତେବେଳେ ଅସମାପ୍ତ ପରି ଅପେକ୍ଷମାନା ଆଉ କେତେବେଳେ ବା ସମ୍ଭାର ଓ ସମ୍ପଦ ଭିତରେ ଅସମ୍ପୂର୍ଣ୍ଣ । କେଉଁଠାରେ ତାଙ୍କର ଗୋପନ କାହାଣୀ ଆବରଣ ଭିତରେ ପ୍ରସ୍ଫୁଟିତ, କେଉଁଠି ବା ଅନାବରଣର ଅଗ୍ନ୍ୟୁତ୍ପାତ ମଧ୍ୟରେ ମେଘଢ଼ଙ୍କା ତାରା ପରି ଅନୁଜ୍ଜ୍ୱଳ ଅଦୃଶ୍ୟ । ରହସ୍ୟମୟୀ ଅସୀମା, ଆହୁରି ରହସ୍ୟମୟ ତାଙ୍କର ସାନ୍ନିଧ୍ୟ ।

 

ତା’ର ଭବାନ୍ତର ସୃଷ୍ଟି କରି କାନ୍ଧ ଉପରେ ହାତ ରଖିଲେ ସେ । ଦେବଦତ୍ତ ଫେରି ଚାହିଁଲା ନାହିଁ, ପୂର୍ବପରି ନିର୍ନିମେଷ ନୟନରେ ସେ ଚାହିଁଥିଲା, ଅସୀମାଙ୍କର ଅତର୍କିତ ମୁହୂର୍ତ୍ତରେ ଢୋଳା ହୋଇଥିବା ଗୋଟାଏ ଫଟୋକୁ । ମୁହୂର୍ତ୍ତକର ମହିମା ବନ୍ଦୀ ହୋଇଛି ସେଇ ଫଟୋ ଭିତରେ । ସେହି ମହିମାର ମାଧୁରୀ ଆହରଣ କରୁଥିଲା ସେ ।

 

–କ’ଣ ଏତେ ଦେଖୁଛ–

 

–ଦେଖିବାର ଥିଲେ ନ ଦେଖିବ କିଏ ?

 

–କେବଳ ଦେଖି ଦେଖି ଆଖି ପୂରେନା, ଚାଖି ଚାଖି ପେଟ ପୂର୍ଣ୍ଣ ହୁଏନା, ଦେବଦତ୍ତ ଚାହିଁଲା ତାଙ୍କ ଆଡ଼େ । ସେ ଚାହାଣୀରେ କ’ଣ ଥିଲା କେଜାଣି ତଡ଼ିତ୍ ପ୍ରବାହ ପରି ତା’ର ଶିରା ପ୍ରଶିରାରେ କିଏ ଯେପରି ଦବି ଆସୁଥିବା ପୂର୍ବର ସେଇ ବଣ୍ୟ ଅନୁଭୂତି ପୁଣିଥରେ ଲେପି ଦେଇଗଲା । ନିଭି ଆସୁଥିବା ଦାବାଗିର ଲେଲିହାନ, ଶୁଖିଲା କୁଟାପତ୍ର ପାଇ ଆଉଥରେ ଦେବୀପ୍ୟମାନ ହୋଇ ଜଳିଉଠିଲା ।

 

ସେ କିଛି ବିଚାର ନକରି ହଠାତ୍ ଡ୍ରଇଂ ରୁମର ସେଇ ନିକାଞ୍ଚନ କୋଣରେ ଅସୀମାଙ୍କୁ ଗଭୀର ଏକ ଚୁମ୍ବନରେ ଚଟୁଳ କରି ପକାଇଲା ।

 

ଆଉ ଠିକ୍ ସେଇ ମୁହୂର୍ତ୍ତରେ ଗୋଟାଏ ଗାଡ଼ି ଝଡ଼ ବେଗରେ ଆସି ସଜୋରେ ବ୍ରେକ୍ ଲଗାଇ ବଙ୍ଗଳାର ପୋର୍ଟିକୋ ଉପରେ ଛିଡ଼ା ହେବାର ଶବ୍ଦ ଶୁଣିପାରିଲେ ସେମାନେ । ସେହି ଶବ୍ଦରେ ଅଲଗା ହୋଇଗଲା ଦେବଦତ୍ତ । ସେ ଆଉ କିଛି ନ କହି ବାହାରକୁ ବାହାରି ଯାଉଁ ଯାଉଁ ଅସଂଲଗ୍ନ ଭାବରେ କହିଲା–ମିଷ୍ଟର ମହାନ୍ତି ଯେ.....ମୁଁ ଆପଣଙ୍କ ଅପେକ୍ଷାରେ ଥିଲି !

 

ଅବିନାଶ ଚାହିଁଲେ ଦେବଦତ୍ତର ମୁହଁକୁ; କିନ୍ତୁ କିଛି କହିବା ପୂର୍ବରୁ ଯୋଗକଲେ ଅସୀମା–ମୋର କିନ୍ତୁ କାହିଁକି କେଜାଣି ମନେହେଲା ତୁମେ ଆଜି ଫେରିବ । ତେଣୁ ଯେତେବେଳେ ଦେବଦତ୍ତ ଆସିଲେ ମୁଁ ତାଙ୍କୁ ଅଟକାଇ ଦେଲି ଏଠାରେ ।

 

ଆଶଙ୍କା ପରିତ୍ୟାଗ କରି ହସ ଖେଳାଇ କହିଲେ ଅବିନାଶ ଭଲକଲ ଅସୀମା, ନ ହେଲେ ଦେବଦତ୍ତର ସନ୍ଧାନ ତୁମେ ପାଇନଥାନ୍ତ, ଦୁହେଁ ହସି ଉଠିଲେ । ଦେବଦତ୍ତ ମଧ୍ୟ ହସିଲା-।

 

ସେ ଅସୀମାଙ୍କୁ ଆଉଥରେ ଭଲକରି ଚାହିଁଲା । ବେକ ପାଖରେ ଏବଂ ହାତରେ ଏସିଡ଼ ପଡ଼ିଥିବା ସ୍ଥାନର କ୍ଷତ ଏବେ ମଧ୍ୟ ସମ୍ପୂର୍ଣ୍ଣ ଶୁଖି ଯାଇନାହିଁ । ଏଇ କେତେଦିନ ସେଇଥିପାଇଁ କ୍ଳବ, ଡିନର ବା ଅନ୍ୟ କୌଣସି ପ୍ରମୋଦକେନ୍ଦ୍ରକୁ ଯାଇନାହାନ୍ତି ଅସୀମା । ଦେହ ମଧ୍ୟ ଟିକିଏ ଶୀର୍ଣ୍ଣ ଦେଖାଯାଉଛି । ଏଇ ଶୀର୍ଣ୍ଣତା ମଧ୍ୟ ଦେଇ ଯେପରି ତାଙ୍କର ଦୀପ୍ତ ଓ ଲାବଣ୍ୟ ଅଧିକ ବୃଦ୍ଧି ପାଇଛି-। ସେ ଅନୁଭବ କଲା, ସାମାନ୍ୟ ଟିକିଏ ସ୍ୱାସ୍ଥ୍ୟହାନି ପରେ ଅସୀମା ଅଧିକ ଚିକ୍କଣ ପ୍ରାଣବନ୍ତ ଏବଂ ଆକର୍ଷଣୀୟ ହୋଇ ଉଠିଛନ୍ତି । ତା’ ଆଖି ସହିତ ଆଖି ମିଳିଲା ଅସୀମାଙ୍କର । ସେ ଆଖିରେ କ’ଣ ଥିଲା କେଜାଣି, ଆଉ ଚାହିଁ ପାରିଲା ନାହିଁ ଦେବଦତ୍ତ । ଶିଷ୍ଟାଚାରରେ ବାଧିଲା ତା’ର । ଅବିନାଶବାବୁଙ୍କ ଆଡ଼େ ମୁହଁ ଫେରାଇ କହିଲା ସେ–

 

–ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଉଛି, ଆପଣ ଏତେ ଶୀଘ୍ର ଦିଲ୍ଲୀରୁ ଫେରିଲେ କିପରି ?

 

ଆଖିରେ କୌତୁକର ଇଙ୍ଗିତ ଖେଳାଇ କହିଲେ ଅବିନାଶ–ମୁଁ ଆଉ ଯାଇପାରିଲି କେଉଁଠି ଯେ ଫେରିବି~। ଗତଚାରିଦିନ ଧରି ହେଡ଼ ଅଫିସରେ କଟିଲା । କଲିକତାରୁ ଫେରିଆସିଲି ।

 

ଅଭିମାନ କରି କହିଲେ ଅସୀମା–ତମେ ଅନ୍ତତଃ ଖବର ଗୋଟେତ ଦେଇପାରିଥାନ୍ତ ।

 

–ହଁ ତା’ ଅବଶ୍ୟ ଦେଇପାରିଥାନ୍ତି । କିନ୍ତୁ ଆଜି ହଠାତ୍ ଆସି ଯେଉଁ ବିସ୍ମୟ ଏବଂ ଆନନ୍ଦର ସଂଚାର ତୁମ ମନରେ କରିପାରିଛି, ଏହା ହୁଏତ କରିପାରି ନଥାନ୍ତି ।

 

ପୁଣି ସାମାନ୍ୟ ହସ ଖେଳାଇ ଆଖି କୋଣରେ ରହସ୍ୟର ସୂଚନା ଦେଲେ ଅବିନାଶ । ଦେବଦତ୍ତ ଲକ୍ଷ୍ୟ କଲା ସେ ଆଖିକୁ, କିନ୍ତୁ କିଛି ବୁଝିପାରିଲା ନାହିଁ । ଜାଣିପାରିଲା ନାହିଁ ଦାମ୍ପତ୍ୟ ଜୀବନରେ ଅନୁରାଗ ଓ ଅନୁଯୋଗର ଛନ୍ଦ ବିନ୍ୟାସ ।

 

ଅସୀମା ବୁଦ୍ଧିମତୀ ଓ ବିଚକ୍ଷଣୀ । ସେ ବେଶି କହନ୍ତିନି କିନ୍ତୁ ଯେତେବେଳେ କହନ୍ତି, ତାହା ଯାହା ଉଦ୍ଦେଶ୍ୟରେ କୁହା ଯାଇଥାଏ, ଠିକ୍ ସେ ବୁଝିପାରେ । ଲକ୍ଷ୍ୟ ଯଦି ଥରେ ଠିକ୍ କରନ୍ତି ଅସୀମା, ଲକ୍ଷ୍ୟ ଭେଦ କରିବାରେ ଭୁଲ ତାଙ୍କର କେବେ ହୁଏନା । ଏକ ଛୋଟ ମନ୍ତବ୍ୟ କଲେ ସେ...

 

...ତୁମର ଆସିବାରେ ରଙ୍ଗ ଅଛି କିନ୍ତୁ ତରଙ୍ଗ ନାହିଁ । ତୁମେ ମୋତେ ଆଗରୁ ଅନ୍ତତଃ ଫୋନରେ ଜଣାଇପାରିଥାନ୍ତ । ମୋତେ ପ୍ରତୀକ୍ଷା କରିବାର ଦେଖି ଆନନ୍ଦ ପାଇଥାନ୍ତ ।

 

ସେ କଣେଇ ଚାହିଁଲେ ଦେବଦତ୍ତ ଆଡ଼େ । ସେଇ ଚାହାଣୀରେ ଅନୁଭବ କଲା ଦେବଦତ୍ତ କେବଳ ଯେ ରଙ୍ଗ ଅଛି ତା’ ନୁହେଁ, ତରଙ୍ଗ ମଧ୍ୟ ଅଛି ।

 

ତୁମକୁ କଥାରେ ମୁଁ ପାରିବିନି ଅସୀ...ଆଚ୍ଛା, କଫିର ଆୟୋଜନ ହେଲେ ବେଶ୍ କିନ୍ତୁ ଆରାମ୍ ଲାଗନ୍ତା ।

 

–ନିଶ୍ଚୟ, ନିଶ୍ଚୟ....

 

କହି କହି ଭିତରକୁ ଚାଲିଗଲେ ସେ । ତାଙ୍କର ଚାଲିଯିବା ପଥକୁ ଚାହିଁ ରହିଲା ଦେବଦତ୍ତ । ଅବିନାଶ ମଧ୍ୟ ଚାହିଁ ରହିଥିଲେ ସେଇଆଡ଼େ । ସେ ହୁଏତ କଫିର ପ୍ରତ୍ୟାଶା କରୁଥିଲେ, ଆଉ ଦେବଦତ୍ତ, ତା’ର ସର୍ବାଙ୍ଗ ଆକସ୍ମିକ ଶୀଥିଳତାକୁ ଉତ୍ତପ୍ତ କରିବାପାଇଁ ଅପେକ୍ଷା କରୁଥିଲା ।

 

ପାଞ୍ଚ

 

ମା’ଙ୍କ ମୃତ୍ୟୁ ପରେ ପରେ ମିତାଳିର ସମସ୍ତ ଦାୟିତ୍ୱ ଆସି ପଡ଼ିଥିଲା ପାତିଙ୍କ ଉପରେ-। କିନ୍ତୁ ଏଥିରେ ବିଚଳିତ ହୋଇ ନଥିଲେ ଶୋଭାକାନ୍ତ । ପକ୍ଷୀ ଯେପରି ଡେଣା ମେଲି ତା’ର ନବଜାତ ଶାବକକୁ ରକ୍ଷାକରେ, ସର୍ପ ଏବଂ ଶ୍ୱାପଦମାନଙ୍କ କବଳରୁ, ଠିକ୍ ସେହିପରି ସଂସାର ଏବଂ ସମାଜର ସମସ୍ତ ଦୁଃଖ, କଷ୍ଟ ଏବଂ କୁସଂସ୍କାରରୁ ମୁକ୍ତ କରି ରଖିବାପାଇଁ ପ୍ରଯତ୍ନ କରିଥିଲେ ସେ । ଅବସର ତାଙ୍କର ନଥିଲା । କିନ୍ତୁ ପତ୍ନୀଙ୍କ ବିୟୋଗ ପରେ ପରେ ବ୍ୟବସାୟରେ ଯେତେ ସମୟ ଦେଉଥିଲେ ଆଗରୁ, ଆଉ ସେଇ ପରିମାଣରେ ଦେଇପାରିଲେ ନାହିଁ । ବ୍ୟବସାୟର ଯେଉଁ କେତେକ ହିସାବପତ୍ର ନ ଦେଖିଲେ ନ ଚଳେ, ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନ ଦେଲେ ନ ଚଳେ, ସେତିକିରେ କର୍ତ୍ତବ୍ୟ ସମାପନ କରି କନ୍ୟା ପାଖରେ ସମୟ କଟାଇଲେ ଶୋଭାକାନ୍ତ । ମିତାଳି ପିତାଙ୍କର ସ୍ନେହ, ସୋହାଗ, ଏ ସଂଗମପାଇଁ କ୍ରମଶଃ ମାତୃ ବିୟୋଗ ଭୁଲି ଯିବାରେ ଲାଗିଲା ।

 

ସେତେବେଳକୁ ତା’ର ବୟସ ପ୍ରାୟ ଅଠର । କନଭେଣ୍ଟ ସ୍କୁଲରୁ ସିନିୟର କେମ୍ବ୍ରିଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଦ୍ୟ ନାମ ଲେଖାଇ ଥାଏ କଲେଜରେ । ଅଳ୍ପଦିନରେ ମିତାଲିର ମିତ୍ରତା ପାଇବାପାଇଁ କଲେଜ ପ୍ରାଙ୍ଗଣରେ ଅନେକ ତରୁଣଙ୍କୁ ଉତ୍ସୁକ ଚିତ୍ତରେ ତା’ର ଆଗମନ ଏବଂ ପ୍ରତ୍ୟାଗମନକୁ ପ୍ରତୀକ୍ଷା କରୁଥିବାର ଦେଖାଗଲା । ମିତାଲି ବେଳେବେଳେ ସେମାନଙ୍କ ଆଡ଼େ ଚାହେଁ, କାହା ସହିତ କଥା କହି ଟିକେ ହସିଦିଏ । ଏତିକିରେ ସମସ୍ତେ କୃତ୍ୟ କୃତ୍ୟ ମନେକରନ୍ତି । ମିତାଲି ସ୍ଫୀତ ବକ୍ଷରେ ଛନ୍ଦ ଫୁଟାଇ ଆଗକୁ ଚାଲେ । ମନରେ ତା’ର ମହକ । ନିଜକୁ ଚାହେଁ, ନିଜର ଉନ୍ନତ ବକ୍ଷ ଉପରକୁ ଚାହିଁ ଦଣ୍ଡେ ଛିଡ଼ା ହୋଇଯାଏ । ସୁବିଧା ପାଇଲେ ମୁହୂର୍ତ୍ତକ ପାଇଁ ଭ୍ୟାନିଟି ବେଗ୍ ଭିତରୁ ଛୋଟ ଦର୍ପଣଟି କାଢ଼ି ନିଜର ମୁହଁଟି ଦେଖିନିଏ । ପବନରେ ଉଡ଼ିଯାଇ ଇତସ୍ତତଃ ହୋଇଥିବା ଗୋଟେ ଦୁଇଟା ବାଳକୁ ପାନିଆରେ ଯଥା ସ୍ଥାନରେ ରଖିବା ପାଇଁ ପ୍ରଯତ୍ନ କରେ । ବବ୍‍କରାବାଳ ସାମ୍ପୁ ହୋଇ ଫୁଲି ଉଠିଥାଏ ଦୁଇଗୁଣ । ଫିକ୍ କିନା ହସିଦିଏ~। ନିଜ ମୁହଁଟା ଦର୍ପଣ ଭିତରେ ଆହୁରି ସୁନ୍ଦର, କମନୀୟ, ହୋଇଉଠେ। ମନେହୁଏ ତା’ର ସେ ସୁନ୍ଦରୀ ଯୌବନରେ ଯେଉଁ ସୌନ୍ଦର୍ଯ୍ୟ ତାରୁଣ୍ୟକୁ ଦୀପ୍ତ ଏବଂ ପ୍ରତିଭାତ କରେ, ତାହା ତା’ର ଅଙ୍ଗ ପ୍ରତ୍ୟଙ୍ଗରେ ପୁଷ୍ପଳ ଭାବରେ ପରିସ୍ଫୁଟ । ତା’ର ଇଷତ୍ ଲମ୍ବା ମୁହଁ, ତିର୍ଯ୍ୟକ ନାସା, ରକ୍ତାଭ ଅଧର, ଦୀର୍ଘତା, କୃଶାଙ୍ଗ, ସ୍ଫୀତବକ୍ଷ କୃଶ କଟି ଏବଂ ଗୌରବର୍ଣ୍ଣ ତନୁ ତାକୁ ସୁନ୍ଦରୀ କରିଥିଲା । ତା’ର ବବ୍‍କରା ଘନକୃଷ୍ଣ, କେଶଗୁଚ୍ଛ, ଏବଂ ପରିଧାନ ତା’ର ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିଥିଲା ।

 

ମୁକ୍ତ ଆକାଶରେ ବିହଙ୍ଗପରି ଓ ସୁନୀଳ ସାଗରର ତରଙ୍ଗ ପରି ଅବାଧ ଥିଲା ତା’ର ଗତି ଏବଂ ଜୀବନ୍ତ ଥିଲା ତା’ର ଜୀବନଯାତ୍ରା । ଆକାଶର ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗରେ ରଞ୍ଜିତା ମିତାଲି ମନଖୁସିରେ ଯୌବନର ପ୍ରଥମ ପାଦରେ ଛନ୍ଦତୋଳି ଘୂରିବୁଲୁଥିଲା ସାଙ୍ଗସାଥୀ ପରିଜନମାନଙ୍କ ଗହଣରେ । ଜ୍ୟୋତ୍ସ୍ନାଲୋକ ପରି ତା’ର ପରିବେଶ ଆଣୁଥିଲା ମଧୁକ୍ରାନ୍ତ ଅନୁଭବ ଓ ଏକ ବର୍ଣ୍ଣାଢ଼୍ୟ ପୁଲକ ।

 

ଜ୍ୟୋତ୍ସ୍ନାଲୋକ କିନ୍ତୁ ଅନୁଭବରେ ରହିଯାଏ । ତାହା ସ୍ପର୍ଶ କରେ କିନ୍ତୁ ନିଜେ ଅସ୍ପୃଶ୍ୟ ରହିଯାଏ । ତା’ର ଅନୁଭବ ନାହିଁ, କିନ୍ତୁ ଅନ୍ୟର ଅନୁଭବକୁ ଆକ୍ରାନ୍ତ କରେ । ମିତାଲିର ମନ ସେଇପରି ଉଡ଼ି ବୁଲିଲା ଦିଗନ୍ତର ବର୍ଣ୍ଣୋତ୍ସବର ଧାରେ ଧାରେ, ଫୁଲର ସୁରଭିଯୁକ୍ତ ପରିବେଶ ମଧ୍ୟରେ, କିନ୍ତୁ ପରିସ୍ଥିତି ସେ ସୃଷ୍ଟି କରି ନଥିଲା । ସହଜ କଥାରେ କହିଲେ ତା’ ପାଇଁ ଶହେ ଆଖି ଅନାଇ ରହିଥିଲାବେଳେ, ତା’ର ଯୋଡ଼େ ଆଖି ପ୍ରସାରିତ ହୋଇଥିଲା ଅନ୍ୟ ଦିଗରେ; ଫଳରେ ସେ ଦେଖିପାରି ନଥିଲା ସେଇ ଶହେ ଆଖିର ଆଲୋକ ପିଣ୍ଡରେ ସହସ୍ର ଲେଲିହାନ ଲାଳସାର ଲହରୀ । ଅନୁଭବ କରିପାରି ନଥିଲା, କଲେଜର ସଂକୁଚିତ ପଥର ଭିଡ଼ ଭିତରେ ଚାଲିବାର ଉତ୍ତାପ ।

 

ଶୋଭାକାନ୍ତ କନ୍ୟାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ଦୀପଶିଖା ପରି ତାକୁ ଦ୍ୱୀପାନ୍ୱିତା କରି ଦେଖିବାପାଇଁ ଆଗ୍ରହ ଥିଲା ତାଙ୍କର । ସେ ଭାବୁଥିଲେ ତାଙ୍କର କର୍ତ୍ତବ୍ୟ ହେଉଛି ସେହି ଦୀପଶିଖାକୁ ପ୍ରଜ୍ଜ୍ୱଳିତ କରି ରଖିବାପାଇଁ । ଯେଉଁ ଟିକକ ଉଦ୍ୟମ ଆବଶ୍ୟକ, ସଳିତାରେ ତେଜ ଯୋଗାଇ ତାକୁ ଅଖଣ୍ଡ ରଖିବା ନିମିତ୍ତ ଯେଉଁ ସାଧନାର ପ୍ରୟୋଜନ, ତାହା ସେ କରିଯିବେ-। ସେଥିରୁ ବେଶି ନୁହେଁ ବା କମ୍ ମଧ୍ୟ ନୁହେଁ । ଅଗାମୀ ସମ୍ପତ୍ତିର ସୁବିନିଯୋଗ ତା’ର ସୁଖ ସୁବିଧାପାଇଁ ସେ କରିପାରିଥିଲେ କଲେଜରେ ପଢ଼ାଶେଷ କରି ଯେଉଁଦିନ ଏକ ଅଳସ ଆଷାଢ଼କୁ ବର୍ଷାଣୋନ୍ମୁଖ ସଂଧ୍ୟାରେ ଦେବଦତ୍ତ ସହିତ ତା’ର ପରିଚୟ ହୁଏ ଶୋଭାକାନ୍ତ ସ୍ୱାଗତ ଜଣାଇ ନଥିଲେ ମଧ୍ୟ, ଲକ୍ଷ୍ୟ କରିଥିଲେ ସେ ଅନୁଷ୍ଠାନର ଅୟମାରମ୍ଭ । ସେହିଦିନୁ ଦେବଦତ୍ତ ଆସିଛି ଅବାରିତ ଭାବରେ ତାଙ୍କ ଘରକୁ, ଅଫୁରନ୍ତ ଉତ୍ସାହ ଏବଂ କର୍ମ ପ୍ରବଣତାକୁ ବିକ୍ଷିପ୍ତ କରି ଆନନ୍ଦର ଆଲୋଡ଼ନ ଆଣିଛି, ତାଙ୍କ ଛୋଟ ସଂସାରଟି ମଧ୍ୟରେ ।

 

ମିତାଲି କନଭେଣ୍ଟରେ ପଢ଼ିଛି । ମେଟ୍ରନ ଗହଣରେ ବଡ଼ ହୋଇ ଓ ସମାଜର ଶୀର୍ଷ ସ୍ଥାନରେ ଚଲାବୁଲା କରିଛି । ଏଣୁ ତା’ର ଖାଦ୍ୟପେୟ ଚାଲିଚଳନ, କଥାବାର୍ତ୍ତା ଏବଂ ପରିଚୟ, ପରିଚର୍ଯ୍ୟା ଭିତରେ ଏକ ମାର୍ଜିତ ରୁଚି, ସଂସ୍କୃତି ଓ ସଂସ୍କାର ଫୁଟିଉଠୁଥିଲା । ସେଇ ଅତ୍ୟାଧୁନିକ ଆବହାୱାର ସ୍ପର୍ଶ ପାଇ ସେ ମିତାଳିରୁ ମିତାଲି, ଏବଂ ତା’ପରେ ମିତାଲି ହୋଇଯାଇଥିଲା । ମିଲିସେନ୍‍ର ନାମରେ ପାଞ୍ଚମାଇଲ ନୁହେଁ, ପଚାଶ ମାଇଲ ବ୍ୟାପୀ ଆଲୋଡ଼ନ ସୃଷ୍ଟି ହେଉଥିଲା ।

 

ସେଇ ମିଲି ସେନ୍ ଯେତେବେଳେ ସାମାନ୍ୟ ବିଶ୍ରାମ ପରେ ଫେରିଆସି ଦେଖିଲା ଦେବଦତ୍ତ ଆଉ ଜଣକ ସଙ୍ଗରେ ଛନ୍ଦ ରଚନା କରୁଛି କେଜାଣି କାହିଁକି ଅପେକ୍ଷା ନ କରି ଫେରିଆସିଥିଲା ଘରକୁ । ସେ ପ୍ରତ୍ୟାବର୍ତ୍ତନର ଭୀରୁ ପଦଧ୍ୱନି ଭିତରେ ସେ ଦେଖିପାରିଥିଲା ତା’ ପ୍ରତି ଅବଜ୍ଞା ଏବଂ ଅବହେଳାର ସଂକେତ ।

 

ସେଥିପାଇଁ ଅଶ୍ରୁ ତା’ର ଗଡ଼ି ନଥିଲା, କିନ୍ତୁ ଅଗ୍ନି ଜାଗିଥିଲା ଶୋଣିତରେ । ପ୍ରଥମ ଥର ପାଇଁ ପରାଜିତାର ଗ୍ଳାନି ସ୍ପର୍ଶ କରିଥିଲା ତା’ର ଦେହ ଏବଂ ମନକୁ । ପରେ ପରେ କିନ୍ତୁ ନିଜର ବୈଶିଷ୍ଟ୍ୟ, ନିଜ ଅଭିମାନ ଏବଂ ନିଜ ସମ୍ବନ୍ଧରେ ସଚେତତା ତାକୁ ଅଗ୍ନିମୟ କରି ତୋଳିଲା ।

 

ସେହି ଅଗ୍ନିର ଦାହରେ ଆଉ କେହି ନୁହେଁ ନିଜେ ଦଗ୍‍ଧ ହେଲା ମିତାଲି । ଜୀବନରେ ପ୍ରଥମଥର ପାଇଁ ଅନୁଭବ କଲା ସେ ଦାହର ତୀବ୍ରତା, ସେ ଜ୍ୱାଳାର ଆବେଗ । ଆଉ ସେହି ଦାହର ଦହନ ମଧ୍ୟରେ ସେ ଆବିଷ୍କାର କଲା ଦେବଦତ୍ତକୁ ସେ ଭଲପାଏ, ତା’ର ମନ ମୁକୁର ଭିତରେ କେବଳ ଦେବଦତ୍ତ ଛବି’ ଚିରଭାସ୍ୱର । ଯେତିକି ଏହି ସିଦ୍ଧାନ୍ତ ସ୍ଥାୟୀ ହେଲା, ମନରେ ସେତିକି ଏକ ରୁଦ୍ଧ ଆଗେବ, ଏକ ଅବରୁଦ୍ଧ ପ୍ରାଣ ଚାଞ୍ଚଲ୍ୟ ତାକୁ କାତର, ଏବଂ ବିମର୍ଷ କରି ତୋଳିଲା । ଯାହା ପାଖରେ ପାଇ ମଧ୍ୟ ଉନ୍ମୁଖ ହୋଇ ଉଠି ନଥିଲା ତା’ର ସୁପ୍ତ ଚେତନା, ତା’ର ଅନୁପସ୍ଥିତରେ ସେ ଅସ୍ଥିର ହୋଇ ପଡ଼ିଲା । ସମଗ୍ର ଚେତନା ଓ ସମସ୍ତ ଜୀବନ ଶକ୍ତି ଦେଇ ସେ କେବଳ ଗୋଟିଏ କଣ୍ଠ, ଗୋଟିଏ ଆଗମନର ପ୍ରତ୍ୟାଶାରେ ବ୍ୟାକୁଳ ଏବଂ ବିଦଗ୍‍ଧ ଚିତ୍ତରେ ଅନାଇ ରହିଲା ।

 

କିନ୍ତୁ ଯେଉଁଦିନ ଦେବଦତ୍ତ ପୁଣିଥରେ ଆସି ଆଗପରି ଛିଡ଼ା ହେଲା ଦ୍ୱାର ଦେଶରେ ଆବାହନ କରି ଆଣିବା ପରିବର୍ତ୍ତେ, ଅନାଦୃତର ଅପମାନ ଦେଇ ଫେରିଯିବା ପାଇଁ ଆଦେଶ ଦେଲା ମିତାଳି ।

 

ବିସ୍ମୟରେ ଅଭିଭୁତ ଦେବଦତ୍ତ ଅଳ୍ପ ସମୟ ପର୍ଯ୍ୟନ୍ତ କିଛି ଉତ୍ତର ଦେଇପାରି ନଥିଲା-। ସେ ବାକ୍‍ଶକ୍ତି ହରାଇ ବସିଥିଲା ପ୍ରାୟ । କିନ୍ତୁ ଆଉଥରେ ଯେତେବେଳେ ଅଭିନନ୍ଦନ ଜଣାଇଲା ନିଜର ଆସିବା ସମ୍ବାଦ ଜଣାଇ ହଠାତ୍ ବୁଲି ପଡ଼ି କହିଲା ମିଲି–

 

–ତୁମେ କ’ଣ ଚାହଁ ?

 

–ତୁମେ କ’ଣ ଅସୁସ୍ଥ ମିଲି ।

 

କଥାଟାକୁ ଲାଘବ କରିବା ପାଇଁ ଏତକ କହି ହସିଲା ଦେବଦତ୍ତ । ନାଗ ଆଗରେ ହାତ ଦେଖାଇଲେ ସେ ଯେପରି ଦଂଶନ କରିବା ପାଇଁ ବ୍ୟଗ୍ର ହୋଇ ଦଂଶନ କରିବା ପାଇଁ ଫଣା ଉଠାଏ, ସେଇ ତୀବ୍ରତା ନେଇ ଯୋଗ କଲା ମିଲି ।–ନା, ନା, ନା । ତୁମର ବରଂ ଆଖିର ଭ୍ରମ । ନ ହେଲେ ସବୁଠାରୁ ସମସ୍ତଙ୍କୁ ତୁମେ ଅସୁସ୍ଥ ବୋଲି କଳ୍ପନା କରନ୍ତ ନାହିଁ ।

 

–ତୁମେ କହୁଛ କ’ଣ ? ମୁଁ ସେ ଉଦ୍ଦେଶ୍ୟରେ କିଛି କହିନି । ଅନ୍ତତଃ.......

 

ସବେଗେ ମଥା ହଲାଇ ଅଗ୍ନି ବନ୍ୟା କରି କହିଲା ମିତାଳି–ତୁମର ଉଦ୍ଦେଶ୍ୟ ସାଧିତ ହୋଇସାରିଛି ଦେବଦତ୍ତ । କିନ୍ତୁ ତୁମେ ଏଡ଼େ ନୀଚ, ଏତେ ସ୍ୱାର୍ଥପର ବୋଲି ମୁଁ କଳ୍ପନା ମଧ୍ୟ କରିପାରି ନଥିଲି । ତୁମେ ଚାଲିଯାଅ...ଚାଲିଯାଅ ମୋ ଆଗରୁ...

 

ଆଉ ମୁହୂର୍ତ୍ତେ ମଧ୍ୟ ଅପେକ୍ଷା କଲାନାହିଁ ମିଲି । ଉଦ୍ଧତ ପଦରେ ସେ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲା । ହତବାକ୍ ଏବଂ ହତବୁଦ୍ଧି ଦେବଦତ୍ତ ଆଗକୁ ଯିବ ବା ପଛକୁ ଯିବ କିଛି ଭାବି ନ ପାରି ବିମୂଢ଼ ଭାବରେ ଛିଡ଼ା ହୋଇ ରହିଲା କେବଳ ।

 

କେତେ ସମୟ ଅତିକ୍ରାନ୍ତ ହୋଇଯାଇଥିଲା ମନେ ନଥିଲା ତା’ର । କିନ୍ତୁ ଯେତେବେଳେ ଗେଟ୍ ପାଖରେ ସେନ ସାହେବଙ୍କର ଗାଡ଼ି ଆସିବାର ଧ୍ୱନି ଶୁଣିପାରିଲା, ଆତ୍ମସଂବୀତ ଫେରିପାଇଲା ସେ । ଆଉ ସେହି ସଙ୍ଗେ ସଙ୍ଗେ ଏକଦଣ୍ଡ ମଧ୍ୟ ଅପେକ୍ଷା ନକରି, ସେନ୍ ସାହେବଙ୍କୁ ନମସ୍କାର କରିବାର ଶିଷ୍ଟାଚାର ମଧ୍ୟ ଭୁଲିଯାଇ, ସବେଗେ ସ୍କୁଟର ଉପରେ ବସି ଆଗେଇ ଗଲା ଦେବଦତ୍ତ । ଶୋଭାକାନ୍ତ ପଲକ ଭିତରେ ତାକୁ ଦେଖିନେଲେ, କିନ୍ତୁ ଅଟକାଇବାର ସମୟ ନଥିଲା ।

 

ଦେବଦତ୍ତ ଚାଲିଗଲା । ଫେରିଗଲା ସେ ଜାତୀୟରାଜପଥର ପ୍ରଶସ୍ତ ଦେହ ଉପରକୁ । ତା’ର ସ୍କୁଟର ସେତେବେଳେ ପଚାଶ ମାଇଲ ବେଗରେ ଗୋଟାଏ ଉନ୍ମାଦ, ଉଦ୍‍ଭ୍ରାନ୍ତ ଜନ୍ତୁ ପରି ମାଡ଼ି ଚାଲୁଥାଏ ଆଗକୁ, ଆଗକୁ ।

 

କେତେବେଳେ, କେତେପଥ ଅତିକ୍ରମ କଲା ଜାଣିପାରିଲା ନାହିଁ ସେ; କିନ୍ତୁ ଯେତେବେଳେ ସନ୍ଧ୍ୟାର ଶୀତଳ ସ୍ପର୍ଶ ତା’ର ମୁହଁରେ, ଛାତିରେ ଏବଂ ନାକ କାନରେ ଏକ କୋମଳ ପ୍ରଲେପ ବୋଳି ଦେଇଗଲା ସେତେବେଳେ ସ୍କୁଟରର ହେଡ଼୍‍ଲାଇଟଟା ସୁଇଚଟିପି ଜାଳିଲା ଦେବଦତ୍ତ । ପରେ ପରେ କ’ଣ ଭାବି ପୁଣି ନିଭାଇ ଦେଲା ଆଲୋକ । ନା, ଆଲୋକ ଆଉ ଭଲଲାଗୁନି, ଭଲଲାଗୁନି ଉଜ୍ଜ୍ୱଳତା । ଅନ୍ଧାରର ପ୍ରତୀକ୍ଷା କଲା ସେ । କ୍ରମଶଃ ଚାରିଆଡ଼େ ଅଦୃଶ୍ୟ ହୋଇଆସିଲା । ନିକାଞ୍ଚନ, ନିର୍ଜନ ଜନପଥର କୋଳ ଉପରେ ବସି ଅନେକ ପରିମାଣରେ ଶାନ୍ତ ହେଲା ସେ । ଅନ୍ଧାର ଭଲଲାଗିଲା ତାକୁ । ତା’ର ମନେହେଲା ଯେପରି ଏହାଠାରୁ ବଳି ବରେଣ୍ୟ ଆଉ କିଛି ନାହିଁ । ପାର୍ଥକ୍ୟ ନାହିଁ, ପ୍ରଭେଦ ନାହିଁ । ସବୁ ଭେଦାଭେଦର ଜଳାଞ୍ଜଳି ଦେଇ, ସବୁ ରଙ୍ଗର ସମାଧି ତୋଳି କେବଳ ବିଶ୍ୱବ୍ୟାପୀ ଗୋଟାଏ ଘନ କୃଷ୍ଣ ଆବରଣ । ସେଇ ଆବରଣ ଭିତରେ ସର୍ପ, ଶ୍ୱାପଦ, ମଣିଷ ସବୁ ଏକାକାର ହୋଇଯାଇଅଛନ୍ତି । ସେଇ ନିଶ୍ଚିହ୍ନ ହେବାରେ କିନ୍ତୁ ନୈରାଶ୍ୟ ନ ଦେଖି, ଆନନ୍ଦ ପାଇଲା ଦେବଦତ୍ତ । ଆଶାର କ୍ଷୁଦ୍ର ସ୍ଫୁଲିଙ୍ଗଟି ଜଳିଉଠିଲା ତା’ର ଅନ୍ତର ଭିତରେ । ନିରନ୍ଧ୍ର ରଜନୀର ସୁବିପୁଳ ଆକାଶର ସହସ୍ର ତାରକାକୁ ଚାହିଁ ସ୍ୱାଗତ ଜଣାଇଲା ସେ ।

 

ଦେବଦତ୍ତ ଖୋଲା ଆକାଶତଳେ ମାଟି ଉପରେ ବସି ଅଳ୍ପ ସମୟ ପୂର୍ବର କଥା ଚିନ୍ତା କଲା । ତା’ର ମନେହେଲା ତା’ ପ୍ରତି ମିଲିର ଦୁର୍ବ୍ୟବହାର ମୂଳରେ ଅଭିମାନ ଏବଂ ଅନୁଯୋଗ ଉଭୟ ରହିଛି । ମିଲିର ଶେଷ ପଦକ କଥା ତା’ର ଅନ୍ତଃସ୍ଥଳକୁ କ୍ଷତବିକ୍ଷତ କରି ପକାଇଲା । ସେ ଭାବିଲା ଏହା ମୂଳରେ କ’ଣ କାରଣ ଥାଇପାରେ । ସେ ସମ୍ବନ୍ଧରେ ଯେତିକି ଭାବିଲା, ଯେତିକି ଆତ୍ମନିରୀକ୍ଷଣ କଲା, ସେ ସେତିକି ହୃଦୟଙ୍ଗମ କଲା ଯେ କ୍ଳବରେ ସେ ମିଲି ପ୍ରତି ନ୍ୟାୟ କରି ନାହିଁ । ତା’ପରେ ପରେ ତା’ ଅନିଚ୍ଛା ସତ୍ତ୍ୱେ କେଉଁ ଏକ ଦୁର୍ବାର ଆକର୍ଷଣ ତାକୁ ଯେପରି ଅସୀମାର ସାନିଧ୍ୟ ପାଇଁ ଉନ୍ମତ୍ତ କରି ତୋଳିଲା । ତା’ରି ପ୍ରକାଶ ହୋଇଥିଲା ସେ ଦିନ ଯେତେବେଳେ ସ୍ଥାନ, କାଳ ଭୁଲି ଅସୀମାର ଆକର୍ଷଣ କରୁଥିବା ଅଧର ସ୍ପର୍ଶ ଉପରେ ଏକ ଉଷ୍ମ ଚୁମ୍ବନ ଅଙ୍କନ କରିଦେଇ ଉତ୍ତେଜନାରେ ଆତ୍ମହରା ହୋଇଥିଲା ସେ । କିନ୍ତୁ ଯେତେବେଳେ ଅବିନାଶ ଆସି ପହଞ୍ଚି ଯାଇଥିଲେ ଆତ୍ମଗ୍ଳାନିରେ ସେ ଶିହରି ଉଠିଥିଲା । ବର୍ତ୍ତମାନ ସେ ଭଲଭାବରେ ବୁଝିପାରିଛି ସେ ଠିକ୍ କରି ନାହିଁ । ଜଣେ ବିବାହିତ ତରୁଣୀ ସହିତ ଏତେ ଘନିଷ୍ଠ ଏତେ ନିବିଡ଼ ହେବା ବାଞ୍ଛନୀୟ ନୁହେଁ । ଏହା ତା’ର ମାନସିକ ଏବଂ ଦୈହିକ ବିକାରର ରୂପାନ୍ତର ମାତ୍ର ।

 

ସିଗାରେଟ ପରେ ସିଗାରେଟ ଶେଷ ହେଲା । ସିଗାରେଟ ଧୂଆଁରେ ତା’ର ଚାରିପାଖ ପୂରି ଯାଇଥିଲା । ବାରମ୍ବାର ସିଗାରେଟ ପିଇ ତା’ର ପାଟିଟା କିପରି ବିସ୍ୱାଦ ଓ ଶୁଖିଲା ହୋଇଯାଇଥିଲା । ବହୁ ସମୟ ସେହିପରି ବସି ରହିଲା ଦେବଦତ୍ତ । ତା’ର ମନରୁ କ୍ରମଶଃ ସମସ୍ତେ ଅନ୍ତର୍ହିତ ହୋଇଗଲେ । ସେ ନିସଙ୍ଗ ଭାବରେ ଉପଭୋଗ କଲା ନିଜକୁ, ନିଜର ଅବସ୍ଥିତିକୁ । ସେ ସ୍କୁଟର ଉପରେ ହାତ ରଖିଲା । ଶୀତଳ ସେଇ ଯନ୍ତ୍ରଟା ନିର୍ଜୀବ ପରି ପଡ଼ି ରହିଥିଲା । କେଇଘଣ୍ଟା ଆଗରୁ ଯେଉଁ ଯନ୍ତ୍ରଟା ତାକୁ ବହନ କରି ଆଣିଥିଲା, ତା’ରି ସାମ୍ନାରେ ନିର୍ଜୀବ, ଜଡ଼ ପିଣ୍ଡ ପରି ପଡ଼ି ରହିଥିଲା ତାହା । ସ୍କୁଟର ମଧ୍ୟ ଉତ୍ତାପ ଚାହେଁ, ପେଟ୍ରୋଲ ପୋଡ଼ିବାରେହିଁ ସେ ଉତ୍ତାପର ସଂଚରଣ । ସେହି ସଂଚରଣର ସମଷ୍ଟିଗତ ବେଗହିଁ ତା’ର ଗତି । ନିଜ ଦେହକୁ ଲକ୍ଷ୍ୟ କଲା ସେ । ତା’ର ମନେହେଲା ସେ ମଧ୍ୟ ଉତ୍ତାପ ଚାହେଁ, ମାଘମାସର ଶେଷ ଶୀତରୁ ରକ୍ଷା ପାଇବାପାଇଁ ତା’ର ଦେହରେ ମଧ୍ୟ ଅନେକ ଉତ୍ତାପର ପ୍ରୟୋଜନ ।

 

ସେଇ ଦାହର ଉତ୍ତାପ ଆହରଣ କରିବା ପାଇଁ ଖୁବ୍ ଇଚ୍ଛା ହେଲା ଦେବଦତ୍ତର । ପୂର୍ବର ଶୀତଳତା ଓ ନିଶ୍ଚେଷ୍ଟଟା ଭୁଲି, ପୁଣି ସେ ଭେସ୍‍ପା ସ୍କୁଟରରେ ଷ୍ଟାର୍ଟ ଦେଲା । ଜଠର ଭିତରେ ଏକ ଅଶାନ୍ତ ଅଗ୍ନି କ୍ରମଶଃ ତା’ର ସମସ୍ତ ଅନୁଭବ ଓ ଭାବକୁ ଆଚ୍ଛନ୍ନ କରି, ତାକୁ ଗୃହାଭିମୁଖେ କ୍ଷିପ୍ରରୁ କ୍ଷିପ୍ରତର ଗତିରେ ନେଇ ଆସିଲା ।

 

ଛଅ

 

ଅଫିସରେ ଛବିଶ ଜାନୁଆରୀର ସାଧାରଣତନ୍ତ୍ର ଉତ୍ସବପାଇଁ ଆୟୋଜନ ଚାଲିଥାଏ । ଆଉ ଦିନ ଦୁଇଟା ପରେ ଛବିଶ ଜାନୁଆରୀ । କର୍ମକର୍ତ୍ତାମାନେ କାର୍ଯ୍ୟସୂଚୀରେ ରଖିଥାନ୍ତି ପ୍ରଭାତ ଫେରି, ପତାକା ଉତ୍ତୋଳନ, ଖେଳ କସରତ, ମିଷ୍ଟାନ୍ନ ବଣ୍ଟନ ସକାଳପାଇଁ । ଉପର ଓଳି ସାଂସ୍କୃତିକ ଉତ୍ସବ ଏବଂ ଆତସବାଜି ।

 

ଆତସବାଜି ଦେଖିବାପାଇଁ ଖୁବ୍ ଇଚ୍ଛା ହୁଏ ଅସୀମାର । ଆତସବାଜି ଫୁଟିଉଠି ଆକାଶରୁ ଯିବ ପ୍ରଖର ବେଗରେ ଏକ ତୀର୍ଯ୍ୟକ୍ ଅଗ୍ନିରେଖା ଟାଣି, ତା’ପରେ ବହୁ ଊର୍ଦ୍ଧ୍ୱକୁ ଉଠି ଫୁଟିବ ଫୁଲଝରି ଝରାଇ । ସେଇ ଫୁଲଝରି ପରି ଖସି ପଡ଼ିବାପାଇଁ, ଚତୁର୍ଦ୍ଦିଗ ଆଲୋକ ଏବଂ ଆନନ୍ଦରେ ମୁଖରିତ କରି ନିଜ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇ ଦେବାପାଇଁ ଲୋଭ ହୁଏ ତା’ର । ଫୁଲଝର, ବାଣ, ରକେଟ୍ ସବୁର ପ୍ରକାଶ କ୍ଷଣିକ, କିନ୍ତୁ ସେଇ ମୁହୂର୍ତ୍ତକର ଦୀପ୍ତିରେ ସେ ଦେଖେ ଜୀବନର ବିପୁଳ ପ୍ରକାଶ, ଅଶେଷ ଉନ୍ମାଦନା । ଫୁଲଝରି ପରି ସେ ଝରିଯିବା ପାଇଁ, ସରିଯିବା ପାଇଁ ଚାହେଁ । ଆଉ ଚାହେଁ ସେଇ ଝରିଯିବା ଓ ସରିଯିବାର ଆନନ୍ଦରେ ଉଦ୍‍ବୁଦ୍ଧ ହେବାପାଇଁ ଓ ଅନ୍ୟକୁ ଉଦ୍‍ବୁଦ୍ଧ କରିଯିବା ପାଇଁ । ସେଇଥିପାଇଁ ତା’ର ଗୋଟିଏ ଅବଲମ୍ବନ ଲୋଡ଼ା, ଯେପରି ବାଣ ଫୁଟାଇବା ପାଇଁ ଗୋଟେ ବାଣୁଆର ଆବଶ୍ୟକତା ଥାଏ । ଅବିନାଶ ଏହି ପର୍ଯ୍ୟାୟର ଅବଲମ୍ବନ । ତାଙ୍କୁ ସେ ସ୍ନେହ ଓ ଶ୍ରଦ୍ଧାକରେ । ସ୍ୱାମୀ ତା’ପ୍ରତି ଅନୁରକ୍ତ ବୋଲି ଆନନ୍ଦ ମଧ୍ୟ ହୁଏ; କିନ୍ତୁ ସେଇ ସେତିକି । ତାଙ୍କ ପାଖରେ ସେ ଫୁଟିପାରେ ନାହିଁ, ଯେପରି ବାଣ ବାଣୁଆ ପାଖରେ ନ ଫୁଟି ଦୂରରେ ଫୁଟେ ଦୂରରେ ତା’ର କିରଣ ଏବଂ ଶୋଭା ବିକିରଣ କରେ । ତେଣୁ ତାଙ୍କର ସାନିଧ୍ୟ ପାଇ ମଧ୍ୟ ନିବିଡ଼ତା ପାଏ ନାହିଁ ଅସୀମା, ପାଖରେ ଥାଇ ମଧ୍ୟ ଦୂରତ୍ୱ ଅନୁଭବ କରେ । ସେ ଖୋଜିବୁଲେ ଗୋଟିଏ ଜୀବନର ଜାଗ୍ରତ ସାନିଧ୍ୟ, ଅଙ୍ଗାଙ୍ଗୀ ନିଭୃତ ନିବିଡ଼ତା । ଫୁଲଝରି ପରି ଝରିଯିବ ସେ କ୍ଷଣକରେ ତା’ର ସମସ୍ତ ଦାନ କରି ଏବଂ ତା’ ସଙ୍ଗେ ସଙ୍ଗେ ଯାହାପାଇଁ ସେ ଝରିବ, ତା’ରି ସର୍ବସ୍ୱ ଚାହେଁ ସେ । ସ୍ୱାମୀ ମୁହଁକୁ ଅନେକ ସମୟରେ ଚାହେଁ, କିନ୍ତୁ ଉତ୍ତର ପାଏନା । ଅବିନାଶଙ୍କୁ ପାଖରେ ଦେଖି ମଧ୍ୟ ସେ ତାଙ୍କ ଭିତରେ ଦେଖେ ଶିଥିଳତା, ଅଞ୍ଚଳ ଆବେଗ । ସେଇଥିପାଇଁ ବିହାରର ଅଳ୍ପ ଦିନ ମଧ୍ୟରେହିଁ, ଅବିନାଶ ତା’ ଜୀବନଯାତ୍ରା ଆଗରେ ଅପ୍ରଶସ୍ତ, ଅବହେଳିତ ଏକ ଉପପଥ ହୋଇ ରହିଗଲେ । ଚବିଶଟି ହେମନ୍ତର ସ୍ପର୍ଶ ତା’ ବୁକୁରେ ସ୍ପନ୍ଦନ ଜଗାଇଛି ବସନ୍ତର ପ୍ରତ୍ୟେକ ଆଗମନୀ ତାକୁ ନିଜର ସୁରଭିସାରଦ୍ୱାରା ସ୍ନାତକ କରିପାରିଛି, କିନ୍ତୁ ସେଇ ସ୍ପନ୍ଦନ, ସେଇ ସୁରଭିର ପରିପୂର୍ଣ୍ଣ ଉପଭୋଗ ହୋଇପାରି ନାହିଁ । ପ୍ରତ୍ୟେକଟି ଆଷାଢ଼ର ବର୍ଷଣ ମୁଖର ରଜନୀରେ କାନେ କାନେ ଶୁଣିଛି ତା’ ନିଷ୍ଫଳ ଯୌବନର କ୍ରନ୍ଦନ, କିନ୍ତୁ ଭାଙ୍ଗି ପଡ଼ି ନଥିଲା ସେ । ଅବିନାଶ ଧୀର, ଶାନ୍ତ ଓ ସହନଶୀଳ । ଉଚ୍ଚ ପଦସ୍ଥ କର୍ମଚାରୀ । ସଂସାରରେ ଯାହା ଥିଲେ ଜଣେ ଯଶ, ଖ୍ୟାତି ଓ ସୁଖ ଅର୍ଜନ କରେ, ସବୁ ତାଙ୍କର ଆୟତ୍ତ ଭିତରେ, କିନ୍ତୁ ଅସୀମା ସବୁଠାରୁ ଯାହା ବେଶୀ ଚାହିଁଥିଲେ, ଯାହାପାଇଁ ନିଜର ଜୀବନକୁ ତିଳ ତିଳ କରି ସେ ପାଇବା ଭିତରେ ଉପଲବ୍‍ଧ କରିବା ପାଇଁ ଅପେକ୍ଷା କରିଥିଲେ; ସେ ମନସ୍କାମନା ପୂର୍ଣ୍ଣ ହେଲା ନାହିଁ । ସେ ଚାହିଁଥିଲେ ଶ୍ରାବଣର ବନ୍ୟାପରି ବହିଯିବେ, କିନ୍ତୁ ଗ୍ରୀଷ୍ମର କୃଶତାନେଇ ରହିଗଲେ ସେ ।

 

ମନେ ମନେ ଅତିଷ୍ଠ ହୋଇ ଉଠନ୍ତି । ନିଜ ଅଧର ନିଜେ ଦଂଶନ କରି ଦେହର ଜ୍ୱାଳା କମାଇବା ପାଇଁ ଯାଇ ସେହି ଜ୍ୱାଳା ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି । ସେ ଦୁଃସହ ଜ୍ୱାଳାର ଅଶେଷ ଯନ୍ତ୍ରଣାରେ ଛଟପଟ ହୁଏ ତାଙ୍କର ଦେହ, ଭାରାକ୍ରାନ୍ତ ହୁଏ ମନ । ସେ ଚାହାଁନ୍ତି ଚାରିଆଡ଼କୁ । କିଏ ଆସିବ ତାଙ୍କ ପଥ ଆଗକୁ, କିଏ ଲୁଟି ନେବ ତାଙ୍କର ଅଫୁରନ୍ତ ଯୌବନର ଅକଳନ୍ତି ସଂପଦ ।

 

ସେ ବ୍ୟକ୍ତି ଆସିଥିଲା । ଆତସବାଜିର ଅତର୍କିତ ଏବଂ ଅଚାନକ ଶୋଭା ପରି ସେ ତାଙ୍କ ଆଖିଆଗରେ ବରେଣ୍ୟ ପୁରୁଷର ରୂପ ନେଇ ଦଣ୍ଡାୟମାନ ହୋଇଥିଲା । ସୁଶ୍ରୀ ଏବଂ ଦୀର୍ଘାଙ୍ଗ । ସେହି ଅବୟବରେ ସେ ଲକ୍ଷ୍ୟ କରିଥିଲେ ପୌରୁଷତ୍ୱର ପରାକାଷ୍ଠା । ଯେଉଁ ଶକ୍ତିମାନ ପୁରୁଷର ସ୍ୱାଗତ କରିବା ପାଇଁ ବହୁଦିନରୁ ପ୍ରତୀକ୍ଷା କରୁଥିଲେ ସେ, ସେହି ଚିରତ୍ରର ଚଟୁଳତା ନେଇ ଆସିଲା ଦେବଦତ୍ତ । ଦେବଦତ୍ତ ଦାସ । ଅବିବାହିତ ଦେବଦତ୍ତକୁ ଦେଖି ପୁଲକରେ ଶିହରି ଉଠିଥିଲେ ଅସୀମା ।

 

ଦେହର ପ୍ରତ୍ୟେକ ଅଙ୍ଗର ସତ୍ତାକୁ ଜାଗ୍ରତ କରି ସେହି ନବାଗତର ସ୍ୱାଗତ କଲେ ସେ ଆଜି, ତେଣୁ ଆତସବାଜିର କାର୍ଯ୍ୟସୂଚୀ ଦେଖି ଆନନ୍ଦରେ ଆତ୍ମହରା ହୋଇଥିଲେ । କାରଣ ଆଉ ମଧ୍ୟ ଗୋଟିଏ । ଦେବଦତ୍ତ ଥିଲା ସେ ଉତ୍ସବର ପ୍ରଯୋଜକ । ଏହି ଉଦ୍ୟମରେ ପ୍ରତ୍ୟେକଟି ଅନୁଷ୍ଠାନର କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଦିଷ୍ଟ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ କିନ୍ତୁ ଅସୀମାର ଉତ୍ସାହ ଥିଲା ସବୁଠାରୁ ଅଧିକ । ସେ ଅଭିନୟ କରିବ–ଆଉ ତା’ରି ମାଧ୍ୟମରେ ଉପଭୋଗ କରିବ ନିଜ ଆକର୍ଷଣର ଉତ୍କର୍ଷ ଦର୍ଶକର ଶତ ଚକ୍ଷୁରେ । ସେଇ ଚକ୍ଷୁର ନଗ୍ନ ଚାହାଣୀକୁ ଅଧିକ ନିର୍ଲଜ କରିବା ପାଇଁ ନିର୍ଲିପ୍ତ ପରି ଗୋଟିକ ପରେ ଗୋଟିଏ ଅଙ୍ଗରେ ଅବଶେଷ ଯେତେଦୂର ସମ୍ଭବ ଉନ୍ମୁକ୍ତ କରି ରଖିପାରିବ ଦର୍ଶକ ଆଗରେ । ଏଥିରେ ତା’ର ରୋମାଞ୍ଚ, ଅନ୍ୟ କିଛି ପାଉ ବା ନ ପାଉ । ସେଇ ରୋମାଞ୍ଚ ଭିତରେ ତ ସେ ଆତଯାତ ହେବାକୁ ଚାହେଁ, ପରକୁ ଆପଣାର କରିବା ପାଇଁ ପ୍ରଯତ୍ନ କରେ ।

 

ଦେବଦତ୍ତ ଆପଣାର ହୋଇଥିଲା । ନ ହେଲେ କ’ଣ ସେଦିନ କ୍ଳବର ସେଇ ନିଭୃତ କକ୍ଷରେ ତା’ର ଉଷ୍ମ ଆଲିଙ୍ଗନ ଭିତରେ ତାଙ୍କୁ ଶ୍ରୀ ମଣ୍ଡିତ କରିଥାନ୍ତା । ଏତିକିରେ ସନ୍ତୁଷ୍ଟ ନୁହନ୍ତି ସେ । କେହି ହୋଇପାରେନା । ସେ ଚାହାଁନ୍ତି ପୂର୍ଣ୍ଣାଙ୍ଗ ପରିଣତି । ସେ କାମନା କରନ୍ତି ଅବାରିତ ପ୍ରେମର ଅବଗାହନ । ତେଣୁ ସେହି ସନ୍ଧ୍ୟାରେ ଡ୍ରଇଂ ରୁମରେ ବସି ବସି କାହା ଆଗମନର ଅପେକ୍ଷା କରୁଥିଲେ ସେ । ଅବିନାଶ ଗସ୍ତରେ ଯାଇଥିଲେ । ଫେରିବାକୁ ରାତି ପ୍ରାୟ ଦଶଟାରୁ କମ୍ ହେବ ନାହିଁ ।

 

ଠିକ୍ ସନ୍ଧ୍ୟା ସାତଟାରେ ଗାଡ଼ି ଆସି ପହଞ୍ଚିଲା । ଟିକିଏ ବେଦନା ପାଇଲେ ଅସୀମା । ସବୁଦିନ ପରି ତାଙ୍କୁ ନେଇଯିବା ପାଇଁ ଦେବଦତ୍ତ ଆଜି ଆସି ନାହିଁ । ଯେଉଁଠାରୁ ମନ ବହୁକିଛି ପ୍ରତ୍ୟାଶା କରେ, ସେଠାରୁ ଟିକିଏ କମ୍ ବା ଅଳ୍ପ ଟିକିଏ ଅବହେଳା ପାଇଲେ ହତାଶ ହୁଏ । ସେହିପରି ହତାଶ ହୋଇଥିଲେ ସେ, କିନ୍ତୁ ତାହା କ୍ଷଣକ । ଅଳ୍ପ ସମୟ ମଧ୍ୟରେ ଯେତେବେଳେ ପୁଣି କ୍ଳବର ରିହରସେଲ କକ୍ଷରେ ଦେବଦତ୍ତ ସହିତ ମିଳିତ ହେଲେ ତା’ ଆଖି ଦୁଇଟାରେ ଏକ ଜାନ୍ତବ ବନ୍ୟତା ଲକ୍ଷ୍ୟକଲେ । ଆଉ ସେ ଦିନର ରିହରସେଲରେ ତାଙ୍କର ଅଭିନୟ ଏତେ ଚିତ୍ତାକର୍ଷକ ହୋଇଥିଲା ଯେ ନିଜେ କ୍ଳବର ସଭାପତି ଅଶୋକ ଦୀକ୍ଷିତ ଆସି ଅଭିନନ୍ଦନ ଜଣାଇଥିଲେ ଅସୀମାକୁ । ଏକାଙ୍କିକ “ପଦ୍ମ ପଳାଶ”ରେ ମୁଖ୍ୟ ନାୟିକା ହୋଇଛନ୍ତି ଅସୀମା । ତାଙ୍କ ସହିତ ପୁରୁଷ ଭୂମିକାରେ ଅଭିନୟ କରୁଛି ଦେବଦତ୍ତ । ପଦ୍ମ ଆଉ ପଳାଶ । ଦୁଇଟି ଫୁଟନ୍ତି, ଦୁଇଟି ଜୀବନ ବନ୍ୟାରେ ଉଦ୍ଭାସିତ; କିନ୍ତୁ ଜୀବନ ବନ୍ୟା କ’ଣ ସବୁବେଳେ ଧନ୍ୟ କରେ ପ୍ରାଣକୁ । ପୁଷ୍ପିତ ଯୌବନରେ ସନ୍ତାନର ମାୟା ନାହିଁ ତାଙ୍କର, କିନ୍ତୁ ତଥାପି ଯୌବନକୁ ଧନ୍ୟ କରି ତା’ର ପ୍ରତ୍ୟେକ ମୁହୂର୍ତ୍ତକୁ ମୂର୍ତ୍ତି କରି ତୋଳିବାପାଇଁ ଆଉ ଜଣକର ପ୍ରୟୋଜନର ପ୍ରତୀକ୍ଷା କରି କରି କେତେକ ବିରହ ବେଦନା ଧୌତ ରଜନୀ ବିତି ଯାଇଛି ତାଙ୍କର; କିନ୍ତୁ ମନର ସେଇ ମଣିଷ ସମ୍ପୂର୍ଣ୍ଣରୂପେ ଧରା ଦେଇନି । ସେଇ ମୁଖ୍ୟ ନାୟିକାର ବ୍ୟାଥାତୁର ଚରିତ୍ର ଭିତରେ ନିଜର ଦାହ ଦଗ୍ଧ ଜୀବନର ପରିଚୟ ପାଇଲେ ଅସୀମା । ତେଣୁ ଅଭିନୟର ପ୍ରତ୍ୟେକ ସଂଳାପରେ, ପ୍ରତ୍ୟେକ ଅଭିନୟର ଚାତୁର୍ଯ୍ୟରେ ଫୁଟିଉଠିଲା ଜୀବନ୍ତ ହୋଇ ତାଙ୍କର ଆତ୍ମନିବେଦନ, ବେଦନାପ୍ଳୁତ କାହାଣୀ । ଅବିନାଶ ରିହରସେଲରେ ଅଭିନୟ ଦେଖିବାକୁ ଆସି ନଥିଲେ; କିନ୍ତୁ ପତ୍ନୀଙ୍କୁ ଅଭିନୟ କରିବା ପାଇଁ ବାରଣ ମଧ୍ୟ କରି ନଥିଲେ । ଦିନେ ପଚାରିଥିଲେ ସେ ସ୍ୱାମୀଙ୍କୁ କାହିଁକି ସେ ଯିବେନି ଅଭିନୟ ଦେଖିବାପାଇଁ । ସାମାନ୍ୟ ହସି ଉତ୍ତର ଦେଇଥିଲେ ସେ ଯେଉଁଦିନ ମଞ୍ଚରେ ଅଭିନୟ ହେବ ସେଇଦିନ ଦେଖିବେ, ଆଗରୁ ଦେଖିଲେ ଆଗ୍ରହ ହୁଏତ କମିଯିବ ।

 

ଅସୀମାଙ୍କର ମନକୁ ପାଇଥିଲା କଥାଟା, କିନ୍ତୁ ଆଜି ହଠାତ୍ ମନେହେଲା ଏହା ଭିତରେ ମଧ୍ୟ ସ୍ୱାମୀଙ୍କର ଅବଜ୍ଞା ଓ ଅବହେଳା ରହିଛି । ଦେବଦତ୍ତ ସହିତ ଅଭିନୟ କରି ମଧ୍ୟ, ବାରମ୍ବାର ଗୋଟାଏ ସଂଳାପ ଆବୃତ୍ତି କରିମଧ୍ୟ ତାକୁ ଦେଖିବାର, ତା’ ସହିତ କଥାବାର୍ତ୍ତା ଓ ଅଭିନୟନରେ ଯୋଗ ଦେବାର ଆଗ୍ରହ ତ କମିଯାଉନି । ଦୀକ୍ଷିତ ସାହେବ ତ ପ୍ରତିଦିନ ଆସନ୍ତି । ସେ ଦିନ ନିଜ ଗାଡ଼ିର ସାମ୍ନା ସିଟ୍‍ରେ ବସାଇ ତାକୁ ରିହରସେଲ ପରେ ଘରକୁ ନେଇ ଆସୁଥିବାବେଳେ କେତେ ଉପଦେଶ ଦେଇ କହିଥିଲେ କେଇପଦ କଥା । ଦୀକ୍ଷିତଙ୍କ ପାଖରୁ ପ୍ରଥମଥର ପାଇଁ ଶୁଣିଲେ ସେ ତାଙ୍କର ଅଭିନୟ ଦକ୍ଷତା ଅଛି ବୋଲି । ପ୍ରଥମଥର ପାଇଁ ସେଦିନ ଦୀକ୍ଷିତ ତାଙ୍କୁ ଜଣାଇ ଦେଇଥିଲେ ସେ ଚଳଚିତ୍ରରେ ଅଭିନୟ କରିଥିଲେ ହୁଏତ ଜଣେ ଖୁବ୍ ଉଚ୍ଚ ଦରର ନାୟିକା ହୋଇପାରିଥାନ୍ତେ । ନିଜ ପ୍ରତିଭାର ଉନ୍ମୋଚନ ଅନ୍ୟ ଆଖିରେ ଦେଖି ବେଶ୍ ଭଲଲାଗିଥିଲା ତାଙ୍କୁ । କିନ୍ତୁ.......

 

କିନ୍ତୁ ଦିନେ ହେଲେ ଅବିନାଶ ତାଙ୍କୁ ଏକଥା କହି ନଥିଲେ । ଦିନେ ହେଲେ ତାଙ୍କ ସୁପ୍ତ ପ୍ରତିଭାର ବିକାଶପାଇଁ ଉତ୍ସାହ ଦେଇ ନଥିଲେ । ନାରୀ କ’ଣ କେବଳ ତା’ର ଭରଣ ପୋଷଣପାଇଁ ସ୍ୱାମୀ ଉପରେ ନିର୍ଭର କରେ । ନା, ନା, ନା । ମନଟା ତାଙ୍କର ବିପ୍ଳବ କରି ଉଠେ । ତା’ ଅପେକ୍ଷା ସେ ଅନେକ ଅଧିକ ଚାହାଁନ୍ତି । ସେ ଚାହିଁବା ତାଙ୍କର ଯଥାର୍ଥ । ଆଉ ସେ ଦାବି ଯଦି ଅବିନାଶ ପୂରଣ କରି ନ ପାରନ୍ତି, ସେ ତାହେଲେ ତାଙ୍କର ପଦଯୁଗଳକୁ ଚାହିଁ ଅରକ୍ଷିତା ପରି ସେ ପଡ଼ିରହିଥିବେ କାହିଁକି । ସେ ଆପେ ଆପଣାର ଅଧ୍ୟବସାୟଦ୍ୱାରା ବାହାରକୁ ଯିବେ । ଭିତରେ ଯଦି ହିମ ଶୀତଳତାର ସ୍ତୁପ ତାଙ୍କୁ ବିଞ୍ଚିତ କରୁଛି, ବାହାରକୁ ଯାଇ ସୂର୍ଯ୍ୟାଲୋକର ପ୍ରକାଶରେ, ସଙ୍ଗସୁଖର ଉତ୍ତାପରେ ସେ ହେବେ ଉଚ୍ଛ୍ୱାସମୟୀ । ଗୃହ କୋଣର ନିଭୃତ ପରିବେଶ ଭିତରେ ସେ ଆତ୍ମ ବଞ୍ଚନାରେ ଦଗ୍ଧ ହେବେ କାହିଁକି ! ତେଣୁ ଆଜି ଯେତେବେଳେ ଦୀକ୍ଷିତ ଆସି ତାଙ୍କୁ ଅଭିନନ୍ଦନ ଜଣାଇଲେ, ପ୍ରସନ୍ନ ମନରେ ଗ୍ରହଣ କଲେ ସେ । ନିଜ ଭିତରେ ଅହଂକାର କଲାଭଳି ଏକ ପ୍ରତିଭାର ସନ୍ଧାନ ପାଇଲେ । ସେ ସୁନ୍ଦରୀ । ସେ ତରୁଣୀ । ତାଙ୍କର ବ୍ୟକ୍ତିତ୍ୱ ଏବଂ ପ୍ରତିଭା ଅଛି । ଆଉ ଅଧିକ କ’ଣ ଜଣେ ନାରୀ ଚାହେଁ । ଯାହା ଅଛି ସେଇ ସମ୍ପଦଦ୍ୱାରା ନିଜକୁ ଖୁସି କରିବେ, ଅନ୍ୟକୁ ସୁଖୀ କରିବେ ।

ଦୀକ୍ଷିତ ସାହେବଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ଅସୀମା । ଚାହାଣୀରେ ଟିକିଏ ହସ ମିଶାଇ ଅଂଚଳଟା ଟିକେ ଖସାଇ ଦେଇଥିଲେ କାନ୍ଧ ଉପରୁ । ଦୀକ୍ଷିତ କୃତ୍ୟ କୃତ୍ୟ ହୋଇଯାଇଥିଲେ । ସେ ବୁଝନ୍ତି ପୁରୁଷର ମନ । ନାରୀ ପୁରୁଷ ପାଖରେ ଯେତିକି ରହସ୍ୟମୟୀ, ସେତିକି ପୁଣି ପ୍ରକାଶମୟୀ । ରହସ୍ୟର କଣିକାଏ ଉଦ୍ଘାଟନ କର, ଦେଖିବ ପୋଷା କୁକୁର ଲାଞ୍ଜ ହଲାଇ ପ୍ରଭୁ ଚାରିପାଖରେ ଘୁରିଲା ପରି ଦଶଜଣ ପୁରୁଷ ତୁମ ଚାରି ପାଖରେ ଘୁରି ବୁଲିବେ ଅହର୍ନିଶ । ଆନନ୍ଦ ହୁଏ ତାଙ୍କର ମନ । ଉତ୍‍ଫୁଲ୍ଲ ହୁଏ ହୃଦୟ ।

ସେଦିନର ଅଭିନୟ ଶେଷ କରି ଫେରିଲାବେଳକୁ ବେଶ୍ ରାତି ହୋଇଯାଇଛି । ଉତ୍ତର ଦିଗରୁ ଥଣ୍ତା କନକନିଆ ହାୱା ବହୁଛି ଦେହମନକୁ ଶୀତଳ ଏବଂ ସଂକୁଚିତ କରି । ଏଇ ରାତିରେ କେଜାଣି କାହିଁକି ରାସ୍ତାରେ ଫେରିବା ବା ଯିବା ଆସିବା କରିବା ପାଇଁ ଭଲଲାଗେନା ତାଙ୍କୁ । ଭୟ ଭୟ ଲାଗେ । ଯେଉଁଦିନ ତାଙ୍କୁ ଲକ୍ଷ୍ୟକରି ଏସିଡ଼ ଫୋପଡ଼ାଗଲା ସେଇଦିନୁ କେଜାଣି କାହିଁକି ରାତି ଫେରିଲାବେଳେ ଛାତି ଭିତରଟା ଦୁରୁ ଦୁରୁ କରେ । ଗୁରୁ ଗୁରୁ ମନରେ କେତେ କ’ଣ ଭାବିଯାନ୍ତି ଅସୀମା । କାହିଁକି କିଏ ତାଙ୍କର ଶତ୍ରୁତା କଲା ? ସେ ତ କାହାରି ଅନିଷ୍ଟ କରିନାହାନ୍ତି ।

ତାଙ୍କର ରୂପ ଅଛି, ଯୌବନ ଅଛି । ଫୁଲଟିଏ ଫୁଟିଲେ ଯେପରି ତା’ର ଶୋଭା ଆକର୍ଷଣ କରେ, ତା’ର ସୁରଭି ଆମୋଦିତ କରେ ସେଇ ସ୍ଥାନ ଏବଂ ବାତାବରଣକୁ, ସେ ଯଦି ରାସ୍ତାରେ ଚାଲିଯାଆନ୍ତି ବା ସମାଜରେ ଯୋଗ ଦିଅନ୍ତି, ତାହେଲେ ସେ ଲୁଚାଇ ରଖିବେ କିପରି ତାଙ୍କର ରୂପ ଯୌବନ । ଫୁଲ କ’ଣ ନ ଫୁଟି ରହିପାରିବ ! ତାହେଲେ କାହିଁକି କିଏ ତାଙ୍କର ଜୀବନ ଉପରେ ଆକ୍ରମଣ କରିବ । ଭାଗ୍ୟକୁ ସେଦିନ ମୁହଁ ଉପରେ, ଆଖିରେ ବା ଛାତି ଉପରେ ଏସିଡ଼ ପଡ଼ି ନଥିଲା । ବୋଧହୁଏ ଲୋକଟା ଏଥିରେ ସିଦ୍ଧହସ୍ତ ନୁହେଁ । ପ୍ରଥମଥର ପାଇଁ ଆସିଥିଲା; କିନ୍ତୁ ଯଦି ମୁହଁ ବା ଆଖି ଉପରେ ପଡ଼ିଥାନ୍ତା ? ଆଉ ଭାବିପାରିଲେ ନାହିଁ ସେ । ମଥାଟା ବୁଲାଇ ଗଲା~। ଆଗର କ୍ରସିଂରେ ହଠାତ୍ ଲାଲ ଆଲୁଅଟା ଦୀକ୍ଷିତ ସାହେବଙ୍କ ଗାଡ଼ି ଆଡ଼କୁ ସଂକେତ ଦେଇ ଫୁଟିଉଠିଲା । ଆଉ ସଙ୍ଗେ ସଙ୍ଗେ ଜୋରରେ ବ୍ରେକ୍ ଚାପିଲେ ଦୀକ୍ଷିତ । ଗାଡ଼ି ବନ୍ଦ ହୋଇଗଲା; କିନ୍ତୁ ଗୋଟାଏ ଝଟକା ଲାଗିଲା ଦେହରେ । ଭାରସାମ୍ୟ ରକ୍ଷା କରି ନପାରି ଦୀକ୍ଷିତଙ୍କ ଡାହାଣ କାନ୍ଧ ଉପରେ ଢଳି ପଡ଼ିଲେ ଅସୀମା । ଦୀକ୍ଷିତ ଯେତେବେଳେ କ’ଣ ହେଲା ଚାହିଁ ଦେଖିଲେ ସେତେବେଳେ ତାଙ୍କ ମୁହଁତଳେ ଅସୀମାର ଚିକୁର ଚିକ୍ ଚିକ୍ କରି ଉଠିଲା ଆଉ ସେହି ମୁହୂର୍ତ୍ତରେ ଉଷ୍ମଉଦ୍ଦାମ ଏକ ରକ୍ତ ପ୍ରବାହ ଛୁଟି ଗଲା ତାଙ୍କ ମଥା ଉପରେ । କାଳବିଳମ୍ବ ନ କରି ଏକ ଉତ୍ତପ୍ତ ଏବଂ ଉତ୍ତାଳ ଚୁମ୍ବନ ଆଙ୍କିଦେଲେ ଦୀକ୍ଷିତ ଅସୀମାଙ୍କର ସେହି ଚିକ୍କଣ ଚିକୁର ଉପରେ ଏବଂ ସେହି ସ୍ପର୍ଶର ତଡ଼ିତ୍ ପ୍ରବାହରେ ଛଟିକି ପଡ଼ିଲା ପରି ଯେତେବେଳେ ତୀବ୍ର ବେଗରେ ଉଠି ବସିଲେ ଅସୀମା, ସେତେବେଳକୁ ନୀଳ ଆଲୋକ ଦେଖି ଗାଡ଼ିରେ ଷ୍ଟାର୍ଟ ଦେଇଚନ୍ତି ଦୀକ୍ଷିତ ଏବଂ ପଛରୁ ଆଉ ଗୋଟିଏ ଗାଡ଼ି ତୀର ବେଗରେ ତାଙ୍କୁ ପଛରେ ପକେଇ ଆଗକୁ ଚାଲିଗଲା । ମନେହେଲା ଯେପରି କିଏ ତାଙ୍କୁ ଅନୁସରଣ କରି ଚାଲିଗଲା ।

ଅସୀମା କିଛି ନ କହି ଅସମାପ୍ତ ଯାତ୍ରାର ସମୟ ଟିକକ ନୀରବତା, ନିସ୍ତବ୍ଧତା ଭିତରେ କଟାଇ ଦେଲେ । ଦୀକ୍ଷିତ ଗୋଟେ ଅଧେ ଛୋଟ ମନ୍ତବ୍ୟ ଦେଇ କୌଣସି ଉତ୍ତର ନ ପାଇ ନୀରବ ରହିଲେ । ଠିକ୍ ଗାଡ଼ି ଆସି ଯେତେବେଳେ ତାଙ୍କ ପୋର୍ଟିକୋରେ ଛିଡ଼ାହେଲା, ସେତେବେଳେ ନିଜେ ଦରଜା ଖୋଲି କ୍ଷିପ୍ର ଗତିରେ ଓହ୍ଲାଇ ଗୃହ ଭିତରେ ପ୍ରବେଶ କଲେ ସେ । ସବୁଦିନ ପରି ଚିରାଚରିତ ନୀତିରେ କହିବାକୁ ଭୁଲିଗଲେ ଅସୀମା–ଧନ୍ୟବାଦ–Good night.

ଦୀକ୍ଷିତ ଆଶ୍ଚର୍ଯ୍ୟ ହେଲେ; କିନ୍ତୁ ସେ ଭୁଲି ନ ଯାଇ କହି ପକାଇଲେ–

Good night Mrs. Mahanty.

ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ ଅବିନାଶ ତାଙ୍କର ଅଷ୍ଟିନ ଗାଡ଼ିଟାରେ ଆସି ପହଞ୍ଚିଲେ ପୋର୍ଟିକୋ ପାଖରେ । ଦୀକ୍ଷିତ କେବଳ ସାମାନ୍ୟ ଦୁଇପଦ କଥା କହି ବିଦାୟ ନେଲେ । ତାଙ୍କ ଫେରିବା ପଥକୁ ଚାହିଁ ରହିଲେ ଅବିନାଶ କ୍ଷଣକପାଇଁ । ପରମୁହୂର୍ତ୍ତରେ ଆଖି ଫେରାଇଲେ ଅନ୍ୟଆଡ଼େ । ସାମ୍ନା ଆମ୍ବଗଛଟା ଉପରୁ ଫଡ଼୍ ଫଡ଼୍ କରି ପକ୍ଷୀ ଗୋଟାଏ ଚେଁ ଚେଁ କରି ଉପରକୁ ଉଡ଼ିଗଲା । ଘାସ ବୁଦାଭିତରୁ ଝିଣ୍ଟିକା ଗୋଟେ ଡାକିଲା ସିଁ ସିଁ ସିଁ । ଖରାପ ଲାଗିଲା ଅବିନାଶଙ୍କୁ ବାହାରଟାରେ ସେହିପରି ଛିଡ଼ା ହୋଇ ରହିବା ପାଇଁ । ନିଜ ଘର ଭିତରକୁ ପଶିବାପାଇଁ କେଜାଣି କାହିଁକି ବାଧା ଦେଉଥିଲା କିଏ ଯେପରି । ମନେ ମନେ କୌଣସି କାରଣ ଖୋଜି ପାଇଲେନି ସେ-। ଅଯଥା ମନଟା ତାଙ୍କର ସୀମିତ–ସଙ୍କୁଚିତ ହୋଇ ପଡ଼ିଲା ।

ଭିତରକୁ କିନ୍ତୁ ଯାଇ ଦେଖିଲେ ଅବିନାଶ ଅସୀମା ଆଲୁଅ ନିଭାଇ ଶୋଇପଡ଼ିଲେଣି । କେବଳ ସବୁଜ ବେଡ଼ଲାଇଟ୍‍ଟା ଜଳୁଛି । ସିଗାରେଟରେ ଅଗ୍ନି ସଂଯୋଗ କରି ଶୟନ କକ୍ଷ ଭିତରକୁ ଗଲେ ସେ । ସେଇ ସ୍ତିମିତ ଆଲୋକରେ ମଧ୍ୟ ତାଙ୍କୁ ଅସୀମାର ସେଇ ରକ୍ତାଭ ଚିବୁକ ଏବଂ ଅଧର କେଜାଣି କାହିଁକି ମଳିନ–ନିସ୍ତେଜ ଏବଂ ରକ୍ତଶୂନ୍ୟ ଦେଖାଗଲା ।

 

ପୋଷାକ ବଦଳାଇ ରାତ୍ରିଭୋଜନ ଅସମାପ୍ତ ରଖି ଦ୍ୱାରରୁଦ୍ଧ କରି ସବୁଜ ଆଲୋକ ମଧ୍ୟ ନିଭାଇ ଦେଲେ ସେ । ତା’ପରେ ଧୀରେ ଧୀରେ ଏବଂ ଅତି ସନ୍ତର୍ପଣରେ ପାଖ ବିଛଣାରେ ଅବିନ୍ୟସ୍ତ ଭାବରେ ଶୋଇ ପଡ଼ିଲେ ଅବିନାଶ ।

 

ପ୍ରକୋଷ୍ଠ ଭିତରେ ନିରନ୍ଧ୍ର ଅନ୍ଧକାର ଆସନ ମାଡ଼ି ବସି ରହିଥିଲା । ଅନ୍ଧକାର ଭିତରେ ମଧ୍ୟ ଆଖି ବନ୍ଦ କରି ସବୁ ଦେଖିପାରିଲେ ସେ । ସେ ଗଭୀର, ଘନକୃଷ୍ଣ ରାତ୍ରୀର କୋଳରେ ଶୋଇ ଜୀବନରେ ପ୍ରଥମଥର ପାଇଁ ଗୋଟାଏ ଉଦ୍ଧତ କୋହକୁ ଦମନ କରି ନିଜ ଆଖିରେ ଦୁଇ କୋଣରୁ ଦୁଇଟି ମୁକ୍ତା ବିନ୍ଦୁ ନିଜେ ତୋଳି ନେଲେ ଅବିନାଶ ।

 

ତା’ପରେ ପରେ ସେ ଶୋଇ ପଡ଼ିଲେ କେଶବତୀ କନ୍ୟାର କେଶ ପରି ଘନତିମିର ଭିତରେ ଜୁଳୁ ଜୁଳିଆ ପୋକର ଆଲୁଅ ଖୋଜି ଖୋଜି । ତାଙ୍କର ଦୁଇଟି ଚକ୍ଷୁ ଗ୍ରହରୁ ଗ୍ରହାନ୍ତର ଘୂରିବୁଲିଲା କାହାର ସନ୍ଧାନ କରି କରି ।

 

ସାତ

 

ଛବିଶ ଜାନୁଆରୀ ।

 

ଏ ମହାଜାତିର ଜୀବନ ଏବଂ ଜୟଯାତ୍ରାର ସ୍ପନ୍ଦନ ହେଉଛି ଛବିଶ ଜାନୁଆରୀ । ପରାଧୀନତାର ଶୃଙ୍ଖଳମୁକ୍ତ ଜୀବନକୁ ବିଜୟ ମଣ୍ତିତ କରି, ସମସ୍ତ ପ୍ରକାର ନିର୍ଭରତା ଛିନ୍ନ କରି ଏଇ ଦିନ ଭାରତ ବିଶ୍ୱ ଦରବାରରେ ଏକ ସମାନ ଅଂଶୀଦାର ଭାବରେ ଅନେକ ସ୍ୱାଧୀନରାଷ୍ଟ୍ର ସହିତ ଯୋଗଦେଲା । ପ୍ରଥମ ଛବିଶ ଜାନୁଆରୀ ସେଇଥିପାଇଁ ଆମ ଜାତୀୟ, ସାମାଜିକ, ଏବଂ ବ୍ୟକ୍ତି ଜୀବନରେ ଏକ ବିରାଟ ଭାସ୍ୱରିତ ବତୀ ଖୁଣ୍ଟ ଏବଂ ଆମର ଗଣଜୀବନରେ ଶ୍ରେଷ୍ଠ ପ୍ରତୀକ । ସେଇ ଛବିଶ ଜାନୁଆରୀ ଏ ଜାତିର ଜୀବନରେ ଅମର କରି ରଖିବାପାଇଁ ପ୍ରତିବର୍ଷ ଏହି ଶୁଭ ଦିବସରେ ଏ ଦେଶର ଆବାଳବୃଦ୍ଧ ବନିତାର କୋଳାହଳ ଏବଂ ଜୟଯାତ୍ରାରେ ଦିନଟି ମୂର୍ତ୍ତି ହୋଇ ଉଠେ ।

 

ସେଇ ଛବିଶ ଜାନୁଆରୀର ମହତ୍ୱ ଉପଲକ୍ଷେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସାହ ଏବଂ ଉଦ୍ଦୀପନା ଭିତରେ ପାଳିତ ହୋଇଗଲା । ସର୍ବଶେଷ କାର୍ଯ୍ୟସୂଚୀରେ ଥିଲା ନାଟକାଭିନୟ । ନାଟକ “ପଦ୍ମ ଏବଂ ପଳାଶ” ଅପ୍ରତ୍ୟାଶିତ ପ୍ରଶଂସା ଏବଂ ସଫଳତା ଲାଭ କଲା । ଦର୍ଶକ ମୁହଁରେ ବିଷୟ ବିସ୍ତୁର ସାବଲୀଳତା, ଅଭିନୟର ଉତ୍କର୍ଷତା ଏବଂ ମଞ୍ଚ ସଜ୍ଜାର ଭୂୟସୀ ପ୍ରଶଂସା ଶୁଣାଗଲା । ଅସୀମାର ପ୍ରାଣବନ୍ତ ଏବଂ ମୁକ୍ତ ଅଭିନୟ, ବିଭିନ୍ନ କଷ୍ଟକର ଅନୁଭୂତି ଓ ଅଭିବ୍ୟକ୍ତିର ସହଜ ଏବଂ ସୁଗମ ପ୍ରକାଶ ଦେଖି ଦର୍ଶକ ମଣ୍ତଳୀ ବିପୁଳ କରତାଳିରେ ଅଭିନନ୍ଦନ ଜଣାଇଲେ ତାଙ୍କୁ । ଜଣେ ଉତ୍ସାହୀ ଭକ୍ତ ତ ଏକାବେଳକେ ବିଭୋର ହୋଇ ମଞ୍ଚ ଉପରକୁ ଉଠି ଏକ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଦେଲେ ।

 

ପ୍ରଧାନ ଅତିଥି କଲିକତାର ବିଶିଷ୍ଟ ନାଗରିକ ଏବଂ ସରକାରଙ୍କର ଅତି ଉଚ୍ଚପଦସ୍ଥ କର୍ମଚାରୀ ଅମିତାଭ ଚୌଧୁରୀ ବ୍ୟକ୍ତିଗତ ଭାବରେ ଯାଇ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ନିଜର ଆନ୍ତରିକ କୃତଜ୍ଞତା ଜଣାଇଲେ ।

 

ଗ୍ରୀନ୍‍ରୁମର ଏକାଂଶର ଗୋଟିଏ ବେତ ଚୌକି ଉପରେ ନିଜର କ୍ଳାନ୍ତ ଦେହକୁ ମେଲି ଦେଇ ପରିଧାନ ପରିବର୍ତ୍ତନ କରୁଥିଲେ ଅସୀମା । ସେତିକିବେଳେ ଦେବଦତ୍ତ ଆସି ଛିଡ଼ା ହେଲା ତା’ ପାଖରେ । ତା’ ମୁହଁକୁ ଚାହିଁ ଟିକିଏ ହସିଲା ଅସୀମା । ପ୍ରତ୍ୟୁତ୍ତରରେ ସେ ମଧ୍ୟ ଦେଖିଲା ଦେବଦତ୍ତ ମୁହଁରେ ହସ ।

 

–କଂଗ୍ରାଚୁଲେସନ ।

 

–କଂଗ୍ରାଚୁଲେସନ ।

 

–କିନ୍ତୁ, ମୋତେ କାହିଁକି ଅଭିନନ୍ଦନ ଜଣାଉଛ । ମୋର ତାହା ପ୍ରାପ୍ୟ ନୁହେଁ–

 

–କିଏ କହିଲା ! ତୁମେ ନଥିଲେ ମୁଁ ଆଦୌ ଅଭିନୟ କରିପାରିନଥାନ୍ତି ।

 

–କାହିଁକି ?

 

–କାହିଁକି କ’ଣ ତୁମେ ଜାଣନି ଯେ ମୋତେ ପଚାରୁଛ । ଏତକ କହି ଦେବଦତ୍ତର ମୁହଁକୁ ଚାହିଁ ଦୁଷ୍ଟ ହସ ହସିଲେ ଅସୀମା ।

 

–ମୁଁ ଜାଣେନା......କହିଲା ଦେବଦତ୍ତ ।

 

–ସମସ୍ତେ ଜାଣିପାରିଲେ । ଆଉ ତୁମେ ଜାଣିପାରୁନା । ବିରାଡ଼ି ଲୁଚେଇ ଦୁଧପିଏ; କିନ୍ତୁ ଯାହାର ଦୁଧ ପିଇଯାଏ ସେ ଠିକ୍ ଜାଣିପାରେ ।

 

ଅସୀମାର ଆଖିରେ ପ୍ରଗଳ୍‍ଭତା ।

 

–ମିଷ୍ଟର ମହାନ୍ତିଙ୍କୁ କାହିଁ ଦେଖୁନି ତ ।

 

–ସେ ଆସିଥିଲେ, ମୋର ବିଳମ୍ବ ହୋଇପାରେ ଏଇଥିପାଇଁ ଗାଡ଼ିରଖି ଅଫିସ ଗାଡ଼ିରେ ଫେରିଯାଇଛନ୍ତି ।

 

–ଓଃ !

 

ଅସ୍ପଷ୍ଟ ଭାବରେ କହିଲା ଦେବଦତ୍ତ ।

 

–କ’ଣ ହେଲା ?

 

–ନା କିଛି ନୁହେଁ । ମୁଁ ଶୁଣିଥାନ୍ତି ତାଙ୍କରି ମୁହଁରୁ ତୁମ ଅଭିନୟ ବିଷୟରେ ।

 

ଟିକିଏ ନୀରବ ରହି କ’ଣ ଯେପରି ଭାବିଲା ଅସୀମା । ଦେବଦତ୍ତର ଆଖି ଉପରେ ଆଖି ରଖି କହିଲା ସେ–

 

–ତୁମେ ଦେଖିଲ ସେଇ ଯଥେଷ୍ଟ ହେଲାନି ଯେ ଅନ୍ୟ ମୁହଁରୁ ସେ ବିଷୟରେ ଶୁଣିବାପାଇଁ ବସିଛ ।

 

ସେ ଆଖିର ଚାହାଣୀରେ ନୈରାଶ୍ୟ ଏବଂ ବ୍ୟାକୁଳତା ଏକାଧାରରେ ଲକ୍ଷ୍ୟ କଲା ଦେବଦତ୍ତ । କଥାରେ ମୋଡ଼ ଫେରାଇ କହିଲା–

 

–ଛାଡ଼ ସେ କଥା । ତେବେ ଆଜି ସତରେ ତୁମେ ଚମତ୍କାର କରିଛ !

 

–ଆଉ ତୁମେ ?

 

–ଚନ୍ଦ୍ରର କ’ଣ ନିଜର ଆଲୋକ ଥାଏ । ମାଗି ଆଣିବା ଆଲୋକହିଁ ତା’ର ପ୍ରତିଭା । ତୁମେ ନଥିଲେ ମୁଁ କେଉଁଠି ଥାନ୍ତି କିଏ ଜାଣେ–କହିଲା ଦେବଦତ୍ତ ।

 

ରସିକତା କରି କହିଲା ଦେବଦତ୍ତ । ଅସୀମା କ୍ଷଣିକପାଇଁ ନିରୁତ୍ତର ହୋଇ ଚାହିଁଲା ତାକୁ । ତାଙ୍କ ସାମ୍ନାରେ ସୁଶ୍ରୀ, ବଳିଷ୍ଠ ଏକ ଜୀବନ୍ତ ପ୍ରତିମୂର୍ତ୍ତି । ତା’ କଥା ଭାରି ଭଲଲାଗିଲା ଶୁଣିବାପାଇଁ ନିଜର ସ୍ତୁତିଗାନ ଭିତରେ ନାରୀ ଖୋଜେ ସାର୍ଥକତା, ଦେଖେ ଆଗାମୀର ସ୍ୱପ୍ନ । ସ୍ୱାମୀର ସୋହାଗ, ବନ୍ଧୁର ମମତା ସବୁ ପାଣି ଫୋଟକା ପରି ମୁହୂର୍ତ୍ତକରେ ନିଶ୍ଚିହ୍ନ ହୋଇଯାଏ ମନରୁ ଯଦି ସେଥିରେ ନଥାଏ ତା’ର ବଡ଼ପଣ, ତାକୁ କେନ୍ଦ୍ରକରି ସଂସାରର ସବୁ ସିଦ୍ଧି ସାଧନା । ନାରୀ ଏ ଯୁଗର ସୃଷ୍ଟି ନୁହେଁ, ସେ ଚିରକାଳର । ଚିରନ୍ତନ ଭାବପ୍ରବଣତାହିଁ ତା’ର ଆତ୍ମିକ ପ୍ରକାଶ-। ଜାୟା ରୂପରେ ସେ ଯେପରି କଳ୍ପନାମୟୀ ଜନନୀ ରୂପରେ ସେହିପରି ସତ୍ୟ ଏବଂ ସୁଧାମୟୀ । ଜାୟା ହୋଇଛି ଅସୀମା, ଜନନୀ ହେବା ପାଇଁ ଇଚ୍ଛା ନାହିଁ ତା’ର । ମାତ୍ର ଚବିଶଟି ବସନ୍ତର ପ୍ରଲେପ ଲାଗିଛି ତା’ ଦେହରେ । ସନ୍ତାନର ମା’ ହେବା ଅପେକ୍ଷା ଫିଆଟ୍‍ର ଅଧିକାରିଣୀ ହେବା ପାଇଁ ଅଧିକ ପସନ୍ଦ କରେ ସେ । ଜନନୀ ହୋଇ ଜଞ୍ଜାଳ ଭିତରେ ନିଜ ସୌନ୍ଦର୍ଯ୍ୟର, ସୁକ୍ଷ୍ମ ସୁଖାନୁଭୂତିର ବିପର୍ଯ୍ୟୟ ଏତେ ଶୀଘ୍ର ଦେଖିପାରିବ ନାହିଁ । ସେଥିପାଇଁ ସର୍ବଦା ଦେହ ଏବଂ ମନକୁ ମେଲି ଦେଇଛି ସେ ରୋମାଞ୍ଚର ଶୀତ୍କାର ଭିତରେ । ସେଇଥିପାଇଁ ଆଜି ଜାୟାର କଳ୍ପନା ନେଇ ଜୟୀ ହେବା ପାଇଁ ଚାହେଁ ।

 

ଜାୟା ? ଜାୟା ? ଜାୟା ନ ହୋଇଥିଲେ ଜୟକରିବା ଅଧିକ ସୁଗମ ଓ ସହଜ ସାଧ୍ୟ ହୋଇଥାନ୍ତା ବୋଲି ମନେକରେ ଅସୀମା ! ଅବିନାଶ କଥା ଅବାନ୍ତର ହେଲେହିଁ ମନେପଡ଼ିଲା ତା’ର । ଆଜି ତା’ର ଏଡ଼େ ସୌଭାଗ୍ୟ ପାଇଁ ଅଭିନନ୍ଦନ ଜଣାଇଲେ ନାହିଁ ସେ । କେବଳ ଗତାନୁଗତିକ ରୀତିରେ ତା’ର ଅଭିନୟ ଦେଖି ଅନ୍ୟମନସ୍କ ଦର୍ଶକ ପରି କହିଥିଲେ–ଭଲ ହେଲା ଏଇ ପଦକ କଥାରେ ତା’ର ଯୁଗ ଯୁଗର ପ୍ରତୀକ୍ଷା ଶେଷ ହୋଇଗଲା । ଏଇ କଥାରେ ଉତ୍ତାପ କାହିଁ, ଏଇ ଭାଷାର ବେଗ କେଉଁଠାରେ ? ବାରମ୍ବାର ଏଇ ପ୍ରଶ୍ନ ନିଜକୁ ନିଜେ କଲେ ସେ; କିନ୍ତୁ ସେ ପ୍ରଶ୍ନର ଉତ୍ତର ଯେ ଦେଇଥାନ୍ତେ ସେତେବେଳେ ସେ ସେଠାରେ ନଥିଲେ । ଯାହା ନିଜ ସ୍ୱାମୀ ମୁହଁରେ ଦ୍ୱିଧା ଏବଂ ଦ୍ୱନ୍ଦ୍ୱର ଜଡ଼ତା ଭିତରେ ଅପ୍ରକାଶିତ ରହିଗଲା, ସେଇ ବହୁ ଆକାଂକ୍ଷିତ ବାଣୀ ଇପ୍ସିତର କଥା ଭିତରେ କେଡ଼େ ସହଜ ଏବଂ ସରଳ ଭାବରେ ପ୍ରକାଶ ପାଇଗଲା । କାହିଁ ତା’ର ପ୍ରଶଂସା କଲାବେଳେ ଦେବଦତ୍ତର ଜିହ୍ୱାରେ ଭାଷାର ଭୀରୁତା ତ ଦେଖାଗଲାନି । ବରଂ ଅନୁଭବର ଉତ୍ତପ୍ତତାରେ ତାହା ତା’ର ଅନ୍ତରାଲୋକକୁ ଉଦ୍‍ବୁଦ୍ଧ କରି ତୋଳିଲା ।

 

କ’ଣ ଏତେ ଭାବୁଛ–

 

ତା’ ଭାବନାର ଭାବାନ୍ତର ଆଣି ପଚାରିଲା ଦେବଦତ୍ତ ।

 

–କ’ଣ ଭାବୁଛି ବୁଝିପାରୁନି–

 

ଅସୀମାଙ୍କର ଭୀରୁ ଚାହାଣୀରେ ବେଦନାର ଝରଣା ଦେଖିଲା ଦେବଦତ୍ତ ।

 

–ବୁଝାଇ ନ ଦେଲେ ବୁଝିବ କିପରି–

 

ତାକୁ ପ୍ରଗଳ୍‍ଭ କରିବା ପାଇଁ କହିଲା ସେ–

 

–ଯେ ବୁଝେ ତାକୁ ବୁଝାଇ ଦେବା ଆବଶ୍ୟକ ହୁଏନା ଦେବ । ତୁମେ ସତରେ କୁହ ତ କ’ଣ ବୁଝିଛ !

 

ତା’ ଆଡ଼କୁ ଚାହିଁଲା ଅସୀମା । ସେଇ ଚାହାଣୀରେ କେତେ କାଳର ପ୍ରତୀକ୍ଷା, କେତେ ଯୁଗର ଆଗ୍ରହ । ଦ୍ୱିଧାରେ ପଡ଼ିଗଲା ସେ । କ’ଣ ଜବାବ ଦେବ ତାକୁ । ସେ ଜାଣେ କ’ଣ ଉତ୍ତର ଚାହେଁ ଅସୀମା । ସେ ବୁଝିପାରିଛି କ’ଣ କହିଲେ ଅଗ୍ନିବନ୍ୟା ବହିବ ତା’ର ଅନ୍ତର ଭିତରେ ।

 

ନିଜର ଭାବକୁ ଦମନ କରିପାରିଲା ନାହିଁ ଦେବଦତ୍ତ । ଭିଜା ସ୍ୱରରେ କହିଲା–ସେକଥା ଆଜି ନ ଶୁଣିଲ ବା !

 

–ନା, ନା, ଆଜି ମୁଁ ଶୁଣିବାକୁ ଚାହେଁ । ଏଇ ମୁହୂର୍ତ୍ତରେ ଆଉ ଅପେକ୍ଷା ନ କରି ଦେବଦତ୍ତର ଗୋଟାଏ ହାତ ନିଜ ହାତମୁଠା ଭିତରେ ଚାପି ରଖିଲେ ଅସୀମା । ଦେବଦତ୍ତ ଟିକିଏ ପାଖକୁ ଲାଗି ଆସି କହିଲା–କେଉଁଠି ଆମେ କଥାବାର୍ତ୍ତା କରୁଛେ ତୁମେ ଭୁଲିଯାଉଛ ଅସୀ–

 

ନା, ନା, ନା । ଲକ୍ଷେ ଲୋକସମାଗମରେ ମଧ୍ୟ ମୁଁ ଏଇ ପ୍ରଶ୍ନ ପଚାରିବି ଦେବ । କୁହ ତୁମେ, ଉତ୍ତର ତୁମକୁ ଆଜି ଦେବାକୁହିଁ ହେବ ।

 

ଅସୀମାର ଝୁଙ୍କି ପଡ଼ିଥିବା କାନ୍ଧ ଉପରେ ନିଜର ଡାହାଣ ହାତ ରଖି ଟିକିଏ ଚାପଦେଇ କହିଲା ସେ–

 

ତୁମେ ମୋତେ ଚାହଁ ଅସୀ.....

 

ଆଉ...ତୁ...ମେ...ଭଙ୍ଗା କଣ୍ଠରେ କହିଲା ଅସୀମା ।

 

ଉତ୍ତର କିନ୍ତୁ ଶୁଣି ପାରିଲାନି ସେ । ଗ୍ରୀନ୍ ରୁମର ଦ୍ୱାର ପ୍ରାନ୍ତରେ ଛିଡ଼ା ହୋଇ ଦୀକ୍ଷିତ୍ ସାହେବ କହିଲେ–ଭିତରକୁ ଆସିପାରେ କି ?

 

ଦେବଦତ୍ତ ସାମାନ୍ୟ ଦୂରକୁ ଆସି କହିଲା ଆସନ୍ତୁ, ଆସନ୍ତୁ ମିଷ୍ଟର ଦୀକ୍ଷିତ ।

 

ଅସୀମା ଅନ୍ୟମନସ୍କ ହୋଇଗଲା । ଭୁଲିଗଲା ସେ ତା’ର ସ୍ଥିତି । ଅବସାଦର ଅନାସକ୍ତି ଯେପରି ମୁହୂର୍ତ୍ତକ ଭିତରେ ତା’ର ଦେହ ଏବଂ ମନକୁ କେଉଁ ଏକ ଅବ୍ୟକ୍ତ ଯନ୍ତ୍ରଣା ଭିତରେ ଛାଡ଼ି ଦେଇ ଗଲା ।

 

ଦୀକ୍ଷିତ ସାହେବ କିନ୍ତୁ ଏକା ଆସିଲେ ନାହିଁ । ଆସିଲେ କଲିକତାର ବଡ଼ ସାହେବଙ୍କୁ ସାଙ୍ଗରେ ନେଇ । ଆଜିର ସଭାପତିଙ୍କୁ ନେଇ ଆସିଛନ୍ତି ସେ ଅସୀମା ସହିତ ପରିଚୟ କରାଇ ଦେବା ପାଇଁ । ଆଗକୁ ଆସି କହିଲେ ସେ–

 

ଏଇ ହେଉଛନ୍ତି ଅସୀମା ମହାନ୍ତି ! ଅଳ୍ପ ସମୟ ପୂର୍ବରୁ ଯାହାଙ୍କ ପ୍ରତିଭା ଆପଣଙ୍କୁ ମୁଗ୍ଧ ଏବଂ ବିସ୍ମୟ ବିଚଳିତ କରିଥିଲା ।

 

–ଆଉ ଏ ହେଉଛନ୍ତି ମି: ଅମିତାଭ ଚୌଧୁରୀ । ଆମ ଡିପାର୍ଟମେଣ୍ଟର ସର୍ବୋଚ୍ଚ କର୍ତ୍ତା । ଅସୀମା ନମସ୍କାର କଲା ଅମିତାଭଙ୍କୁ । ଅମିତାଭ ମୁଗ୍ଧ, ମୋହିତ ନେତ୍ରରେ ଅନାଇ ରହିଲେ ତା’ ଆଡ଼େ । ସେଇ ଚାହାଣୀର ତୀବ୍ରତା ବୋଧେ ସହିପାରିଲେନି ସେ । କେବଳ କ’ଣ ତୀବ୍ରତା ସେ ଚାହାଣୀରେ–ସେ ଦୃଷ୍ଟିରେ ଥିଲା ମଣିଷର ଆଦିମ କ୍ଷୁଧାର ଦୂରନ୍ତ ପ୍ରକାଶ । ଏ ଚାହାଣୀ ସହିତ ଅସୀମାର ପରିଚୟ ନୂଆ ନୁହେଁ । ଅଶ୍ୱସ୍ତିକର ମନେହେଲା ସେଇ ପରିସ୍ଥିତି; କିନ୍ତୁ ଅମିତାଭ ଆଉ ଅଧିକ ସମୟ ନଷ୍ଟ ନ କରି ସଂକ୍ଷେପରେ କହିଗଲେ ଆଗମନର ଉଦ୍ଦେଶ୍ୟ–

 

–ଆପଣଙ୍କର ଅଭିନୟ କେବଳ ଉଚ୍ଚକୋଟୀର ନୁହେଁ, ଅତି ଚିତ୍ତାକର୍ଷକ ମଧ୍ୟ । ମୁଁ ଅତ୍ୟନ୍ତ ଖୁସିହେଲି ମିସେସ୍ ମହାନ୍ତି । ମୋର କିନ୍ତୁ ନିମନ୍ତ୍ରଣ ରହିଲା ଆପଣଙ୍କୁ କଲିକତା ଆସି ଗ୍ରାଣ୍ତରେ ଆତିଥ୍ୟ ଗ୍ରହଣ କରି ଆମକୁ ଧନ୍ୟ କରିବା ପାଇଁ ହେବ ।

 

ହସିଲା ମୁହଁରେ ଅସୀମାଙ୍କର ମୁହଁକୁ ଚାହିଁ ସମ୍ମତି ପ୍ରତ୍ୟାଶା କଲେ ଅମିତାଭ ।

 

ଅସୀମା କିନ୍ତୁ କିଛି କହିବା ପୂର୍ବରୁ ଅତିଉତ୍ସାହର ସହିତ ବଡ଼ ସାହେବଙ୍କୁ ଅଧିକ ଖୁସି କରାଇବା ପାଇଁ କହିପକାଇଲେ ଦୀକ୍ଷିତ–

 

ନିଶ୍ଚୟ ! ନିଶ୍ଚୟ ! ଏଥିରେ ଆଉ ଅସମ୍ମତିର କାରଣ କେଉଁଠି ?

 

–ଅସମ୍ମତିର କାରଣ ନାହିଁ ମିଷ୍ଟର ଦୀକ୍ଷିତ; କିନ୍ତୁ ସୁବିଧା ଅସୁବିଧା ତ ଅଛି ।

 

–ନା, ନା, ଆପଣଙ୍କର ଯେବେ ସୁବିଧା ହେବ ଆପଣଙ୍କର ଯେବେ ଅସୁବିଧା ନ ହେବ ଆପଣ ଆସିବେ । ତେବେ ଯେତେ ଶୀଘ୍ର ସମ୍ଭବ ଆସିବାପାଇଁ ଚେଷ୍ଟା କରିବେ । ମୁଁ ଅବିନାଶଙ୍କୁ ମଧ୍ୟ କହିଯିବି । ଆପଣ ତ ଜାଣନ୍ତି ଯାହାର ପ୍ରତିଭା ଅଛି, ତା’ର ପରିଚୟ ଯେତେ ଶୀଘ୍ର ଲୋକେ ଜାଣନ୍ତି ସେତେ ଭଲ ।

 

ଅସୀମା କିଛି କହିଲେନି ଆଉ । ସେ ଚାହୁଁଥିଲେ କିପରି ଶୀଘ୍ର ସେମାନେ ବିଦାୟ ନିଅନ୍ତୁ । ସେୟା ହେଲା । ରାତି ଦଶଟା ବାଜି ସାରିଥାଏ । ଆଉ ବିଳମ୍ବ ନ କରି ପ୍ରକୋଷ୍ଠ ଭିତରୁ ନିଷ୍କ୍ରାନ୍ତ ହୋଇଗଲେ ସେମାନେ । ଦେବଦତ୍ତ ଗୋଟାଏ କଡ଼ରେ ଛିଡ଼ା ହୋଇ ସବୁ ଶୁଣୁଥିଲା; କିନ୍ତୁ କିଛି ନ କହି ନିଜର ଏଟାଚିଟା ଧରି ଆଗକୁ ଚାଲିଲା ।

 

–ଶୁଣ–

 

–କ’ଣ–

 

ଫେରି ପଡ଼ି କହିଲା ସେ ।

 

–ଏଇ ଅମିତାଭ ଚୌଧୁରୀକୁ ଦେଖି ତୁମର କ’ଣ ମନେହୁଏ ।

 

–ହଠାତ୍ ମୋତେ ଏ କଥା ପଚାରିଲ ଯେ ।

 

–ହଠାତ୍ ପଚାରିଲେ କ୍ଷତି ନାହିଁ ତ ? କିନ୍ତୁ ମୋର କ’ଣ ମନେହୁଏ ଜାଣ–ଆଉ ଯାହାହେଉ ଭଦ୍ରଲୋକ ସ୍ୱେଚ୍ଛାଚାରୀ ଏବଂ ଅହଂକାରୀ ।

 

–ଏକଥାରେ ମୋର ଆବଶ୍ୟକ ନାହିଁ । ମୁଁ ଯାଉଛି । ଆପତ୍ତି ନଥିଲେ ଆସିପାର ।

 

ନୀରସ ଉତ୍ତର ଭିତରେ ବିରକ୍ତି ଥିଲା ଦେବଦତ୍ତର । ଅସୀମା ବୁଦ୍ଧିମତୀ, ଅସୀଧାର ପରି ତୀକ୍ଷ୍‍ଣ ତାଙ୍କର ଧୀଶକ୍ତି । ସେ ପୁରୁଷର ମନ ଚିହ୍ନନ୍ତି । ସେ ତା’ର ପରିଚୟ ସହିତ ଘନିଷ୍ଠ ଭାବରେ ଜଡ଼ିତ । ଦେବଦତ୍ତର ଭାରୀ ମନକୁ ହାଲୁକା କରିବା ଉଦ୍ଦେଶ୍ୟରେ କହିଲେ ସେ–

 

–ତୁମର ଆବଶ୍ୟକତା ଥାଇ ନ ପାରେ ଦେବ; କିନ୍ତୁ ମୋର ଅଛି, ମୋ ସାମ୍ନାରେ କେହି ତମକୁ ଅପମାନ କରିଯିବ, ଅଥଚ.......

 

–ଅପମାନ ହେଲା କେଉଁଠି ?

 

ଦେବଦତ୍ତର ଉତ୍ତରରେ ପୁଣି ବିରକ୍ତି ।

 

–ଅପମାନ ନୁହେଁ । ହୋଇପାରନ୍ତି ସେ ଡିପାର୍ଟମେଣ୍ଟର ସର୍ବୋଚ୍ଚ କର୍ତ୍ତା; କିନ୍ତୁ ଭଦ୍ରତା ରକ୍ଷା କରି ଅନ୍ତତଃ ତୁମ ସହିତ ଅଳାପ କରିପାରିଥାନ୍ତେ ।

 

–ମୋ ସହିତ ଆଳାପ କରିବା ପାଇଁ ଆସି ନଥିଲେ ଅସୀ ! ସେ ଯାହାପାଇଁ ଆସିଥିଲେ, ତା’ ସହିତ ଯେତିକି ଆଳାପ କରିବାର କରିଗଲେ । ଆଉ ଯେତେହେଲେ ଆମେ ଅଧୀନସ୍ଥ ଅଫିସର.....

 

ଶେଷ ପଦକରେ ଶ୍ଳେଷ ଭରି ରହିଥିଲା–ସେ କଥା ଅନୁଭବ କଲା ଅସୀମା । ସେ କଥାର ଗତି ବଦଳାଇ କହିଲା–ଚାଲ ଯିବା, ରାତି ବହୁତ ହେଲାଣି, ତା’ପରେ ପ୍ରାୟ ସମସ୍ତେ ଚାଲିଯିବେଣି ।

 

–ହଁ ଚାଲ ! କିନ୍ତୁ ତୁମେ ଯେଉଁଦିନ ଗ୍ରାଣ୍ତରେ ଯୋଗଦେବ, ସେ ଦିନର ସଫଳତା କାମନା କରେ ମୁଁ ।

 

–ହିଂସା ହେଉଛି ତୁମର ନା ।

 

ତତେଇବା ପାଇଁ କହିଲା ସେ କିନ୍ତୁ ଫଳ ହେଲାନି । ଦେବଦତ୍ତ ତା’ର ମୁଖଭଙ୍ଗୀକୁ ଅପ୍ରକାଶ୍ୟ ରଖିବା ପାଇଁ ଆଗେଇ ଚାଲିଲା କକ୍ଷର ବହିର୍ଗମନ ପଥ ଉଦ୍ଦେଶ୍ୟରେ ।

 

ଅସୀମା ଅନୁରକ୍ତିର ସହିତ ଅନୁସରଣ କଲେ ତାକୁ । ଏତେବେଳକୁ ଅବସାଦ ତାଙ୍କର କଟି ଯାଇଥିଲା । ଆତ୍ମତୃପ୍ତିର ଆଭାସରେ ଧୀରେ ଧୀରେ ମହିମା ମଣ୍ତିତ ହୋଇ ଉଠୁଥିଲା ତାଙ୍କର ମନ ! ଅଭିନୟର ଉତ୍କର୍ଷତା ପାଇଁ ଯେତିକି ନୁହେଁ, ଅଭିନୟ କରିବାକୁ ଆସି ଦେବଦତ୍ତର ଚିତ୍ତ ଜୟ କରିପାରିଛନ୍ତି ବୋଲି ଆତ୍ମଗର୍ବ ଜାତ ହେଉଥିଲା ତାଙ୍କର । ଆଜି ବିଜିତ ଦେବଦତ୍ତ କେବଳ ତାଙ୍କର, ସେଥିରେ ମିଲିସେନର ବା ଆଉ କାହାରି ଅଧିକାର ନାହିଁ । ପୁରୁଷର ହିଂସା, ନାୟିକା ପ୍ରତି ତା’ର ଏକଛତ୍ର ମମତା ଭଲଲାଗେ ଅସୀମାଙ୍କୁ । ଏଇ ହିଂସା ନଥିଲେ, ଏଇ ପ୍ରଭୂତ୍ୱ ନଥିଲେ ପୁରୁଷ କ’ଣ ରକ୍ଷା କରିପାରିବ ତା’ର ନାରୀକୁ । ତା’ର ସକଳ ବାହୁ ବନ୍ଧନ ଭିତରେ ନିର୍ଭର ନିବିଡ଼ ଆଶ୍ରୟ ତଳେ ଯୁଗ ଯୁଗ ଧରି ଆତ୍ମବିସର୍ଜନ କରିଛି ନାରୀ । ଆଜି ଦେବଦତ୍ତ ତା’ ପ୍ରତି ଅମିତାଭର ଶ୍ୱାନ ଚକ୍ଷୁ ଦେଖି ହିଂସାରେ ଜର୍ଜରିତ ହୋଇ ଉଠିଛି । ଖୁସି ହେଲେ ଅସୀମା ମନରେ ପର ଲାଗିଲା ତାଙ୍କର ।

 

ସେ ଉଡ଼ିବାକୁ ଚାହାଁନ୍ତି । ଉପରକୁ ଉଠି ନୀଳ ପ୍ରଶାନ୍ତ ଆକାଶ ବୁକୁରେ ଉଷ୍ମତା ଏବଂ ଆଲୋକ ଉପଭୋଗ କରିବାକୁ ଚାହାଁନ୍ତି । ସେ ଚାହାଁନ୍ତି ଅନ୍ତରୀକ୍ଷର ବର୍ଣ୍ଣୋଜ୍ଜ୍ୱଲତା ଭିତରେ ନିଜକୁ ପ୍ରସାରିତ କରିବା ପାଇଁ, ସେ ଇଚ୍ଛା କରନ୍ତି ଦିଗନ୍ତର ରଙ୍ଗ ଭିତରେ ବିଭୋର ହୋଇ ଆତ୍ମସର୍ତ୍ତା ଭୁଲିଯିବା ପାଇଁ ।

 

ସେ ସଙ୍ଗ ପାଇଛନ୍ତି । ସାନିଧ୍ୟ ପାଇଛନ୍ତି । ମୂର୍ଚ୍ଛନା ଜାଗିଛି ତାଙ୍କର ଶୋଣିତରେ । ସେଇ କଳ୍ପଲୋକର କଳ୍ପ ଚାରିଣୀ ହେବେ ସେ ଦେବଦତ୍ତର ଗ୍ରହଣରେ । ସେ ଭୁଲିଯିବେ ଅବିନାଶଙ୍କର ଅଳୀକ ସ୍ମୃତି ଭୁଲିଯିବେ ଦୁଃସ୍ୱପ୍ନ ପରି ସ୍ୱାମୀ ସହିତ ତାଙ୍କ ଦେହର ଅଭିଷେକ ।

 

ଜାନୁଆରୀ ଛବିଶର ଜନସମାବେଶ ଭିତରେ ଆଗେଇ ଚାଲିଥିଲା ଦେବଦତ୍ତର ଫିଆଟ୍‍–ପ୍ରଶସ୍ତ–ଅପ୍ରଶସ୍ତ ଏବଂ ଉଚ୍ଚ ନୀଚ ରାସ୍ତା ଉପରେ ଆଲୋକ ଏବଂ ଅନ୍ଧକାର ଭିତରେ ।

 

ଆଠ

 

ଫଗୁଣ ! ଫଗୁଣ !! ଫଗୁଣ !!! କାନେ କାନେ ମନେ ମନେ ତୁରୀ ବଜାଇ କିଏ ଯେପରି କହିଦେଇ ଗଲା ଫଗୁଣ ଆସିଛି । ଆସିଛି ପ୍ରକୃତିର ପ୍ରତ୍ୟେକ ଅବୟବରେ ସ୍ପନ୍ଦନ ଜଗାଇ, ଆଣିଛି ପ୍ରକୃତି ଏବଂ ମଣିଷ ଦେହରେ ଓ ମନରେ ନୂତନତାର ସ୍ୱାଦ, ନବପଲ୍ଲବିତ ଶାଖାରେ, କିଶଳୟେ କିଶଳୟେ ନୂତନ ରଙ୍ଗ, ନୂତନ ସମ୍ଭାର । ଜୀବନର ଦ୍ୟୋତନା ଜାଗିଛି ପ୍ରତ୍ୟେକ ମଞ୍ଜରୀରେ । ମୁକୁଳିତ ପୁଷ୍ପ କୁଞ୍ଜ, ପଲ୍ଲବିତ ଆମ୍ର ଶାଖା, ନିର୍ମଳ ପ୍ରସାରିତ ସୁନୀଳ ଆକାଶରେ ଦେହ ଛୁଇଁ ଛୁଇଁ ବହି ଆସୁଛି ଚୋରାମଳୟ–ଅଙ୍ଗେ ଅଙ୍ଗେ ସ୍ପର୍ଶଦେଇ କହିଯାଉଛି–ମୁଁ ଆସିଛି ବସନ୍ତ ଆସିଛି । ଆସିଛି ଫଗୁଣ କୋଇଲିର କୁହୁତାନରେ ବିଦ୍‍ଗଧ ହୃଦୟା ଜାଗ, ସୁପ୍ତ, ଅବବେଳିତ ଅନ୍ତର ଧ୍ୱନିତ ହୁଅ, ବିଷାଦ–ବେଦନା ସିକ୍ତ ପ୍ରାଣ ପ୍ରଗଳ୍‍ଭ ଓ ପ୍ରଫୁଲ୍ଲ ହୁଅ !

 

ବସନ୍ତର ପ୍ରଥମ ସ୍ପର୍ଶ ଚଞ୍ଚଳ କଲା ମିଲିକି । ଦେହର ପ୍ରତ୍ୟେକ ସ୍ଥାନରେ ଅନୁଭବ କଲା ସ୍ଫୀତ ଏବଂ ସ୍ଫୁର୍ତ୍ତି । ମନରେ ବାରମ୍ବାର ପ୍ରତିଫଳିତ ହେଲା ଆଉ ଜଣକର ଛବି । ସର୍ବାଙ୍ଗରେ, ମନ ପ୍ରାଣରେ ଚାହିଁଲା ସେହି ଇସ୍ପିତର ସାନିଧ୍ୟ । ମାସାଧିକ କାଳ ଅତିବାହିତ ହୋଇଯାଇଛି; କିନ୍ତୁ ଦେବଦତ୍ତ ସହିତ ତା’ର କୌଣସି ଯୋଗାଯୋଗ ହୋଇ ନାହିଁ । କାହିଁକି ଏପରି ହେଲା, କାହିଁକି ସେଦିନ ସେ ଦେବଦତ୍ତକୁ ଅପମାନିତ କରି ଫେରାଇ ଦେଲା ନିଜ ଘରୁ ? କାହିଁକି ସେ ତାକୁ ପ୍ରତ୍ୟୁତ୍ତରରେ ଲାଞ୍ଛନା ନ ଦେଇ କିଛି ନ କହି ଫେରିଗଲା ! କାହିଁକି ସେ ତାକୁ ବୁଝାଇ କହି ପାରିଲାନି ତା’ ହୃଦୟର ବାଣୀ, ତା’ ଅନ୍ତରର ବ୍ୟଥା ଏବଂ ବେଦନା ? କେତେ ପ୍ରଶ୍ନ ଜାଗେ ମନରେ, ନିରୁତ୍ତର ରହିଯାଏ ସବୁ । ନିରୁତ୍ତର ତା’ର ସ୍ୱାଦ । ଆଶ୍ୱସ୍ତିତାର ସ୍ଥିତି । ସେଇ ବେଦନା ଏବଂ ଆଶ୍ୱସ୍ତି ଭିତରେ ନିଜର ପରିପୁଷ୍ଟ ଯୌବନକୁ ଅବଲୋକନ କଲା ମିଲି । ଦର୍ପଣ ଆଗରେ ଛିଡ଼ା ହୋଇ ସେ ନିରୀକ୍ଷଣ କଲା ନିଜର ମୁହଁ, ଦେହ ଓ ସର୍ବାଙ୍ଗକୁ । ଯେତେଦୂର ସମ୍ଭବ ଅନାବୃତ କଲା ଅଙ୍ଗଲତାକୁ । ଆବରଣର ନିବିଡ଼ତା ତ୍ୟାଗ କରି ଉନ୍ମୋଚନ କରିବାରେ ଏତେ ପୁଲକ, ଏତେ ଶିହରଣ ଆଗରୁ କେବେ ଜାଣି ନଥିଲା ସେ । ନିଜର ରୁଦ୍ଧ କକ୍ଷ ଭିତରେ ମିଲି ମେଲି ଧରିଲା ନିଜର ଦେହକୁ ଗୋଟାଏ ଦର୍ପଣ ଆଗରେ, ପ୍ରତ୍ୟେକ ଅଙ୍ଗର ଲାଳନ କରି ଦେଖିଲା ତା’ର ଅଭିବୃଦ୍ଧି । ଅଧରର ରକ୍ତାଭ ଶୋଭା ଅଧିକ ଚିକ୍କଣ ଦିଶୁଛି । ଚିବୁକ୍ ଏବଂ ଓଠ ତଳେ କିଏ ଯେପରି ତରଳ ଅଳତା ବୋଳି ଦେଇ ଯାଇଛି । ଆଖିର କଣେ କଣେ ସ୍ୱପ୍ନ ଛାତିରେ ଉଦ୍ଧତ ସ୍ଫିତ, କଟିରେ କୃଶତା–କିପରି କେଜାଣି ନିଜରୂପ ଦେଖି ନିଜେ ଅଭିଭୂତ ହୋଇ ପଡ଼ିଲା ସେ । ଅପୂର୍ବ ରୋମାଞ୍ଚ ଜାତ ହେଲା ତା’ର ସର୍ବାଙ୍ଗରେ । ଡନ୍‍ଲପ୍‍ପିଲୋର ଦଶଇଞ୍ଚ ଗଦିର ଦୁଗ୍ଧଫେନନିଭ ଶଯ୍ୟାରେ ଶୋଇ ଶୋଇ କେତେ କ’ଣ ସେ ଭାବିଲା । ନା, ନିବିଡ଼ତା ଲୋଡ଼ା । ମୋଜାଇକ୍‍କରା ପ୍ରକୋଷ୍ଠର ଚଟାଣରେ ଶୋଇଲା, ମାର୍ବଲ କାନ୍ଥର ଶୀତଳ କୋମଳତାର ସ୍ପର୍ଶ ଆଉଜି ପଡ଼ି ଉପଭୋଗ କଲା । ତା’ପରେ କ’ଣ ହେଲା କେଜାଣି ଏକ ଉଦ୍‍ଗତ କୋହ ଜାତ ହେଲା ତା’ ବୁକୁତଳେ । ସେଇ କୋହର ଦୁର୍ବାର ବେଦନା ବହନ କରି ନ ପାରି କଇଁ କଇଁ ହୋଇ କାନ୍ଦି ଉଠିଲା ମିଲି ।

 

ଆଲୁଳାୟିତ ଦେହ ତା’ର ଅବହେଳିତ, ଅସଂଲଗ୍ନ ହୋଇ ପଡ଼ି ରହିଲା ମୋଜାଇକ୍ ଚଟାଣ ଉପରେ । ତା’ପରେ ଏକ ନୀରବ ମୁହୂର୍ତ୍ତରେ ଉଠି ମୁହଁହାତ ଧୋଇଲା ଯାଇ ବାଥ୍ ରୁମରେ~। ବସ୍ତ୍ର ପରିଧାନ କରି ତା’ର ବିଷାଦ ବେଦନାପ୍ଳୁତ ମୁହଁଟାକୁ ଦେଖିନେଲା ଦର୍ପଣରେ । ଅବିନ୍ୟସ୍ତ କେଶକୁ ପ୍ରସାଧନ କରି, ପାଉଡ଼ରର ସାମାନ୍ୟ ପ୍ରଲେପ ମୁହଁରେ ଦେଇ ଘର ଭିତରୁ ନିଷ୍କ୍ରାନ୍ତ ହୋଇଗଲା ସେ । ଶୂନ୍ୟଗୃହ ହାହାକାର କରି ଉଠିଲା ତା’ର ଅନୁପସ୍ଥିତିରେ । ଭୂଇଁ ଉପରେ ପଡ଼ି ରହିଥିବା ଫୁଟନ୍ତା ଗୋଲାପ ଗୁଚ୍ଛ କେଉଁଆଡ଼େ ଯେପରି ଅପସାରିତ ହୋଇଯାଇଛି-

 

ବାହାରକୁ ଯାଇ କିଛି ସମୟ ବୁଲିଲା ସେ ବିଭିନ୍ନ ଫୁଲରେ ପରିପୂର୍ଣ୍ଣ ଉଦ୍ୟାନରେ । ଦୁଇଧାରରେ ଲମ୍ବ ହୋଇ ଉପରକୁ ଉଠିଛି କେତୋଟି ଦେବଦାରୁ, ପୂର୍ବ ପାଖରେ ଏକ କୋଣରେ ରୌଦ୍ରସ୍ନାତ ସହକାରେ କୋଇଲିର ପ୍ରଥମ କୁହୁତାନରେ ଗୁଞ୍ଜରୀ ଉଠୁଛି । କିଛି ସମୟ ଏପାଖ ସେପାଖ ହୋଇ ଲନ୍ ମଝିରେ ଥିବା କ୍ଷୁଦ୍ର ଜଳକୁଣ୍ତ ପାଖରେ ଆସି ବସିଲା ମିଲି । ନିର୍ମଳ ଜଳ ଭିତରେ ତା’ର ରୂପ ଦୋହଲି ଉଠିଲା । ଆଙ୍ଗୁଳି ଚାଳନ କରି ଛୋଟ ଛୋଟ ଢେଉର ସୃଷ୍ଟି କଲା ସେ । ସେଇ ଢେଉ ଭିତରେ ଦୋହଲି ଉଠିଲା ତା’ର ଛବିଟା–ଉପରକୁ ଚାହିଁଲା–ଉପରେ ଉଡ଼ି ଯାଉଥିଲେ ବଗବଗୁଲୀ । ପରିଷ୍କାର ରୌଦ୍ରସ୍ନାତ ଆକାଶ । ସୂର୍ଯ୍ୟ କ୍ରମଶଃ ପ୍ରଖର ହୋଇ ଉଠୁଛି । ଗୋଟାଏ ଫୁଟନ୍ତା ଗୋଲାପ ତୋଳି ଆଣି ବ୍ଲାଉଜର ଏକ କୋଣରେ ଖୋସି ଦେଲା । ଧଳାବ୍ଲାଉଜ ଉପରେ ଗୋଲାପଟି ଚହଟି ଉଠିଲା । ଗୁଣୁଗୁଣୁ ହୋଇ ଗୋଟେ ମନମତାଣିଆ ସିନେମା ଗୀତର ଗୋଟେ ଦୁଇଟା ପଦ ଗାଇଲା ସେ ।

 

ଆଉ କ’ଣ କରିବା ପାଇଁ ମନ ହେଲା ତା’ର । ହାତରେ କାମ କିଛି ନାହିଁ । ଗୋଟାଏ କଥା ମନେପଡ଼ିଲା । ବହୁତ ଦିନ ହେଲା ଭୁଲିଯାଇଥିଲା ସେ ସୁଏଟର ବୁଣାକଥା । ଦେବଦତ୍ତକୁ ଉପହାର ଦେବାପାଇଁ ଗୋଟାଏ ସୁଏଟର ବୁଣୁଥିଲା ସେ । ତା’ପରେ ଭୁଲିଯାଇଥିଲା ସେ ସବୁ ବିଭିନ୍ନ ଘଟଣାର ପ୍ରବାହରେ ଆଜି ପୁଣି ମନେପଡ଼ିଲା ତା’ର । ଭିତରକୁ ଯାଇ ଅସମାପ୍ତ ସୁଏଟର ଆଣି ବୁଣିବାରେ ମନ ଦେଲା ସେ । ପ୍ରାୟ ଶେଷ ହୋଇ ଆସିଲାଣି । ଆଉ ତିନି ଚାରି ଦିନ ପରିଶ୍ରମ କଲେ ସମ୍ପୂର୍ଣ୍ଣ ହୋଇଯିବ । ବୁଣୁ ବୁଣୁ କେଜାଣି କାହିଁକି କ’ଣ ମନେହେଲା ତା’ର, ଫୋନ ପାଖକୁ ଯାଇ ଡାଏଲ କଲା ନମ୍ବର । ସେ ପାଖରୁ କିଏ କହିଲା–ହ୍ୟାଲୋ !

 

ଟିକିଏ ନୀରବ ରହିଲା ମିଲି । କ’ଣ କହିବି, କହିବି ହୋଇ କହି ନ ପାରି ଢୋକ ଗିଳିଲା । ରଖିଦେଲା ଫୋନଟା ଉତ୍ତର ନ ଦେଇ । ଛାତି ଭିତରଟା ଗୁମୁରି ଉଠିଲା । ପୁଣି ଆଉଥରେ ରିସିଭର ଉଠାଇ ସେଇ ନମ୍ବର ଡାଏଲ କଲା ସେ । ସେ ପାଖରୁ ପୁଣି କିଏ ଜବାବ ଦେଲା–ହ୍ୟାଲୋ...

 

–ମୁଁ କହୁଛି...

 

–କିଏ ?

 

–ମୁଁ ମିଲି...

Unknown

 

–ଆରେ ଏତେଦିନେ ମନେପଡ଼ିଲା...ସଙ୍ଗେ ସଙ୍ଗେ ସେ ଉତ୍ତର ଦେଇପାରିଲାନି । ଟିକିଏ ନୀରବ ରହି ଭାବିଲା କ’ଣ କହିବ ତା’ପରେ ଢୋକ ଗିଳି କହିଲା–

 

–ତୁମର କ’ଣ ମନେ ଥିଲା ଯେ...

 

–ମୋର ମନେ ଥିଲା କି ନା ତୁମେ କ’ଣ ଜାଣନା ।

 

ଶିହରଣର ପ୍ରଥମ ରୋମାଞ୍ଚ ହେଲା ମିତାଳିର ।

 

–ତୁମ ସାଙ୍ଗରେ ତ ଅଭାବ ନାହିଁ । ଖୁବ୍ ଘୁରୁଥିବ–

 

–ସାଙ୍ଗ ଅଭାବ ନାହିଁ ସତ; କିନ୍ତୁ ସଙ୍ଗ ମିଳୁନି, କାଏଦା କରି କହିଲା ଦେବଦତ୍ତ ।

 

–ତୁମେ ବଡ଼ ବେଶୀ କଥା କହି ଶିଖିଛ ।

 

–କଥା କହିବା କ’ଣ ଦୋଷ ?

 

–ନା, କିନ୍ତୁ ସବୁବେଳେ କାଏଦା କରିବା ଦୋଷାବହ ।

 

ହସିଲା ମିଲି । ସେଇ ହସର ସ୍ପର୍ଶ ଲାଗିଲା ଆଉ ଗୋଟିଏ ମନରେ । ଆଲୋଡ଼ନ ଆଣିଲା ଆଉ ଗୋଟାଏ ଅନ୍ତରରେ । ପୋଖରୀର ଗୋଟିଏ ପାଖର ଲହରୀ ଯେପରି ଅନ୍ୟ ପାଖକୁ ଯାଇ ସ୍ପର୍ଶ କରେ, ସେଇପରି ଗୋଟିଏ ମାଦକତା ଅତ୍ୟ ହୃଦୟକୁ ସ୍ପର୍ଶ କଲା ।

 

–କ’ଣ କରୁଛ ଯେ....

 

–ବସି ବସି ଭାବୁଥିଲି....

 

ଅନ୍ୟମନସ୍କଭାବେ କହିପକାଇଲା ମିଲି ।

 

–କ’ଣ ଭାବୁଥିଲ ? ସେ ଭାଗ୍ୟବାନ କିଏ ଜାଣିବାରେ ଦୋଷ ଅଛି କି ।

 

–ନା, କିନ୍ତୁ ସେଇ ଭାବ୍ୟବତୀ କିଏ–ତାଙ୍କ ସମ୍ବନ୍ଧରେ ଭାବୁଥିଲି ।

 

–ଭାଗ୍ୟବତୀ !!

 

–ହଁ ଭାଗ୍ୟବତୀ ନ ହେଲେ ଆଉ କ’ଣ ? ତୁମ ପରି ଗୋଟାଏ ପଥରକୁ ଯେ ତରଳାଇ ପାରିବ ସେଇହିଁ କେବଳ ଭାଗ୍ୟବତୀ ।

ଟିକିଏ ରହି କହିଲା ଦେବଦତ୍ତ–ସେ କିଏ ?

 

–ମୁଁ ଜାଣିବି କିପରି, ତୁମେ ଜାଣିଥିବ ।

 

–ନିଶ୍ଚୟ ତମେ ଜାଣ ! ଲାଜରେ କହୁନ–

 

–ଲାଜେଇବି କାହିଁକି ? ମୁଁ କ’ଣ ଚୋରି କରିଛି ?

 

–ଚୋରି କରିନ ସତ; କିନ୍ତୁ ଚୋରିକରା ଜିନିଷ ନିଜ ପାଖରେ ରଖିଛ ।

 

ବୁଝିପାରିଲାନି ମିଲି–

 

–ମାନେ ?

 

–ମାନେ ନିଜକୁ ପଚାର । ଯାହା ଚୋରି କରିଛ, ତାହା କେଉଁଠି ଲୁଚାଇଛ ଥରେ ନିଜ ବୁକୁ ଭିତରକୁ ଚାହିଁ ଦେଖ ତ !

 

–ଦୁଷ୍ଟ !

 

–ତୁମେ ବଡ଼ ଶିଷ୍ଟ ଯେ ।

 

–ନ ହେଲେ ଆଉ କ’ଣ ? ଏତେ ଫାଜିଲାମି କାହା ପାଖରୁ ଶିଖିଛ ?

 

–ତୁମେ କୁହ–

 

–କହିବି ?

 

–ହୁଁ

 

–ନା, କହିବିନି.....

 

–ନା, ନା କୁହ–ଶୁଣିବାକୁ ଇଚ୍ଛା ହେଉଛି ।

 

–ଏତେ ଆଗ୍ରହ ତୁମର ଶୁଣିବାପାଇଁ ! ହଁ ନ ହେବ କାହିଁକି–ତାହା ସହିତ ଥିଏଟର, ସିନେମା, ନାଚ, ଗୀତ ସବୁ ହେଉଛି, ତା’ କଥା ନ ଶୁଣିଲେ ମନଟା ଉଚ୍ଚାଟ ହେବ କିପରି ?

 

ଅଭିମାନର ସ୍ୱର, ଈର୍ଷାର ଗୁଞ୍ଜନରେ ଝଙ୍କୃତ ହେଲା ଶେଷ କଥା ପଦକ । ଦେବଦତ୍ତକୁ ଅଛପା ରହିଲା ନାହିଁ । କାହା ସମ୍ପର୍କରେ କହିବାକୁ ଚାହେଁ ମିଲି । ସେ ବ୍ୟଥା ପାଇଲା ହୃଦୟରେ । ମିଲିକୁ କଣେଇ ଦେଇ ରଙ୍ଗମଞ୍ଜ ଉପରେ ସେ ଯେଉଁ ସମ୍ଭାର ମେଲାଇ ଦେଇଛି, ଅନ୍ୟର ସାନ୍ନିଧ୍ୟ ପାଇ, ତାହା ତା’ ପକ୍ଷରେ ସ୍ପୃହଣୀୟ ହୋଇପାରେ; କିନ୍ତୁ ମିତାଳି ପକ୍ଷରେ ନିଶ୍ଚୟ ମର୍ମାନ୍ତିକ; କିନ୍ତୁ ନିଜର ଅବସ୍ଥାକୁ ଭଲଭାବରେ ବୁଝାଇ ଦେବା ପାଇଁ କହିଲା ସେ–

 

–କ’ଣ କରିବି କୁହ, ମୁଁ ମନା କରିଥିଲେ ହୁଏତ ଛବିଶ ଜାନୁଆରୀର ସାଂସ୍କୃତିକ କାର୍ଯ୍ୟକ୍ରମ ଏକାବେଳକେ ବନ୍ଦ ହୋଇଯାଇଥାନ୍ତା ।

 

–ନା, ମନା କରିବ କାହିଁକି ? ଅବାଧ ମିଳାମିଶା କର, ସେଥିରେ ଆଉ କାହାର କ’ଣ ଯାଏ ଯେ–

 

ଅଭିମାନର ଆବେଗ ତୀବ୍ର । ମିଲିର ସ୍ୱରରେ ରୁକ୍ଷତା ଉଠୁଥିଲା–

 

–ତୁମେ କିନ୍ତୁ ଥିଏଟର ଦେଖିବାପାଇଁ ଆସି ନଥିଲ ।

 

–ଆହା ! ବଡ଼ ଦରଦ ମୋ ପାଇଁ; କିନ୍ତୁ ଯାଇଥିଲେ ଆଉ କ’ଣ ବାକୀ ଥିଲା ଯେ ନୟନ ମନର ବିବାଦ ମେଣ୍ଟାଇ ଥାନ୍ତି ।

 

–ତୁମେ ରାଗିଛ ?

 

–ନା, ସେ ଅଧିକାର ଯାହାର ଅଛି ସେ ରାଗିଲେ ତା’ ପାଖକୁ ଦଉଡ଼ିବ ।

 

–କ’ଣ ତୁମେ କହୁଛ ମିଲି !

 

–ମୁଁ ସତ କହୁଛି, ଯାହା ଦେଖିଛି, ତାହାହିଁ କେବଳ କହୁଛି ।

 

–ତୁମେ ନିଜକୁ ଏତେ ଛୋଟ କରିଦିଅନା–ମୋତେ ଛୋଟ କରି ଦେବା ପାଇଁ ତୁମର ଏ ଚକ୍ରାନ୍ତ; କିନ୍ତୁ କ’ଣ ଦୋଷ କରିଥିଲି ମୁଁ ତୁମର ମୋତେ ଅପମାନିତ କରିବାର ଅଧିକାର ତୁମକୁ ଦେଲା କିଏ ?

 

ଶେଷ କଥା ପଦକରେ ଜୋର ଥିଲା ମିଲିର । ଅଜ୍ଞାତରେ ରୁଦ୍ଧ ଆବେଗର ପ୍ରବଳ ପ୍ରକାଶ କରି ପ୍ରକାଶ ପାଇଲା ବେଦନାକ୍ଳିଷ୍ଟ ହୃଦୟର ହାହାକାର ଆଉ ସେଇ ରୁକ୍ଷତା ଭିତରେ ସେ ପାଖରେ ଅନୁଭବ କଲା ଦେବଦତ୍ତ ମିଲିର କୋହ ଜମି ଜମି ଆସୁଛି । ସେ ଭାବିପାରିଲାନି କ’ଣ କହି ସାନ୍ତ୍ୱନା ଦେବ । କ’ଣ କହିଲେ ଖୁସି ହେବ ସେ । କ୍ଷଣକ ପରେ ନିର୍ବୋଧ ପରି କହିଲା ଦେବଦତ୍ତ–

 

–ତୁମେ ଟିକିଏ ସଂଯତ ହୁଅ–ବରଂ ଆଉ ଅଳ୍ପ ସମୟ ପରେ ମୁଁ ଆସିବି ।

 

ଭୁଲିଗଲା ମିଲି କାହାକୁ କ’ଣ କହୁଛି । ମଥାଟା ତା’ର ଝିମ୍ ଝିମ୍ କରି ଉଠିଲା । ଗରମ ରକ୍ତ ପ୍ରବାହର ଝଲକ ଅନୁଭବ କଲେ ସେ ମଥାରେ କିପରି କେଜାଣି କ୍ରୋଧଦୀପ୍ତ ସ୍ୱରରେ ଅତି ନିଷ୍ଠୁର ଭାବରେ କହିଲା ସେ–

 

–ତୁମେ ସ୍ୱେଚ୍ଛାଚାରୀ । ତମର ଆସିବା ଦରକାର ନାହିଁ । ତୁମେ ଯେଉଁଠାକୁ ଗଲେ ସୁଖୀ ହେବ, ସେଇଠାକୁ ଯାଅ । ମୋତେ ଏକା ରହିବାକୁ ଦିଅ ।

 

ଆଉ କହିପାରିଲାନି ସେ । ସ୍ୱର ତା’ର ଭାଙ୍ଗି ଆସିଲା । ଫୋନ୍‍ଟା ଆପେ ଆପେ ପଡ଼ିଗଲା ହାତରୁ । ଆଉ ତା’ପରେ ପରେ ଉଚ୍ଛ୍ୱସିତ କ୍ରନ୍ଦନରେ ଫାଟିପଡ଼ିଲା ମିତାଳି । ତା’ ନିଜ କୋଠରୀ ଭିତରେ ପ୍ରବେଶ କରି ଶୋଇ ଶୋଇକାନ୍ଦିଲା, ଫୁଲି ଫୁଲି ନିଜର ସମସ୍ତ କୋହ, ସମସ୍ତ ଅଭିମାନର ଉଚ୍ଛ୍ୱାସକୁ ଲୁହର ଅସରନ୍ତି ପ୍ରବାହ ମଧ୍ୟରେ ଶାନ୍ତ କରିବାକୁ ଚେଷ୍ଟାକଲା । ନିର୍ବାକ ନିଷ୍ପନ୍ଦ ଦେବଦତ୍ତ ସେ ପାଖରେ ମୂକ ଭଳି ଛିଡ଼ା ହୋଇ ରହିଲା ।

 

ଦ୍ୱନ୍ଦ୍ୱ ! ଦ୍ୱନ୍ଦ୍ୱ ଜାଗିଛି ଗୋଟିଏ ମୁକୁଳିତ ଆଶାରେ । ସେଇ ଆଶାର ରସରେ ରସାଣିତ~। ଅନ୍ତରର ଆଲୋକରେ ଉଦ୍ଭାସିତ ଗୋଟିଏ ଛବି ମୂର୍ତ୍ତି ହୋଇ ଉଠିଛି ତା’ ଭିତରେ । ତା’ର ସମଗ୍ର ସତ୍ତାର ବିଲୁପ୍ତ କରି ତା’ର ଶକ୍ତି ଭିତରେ ସଞ୍ଚାର କରିଛି ଆଉ ଜଣକର ସ୍ଫୁର୍ତ୍ତି, ଆଉ ଜଣକର ସ୍ୱାଦ~। ସେଇ ସ୍ୱାଦର ଆସ୍ୱାଦନ ଅନୁଭବ କରି ନିଜକୁ ନିବେଦନ କରିବା ପୂର୍ବରୁ ଦେଖାଦେଲା ଦ୍ୱନ୍ଦ୍ୱ । ନାରୀ ହୃଦୟର ସେଇ ଦ୍ୱନ୍ଦ୍ୱର ତୀବ୍ରତା, ସେଇ ତୀବ୍ରତାର ତୀବ୍ରତମ ଅନ୍ତର୍ଦାହ ଏବଂ ଗ୍ଳାନି ବାଡ଼ବାଗ୍ନ ପରି ତା’ର ପ୍ରତ୍ୟେକ ଅବୟବ, ପାଞ୍ଚମନ ପଚିଶ ପ୍ରକୃତିକୁ ହୁ ହୁ କରି ଦିଗ୍ଧ କରିବାରେ ଲାଗିଲା । ଯେଉଁ ଛବିର ପ୍ରତିଫଳନ ହୋଇଥିଲା ତା’ର ମାନସ ମୁକୁର ଉପରେ, ସେ ଛବି ଆଜି କୁଜ୍‍ଝଟିକାରେ ଆଚ୍ଛାଦିତ । ତକିଆ ତଳୁ ଗୋଟିଏ ଛୋଟ ପ୍ଳାଷ୍ଟିକ ବ୍ୟାଗ ବାହାର କଲା ମିଲି । କ’ଣ ଦେଖିଲା, ପୁଣି ରଖିଦେଲା । ତା’ପରେ ପୁଣି ସେଇ ପ୍ଳାଷ୍ଟିକର ଛୋଟ କଭରଟାକୁ ନିଜ ଛାତି ଉପରେ ଜାକି ଧରି ପୁଣିଥରେ ଉଚ୍ଛ୍ୱସିତ ଆବେଗରେ ଲୋଟି ପଡ଼ିଲା ସେ ।

 

ଆଉ ଠିକ୍ ସେଇ ସମୟରେ କଲିଂ ବଲ୍‍ଟା କ୍ରିଂ, କ୍ରିଂ, କ୍ରିଂ...କରି ଆର୍ତ୍ତନାଦ କରି ଉଠି ଘୋଷଣା କଲା–ମୁଁ ଆସିଛି.......

 

–ନ, ନା, ନା–ତୁମେ ଫେରିଯାଅ, ଫେରିଯାଅ ତୁମେ ମନକୁ ମନ କହିଲା ମିତାଳି ।

 

କ୍ରିଂ.......କ୍ରିଂ.......କ୍ରିଂ........ପୁଣି ଆବେଦନ । ଚକ୍ଷୁର ଦୁଇ କୋଣରେ ଅଶ୍ରୁର ପ୍ଳାବନ । ଛାତି ଉପରେ ପ୍ଳାଷ୍ଟିକ କଭର ଭିତରେ ସଯତ୍ନ ରକ୍ଷିତ ଦେବଦତ୍ତର ଫଟୋଟିକୁ ବ୍ଲାଉଜ ଭିତରେ ଲୁଚାଇ ରଖି, ମୁହଁ ଧୋଇ ଆଗକୁ ପାଦ ବଢ଼ାଇଲା ସେ ।

 

ଦ୍ୱାର ସେପାଖରେ ମୁହଁରେ ହସ ନେଇ, ଚାହାଣୀରେ ଆଶାଦେଇ ଛିଡ଼ା ହୋଇଥିଲା ଦେବଦତ୍ତ ।

 

ନଅ

 

ଟଙ୍କା । ଏ ଯୁଗରେ ସର୍ବାପେକ୍ଷା ଅଧିକ ଆବଶ୍ୟକତା ଟଙ୍କାର । ଅର୍ଥ ଏ ଯୁଗର ସାଧନାର ଫଳ, ତା’ରି ସ୍ଥିତିରେହିଁ ବ୍ୟକ୍ତି ବିଶେଷ, ସମାଜ ଏବଂ ରାଷ୍ଟ୍ରର ସମ୍ମାନ । ଅର୍ଥ ସଂଗ୍ରହର ଉପାୟ ଆଣିଛି ଅନର୍ଥ । ଆଣିଛି ସଂଘର୍ଷ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ । ସଭ୍ୟତାର ଅଭ୍ୟୁଦୟ ଆଣିଛି ବିଂଶ ଶତାବ୍ଦୀରେ ଏକ ଅଦ୍ଭୁତ ଅର୍ଥ ଚେତନା-। ଆଜି ତପସ୍ୟାର ଆଦର ନାହିଁ, ମୂଲ୍ୟବୋଧ ପାଇଁ ଶ୍ରମ ଦେବାର ଶ୍ଳାଘା ନାହିଁ, ଅଛି କେବଳ କଳେବଳେ କୌଶଳେ ଅର୍ଥ ଆତ୍ମାସାତ କରି ନିଜର ଅବୟବ ପୁଷ୍ଟ କରିବା । ଯେ ଦୁର୍ବଳ ଯେ ଅନୁନ୍ନତ ଏବଂ ଯେ ଅଜ୍ଞତାକୁ ନିଷ୍ପେଷିତ କରି ତାଙ୍କର ସ୍ୱେଦ ଏବଂ ଶୋଣିତ ଶୋଷଣ କରିବାରେହିଁ ବାହାଦୁରୀ । ଯେ ପଙ୍ଗୁ, ଯେ ଅଥର୍ବ ଏବଂ ନିର୍ବୋଧ, ତାକୁ ଗ୍ଳାନି ଏବଂ ଦୈନ୍ୟର ହାହାକାର ଓ ଦାରିଦ୍ର୍ୟର ନଗ୍ନତା ଭିତରେ ରଖି ଏ ଯୁଗର ଅର୍ଥକାରୀ ମଣିଷ ଆତ୍ମସନ୍ତୋଷ ଏବଂ ଆନନ୍ଦ ପାଇଛି । ଦୁର୍ବଳର କରୁଣ ବିଳାପ, ତା’ର ମର୍ମାନ୍ତକ ନିବେଦନ ଅସ୍ପଷ୍ଟ ହୋଇ ଶୁଣାଯାଇନି ଅର୍ଥର ରଥଚକ୍ରର ବଜ୍ର ନିର୍ଘୋଷ ନିନାଦର କୋଳାହଳରେ । ସେଇ ରଥଚକ ତଳେ କେତେ ଜୀବନ୍ତ, ମୁମୂର୍ଷୁ ଓ ଅର୍ଦ୍ଧ ଜୀବନ୍ତ ମଣିଷ ନିଷ୍ପେଷିତ ହୋଇ ମିଶି ଯାଇଛନ୍ତି ମାଟିରେ । ସେମାନଙ୍କର ଶେଷକଥା, ଶେଷ ଚାହାଣୀ କେହି ଶୁଣି ନାହିଁ ବା ଦେଖିନାହିଁ । ସେମାନେ ଅଗଣିତର ଅସମ୍ମାନ ନେଇ, ଦାରିଦ୍ର୍ୟର ଦୈନ୍ୟ ନେଇ ଫେରିଯାଇ ଅଛନ୍ତି ଏଇ ଧରଣୀରୁ । ସେମାନେ କ’ଣ ସତରେ ଆଉ ଫେରିବେ ? ଫେରିବେ ସଂଘବଦ୍ଧ ହୋଇ ସଂଘର୍ଷ କରି ସେମାନଙ୍କର ଶେଷରକ୍ଷା ରଖିବାପାଇଁ । ସ୍ୱର୍ଗର ସହସ୍ର ତାରକାର ଆଖି ମିଟିକା ଭିତରେ ସେମାନଙ୍କର ଇଶାରା, ଉଲ୍‍କାର ପ୍ରବଳ ବେଗରେ ସେମାନଙ୍କର ଅଭିଯାନ ଏବଂ ଅନ୍ତରୀକ୍ଷର ତୀବ୍ରତା ଭିତରେ ସେମାନଙ୍କର ଦୁର୍ମଦ ନିଶ୍ଚୟତା ପରିଲକ୍ଷିତ ହେଉଛି । କିନ୍ତୁ ସେଇ ଦିନର ସମାଗତ ପୂର୍ବରୁ ଆଜି ଅର୍ଥର ରଥଚକ୍ର ଚାଲିଛି ଅବ୍ୟାହତ ଭାବରେ ।

 

ଏଇ ଶୋଷଣ ଭିତରେ ଭରି ରହିଛି ବୈଷମ୍ୟର ମୂଳ ମଞ୍ଜି–ଉଚ୍ଚ, ନୀଚ, ଧନୀ ନିର୍ଦ୍ଧନ, ଛୋଟ ବଡ଼ ମଧ୍ୟରେ ଭେଦଭାବ । ସମ୍ଭ୍ରାନ୍ତ ସଂସ୍କୃତିବନ୍ତର ପରଦା ଉହାଡ଼ରେ ଅବିଚାର ଅନାଚାର ଏବଂ ସ୍ୱୈରାଚାରର ବିଭତ୍ସଲୀଳା ଲାଗିରହିଛି ଗୋପନରେ । ବିଂଶ ଶତାବ୍ଦୀର ସଭ୍ୟ ଭାବରେ ଯେଉଁମାନେ ଉପର ସ୍ତରର ବୋଲି ପରିଚିତ, ଯେଉଁମାନେ ରୁଚିବାନ୍ ଏବଂ ସଂସ୍କୃତ ବୋଲି ଅଭିମାନ କରନ୍ତି, ଟିକିଏ ନିରେଖି ଦେଖ, ଦେଖିବ ସେମାନଙ୍କର ଆବରଣ ଲଜ୍ଜା ଢାଙ୍କିବା ନୁହେଁ, ଅରୁଚି ଏବଂ ଅନାଚାରକୁ ଘୋଡ଼ାଇ ରଖିବା ପାଇଁ । ସେମାନଙ୍କର ଦେହରେ ଓ ଜଠରରେ ଅଗ୍ନି ଜଳୁଛି । ସେଇ ଅଗ୍ନିର ଶାନ୍ତିପାଇଁ ଏବଂ ସେଇ କ୍ଷୁଧାର ପରିତୃପ୍ତି ପାଇଁ କେବଳ ଖାଦ୍ୟ ଓ ପାନୀୟର ପ୍ରୟୋଜନ ଯଥେଷ୍ଟ ନୁହେଁ । ସେଇ କ୍ଷୁଧାର ବ୍ୟାପ୍ତି ଅଙ୍ଗର ଉତ୍ତେଜନାରେ ଓ ଶୋଣିତର ତପ୍ତତାରେ । ତାହା ପ୍ରଶମିତ ହେବା ପାଇଁ ଅନ୍ୟର ସ୍ତ୍ରୀ, ଅନ୍ୟର କନ୍ୟା ପ୍ରୟୋଜନ । ନିଜ ଗୃହିଣୀର ଅଯାଚିତ ସେବା ଓ ନିବେଦନରେ ସେମାନଙ୍କର ଶିହରଣ ନାହିଁ ବା ତୃପ୍ତି ନାହିଁ । ପଡ଼ୋଶୀର କନ୍ୟା, ବନ୍ଧୁର ଭଗ୍ନୀ ଏବଂ ପରିଚିତର ସ୍ତ୍ରୀ ସେମାନଙ୍କର ରୁଚିର ରୋମାଞ୍ଚ ଓ କ୍ଷୁଧା କ୍ଷାନ୍ତ କରିବାର ଅବଦାନ ।

 

ଏଇ ସଭ୍ୟତା ସମାଜର ବଡ଼ପଣ୍ତା, ରାଷ୍ଟ୍ରର ନେତା ଓ ବିଭିନ୍ନ ସଂସ୍ଥାର ଉପରିସ୍ଥ ଆଭିଜାତ ଅଫିସରମାନଙ୍କ ଭିତରେ ଅତ୍ୟାଧୁନିକ ମୂଲ୍ୟବୋଧରେ ପରିପୁଷ୍ଟ ସେଇ ସଭ୍ୟତାର କର୍ଣ୍ଣଧାରମାନଙ୍କ ମଧ୍ୟରେ ଦୀକ୍ଷିତ ସାହେବ ଥିଲେ ଅନ୍ୟତମ । ପ୍ରୌଢ଼ ବିଭୂତି ଦୀକ୍ଷିତଙ୍କ ବୟସ ପଞ୍ଚଚାଳିଶ ବା ତଦୂର୍ଦ୍ଧ ହେଲେ ମଧ୍ୟ ଅଙ୍ଗ ସୌଷ୍ଠବ ଦେଖି କେହି ପଞ୍ଚତିରିଶରୁ ଅଧିକ ବୋଲି କହିପାରିବନି । ବିବାହିତ । ଦୁଇଟି ସନ୍ତାନର ଜନକ । ସ୍ତ୍ରୀ ବେଶ୍ ଆଭିଜାତ ଏବଂ ସୁଶିକ୍ଷିତା; କିନ୍ତୁ ନିଜଘରେ ଖାଇ ଅଏସ ମେଣ୍ଟେନା ଦୀକ୍ଷିତ ସାହେବଙ୍କର । ନିତ୍ୟ ନୈମିତିକଜୀବନର ସ୍ୱାଦ ଆହରଣ କରି ଜୀବନକୁ ପୁଷ୍ପଳ କରିବା ପାଇଁ ନାରୀ ତାଙ୍କର ପ୍ରୟୋଜନ । ନାରୀର ତାରୁଣ୍ୟର ପ୍ରତ୍ୟେକ ସଙ୍କେତ ସମ୍ପର୍କରେ ତାଙ୍କର ଅସୀମ ଅତୁରତା ଏବଂ ଅଶେଷ ଆବେଗ । ନାରୀ ଚରିତ୍ର ଉପରେ ତାଙ୍କର ଜ୍ଞାନ ବେଶ ଗବେଷଣାମୂଳକ । ବିଭୂତି ଦୀକ୍ଷିତ ଅଫିସର ସବୁଠାରୁ ବଡ଼ ସାହେବ । ଅଙ୍ଗୁଳିର ନିର୍ଦ୍ଦେଶରେ ହୁକୁମ ତାଲିମ କରିବା ପାଇଁ, ଆଖିର ଇଶାରାରେ ଓରମାନ ମେଣ୍ଟାଇବା ପାଇଁ ଲୋକର ଅଭାବ ନାହିଁ ତାଙ୍କର ।

 

ଜୀବନରେ ବହୁ ନାରୀ ଭୋଗ କରିଛନ୍ତି ସେ । ମୁକ୍ତ ଭୋଗିନୀ ପାଖରୁ ଆରମ୍ବ କରି ଗୃହାଞ୍ଚଳର ବଧୂ ପର୍ଯ୍ୟନ୍ତ ବାଦ୍ ଯାଇନାହାନ୍ତି । ପ୍ରମୋସନ ଯଦି କାହାର ପ୍ରାପ୍ୟ, ସେ ହେଉଛି ଯଦି ତା’ର ସୁନ୍ଦରୀ ସ୍ତ୍ରୀ ଦୀକ୍ଷିତା ସାହେବଙ୍କ ଗହଣରେ ଖେଳାବୁଲା କରିପାରେ । କଣ୍ଟ୍ରାକ୍ଟ ସେ ପାଏ, ଯାହାର ଭଗ୍ନୀ, କନ୍ୟା ବା ଗୃହିଣୀ ଡାକବଙ୍ଗଳାର ନିବିଡ଼ତା ଭିତରେ ତାଙ୍କର ଅତିକ୍ରାନ୍ତ ଯୌବନକୁ ମୁଖର ଏବଂ କ୍ଷିପ୍ତ କରି ତୋଳେ । ଏତେସବୁ ହେଲେ ମଧ୍ୟ ସୁଖୀ ନୁହଁନ୍ତି ସାହେବ । ମନେହୁଏ ତାଙ୍କର ଏତେ ସ୍ୱାଦ ଭିତରେ ଯେପରି ଆଉ କିଛି ସ୍ୱାଦର ଅଭାବ ରହିଗଲା । ଏତେ ଚରିତ୍ରର ଯିବା ଆସିବା ଭିତରେ ଆଉ ଯେପରି କ’ଣ ଅଦୃଶ୍ୟ ବା ଅନାସ୍ୱାଦିତ ରହିଗଲା । ସେଇ ଦୀକ୍ଷିତ ସାହେବ ଅସୀମାକୁ ଦେଖିଲା ଦିନୁ ଅସୀମ କୌତୁହଳୀ ହୋଇ ଉଠିଛନ୍ତି । ତା’ର ଉଦ୍ଧତ ଚାହାଣୀ, ଉନ୍ନତ ବକ୍ଷ, ଆସକ୍ତି ପୂର୍ଣ୍ଣ ଅଧର ଏବଂ ଲାସ୍ୟମୟୀ ଗତି ଭିତରେ ସେ ଆମନ୍ତ୍ରଣ ପାଇଛନ୍ତି; କିନ୍ତୁ ସାର୍ଥକ ହୋଇନାହାନ୍ତି ସେଇ ତୃପ୍ତିର ତୂଳୀତଳ୍ପରେ ମଜ୍ଜି ଯିବାପାଇଁ । ଆଜି ଛାତିତଳେ ତାଙ୍କର ଏକ ଅତୃପ୍ତ ଅନ୍ତରାତ୍ମା ଚିତ୍କାର କରି କହି ବୁଲୁଚି ଅସୀମା ତାଙ୍କର ଆବଶ୍ୟକ ।

 

କିନ୍ତୁ ଅସୀମା ଧରା ଦେଇ ଧରା ଦେଇନାହାନ୍ତି । ଦେହ ଭିତରେ ଉତ୍ତାପ ଜଗାଇ ଦୂରକୁ ଚାଲିଯାଇଚନ୍ତି । ସେଇଥିପାଇଁ ସେ ଦିନ ରାତ୍ରିର ସେଇ ନିଭୃତ ଗାଡ଼ି ମଧ୍ୟରେ ତାଙ୍କର ଉତ୍ତପ୍ତତାକୁ ପ୍ରଶମିତ କରିବା ପାଇଁ ଅସୀମାର ଅନବଗୁଣ୍ଠ ତ ଯୌବନକୁ ସ୍ପର୍ଶ କରିଥିଲେ ସେ, ଅଧର ଉପରେ ଦଂଶନ କରିଥିଲେ ସେ । କିନ୍ତୁ ସେପାରିର ହିମ ଶୀତଳତାର ସ୍ପର୍ଶ ଭିତରେ ସେ ପାଇଥିଲେ ବିତୃଷ୍ଣା ଏବଂ ବିତରାଗର ପ୍ରବାହ । ତେବେ ତାଙ୍କୁ କ’ଣ ଅସୀମା ଅନାଗ୍ରହ ଦେଖାଇଛି~। ନା, ନା, ସେ ତାହା କଦାପି ସହ୍ୟ କରିପାରିବେ ନାହିଁ । ଦେହରେ ଏତେ ଦାହ ନେଇ ସେ ସୁସ୍ଥ ହୋଇ ରହିପାରିବେ କାହିଁ । ରୋଗୀପରି ମନେ ମନେ ପ୍ରଳାପ କଲେ ସେ, ଅସୀମା ମୋର ଆବଶ୍ୟକ ।

 

ଅସୀମାର ମୂଲ୍ୟ ଦୀକ୍ଷିତ ସାହେବ ଦେବା ପାଇଁ ସଙ୍କଳ୍ପ କଲେ । ସେ ମୂଲ୍ୟ ଅର୍ଥ, ମାନ, ପ୍ରତିପତ୍ତି ଯାହାଦ୍ୱାରା ହେବ ସେ ତାହାହିଁ ଦେବେ । ଅଫିସର ସର୍ବୋଚ୍ଚ କର୍ତ୍ତା ସେ । ତାଙ୍କରି କଲମ ଗାରଦ୍ୱାରା ସମ୍ଭବ ଅସମ୍ଭବ ହେଉଛି ଏବଂ ତାଙ୍କର ସେଇ କଲମଦ୍ୱାରା ଅନେକ ସ୍ଥଳରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରୁଛି । ସମ୍ଭାବନା ଯେଉଁଠି ଅଛି ସମ୍ଭବ ସେଠାରେ ନିଶ୍ଚୟ କରିବା ପାଇଁ ହେବ । ପ୍ରତ୍ୟେକ ମଣିଷର ମନ ସମ୍ଭାବନାମୟ ଭାବଦ୍ୱାରା ପରିପୃଷ୍ଟ । ଏହା ନ ହେଲେ ସେ ଆଗକୁ ଚାଲିପାରିବ ନାହିଁ, ସଙ୍କଳ୍ପ ଏବଂ ସାଧନା କରିପାରିବ ନାହିଁ ।

 

ଅସୀମା କିନ୍ତୁ ଏଡ଼େ ସହଜରେ ମିଳିଲେ ନାହିଁ । କ୍ଳବରେ ପିକ୍‍ନିକ୍‍ରେ ବା କେଉଁଠି ସନ୍ଧ୍ୟା ମିଳନରେ ଯେଉଁଠାରେ ସାକ୍ଷାତ ହେଲା ତାଙ୍କ ସହିତ ସଖ୍ୟ ଆଚରଣ ଭିତରେ ଏଇ ଗୋଟାଏ ସଙ୍କଳ୍ପର ସିଦ୍ଧିପାଇଁ ଅନେକ ସାଧ୍ୟ ସାଧନା କଲେ ସେ; କିନ୍ତୁ ଯାହା ଏତେ ସହଜ ଲବ୍‍ଧ ବୋଲି ମନେହେଉଥିଲା, ତାହା ଅତି କଷ୍ଟ ସାଧ୍ୟରେ ପରିଣତ ହେଲା ଯାହା ଏତେ ପାଖରେ ଏବଂ ଅତି ଆପଣାର ବୋଲି ମନେହେଉଥିଲା ତାହା ପାଖରେ ଥାଇ ମଧ୍ୟ ସେଇ ଅଳ୍ପ ବ୍ୟବଧାନ ମଧ୍ୟରେ ଅତ୍ୟଧିକ ଦୂରତ୍ୱ ଅନୁଭବ କଲେ ଦୀକ୍ଷିତ ସାହେବ । କିନ୍ତୁ ଗୋଟିଏ ଅବଳା ତରୁଣୀ ଆଗରେ ଏଡ଼େ ସହଜରେ ହାରମାନି ଯିବେ ସେ ? ତା’ର ଫୁଟନ୍ତି ଯୌବନରେ ନିଜର ସଙ୍କେତ ନ ରଖି ଏତେ ଅନାୟାସରେ ଛାଡ଼ିଦେବେ ନା, ତାହା ସମ୍ଭବ ନୁହେଁ, ହୋଇପାରେନା ।

 

ଯେତିକି ତା’ ବିଷୟରେ ଚିନ୍ତା କଲେ, ସେତିକି ତାକୁ ପାଇବାର ଇଚ୍ଛା ବଳବତୀ ହୋଇ ଉଠିଲା । ନିଶା ଖାଇଲା ଲୋକ ଯେପରି ଭାଙ୍ଗ ନିଶାର ପ୍ରଭାବରେ ଗୋଟାଏ ଭାବକୁ ନେଇ ମଶଗୁଲ ହୋଇ ରହେ ସେହିପରି ଅସୀମାଙ୍କୁ ପାଇବାର ବଳବତୀ ଆଶା ଏବଂ ଲାଳସା ଦୀକ୍ଷିତ ସାହେବଙ୍କୁ ପାଗଳ କରି ତୋଳିଲା । ନିଜର ସ୍ତ୍ରୀ ମନୀଷା ସାଙ୍ଗରେ ଅକାରଣରେ ଖରାପ ବ୍ୟବହାର କଲେ, ଅଯଥା ଅନେକ ଅର୍ଥ ଖର୍ଚ୍ଚ କରିଦେଲେ ସେ । ଅସୀମା ତାଙ୍କର ପାର୍ଟିକୁ ଆସିଲେ, ବଣଭୋଜୀରେ ଯୋଗଦେଲେ ଏବଂ ତାଙ୍କ ବାହୁ ଭିତରେ ବାହୁ ରଖି ନାଚିଲେ–କିନ୍ତୁ ସେତିକି । ଆଗକୁ ଆଉ ଅଗ୍ରସର ହେଲେନି ସେ । ଯେଉଁ ଉତ୍ତାପ ସଂଚରି ଆସିଲା ସେହି ସ୍ପର୍ଶରେ, ତାହାର ଉପଶମ ହେବା ଆଗରୁ ସେଇ ଅଗ୍ନି ଦଗ୍ଧର ବିଡ଼ମ୍ବନା ଏବଂ ଅସ୍ୱସ୍ତି ଭିତରେ ଛାଡ଼ିଦେଇ ଦୂରକୁ ଅନ୍ତର୍ହିତ ହୋଇଗଲେ ଅସୀମା । ହିଂସା ଜଡ଼ିତ ରକ୍ତାଭ ଚକ୍ଷୁରେ ଲକ୍ଷ୍ୟ କଲେ ଦୀକ୍ଷିତ ଦେବଦତ୍ତ ଏବଂ ଅସୀମା ମଧ୍ୟରେ ବୃଦ୍ଧି ପାଉଥିବା ସାନ୍ନିଧ୍ୟ । ଅବିନାଶଙ୍କର ମୁହଁକୁ ଚାହିଁ ତାଚ୍ଛଲ୍ୟର ହସ ହସିଲେ ସେ । ମାଇଚିଆଟାଏ । ପୌରୁଷତ ନାହିଁ ଭୋଗ କରିବା ପାଇଁ । ତାଙ୍କରି ହାତ ଦେଇ ତାଙ୍କରି ନିଜ ଜିନିଷ କାଢ଼ି ନେବାର ଉଦ୍ଦାମ ଉଦ୍ଦୀପନା ପ୍ରବଳ ହୋଇ ଉଠିଲା । ଅବିନାଶଙ୍କୁ ସେଦିନ ଅଫିସର ଲଞ୍ଚ ଅବସର ସମୟରେ ଡକାଇ ପଠାଇଲେ ଦୀକ୍ଷିତ୍ ସାହେବ । ଆଜି ଆଉ ଘରକୁ ଯାଇ ଲଞ୍ଚ ଖାଇବାପାଇଁ ମନ ହେଲାନି ତାଙ୍କର । ଲଞ୍ଚ ମଗାଇ ଆଣିଲେ । ବବୁର୍ଚ୍ଚି ଅଫିସ ଭିତରେ ସବୁ ଆୟୋଜନ କରିଦେଇ ଗଲା । ଅବିନାଶଙ୍କୁ ସେଦିନ ଅଫିସରେ ଲଞ୍ଚପାଇଁ ନିମନ୍ତ୍ରଣ କଲେ । ଠିକ୍ ଗୋଟାଏବେଳେ ଆସି ପହଞ୍ଚିଲେ ସେ । ଦୀକ୍ଷିତ ସାହେବ ନିଜ ଆସନ ଉପରୁ ଉଠିଯାଇ ଅଭ୍ୟର୍ଥନା କରି ନେଇ ଆସିଲେ । ଆପ୍ୟାୟିତ କରି ଶିକାର ଧରିବା ତାଙ୍କର ବିଶେଷ ଲକ୍ଷଣ । ଅବିନାଶ ଆସି ବସିଲେ ଆରାମ ଚୌକିରେ । ତାଙ୍କ ପାଖକୁ ଲାଗି ବସିଲେ ଦୀକ୍ଷିତ ସାହେବ–ଚାଲ ଆଗେ ଖିଆପିଆ ଶେଷ କର । ତା’ପରେ ବସି ଗଳ୍ପ କରିବା–ଆଜି ଅଫିସରେ ବସି କାହିଁକି ଲଞ୍ଚ କରିବା ମନହେଲା ଆପଣଙ୍କର ପଚାରିଲେ ଅବିନାଶ ।

 

–ଆରେ ସବୁ ଦିନର ସେଇ ଏକ ଢଙ୍ଗରେ ନା ଅଛି ସୁଖ, ନା ଅଛି ଚାଞ୍ଚଲ୍ୟ । କିଛି ଗୋଟାଏ ନୂତନତା ନଥିଲେ ସରସତା ଆସେନା ଅବିନାଶ !

 

–ତା’ ଠିକ୍, କିନ୍ତୁ ଘରେ ମିସେସ୍ ଅନୁଭବ କରିଥିବେ ଆପଣଙ୍କର ଅନୁପସ୍ଥିତି–ତୁମେ ଠିକ୍ କହିଛ ! କିନ୍ତୁ ସମସ୍ତେ କ’ଣ ମିସେସ୍ ମହାନ୍ତି ଅବିନାଶ–

 

କହି କହି ହସି ଉଠିଲେ ସେ । ସେଇ ହସରେ ଯୋଗ ଦେଇ ଆତ୍ମତୃପ୍ତି ପାଇଲେ ଅବିନାଶ । ଅସୀମା ତାଙ୍କର ଖ୍ୟାତି ଏବଂ ଲୋକପ୍ରିୟତା ମୂଳରେ, ଏହା ସେ ଭଲଭାବରେ ହୃଦୟଙ୍ଗମ କଲେ ।

 

–କ’ଣ କହୁନ ଯେ କିଛି ।

 

ଟିକିଏ ରହି ପଚାରିଲେ ଦୀକ୍ଷିତ ସାହେବ । ଅବିନାଶ ଉତ୍ତର ଦେଲେନି, ଟିକିଏ ହସିଲେ କେବଳ । ଦୀକ୍ଷିତ ସାହେବ କହିଲେ–ଚାଲ, ଟେବୁଲ ଉପରେ ନ ହେଲେ ଗରମ ଖାଦ୍ୟ ଥଣ୍ତା ହୋଇଯିବ ।

 

ଦୁହେଁ ଯାଇ ନିକଟସ୍ଥ ଏକ ଟେବୁଲର ଦୁଇ ପାଖରେ ମୁହାଁମୁହିଁ ହୋଇ ବସିଲେ । ଦୀକ୍ଷିତ ସାହେବ ବ୍ରାଣ୍ତି ଢାଳି ସୋଡ଼ା ସାଙ୍ଗରେ ମିଶାଇଲେ । ଅବିନାଶ ଟିକିଏ ଇତଃସ୍ତତ କଲେ । ପାନୀୟରେ ତାଙ୍କର ଆଗ୍ରହ ନାହିଁ; କିନ୍ତୁ ନିଜର ବଡ଼ ସାହେବ । ମନା କରି ନ ପାରି ହାତରେ ଗ୍ଳାସ ଉଠାଇ ଯୋଗ ଦେଲେ ପାନରେ । ପିଇ ସାରିବା ପରେ ଚିକେନ୍ ରୋଷ୍ଟର ଗୋଟେ ଅଂଶ ଚୋବାଉ ଚୋବାଉ କହିଲେ ଦୀକ୍ଷିତ–

–ବୁଝିଲ ଅବିନାଶ, ଆଜିକାଲି ଯେଉଁ ସମୟ ପଡ଼ିଛି ନା, କେହି ଜଣେ ନିଜ ଲୋକ ନଥିଲେ, ଉପରକୁ ଉଠିବା ଆକାଶ କୁସୁମ ପରି ।

ଏ କଥାର କାହିଁକି ଅବତାରଣା କଲେ ଦୀକ୍ଷିତ ସାହେବ, ସହଜରେ ବୁଝିପାରିଲେ ନାହିଁ ଅବିନାଶ । ହୁଏତ ମନରେ ଭାବିଲେ, ସାହେବ ବୋଧହୁଏ ନିଜ ପ୍ରମୋଶନ କଥା କହିବାପାଇଁ ଚାହାନ୍ତି । କିନ୍ତୁ ନା, ଦିବାଲୋକ ପରି ସ୍ପଷ୍ଟ କରି କହିଲେ ସାହେବ–

–ତୁମର ପ୍ରମୋଶନ ସମୟ ପାଖ ହୋଇ ଆସିଲାଣି ନା ?

–ନା, ମୋ ଉପରେ ଆହୁରି ତିନିଜଣ ସିନିଅର ଅଛନ୍ତି ।” ଢୋକ ଗିଳି କହିଲେ ଅବିନାଶ ।

–ତାହେଲେ ମାରଭାଲାସ୍ ଚାନ୍‍ସ । ତିନି ତିନିଟା ସମୁଦ୍ରକୁ ଯଦି ପାର ହୋଇ ନ ପାରିଲ ଏକା କୁଦାକେ, ତାହେଲେ ଆଉ ଚାକିରୀ କଲ କାହିଁକି ?

କହି ଭାବପୂର୍ଣ୍ଣ ଭଙ୍ଗୀରେ ଅବିନାଶଙ୍କ ଆଖି ଉପରେ ଦୃଷ୍ଟି ରଖିଲେ ଦୀକ୍ଷିତ । ଅବିନାଶ ପାଟି ଭିତରେ ରୁଟିର ଟୁକୁରାଏ ପୂରାଉ ପୂରାଉ କହିଲେ–

–ତାହା ସମ୍ଭବ ନୁହେଁ । ତା’ପରେ out standing ରିର୍ପୋଟ ନ ପାଇଲେ ଏହା ହେବା ଅତି ଦୁରୂହ ।

–ତୁମେ ନିଜକୁ ଏତେଟା Inferior (ଇନ୍‍ଫିରିଅର) ବୋଲି ଭାବ କାହିଁକି–ଅଭିଭାବକ ସ୍ୱରରେ କହିଲେ ଦୀକ୍ଷିତ ।

–ନା ଠିକ୍ ତା’ ନୁହେଁ; କିନ୍ତୁ ଉପରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଯୋଗ୍ୟ ଅଫିସର ।

–ଅନ୍ୟର ଯୋଗ୍ୟତା ସମ୍ପର୍କରେ ତୁମକୁ ସାର୍ଟିଫିକେଟ ଦେବାକୁ ହେବନାହିଁ । ତୁମେ ଆଗ ନିଜ କଥା ବିଚାର କର । ତୁମେ ସିଧାସଳଖ ମୋତେ କୁହ ତୁମେ ପ୍ରମୋଶନ ପାଇଁ ଲାଳାୟିତ କି ନାହିଁ ।

ଚାହିଁଲେ ସେ ଅବିନାଶଙ୍କୁ ଉତ୍ତର ପ୍ରତ୍ୟାଶା କରି । ଅବିନାଶଙ୍କର ଆଖିର ଚାହାଣୀରେ ଆଶାର ଝଲକ ଫୁଟିଲା । ସେ ସୁସ୍ପଷ୍ଟ ଅଥଚ ଏକ ବିଶେଷ ଭଙ୍ଗୀରେ କହିଲେ–

ପ୍ରମୋଶନ ପାଇଁ ଲାଳାୟିତ ନ ହେବ କିଏ ? ତେବେ ମୋତେ ପ୍ରମୋଶନ ଦେଉଛି କିଏ ଯେ–

ତାଙ୍କର କଥା ଅସମାପ୍ତ କରି ତାଙ୍କ କାନ୍ଧରେ ଝାଙ୍କୁଣୀ ଦେଇ କହି ଉଠିଲେ ଦୀକ୍ଷିତ–

ଏଇ ଯେ କଥା ଭଳିଆ କଥା । ପ୍ରମୋଶନ ଦରକାର । ଅର୍ଥ ଦରକାର । ବର୍ତ୍ତମାନ କିପରି ତାହା ପାଇବ ତା’ର ପନ୍ଥା ମୁଁ କରୁଛି ।

–ଆପଣ କରିବେ ?

ଆଶାନ୍ୱିତ ହୋଇ ଏତକ କହିପକାଇଲେ ଅବିନାଶ ।

–ହଁ, ହଁ, ମୁଁ କରିବି । ପ୍ରତ୍ୟେକ ମଣିଷର ପ୍ରମୋଶନ ଦରକାର । ଉନ୍ନତି ଆବଶ୍ୟକ, ଉପରକୁ ଯିବାର ଉପାୟ ନଥିଲେ ଉତ୍ତେଜନା ଆସେନା । ଆଉ ଗୋଟାଏ ସ୍ଥାନରେ ବସି ରହିବାଠାରୁ ଅଧିକ ନିରୁତ୍ତାପ ଏବଂ ବିଡ଼ମ୍ବନା କ’ଣ ଥାଇପାରେ ! ନିଜର ଏବଂ ପରିବାରର ଜୀବନକୁ ସୁଖୀ କରିବା ପାଇଁ ଅର୍ଥର ଆବଶ୍ୟକ । ଆଉ ସେଇଥିପାଇଁ ପ୍ରମୋଶନ ମଧ୍ୟ ପ୍ରୟୋଜନ~

ଏଡ଼େ ବଡ଼ ସରଳ ସତ୍ୟ ଏତେ ସହଜରେ ଆଉ କେବେ ଶୁଣିଥିଲେ ମନେ କରିପାରିଲେ ନାହିଁ ଅବିନାଶ । ମନର ଏକ ନିଃସଙ୍ଗ କୋଣରେ ଉପରକୁ ଉଠିବାର ଅଙ୍କୁରୋଦ୍‍ଗମ ହେଲା । ସେ ଚିକେନରୋଷ୍ଟର ଗୋଟାଏ ଅଂଶ ପାଟିରେ ପୂରାଉ ପୂରାଉ କହିଲେ–

ଦେଖାଯାଉ–

–ଦେଖାଯାଉ କ’ଣ ? ତୁମେ ମୋ ଉପରେ ନିର୍ଭର କର ।

ଖିଆପିଆ ଶେଷ ହେଲା । ଦୁହେଁ ଆରାମ ଚୌକିରେ ବସି ଆଇସ୍କ୍ରୀମ ଖାଇଲେ, ଆଉ ତା’ପରେ ଟେବୁଲ ଉପରେ ପ୍ଳେଟଟା ରଖିଦେଇ ପାଖକୁ ଲାଗି ଆସି କହିଲେ ଦୀକ୍ଷିତ–

–କିଛି ମନେକରିବନି ଅବିନାଶ ! ଗୋଟାଏ କଥା ମୁଁ ନ କହି ରହିପାରୁନି ।

–କୁହନ୍ତୁ, ମୋ ପାଖରେ ନ କହିବେ ଏପରି କିଛି ହୋଇପାରେନା !

–ଚରିତ୍ର ସମ୍ବନ୍ଧରେ ତୁମ୍ଭର ଧାରଣା କ’ଣ ?

ଅବିନାଶ ଦ୍ୱିଧାରେ ପଡ଼ିଲେ, କ’ଣ ଉତ୍ତର ଦେବେ ବୋଲି । ତାଙ୍କର ଏ ସମ୍ପର୍କରେ ନିଜସ୍ୱମତ ଅଛି । ସେ ଏ ବିଷୟରେ ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦିଅନ୍ତି ।

–କ’ଣ କହୁନ ଯେ,

–ମୋର କ’ଣ ମନେହୁଏ ଜାଣନ୍ତି, ଚରିତ୍ର ଗୋଟାଏ ଜୀବନରେ ମୁଖ୍ୟ ବସ୍ତୁ ହୋଇପାରେ, କିନ୍ତୁ ତା’ର ପବିତ୍ରତା କାଚପରି ଏପରି ଭଙ୍ଗୁର ନୁହେଁ ଯେ ଟିକିଏ ଧକ୍କା ପାଇଲେ ଭାଙ୍ଗିଯିବ ।

 

–ସାବାସ ! ତୁମେ ଠିକ୍ କହିଛ । ତୁମ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ ।

 

–ଆଜି କିଏ କାହାସହିତ ଆଳାପ କଲା ବା କେଉଁ କଣ୍ଟ୍ରାକ୍ଟର ଘରେ ଯାଇ କିଏ ଥରେ ଭୋଜି ଭାତ ଖାଇ ଆସିଲା, ଏଥିରେ ମହାଭାରତ ଅଶୁଦ୍ଧ ହୋଇଯାଏନା । ଯଦି ତୁମେ ଭିତରେ ନିଜର ଏକକତ୍ୱର ବଜାୟ ରଖିପାର, ବାହାରେ ଆଉ ଯାହା କର, ସେ ସବୁ ସ୍ଥୂଳ, ଗୌଣ । ସେଥିରେ ଆଶଙ୍କା କରିବାର କିଛି ନାହିଁ ।

 

–ତୁମେ ଏତେ ଅତ୍ୟାଧୁନିକ ବୋଲି ଆଗରୁ ଜାଣି ନଥିଲି ଅବିନାଶ । ମୁଁ ମଧ୍ୟ ଏୟା ବିଚାର କରେ । ଏଇ ଦେଖ, ବିଲାତରେ ତୁମେ ନିଜ ବାନ୍ଧବୀ ବା ବନ୍ଧୁପତ୍ନୀକୁ ନିଃସଙ୍କୋଚରେ ଚମ୍ବନ କରିପାର । ତୁମକୁ କେହି ବାଧା ଦେବେନି ବରଂ ଏହା ତାଙ୍କର ଦେଶର ବନ୍ଧୁତ୍ୱର ନିବିଡ଼ତାର ନିଦର୍ଶନ ।

 

ଅବିନାଶ ମନେକଲେ ଯେପରି “ବନ୍ଧୁପତ୍ନୀ” ଶବ୍ଦଟା ଉପରେ ଦୀକ୍ଷିତ ସାହେବ ଟିକିଏ ବେଶି ଯୋର ଦେଲେ । ସେ ନିରୁତ୍ତର ରହି ଆହୁରି ଶୁଣିବାପାଇଁ ଅପେକ୍ଷା କଲେ ।

 

–ଏଇଥିପାଇଁ ମୁଁ କହେ, ଯେଉଁମାନଙ୍କର ଚରିତ୍ର ସମ୍ବନ୍ଧରେ ଧାରଣା ଏତେ ସ୍ଥୂଳ, ସେମାନେ ସମାଜର ଅପାଙ୍‍କ୍ତେୟ ଏବଂ ରକ୍ଷଣଶୀଳ ।

 

ଅବିନାଶ ସମ୍ମତିର ସୂଚନା ଦେଇ ମଥା ହଲାଇଲେ । ଦୀକ୍ଷିତ ସାହେବ ଟିକିଏ ଅଧିକ ପାଖକୁ ଲାଗି ଆସି କହିଲେ–

 

ମୁଁ କାଲି କଲିକତା ଯାଉଛି । ସେଠାରୁ ଦାର୍ଜିଲିଂ ଯିବି । ପ୍ଳେନରେ ବାଗ୍ଡ଼ୋଗ୍ରା ପର୍ଯ୍ୟନ୍ତ, ତା’ପରେ ଏକ ମିଲଟାରୀ ବନ୍ଧୁର ଗାଡ଼ିରେ......। କିନ୍ତୁ.......କିନ୍ତୁ କ’ଣ, ବେଶ ଭଲ ତ । ଦାର୍ଜିଲିଂ ଏ ସମୟରେ ଖୁବ୍ ଭଲଲାଗିବ ଆପଣଙ୍କୁ ।

 

–ସେ କଥା ସତ । ଚାଲନା ସାଙ୍ଗହୋଇଯିବା । ତୁମେ ଏବଂ ମିସେସ୍ ମହାନ୍ତି ରହିଲେ ଆନନ୍ଦରେ କେତେଟା ଦିନ କଟିଯାଆନ୍ତା ।

 

–ମୋର ଆପତ୍ତି ନାହିଁ । ଅସୀମା ଶୁଣିଲେ ତ ଉତ୍ସାହରେ ହାତତାଳି ଦେବେ । କିନ୍ତୁ ଏତେ ଶୀଘ୍ର–

 

–ଏତେ ସୀଘ୍ର କ’ଣ । ଗୋଟାଏ କଥା ଶାସ୍ତ୍ରକାରମାନେ କହିଥାନ୍ତି, “ଶୁଭସ୍ୟ ଶୀଘ୍ରଂ” । ଏଇ ଗୋଟାଏ ଶାସ୍ତ୍ର ବଚନ ଅନ୍ତତଃ ମୋର ଖୁବ୍ ସତ ବୋଲି ମନେହୁଏ ।

 

–ତା’ପରେ ରିଜରଭେସନ୍ ପାଇବା ମୁସ୍କିଲ ।

 

–ସେ ଭାର ମୋ ଉପରେ । ତୁମେ ପ୍ରସ୍ତୁତ ହୁଅ । ଆଉ ଗୋଟାଏ କଥା । ଏକାବେଳକେ ତୁମେ ଏବଂ ମୁଁ ବାହାରି ଯିବା ହେଡ଼୍ କ୍ୱାଟର୍ସରୁ । କଥାଟା ହୁଏତ ଭଲ ଦିଶିବନି । ତୁମେ ପ୍ରୋଗାମ୍‍ଟା ଗୋପନ ରଖିବ । ପରେ ଆଉ ଯାହା–

 

ଆଚ୍ଛା ! ତାହେଲେ ଯଦି ମିସେସ୍ ରାଜି ହୁଅନ୍ତି ମୁଁ ଆଜି ସନ୍ଧ୍ୟାରେ କଲିକତା ଚାଲିଯାଇ ଆପଣଙ୍କୁ ସେଠାରେ ଅପେକ୍ଷା କରିବି, ଆପଣ ମିସେସ୍ ଦୀକ୍ଷିତଙ୍କୁ ନେଇ କାଲି ସକାଳୁ ଆସିବେ ।

 

–ବେଶ୍ ଚମତ୍କାର ! କିନ୍ତୁ ମିସେସ୍‍ଙ୍କର ଦେହ ବିଶେଷ ଭଲ ରହୁନି । ଆକାଶ ଯାତ୍ରା ତାଙ୍କୁ ଭଲଲାଗେନା ପୁଣି ।

 

–ଦେଖନ୍ତୁ, ସେ ଗଲେ ଖୁବ୍ ଭଲ ହୁଅନ୍ତା....

 

କହି କହି ଉଠିଲେ ଅବିନାଶ । ଅଢ଼େଇଟା ବାଜି ସାରିଥିଲା । ଦୀକ୍ଷିତ ସାହେବ କରମର୍ଦ୍ଦନ କରି ଆଗେଇ ଦେଇ ଆସିଲେ । ଅବିନାଶ ଚାଲିଗଲା ପରେ ନିଜ ପ୍ରକୋଷ୍ଠର ଦକ୍ଷିଣ ଦିଗରେ ଆଖି ପଡ଼ିଲା ଯାଇ ।

 

ଦକ୍ଷିଣ ଦିଗର ମୁକ୍ତ ବାତାୟନର ଦେହ ଛୁଇଁ ଛିଡ଼ା ହୋଇଥିଲେ କୃଷ୍ଣଚୂଡ଼ା ଶାଖାରେ ଶାଖାରେ ଶୋଣିତର ଶୋଭାଯାତ୍ରା । କୃଷ୍ଣଚୂଡ଼ାର ମୁକୁଳିତ ରୂପୋତ୍ସବ ଦେଖି, ତା’ର ରକ୍ତିମ ପ୍ରକାଶ ଭିତରେ ଅସୀମାର ଅଧର ଯୁଗଳର ଆମନ୍ତ୍ରଣ ପାଇଲେ ବିଭୂତି ଦୀକ୍ଷିତ ।

 

ସେଇ ଅଧର ଉପରେ ନିଜର ସମସ୍ତ ଜ୍ୱାଳାର ଅବସାନ କରି ସେଇ ସ୍ପର୍ଶରେ ଅବଗାହନ କରିବା ପାଇଁ ଆନନ୍ଦବିହ୍ୱଳ ଚିତ୍ତରେ ଗୋଟାଏ ଫୁଟନ୍ତା କୃଷ୍ଣଚୂଡ଼ା ନଇଁ ପଡ଼ି ତୋଳି ଆଣି ହାତର ଦୁଇ ପାପୁଲି ଭିତରେ ବିପୁଳ ଆବେଗରେ ନିଷ୍ପେଷିତ କଲେ ଦୀକ୍ଷିତା ।

 

କୃଷ୍ଣଚୂଡ଼ାର ଶୋଣିତ ବନ୍ୟା ତାଙ୍କର ସମସ୍ତ ଶରୀରରେ ଆଣିଲା ଏକ ଅନନୁଭୂତ ଉଦ୍ଦାମ ଉଦ୍ଦୀପନା । ତା’ର ଝଲସ କର୍ଣ୍ଣ, ନାସା, ଜିହ୍ୱା, ଦନ୍ତ ଏବଂ ସର୍ବାଙ୍ଗରେ ଅନୁଭବ କରୁ କରୁ ଆଗାମୀ କଳ୍ପଲତାର ମୁଖାବିଲୋକନ କରିବା ପାଇଁ ଅଧୀର ଆବେଗରେ ପ୍ରତୀକ୍ଷା କରି ରହିଲେ ।

 

ଦଶ

 

ଦମ୍ ଦମ୍ ବିମାନ ବନ୍ଦରର ପ୍ରତୀକ୍ଷାଳୟରେ ଆସନ୍ନ ଯାତ୍ରା ସମ୍ବନ୍ଧରେ କଥାବାର୍ତ୍ତା କରୁଥିଲେ ଦୀକ୍ଷିତ । ଶେଷରେ ତାଙ୍କର ସ୍ତ୍ରୀ ଏଇ ସୁଯୋଗ ଗ୍ରହଣ କରିବା ପାଇଁ ଆସିପାରିଲେ ନାହିଁ । ଅବଶ୍ୟ ସେ ଯେ ତାଙ୍କୁ କହି ନଥିଲେ ଏପରି ନୁହେଁ, କିନ୍ତୁ ନିରୁତ୍ତାପ ନିରୁଦ୍ଦେଶ ସେଇ କହିବାର କିଛି ମାନେ ହୁଏନା ମନୀଷାଙ୍କ ପାଖରେ । ସେ ସବୁ ବୁଝନ୍ତି । ସ୍ୱାମୀଙ୍କର ସ୍ୱୌରାଚାରିତର ଖବର ରଖନ୍ତି; କିନ୍ତୁ ସେ ବିଷୟରେ ତର୍କ ବା ଦ୍ୱନ୍ଦ୍ୱ କରି ନିଜକୁ ଛୋଟ କରିବାପାଇଁ ଚାହାଁନ୍ତିନି ସେ । ଆତ୍ମସମ୍ମାନରେ ବାଧେ ତାଙ୍କର ଏ ବିଷୟରେ ସ୍ୱାମୀଙ୍କୁ ସତ୍‍ପରାମର୍ଶ ଦେବାପାଇଁ । ସେ ଯଦି ନିଜ ପରିବାର ପ୍ରତି ବିମୁଖ, ନିଜ ଘର ସୁଖ ସମ୍ପଦ ପ୍ରତି ଉଦାସୀନ ଏବଂ ନିଜ ସ୍ତ୍ରୀ ମୁହଁକୁ ନ ଚାହିଁ ଅନ୍ୟ ନାରୀ ସ୍ପର୍ଶପାଇଁ ଏତେ ଲାଳାୟିତ, ତାହେଲେ ସେପରି ଏକ କାମୁକ ବ୍ୟକ୍ତିକୁ ଆଉ କ’ଣ କହି ବୁଝାଇବେ ସେ । ଯେଉଁ ବୟସ ମଣିଷକୁ ଅନେକ ସମୟରେ ପାଗଳ କରେ, ଅନ୍ତତଃ ଦୀକ୍ଷିତ ସାହେବ ସେ ବୟସର ସୀମା ବହୁଦିନୁ ଉତ୍ତୀର୍ଣ୍ଣ ହୋଇଯାଇଛନ୍ତି; କିନ୍ତୁ ତଥାପି ଯଦି ଦେହର ଦାହ କମିଲା ନାହିଁ, ତା’ର ପରିତୃପ୍ତି ପାଇଁ ସେ ଯାହା କରିବାର କରନ୍ତୁ । ସେଥିରେ ସେ ଆପତ୍ତି କରିବେ ନାହିଁ । ମନର କୋହରେ ଛାତି ତଳର ଉଦ୍‍ଗତ ଉଷ୍ମତାକୁ ଚାପି ରଖନ୍ତି ମନୀଷା । ସେଇଥିପାଇଁ ଯେତେବେଳେ ଦାର୍ଜିଲିଂ ଯିବାର ସିଦ୍ଧାନ୍ତ ସେ ଶୁଣିଲେ, ମନା କରିଦେଲେ ନିଜ ଯିବା ସମ୍ପର୍କରେ ଏବଂ ସମସ୍ତଙ୍କର ଅଗୋଚରରେ ଯାଇ ଅଶ୍ରୁମୋଚନ କଲେ ।

 

ଦୀକ୍ଷିତ ସାହେବ ଏକାକୀ ଆସିଲେ ଶେଷରେ । ସେ ଚାହୁଁଥିଲେ ମଧ୍ୟ ଏୟା । ଥରେ ନ କହିଲେ ସ୍ତ୍ରୀ କ’ଣ ଭାବିପାରନ୍ତି ଏବଂ ନିଜକୁ ଖରାପ ଲାଗିପାରେ, ଏଇ ଭାବ ନେଇ ସେ କହିଥିଲେ ତାଙ୍କୁ; କିନ୍ତୁ ସେଥିରେ ଆଗ୍ରହ ବା ଉତ୍ସାହ ନଥିଲା । ମନୀଷା ଠିକ୍ ତାହା ଅନୁମାନ କରିଥିଲେ ଏବଂ ଶେଷରେ ଯେତେବେଳେ ଆସିବା ପାଇଁ ଅକ୍ଷମତା ଜଣାଇଲେ, ମନେ ମନେ ଖୁସି ହୋଇଥିଲେ ଦୀକ୍ଷିତ୍ । ଦିନକ ଭିତରେ ତାଙ୍କୁ ବହୁତ ପ୍ଳାନ କରିବାକୁ ପଡ଼ିଛି । ବିମାନରେ ସ୍ଥାନ ସଂରକ୍ଷଣ, ଅଫିସରୁ ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମସ୍ତ କରିବା ପାଇଁ ହୋଇଛି ତାଙ୍କୁ । ଏସବୁ କାମ କରିବାରେ ଏକ ପ୍ରବଳ ଉତ୍ତେଜନା ଏବଂ ଉତ୍ସାହ ଅନୁଭବ କରିଥିଲେ ସେ । ଏପରି ନିଖୁଣ ଭାବରେ ସେ ତାଙ୍କର ଯୋଜନା ପ୍ରସ୍ତୁତ କରିଥିଲେ ଯେ ପ୍ରତ୍ୟେକ କାର୍ଯ୍ୟ ନିର୍ଘଣ୍ଟ ସୁନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ହୋଇ ଯିବାରେ ଲାଗିଲା ।

 

ବିମାନ ଏଗାରଟା ପନ୍ଦର ମିନିଟରେ ଉଠିବ ଆକାଶ ମାର୍ଗକୁ । ଆଉ ମାତ୍ର ଏକଘଣ୍ଟା ପନ୍ଦର ମିନିଟ୍ ସମୟ ଅଛି ହାତରେ । ଦୀକ୍ଷିତ ସାହେବ ଏପାଖ ସେପାଖ ଚାହିଁଲେ । ମନେହେଲା ଯେପରି କାହାରି ଆଗମନର ପ୍ରତୀକ୍ଷା କରୁଛନ୍ତି; କିନ୍ତୁ ତାହା ଆଉ କେହି ଲକ୍ଷ୍ୟ କରିପାରିଲେ ନାହିଁ-। ବିଶ୍ରାମକକ୍ଷରେ ଆସି ବାର୍ତ୍ତାଳାପ କରୁଁ କରୁଁ ଅଳ୍ପସମୟପରେ ସୁଧୀର ଧଇଁ ସଇଁ ହୋଇ ଆସି ପହଞ୍ଚିଲା । ତାକୁ ଦେଖି ନ ଦେଖିଲା ପରି ହୋଇ ରହିଲେ ଦିକ୍ଷୀତ । ଅବିନାଶ କିନ୍ତୁ ଠିକ୍ ଦେଖିପାରିଲେ । ହେଡ଼୍‍ଅଫିସର ବଡ଼ସାହେବଙ୍କ ପି.ଏ. (ପର୍ସନାଲ ଏସିଷ୍ଟାଣ୍ଟ) ସୁଧୀର ମିଶ୍ର । ତାଙ୍କୁ ଠିକ୍ ଚିହ୍ନି ପାରିଲେ ଅବିନାଶ । ଆଉ ସେଇ ଅବିନାଶଙ୍କୁ ଖୋଜି ଖୋଜି ତ ଆସିଥିଲେ ସୁଧୀର । ସୁଧୀର ପାଖକୁ ଆସି ସୁପ୍ରଭାତ ଜଣାଇ କୁପ୍ରଭାତର ସମ୍ବାଦ ଦେଲା । ଅବିନାଶଙ୍କୁ ବଡ଼ ସାହେବଙ୍କର ଜରୁରୀ ଡାକରା । ତାଙ୍କ ସହିତ ସାକ୍ଷାତ୍ କରିବା ପାଇଁ ହେବ ଗୋଟାଏ ଜରୁରୀ ବିଷୟରେ ।

 

ପାର୍ଲିଆମେଣ୍ଟରେ ସେ ସମ୍ପର୍କରେ ପ୍ରଶ୍ନ ଆସିପାରେ । ସାହେବଙ୍କର ମନେ ନଥିଲା ଏହି ବିଷୟରେ । ଫାଇଲରେ ସେ ଲେଖି ରଖିଥିଲେ ଅବିନାଶଙ୍କୁ ଡକାଇବା ପାଇଁ; କିନ୍ତୁ ଗତକାଲି ତାଙ୍କର ମନେପଡ଼ିଲା ଯେତେବେଳେ ସନ୍ଧ୍ୟାରେ ସେ ଟ୍ରଙ୍କଫୋନ କଲେ, ଜାଣିଲେ ଅବିନାଶ କଲିକତାରେ । ତା’ପରେ ହାବଡ଼ାରୁ ଖବର ନେଇ ଜାଣିଲେ ଯେ ଦାର୍ଜିଲିଂ ଯାଉଛନ୍ତି ଏବଂ ବିମାନ ବନ୍ଦରରୁ ଫୋନ କରି ଯେମିତି ଶୁଣିଛନ୍ତି ଯେ ବିମାନ ଏଗାରଟା ପନ୍ଦର ମିନିଟରେ ଛାଡ଼ିବ, ସେଇମିତି ଦଉଡ଼ି ଆସିଛନ୍ତି ଏଠାକୁ । ନିଜର ଦୁଃଖ ଜଣାଇ ସହାନୁଭୂତି ପ୍ରକାଶ କଲେ ସୁଧୀର । ଏଯାତ୍ରା ଅବିନାଶଙ୍କୁ ସ୍ଥଗିତ ରଖିବାପାଇଁ ହେବ । ଉପାୟ ନାହିଁ ।

 

ବିସ୍ମୟ ବିମୂଢ଼ ଅବିନାଶ ହତାଶାରେ କିଛି କହିପାରିଲେ ନାହିଁ । ବାକ୍‍ରୁଦ୍ଧ ହୋଇଗଲେ ସେ । ଅସୀମା ପାଖରେ ସୋଫା ଉପରେ ବସି କ’ଣ ଗୋଟାଏ ମେଗାଜିନ୍ ପଢ଼ୁଥିଲେ । ତାଙ୍କ କାନକୁ କିନ୍ତୁ ଶୁଭିଲା ସବୁ । ସେ ଶାଣିତ କଣ୍ଠରେ କହିଲେ ।

 

–ଦେଖନ୍ତୁ ଆମେ ଦାର୍ଜିଲିଂ ଯାଉଛୁ । ବିମାନରେ ସ୍ଥାନ ରିଜର୍ଭ ହୋଇସାରିଛି । ବର୍ତ୍ତମାନ ବିମାନ ବନ୍ଦରରୁ ଫେରିଯିବା ହୋଇପାରେନା ।

 

–ତାଙ୍କର ପରିଚୟ କରାଇ ଦେଲେ ଦୀକ୍ଷିତ । ସୁଧୀର ସବିନୟ ସହକାରେ କହିଲେ–କ୍ଷମା କରିବେ ମିସେସ୍ ମହାନ୍ତି, ମୁଁ ଏଥିପାଇଁ ଅତ୍ୟନ୍ତ ଦୁଃଖିତ, କିନ୍ତୁ ନାଚାର । ମିଷ୍ଟର ମହାନ୍ତି ବିଚାର କରି ଦେଖନ୍ତୁ ।

 

–ସେ ବିଚାର କରନ୍ତୁ, ଯାଆନ୍ତୁ ବା ନ ଯାଆନ୍ତୁ ସେଥିରେ ମୋର ଯାଏ ଆସେନାହିଁ । ମୁଁ ଏତେ ବାଟ ଆସିଛି, ଫେରିଯିବା ପାଇଁ ନୁହେଁ ।

 

କ୍ରୋଧଦୀପ୍ତ କଣ୍ଠରେ କହିଲେ ଅସୀମା । ଅବିନାଶ ଏକ କରୁଣ ଚାହାଣୀରେ ଦେଖିନେଲେ ଏବଂ ପରକ୍ଷଣରେ କହିଲେ–ଚୌଧୁରୀ ସାହେବ ବଡ଼ କଡ଼ା ଲୋକ ଅସୀମା । ହୁଏତ କୌଣସି ଜରୁରୀ ଆବଶ୍ୟକତା ଥିବ । ତା’ପରେ ମୋ ପାଖକୁ ସମ୍ବାଦ ମଧ୍ୟ ପଠାଇଛନ୍ତି ।

 

–ତୁମେ ତୁମର ଚାକିରୀ ନେଇ ରୁହ; କିନ୍ତୁ ମୁଁ ଯାଉଛି । ମୋତେ ସପ୍ତର୍ଷି ମଧ୍ୟ ଅଟକାଇ ପାରିବେ ନାହିଁ ।

 

–ତୁମେ ଏକା ଯିବ ?

 

–ଏକା କାହିଁକି, ଦୀକ୍ଷିତ ସାହେବ ଯାଉଛନ୍ତି, ସମ୍ଭବ ହେଲେ ସନ୍ଧ୍ୟା ପ୍ଳେନରେ ତୁମେ ଆସ । ଟିକଟ ବଦଳାଇ ନିଆଯାଇପାରେ ଏବେବି ସମୟ ଅଛି ।

 

ଦୀକ୍ଷିତ ସାହେବ ଆଡ଼ ନୟନରେ ଦେଖିନେଲେ ଅସୀମାଙ୍କୁ । କିଛି କହିଲେ ନାହିଁ । ଦାମ୍ପତ୍ୟ ଆଳାପର ମଝିରେ କିଛି କହିବା ଅନ୍ୟାୟ ତାଙ୍କ ପକ୍ଷରେ । ଅବିନାଶ ଟିକିଏ ଅନ୍ୟମନସ୍କ ହେଲେ । ଝରକା ଫାଙ୍କ ଦେଇ ଚାହିଁଲେ ବିମାନ ବନ୍ଦରର ଅନ୍ୟ ପାଖକୁ । ଦୂରରେ କେତେଗୁଡ଼ାଏ ବଡ଼ ବଡ଼ ବନସ୍ପତି । ସଡ଼କର ଦୁଇ ଧାରରେ ସାରି ସାରି ହୋଇ ବନସ୍ପତିର ମେଳା ବସିଛି-। ସମତଳ ଭୂମିର ପ୍ରଶସ୍ତ ବକ୍ଷ ଉପରେ ଲମ୍ବିଯାଇଛି ଏକ୍ସପ୍ରେସ ହାଇୱେ କଲିକତା ପର୍ଯ୍ୟନ୍ତ । ରାସ୍ତା ଉପରେ ନିରବଚ୍ଛିନ୍ନ ଭାବରେ ଚାଲିଛି ସହସ୍ର ସ୍ୱୟଂଚାଳିତ ଯାନ । ଅନତିଦୂରରେ ଗୋଟାଏ ମୋଟର ଗାଡ଼ି ଭାଙ୍ଗି ପଡ଼ିଛି ଗୋଟିଏ ବଡ଼ ବୃକ୍ଷର ଦେହକୁ ଲାଗି । ଦୁର୍ଘଟଣା ଘଟିଛି ବୋଧହୁଏ । କାହିଁକି କେଜାଣି ସେଇ ମୋଟର ଗାଡ଼ିଟାକୁ ଦେଖି ମନରେ ବିଷାଦ ଆସିଲା ଅବିନାଶଙ୍କର । ସେ ଆଖି ଫେରାଇଲେ ବୁକୁରେ ବେଦନା ନେଇ । ଅସୀମା ଚାହିଁଥିଲେ ତାଙ୍କ ମୁହଁକୁ ଉତ୍ତରର ପ୍ରତ୍ୟାଶା ଶୁଣିବାକୁ ମନେପଡ଼ିଲା ତାଙ୍କର ଅସୀମା ଏବଂ ନିଜ ଯିବା କଥା । ପୁଣି ମନ ଭିତରେ କ୍ଷଣକ ପୂର୍ବର ଦ୍ୱନ୍ଦ୍ୱ ଜାଗି ଉଠିଲା । ଅସୀମାଙ୍କର ଜିଦ୍ ସେ ଜାଣନ୍ତି । ଯାହା କରିବା ପାଇଁ ଚାହିଁବେ ନିଶ୍ଚୟ କରିବେ । ତାଙ୍କର ଦୃଢ଼ତା ଆଗରେ କୌଣସି ପ୍ରତିବନ୍ଧକ ସେ ସ୍ୱୀକାର କରିବେ ନାହିଁ ।

 

ଅବିଚଳିତ କଣ୍ଠରେ କହିଲେ ସେ–

 

–ମୋର ଆପତ୍ତି ନାହିଁ । ତୁମେ ଯାଇପାର, କିନ୍ତୁ ମୁଁ ଠିକ୍ କହିପାରୁନି ମୁଁ ସନ୍ଧ୍ୟା ପ୍ଳେନରେ ଯାଇପାରିବି କି ନାହିଁ ।

 

–“କାହିଁକି ? ଇଚ୍ଛାଥିଲେ ନିଶ୍ଚୟ ଯାଇପାରିବ, ସବୁକାମ କରିବା ପାଇଁ ଏକ ବଳବତୀ ଇଚ୍ଛାଥିବା ଦରକାର”–କହିଲେ ଅସୀମା । ସ୍ୱରରେ ଥିଲା ଏକ ଅଦ୍ଭୁତ ରୂଢ଼ତା । ଯେପରି ସେଇ ସ୍ୱରରେ ଇଙ୍ଗିତ ତାଙ୍କୁ ବହୁ ଦୂରକୁ ଠେଲି ନେଇଗଲା ଏୟା ଅନୁଭବ କଲେ ଅବିନାଶ; କିନ୍ତୁ ପ୍ରତିବାଦ କଲେ ନାହିଁ । ପ୍ରତିବାଦ କରିବା ସ୍ୱଭାବ ତାଙ୍କର ନୁହେଁ । ପ୍ରଦିଦ୍ୱନ୍ଦ୍ୱୀ ହେବାର ଅଭିଳାଷ ତାଙ୍କର ନାହିଁ । ଯାହା ହେବାର ଥିବ ତାହା ନିଶ୍ଚୟ ହେବ । ନଦୀର ସୁଅ ଆଗରେ ବାଲିବନ୍ଧ ବାନ୍ଧିବାର ଧୈର୍ଯ୍ୟ ବା ସ୍ପୃହା ନାହିଁ ତାଙ୍କର । ତାହା ଅଳୀକ । କୌଣସି କାମ ହୋଇପାରେନା ସେଥିରେ କିନ୍ତୁ ବନ୍ଧ ଭାଙ୍ଗି ଯେତେବେଳେ ପାଣି ବହେ ତା’ର ଗତି ଅଧିକ ଉଦ୍ଦାମ ଅଧିକ କ୍ଷିପ୍ତ ହୋଇ ଉଠେ । ଅସୀମାଙ୍କର ଆଶାକୁ ରୁଦ୍ଧ କଲେ ତାକୁ ସବୁ ସମୟ ପାଇଁ ବନ୍ଦ କରି ରଖାଯାଇପାରିବନି, ଅସମ୍ଭବ । ଯଦିବି ରଖାଯାଏ କିଛି ସମୟ ପାଇଁ ତାହା ବାଲିବନ୍ଧ ପରି ଅଚିରେ ଭାଙ୍ଗିରୁଜି ନିଶ୍ଚିହ୍ନ ହୋଇଯିବ । ସେତେବେଳର ଖଣ୍ତାଧାର ପରି କ୍ଷିପ୍ରତାକୁ ସେ ସହ୍ୟ କରିପାରିବେ ନାହିଁ । ଏଣୁ ସେ ଯିବାପାଇଁ ଯେତେବେଳେ ମନସ୍ଥ କରିଛନ୍ତି ଯାଆନ୍ତୁ । ଅଭିଯୋଗ ନ କରି ଅଭିନନ୍ଦନ ଜଣାଇ ବିଦାୟ ଦେବେ ସେ । କହିଲେ ଅବିନାଶ–

 

ତୁମେ ଯାଅ ଅସୀ ! ସମ୍ଭବ ହେଲେ ମୁଁ ଯିବି ।

 

ଅଳ୍ପ ସମୟପାଇଁ ଉଠି ଯାଇଥିଲେ ଦୀକ୍ଷିତ ସାହେବ । ଦାମ୍ପତ୍ୟ କଳହ ଭିତରେ ମଥା ପୂରାଇବା ଅଭିପ୍ରାୟ ନାହିଁ ତାଙ୍କର । ପ୍ରାୟ ଦଶମିନିଟ ପରେ ଫେରିଆସି ଅବିନାଶଙ୍କର କଥା ଶେଷହେବା ପୂର୍ବରୁ କହିଲେ–ମୁଁ ଯାଇ ମେନଜରଙ୍କ ସହିତ କଥାବାର୍ତ୍ତା କରି ଫେରୁଛି ଅବିନାଶ । ସନ୍ଧ୍ୟା ପ୍ଳେନ୍‍ରେ ଗୋଟାଏ ମାତ୍ର ସିଟ୍ ଖାଲି ଅଛି । ତୁମର ରିଜର୍‍ଭେସନ ସକାଳ ପ୍ଳେନରେ କେନ୍‍ସେଲ କରି ସନ୍ଧ୍ୟା ପ୍ଳେନରେ କରାହେଲା । ଆଉ ସ୍ଥାନ ନଥିଲା, ନ ହେଲେ ମିସେସ୍ ମହାନ୍ତିଙ୍କ ସହିତ ଏକାସାଙ୍ଗରେ ଦୁହେଁ ଆସିପାରି ଥାଆନ୍ତ ।

 

–ସେଥିରେ କିଛି ଯାଏ ଆସେନା । ମୁଁ ସନ୍ଧ୍ୟାରେ ଯିବି । କହିଲେ ଅବିନାଶ ।

 

–ତାହାହିଁ ହେଉ । ବରଂ ଆମେ ଦାର୍ଲିଜିଂ ନ ଯାଇ ସିଲିଗୁଡ଼ିରେ ଅପେକ୍ଷା କରିବା । ତମେ ଆସିଲେ ସାଙ୍ଗ ହୋଇ ଯିବା ।” ଅସୀମାଙ୍କ ସ୍ୱରରେ ଆଗ୍ରହ ଲକ୍ଷ୍ୟ କଲେ ଅବିନାଶ ।

 

–ତାହେଲେ ମିସେସ୍ ମହାନ୍ତିଙ୍କ ଭଲମନ୍ଦ ଆପଣମାନଙ୍କୁ ଲାଗିଲା ।

 

କହି କହି ଦୀକ୍ଷିତ ସାହେବଙ୍କ ମୁହଁକୁ ଅନାଇଲେ ଅବିନାଶ । ସେ ମୁହଁରେ ଗାମ୍ଭୀର୍ଯ୍ୟ ଖେଳାଇ ଭରସା ଦେଇ କହିଲେ ଦୀକ୍ଷିତ ସାହେବ ।

 

–ତୁମେ ନିଶ୍ଚିନ୍ତ ରୁହ ଅବିନାଶ । ମିସେସ୍ ମହାନ୍ତିଙ୍କ କୌଣସି ଅସୁବିଧା ହେବନାହିଁ ।

 

ବିମାନ ଛାଡ଼ିବାର ସମୟ ହୋଇ ଆସିଥିଲା । ସତର୍କ କରି ଦିଆଗଲା ଯାତ୍ରୀମାନଙ୍କୁ ନିଜ ନିଜ ସ୍ଥାନରେ ଯାଇ ବିମାନ ଭିତରେ ବସିବାପାଇଁ । ଆଉ ପ୍ରାୟ ପନ୍ଦର ମିନିଟ୍ ସମୟ ପରେ ବିମାନ ଛାଡ଼ିବ । ଚଞ୍ଚଳ ହୋଇ ଛୁଟିଲେ ଯାତ୍ରୀମାନେ ବିମାନ ଆଡ଼କୁ । ଅସୀମା ସ୍ୱାମୀଙ୍କ ପାଖରୁ ବିଦାୟ ନେବା ପୂର୍ବରୁ ତାଙ୍କୁ ଟାଣିନେଲେ ଏକ କୋଣକୁ । ସେଇଠି ତାଙ୍କର ହାତମୁଠା ଭିତରେ ସ୍ୱାମୀଙ୍କର ହାତକୁ ଟିକିଏ ଚାପ ଦେଇ ଗୁଣୁ ଗୁଣୁ ହୋଇ କ’ଣ କହିଲେ ସେ ଅବିନାଶ ଭଲଭାବରେ ବୁଝିପାରିଲେ ନାହିଁ । ବିଦାୟ ମୁହୂର୍ତ୍ତ ଆସନ୍ନ ଦେଖି ତାଙ୍କ କାନ୍ଧ ଉପରେ ଟିକିଏ ଚାପଦେଇ କହିଲେ ଅବିନାଶ–ଚିନ୍ତା କରନା । ମୁଁ ସନ୍ଧ୍ୟାରେ ଯାଉଛି । ଅପେକ୍ଷା କରିଥିବି ।

 

ଅସୀମା ସ୍ୱାମୀଙ୍କର ମୁହଁକୁ ଅନାଇ କ’ଣ ଖୋଜିଲେ ଯେପରି । ସମୟ ନଥିଲା । ନିଜର ଭ୍ୟାନିଟି ବ୍ୟାଗଟା ଉଠାଇ ଆଗକୁ ଚାଲିଲେ । ଅବିନାଶ ପାଖେ ପାଖେ ଚାଲିଲେ ବିଦାୟ ସମ୍ବର୍ଦ୍ଧନା ଜଣାଇବା ପାଇଁ । ଦୀକ୍ଷିତ ସାହେବ ସୁଧୀର ସହିତ ସେତେବେଳକୁ କକ୍ଷରୁ ଅନ୍ତର୍ହିତ ହୋଇଯାଇଥିଲେ ।

 

ବିମାନ ଭିତରେ ବେଶ୍ କୋଳାହଳ । ଗଳ୍ପ ଗୁଜବ ଏବଂ ସମ୍ବାଦ ସଂଗ୍ରହର ଗୁଞ୍ଜନରେ ମୁଖରତି ହୋଇ ଉଠିଥିଲା ବିମାନର ଅନ୍ତରାଳ । ଅନ୍ତରୀକ୍ଷର ବକ୍ଷଚିରି ନୂଆଜେଟ୍ ବିମାନ ମିନିଟକୁ ୧୫ ମାଇଲ ବେଗରେ ଉଡ଼ିଯିବ । ଆକାଶଚାରିଣୀ ହେବ ଅସୀମା । ବେଶ୍ ଉପଭୋଗ କରିବ ଏଇ ଆକାଶ ଯାତ୍ରା । ଝରକାପାଖରେ ସିଟ୍ ଛାଡ଼ିଦେଇଛନ୍ତି ତାକୁ ଦୀକ୍ଷିତସାହେବ । ସଂଲଗ୍ନସିଟରେ ତାଙ୍କର ସ୍ଥାନ । ସ୍ୱାମୀ ଛିଡ଼ାହୋଇଥାନ୍ତି ଗେଙ୍ଗୱେର ତଳ ଦେଶରେ, ମୁହଁରେ ଚେନାଏ ଶୁଖିଲାହସ । କେଜାଣି କାହିଁକି ଆଶ୍ୱସ୍ତି ଅନୁଭବ କଲେ ଅସୀମା । ଆଶ୍ୱସ୍ତି କ’ଣ ପାଇଁ ଭାବି ମଧ୍ୟ ଭାବିପାରିଲେ ନାହିଁ ସେ । ଅଳ୍ପ ସମୟ ପୂର୍ବରୁ ଆସନ୍ନ ଯାତ୍ରାର ଆନନ୍ଦ ମଉଳିଗଲା ତାଙ୍କ ମନରୁ । କ’ଣ ଛାଡ଼ି ଆସିଲେ ଯେପରି ମନଭିତରେ ସେଇପରି ଅଭାବ ଅନୁଭବ କଲେ । ସେ ଚାରିଆଡ଼କୁ ଅନାଇଲେ । ନାରୀ, ପୁରୁଷ ଶିଶୁମାନଙ୍କଦ୍ୱାରା ସମସ୍ତ ସ୍ଥାନ ପରିପୂର୍ଣ୍ଣ । ଆକାଶ ଆପ୍ୟାୟନିକ (Air hostess) ଶେଷ ଘୋଷଣା କରି ଯାତ୍ରୀମାନଙ୍କୁ ସାବଧାନ କରିଦେଲେ । ଯେ ଯାହାର ବେଲ୍‍ଟ ଟାଣି ବସିଲେ ନିଜ ନିଜ ସ୍ଥାନରେ । ସିଡ଼ି ଉଠାଇ ନିଆଗଲା । ବିମାନର ଦ୍ୱାର ବନ୍ଦ ହୋଇଗଲା । ଆଉ ସେଇ ସଙ୍ଗେ ସଙ୍ଗେ ଅବିନାଶଙ୍କର ହାତ ହଲାଇବା ମଧ୍ୟ ଦେଖାଯାଉଥିଲା । ବିମାନ ଯାତ୍ରା ଆରମ୍ଭ କଲା ।

 

ଅନ୍ତର ଭିତରେ ଅସୀମ ବ୍ୟଥା ଏବଂ ଉଦ୍‍ବେଗ ଜାତ ହେଲା ଅସୀମାଙ୍କର । କାହିଁକି କେଜାଣି ସମସ୍ତ ଉତ୍ତାପ ଶିଥିଳ ହୋଇଆସିଲା ଅଙ୍ଗରେ । ହସର ସରୁଗାରଟି ଓଠ ଉପରୁ ଲିଭିଯାଇ ଉଦ୍‍ବେଗ ଦେଖାଦେଲା ତା’ ସ୍ଥାନରେ । ହାତ ହଲାଇ ସେତେବେଳକୁ ସ୍ୱାମୀଙ୍କୁ ବିଦାୟ ଜଣାଇ ସାରିଥିଲେ । ଝରକା ଦେଇ ଦେଖିଲେ ବିମାନ ଉପରକୁ ଉଠୁଛି । ଆଉ ଅଳ୍ପତଳେ ଅବିନାଶ ଠିଆ ହୋଇ ଶୂନ୍ୟକୁ ଚାହିଁ ହାତ ହଲାଉଛନ୍ତି । ତାଙ୍କର ମୁହଁ ଉପରେ ଏକ କରୁଣ ରେଖା ଲାଗିରହିଥିଲା ପରି ମନେହେଲା । କେଜାଣି କାହିଁକି ଏଇ ବିୟୋଗର ଅସମ୍ଭାବ୍ୟ ବେଦନା ତାଙ୍କୁ କ୍ଷଣକରେ ଅଭିଭୂତ କରିପକାଇଲା । ସେ ଝରକା ଉପରେ ଢଳି ପଡ଼ି ଆଖି ବୁଜିଲେ । ବିମାନ ଉଠିବା ବେଳର ତାଳ ସମ୍ଭାଳି ନ ପାରି ପଡ଼ିଗଲେ, ଭାବି ଦୀକ୍ଷିତ ସାହେବ ତାଙ୍କ ଗଳାଚାରିପାଖରେ ନିଜର ବାହୁ ବେଷ୍ଟନ କରି କହି ଉଠିଲେ ।

 

Don’t worry–କିଛି ଚିନ୍ତା କରନା ।

 

କିଛି କହି ପାରିଲେନି ଅସୀମା । ତଳକୁ ଚାହିଁଲେ କିନ୍ତୁ କେବଳ ଛୋଟ ଛୋଟ କେତେଗୁଡ଼ିଏ ଚିହ୍ନପରି ଜଣାଗଲେ ମଣିଷଗୁଡ଼ାକ । ଚକ୍ରବାଳର ଶେଷ ପ୍ରାନ୍ତକୁ ଚାହିଁଲେ । ସୂର୍ଯ୍ୟର ପ୍ରଖରତାରେ ଚକ୍ ଚକ୍ କରୁଥାଏ ଚକ୍ରବାଳ । ଆଖି ଝଲସି ଗଲା ତାଙ୍କର । ହଠାତ୍ ମନେପଡ଼ିଲା ଦେବଦତ୍ତର ସେଇ ମୁହଁଟା । ଆସିଲାବେଳେ ତା’ ସହିତ ଦେଖା ହୋଇ ନଥିଲା । ସେ ଗସ୍ତରେ ଯାଇଥିଲା, ବାଲେଶ୍ୱର । ଚାନ୍ଦିପୁରରେ ସୈନ୍ୟ ବାହିନୀର ଯୋଗାଯୋଗ ଅଫିସରଙ୍କ ସହିତ ମାଲପତ୍ର ଯାତାୟାତ ସମ୍ପର୍କରେ କ’ଣ ପରାମର୍ଶ କରିବା ପାଇଁ । ଆସିଲେ ଦେଖିବ ସେ ନାହାନ୍ତି । ହୁଏତ ଉଦ୍‍ବେଗ ପ୍ରକାଶ କରିପାରେ ତାଙ୍କର ଯାତ୍ରା ସମ୍ପର୍କରେ ସମସ୍ତ ବିବରଣୀ ନ ପାଇ । ପୁଣି ଅବିନାଶ ମଧ୍ୟ ଆସିପାରିଲେନି । ଏ ସମ୍ବାଦଟା ପାଇଲେ ନିଶ୍ଚୟ ସୁଖୀ ହେବ ନାହିଁ ସେ । ଦୀକ୍ଷିତ ସାହେବଙ୍କ ସହିତ ଏକାକୀ ଆସିବାଟା ଉଚିତ ହେଲା ନାହିଁ ତାଙ୍କର ।

 

ନିଜକୁ ଦୀକ୍ଷିତଙ୍କ ବାହୁ ବନ୍ଧନରୁ ମୁକ୍ତ କରି ପୁଣି ସଳଖି ବସିଲେ ଅସୀମା । ମନରେ ତାଙ୍କର ଦ୍ୱନ୍ଦ୍ୱ । ଅଳ୍ପସମୟ ପୂର୍ବରୁ ନିଶ୍ଚୟତା ପାଣି ଫୋଟକା ପରି କୁଆଡ଼େ ଉଭେଇ ଯାଇଥିଲା । ଅବିନାଶଙ୍କ ଉପରେ ଖୁବ୍ ଅଭିମାନ ହେଲା । କାହିଁକି ସ୍ୱାମୀ ହୋଇ ସେ ତାଙ୍କୁ ଏକାକୀ ଅନ୍ୟ ଜଣେ ପୁରୁଷ ସାଙ୍ଗରେ ଆସିବାକୁ ଦେଲେ । ସେ ଆସିବା ପାଇଁ ଜିଦ୍ କରିଥିଲେ ସତ ! କାହିଁକି ନ କରିବେ । ବରଷକେ ଥରେଅଧେ ଯଦି କାହିଁ ବୁଲି ଯାଇ ଅବସର ବିନୋଦନ ନ କରିପାରିବେ, ତାହେଲେ ଏଇ ଗତାନୁଗତିକ ଜୀବନଯାତ୍ରାରେ ରସବୋଧ ରହିବ କିପରି ? ସେ ତ ଏକା ଆସିବା ପାଇଁ କଳ୍ପନା କରି ନଥିଲେ । ସ୍ୱାମୀ ସହିତ ଯିବାପାଇଁ ଉତ୍ସାହର ସହିତ ସମ୍ମତି ଜଣାଇଥିଲେ ଅସୀମା, କିନ୍ତୁ ସେ ଫେରିଗଲେ କାହିଁକି ? ଘରୁ ବାହାରି ଆସି ପୁଣି ଅଧବାଟରୁ ଫେରିଯିବା କେଉଁ ପୌରୁଷତ୍ୱର ଲକ୍ଷଣ । ଅଫିସର ବଡ଼ ସାହେବ ଖବର ପଠାଇ ଦେଲେ ବୋଲି ଶେଷ ମୁହୂର୍ତ୍ତରେ ଯାତ୍ରା ବନ୍ଦ ରଖି ଫେରି ଯାଇପାରିଲେ, କିନ୍ତୁ ସେ ଜିଦ୍ ଧରିଲେ ମଧ୍ୟ ତାଙ୍କ ସହିତ କାହିଁ ଆସିପାରିଲେ ନାହିଁ । ତାଙ୍କର ଭଲପାଇବା ଏହିପରି ଅଳୀକ ଏବଂ ସେ ବନ୍ଧନର ଦୃଢ଼ତା ନାହିଁ । ଯେ ଦୃଢ଼, ତା’ର ବନ୍ଧନରେ ଆତ୍ମସମର୍ପଣ କରିବାରେ ଆନନ୍ଦ ଅଛି । ଦୁର୍ବଳ ଏବଂ ଅକ୍ଷମ ଆଗରେ ଆତ୍ମସମର୍ପଣ କରିବାରେ ଆନନ୍ଦ ନାହିଁ, ଅଛି ଅବସାଦ । ଅବିନାଶ ଚାକିରୀ କରିଛନ୍ତି ସତ, କିନ୍ତୁ ଅକ୍ଷମତା ତାଙ୍କର ସ୍ପୃହଣୀୟ ନୁହେଁ । ସେଇଥିପାଇଁ ଆଜି ଏଡ଼େ ସହଜରେ ଛାଡ଼ି ଦେଇପାରିଲେ ତାଙ୍କୁ । ଚାକିରୀ କ’ଣ ସବୁ ? ଚାକିରୀ କ’ଣ ଆନନ୍ଦ ଏବଂ ବେହରଣ ଦେଇପାରିବ ତାଙ୍କର ଜୀବନରେ । ଏୟା କ’ଣ ଆତ୍ମୀୟତା ଏବଂ ଆନୁଗତ୍ୟର ପରିଚୟ !

 

ମନେପଡ଼ିଲା ପୁଣି ଦେବଦତ୍ତ । ଅସୀମାଙ୍କର ମନେପଡ଼ିଲା ତା’ର ଦୃଢ଼ତା ଏବଂ କ୍ଷମତା । ତା’ର ପୌରୁଷତ୍ୱର ପରାକାଷ୍ଠା ଦେଖାଇବା ପାଇଁ ସବୁବେଳେ ସେ ଆଗଭର । ଆଜି ସେ ଥିଲେ ହୁଏତ ତାକୁ ଯିବାପାଇଁ ଦେଇ ନ ଥାନ୍ତା ଏକାକୀ । ତା’ର ନା ଭିତରେ ଶତସିଂହର ଝଙ୍କାର ଅଛି । ତା’ରହିଁ ଆଗରେ ସହସ୍ର ବିଜୁଳିର ଚମକ ଅଛି । ସେ ଅଭିମାନ କଲେ ତା’ର ପାଦତଳେ ନିଜକୁ ପୁଷ୍ପାଞ୍ଜଳି ଦେବାର ଗୌରବ ଅଛି । ସେ ପ୍ରତିଦ୍ୱନ୍ଦ୍ୱୀ ସହିତ ସମର କରିବା ପାଇଁ ଅବତୀର୍ଣ୍ଣା ହେବ ନିଜର ଶୌର୍ଯ୍ୟବୀର୍ଯ୍ୟର ପରାକ୍ରମ ଦେଖାଇବା ପାଇଁ । ପ୍ରତିବାଦ କରି ନିଜ ସତ୍ତାର ସ୍ଥିତି ସମ୍ବନ୍ଧରେ ସଚେତନ କରାଇବା ଅନ୍ୟମାନଙ୍କୁ । ସେଇ ଆତ୍ମସମ୍ମାନ ଏବଂ ଆତ୍ମଶ୍ଳାଘା ପାଖରେ ମୁଣ୍ଡ ନଇଁଯାଏ ଅସୀମାଙ୍କର । ଅବସାଦରେ ନୁହେଁ, କର୍ତ୍ତବ୍ୟର ଅନୁରୋଧରେ ନୁହେଁ, ଅନ୍ତରର ସ୍ୱତଃ ସ୍ଫୁର୍ତ୍ତି ଆହ୍ୱାନରେ ସେଇ ମାନସପୁରୁଷ ପାଖରେ ଆତ୍ମବିସର୍ଜନ ଦେବାପାଇଁ ପ୍ରାଣ ଅତୀଷ୍ଠ ହୋଇ ଉଠେ ।

 

ଯେତିକି ଦେବଦତ୍ତ ସମ୍ପର୍କରେ ଭାବିଲେ, ସେତିକି ତାଙ୍କର ରୁଦ୍ଧ ବେଦନା, କ୍ଷୋଭ ଏବଂ ଅଭିମାନ ପାଣିପରି ବହିଗଲା ଆଖିର ଦୁଇକୂଳ ଭରି ଦୁଇଟି ଅଶ୍ରୁ ସ୍ରୋତର ପ୍ଳାବନରେ । ସେଇ ପ୍ଳାବନରେ ଅବଗାହନ କରି ନିଜକୁ ଧନ୍ୟ ମନେ କରେ ସେ । ଅବିନାଶ ପାଇଁ ନୁହେଁ, ଦେବଦତ୍ତ ପାଇଁ କାନ୍ଦିଲେ ଅସୀମା ।

 

ତାଙ୍କର ଆଖିରେ ଲୁହ ଦେଖି ସ୍ତବ୍ଧ ବିମୂଢ଼ ହୋଇଗଲେ ଦୀକ୍ଷିତ ସାହେବ । ଯେଉଁ ଅବିନାଶଙ୍କୁ ଆଡ଼େଇ ହୋଇ ଅନେକ ସମୟରେ ଚାଲନ୍ତି ଅସୀମା, ସେଇ ଜଣଙ୍କର ଅନୁପସ୍ଥିତିରେ ତାଙ୍କ ଆଖିରେ ଅଶ୍ରୁ ! ନାରୀ ଚରିତ୍ର ଦୁର୍ବୋଧ୍ୟ; କିନ୍ତୁ ଅସୀମା ଆହୁରୀ ବେଶି ଦୁର୍ବୋଧ୍ୟ ମନେ ହେଲେ । ସେ ନିଜର କୋଟ କଲର ଉପରୁ ଫୁଟନ୍ତ ରକ୍ତଗୋଲାପର କଢ଼ଟି କାଢ଼ିନେଇ ଅସୀମାଙ୍କର ବବ୍‍କରା କୃଷ୍ଣ କେଶ ମଧ୍ୟରେ ଲଗାଇ ଦେଇ ତାଙ୍କର ଆଙ୍ଗୁଳି ଉପରେ ଟିକିଏ ଚାପିଦେଲେ ଆଶ୍ୱାସନା ଦେବାପାଇଁ ।

 

ଅସୀମା ଉଦ୍‍ଗତ କୋହର ଆବେଗ ସମ୍ଭାଳୁ ସମ୍ଭାଳୁ ନିରୁତ୍ତାପ, ନିର୍ଜୀବ ହୋଇ ଏକ ଜଡ଼ପିଣ୍ତ ପରି ଭାବହୀନ ନୟନରେ ବାହାରକୁ ଅନାଇ ରହିଲେ । ଆକାଶର ଦୁଇ ପାଖରେ ଧଳା ମେଘର ଦେହ ଛୁଇଁ ଉଡ଼ିଯାଉଥିଲା ବିମାନ । ସେଇ ବଳକା ବାଞ୍ଛିତର ଦର୍ଶନପାଇଁ ହୃଦୟର ନିଭୃତ କୋଣରେ ଗୁମୁରିବା ପାଇଁ ଇସାରା ଦେଲା ।

 

ଦୀକ୍ଷିତ ସାହେବ ପ୍ରତିବାଦ ବା କୌଣସି ପ୍ରତ୍ୟୁତ୍ତର ନ ପାଇଁ ଆଗାମୀ ରାସୋତ୍ସବର ଆୟୋଜନ କଲେ ମନେ ମନେ । ବାଗଡ଼ୋଗ୍ରା ସିଲିଗୁଡ଼ି–କାଲିମ୍ପଙ୍ଗ–ଦାର୍ଜିଲିଂ । କାଞ୍ଚନ ଜଙ୍ଘାର ସେଇ ହିମଶୃଙ୍ଗ ଉପରେ ଚକ୍ଷୁ ରଖି ଅସୀମାଙ୍କର ବୁକୁ ଉପରେ ଚାପା ଦେବେ ସେ । ତା’ପରେ, ତା’ପେର ଗ୍ରୀଷ୍ମସ୍ପର୍ଶରେ ବରଫ ଜଳ ହେଲା ପରି ବହିଯିବେ ସେ ପ୍ରଗଳ୍‍ଭ ଚିତ୍ତରେ ଅସୀମାର ଅସୀମ ଉତ୍ତାପ ପାଇ ।

 

ଭାବନାରେ ଘଟାନ୍ତର ସୃଷ୍ଟିକରି ଶୁଣାଗଲା ଆକାଶ ଅପ୍ୟାୟନିକାର ଘୋଷଣା–ବାଗଡ଼ୋଗ୍ରା ବିମାନ ଘାଟି ଅତି ନିକଟରେ–ବିମାନ ଅବତରଣ କରିବ, କ୍ଷଣକ ମଧ୍ୟରେ–ଯାତ୍ରୀମାନେ ନିଜ ନିଜ ବିଷୟରେ ସତର୍କତା ଅବଲମ୍ବନ କରନ୍ତୁ ।

 

ଅସୀମା ଦୃଷ୍ଟି ଫେରାଇ ଭଲକରି ଯାକି ବସିଲା । ଅନ୍ୟ କେତେକ ମଧ୍ୟ ସେଇପରି କଲେ । ଦୀକ୍ଷିତ ଅସୀମା ଆଡ଼କୁ ଚାହିଁ କହିଲେ–“କୌଣସି ଅସୁବିଧା ହେବନାହିଁ । ଆପଣ ଚିନ୍ତିତ ହେବେନି ।” ସେ ତା’ର କୌଣସି ଉତ୍ତର ଦେଲେନି । ସେହିପରି ବସି ରହିଲେ ।

 

ବିମାନ ବିମାନଘାଟୀ ଉପରେ ଚକ୍‍କର ଦେଲା ଅବତରଣ କରିବା ପାଇଁ । ଯାତ୍ରୀମାନେ ସୁସ୍ପଷ୍ଟ ଦେଖିପାରିଲେ ଅବତରଣର ସଙ୍କେତ । ବିମାନବନ୍ଦରରେ କୋଠା ଓ ଅନ୍ୟାନ୍ୟ ଗୃହ ଓ ରାଜପଥ ସୁସ୍ପଷ୍ଟ ହୋଇ ଉଠିଲା ସମସ୍ତଙ୍କ ଆଖିରେ । ଦୀକ୍ଷିତ୍ ସାହେବ ସ୍ୱସ୍ତିରେ ନିଶ୍ୱାସ ଛାଡ଼ିଲେ ଯାତ୍ରୀ ନିରୁଦ୍‍ବିଗ୍ନ ହୋଇଛି ବୋଲି । ବିମାନ ଆସି ଭୂମି ସ୍ପର୍ଶକରି ଅଦୂରରେ ଛିଡ଼ା ହେଲା । ସିଡ଼ି ଲଗାଇ ଦିଆଗଲା ଯାତ୍ରୀମାନଙ୍କ ଅବତରଣ ପାଇଁ । ଚତୁର୍ଦ୍ଦିଗରୁ ସ୍ୱାଗତ କରିବା ପାଇଁ ବନ୍ଦର କର୍ମଚାରୀ–ସ୍ୱଜନ ଏବଂ ବନ୍ଧୁମାନେ ଆଗେଇଆସିଲେ । ହାତରେ ଏଟେଚିକେଶ୍ ଧରି ଦୀକ୍ଷିତ ସାହେବ ଓହ୍ଲାଇବାର ଉପକ୍ରମ କରି ଉତ୍ସାହିତ ହୋଇ କହିଲେ–ଏଥର ଅନ୍ୟ ଏକ ଯାତ୍ରା ବିମାନଯାତ୍ରା ବେଶ୍ ସୁଖକର ହେଲା ଆପଣଙ୍କ ସାନ୍ନିଧ୍ୟ ପାଇ । ସେ କଡ଼େଇ ହୋଇ ଚାହିଁଲେ ଅସୀମାଙ୍କର ଉତ୍ତର ଶୁଣିବାପାଇଁ ଏବଂ ତାଙ୍କ ମୁହଁ ଉପରେ ଏହାର ପ୍ରତିକ୍ରିୟା ଦେଖିନେବା ପାଇଁ ଅସୀମା ଟିକିଏ ଶୁଖିଲା ହସ ହସି କହିଲେ–ଆକାଶ ଯାତ୍ରା ବେଶ୍ ଉପଭୋଗ୍ୟ ହେଲା–ଆଗକୁ ଚାଲିଲେ ଦୀକ୍ଷିତ । ତାଙ୍କୁ ସେ ଅନୁସରଣ କଲେ; କିନ୍ତୁ ଅନୁଭବ କରୁଥିଲେ ଅସୀମା ଯେପରି ପଛରୁ କିଏ ତାଙ୍କୁ ଟାଣି ଧରୁଛି । ମନେହେଉଥିଲା, ତାଙ୍କର ଯେପରି ଆକାଶର ଶୂନ୍ୟତା ଭିତରେ କ’ଣ ଅତି ଆପଣାର ଜିନିଷ ହଜାଇ ଦେଇ ଆସିଛନ୍ତି । କ’ଣ ହଜାଇ ଦେଇଛନ୍ତି ମନକୁ ମନ ପଚାରିଲେ ସେ । ଚାହିଁଲେ ଚାରି ଦିଗକୁ । କାହିଁ ସବୁ ଠିକ୍ ଅଛି ତ । ହାତର ଭ୍ୟାନିଟିବେଗ୍‍ଟା ଥରେ ଦେଖିନେଲେ । ନିଜ ମସ୍ତକ ଉପରେ ଯେଉଁ କେତୋଟି ଚୂର୍ଣ୍ଣ କୁନ୍ତଳ ଅବିନ୍ୟସ୍ତ ଉଡ଼ି ବୁଲୁଥିଲେ ତାହା ଅଙ୍ଗୁଳି ବୁଲାଇ ସଜାଡ଼ି ନେଲେ ।

 

ସିଡ଼ିରେ ଅବତରଣ କଲାବେଳେ ଆଗକୁ ଚାହିଁ ଦେଖିଲେ ଅତି ସେ ଅନେକଙ୍କର ଦୃଷ୍ଟିଆକର୍ଷଣ କରୁଛନ୍ତି । ବୃଦ୍ଧ, ପ୍ରୌଢ଼, ଯୁବକ ସମସ୍ତେ କିପରି ବିସ୍ମୟ ବିମୁଗ୍ଧ ଚିତ୍ତରେ ତାଙ୍କୁ ଲକ୍ଷ୍ୟ କରୁଛନ୍ତି । ତାଙ୍କ ଉପରେ, ମୁହଁ ଉପରେ, କଟି ଉପରେ ସହସ୍ର ଚକ୍ଷୁର ନିବଦ୍ଧ ଦୃଷ୍ଟି ଟିକିଏ ସଙ୍କୋଚ ଲାଗିଲା ତାଙ୍କୁ । ଟିକିଏ ଗରିମା ବୋଧ ସ୍ପର୍ଶ କଲା ମନକୁ ଅନିଚ୍ଛାସତ୍ତ୍ୱେ ହସ ଖେଳାଇ ଓହ୍ଲାଇଲେ ସେ । ତାଙ୍କର ଆଗମନ ଯେପରି ଝରି ଝରି ଆସୁଥିଲା ଏକ ଫୁଟାନ୍ତ ପୁଷ୍ପସ୍ତବକ । ସମସ୍ତଙ୍କ ଚାହାଣୀରେ ସେଇ ଏକପ୍ରକାର କ୍ଷୁଧାର ଜ୍ୱାଳା ଅନୁଭବ କଲେ ସେ । ଗୋଟିଏ ଲାଳସାର ସ୍ପର୍ଶ ପାଇଲେ ସେମାନଙ୍କର ଗହଣରେ । ଗର୍ବରେ ଉଦ୍ଧତ ହୋଇ ଆହୁରୀ ସ୍ଫୀତ ହୋଇ ଉଠିଲା । ଅଧର ଉପରେ ସ୍ଫୀତିର ସ୍ପର୍ଶ ଲାଗିଲା ପଦପାତରେ ଅହେତୁକୀ ସାମଞ୍ଜସ୍ୟ ଏବଂ ମଞ୍ଜୁଳତା ଫୁଟିଉଠିଲା ।

 

ମନେ ମନେ ଭାବିଲେ–ସେ କ’ଣ ଏତେ ସୁନ୍ଦରୀ । ହଁ ନିଶ୍ଚିତ ହୋଇଥିବେ । ନ ହେଲେ ଏତେଗୁଡ଼ାଏ ଚକ୍ଷୁ ତାଙ୍କର ଦେହ, ମୁହଁ ସର୍ବାଙ୍ଗ ଉପରେ ପ୍ରତିଫଳିତ ହୁଅନ୍ତା କାହିଁକି ? ଟିକିଏ ଉଷ୍ମତା ଜାଗିଲେ ଭିତରେ । ପଣତର ଶେଷ ପ୍ରାନ୍ତଟା ଜାଣି ଜାଣି କାନ୍ଦ ଉପରୁ ଖସେଇ ଦେଲେ ଅସୀମା । ଦେହର ଆବରଣ ଟିକିଏ ଲଘୁ କରି ଦେବାପାଇଁ ଇଚ୍ଛା ହେଲା ତାଙ୍କର । ଚାଲିର ବିଭିନ୍ନ ଭଙ୍ଗୀରେ ଯଥା ସମ୍ଭବ ଫୁଟାଇଲେ ନିଜକୁ ଅନ୍ୟ ଆଗରେ ଉଜାଡ଼ି ଦେବାର ଭାବ । ସେଇ ଭାବର ବିଭୋବର ମଧ୍ୟରେ ଦୀକ୍ଷିତ ସାହେବଙ୍କ ଦେହରେ ଅନନୁଭୂତି ତୀବ୍ରତା ଜାଗ୍ରତ ହେଲାଣି ତାଙ୍କର ଚକ୍ଷୁରେ ନିଶାରେ ସୁନେଲି ପରଶ ପୁଷ୍କଳ ହୋଇ ଉଠିଲା ।

 

ବିମାନ ବନ୍ଦରର ପ୍ରତୀକ୍ଷାଳୟ ଭିତରେ ପ୍ରବେଶ କରି ଦର୍ପଣ ଆଗକୁ ନିଜକୁ ଅବଲୋକନ କଲେ ଅସୀମା । ଆଶ୍ଚର୍ୟ ହେଲେ ସେ ସେଇ ରୂପ ଶୋଭାଯାତ୍ରା ଦେଖି । ଲଘୁ ଆବରଣ ଭେଦକରି ଉନ୍ନତ ବୁକୁର ଉଜ୍ଜ୍ୱଳ ଉତୁରି ଉଠୁଥିଲା । ଅଧର, ଚିବୁକ, କପୋଳ, କର୍ଣ୍ଣ କଟି ସବୁଠାରେ ସେଇ ପ୍ରକାଶ କରିବାରେ, ପ୍ରକାଶିତ ହେବାର ମହକ ଲାଗିଥିଲା । ମନ ଭିତରେ ନିଜକୁ ଉଜାଡ଼ି ଦେବାର ନିଆଁ କୁହୁଳି ଉଠୁଥିଲା । ପୁଣି ଆଉଥରେ ନିଜକୁ ସଜାଡ଼ି ନେଲେ ସେ । ମନେପଡ଼ିଲା ତାଙ୍କର ଦେବଦତ୍ତ । ସେ ଥାଆନ୍ତା କି ! ଆଜିର ଏଇ ପ୍ରକାଶ ଭିତରେ ତାକୁହିଁ କେବଳ ନିଜର ସ୍ଥିତି ମଧ୍ୟରେ ଅନୁଭବ କରିବା ପାଇଁ ପ୍ରବଳ ବାସନା ହେଲା ତାଙ୍କର । ସେ ଥିଲେ ତା’ରି ପାଖରେ ଏଇ ଅଜାଡ଼ି ଦେବାର ଭାବ ଆହୁରି ତୀବ୍ର ଏବଂ ଆବେଗମୟ ହୁଅନ୍ତା । ତା’ରି ବନ୍ଧନ ଭିତରେ ନିଜର ଅନାବରଣ ରୂପ ଦେଖି ମୁଗ୍ଧ ମୋହିତ ହୁଅନ୍ତେ ସେ । ନିଆଁ ଲାଗିଲା ତାଙ୍କ ରକ୍ତରେ । ଦେବଦତ୍ତର ଛୁଆଁର ସ୍ମୃତି ଅଥୟ କଲା ତାଙ୍କୁ । ପ୍ରସାଧନ କକ୍ଷ ଭିତରେ ପ୍ରବେଶ କରି ଅତି କରୁଣ ଭାବରେ ନିଜର ବିଭିନ୍ନ ଅଙ୍ଗକୁ ନିଜେ ଅବଲୋକନ କଲେ ଅସୀମା । ସେଇ ଚାହାଣୀରେ ଥିଲା ଏକ ସୂକ୍ଷ୍ମ ବିହ୍ୱଳତା । ସେଇ ବିହ୍ୱଳତାରେ ବିଭୋରହୋଇ ନିଜକୁ ନିଜେ ଉପଭୋଗ କଲେ ସେ । ଯେତେବେଳେ ସେ ହାତମୁହଁଧୋଇ ବାହାରକୁ ଆସିଲେ, ସେତେବେଳକୁ ଦୀକ୍ଷିତ ସାହେବ ଅଧୀର ଆଗ୍ରହରେ ତାଙ୍କ ଆଗମନକୁ ଅପେକ୍ଷା କରିଥିଲେ ।

 

କିନ୍ତୁ ତାଙ୍କୁ ଦେଖିଲା କ୍ଷଣି ପୂର୍ବ ମୁହୂର୍ତ୍ତରେ ବହ୍ନିମାନ ଅନୁଭୂତି ଶୁଣି ଶିଥିଳ ହୋଇଆସିଲା । ତାଙ୍କର ଚେତନା ଜାଗ୍ରତ କରି କିଏ ଯେପରି କହିଲା ଅନ୍ତର ଭିତରେ–ତୁ କାହିଁକି ଏକାକୀ ଆସିଲୁ ଜଣେ ପରପୁରୁଷ ସାଙ୍ଗରେ । ସେ କ’ଣ ତୋର ମନର ମଣିଷ । ତାଙ୍କୁ ପାଇବା ପାଇଁ କ’ଣ ଏତେ ଦିନର ସାଧ୍ୟ ସାଧନା । ସେ ଯଦି ଗ୍ରହଣଯୋଗ୍ୟ ନୁହେଁ, ତାହେଲେ ବରେଣ୍ୟ ହେବେ କିପରି, ଅସୀମା ଅସ୍ଥିର ହେଲା, ତାଙ୍କର ଚିତ୍ତ ଅପ୍ରସନ୍ନ ହୋଇ ଉଠିଲା । ଦୀକ୍ଷିତ ସାହେବଙ୍କ ଲୋଭିଲା ଆଖିର ଇଙ୍ଗିତରେ ଅଙ୍ଗ ପ୍ରତ୍ୟଙ୍ଗର ସମସ୍ତ ଚେତନା ନିଷ୍ପ୍ରଭ ହୋଇଗଲା । ବୁଝିପାରିଲେ ନାହିଁ ସେ କାହିଁକି କ୍ଷଣିକର ଉତ୍ତେଜନାରେ ଅବିନାଶଙ୍କୁ ଛାଡ଼ି ଏକାକୀ ଚାଲି ଆସିଲେ । ଅବିନାଶ ତାଙ୍କର ଆବରଣ ପରି ଅପରିହାର୍ଯ୍ୟ; କିନ୍ତୁ ମଣିଷ କ’ଣ ଆବରଣ ଭିତରେ ରହିବାପାଇଁ ଭଲପାଏ ସବୁବେଳେ । ନିଜକୁ ନିଜ ପାଖରେ ଧରି ରଖିବାର ଅମୋଘ ଅସ୍ତ୍ର ହେଉଛି ନିଜର ଲାବଣ୍ୟକୁ ନିଜେ ମନଶ୍ଚକ୍ଷୁରେ ଦେଖିବା । ସେଇଥିପାଇଁ କାଳ କାଳ ଧରି ମଣିଷ ଏବଂ ନାରୀ ଚାହିଁଛନ୍ତି ଅନ୍ଧକାର ଏବଂ ନିର୍ଜନତାର ନିବିଡ଼ତା ନିକାଞ୍ଚନରେ, ନିଭୃତରେ ନିଜକୁ ଉପଭୋଗ କରିହୁଏ, ନିଜର ଅନେକ ଗୋପନ କାହାଣୀ ନିଜ କାନରେ ପ୍ରତିଧ୍ୱନିତ ହୁଏ । ସେଇ ନିଘଞ୍ଚ ଏ ନିକାଞ୍ଚନ ରାତ୍ରୀର ନିବିଡ଼ତା ଆବରଣ ପରି ଅପାଙ୍‍କେୟ ନୁହେଁ, ତାହା ମନରେ ପ୍ରତୀକ୍ଷିତ ପୁରୁଷ ପରି ବରେଣ୍ୟ । ସେଇଥିପାଇଁ ଆବରଣ ବେଦନା ଅନୁଭବ କରନ୍ତି ସେ ଅବିନାଶଙ୍କର ଉପସ୍ଥିତି ବା ସାନ୍ନିଧ୍ୟରେ ଅନ୍ଧକାର ଏବଂ ନିଭୃତ ପରିବେଶର ପରିତୃପ୍ତି ପାଆନ୍ତି ସେ ଦେବଦତ୍ତ ଗହଣରେ । ସେଇ ମୁହୂର୍ତ୍ତ ଜୀବନରେ ଆସି ମଧ୍ୟ ଆସି ନାହିଁ, ସେ ପ୍ରତୀକ୍ଷିତ ପୁରୁଷର ସଂଯୋଗ ହୋଇ ମଧ୍ୟ ହୋଇ ନାହିଁ । ଆଜି ତାକୁ ଛାଡ଼ି ଏକାକୀ ସେ ଧାଇଁ ଆସିଛନ୍ତି ସହସ୍ର ମାଇଲ ପଥ । ଆବରଣ ଫିଙ୍ଗି ଦେଇ ଆସିଛନ୍ତି ଅବିନାଶ ପାଖରେ; କିନ୍ତୁ ସେ ଲଜ୍ଜା ଏବଂ ଗାଳି ବଦଳରେ ସେ କ’ଣ ପାଇପାରିଛନ୍ତି ନିଜର ଆକାଙ୍କ୍ଷିତ ମଣିଷକୁ । ନା, ନା, ନା । ପ୍ରବଳ ବେଗରେ ମଥା ହଲାଇଲେ ଅସୀମା ।

 

ଦୀକ୍ଷିତ ସାହେବ କହିଲେ–କ’ଣ କହୁଛନ୍ତି....

 

ବାସ୍ତବ ଜଗତକୁ ଫେରିଆସି ତାଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ନିରୁତ୍ତାପ କଣ୍ଠରେ କହିଲେ ସେ–“ନା,–ବର୍ତ୍ତମାନ ଆଉ ଏଠାରୁ ଯାଇ ଲାଭ କ’ଣ ? ଆମେ ମିଷ୍ଟର ମହାନ୍ତିଙ୍କର ଆଗମନର ପ୍ରତୀକ୍ଷା କରିବା ଏବେ ପ୍ରତୀକ୍ଷାଳୟରେ ।

 

ଦୀକ୍ଷିତ ସାହେବଙ୍କ ଆଶାରେ ଆଘାତ ଲାଗିଲା । ସେ କହିଲେ ଏତେ ସମୟଧରି ପ୍ରତୀକ୍ଷାଳୟରେ ବସି ରହି ରହି କ୍ଳାନ୍ତି ଲାଗିବ ଆପଣଙ୍କୁ ସନ୍ଧ୍ୟା ପ୍ଳେନ ଆସୁ ଆସୁ ଆଠଟା । ବରଂ ଚାଲନ୍ତୁ ସିଲିଗୁଡ଼ିରୁ ଘେରାବୁଲି ଆସିବା ।

 

ପ୍ରସ୍ତାବଟି ମନ୍ଦ ନୁହେଁ । ବସି ରହିବାପାଇଁ ତାଙ୍କୁ ମଧ୍ୟ ଭଲଲାଗି ନଥିଲା । ଘେରାଏ ବୁଲିଆସିଲେ ହୁଏତ ଭାରାକ୍ରାନ୍ତ ମନଟା ଟିକିଏ ହାଲୁକା ହୋଇପାରେ । ଫଗୁଣର ବସନ୍ତ ପବନର ସ୍ପର୍ଶରେ ପାହାଡ଼ ତଳର ଶୀତଳ ବାୟୁରେ ଦେହ ମନର ଅଗ୍ନି ଦଗ୍ଧ ଅନୁଭୂତି ଅନ୍ତତଃ ଶାନ୍ତ ଶୀତଳ ହେବ । ଉତ୍ତର ନ ଦେଇ ଭ୍ୟାନିଟ୍‍ବ୍ୟାଗ୍‍ଟା ହାତରେ ଧରି ଆଗେଇଲେ ଅସୀମା । ଅନୁଗତ ଶ୍ୱାନ ପ୍ରଭୁର ମର୍ଜି ଜଗି ଅନୁସରଣ କଲା ପରି ତାଙ୍କର ଅନୁଧାବନ କଲେ ଦୀକ୍ଷିତ ।

 

ପିଚୁଢ଼ଳା ରାସ୍ତା ଉପରେ ଗଡ଼ି ଚାଲିଲା ଟ୍ୟାକ୍ସି । ଆଗ ସିଟ୍‍ରେ ଡ୍ରାଇଭର । ପଛସିଟର ଦୁଇ ପାଖରେ ଦୁଇଜଣ ଯାତ୍ରୀ । ଗୋଟିଏ କଡ଼ରେ ଦୀକ୍ଷିତ ସାହେବ ଏବଂ ଅନ୍ୟଟିରେ ଅସୀମା । ସର୍ପିଳ ରାସ୍ତାର ଉଚ୍ଚ ନୀଚ ଛାତି ଉପରେ ଦୁଇ ପାଖରେ ପାଇନ୍ ବଣର ମନୋରମ ଶୋଭା ଭିତର ଦେଇ, ପଡ଼ନ୍ତବେଳର ସଙ୍ଗୀତ ଗାଇ ଗାଇ ଆଗକୁ ଅଗ୍ରସର ହେଲା ଗାଡ଼ି । ଜୀବନରେ ଏପରିକି ହୁଏ, ଏପରିକି ସମୟ ଆସେ–ଯେତେବେଳେ ପାଇବା ଜିନିଷ ହାତ ମୁଠାରେ ଥାଇ ମଧ୍ୟ ପାଇନି ବୋଲି ମନେହୁଏ । ଏଇ ଚିନ୍ତାରେ ଚିନ୍ତିତ ଥିଲେ ଦୀକ୍ଷିତ ।

 

ଏଗାର

 

କାଞ୍ଚନଜଙ୍ଘା ହୋଟେଲର ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଭିତରେ ବସି ବାତାୟନ ଦେଇ ବାହାରକୁ ଚାହିଁଥିଲେ ଅସୀମା । ବହୁ ଦୂରରେ ସବୁଜ ବନାନୀ ଶେଷ ହୋଇଛି । ତା’ପରେ ଉଚ୍ଚନୀଚ୍ଚ ମାଳ ମାଳ ପର୍ବତ ମାଳା । ତା’ଉପରକୁ କାଞ୍ଚନଜଙ୍ଘାର ମହୀୟାନ ଦୃଶ୍ୟ । ହିମ ପରିବେଷ୍ଟିତ କାଞ୍ଚନଜଙ୍ଘାର ଶୁଭ୍ର କଳେବର ଉପରେ ଚନ୍ଦ୍ରକିରଣ ଚକ୍ ଚକ୍ କରୁଥିଲା । ଆଲୁଅ ଅନ୍ଧକାରର ଲୁଚକାଳି ଭିତରେ ମଣିଷ ମନକୁ ସ୍ପର୍ଶ କଲା ଭଳି ଇଙ୍ଗିତଥିଲା ସେଥିରେ । କାଞ୍ଚନଜଙ୍ଘା ଯେପରି ଚନ୍ଦ୍ର କିରଣରେ ଅବଗାହନ କରି ନିଜର ରୂପ ଯୌବନକୁ ନଗ୍ନତାର ମାଧୁର୍ଯ୍ୟ ଭିତରେ ଅଭିଷିକ୍ତ କରିଛି । ସେଇପରି ତଳକୁ ତଳକୁ ଯେଉଁ ପର୍ବତମାଳା ରହିଛନ୍ତି ସେମାନଙ୍କ ମଧ୍ୟରେ କେଉଁଠି ଆଲୁଅ ଆଉ କେଉଁଠି ଅନ୍ଧକାରର ଲୁଚକାଳି ।

 

ଅସୀମା ଆକାଶକୁ ଚାହିଁଲେ । ପ୍ରଥମ ଫଗୁଣର ନିର୍ମଳ ସେଇ ଆକାଶ ବୁକୁରେ ପୂର୍ଣ୍ଣିମା ଚନ୍ଦ୍ରର ଫୁଲଝରି ଝରୁଥିଲା । ଦେହଭିତରେ ଉଷ୍ମତା ଜାଗୁଥିଲା ତାଙ୍କର । ସେ ଆଉ ଏକାକୀ ବସି ରହିବାପାଇଁ ଇଚ୍ଛା କରୁ ନଥିଲେ । ଦେହର ଅଳସ ମେଣ୍ଟାଇବା ପାଇଁ ଉପରକୁ ହାତ ଉଠାଇ ହାଇ ମାରିଲେ । ଇଚ୍ଛାକରି ପଡ଼ିଯାଇଥିବା ଅଞ୍ଚଳଟା ଆଉ ଗୋଟାଇ ଆଣିଲେନି । ବିରାଟ ଦର୍ପଣ ଆଗରେ ଛିଡ଼ାହୋଇ ନିଜର ସମ୍ପୂର୍ଣ୍ଣ ଅବୟବ ନିରୀକ୍ଷଣ କଲେ ସେ । ଯେତିକି ଦେଖିଲେ ନିଜକୁ ସେତିକି ଛାତିତଳେ ଏକ ଅମୋଘ ଆକର୍ଷଣର ମାଦକତା ଜାତ ହେଲା ତାଙ୍କର । ସେ ଇଚ୍ଛାକରି ମଧ୍ୟ ସେହି ଚଞ୍ଚଳତା ଚାପି ରଖିପାରିଲେ ନାହିଁ ।

 

କ୍ରମଶଃ ସେଇ ଚଞ୍ଚଳତା ଅସ୍ଥିରତାରେ ପରିଣତ ହେଲା । ତାଙ୍କର ଆଖିରେ କିପରି ଏକ ନିଶାର ଜ୍ୱାଳା ଅନୁଭବ କଲେ । ଶୁଖି ଆସୁଥିବା ଅଧରକୁ ଭିଜାଇବା ପାଇଁ ବାରମ୍ବାର ଦଂଶନ କଲେ । ପଡ଼ନ୍ତି ପଣତକୁ ଅଧିକ ପଡ଼ିଯିବା ପାଇଁ ଛାଡ଼ି ଦେଲେ । ମନର କେଉଁ ନିଭୃତ କୋଣରେ ଯେଉଁ ତାତିର ସଞ୍ଚାର ହୋଇଥିଲା, ତାଙ୍କର ଅଲକ୍ଷ୍ୟରେ ଦାବାନଳ ପରି ତା’ର ଝଲସ ସଂଚରିତ ହେଲା ସମଗ୍ର ଦେହରେ । ସେହି ଝଲସରେ ଚିକ୍କଣ ହୋଇ ଉଠିଲା ତାଙ୍କର ଆଖି, କାନ, ଚିବୁକ ଏବଂ କପୋଳ । ଉତ୍ତାପର ଅଗ୍ନିଦଗ୍ଧ ପ୍ରକାଶ ଭିତରେ ବନ୍ୟ ଉତ୍ତେଜନା ଆସକ୍ତି କଲା ତାଙ୍କର ସର୍ବାଙ୍ଗ । ସେ ବିହ୍ୱଳ ବିମୁଗ୍ଧ ହୋଇ କମ୍ପିତ ବକ୍ଷରେ ଆକାଂକ୍ଷିତର ସ୍ପର୍ଶ ସୁଖ କାମନା କରି ବାରମ୍ବାର ଏପାଖ ସେପାଖ ଚାହିଁଲେ ।

 

ଅବିନାଶ ଆସିଲା ନାହିଁ । ନ ଆସି ଭଲ ହୋଇଛି । ବାରମ୍ବାର ଅକମ୍ପିତ ଛାତି ତଳେ ମଥା ରଖି ସେଇ ପୁରୁଣା ବେସୁରା ସ୍ପନ୍ଦନ ଶୁଣିବା ପାଇଁ ଇଚ୍ଛାନାହିଁ ଅସୀମାଙ୍କର । ଯେଉଁ ହୃଦୟର ସ୍ପନ୍ଦନ ଜୀବନସର୍ତ୍ତାକୁ କରିବ ଜାଗ୍ରତ, ଯେଉଁ ସ୍ପର୍ଶରେ ସେ ପାଇବେ ରୋମାଞ୍ଚ, ଯାହାର ଲୁଣ୍ଠନ ଭିତରେ ସେ ପାଇବେ ସବୁ ପାଇବାର ଶିତ୍କରା, ସେହି ତ ତାଙ୍କର କାମ୍ୟ ଅବିନାଶ ତାଙ୍କୁ ଏହା ଦେଇପାରି ନାହାନ୍ତି, ଦେବାପାଇଁ ଯେପରି ଅକ୍ଷମ । ନେଇ ନେଇ ସେ ନୀରସ ହୋଇଯାଇଛନ୍ତି । ଦେଇ ସେ ଜାଣନ୍ତି ନାହିଁ । ଯେ କେବଳ ନିଏ, ସେ ଦେଇ ଜାଣେନା । ସେଇ ତ ଅବିନାଶଙ୍କର ଦୈନ୍ୟ, ତାହାହିଁ ତାଙ୍କ ଜୀବନର ଚରମ ସତ୍ୟ ଏବଂ ପରମ ରିକ୍ତତା ।

 

ମନେପଡ଼େ ତାଙ୍କର ଅଳ୍ପ କେତେବର୍ଷ ତଳର କଥା । ସେତେବେଳେ ସେ ନୂଆ ହୋଇ ଆସିଥାନ୍ତି ସ୍ୱାମୀଙ୍କର ଜୀବନ ରଙ୍ଗମଞ୍ଚ ଉପରେ । ଯୌବନର ଯାଦୁ ମନକୁ ତାଙ୍କର ମହକାଇ ଦେଇ ଚପଳ ଓ ଚଞ୍ଚଳ କରିଥାଏ । ସେଇ ଯାଦୁର କାଉଁରୀ ସ୍ପର୍ଶ ସେ ଅନୁଭବ କରିବା ପାଇଁ ଚାହିଁଥିଲେ ସ୍ୱାମୀଙ୍କର ସ୍ଥିତି ଭିତରେ । ସେଇ ଚାଞ୍ଚଲ୍ୟ ଓ ଚପଳତା ସେ ଖୋଜିଥିଲେ ତାଙ୍କର ପ୍ରତ୍ୟେକ କର୍ମପ୍ରବଣତା ଭିତରେ । ଏତିକି ଯେପରି ନୁହେଁ–ଆଉ କ’ଣ ଅଧିକ ଚାହିଁଥିଲେ ସେ । ଆଜି ସ୍ପଷ୍ଟ ମନେପଡ଼ୁଛି । ସେ ତ ବଦଳି ଯାଇନାହାନ୍ତି, ମନେ ନ ପଡ଼ିବ କାହିଁକି । ତାଙ୍କର ଆକାଙ୍କ୍ଷା, ନିଭୃତ କାମନା ଆଜିଯାଏ ରହିଯାଇଛି ଅପୂର୍ଣ୍ଣ । ଛାତିତଳେ ତାଙ୍କର ମହକ ତାତି ଫୁଟାଇ ତାଙ୍କୁଇ କେବଳ କରିଛି ଦଗ୍ଧ; କିନ୍ତୁ ତାଙ୍କର ବିଦଗ୍ଧ ହୃଦୟର ବେଦନା ଗ୍ରହଣ କରିବା ପାଇଁ, ଯେଉଁ ଗୋଟିଏ ହୃଦୟର ସନ୍ଧାନ ସେ କରୁଥିଲେ, ସେ ଆସି ମଧ୍ୟ ଆସିନାହିଁ । ତା’ର ସ୍ପର୍ଶ ପାଇ ମଧ୍ୟ ପାଇପାରିଲେନି ସେ ।

 

ସେଇ ଅଧିକ ଟିକକ କ’ଣ ? କେବଳ କ’ଣ ପ୍ରାଣ ଚାଞ୍ଚଲ୍ୟ ବା ଚପଳତା ? ନା, ନା, ନା । ତାହା ଏତେ ସହଜରେ ବୁଝାଇବା ସମ୍ଭବ ନୁହେଁ । ଏତେ ଅନାୟାସରେ ପ୍ରକାଶ କରିବା ଅତି ଦୁରୂହ । ସେଇ ଦୁର୍ଲଙ୍ଘ୍ୟ ଏକ ଅନୁଭୂତି–ଠିକ୍ ଅନୁଭୂତି ନୁହେଁ, ନିଜର ସ୍ୱାଦ ନିଜେ ଗ୍ରହଣ କରିବାର ଦୁର୍ବାର କାମନା–ତାଙ୍କୁ ଅଥୟ କରିଛି । ପାଗଳ ହୋଇଛନ୍ତି ସେ । ଅନେକଥର ଉନ୍ମାଦ ପରି ଦଉଡ଼ି ଯାଇ ମଥା ପିଟିଛନ୍ତି ଅବିନାଶଙ୍କ ଉନ୍ମୁକ୍ତ ବକ୍ଷ ଉପରେ । ତାଙ୍କର ଦେହଟାକୁ ସ୍ୱାମୀ ପାଖରେ ଅଜାଡ଼ି ଦେଇ ନିବିଡ଼ ହେବା ପାଇଁ ଚେଷ୍ଟା କରିଛନ୍ତି; କିନ୍ତୁ କିଛି ହୋଇନି । ପ୍ରତ୍ୟାଶା ପୂର୍ଣ୍ଣ ହୋଇନି–ପ୍ରତ୍ୟୁତ୍ତର ନିରୁତ୍ତାପ ନିରୁଦ୍‍ବିଗ୍ନ । ସେଇ ବିନିମୟରେ ଆଗ୍ନେୟଗିରିର ଉତ୍ତାପ ନାହିଁ । ଅଗ୍ନିଶିଖାର ଆକର୍ଷଣ ନାହିଁ । ଆଖିରୁ ଲୁହ ପୋଛିଛନ୍ତି ଅସୀମା । କାହିଁକି ଏପରି ହେଲା ? କାହିଁକି ସ୍ୱାମୀଙ୍କର ବନ୍ଧନ ଭିତରେ ସେ ତାଙ୍କର କାମନାର ଶେଷ ପରିଣତି ପାଇପାରିଲେନି । ଯେଉଁ ବ୍ୟଗ୍ରତା ନେଇ ଯାଇଥାଆନ୍ତି ସେ, ସେଇ ବ୍ୟଗ୍ରତା ନେଇ ଫେରିଆସନ୍ତି ପୁଣି । ବେଦନା–ବିଧୁର ତାଙ୍କର ଯୌବନ ଅସହ୍ୟ ଏକ ଯନ୍ତ୍ରଣାରେ ମଥା ପିଟେ ହୃଦୟ ବେଦୀ ଉପରେ ।

 

ଆଜି ସେଇଥିପାଇଁ ସେ ନିଜକୁ ଅଜାଡ଼ି ଦେଇ ସର୍ବହରା ହେବାର ଆନନ୍ଦ ପାଇନାହାନ୍ତି~। ଯେଉଁ ଟିକକ ଅବିନାଶ ତାଙ୍କୁ ଦେଇଛନ୍ତି, ସେଇଥିରେ ପେଟ ପୂର୍ଣ୍ଣ ହୋଇନି ତାଙ୍କର । ଭୋକିଲା ପେଟ କ୍ଷୀରି ଖେଚୁଡ଼ିରୁ ମେଞ୍ଚେ ଚାହେଁନା, ଚାହେଁ ଉଦର ପୂର୍ଣ୍ଣ କରିବା ପାଇଁ ଆଦର ମିଶା ପ୍ରଚୁର ଆହାର । ଭୋକରେ ରହି ରହି ମଣିଷ ଭିତରେ ଯେପରି ଏକ ବଣ୍ୟ ମତ୍ତତା, ଏକ କୃଦ୍ଧ ଆବେଗ ତାକୁ ଜୀର୍ଣ୍ଣ କରେ ପ୍ରକାଶ ପାଇ ନ ପାରି, ସେଇପରି ବଣ୍ୟ ଏବଂ କୃଦ୍ଧ ହୋଇଛନ୍ତି ସେ । ତାଙ୍କର ବାହାରର ରୂପଲାବଣ୍ୟତଳେ ଏଇ ବଣ୍ୟତା ଏବଂ ବିରକ୍ତି ଦଗ୍ଧ କରିଛି ବାରମ୍ବାର । ସେ ନିଜକୁ ନିଜେ ଦଂଶନ କରିଛନ୍ତି । ନିଜର କପାଳ ଉପରେ ନିଜେ ଆଘାତ କରିଛନ୍ତି-। ସେଇ ବଣ୍ୟତା ଏବଂ ବିରକ୍ତିର ବିଲୋପ ଅବିନାଶ କରିପାରିନାହାନ୍ତି । ସିନେମା, ଥିଏଟର, କ୍ଳବ ପିକ୍‍ନିକ୍ କେଉଁଥିରେ ତା’ର ପରିସମାପ୍ତି ଘଟିନାହିଁ । ବରଂ ସଙ୍ଗମେଳରେ ସେଇ ସ୍ଥାନରେ ଆହୁରି କ୍ଷିପ୍ତ, ଆହୁରି ଦୃପ୍ତ ହୋଇଛି ତାଙ୍କର ଜ୍ୱାଳା । ସେ କୁହୁଳି କୁହୁଳି ଦଗ୍ଧ ହେବାକୁ ଚାହାଁନ୍ତିନି । ଜଳି ଯାଇ ନିମିଷକର ଆଲୋକରେ ଆତ୍ମହରା ହେବାପାଇଁ ଇଚ୍ଛା ତାଙ୍କର । ସେଇ ଇଚ୍ଛା କେବଳ କ’ଣ ଆଶାରେହିଁ ରହିଯିବ?

 

ବାହାରକୁ ଚାହିଁଲେ ଅସୀମା । ଫଗୁଣର ଚାନ୍ଦିନୀ ରାତି । ମଧୁବୋଳା ସେଇ ଜ୍ୟୋତ୍ସ୍ନାଲୋକରେ ମହକ ପାଇଲେ ଅସୀମା । ଏପାଖ ସେପାଖ ଚାହିଁଲେ । ନାଁ କେହି ନାହିଁ । ତାଙ୍କୁ ସଙ୍ଗଦେବା ପାଇଁ କେହି ନାହାଁନ୍ତି । ଫୁଲି ଫୁଲି ଉଠିଲା ସେଇ କୃଦ୍ଧ ବଣ୍ୟ ମତ୍ତତା । ଗୁମୁରି ଉଠିଲା ଛାତିତଳେ ସେଇ ଅପୂର୍ଣ୍ଣ ରହିବାର ବ୍ୟଥା ଏବଂ ବେଦନା । ମଥାଟା ଭାରି ଭାରି ଜଣାପଡ଼ୁଛି । ବାଳଗୁଡ଼ାକ ଅସ୍ୱାଭାବିକ ଭାବରେ ଉତ୍ତପ୍ତ । ଭିତରେ ଭିତରେ କ’ଣ ନ ପାଇବାର ଏକ ରୁଦ୍ଧ ଆବେଗ । ଯନ୍ତ୍ରଣା ଅସହ୍ୟ ହେଲା ତାଙ୍କର । ଗୋଲାପଗୁଚ୍ଛରୁ ଗୋଟାଏ ରକ୍ତଗୋଲାପ ନେଇ ତା’ର ଫୁଟନ୍ତ ଶୋଭା ନିରୀକ୍ଷଣ କଲେ ମୁହୂର୍ତ୍ତକ ପାଇଁ । ତା’ପରେ ନିଜର କପୋଳରେ, ଚିବୁକରେ ଓଠ ଉପରେ ନିର୍ଦ୍ଦୟ ଭାବରେ ଚାପିଦେଲେ ଫୁଲକୁ । ସେଇ ଉଦ୍ଦାମ ଆଘାତର ପୀଡ଼ନ ସହି ନ ପାରି ଗୋଲାପର ପାଖୁଡ଼ାଗୁଡ଼ିକ ଧୀରେ ଧୀରେ ଛିନ୍ନ ବିଦ୍ୱସ୍ତ ହୋଇ ଖସି ପଡ଼ିଲା ତାଙ୍କର ବକ୍ଷ ଉପରେ, ଭୂମି ଉପରେ ଏବଂ ଲୁଗା ଉପରେ । ଥକ୍କା ଲାଗିଲା ଅସୀମାଙ୍କୁ । ସେ ପଲଙ୍କ ଉପରେ ଶୋଇପଡ଼ି ମେଲି ଦେଲେ ନିଜର ଅଙ୍ଗ ପ୍ରତ୍ୟଙ୍ଗ । ଆଖି କୋଣ ଆର୍ଦ୍ର ହୋଇ ଉଠିଲା । ଅଳ୍ପକ୍ଷଣ ପରେ ସେ ଅନୁଭବ କଲେ ସେ କାନ୍ଦୁଛନ୍ତି ।

 

ଦୀକ୍ଷିତ ସାହେବ କିନ୍ତୁ କନ୍ଦାଇବା ବା କାନ୍ଦିବାପାଇଁ ଆସି ନଥିଲେ । ହସିବା ପାଇଁ, ହସାଇବା ପାଇଁ ଆସିଥିଲେ ସେ । ସେ ଲୋଡ଼ିଥିଲେ ତାଙ୍କର କ୍ଷୁଧିତ ଦେହକୁ ଶାନ୍ତ କରିବା ପାଇଁ । ସେ ଚାହିଁଥିଲେ ଚୁମ୍ବନର ଚଟୁଳତା ଭିତରେ ନିଜର ଦେହ ଏବଂ ମନକୁ ପରଖି ନେବାପାଇଁ । ସେଇ ପରିଖିବାହିଁ ତାଙ୍କର ଜୀବନର ଧର୍ମ । ସେଇ ପରଖ ମଧ୍ୟ ଦେଇ ସେ ଦେଖିଆସିଛନ୍ତି କେତେ ରୂପ, ଆସ୍ୱାଦନ କରିଛନ୍ତି କେତେ ଦଂଶନ । ଆଜି ଅତି ଅପ୍ରତ୍ୟାଶିତ ଭାବରେ ସୁଯୋଗ ଆସିଛି ତାଙ୍କ ଜୀବନରେ ଗୋଟାଏ ନୂତନ ଅଧ୍ୟାୟ ସୃଷ୍ଟି କରି । ବହୁ ଅଧ୍ୟାୟ ଭିତରେ ଏ ଅଧ୍ୟାୟ ଯେପରି ସ୍ୱପ୍ନିଳ, ସେଇପରି ବର୍ଣ୍ଣିଳ । ବର୍ଣ୍ଣାଢ଼୍ୟ ସେଇ ସୁଯୋଗର ସମ୍ଭାବନାମୟ ଆଗମନକୁ ଉଦ୍ଦୀପ୍ତ ଏବଂ ଅଧିକ ଆଗ୍ରହରେ ଲକ୍ଷ୍ୟ କରୁଥିଲେ ସେ ।

 

ସନ୍ଧ୍ୟାବେଳେ ଅସୀମାଙ୍କୁ ନେଇ ଘେରାଏ ବୁଲି ଆସିବା ପାଇଁ ମନ ବଳାଇଥିଲେ; କିନ୍ତୁ ସେ ରାଜି ହେଲେନି କାହିଁକି କେଜାଣି । ନାରୀ ଚରିତ୍ର ବୁଝିବାରେ ଅଭିଜ୍ଞ ଦୀକ୍ଷିତ ସାହେବ ମଧ୍ୟ ବେଳେ ବେଳେ ବୁଝିପାରନ୍ତି ନାହିଁ କ’ଣ ନାରୀର କାମ୍ୟ, କ’ଣ ତା’ର କାମନା ? କିନ୍ତୁ ନିରାଶ ସେ ହୋଇନାହାନ୍ତି, ନୈରାଶ୍ୟ ତାଙ୍କ ଜାତକରେ ନାହିଁ । କଳେବଳେ କୌଶଳେ ବହୁ ଅସାଧ୍ୟ ସାଧନ କରିଛନ୍ତି ତାଙ୍କର ବହୁଭୋଗ୍ୟ ଜୀବନ ଉପରେ ବହୁନାରୀ କଣ୍ଠର କାକଳି, ବହୁ ଆଲିଙ୍ଗନର ପ୍ରଲେପ; କିନ୍ତୁ ସେ ବର୍ତ୍ତମାନ ବ୍ୟତୀତ, ଅତୀତ ବା ଭବିଷ୍ୟତକୁ ବିଶ୍ୱାସ କରନ୍ତି ନାହିଁ । ଯାହା ପାଖରେ ଅଛି, ତାହା ତାଙ୍କର, ଏକାବେଳକେ ନିଜର, ଅତି ଆପଣାର । ଯାହା ଅତୀତ ତାହା ଶୂନ୍ୟ~। ତେଣୁ ଯେ ତାଙ୍କ ଲୋଚନ ସମ୍ମୁଖରୁ ଅନ୍ତର୍ହିତ ହୋଇଛି, ସେ ଅପରିଚିତା, ତା’ ସହିତ କୌଣସି ସମ୍ପର୍କ ନାହିଁ ତାଙ୍କର । କେତେଥର ଏହିପରି ଶଯ୍ୟା ସଙ୍ଗିନୀମାନଙ୍କ ସହିତ ସାକ୍ଷାତ ହୋଇଛି, କିନ୍ତୁ ସେ ସିଧା ଚାଲି ଯାଇଛନ୍ତି । କୌଣସି ଆଗ୍ରହ ହୋଇନି ତାଙ୍କର ଥରେ ମାତ୍ର ପଚାରିବା ପାଇଁ ତମେ କିପରି ଅଛ ! ଅନେକ ସେମାନଙ୍କର ଚରିତ୍ର ଧ୍ୱସଂପାଇଁ ତାଙ୍କୁ ଦୋଷ ଦେଇଛନ୍ତି । ପରୋକ୍ଷରେ ଅଭିଶାପ ଦେଇଚନ୍ତି, କିନ୍ତୁ ଆଶ୍ଚର୍ଯ୍ୟ ! ମୁହଁ ଖୋଲି କେହି ଦିନେ ହେଲେ ତା’ର ପ୍ରତିବାଦ କରିନି ।

 

ଜଣେ କିନ୍ତୁ ଥରେ ମାତ୍ର ପ୍ରତିବାଦ କରିଥିଲେ । ସେ ଆଉ କେହି ନୁହଁନ୍ତି ତାଙ୍କର ସ୍ତ୍ରୀ । ସେଇଥରକ ମାତ୍ର । ଦୀକ୍ଷିତ ସାହେବ ସେ ପ୍ରତିବାଦ ଆଗରେ କିଛି ଉତ୍ତର ଦେଇପାରି ନଥିଲେ ସତ, କିନ୍ତୁ ତାଙ୍କ କାମରେ ତାହା କୌଣସି ବାଧା ସୃଷ୍ଟି କରିପାରି ନଥିଲା । ଅବାରିତ ଭାବରେ ସେ ସଙ୍ଗିନୀମାନଙ୍କ ସହ ଘନିଷ୍ଠତା ବଜାୟ ରଖି ପାରିଥିଲେ । ସେମାନଙ୍କ ମଧ୍ୟରୁ କେତେକ ତାଙ୍କ ସ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁ, କିଏ ବା ପରିଚିତା । ଆଶ୍ଚର୍ଯ୍ୟ ! କିନ୍ତୁ ତାଙ୍କ ସ୍ତ୍ରୀଙ୍କର ଧୈର୍ଯ୍ୟ ଓ ସହନଶୀଳତା ସେ ଏ ସବୁ ଜାଣି ମଧ୍ୟ ସମ୍ପୂର୍ଣ୍ଣରୂପେ ଆଗ୍ରହ୍ୟ କରୁଥିଲେ । ତାଙ୍କର ସୁସଂଯତ ଏବଂ ସୁସଂଗଠିତ ଜୀବନଧାରା ଅପ୍ରତିହତଭାବେ ଚାଲିଲା । କେହି ତାଙ୍କର ଭାବାନ୍ତର ଲକ୍ଷ୍ୟ କରିପାରିଲେନି । କେବଳ ସେ ନିଜେ ଜାଣିଲେ ତାଙ୍କ ଅକ୍ଷତ ଅନ୍ତଃସ୍ଥଳରେ କ୍ଷତ କେଉଁଠି । ସେ କ୍ଷତର ରକ୍ତ କ୍ଷରଣ ଅବାରିତ ଭାବରେ ଚାଲିଲା । ସେ କ୍ଷତର ବ୍ୟଥା ଅନ୍ତରର ଅର୍ଘ୍ୟାଲୋକରେ ପ୍ରଶମିତ କଲେ ସେ; କିନ୍ତୁ ତାହା ତାଙ୍କର ପତିପ୍ରାଣ ଜୀବନକୁ ବିଡ଼ମ୍ବିତ କରି ତୋଳିଲା ।

 

ଦୀକ୍ଷିତ ସାହେବ କେବେ ନାରୀର ମନ ଜାଣିବାପାଇଁ ଚେଷ୍ଟା କରି ନଥିଲେ, ଆଜିବି ସେ ପ୍ରୟୋଜନ ଅଛି ବୋଲି ମନେ ହୁଏନା ତାଙ୍କର । ସେ ଅସୀମାଙ୍କୁ ଆଣିଛନ୍ତି, ତାଙ୍କର ମନ ଜାଣି ପଦ ଲେହନ କରିବା ପାଇଁ ନୁହେଁ, ସେ ତାଙ୍କର ପ୍ରୟୋଜନ । ସେଇ ଉତ୍ତାଳ–ଯୌବନର ଆକର୍ଷଣ ଏଡ଼ି ପାରିନାହାନ୍ତି । ସେଇଥିପାଇଁ ସେଇ ଅସୀମାଙ୍କର ସୀମାହୀନ ଆକର୍ଷଣ ଉପରେ ନିଜର ପ୍ରତିଲିପି ରଖିଯିବା ପାଇଁ ଅୟାସ ହୋଇଛି ତାଙ୍କର । ଅସୀମାଙ୍କର ରୂପ ତାଙ୍କର ଦେହ ଓ ଯୌବନ ସେ ଚାହାଁନ୍ତି । ସେଇ ମନ ସହିତ ତାଙ୍କର ପରିଚୟ ନାହିଁ, ହେବାର ଆବଶ୍ୟକତା ମଧ୍ୟ ନାହିଁ । ଅର୍ଥ ଏବଂ ଉଦ୍ୟମ ତାଙ୍କର ଅଛି । କ୍ଷମତା ତାଙ୍କର ପଦାଧୀନ । ଯାହା ନେଇ ମଣିଷ ଐଶ୍ୱର୍ଯ୍ୟ ବୋଲି ଗର୍ବ କରେ, ସେ ସବୁଅଛି ତାଙ୍କର । ସେଇ କ୍ଷମତା ବଳରେ, ଧୀଶକ୍ତି ସାହାଯ୍ୟରେ କଳ କୌଶଳ କରି ଅସୀମା ସହିତ କେତୋଟି ଦିନ ଅତିବାହିତ କରିବା ପାଇଁ ପ୍ରତିଯୋଗିତାରେ ଯୋଗ ଦେଇଥିଲେ ସେ । ଯେ ଘୋଡ଼ା ଦୌଡ଼ରେ ବାଜି ମାରିଛି, ସେଇହିଁ କେବଳ ଜାଣେ ଘୋଡ଼ା ଦୌଡ଼ର ଉତ୍ତେଜନା । ସେଇ ଖେଳର ପକ୍କା ଖେଳୱାଡ଼ ଦୀକ୍ଷିତ ସାହେବ-। ଦେବଦତ୍ତ ପ୍ରତିଯୋଗିତାରେ ଛିଡ଼ା ହୋଇଥିଲେ ବିପକ୍ଷ ଅଶ୍ୱ ନେଇ । ତାକୁ ପ୍ରତିଯୋଗୀ ଭାବରେ କେବେ ଗ୍ରହଣ କରି ନଥିଲେ ଦୀକ୍ଷିତ ସାହେବ । ଆଜି ମଧ୍ୟ କରିନାହାନ୍ତି; କିନ୍ତୁ ଯେତେବେଳେ ସେ ଦେଖିଲେ, ଦେବଦତ୍ତ ବିପଦ୍‍ଜ୍ଜନକ ଭାବରେ ଅଗ୍ରଗତି କରୁଛି ତାଙ୍କୁ ପରାସ୍ତ କରିବା ପାଇଁ, ଛୁଁ ମାରି ନେଇ ଆସିଲେ ଅସୀମାଙ୍କୁ ଦାର୍ଜିଲିଂ । ତାଙ୍କ କାମର କ୍ଷିପ୍ରତାରେ, ତାଙ୍କର କୌଶଳର କୃତିତ୍ୱରେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ବିଚାରା ଦେବଦତ୍ତ ! ମନକୁ ମନ ହସିଲେ ଦୀକ୍ଷିତ୍ ସାହେବ ।

 

ରମ୍ ଏବଂ ସୋଡ଼ା ବୋତଲ ଫ୍ରିଜିଡ଼ିଅର ଭିତରୁ ବାହାର କଲେ ସେ । ବଡ଼ ଶୋଷ ଲାଗୁଛି । ଦେହର କେଉଁ କୋଣରେ ଶିଥିଳତା ଜାଗିଛି । ଟିକିଏ ତତେଇ ନେବେ ନିଜକୁ । ନିଜର ମନକୁ । ଅଳ୍ପ ସମୟ ମଧ୍ୟରେ ରମ୍ ବୋତଲ ଅଧା କରି ପକାଇଲେ ଦୀକ୍ଷିତ ସାହେବ । ଦେହଟା ବେଶ୍ ଚଞ୍ଚଳ ହୋଇ ଉଠିଛି । ମନଟା ବେଶ୍ ଚପଳ ହୋଇ ଉଠିଛି । ଆଉ ଡେରି କରି ଲାଭନାହିଁ । ଡିନର ଆଗରୁ ଟିକିଏ ବୁଲି ଆସିଲେ ଭଲ ହେବ । ସେଇ ବୁଲିବାବେଳେ ଅସୀମାଙ୍କର ସାନ୍ନିଧ୍ୟକୁ ରାତ୍ରି ଯାପନ ପାଇଁ ପ୍ରସ୍ତୁତ କରି ଆସିବେ । ବେଶ୍ ସଜାଗ ହୋଇ ସେ କକ୍ଷ ଭିତରୁ ନିଷ୍କ୍ରାନ୍ତ ହୋଇଗଲେ ।

 

ଅସୀମା ଅସଂଯତ ଭାବରେ କେତେ କ’ଣ ଭାବୁଥିଲେ । ଭାବୁଥିଲେ ସେ ଆଜି ତାଙ୍କର କ’ଣ ପ୍ରୟୋଜନ, କ’ଣ ସେ ପାଇଲେ ଅଧିକ ସୁଖୀ ହେବେ । ଆଗରୁ ଝରି ପଡ଼ିଥିବା କେଇ ବୁନ୍ଦା ଲୁହ କେତେବେଳୁ ଶୁଖି ଯାଇଛି । ଭାବନାର ଭାବାନ୍ତର ମଧ୍ୟରେ ସେ ଭୁଲିଯାଇଥିଲେ ନିଜର ସ୍ଥିତି-

 

କିନ୍ତୁ ଯେ ଭୁଲି ନଥିଲା, ସେ ଆସି ଦରଜାରେ ମୃଦୁ କରାଘାତ କଲା । ଅସୀମା ପ୍ରସ୍ତୁତ ହେଲେ । ଏହି ସମୟରେ ଦୀକ୍ଷିତ୍ ସାହେବଙ୍କୁ ଅଭ୍ୟର୍ଥନା କରିବା ପାଇଁ ଇଚ୍ଛା ନଥିଲା । ସେ ନିଶ୍ଚୟ ଜାଣିଥିଲେ, ତାଙ୍କ ବ୍ୟତୀତ କେହି ଏ ସମୟରେ ତାଙ୍କ ପାଖକୁ ଆସିବେ ନାହିଁ । ଅଳସ ଦେହଟାକୁ ବିଛଣାର ଏପ୍ରାନ୍ତରୁ ସେପ୍ରାନ୍ତ ପର୍ଯ୍ୟନ୍ତ ଆଉଥରେ ଲୋଟାଇ ଦେଲେ ସେ ।

 

ପୁଣି ମୃଦୁ ଆଘାତ ହେଲା ଦରଜାରେ ଅଗତ୍ୟା ଉଠିବାକୁ ବାଧ୍ୟ ହେଲେ । ଦୁଇ ତିନି ମିନିଟ୍ ମଧ୍ୟରେ ଅସଂଯତ କେଶବାସ ସୁବିନ୍ୟସ୍ତ କରି ମୁହଁ ଧୋଇ ପାଉଡ଼ରର ନରମ ପ୍ରଲେପ ବୋଳିଦେଲେ ମୁହଁରେ । ତା’ପରେ ଦରଜା ଖୋଲି ହସ ଫୁଟାଇ କହିଲେ–

 

–କ୍ଷମା କରିବେ, ଆପଣଙ୍କୁ ଛିଡ଼ା କରାଇ ରଖିଲି ।

 

–କ୍ଷମା ମାଗିବାକୁ ଆଉ ହେବନି । ଚାଲନ୍ତୁ ଘେରାଏ ବୁଲି ଆସିବା, ବାହାରେ ଜ୍ୟୋତ୍ସ୍ନା ଭିତରେ ବସି ବସି ଉପଭୋଗ କରି ହୁଏନା ।

 

କହିସାରି ଅସୀମାଙ୍କର ମୁଖକୁ ତିର୍ଯ୍ୟକଭାବେ ଲକ୍ଷ୍ୟକଲେ ଦୀକ୍ଷିତ୍ ସାହେବ । ଦୁଷ୍ଟାମି ଥିଲା ସେ ଚାହାଣୀରେ । ଅସୀମା ଟିକିଏ ଅନ୍ୟମନସ୍କ ହେଲେ ବୋଧେ; କିନ୍ତୁ ସେଇ କ୍ଷଣିକ । ପରକ୍ଷଣରେ ସେ ଅନୁଚ୍ଚ କଣ୍ଠରେ କହିଲେ

 

–ଆପଣ ଟିକିଏ ଅପେକ୍ଷା କରନ୍ତୁ । ମୁଁ ପ୍ରସ୍ତୁତ ହୋଇଆସୁଛି ।

 

କଥା ଶେଷ ହେବା ପୂର୍ବରୁ ଡ୍ରେସିଂରୁମ ଭିତରକୁ ପ୍ରବେଶ କଲେ ଅସୀମା । ଲୁଗା ବଦଳାଇଲେ । ଗୋଲାପି ଶାଢ଼ୀକୁ ଖାପ୍ ଖାଇଲା ଭଲି ବ୍ଲାଉଜ । ତା’ ଉପରେ ପୁଣି ଲାଲ ଓଭର କୋଟ । ରକ୍ତବର୍ଣ୍ଣର ବର୍ଣ୍ଣାଢ଼୍ୟ ପ୍ରକାଶ ଉପରେ ଜରିର ସୂକ୍ଷ୍ମ କାମ । ଅସୀମା ଅଧର ଉପରେ ରଙ୍ଗ ବୋଳିଲେ । ଡାହାଣ ଚିବୁକର ଏକ କୋଣରେ ଗୋଟାଏ କୃତ୍ରିମ ତିଳ ଚିହ୍ନ ଆଙ୍କିଲେ । ଚୂର୍ଣ୍ଣକୁନ୍ତଳ କେଇଟା ଲୋଟାଇ ଦେଲେ କପୋଳ ଉପରେ । ହାତରେ ବ୍ୟାଗ୍ ।

 

ସେ ବାହାରକୁ ଆସିଲେ । ତାଙ୍କୁ ଦେଖି ଯେପରି ଆଖିକୁ ବିଶ୍ୱାସ କରିପାରିଲେନି ଦୀକ୍ଷିତ ସାହେବ । ଏତେ ସୌନ୍ଦର୍ଯ୍ୟ, ଏତେ ଆକର୍ଷଣ କେଉଁଠି ଲୁଚାଇ ରଖିଥିଲେ ଅସୀମା । ଲୋଭିଲା ଆଖିରେ ବାରମ୍ବାର ତାଙ୍କୁ ଚାହିଁଲେ, କିନ୍ତୁ ତୃପ୍ତି ପାଇଲେନି ସେଥିରେ । ସେଇ ରୂପ ଏବଂ ପ୍ରସାଧନ ଭିତରେ କ’ଣ ଥିଲା କେଜାଣି, ଦୀକ୍ଷିତ୍ ସାହେବଙ୍କୁ ଚଞ୍ଚଳ କରି ତୋଳିଲା । ସେ ସ୍ଥିର କରି ନେଲେ ମନ ଭିତରେ ଏଇ ପ୍ରକାଶ କେବଳ ତାଙ୍କରି ସ୍ୱାଗତପାଇଁ । ସେଇ ଲାବଣ୍ୟ କେବଳ ତାଙ୍କରି ନୟନ ରଞ୍ଜନପାଇଁ ।

 

–କ’ଣ ଏତେ ଚାହିଁ ଚାହିଁ ଦେଖୁଛନ୍ତି । କହିଲା ସେ–

 

ଅଧର ଉପରେ ହସ ଖେଳାଇ ଟିକିଏ ଅପ୍ରସ୍ତୁତ ହେଲେ ଦୀକ୍ଷିତ । ଚକ୍ଷୁ ଫେରାଇ ଅନ୍ୟଆଡ଼େ ଚାହିଁ ଆଖିରେ ଇଙ୍ଗିତ ଖେଳାଇ କହିଲେ–କିଛି ମନେକରିବେ ନାହିଁ ମିସେସ୍ ମହାନ୍ତି-। ଆଜି ଆପଣ ପ୍ରକୃତରେ ଅତି ଆକର୍ଷଣୀୟ ହୋଇ ଉଠିଛନ୍ତି ।

 

ଟିକିଏ ଲାଜେଇ ଗଲେ ଅସୀମା । ଦୀକ୍ଷିତ ସାହେବଙ୍କ କଣ୍ଠର କମ୍ପନ ଅଛପା ରହିଲା ନାହିଁ ତାଙ୍କୁ । ତାଙ୍କ ଆଖିରେ ଭୋକିଲା ଦୃଷ୍ଟିକୁ କକ୍ଷଚ୍ୟୁତ କରି ଟିକିଏ ଆଡ଼ହୋଇ ଛିଡ଼ା ହୋଇ କହିଲେ ସେ–

 

–ଅଶେଷ ଧନ୍ୟବାଦ ମିଷ୍ଟର ଦୀକ୍ଷିତ । ଚାଲନ୍ତୁ....

 

ଆଗେଇଲେ ଦୀକ୍ଷିତ । ତାଙ୍କ ପଛେ ପଛେ ଅସୀମା । ଲନ୍ ଉପରକୁ ଯାଇ ପାଖାପାଖି ହୋଇ ଚାଲିଲେ ଦୁଇଜଣ । ଚନ୍ଦ୍ର କିରଣ ମଥା ଉପରେ ଢାଳି ଦେଇଛି ଅମାପ ଆଲୋକ । ଥଣ୍ଡା ଲାଗୁଥାଏ; କିନ୍ତୁ ଦେହକୁ ଗରମ କଲାଭଳି ବହୁ ଉପାଦାନ ଥିଲା ଦୀକ୍ଷିତଙ୍କ ଗହଣରେ । ସେ ଟିକିଏ ନଇଁ ପଡ଼ି ହଲିହକ୍‍ସର ଗୋଟାଏ ଫୁଟନ୍ତ ଶଯ୍ୟାକୁ ଦେଖାଇ କହିଲେ ଦେଖନ୍ତୁ ମିସେସ୍ ମହାନ୍ତି, କି ସୁନ୍ଦର ଦିଶୁଛି ହଲିହକ୍‍ସର ଫୁଟନ୍ତ ଶଯ୍ୟାଟି ।

 

ଅସୀମା ଚାହିଁଲେ ସେଇ ଫୁଟନ୍ତ ଫୁଲ ଆଡ଼କୁ । ତା’ପରେ ଆକାଶକୁ ଚାହିଁଲେ । ମାର୍ଚ୍ଚ ମାସର ଦାର୍ଜିଲିଂ । ସୁନିର୍ମଳ ଆକାଶରେ ଲକ୍ଷ ତାରକାର ଶୋଭାଯାତ୍ରା । ଆଉ ସେଇ ଶୋଭାଯାତ୍ରାର କେନ୍ଦ୍ରସ୍ଥଳ ମଣ୍ଡିତ କରି ଉଜ୍ଜ୍ୱଳତାରେ ଉଛୁଳି ଉଠୁଛି ଚନ୍ଦ୍ର । ଚାରି ପାଖରେ ଉଚ୍ଚ ନୀଚ ପର୍ବତମାଳା । ସାମ୍ନାରେ କାଞ୍ଚନଜଙ୍ଘାର ବରଫପୂର୍ଣ୍ଣ ଦେହ ଉପରେ ଚନ୍ଦ୍ର କିରଣ ଚକ୍ ଚକ୍ କରି ଉଠୁଛି । ଅଳ୍ପ ଦୂରରେ ସାରି ସାରି ପାଇନ୍ ଓ ଦେବଦାରୁ । କଅଁଳି ଆସୁଥିବା ନୂଆ ନୂଆ ପତ୍ର ନୂଆ ନୂଆ ସମ୍ଭାର । ହୋଟେଲର ପ୍ରମୋଦ ମଞ୍ଚ ଆଡ଼ୁ ଭାସି ଆସୁଛି ସନ୍ଧ୍ୟା ସଙ୍ଗୀତର ଏକ ରସାଳ ରାଗିଣୀ । କିମିତି କେଜାଣି ସେଇ ସୌନ୍ଦର୍ଯ୍ୟ ଭିତରେ ସ୍ୱପ୍ନ ଦେଖିଲେ ଅସୀମା–ସେଇ ସ୍ୱପ୍ନ ଅବିନାଶକୁ ନେଇ ନୁହେଁ, ଦୀକ୍ଷିତ ସାହେବ ସେ ସ୍ୱପ୍ନର ବହୁ ଦୂରରେ । କିନ୍ତୁ ସେ ସ୍ୱପ୍ନର ଯେ ଅଧୀଶ୍ୱର ସେ ଦୂରରେ ଥିଲେ ମଧ୍ୟ ତାଙ୍କୁ ଅନେକ ପାଖରେ ପାଇଲେ ଅସୀମା । ତାଙ୍କର ସ୍ପନ୍ଦିତ ଛାତି, ଛନ୍ଦାୟିତଆଶାରେ ରଙ୍ଗବୋଳି ମାନସ–ଲୋକରେ ଦେଖାଦେଲା ଗୋଟିଏ ରୂପ । ସେ ରୂପ ଦେବଦତ୍ତର । ସେ ମୁହଁ ଦେବଦତ୍ତ ଦାସର । ଫୁଲ ସମ୍ଭାର ଦେଖି ଦେଖି, ଜ୍ୟୋତ୍ସ୍ନାରେ ଅବଗାହନ କରି କରି ଯେତେବେଳେ ଆଗେଇ ଚାଲିଲେ ସେ, ସେତେବେଳେ ତାଙ୍କୁ ଅନୁସରଣ କରି ସେଇ ଇପ୍ସିତ ମୁହୂର୍ତ୍ତର ପ୍ରତୀକ୍ଷା କଲେ ଦୀକ୍ଷିତ ।

 

ଥଣ୍ଡା ପବନ ବହୁଥିଲା । ଜ୍ୟୋତ୍ସ୍ନାୟୁତ ସୁପ୍ତ ବନାଳୀ ଏବଂ ହିମାଦ୍ରିର ସୌମ୍ୟମୂର୍ତ୍ତି ମନର କେଉଁ ଏକ ଗଭୀର ଗହନରେ ସୃଷ୍ଟି କରୁଥିଲା ଏକ ଚେତନା । ସେଇ ଚେତନାରେ ଜାଗ୍ରତ ମନ ସେହି ସୁପ୍ତ ପ୍ରକୃତିର ପ୍ରଶାନ୍ତ ଭିତରେ ଗୋଟିଏ ସ୍ୱର ଶୁଣିବାପାଇଁ ଆକୁଳ ହୋଇ ଉଠୁଥିଲା । କାନ ପାଖରେ, ଛାତି ଉପରେ, ବାହୁ ଭିତରେ ସେଇ ସ୍ୱରର ତରଙ୍ଗ ପ୍ରୟୋଜନ ସେଇ ଧ୍ୱନିର ଉଚ୍ଛ୍ୱାସ ଲୋଡ଼ା । ପ୍ରଶାନ୍ତିର ଏଇ ସଂଚରଣ ଏବଂ ବ୍ୟାପକତା ଭିତରେ ହୃଦୟ ଏକାକୀ ରହିବାପାଇଁ ସାହସ କରିପାରେନା, ସାଥିଟିଏ ଲୋଡ଼ା । ସଙ୍ଗୀଟିଏ ଆବଶ୍ୟକ । ମନ ଗହନର ନିଭୃତ କୋଣରେ ନିକାଞ୍ଚନତାର ରିକ୍ତତାକୁ ପରିପୂର୍ଣ୍ଣ କରିବା ପାଇଁ ସଙ୍ଗୀ ବା ସଙ୍ଗିନୀର ପ୍ରୟୋଜନ~

 

ସେଇପରି ଗୋଟିଏ ସଙ୍ଗିନୀର ସୋହାଗ ଏବଂ ସ୍ପନ୍ଦନ ପାଇବାପାଇଁ ଇଚ୍ଛା ହେଉଥିଲା ଦୀକ୍ଷିତଙ୍କର । ସେ କ୍ରମଶଃ ଦୁର୍ବଳ ହୋଇ ପଡ଼ୁଥିଲେ । ଆଉ ଅଧିକ ସମୟ ଏକାକୀ, ଏକ ତରଫା ରହିବା ତାଙ୍କୁ ଅସହ୍ୟ ମନେହେଲା । ଦୀକ୍ଷିତ ଭାବିଲେ ମନେ ମନେ ହୁଏତ ଅସୀମା ଲଜ୍ଜା କରୁଛନ୍ତି କିଛି କହିବା ପାଇଁ ।

 

ଯେତେଦୂର ସେ ଏଇ ନିଛାଟିଆ ପରିବେଶ ଭିତରେ ଅଗ୍ରସର ହେବା କଥା, ହୋଇପାରୁ ନାହାନ୍ତି । ସେଇ ହୃଦୟକୁ ମୁଖର ଏବଂ ସବ କରିବା ପାଇଁ ସେ ଆଗେଇଗଲେ । ତାଙ୍କ ପାଖରେ ଲଗାଲଗି ଭାବରେ ଛିଡ଼ା ହୋଇ କହିଲେ–କ’ଣ ଏତେ ଦେଖୁଛନ୍ତି ମିସେସ୍ ମହାନ୍ତି~!

 

ଅସୀମା ଆକାଶରୁ ଚାହିଁଥିଲେ । ସେ କିଛି ଉତ୍ତର ଦେଲେ ନାହିଁ । ତାଙ୍କ କାନ୍ଧ ଉପରେ ହାତ ରଖିଲେ ଦୀକ୍ଷିତ । ଅସୀମା ଘୁଞ୍ଚି ଗଲେନି ବା ଆଡ଼େଇ ଦେଲେନି । ସେଇପରି ଛିଡ଼ା ହୋଇ ରହିଲେ । ସାହସ ପାଇଲେ ଦୀକ୍ଷିତ । ସେ ତାଙ୍କର ଗୋଟିଏ ହାତ ପାପୁଲି ନିଜ ହାତ ମୁଠା ଭିତରେ ରଖି ସାମାନ୍ୟ ଚାପ ଦେଲେ । ଅସୀମା ସଚେତନ ହେଲେ ଯେପରି । ସେ ହାତ କାଢ଼ି ନେଇ ହୋଟେଲ ଅଭିମୁଖେ ଅଗ୍ରସର ହେଲେ । ନିରୁପାୟ ଦୀକ୍ଷିତ୍ ତାଙ୍କର ଅନୁସରଣ କଲେ । ଆଉ କିଛି ପଚାରିବା ପାଇଁ ତାଙ୍କର ସାହସ ହେଲାନି ।

 

ରାତ୍ରି ଭୋଜନର ସମୟ ହୋଇଯାଇଥିଲା । ଡିନାର ରୁମ୍ ଭିତରୁ ଲଘୁ ସଙ୍ଗୀତର ମୂର୍ଚ୍ଛନା ଭାସିଆସୁଥିଲା । ସେମାନେ ହୋଟେଲର ପୋର୍ଟିକୋ ପାଖରେ ପହଞ୍ଚିବା କ୍ଷଣି ଅପେକ୍ଷା କରୁଥିବା ପରିଚାଳକ କହିଲେ–ଡିନର ପ୍ରସ୍ତୁତ ।

 

ରାତ୍ରିଭୋଜନ ପାଇଁ ଇଚ୍ଛା ନଥିଲା ଅସୀମାଙ୍କର । ଭୋକ ଯେ ନଥିଲା ତା’ ନୁହେଁ; କିନ୍ତୁ ଖାଇବାପାଇଁ ଆଗ୍ରହ ନଥିଲା । ସେ ଆଗେଇ ଗଲେ । ଦୀକ୍ଷିତ ପଛେ ପଛେ ଚାଲିଲେ । ତାଙ୍କ ଦେହରେ ଏବଂ ଉଦରରେ ଭୋକ ଭରି ରହିଛି । ସେ ଖାଦ୍ୟ ଚାହାଁନ୍ତି, ଖୋରାକ ତାଙ୍କର ପ୍ରୟୋଜନ । ସେମାନେ ଡିନର୍ ହଲ୍‍ରେ ପ୍ରବେଶ କଲେ । ଏକ ମନମତାଣିଆ ଆଧୁନିକ ସଙ୍ଗୀତର ତାଳ ସହିତ ପାଦ ମିଳାଇ ସଂଲଗ୍ନ ପ୍ରକୋଷ୍ଠରେ କେତେଜଣ ଯୁବକ, ଯୁବତୀ ଓ ପ୍ରୌଢ଼ ନୃତ୍ୟ କରୁଥିଲେ । ସେଇ ବାଟ ଦେଇ ଚାଲି ଯାଉଥିବାବେଳେ ନଜର ପଡ଼ିଲା ଜଣେ ତରୁଣୀର ଅର୍ଦ୍ଧ ନଗ୍ନ ଦେହ ଉପରେ । ସର୍ବନିମ୍ନ ଯେତିକି ଆଭରଣ ନ ହେଲେ, ଏପରି ସମାଜରେ ନ ଚଳେ, ସେତିକି କେବଳ ତାଙ୍କ ଦେହରେ, ଅବଶିଷ୍ଟ ଅଂଶ ଅନାବୃତ୍ତ । ଦୀକ୍ଷିତ ସାହେବଙ୍କ ଆଖି ଦୁଇଟା ଜଳି ଉଠିଲା ବିରାଡ଼ିର ଆଖି ରାତିରେ ଜଳିଲା ପରି । ସେଇ ଜଳିଯିବା ଭିତରେ ତାଙ୍କର କ୍ଷୁଧା ଯେପରି ଦୁଇଗୁଣ ବୃଦ୍ଧି ପାଇଲା । ସେ ଆଗକୁ ଆଉ ଅଗ୍ରସର ହୋଇପାରିଲେ ନାହିଁ । ଛିଡ଼ା ହୋଇ ରହିଲେ ସେଇ ଅପରିଚିତା ଅନାବୃତାର ଅଙ୍ଗ ଲେହନ କରିବା ପାଇଁ । କେତେବେଳଯାଏ ସେଇପରି ଛିଡ଼ା ହୋଇ ରହିଲେ, ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ । ତାଙ୍କର ସମ୍ବିତ୍ ଫେରି ଆସିଲା ଯେତେବେଳେ, ନୃତ୍ୟ ଶେଷ କରି ସେମାନେ ମଧ୍ୟ ଡିନର ହଲ୍ ଆଡ଼କୁ ଅଗ୍ରସର ହେଲେ-

 

ସେତେବେଳକୁ ଅସୀମା ଆଉ ସେଠାରେ ନଥିଲେ । ଦୀକ୍ଷିତ୍ ସାହେବ ଦାନ୍ତ ତଳେ ଅଧର ଦଂଶନ କଲେ ।

 

ବାର

 

ଦେବଦତ୍ତ ଦେବଠାରୁ ଗଛର ପଲ୍ଲବିତ ଶାଖାଗୁଡ଼ିକୁ ଲକ୍ଷ୍ୟ କରୁଥିଲା । ଦେବଦାରୁ ଗଛର ଶୋଭା ଦେଖିବାପାଇଁ ଭଲଲାଗେ ତାକୁ । ଥରେ ଥରେ ଚପଳମତି ବାଳକ ପରି ସେ ଯାଇ ଶିଶୁ ଦେବଦାରୁର ପଲ୍ଲବିତ ପେଲବ ଉପରେ ନିଜର ଦେହକୁ ଆଉଜାଇ ଦିଏ । ଗୋଟାଏ ଦୁଇଟା ଶାଖାକୁ ଟାଣି ଆଣି ଛାତି ଉପରେ ଲଗାଇ ପୁଣି ଛାଡ଼ିଦିଏ । ଦେବଦାରୁ ଗଛର ଦୈନନ୍ଦିନ ଅଭିବୃଦ୍ଧି ଅତି ଆଗ୍ରହର ସହିତ ଲକ୍ଷ୍ୟ କରେ । ଆଜି ସେଇ ଦେବଦାରୁ ଗଛର କୋମଳ ସବୁଜ ପତ୍ର ଗହଳରେ ମୁହଁ ଗୁଞ୍ଜି ତା’ର ସ୍ପର୍ଶ ଅନୁଭବ କରିବା ପାଇଁ ଇଚ୍ଛା ହେଉଥିଲା । ସେ ଗଛ ପାଖକୁ ଯାଇ ଗୋଟିଏ ଛୋଟ ଶାଖା ଉପରେ ହାତ ରଖିଲା । ଦୁଇ ଚାରିଟା କଅଁଳ ପତ୍ର ହାତ ମୁଠା ଭିତରେ ଅନୁଭବ କଲା ଏବଂ ଗଳାରେ, ମୁହଁ ଉପରେ, ଆଖି ଏବଂ କାନ ଉପରେ ଛୁଆଁଇ ପୁଣି ଛାଡ଼ି ଦେଲା । ଦେବଦତ୍ତର ମନେହେଉଥିଲା ସେ ଏଇ ଦେବଦାରୁ ଗଛକୁ ଖୁବ୍ ଭଲପାଏ ।

 

ଦେବଦାରୁ ଗଛ ପ୍ରତି ଆନୁଗତ୍ୟ ଦେଖି ଥରେ ମିତାଳି କହିଥିଲା, ଦେବଦତ୍ତର ଚେହେରା ଦେବଦାରୁ ପରି ଦୀର୍ଘ, ମସୃଣ, ସୁଶ୍ରୀ ଏବଂ ସ୍ୱାସ୍ଥ୍ୟବାନ ହୋଇଥିବାରୁ ସେଇ ସାମଞ୍ଜସ୍ୟ ମୂଳରେ ତା’ର ଚେତନା ଏବଂ ଅବଚେତନ ମନର ଏତେ ପ୍ରୀତି । ଏକଥା ଯେ ଏକାବେଳକେ ମିଛ, ତାହା ସେ କହିପାରିବ ନାହିଁ । କାହିଁକି କେଜାଣି ଶାଖା ପ୍ରଶାଖା ପରିପୂର୍ଣ୍ଣ ବନସ୍ପତି ତା’ର ନୟନ ମନକୁ କେବେ ପ୍ରଭାବିତ କରିପାରି ନାହିଁ । ଦେବଦାରୁର ସହଜ ଏବଂ ସରଳ ରୂପ ତାକୁ ମୁଗ୍ଧ କରେ, ଯେପରି ସେ ନିଜେ ସହଜ ଏବଂ ସରଳ ହେବାଟା ପସନ୍ଦ କରେ । ଅନ୍ୟ କ୍ଷେତ୍ରରେ ବିଶାଳ ବନସ୍ପତି ତା’ ଆଗରେ ଜଟିଳ ଏବଂ କୁଟୀଳ ପରି ରହସ୍ୟମୟ ହୋଇ ରହେ । ଦେବଦାରୁର ଛାୟା ନାହିଁ ସତ; କିନ୍ତୁ ମାୟାବି ନାହିଁ । ଯେ ମାୟା କରିପାରେ, ତା’ରି ତ ବେଶି ଛାୟା–

 

ଦେବଦାରୁର କଅଁଳ ପତ୍ର ଉପରେ ହାତ ବୁଲାଇ ରୋମାଞ୍ଚିତ ହେଲା । ସେ ଅନ୍ୟମନସ୍କ ହୋଇ ଆଉ କ’ଣ ଯେପରି ଭାବିବାରେ ଲାଗିଲା । ଅଫିସରେ ଷ୍ଟେନୋ ସୋନାଲି ସେନର ନିବେଦନ, କ୍ଳବର ନୂତନ ସଭ୍ୟ ଶିବାନୀ ଦାସର ନୃତ୍ୟ ଏବଂ ମିତାଳିର ଅଭିମାନ ଏଇ ସବୁ ଗୋଟିଏ ଗୋଟିଏ ଭସାମେଘ ପରି ତା’ ମନର ଆକାଶ ଉପରେ ଉତ୍ତରୀୟ ଉଡ଼ାଇ ଭାସି ଯାଉଥିଲେ । ସେଇ ଗୋଟିକ ପରେ ଗୋଟିଏ ଭାବନାର ବିଭାସ ମଧ୍ୟରେ କେତେବେଳେ ସେ ଅସୀମା କଥା ପ୍ରଥମ କରି ମନେପକାଇଲା ଜାଣିପାରିଲା ନାହିଁ । ଅସୀମାର ଅନ୍ତର୍ଦ୍ଧାନ ତା’ ମନକୁ ଯେ ତିଳେ ହେଲେ ବିଚଳିତ କରି ନଥିଲା, ତା’ ନୁହେଁ, ସେ ବାରମ୍ୱାର ଚେଷ୍ଟା କରି ମଧ୍ୟ ସେମାନଙ୍କର ଅବସ୍ଥିତି ସମ୍ୱନ୍ଧରେ ସଠିକ୍ କିଛି ଜାଣିପାରି ନଥିଲା । ଅସୀମାଙ୍କର ଯିବାଟାକୁ ସେ ଅନ୍ତର୍ଦ୍ଧାନ ବୋଲି ଧରିନେଇଛି । କାରଣ ଯେତେବେଳେ ଅବିନାଶ ବା ଅସୀମା ସେ ସମ୍ୱନ୍ଧରେ କିଛି କହି ଯାଇନାହାନ୍ତି, ସେ ଆଉ କ’ଣ ମନେକରିପାରେ । ଅବିନାଶଙ୍କର କଲିକତା ଯିବା କଥା ସେ ଶୁଣିଛି; କିନ୍ତୁ ଫେରିଆସିବାର ସମ୍ୱାଦ ସେ ଶୁଣିନାହିଁ । ଅସୀମା ଅବିନାଶ ସହିତ ଯାଇଛନ୍ତି ସେ ଶୁଣିଛି, କିନ୍ତୁ ସେ ଦୁହେଁ କଲିକତାରେ ଅଛନ୍ତି ନା ଅବିନାଶ ସେଠାରେ ଏକାକୀ ଅଛନ୍ତି, ଏ ବିଷୟରେ ସେ ସନ୍ଦିହାନ । ଯେଉଁ ଖବର ଶୁଣିଛି ହେଡ଼୍ ଅଫିସର ସେଥିରୁ ସ୍ପଷ୍ଟ ହୋଇଛି ଯେ ଅବିନାଶ ଜରୁରୀ କାମରେ କଲିକତାରେ ଅଛନ୍ତି । ତା’ପରେ ଅସୀମା ତାଙ୍କ ସଙ୍ଗରେ ଅଛନ୍ତି କି ନାହିଁ ସେ ନିଜର ସୁରୁଚିପୂର୍ଣ୍ଣ ମନର ପରିଚୟ ଦେଇ କାହାକୁ ପଚାରି ପାରିବ କିପରି ? କିନ୍ତୁ ସେ ଅନ୍ୟ ମୁହଁରୁ ଶୁଣିଛି ଅସୀମା ଅବିନାଶ ସହିତ ନାହାନ୍ତି....... ।

 

ଏଣୁତେଣୁ ଭାବୁ ଭାବୁ ତା’ର ଭାବନାର ସମସ୍ତ ଖିଅ ଛିନ୍ନ କରି ଗୋଟାଏ କଳାମେଘ ସମସ୍ତ ଧଳାମେଘକୁ ଗ୍ରାସ କରି ମନ ଆକାଶ ଆଚ୍ଛନ୍ନ କରିପକାଇଲା । ହଠାତ୍ ତା’ର ମନହେଲା ଦୀକ୍ଷିତ୍ ସାହେବ ନାହାନ୍ତି । ତାଙ୍କର ଅନୁପସ୍ଥିତି ସହିତ କେଜାଣି କାହିଁକି ଅସୀମାଙ୍କର ଅନୁପସ୍ଥିତି ଛିନ୍ନ ଭାବନାଧାରାର ସଂଯୋଗ ସୂତ୍ର ବୋଲି ପ୍ରତୀୟମାନ ହେଲା । ଆଉ ଠିକ୍ ସେଇ ମୁହୂର୍ତ୍ତରେ ତା’ର ଶିରାରେ ଶିରାରେ ରକ୍ତ କଣିକା ଭିତରେ ଏକ ପ୍ରବଳ ଏବଂ ଉଦ୍ଦାମ ଉତ୍ତେଜନା ଅନୁଭବ କଲା ସେ । ଏପରି ଅନୁଭବ ଏଇ ପ୍ରଥମ ଦେବଦତ୍ତର । ସେ ବୁଝିପାରିଲା ନାହିଁ କାହିଁକି ସେ ଅନନୁଭୂତ ଅନୁଭବଦ୍ୱାରା ଉତ୍ତପ୍ତ ହୋଇ ଉଠୁଛି । ସେଇ ଉତ୍ତପ୍ତ ଉତ୍ତେଜନା ଦେହର ପ୍ରତ୍ୟେକ ଅବୟବକୁ ହିଂସ୍ର କରି ତୋଳିଲା । ଆପେ ଆପେ ତା’ର ସର୍ବାଙ୍ଗରେ ବଜ୍ରକାଠିନ୍ୟ ଅନୁଭବ କଲା ସେ । ଏଭଳି ଦୃଢ଼ତା, ହିଂସାର ଏଭଳି ନଗ୍ନ ପ୍ରକାଶ ଏବଂ ସର୍ବାଙ୍ଗରେ ଏଭଳି ବଣ୍ୟ ବେଦନା ସେ କେବେ ଆଗରୁ ଜାଣି ନଥିଲା । ସବୁ ମିଶି ତା’ର ସହଜ ସରଳ ପ୍ରାଣକୁ ବିପର୍ଯ୍ୟସ୍ତ କରିପକାଇଲେ~। ଜାଣେନା ସେ କେତେବେଳେ ତା’ର ବଜ୍ରକଠିନ ହାତର ଦୃଢ଼ ବନ୍ଧନ ଭିତରେ କେତୋଟି କୋମଳ ନବପଲ୍ଲବ ଅତି ଅମାନୁଷିକ ତୀବ୍ରତାରେ ଦଳି ମକଚି ହୋଇ ହାହାକାର କରୁଥିଲେ । ସେ ହୁଏତ ସେଇ ଅଗ୍ନି ବନ୍ୟାର ବିଭୀଷିକା ଭିତରେ ଆହୁରି କେତେବେଳ ପର୍ଯ୍ୟନ୍ତ ଛିଡ଼ା ହୋଇଥାନ୍ତା ! କିନ୍ତୁ ସମ୍ୱିତ୍ ଫେରିଆସିଲା ତା’ର ଗେଟ୍ ଖୋଲି ତା’ ବଙ୍ଗଳା ଭିତରକୁ ଗୋଟାଏ ସବୁଜ ରଙ୍ଗର ନୂଆମୋଟର ଗାଡ଼ି ଆସିବାର ଦେଖି । ଫେରି ଚାହିଁ ଦେଖିଲା ଅବିନାଶ ଆସୁଛନ୍ତି–

 

ଅବିନାଶ ଏକାକୀ ଆସୁଥିଲେ । ଗାଡ଼ି ଭିତରେ ଆଉ କାହାକୁ ଦେଖିଲା ନାହିଁ ଦେବଦତ୍ତ । ସେ ଦେବଦାରୁ ଗଛ ପାଖରୁ ଫେରିଲା ଗାଡ଼ି ଆଗକୁ । ଅଳ୍ପ କ୍ଷଣ ପୂର୍ବର ଉତ୍ତେଜନା ଏବଂ ହିଂସ୍ରତା କ୍ରମଶଃ ମଳିନ ପଡ଼ି ଆସୁଥିଲା । ମନେ ମନେ ଲାଜେଇ ଗଲା ସେ । କାହିଁକି ଅବିନାଶବାବୁଙ୍କର ଏକାକୀ ଆସିବାରେ ତା’ର ଆପତ୍ତି । କାହିଁକି ଅବିନାଶଙ୍କୁ ଏକାକୀ ଦେଖି ଉଜ୍ଜ୍ୱଳି ଉଠିଥିବା ସ୍ଫୁଲିଙ୍ଗ ପରି ତା’ର ମନଗହନର ଗୋପନ ଆଶା ଉଛୁଳି ଉଠିବାପାଇଁ ଇଶାରା ପାଇ ପୁଣି ମଉଳି ଗଲା । ଅସୀମା ଅବିନାଶଙ୍କର ସ୍ତ୍ରୀ । ସେ ଆସିବା ନ ଆସିବା ଉପରେ ତା’ର ଯାଏ ଆସେ କ’ଣ ? ତା’ପରେ ସେ କ’ଣ ଅସୀମାର ଚିରସାନ୍ନିଧ୍ୟ କାମନା କରେ । ନା, ତା’ ହୋଇପାରେନା । ସେ ତା’ର ବନ୍ଧୁ ପତ୍ନୀ; କିନ୍ତୁ ତଥାପି କାହିଁକି ତା’ ପ୍ରତି ମନରେ ତା’ର ଏପରି ଦୁର୍ଦ୍ଦମନୀୟ ଆକର୍ଷଣ, କାହିଁକି ତା’ ପାଇଁ ଏଇ ଦୁର୍ଲଂଘ୍ୟ ଆକାଂକ୍ଷା ଏବଂ କାମନା । ବର୍ତ୍ତମାନ ସୁସ୍ପଷ୍ଟ ହୃଦୟଙ୍ଗମ କଲା ସେ କ୍ଷଣିକ ପୂର୍ବର ଉତ୍ତେଜନା ଏଇ ଅସୀମାପାଇଁ । ତା’ ପ୍ରତି ତା’ର କାମନାହିଁ ମନର ବିକାର । ଅସୀମା ଯଦିବି ଦୀକ୍ଷିତ ସଙ୍ଗରେ ଯାଇଥାଏ, ସେଥିରେ ବିଚଳିତ ହେବାର କ’ଣ ଅଛି ତା’ର; କିନ୍ତୁ ସେଇ ସମ୍ଭାବନାହିଁ ତାକୁ ବିଚଳିତ କରିଛି, ବଣ୍ୟ କରିଛି ଏବଂ ସେହି ସମ୍ଭାବନାର ପୂର୍ଣ୍ଣଚ୍ଛେଦ ଟାଣି ଅସୀମାକୁ ଦୀକ୍ଷିତ ସାହେବଙ୍କ କବଳରୁ ମୁକ୍ତ କରିବା ପାଇଁ ହିଂସ୍ର ହୋଇ ଉଠିଛି ସେ । ଆଉ ବେଶି ଭାବିବା ପୂର୍ବରୁ ଗାଡ଼ିରେ ବ୍ରେକ୍ ଲଗାଇ ଗାଡ଼ି ଛିଡ଼ା କଲେ ଅବିନାଶ । ଅବିଳମ୍ୱେ ଗାଡ଼ି ଭିତରୁ ବାହାରି ଆସୁ ଆସୁ ଦେବଦତ୍ତ ଆଗେଇ ଆସି କରମର୍ଦ୍ଦନ କରିବା ପାଇଁ ହାତ ବଢ଼ାଇ ଦେଇ କହିଲା–ସୌଭାଗ୍ୟ ଆଜି, ବହୁତ ଦିନପରେ ଆପଣଙ୍କର ସମୟ ହେଲା ।

 

ଅବିନାଶ କିଛି କହିଲେ ନାହିଁ; କିନ୍ତୁ ସୌଜନ୍ୟତାରେ ଶାଣିତ ତାଙ୍କ ଚିରଅଭ୍ୟସ୍ତ ସ୍ମିତହାସ୍ୟ ଦେଖାଗଲା ମୁହଁ ଉପରେ । କରମର୍ଦ୍ଦନ କରି ଦେବଦତ୍ତର ହାତ ଭିତରେ ନିଜର ହାତରଖି କହିଲେ–‘ତା’ପରେ ଖବର କ’ଣ ?”

 

–“ତାଜା ଖବର ହେଉଛି ଆପଣଙ୍କ ପାଖରେ । କାରଣ ସିଧା କଲିକତାରୁ ଫେରୁଛନ୍ତି । ଅନିଚ୍ଛାସତ୍ତ୍ୱେ ତା’ର ଚାହାଣୀ ଭିତର ଦେଇ ଏକ ଇଙ୍ଗିତର ଆଭାସ ଦେଲା ଦେବଦତ୍ତ ।

 

“ଖବର ବହୁତ ଦେବଦତ୍ତ । ସେଇଥିପାଇଁ ତୁମକୁ କହିବା ପାଇଁ ଦଉଡ଼ି ଆସିଲି । ଚାଲ, ବସାଯାଉ ଲନ୍‍ରେ । ତା’ପରେ ଆପତ୍ତି ନଥିଲେ Let us have some drink.

 

ଦେବଦତ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ତାଙ୍କ ମୁହଁ ଉପରକୁ । ଆଜି ଅବିନାଶ ଯେପରି ଟିକିଏ କିପରି ଅନ୍ୟ ରକମର । ତାଙ୍କର ସ୍ୱାଭାବିକ ଗାମ୍ଭୀର୍ଯ୍ୟ, ସ୍ୱଳ୍ପଭାଷିତା ଉଭେଇ ଯାଇଛି । ସେ ଆଯାଚିତ ଭାବରେ ତା’ର ଆତିଥ୍ୟ ଗ୍ରହଣ କରିବା ପାଇଁ ଆସିଛନ୍ତି, ପୁଣି ସାନ୍ନିଧ୍ୟ ଚାହାନ୍ତି–ସେ ଉତ୍ସାହିତ ହୋଇ କହିଲା–ଉତ୍ତମ ପ୍ରସ୍ତାବ । ଚାଲନ୍ତୁ ବସାଯାଉ । ତା’ ପରେ ପରେ We will have a drink. ତେବେ କ୍ଷମାକରିବେ–What do you prefer. ଆପଣଙ୍କର କ’ଣ ପସନ୍ଦ ?

 

“ପାନ କରିବା ପାଇଁ ଇଚ୍ଛା ପାନ କରିବି । ଏଥିରେ ପସନ୍ଦ ଅପସନ୍ଦର ବିଚାର ମୋର ନାହିଁ । କେବଳ ପାନୀୟ ହେଲେ ହେଲା ।”

 

“ଆପଣଙ୍କ ଆଶୀର୍ବାଦରୁ ପାନୀୟର ଅଭାବ ନାହିଁ ମି: ମହାନ୍ତି । ଆପଣ କିଛି ମନେକରିବେ ନାହିଁ, ମୁଁ ମିନିଟକ ଭିତରେ ଆସୁଛି ।” ଅବିନାଶଙ୍କୁ ଏକାକୀ ଲନ୍ ଉପରେ ଛାଡ଼ିଦେଇ ଘର ଭିତରକୁ ଗଲା ଦେବଦତ୍ତ । ତା’ର ଯିବା ପଥକୁ କିପରି ଏକ ଉଦାସ ଚାହାଣୀରେ ଚାହିଁ ରହିଲେ ଅବିନାଶ ।

 

ଦେବଦତ୍ତ । ସେ ଯେତେବେଳେ ନୂଆହୋଇ ଆସେ ଖଡ଼ଗ୍‍ପୁର, ଅବିନାଶ ଖୁସି ହୋଇଥିଲେ । ଅଳ୍ପ କେତେକ ଓଡ଼ିଆ ପଦସ୍ଥ ବ୍ୟକ୍ତିମାନଙ୍କ ଭିତରେ ଦେବଦତ୍ତ ସାମିଲ ହୋଇଛି ।

 

ଏହା ଆନନ୍ଦର କଥା । ତାକୁ ସ୍ନେହ ଆଦର କରି ନିଜ ଘରକୁ ଆଣିଥିଲେ ଆପଣାର କରିବା ପାଇଁ । ଆପଣାଦ୍ୱାରା ଉନ୍ମୁକ୍ତ କରି ଦେଇଥିଲେ । ଦେବଦତ୍ତ କିନ୍ତୁ ସଦର ଦରଜା ଦେଇ ଆସି ପଛ ଦରଜା ଦେଇ ବାହାରି ଯିବା ପାଇଁ ବେଶି ପସନ୍ଦ କଲା–ଛାତି ଭିତରେ କେଉଁଠି କେଜାଣି ଏକ ଅଲିଭା କ୍ଷତ ଖଚ୍ ଖଚ୍ କରି ଉଠିଲା । ସେହି କ୍ଷତର ଯନ୍ତ୍ରଣାକୁ ମୁଖରିତ କରି ଦେଖାଦେଲା ମନରାଜ୍ୟରେ ଅସୀମା ତାଙ୍କର ସ୍ତ୍ରୀ । ଅସୀମା ! ସୀମାହୀନ ଆକାଂକ୍ଷାର ସାର୍ଥକତା ପାଇଁ ଆକାଶର ବିହଙ୍ଗମ ପରି ପର ଖୋଲି ଉଡ଼ିବୁଲିବା ପାଇଁ ଚେଷ୍ଟା କଲେ ସେ । ସେଇ ଉଡ଼ିବୁଲିବା ସମୟରେ ସେ ଦେଖିଲେ ଦେବଦତ୍ତକୁ । ଉଜ୍ଜ୍ୱଳ, ଉନ୍ମୁକ୍ତ ଏବଂ ଅବାରିତ ପ୍ରାଣ–ପ୍ରାଚୁର୍ଯ୍ୟରେ ବିଭାସିତ । ଅସୀମାଙ୍କୁ ଅଧିକ ଉପରକୁ ଉଠିବାକୁ ପଡ଼ିଲା ନାହିଁ । ତାଙ୍କ ମନରାଜ୍ୟର ସମସ୍ତ ତାରକାକୁ ମଳିନ କରି ଦେବଦତ୍ତ ଆଲୋକିତ କଲା । ତାଙ୍କ ଛାତିତଳର କମ୍ପନ, ହୃଦୟର ସ୍ପନ୍ଦନ ଦେବଦତ୍ତର ମହକରେ ପ୍ରଖର ହୋଇ ଉଠିଲା । ଅବିନାଶ ଯେତେବେଳେ ଜାଣିଲେ ଏହା, ସେତେବେଳକୁ ଅତି ଆଗେଇ ଯାଇଛନ୍ତି ଅସୀମା । ଦେବଦତ୍ତକୁ ଦୋଷ ସେ ଦିଅନ୍ତି ନାହିଁ । ସେ ଅବିବାହିତ । ତରୁଣୀର ତେଜରେ ମୁଗ୍ଧ, ଆକର୍ଷିତ ହେବା ସ୍ୱାଭାବିକ; କିନ୍ତୁ କେଉଁ ଦାବି ନେଇ ଆଗେଇ ଗଲେ ଅସୀମା । ଅବିନାଶ କ’ଣ ଅସୁନ୍ଦର–କୁତ୍ସିତ । ସେ ତ ସ୍ତ୍ରୀକୁ ସମସ୍ତ ସୁଖ ଦେବାପାଇଁ ଚେଷ୍ଟା କରିଛନ୍ତି । ଅସୀମାକୁ ଭଲପାଇଛନ୍ତି ଦେହ, ମନ ଓ ହୃଦୟ ଦେଇ । ତାହେଲେ କାହିଁକି ଏତେ ବଡ଼ ଭଲପାଇବାକୁ ମୁହୂର୍ତ୍ତକରେ ଦଳି ଦେଇ ଆଗେଇ ଗଲେ ଅସୀମା । ଦେବଦତ୍ତର ଦେହରେହିଁ ଅନିବାର୍ଯ୍ୟ ଆକର୍ଷଣ । ଦେବଦତ୍ତର ଦେହ, ମୁହଁ ଓ ସର୍ବାଙ୍ଗ ମନଶ୍ଚକ୍ଷୁରେ ପୁଣିଥରେ ଅବଲୋକନ କଲେ ଅବିନାଶ । ଆଉ ସେଇ ସଙ୍ଗେ ସଙ୍ଗେ ନିଜ ଦେହ, ହାତ ଓ ବୁକୁ ଉପରେ ପୁଣିଥରେ ନଜର ପକାଇଲେ । ସେ କ’ଣ ଅସୁନ୍ଦର । ସେ କ’ଣ କୁତ୍ସିତ ? ଅବଶ୍ୟ ସେ ଦୀର୍ଘ ନୁହନ୍ତି । ଗେଡ଼ା, ସାମାନ୍ୟ ପୃଥୁଳ । ବର୍ଣ୍ଣରେ ଉଜ୍ଜ୍ୱଳତା କମ୍ । ଦାନ୍ତ ଅସାମାଞ୍ଜସ୍ୟ । ଆଖି ଦୁଇଟି ଛୋଟ ଛୋଟ । ପାପୁଲିରେ ରକ୍ତର ଚିକ୍କଣତା ନାହିଁ । ନିଜର ବିଭିନ୍ନ ଅଙ୍ଗକୁ ଆଉଥରେ ଭଲ କରି ନିରୀକ୍ଷଣ କଲେ ସେ । ଯେତିକି ନିରୀକ୍ଷଣ କଲେ, ସେତିକି ପ୍ରତିଭାତ ହେଲା ସେ ଦେବଦତ୍ତର ସମକକ୍ଷ ନୁହନ୍ତି ।

 

ମନେହେଲା ତାଙ୍କର ଦେବଦତ୍ତ ସହିତ ପ୍ରତିଯୋଗିତାରେ ପଛକୁ ପଡ଼ିଯାଇଛନ୍ତି । ଫୁଟବଲ ଖେଳର ଦୁଇପକ୍ଷର ଫରୱାର୍ଡ଼ ଖେଳାଳୀ ବଲ୍‍କୁ ଅପର ପକ୍ଷର ଗୋଲପୋଷ୍ଟ ଭିତରକୁ ନେବାପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି । ଅବିନାଶ ସେହି ଫରୱାର୍ଡ଼ ଖେଳାଳୀର ଭୂମିକାରେ ଅବତୀର୍ଣ୍ଣ ହୋଇ ବଲ୍ ନେଇ ଯିବା ପୂର୍ବରୁ ଦେବଦତ୍ତ ତାହା ଆୟତ୍ତ କରିନେଲା । ସେ ପଡ଼ି ରହିଲେ ପଛରେ–କେବଳ ନିଜର ଅସାମର୍ଥ୍ୟ ଓ ଅପୂର୍ଣ୍ଣତାର ଦୀର୍ଘନିଶ୍ୱାସ ଛାଡ଼ିବା ପାଇଁ । ବଡ଼ ଖରାପ ଲାଗିଲା ତାଙ୍କୁ ବଡ଼ କରୁଣ ମନେହେଲା ନିଜକୁ । ଆକାଶର ପୂର୍ବ ପ୍ରାନ୍ତକୁ ଚାହିଁଲେ । ଝକ୍ ଝକ୍ କରୁଛି ଆଲୋକରେ । ପଶ୍ଚିମକୁ ଚାହିଁଲେ । ପଶ୍ଚିମକୁ ଆବୃତ କରି ଛିଡ଼ା ହୋଇଛି ସାମ୍ନାରେ ସହକାର । ସେଇ ସହକାରର ଶାଖାରେ ହଳଦୀବସନ୍ତ ଦମ୍ପତୀ ଉପଭୋଗ କରୁଛନ୍ତି ରୌଦ୍ର–ସ୍ନାତ ନିବିଡ଼ତା । ନିର୍ଜୀବ ମନେହେଲା ତାଙ୍କର ଜୀବନ ଧାରା । ହଠାତ୍ ସେ ଆବିଷ୍କାର କଲେ ତାଙ୍କ ଦେହ, ମନ ଏବଂ ହୃଦୟର ସମସ୍ତ ଉତ୍ତାପ, ସମସ୍ତ ଶିହରଣ ସବୁ ଯେପରି ଏଇ ଦେବଦତ୍ତ ହରଣ କରି ନେଇଛି । ଅସୀମା ଦୀକ୍ଷିତ ସାହେବଙ୍କ ସାଙ୍ଗରେ ଯାଇଛନ୍ତି । ହୁଏତ ତାଙ୍କ ସହିତ ଅତି ସୁଖରେ ସମୟ କଟାଉ ଥିବେ; କିନ୍ତୁ ସେ କଥା ମୋଟେ ମନେପଡ଼ିଲା ନାହିଁ ତାଙ୍କର । ସେ କେବଳ ତୁହାଇ ତୁହାଇ ଭାବିଲେ ଅସୀମା ତାଙ୍କ ପାଖରେ ନାହିଁ । ସେ ତାଙ୍କ ହାତମୁଠାରୁ ଖସି ଯାଇଛନ୍ତି । ଅନୁପସ୍ଥିତି ଦେବଦତ୍ତର ଶୟନ କକ୍ଷକୁ ଅନାଇଲେ । ସବୁଜ ରଙ୍ଗର ପରଦା ପବନରେ ଈଷତ୍ ଦୋହଲୁ ଥିଲା । ମନେହେଲା ସେଇ କକ୍ଷ ଭିତରେ ଯେପରି କଳ କଳ ରୋଳ ହେଉଛି । ତାଙ୍କର କାନ ଶୁଣିବାପାଇଁ ଆଗ୍ରହୀ ହୋଇ ଉଠିଲା । ଛାତି ଭିତରେ ସ୍ପନ୍ଦନ ତୀବ୍ର ହେଲା । ସେ ନଇଁ ପଡ଼ିଲେ–କିଏ ଯେପରି ଚାବୁକ୍ ମାରି ତାଙ୍କୁ ସ୍ମରଣ କରାଇ ଦେଲା–ତୁମକୁ ଏକାକୀ ବସାଇ ରଖି ଦେବଦତ୍ତ ଅସୀମା ସହିତ ନିବିଡ଼ତାରେ ଆଳାପ କରୁଛି ।

 

ଘୋଡ଼ାକୁ ଚାବୁକ୍ ମାରିଲେ ସେ ଜ୍ୱାଳାରେ ଯେପରି ଚିହିଁକି ଉଠି ଆଗକୁ ଦଉଡ଼େ, ଅବିନାଶ ଜ୍ୱାଳା ଜର୍ଜରିତ ମନରେ, ଅନୁଭୂତ କରୁଣ ତା’ର ତୀବ୍ରତାରେ ଉଠି ପଡ଼ି କାଳବିଳମ୍ୱ ନ କରି ଗାଡ଼ିରେ ଷ୍ଟାର୍ଟ ଦେଲେ ।

 

ଦେବଦତ୍ତ ଘର ଭିତରୁ ଯେତେବେଳେ ଲନ୍‍କୁ ଆସିଲା, ଦେଖିଲା ଅବିନାଶ ନାହାନ୍ତି । ଗେଟ୍ ଆଡ଼କୁ ନଜର ବୁଲାଇ ଲକ୍ଷ୍ୟ କଲା ତାଙ୍କର ନୂଆ ଗାଡ଼ିଟା ତୀର ବେଗରେ ଗେଟ୍ ପାରି ହୋଇ ଉତ୍ତର ଦିଗକୁ ଛୁଟୀ ଚାଲିଛି । ସ୍ତବଧ୍ ଓ ବିସ୍ମୟ ବିମୂଢ଼ ଦେବଦତ୍ତ ଶୂନ୍ୟ ମନରେ ସେଇପରି ଛିଡ଼ା ହୋଇ ରହିଲା ଅନେକ କ୍ଷଣ । ଯେତେବେଳେ ବସି ପଡ଼ିଲା ଚୌକିରେ, ଦେଖିଲା ସାମ୍ନାରେ ବ୍ରାଣ୍ଡି, ସୋଡ଼ା ଏବଂ ବରଫ ରଖି ଚାଲିଯାଇଛି ଖାନ୍‍ସାମା । ସବୁ ଖରାପ ଲାଗିଲା ତାକୁ~। ସବୁ ପଡ଼ି ରହିଲା ସେହିପରି । ସେ କେବଳ ଶୂନ୍ୟ ମନରେ ଚାହିଁ ରହିଲା ଉତ୍ତର ଦିଗକୁ ଯେଉଁ ଆଡ଼େ ଅବିନାଶ ଗାଡ଼ି ଛୁଟାଇ ଏଇ ଅଳ୍ପ ସମୟ ପୂର୍ବରୁ ଚାଲିଯାଇଥିଲେ ।

 

ତେର

 

ଅବିନାଶ ଗାଡ଼ିର ବେଗ କ୍ଷିପ୍ର କଲେ । ସହଜ ସରଳ ଭାବରେ ଜୀବନକୁ ସେ ଆଉ ଦେଖିବାପାଇଁ ଚାହାଁନ୍ତିନି । ଅସୀମା ତାଙ୍କ ହାତରୁ ଖସି ଯାଇଛନ୍ତି । ତାଙ୍କ ମନ ଗହନରୁ ଅନ୍ତର ହୋଇଯାଇଛନ୍ତି । ଅସୀମା ମନେପଡ଼ିବା ସଙ୍ଗେ ସଙ୍ଗେ ଅଳ୍ପ କ୍ଷଣପାଇଁ ହାତ ପାଦ ଶିଥିଳ ହୋଇଆସିଲା । ଆପେ ଆପେ ଜୀବନାବେଗ ସ୍ତିମିତ ହୋଇଗଲା । ଗାଡ଼ିର ଗତି ହ୍ରାସ ପାଇଲା । ଲକ୍ଷ୍ୟଭ୍ରଷ୍ଟ ହୋଇ ଜଣେ ପଦଚାରୀକୁ ଆଘାତ କରିବା ପୂର୍ବରୁ ସମ୍ଭାଳି ନେଲେ ଅବିନାଶ । ନା, ଆଉ ନୁହେଁ । ମନର ବଳ ଓ ଦେହର ତେଜ ସବୁ ଯେପରି ମ୍ରିୟମାଣ । ଚାରିଆଡ଼କୁ ଚାହିଁଲେ ଅବିନାଶ-। ସୂର୍ଯ୍ୟର ଶେଷ ଶିଖା ଲୁଚି ଯାଉଛି ଆଇ. ଆଇ. ଟି. ର ତ୍ରିତଳ ପ୍ରାସାଦ ସେ ପାଖରେ । ଅବିର ମେଞ୍ଚାଏ କିଏ ଯେପରି ଫିଙ୍ଗି ଦେଇଛି ପଶ୍ଚିମ ଦିଗନ୍ତରେ । ସୂର୍ଯ୍ୟାସ୍ତ ଦେଖି ତୃପ୍ତି ପାଇଲେ ନାହିଁ ତାଙ୍କ ଛାତିତଳେ କ’ଣ ଗୋଟାଏ ଅତୃପ୍ତ କାମନା, ପରାଜୟର ଅଭିମାନ ଏବଂ ହାରିଯିବାର ଗ୍ଳାନି ଗୁମୁରି ଗୁମୁରି ଉଠିଲା । ସେ ବ୍ୟଥା ପାଇଲେ ମନରେ । ଏ ବ୍ୟଥାରେ ତୀବ୍ରତା ଅତି ଘନ ଓ ମର୍ମନ୍ତକ । ଜୀବନରେ ବହୁ ପରାଜୟ ଏବଂ ଗ୍ଳାନିର ସମ୍ମୁଖୀନ ହୋଇଛନ୍ତି ସେ କିନ୍ତୁ ସବୁଥିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । କେଉଁଠି ହତାଶା ବା ଅବସାଦରେ ପଛକୁ ପଡ଼ି ଯାଇ ନାହାଁନ୍ତି । ଆଜି କିନ୍ତୁ ମନେହେଲା ରାଶି ରାଶି ପରାଜୟର ଗ୍ଳାନି ତାଙ୍କୁ ଗ୍ରାସ କରୁଛି । ଶିଥିଳ ହୋଇଆସୁଛି ତାଙ୍କର ଜୀବନାବେଗ । ସେ ଗାଡ଼ିରୁ ଓହ୍ଲାଇ ପୁଣିଥରେ ଗାଡ଼ିରେ ବସିଲେ । ଗାଡ଼ିରେ ଷ୍ଟାର୍ଟ ଦେଇ, ବନ୍ଦକଲେ ପୁଣି । ଆଗକୁ ଯିବେ କି ପଛକୁ ଯିବେ ? ଏ ପାଖକୁ ଯିବେ କି ସେପାଖକୁ ଯିବେ ? ନା, କାହିଁ ଯିବେ ନାହିଁ ! ସାଙ୍ଗରେ ଆଉ ଯିବ କିଏ ?

 

ସାଙ୍ଗରେ ଆଉ କେହି ଯିବେନାହିଁ । ଯେଉଁଆଡ଼କୁ ଗଲେ ମଧ୍ୟ ତାଙ୍କୁ ଏକାକୀ ଯିବାକୁ ହେବ । ନିଜକୁ ନିଜେ କଥା କହିବାକୁ ହେବ । ଏ ଦୁଃଖର ଦହନ, ଏ ଜ୍ୱାଳାର ଦଗ୍ଧାନୁଭୂତି ଅତି ମର୍ମାନ୍ତକ । ଅବିନାଶ ସବୁଦିନେ ସ୍ୱଳ୍ପଭାଷୀ; କିନ୍ତୁ ସେଇ ସ୍ୱଳ୍ପତା ମଧ୍ୟ ଦେଇ ବହୁତ ଇଙ୍ଗିତ ଦିଅନ୍ତି, ମିତ ବ୍ୟବହାର ମଧ୍ୟ ଦେଇ ଅମିତ ବନ୍ଧୁତ୍ୱର ଇଶାରା କରନ୍ତି । ତାଙ୍କର ସବୁ ସ୍ୱପ୍ନ ଠୁଳ ହୋଇଥିଲା ଗୋଟିଏ ମୂର୍ତ୍ତି, ଗୋଟିଏ ଆଙ୍ଗିକ ଜୀବନଯାତ୍ରାରେ । ସେଇ ମୂର୍ତ୍ତି ତାଙ୍କର ଜୀବନ-ତନ୍ତ୍ରୀରେ ଶୋଣିତର ସ୍ଫୁର୍ତ୍ତି ଆଣିଛି । କର୍ମ-ପ୍ରେରଣା ଦେଇଛି ଏବଂ ଦେଇଛି ନୀଡ଼ ରଚନାର ଆନନ୍ଦ । ଆଜି ସେ ମୂର୍ତ୍ତି ତାଙ୍କ ହୃଦୟ ମନ୍ଦିରରୁ ଅନ୍ତର୍ହିତ, ଅପସାରିତ । ଏହି ଅପହରଣ କଲା କିଏ ?

 

କଲା କିଏ ? ଯେଉଁମାନେ ତାଙ୍କର ଅତି ଆପଣାର, ସେଇମାନେ ସମସ୍ତେ ମିଳି ଯେପରି ଜାଣିଶୁଣି ତାଙ୍କର ଆନନ୍ଦ ଲୁଟି ନେଇଛନ୍ତି, ତାଙ୍କର ସର୍ବସ୍ୱ ଅପହରଣ କରି ତାଙ୍କୁ ସର୍ବହରା କରି ଦେଇଛନ୍ତି । ଯେଉଁ ଦେବଦତ୍ତକୁ ସହୋଦରର ସ୍ନେହ ଦେଇ ଘରକୁ ଡାକିଆଣିଥିଲେ, ସେ ତସ୍କର ପରି ସେ ଘରର ଯଥା ସର୍ବସ୍ୱ ନେଇ ଚାଲିଯାଇଛି । ସେ କ’ଣ ଏଇ ଆଜି ବୁଝିପାରିଲେ ଅବିନାଶ ଦୀକ୍ଷିତ ସାହେବଙ୍କର ତାଙ୍କୁ ସ୍ନେହ କରିବାର କାରଣ, ଆଜି ଜାଣିପାରିଲେ ସେ ଚୌଧୁରୀ ସାହେବଙ୍କର ତାହା ପଦୋନ୍ନତି ଦେବାର ଅଭିଳାଷ ମୂଳର ରହସ୍ୟ । ତାଙ୍କ ଚାରିପାଖରେ ସମସ୍ତଙ୍କ ସହସ୍ରଚକ୍ଷୁ ସେପରି ଅସୀମାଙ୍କୁ ଲେହନ କରୁଛନ୍ତି, ସେ ଅସହାୟ ପରି କେବଳ ଦେଖିଯାଉଛନ୍ତି । ଆଜିଯାଏ ସେ ବ୍ୟବହାର, ଆଚରଣ ଓ ଇଙ୍ଗିତ କେବଳ ଉଚ୍ଚସମାଜର ଭୂଷଣ ବୋଲି ମନେହେଉଥିଲା ତାଙ୍କର, ଆଜି ହଠାତ୍ ସେ ଆବିଷ୍କାର କଲେ, ସେ ସାମାଜିକ ଆବରଣ କେବଳ ପ୍ରବଞ୍ଚନାର ଏକ ମୁଖା । ଏକ ଉଚ୍ଚସମାଜର ଆବର୍ଜନାକୁ ନେଳି ଚଷମା ଦେଇ ଏତେଦିନ ଦେଖୁଥିଲେ ବୋଲି ସବୁ ତାଙ୍କୁ ପୋର୍ଟିକୋର ଟ୍ରିମ୍ କରା କ୍ରୋଟନ ପରି ଦିଶୁଥିଲେ । କିନ୍ତୁ ଯେତେବେଳେ ଚଷମା ଅନ୍ତର କରି ନିଜ ଆଖିରେ ଦେଖିଲେ ଅବିନାଶ ଆବର୍ଜନାର ବାସ୍ତବ ରୂପ ଦେଖି ହାହାକାର କରି ଉଠିଲେ ।

 

ନା ଆଉ ନୁହେଁ । ଗୋଟାଏ ସ୍ଥାନରେ ଛିଡ଼ା ହୋଇ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, ମଥାଟା ଘୂରିଛି । ଘୂରୁ । ଦେହଟା ଥରୁଛି । ଥରୁ । ଅଧିକ ଶ୍ରମ କଲେ ଅବସାଦରେ ଯେପରି ସ୍ୱେଦ ବହେ, ସେଇପରି ଘର୍ମ ବିନ୍ଦୁ ସାରା ଦେହରେ ଦେଖାଗଲା । ସେଥିକୁ ଭ୍ରୂକ୍ଷେପ ନାହିଁ ତାଙ୍କର । ଅବିନାଶ ଗାଡ଼ିରେ ବସି ଷ୍ଟାର୍ଟ ଦେଇ ଆଗକୁ ମାଡ଼ି ଚାଲିଲେ । ହାତମୁଠା ଭିତରେ ଷ୍ଟିଅରିଂ ଦୃଢ଼ ହେଲା । ମନେହେଲା ତାଙ୍କର ଏଇ ହାତମୁଠା ଭିତରେ ସମସ୍ତଙ୍କ ବେକଗୁଡ଼ାକ ଚିପି ମାରି ଦିଅନ୍ତେ ସେ, ଲୋଭିଲା, ଲୋଭିଲା ଆଖିଗୁଡ଼ାକର ଲାଳସାମୟ ଚାହାଣୀକୁ ବନ୍ଦ କରି ଦିଅନ୍ତେ ଚିରଦିନ ପାଇଁ । ଗାଡ଼ି ଗଡ଼ି ଚାଲିଲା । ବେଗ ବଢ଼ି ଚାଲିଲା । ୩୦ ତା’ପରେ ୪୦, ତା’ପରେ ୫୦, ୬୦ ଏବଂ ସତୁରୀ । ଗାଡ଼ିର ବେଗ କିନ୍ତୁ ଜାଣିପାରିଲେ ନାହିଁ ଅବିନାଶ । ହୃଦୟ ଭିତରେ ସ୍ପନ୍ଦନର ଗତି ଗାଡ଼ିଠାରୁ ଅଧିକ ବେଗରେ ଗତି କରୁଥିଲା । ସେଇଥିରେ ଅଭିଭୂକ୍ତ ଅବିନାଶ ଯେତେବେଳେ ଲେଭଲ୍ କ୍ରସିଂ ଗେଟ୍ ପାଖରେ ଗେଟ୍ ବନ୍ଦଥିବାର ଦେଖି ଅଗତ୍ୟା ଗାଡ଼ି ଛିଡ଼ା କଲେ, ଦେଖିଲେ ସେ ପ୍ରାୟ ଝାଡ଼୍ ଗ୍ରାମର କଣ୍ଠଦେଶରେ ପହଞ୍ଚି ଯାଇଛନ୍ତି ।

 

ଝାଡ଼ଗ୍ରାମ । ଏଇ ଝାଡ଼ ଗ୍ରାମର ଶାଳ ବନକୁ ଠିକ୍ ଛ’ମାସ ପୂର୍ବରୁ ଆସିଥିଲେ ସେ । ଏକା ନୁହେଁ, ସସ୍ତ୍ରୀକ ଏବଂ ବନ୍ଧୁମାନଙ୍କ ଗହଣରେ ପିକ୍‍ନିକ୍ କରିବା ପାଇଁ । ସେଇ ଶାଳବନରେ ପଳିତ ପତ୍ର ଆଉ ନାହିଁ । ନୂତନ ପତ୍ର କଅଁଳି ବେଶ୍ ସୁନ୍ଦର ଏବଂ ନିଘଞ୍ଚ ଦିଶୁଛନ୍ତି ବନସ୍ପତିଗୁଡ଼ିକ-। ଶାଳବନର ସୁବାସ ଆଜି ତାଙ୍କୁ ପୂର୍ବପରି ବିଭୋର କଲାନାହିଁ । ସେ ଚାରିଆଡ଼କୁ ଚାହିଁଲେ–ଅନ୍ଧାର ହୋଇଯାଇଛି । ପାଖରେ ଆଉ ଗୋଟାଏ ବଳଦ ଗାଡ଼ି । ସେ ପାଖରେ ଗୋଟାଏ ସାଇକେଲ ରିକ୍ସା ।

 

ଟ୍ରେନ୍ ଆସୁଛି । ନିତି ପ୍ରତିଦିନ ଟ୍ରେନ୍ ଯାଏ । ଟ୍ରେନ୍ ଦେଖି ଦେଖି, ତହିଁରେ ଯିବା ଆସିବା କରି କରି ତା’ର ସମସ୍ତ ନୂତନତା ପୁରୁଣା ହୋଇଯାଇଛି ତାଙ୍କ ପାଖରେ । କିଛି ଭଲଲାଗିଲା ନାହିଁ । ଲାଇନ୍ ଉପରକୁ ଚାହିଁ ଦେଖିଲେ ଗାଡ଼ିର ହେଡ଼୍ ଲାଇଟ୍ ଦେଖାଯାଉଛି । ତୂରୀ ବଜାଇ ମାଡ଼ି ଆସୁଛି ମାଲ ଗାଡ଼ି ।

 

ଚଞ୍ଚଳ ହୋଇ ପଡ଼ିଲେ ଅବିନାଶ । ଶାଳବନ ଭିତରେ ଇଞ୍ଜିନ୍‍ର ସେଇ ତୂରୀ ତାଙ୍କ ବିକ୍ଷତ ହୃଦୟର କ୍ରନ୍ଦନ ପରି ମନେହେଲା । ଗାଡ଼ିର ଶବ୍ଦ ବନାନୀକୁ ମନ୍ଦ୍ରିତ କରି ତୋଳିଲା; କିନ୍ତୁ ତାଙ୍କର ମନେହେଲା ସେଇ ଶବ୍ଦ ଯେପରି ସମବେତ କଣ୍ଠରେ କୋଳାହଳ । ଗାଡ଼ିର ଆଗକୁ ଆସିବାର ସେଇ ଶବ୍ଦ ଯେପରି ଶତ ପଦପାତର ଆଗମନ ଧ୍ୱନି । ସମସ୍ତେ ଧାଇଁଛନ୍ତି ତାଙ୍କୁ ଏକାକୀ ଦେଖି ତାଙ୍କ ପାଖରୁ ଏଇ ରାତ୍ରିର କାଳିମା ଭିତରେ ଅସୀମାଙ୍କୁ ଅପହରଣ କରିନେବା ପାଇଁ । ସମସ୍ତେ ତାଙ୍କୁ ଏକାକୀ ଦେଖି ଚାରିଆଡ଼ୁ ଆକ୍ରମଣ କରିବା ପାଇଁ ଆଗେଇ ଆସୁଛନ୍ତି ।

 

ଗାଡ଼ିଟା ଅତି ପାଖରେ ହେଲାକ୍ଷଣି ମନେହେଲା, ଯେପରି ସେ ଆଉ ପଳାଇ ଯାଇପାରିବେ ନାହିଁ; ଅସୀମାଙ୍କୁ ରକ୍ଷା କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ସେ ନିଜର ଅଜ୍ଞାତରେ ନିଜର ଛାତି ଉପରେ ଦୁଇ ବାହୁ ବେଷ୍ଟନ କରି ଅତି ନିବିଡ଼ ଭାବରେ ଯାକି ଧରିଲେ ଆପଣାର ସର୍ବସ୍ୱକୁ । ସେଇ ବେଷ୍ଟନୀର ଉଷ୍ମତା ଭିତରେ ନିଜ ସ୍ତ୍ରୀର ଉପସ୍ଥିତି କ୍ଷଣିକ ପାଇଁ ଅନୁଭବ କଲେ । ତା’ପରେ ଗାଡ଼ି ତୂରୀ ବଜାଇ ଯେତେବେଳେ ତାଙ୍କ ସାମ୍ନାରେ ଚାଲିଗଲା; ବିକଳ ବିବ୍ରତ ଏବଂ ବିପର୍ଯ୍ୟସ୍ତ ହୃଦୟରେ ସେ ଚିତ୍କାର କରି ଉଠିଲେ–ନା–ନା–ନା । ପଡ଼ି ଯାଉଁ ଯାଉଁ ଗାଡ଼ିର ବଡ଼ି ଉପରେ ଭାଗ ଦେଇ ରହିଗଲେ ଅବିନାଶ । ତାଙ୍କର ସେଇ ଆକୁଳ ଆବେଗ ପୂର୍ଣ୍ଣ ଚିତ୍କାର ଗାଡ଼ିଚକ ତଳର ଘର୍ଘର ଶବ୍ଦ ସଙ୍ଗେ କେଉଁଆଡ଼େ ଅସ୍ପଷ୍ଟ ହୋଇ ନିଭିଗଲା । ଅବିନାଶ ସେଇପରି ଛାତିରେ ହାତ ଯାକି ଗାଡ଼ି ଉପରେ ଲଦି ହୋଇ ରହିଲେ–ଭରାଦେଇ ରହିଲେ କେତେକ୍ଷଣ । ମନେହେଉଥିଲା ଗାଡ଼ିର ପ୍ରତ୍ୟେକ ଚକ ଯେପରି ତାଙ୍କର ହୃଦୟ ଉପରେ ପ୍ରଚଣ୍ଡ ଆଘାତ କରି ଚାଲିଛି ।

 

ଏହିପରି କେତେ ସମୟ କଟିଗଲା କେଜାଣି । ଅବିନାଶ କିନ୍ତୁ କିଛି ଜାଣିପାରିଲେ ନାହିଁ, ବୁଝିପାରିଲେ ନାହିଁ । ଯେତେବେଳେ ବାସ୍ତବ ଚେତନାରେ ଜାଗ୍ରତ ହୋଇ ଟଳିଟଳି ଗାଡ଼ି ଭିତରେ ଯାଇ ବସିଲେ, ସେତେବେଳକୁ ବେଶ୍ ରାତି ହୋଇଛି । ଗେଟ୍ ଖୋଲାହୋଇ ପୁଣି ବନ୍ଦ ହୋଇଛି । ତା’ର ଲାଲ ସଂକେତ ଆଲୋକ ବତୀ ଦୂରରୁ ସ୍ପଷ୍ଟ ହୋଇ ଉଠୁଛି । ଦୂରରେ ଦେଖାଯାଉଛି ଗାଡ଼ି ଯିବାପାଇଁ ସିଗ୍‍ନାଲର ନୀଳ ସଂକେତ । ପ୍ରତିଦିନ ଏଇ ସିଗ୍‍ନାଲ ଦେଖି ଦେଖି ସେଥିରେ କିଛି ବିଶେଷତ୍ୱ ପାଉ ନଥିଲେ ଅବିନାଶ; କିନ୍ତୁ ଆଜି ସିଗ୍‍ନାଲର ସଂକେତ ତାଙ୍କୁ ଯେପରି କହିଲା–ଯେ ଯିବାପାଇଁ ଚାହୁଛି, ତାକୁ ପଥଦିଅ–ଛାଡ଼ିଦିଅ ସେ ଆଗକୁ ଯାଉ । ବେଗହିଁ ତ ଉନ୍ନତିର ଲକ୍ଷଣ । ଯେଉଁ ଗାଡ଼ି ଆସୁଛି, ତା’ର ପଥ ନ ରୋକି ତାକୁ ଅଗ୍ରସର ହେବାପାଇଁ ଦିଅ~। ଯେ ଆପଣାର ନ ହୋଇ ଅନ୍ୟର ହେବାପାଇଁ ଆଗକୁ ଯିବାପାଇଁ ଚାହେଁ, ତାକୁ ଧରି ରଖି ଲାଭନାହିଁ !

 

ଅବିନାଶ ଆଉ ଅଟକିଲେ ନାହିଁ । ଗାଡ଼ିରେ ଷ୍ଟାର୍ଟ ଦେଇ ମୁହଁ ଘୂରାଇଲେ । ଫେରିଯିବେ ପୁଣି ଖଡ଼ଗ୍‍ପୁରର ସେଇ ବଙ୍ଗଳାକୁ । ଫେରିଯିବାରେ ଆକର୍ଷଣ ନାହିଁ, ଆନ୍ତରିକତା ନାହିଁ; କିନ୍ତୁ ଯିବାକୁ ହେବ । ରାସ୍ତା ଉପରେ ଆଉ ଅଧିକ ସମୟ ରହିବା ସମ୍ଭବ ନୁହେଁ । ଗାଡ଼ି ଘୂରିଲା ଛୁଟିଲା ପୁଣି ଜାତୀୟରାଜପଥର ପ୍ରଶସ୍ତ ବକ୍ଷ ଉପରେ ।

 

ଯେତିକି ଆଗେଇଲେ ଅବିନାଶ ସେତିକି ଯେପରି କିଏ ପଛରୁ ଟାଣି ଧରିଲା ତାଙ୍କୁ । କାନେ କାନେ କିଏ ଯେପରି କହିଗଲା–

 

–କେଉଁଆଡ଼େ ଯାଉଛ ! କେହି ତ ତୁମର ଆଗମନଙ୍କୁ ଅପେକ୍ଷା କରିନାହିଁ । ମନେପଡ଼ିଲା ଅସୀମାଙ୍କ ଅନୁପସ୍ଥିତି । ସେଇ କେବଳ ଅପେକ୍ଷା କରିଥାଆନ୍ତେ । କିନ୍ତୁ ସେ ଆଉ ଅପେକ୍ଷା କରିବେ ନାହିଁ, ଆଉ ତାଙ୍କ ଆଗମନ ପଥକୁ ଅନାଇ ରହିବେ ନାହିଁ ।

 

ପାଞ୍ଚବର୍ଷ ତଳର ଘଟଣା ମନେପଡ଼ିଲା ତାଙ୍କର । ନୂଆହୋଇ ବିବାହ ହୋଇଥାଏ । ଅଫିସ ଗଲାବେଳେ ଅସୀମା ଅନାଇ ରହନ୍ତି ତାଙ୍କର ଯିବା ପଥକୁ ଚାହିଁ । ଆଉ ଠିକ୍ ଲକ୍ଷ୍ୟ କରିଥିଲେ, ତାଙ୍କର ପ୍ରତ୍ୟାଗମନକୁ ଅନାଇ ରହୁଥିଲେ ସେ ଅଧୀର ଆଗ୍ରହରେ । ଯିବାବେଳର ଆଖିର ଅକୁଳତା ଫେରିବାବେଳର ଆବେଗରେ ପରିଣତ ହେବାର ବହୁବାର ଲକ୍ଷ୍ୟ କରିଥିଲେ ସେ । ତାଙ୍କୁ ଖୁବ୍ ଭଲଲାଗୁଥିଲା, ତାହା ଦେଖିବାପାଇଁ । ସେଇ ସୁଖାନୁଭୂତି ଭିତରେ ସେ ଅନୁଭୂତି କରୁଥିଲେ ଆଉ ଗୋଟିଏ ପ୍ରାଣ ସହିତ ତାଙ୍କ ଜୀବନର ଅଭିନ୍ନତା–ଦୁଇଟି ଭିନ୍ନ ହୃଦୟର ଏକାଗ୍ର ଆବେଗ ଏବଂ ଦୁଇଟି ସ୍ରୋତର ସଂଗମସ୍ଥଳ ସେଇ ସଂଗମର ସମାରୋହ ଓ କଳ କଲ୍ଲୋଳ ପରିତ୍ୟାଗ କରି ଆଜି ଅସୀମା ଅନ୍ୟ ପଥ ନିର୍ବାଚନ କରିଛନ୍ତି । ଅବିନାଶ ଆଗକୁ ଆଗକୁ ଅଗ୍ରସର ହେଲେ । ହଠାତ୍ ଆଖି ଝଲସାଇ ଆଗରେ ଦେଖିଲେ ସିନେମା ପୋଷ୍ଟରର ଏକ ଇଙ୍ଗିତ ପୂର୍ଣ୍ଣ ଛବି–

 

“ଶରାବୀ” ।

 

ଶରାବୀ !! ତୁହାଇ ତୁହାଇ ଗୋଟାଏ ଶବ୍ଦ ଉଚ୍ଚାରଣ କଲେ ଅବିନାଶ । ନାୟକ ମଦ୍ୟ ପାତ୍ର ଧରିଛି–ମୁହଁରେ ଅବସାଦ କ’ଣ ସେପରି ଭୁଲିଯିବା ପାଇଁ ଚେଷ୍ଟା କରି କ୍ଳାନ୍ତ ହୋଇ ପଡ଼ୁଛି ସେ । ଆଉ ପାଖରେ ଛିଡ଼ା ହୋଇ ନର୍ତ୍ତକୀ ଇଶାର ଦେଇ ମଦ ଢାଳି ଦେଉଛି । ସେଥିପ୍ରତି ନାୟକର ନିଘା ନାହିଁ, ସେ ଚାହାଣୀର ଆବେଦନ ପ୍ରତି ତା’ର ନିବେଦନ ନାହିଁ ।

 

କ’ଣ ଭାବିଲେ କେଜାଣି ସେ ଗାଡ଼ିର ପଥ ବଦଳାଇ ଗୋଲ ବଜାର ଆଡ଼କୁ ଚାଲିଲେ~। ଗୋଲ ବଜାରର ଏକ ସମ୍ଭ୍ରାନ୍ତ କୋଣରେ ବ୍ଲୁବାର୍ । ସହରର ଆଭିଜାତଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଦୋକାନ ‘ବ୍ଲୁବାର୍’ । ଅବିନାଶ ବହୁଦିନର ପରିଚିତ ପରି ଠିକ୍ ସେଇ ବ୍ଲୁବାରର ଆଗରେ ଗାଡ଼ି ବନ୍ଦ କଲେ ।

 

ମଦ ଯେ ସେ ନ ପିଇଛନ୍ତି ତା’ ନୁହେଁ । ସମାଜରେ ଆଭିଜାତ୍ୟ ନେଇ ବଞ୍ଚିବାପାଇଁ ହେଲେ ଅନେକ କିଛି କରିବା ପାଇଁ ହୁଏ; କିନ୍ତୁ ସେଥିରେ କେବେ ଆଗ୍ରହ ବା ଆନନ୍ଦ ନଥିଲା ତାଙ୍କର । ସାଙ୍ଗସାଥିମାନଙ୍କର ଅନୁରୋଧରେ ଟିକିଏ ଅଧେ କେବେ ପାନ କରିଥିଲେ ସେ । ଆଜି କିନ୍ତୁ କାହାର ଅନୁରୋଧରେ ନୁହେଁ, ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ନିଜେ ଆସିଛନ୍ତି-।

 

ଅବିନାଶ ଭିତରକୁ ଗଲେ । ରାତି ଅଧିକ ହୋଇଛି । ବାର ପ୍ରାୟ ଶୂନ୍ୟ । ଯେଉଁ ଜଣେଅଧେ ପାନ ରତ, ସେମାନଙ୍କର କାହାରି ପ୍ରତି ନିଘା ନାହିଁ । ସେମାନେ ପାନ କରି କରି ମାତାଲ ଅବସ୍ଥାରେ । ଅତି ଜାଗ୍ରତ ଚେତନାର ଶିହରଣ ପରେ ପରେ ଅବସାଦରେ ବିଭୋର ସେମାନେ କାହାକୁ ଚିହ୍ନିଲା ପରି ମନେହେଲା ନାହିଁ ତାଙ୍କର । ତାଙ୍କୁ ଅଭ୍ୟର୍ଥନ କରି ବୟ ନେଇଗଲା ଗୋଟିଏ କୋଣକୁ । ଚୌକି ଉପରେ ବସି ଅନାଇଲେ ଅବିନାଶ । ସାମ୍ନାରେ ହସନ୍ତ ହେନା ପରି ଛିଡ଼ା ହୋଇ ହସୁଥାଏ ହେନା ଜନ୍‍ସନ୍‍ ।

 

ହେନା ଜନ୍‍ସନ୍‍କୁ ସେଠାରେ ସେପରି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହେଲେ ଅବିନାଶ, କିନ୍ତୁ ଅଧୀରତା ପ୍ରକାଶ କଲେ ନାହିଁ । କ’ଣ ଯାଏ ଆସେ ସେଥିରେ । ସେ ପାନ କରିବା ପାଇଁ ଚାହାନ୍ତି, ପାନ କରି ନିଜର ଅବସାଦ, ଗ୍ଳାନି ଏବଂ ଅନ୍ତର୍ଜ୍ୱାଳାକୁ ନିଭାଇବା ପାଇଁ ଚାହାନ୍ତି ।

 

“What would you like to have Sir”–ଅନୁଗ୍ରହ କରି କହନ୍ତୁ କ’ଣ ଆପଣ ଚାହାନ୍ତି ।

 

ହେନା ଜନ୍‍ସନ୍ ହସନ୍ତି ମୁହଁରେ ଅବିନାଶଙ୍କୁ ଅନାଇ ରହିଛି । ତା’ର ଆପାଦ ମସ୍ତକ ଥରେ ନିରୀକ୍ଷଣ କଲେ ସେ । ଆଜି କାହିଁକି ହେନା ବେଶ୍ ଭଲଲାଗିଲା ତାଙ୍କୁ । ଏକ ରଜନୀଗନ୍ଧାର ଫୁଟନ୍ତ ଗୁଚ୍ଛ ସହିତ ହେନା ଜନ୍‍ସନ୍‍କୁ ତୁଳନା କଲେ ଅବିନାଶ । ହେଲେ ବେଶି ସମୟ ନୁହେଁ । ସେ ତ ହେନାକୁ ଦେଖିବାପାଇଁ ଆସିନାହାନ୍ତି । ଉତ୍ତର ପ୍ରତ୍ୟାଶୀ ହେନାକୁ ଅନାଇ କହିଲେ ଅବିନାଶ–

 

ସ୍କଚ.......

 

ଆଉ ଅଧିକ କହିବାପାଇଁ ହେଲା ନାହିଁ ତାଙ୍କୁ । ଦୋଳି ଦୋଳି କ୍ଷିପ୍ରତା ସହିତ ହେନା ଜନ୍‍ସନ୍ ଅନ୍ତର୍ଦ୍ଧାନ ହୋଇଗଲା ତାଙ୍କ ସାମ୍ନାରୁ ଆଦେଶ ତାଲିମ କରିବା ପାଇଁ ।

 

ହେନା ଜନ୍‍ସନ୍ । ମି: ଆର୍ଥର ଜନ୍‍ସନ୍‍ଙ୍କର କନିଷ୍ଠା କନ୍ୟା ହେନା ଜନ୍‍ସନ୍ । ଆର୍ଥର ଜନ୍‍ସନ୍ ୱାର୍କସପର ଫୋରମ୍ୟାନପଦରେ ପ୍ରାୟ ପଚିଶବର୍ଷ ରହି ଅବସର ନେଇ ହିଜଳିରେ ଅବଶିଷ୍ଟଜୀବନ ଅତିବାହିତ କରୁଛନ୍ତି । ଅନେକ କହନ୍ତି ଆର୍ଥର କାମ କିଛି ଜାଣି ନଥିଲେ । କେବଳ ଗୋରା ଚମଡ଼ାର ସମ୍ଭାର ନେଇ ଏବଂ ନିଜ ଘରେ ପଲେ ଭଗ୍ନୀ ଓ କନ୍ୟାର ସୌନ୍ଦର୍ଯ୍ୟ ନେଇ ଅଫିସକୁ ଯାଇଥିଲେ । ଆଉ ସେଇ ମହକରେ ମୁଗ୍ଧ ହୋଇ ଅନେକ ବଡ଼ ବଡ଼ ଅଫିସର ଆର୍ଥର ଜନ୍‍ସନ୍‍ଙ୍କର କରାୟତ୍ତ ହୋଇଥିଲେ, ଅଳ୍ପ ସମୟ ଭିତରେ । ବଏଲାର ମେକରରୁ ସିଧା ପଦୋନ୍ନତି ପାଇଥିଲେ ଆର୍ଥର ଫୋରମ୍ୟାନ୍ ପଦକୁ । ତାଙ୍କର କନିଷ୍ଠା କନ୍ୟା ହେନା ଜନ୍‍ସନ୍ । ଖଡ଼ଗ୍‍ପୁରର ହଲିଉଡ଼୍ କ୍ଳବର ପ୍ରଧାନ ଗାୟିକା ।

 

ଆର୍ଥର ଅବସର ନେବା ପରେ “ବ୍ଲୁବାର”ର ଆରମ୍ଭ । ଆଜି ସେଇ ବାରର ଲାଭନେଇ ସେ ବେଶ୍ ଧନୀ । ଟଙ୍କାପଇସା ହାତକୁ ଆସିଛି । ପାଞ୍ଚଜଣ ସମ୍ଭ୍ରାନ୍ତ ସମାଜରେ ତାଙ୍କର ଉପସ୍ଥିତି ସ୍ୱୀକାର କରୁଛନ୍ତି । ସେଇ ବାର ସଂଲଗ୍ନ ବ୍ଲୁବାର କ୍ଳବ । ସମାଜର ଗଣମାନ୍ୟଙ୍କୁ ଆକର୍ଷଣ କରିବା ପାଇଁ ଏହା ହେଉଛି ଆର୍ଥରଙ୍କର ସୁଚତୁର କୌଶଳ । କେବଳ ବାରକୁ ଯେଉଁମାନେ ନ ଆସି ପାରିବେ, ସମ୍ଭ୍ରମ ବା ଲଜ୍ଜାବୋଧ ଯେଉଁମାନଙ୍କର ଅବଶିଷ୍ଟ କିଛି ଅଛି, ସେମାନଙ୍କ ପ୍ରବେଶପାଇଁ କ୍ଳବର ଦ୍ୱାର ସଦାଅବାରିତ । ସେମାନେ ସଭ୍ୟତା ଏବଂ ଆଭିଜାତ୍ୟ, ସୌଜନ୍ୟତା ଏବଂ ଶାଳୀନତାର ମୁଖା ପିନ୍ଧି କ୍ଳବର ସଦରଦରଜା ଦେଇ ପ୍ରବେଶ କରନ୍ତି । କ୍ଳବର ଏକ କୋଣରେ ଆଳାପ କକ୍ଷ । କେତେ ବଡ଼ ବଡ଼ ଲୋକ ଆସନ୍ତି–ସେମାନଙ୍କ ଆଳାପ ଆଲୋଚନା ପାଇଁ ଗୋଟିଏ ନିଭୃତ କକ୍ଷ ନ ହେଲେ ଚଳିବ କିପରି ? ସରକାରୀ ଅଫିସର, ପଦସ୍ଥ ଡାକ୍ତର ଏବଂ ଓକିଲ, ଉଚ୍ଚଦରର ଠିକାଦାର ଏବଂ ସର୍ବୋପରି ବଣିକସମାଜର ଉଦ୍ଯୋଗୀ ତୁଣମାନଙ୍କର ପ୍ରୟୋଜନ ହୁଏ ଆଳାପ କକ୍ଷ । ଏଇ କକ୍ଷର ନିଭୃତ ପରିବେଶ ମଧ୍ୟରେ ହେନା ଜନ୍‍ସନ୍ ପିତାର ଆଦେଶରେ ସର୍ବେସର୍ବା । ସେ ଅତିଥିମାନଙ୍କୁ ଅଭ୍ୟର୍ଥନା କରେ, ମନ ଜାଣି ଆପ୍ୟାୟିତ କରି ବ୍ଲୁବାର କ୍ଳବର ମର୍ଯ୍ୟାଦା ବୃଦ୍ଧି କରେ । ତା’ରି ମାଧ୍ୟମରେ ଏଇଠି ଉଚ୍ଚପଦସ୍ଥ ଅଫିସରମାନଙ୍କ ପାଖରୁ ଠିକାଦାରମାନେ କଣ୍ଟାକ୍ଟ ହାସଲ କରନ୍ତି । ଗୋଟାଏ ଚେକ୍‍ର ବିନିମୟରେ ହେନା ଜନ୍‍ସନ୍ ସବୁ କରିପାରେ ।

 

ସେଇଥିପାଇଁ ଆଜି ରାତି ପ୍ରାୟ ସାଢ଼େ ଏଗାରଟାରେ ବାର ସମ୍ମୁଖରେ ମହାନ୍ତି ସାହେବଙ୍କ ଗାଡ଼ି ଦେଖି ଚମକି ପଡ଼ିଥିଲେ ଆର୍ଥର ଜନ୍‍ସନ୍ । ଯେଉଁ ସୁଯୋଗର ଅପେକ୍ଷା କରିଥିଲେ ସେ ବହୁ ଦିନରୁ, ସେ ସୁଯୋଗ ଭଗବାନ ତାଙ୍କୁ ଆଣି ଦେଇଛନ୍ତି ଅତି ସହଜ ସରଳ ଭାବରେ । ହେନା ଘରକୁ ଫେରିବାପାଇଁ ଉଦ୍‍ଯୋଗ କରୁଥିଲା । ପିତାର ଆଦେଶ ପାଇ ଏକ ହସନ୍ତ ହେନା ପରି ସୁବାସ ଛୁଟାଇ ବାହାରି ଆସିଲା, ଅବିନାଶଙ୍କର ଅଭ୍ୟର୍ଥନା କରିବା ପାଇଁ ।

 

ଅବିନାଶ ପାନୀୟପାଇଁ ଅପେକ୍ଷା କରୁଥିଲେ । ହେନା ଯେପରି ଯାଇଥିଲା ସେହିପରି ମୁହଁରେ ହସ, ଦେହରେ ଲାସ୍ୟ ଏବଂ ଚାହାଣୀରେ ଆକର୍ଷଣ ଖେଳାଇ ଫେରିଆସିଲା । ପଛରେ ବୟ । ପାନୀୟ ଟେବୁଲ ଉପରେ ରଖି ବୟ ଫେରିଗଲା । ହେନା ଅବିନାଶଙ୍କର ଅତି ନିକଟରେ ବସି ସ୍କଚ୍ ହୁଇସ୍କି ପାନୀୟ ଢାଳିଲା ଗ୍ଳାସରେ । ପୂର୍ବରୁ ସୋଢ଼ା ସହିତ ବରଫ ମିଶାଇ ଦେଇଥିଲା ବୟ । ପରିପୂର୍ଣ୍ଣ ପାତ୍ର ଅବିନାଶଙ୍କର ହାତକୁ ବଢ଼ାଇ ଦେଲା ହେନା । ଅବିନାଶ ତା’ ଆଡ଼କୁ ନ ଚାହିଁ ହାତ ବଢ଼ାଇଲେ । ଗ୍ଳାସ ବଢ଼ାଇ ଦେଲାବେଳେ ତାଙ୍କର ଆଙ୍ଗୁଳି ହେନାର ଆଙ୍ଗୁଳି ସଂସ୍ପର୍ଶରେ ଆସିଲେ । ଜାଣି ଜାଣି ତାଙ୍କର ଆଙ୍ଗୁଳି ଉପରେ ଉତ୍ତାପ ସଂଚରଣ କରିବା ପାଇଁ ଟିକିଏ ଚାପ ଦେଲା ହେନା । ଅବିନାଶ ଚମକି ଚାହିଁଲେ । ହେନା ତାଙ୍କ ଆଙ୍ଗୁଳି ଉପରେ ଅଙ୍ଗୁଳି ରଖି ହସୁଛି । ଅବିନାଶ ମୁହୂର୍ତ୍ତକ ପାଇଁ ଚାହିଁ ରହିଲେ ତା’ର ମୁହଁକୁ । ଉପରେ କୌଣସି ଭାବାନ୍ତର ପରିଲକ୍ଷିତ ହେଲାନାହିଁ । ତା’ପରେ ଆଖି ତଳକୁ କଲେ । ସେତେବେଳକୁ ହାତ ଉଠାଇ ନେଇଛି ହେନା ।

 

ଅବିନାଶ ଯାହା କେବେ କରି ନଥିଲେ, ଆଜି ତାହା ବିନାଦ୍ୱିଧାରେ କରିପାରିଲେ । ସାଙ୍ଗସାଥି ମେଳରେ ଯେ ପାନ ନ କରିଛନ୍ତି ତାହାନୁହେଁ, ହେଲେ କୌଣସି ମଦ ଦୋକାନକୁ ଯାଇ ମଦପାନ କରିବା ଏଇ ତାଙ୍କ ଜୀବନରେ ପ୍ରଥମ । ଯାହା ସେ ମନ ପ୍ରାଣରେ ଆଜିଯାଏ ଘୃଣା କରୁଥିଲେ, ବିନା ଦ୍ୱିଧାରେ ଆଜି ସେଠାରେ ପାନ କରିବାରେ ମନୋନିବେଶ କଲେ ।

 

ରେଡ଼ିଓରୁ ପାଶ୍ଚାତ୍ୟ ସଙ୍ଗୀତର ଏକ ଉତ୍ତେଜକ ଶେଷ ପଂକ୍ତି ଭାସି ଆସୁଥାଏ । ହେନା ଶୂନ୍ୟ ଗ୍ଳାସରେ ଆଉ କେତେ ପେଗ୍ ଢାଳିବାପାଇଁ ଗ୍ଳାସ ନେଲା ଅବିନାଶଙ୍କ ପାଖରୁ । ପୁଣି ତା’ର ଅଙ୍ଗୁଳି ଲାଗିଲା ଅବିନାଶଙ୍କର ଅଙ୍ଗୁଳି ସହିତ । ପରେ ପରେ ଆହୁରି ଦୁଇଗ୍ଳାସ ପାନ କଲେ ଅବିନାଶ । ଆଉ ସେ କିଛି ମନେ କରିପାରିଲେ ନାହିଁ । ପୂର୍ବର ସେ ଅବସାଦ, କୁଣ୍ଠା ଏବଂ ସଙ୍କୋଚ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ଦେହରେ, ମନରେ ଏକ ବ୍ୟକ୍ତ ଉତ୍ତେଜନାର ସଂକେତ ପାଇଲେ ସେ । ଆଖିରେ ନିଶାର ଢେଉ । ବୁକୁରେ ଅଗ୍ନିର ଉତ୍ତାପ । ଦେହରେ ଅସହ୍ୟ ଦହନ ।

 

ହେନା ଠିକ୍ ବୁଝିପାରିଲା । ଅବିନାଶଙ୍କର ଗୋଟାଏ ହାତକୁ କୋଳକୁ ଟାଣି ନେଇ ଚାପ ଦେଲା ସେଥିରେ । ମୁହୂର୍ତ୍ତକରେ ଖଣ୍ଡ ପ୍ରଳୟ ହୋଇଗଲା ଯେପରି । ଯେଉଁ ଅବିନାଶ ପର ସ୍ତ୍ରୀ ବା ଅନ୍ୟ ରମଣୀକୁ ଦେଖିଲେ ମୁହଁ ଫେରାଇ ଚାହୁଁ ନଥିଲେ, ଆଜି ସେଇ ଶରୀରରେ ଅନ୍ୟ ଏକ ଅବିନାଶ ହେନା ଜନ୍‍ସନ୍‍କୁ ସବେଗେ କୋଳ ଉପରକୁ ଟାଣି ଆଣି ଏକ ଆବେଗମୟ ଉତ୍ତପ୍ତ ଚୁମ୍ୱନ ତା’ର କପୋଳରେ ଅଙ୍କନ କରି ଦେଲେ । ତାଙ୍କର ବଳିଷ୍ଠ ବାହୁ ପାଶରେ ପେଶି ହୋଇ ଯିବା ପୂର୍ବରୁ ଚତୁରୀ ହେନା ନିଜକୁ ମୁକ୍ତ କରି ନେଇଥିଲା । ଆଉ ତା’ପରେ ପୁଣି ଆସିବାର ଇଙ୍ଗିତ କରି ମୁହଁ ଉପରେ ହସର ତରଙ୍ଗ ଖେଳାଇ କହିଥିଲା–

 

ଗୁଡ଼୍ ନାଇଟ୍ ।

 

ଗୁଡ଼୍ ନାଇଟ୍ ।

 

ଅବିନାଶ ମାତାଲ ପରି ଟଳି ଟଳି ଯେତେବେଳେ ତାଙ୍କ ବାସଭବନକୁ ଫେରିଆସିଲେ, ସେତେବେଳେ ସମସ୍ତ ଜଗତ୍ ଗଭୀର ନିଦ୍ରାରେ ଅଭିଭୂତ । ଉପରେ ଆକାଶ, ତଳେ ଧରିତ୍ରୀ । ଆକାଶ ଉପରକୁ ଚାହିଁଲେ ଅବିନାଶ । ମାଟି ଉପରକୁ ଚାହିଁ କ’ଣ ଯେପରି ଖୋଜିଲେ । ଗାଡ଼ିଟାକୁ ସେଇ ପୋର୍ଟିକୋ ପାଖରେ ଛାଡ଼ି ଦେଇ ଲନ୍ ଉପରେ ଥିବା ବେଞ୍ଚରେ ଯାଇ ଗୋଡ଼ ଲମ୍ୱାଇ ବସି ପଡ଼ିଲେ ।

 

ଫଗୁଣର ଅର୍ଦ୍ଧ ରାତ୍ରିର ଶାନ୍ତ ମଳୟ ତାଙ୍କ ସର୍ବାଙ୍ଗରେ ଚୁମା ଦେଇ ଦେଇ ପଛକୁ ଭୁଲି ଯାଇ ଆଗକୁ ଯିବା ପାଇଁ ନିର୍ଦ୍ଦେଶ ହେଉଥିଲା ।

 

ଚଉଦ

 

ବର୍ଷାଝରା ଆକାଶକୁ ଚାହିଁ ମିତାଳି ଅପେକ୍ଷା କରୁଥିଲା ଦେବଦତ୍ତକୁ ଦେବଦତ୍ତ ଆସିବ–ନିଶ୍ଚୟ ଆସିବ !

 

ଶେଷ ଫଗୁଣରେ ବର୍ଷା ଆସିଛି । ସେଇ ବର୍ଷା ସଙ୍ଗେ ସଙ୍ଗେ ଆସିଛି ସବୁଜଶ୍ରୀ । ନିର୍ଜୀବ ଦୁର୍ବାଦଳ ପୁଣି ସବୁଜ ସମ୍ଭାରରେ ଶ୍ରୀମଣ୍ଡିତ । କଦଳୀ ଗଛର ପତ୍ର ଉପରେ ବର୍ଷା ପାଣି ଟପ୍ ଟପ୍ ପଡ଼ିବାର ଶବ୍ଦ ଭାସି ଆସୁଥାଏ । ଝରକା ପାଖର ଫୁଟନ୍ତ ରଜନୀଗନ୍ଧାର ଶାଖାଗୁଡ଼ିକ ଦୋଳୁ ଥାଏ ବର୍ଷା ଏବଂ ପବନରେ । ସନ୍ଧ୍ୟାହେଲେ ମହକ ଛୁଟିବ । କାନେ କାନେ କହିଯିବ–ମୁଁ ଆସିଛି–ମୁଁ ଆସିଛି । ନୟନ ମେଲି ପରାଣ ଖୋଲି ମୋତେ ଦେଖ । ଅପାସୋରା ସେଇ ରୂପ ଦେଖି, ମହକ ଅନୁଭବ କରି କେତେ ଦଗ୍ଧ ପ୍ରାଣରେ ଲଗାଇଦେବ ଶାନ୍ତିର ପ୍ରଲେପ କେତେ ପ୍ରତୀକ୍ଷମାଣା ଉଦ୍‍ବେଗକୁ ସମବେଦନା ଜଣାଇ ମଥା ହଲାଇବ ରଜନୀଗନ୍ଧା ।

 

ମିତାଳି ଅନୁଭବ କଲା ତା’ ହୃଦୟ ଭିତରର ଆବେଗ । ଦେବଦତ୍ତ ପାଇଁ ତା’ର ପ୍ରତୀକ୍ଷମାଣ ପ୍ରାଣର ଚଞ୍ଚଳତା । ଦେବଦତ୍ତ କାହିଁକି ଏତେ ଡେରି କରୁଛି । ସମୟ ଜ୍ଞାନ ନାହିଁ । କେତେବେଳକୁ ସେ ଅପେକ୍ଷା କରୁଛି ତା’ରି ଆଗମନ ପାଇଁ । ହାତଘଡ଼ିକୁ ଚାହିଁଲା । ମୋଟେ ପାଞ୍ଚଟା ପନ୍ଦର–ସନ୍ଧ୍ୟା ହୋଇନି । ଦେବଦତ୍ତ ଛଅଟାବେଳକୁ ଆସିବ ବୋଲି ଫୋନ୍ କରିଥିଲା । ଛଅଟା......ଆହୁରି ପଞ୍ଚଚାଳିଶ ମିନିଟ୍ ବାକୀ ।

 

ବର୍ଷାଝରା ଆକାଶକୁ ଚାହିଁ କେତେ କ’ଣ ଭାବୁଥିଲା ମିତାଳି । ଭଲଲାଗୁଥିଲା ବର୍ଷାଛୁଆଁ ପବନ ଦେହରେ ଲାଗିଲାବେଳେ । ଝରକାର ରେଲିଂ ଫାଙ୍କ ଦେଇ ହାତ ବଢ଼ାଇଲା । ପାଣିଟୋପା ପଡ଼ି ହାତ ଭିଜିଲା । ଡାହାଣ ହାତ ଟାଣି ଆଣି ବାମ ହାତ ସେଇପରି ଭିଜାଇଲା ମିତାଳି । ବର୍ଷା ପାଣି ଉପରେ ଶୀତଳ ପବନ ଛୁଇଁଲା ତା’ର ଦେହକୁ । ସୁଲୁ ସୁଲୁ ହେଲା ମନ । ଭିଜିବା ପାଇଁ ଇଚ୍ଛା ହେଲା । ବାପା ଘରେ ନାହାନ୍ତି । ଆଜି ଫେରୁ ଫେରୁ ରାତି ଆଠଟାରୁ କମ୍ ହେବ ନାହିଁ । ଦେବଦତ୍ତର ଆସିବାକୁ ଡେରି ଅଛି । ଚାକରଟା ବଜାରକୁ ଯାଇଛି । ଆୟା ସେ ଆଡ଼େ କ’ଣ କରୁଥିବ–ହୁଏତ ପାଣି ଗରମ କରି ରଖୁଥିବ ଦେବଦତ୍ତ ଆସିଲେ ଚା’ କରିବା ପାଇଁ । ବେଶ୍ ନିଭୃତ ପରିବେଶ । ବର୍ଷାରେ ଘେରାଏ ବୁଲି ଆସିଲେ ଭଲଲାଗିବ । ଶୀତଳ ଶାନ୍ତ ହେବ ଦେହ ଏବଂ ମନ ।

 

ପିଲାଦିନର କଥା ମନେପଡ଼ିଲା ମିତାଳିର । କେତେ ଭିଜୁଥିଲା ସେ ବର୍ଷାରେ । ସ୍କୁଲରୁ ଫେରିଲାବେଳେ ବର୍ଷାରେ ଭିଜି ଭିଜି ଆସେ । ଜାଣି ଜାଣି ଛତା ଫିଟାଏନି । ପାଖରେ ସେଣ୍ଟ ଏଗ୍‍ନେସ ସ୍କୁଲ । ମା’ ଦେଖିଲେ ବକନ୍ତି; କିନ୍ତୁ ଭିଜିବାରେ ସେ ଆନନ୍ଦ ପାଏ, ଉତ୍ତେଜନା ପାଏ । ଆଜି ପୁଣି ଭିଜିବା ପାଇଁ ଇଚ୍ଛା ହେଲା ତା’ର । କେହି ନାହାନ୍ତି ବାରଣ କରିବା ପାଇଁ । କେହି ନାହାନ୍ତି ପରିହାସ କରିବା ପାଇଁ ଏଇ କିଶୋରୀ ସୁଲଭ ଗୁଣ ଦେଖି ।

 

ବାହାରକୁ ବାହାରିଲା ମିତାଳି । ବଗିଚାର ଏକ କୋଣରେ ବଉଳ ଗଛରେ ଫୁଲ ଫୁଟିଛି-। ପତ୍ର ଯେତେ ନୁହେଁ ଫୁଲ ସେତେ । ଦୁଇ ଚାରି ପେନ୍ଥା ତୋଳି ଆଣିବାପାଇଁ ଇଚ୍ଛା ହେଲା ତା’ର-। ପ୍ରଥମେ ସନ୍ତର୍ପଣରେ, ତା’ପରେ ଶୀତ୍କାରରେ ବର୍ଷାରେ ଭିଜି ଭିଜି ଆଗେଇ ଚାଲିଲା ମିତାଳି ବଉଳ ଫୁଲ ତୋଳିବାପାଇଁ । ବର୍ଷାରେ ତିନ୍ତି ଯାଉଥାଏ ଆପାଦ ମସ୍ତକ ଓ ଆଭରଣ । ବଉଳ ଗଛ ଶାଖାରୁ ଫୁଲ ତୋଳିଲା ସେ । ତୋଳୁ ତୋଳୁ ବେଶ୍ ଦଶ ମିନିଟ୍ ପ୍ରାୟ ବିତିଗଲା । ଫେରିଲାବେଳକୁ ଲୁଗା ତିନ୍ତି ଦେହରେ ଜଡ଼ି ଯାଇଛି । ଆଭରଣ ଭିତରୁ ଯୌବନର ଝଲକ ବାରି ହୋଇ ପଡ଼ୁଛି । ନିଜ ଛାତି ଉପରେ ନିଘା ରଖି କ’ଣ ଭାବୁ ଥିଲା ମିତାଳି । ଆଗକୁ ନଜର ନଥିଲା~। ସାମ୍ନାର ଗୋଟାଏ ଗଡ଼ାଣିଆ ସ୍ଥାନରେ ଖସଡ଼ି ପଡ଼ିଲା ସେ । ପାଣି ଜମିଥିଲା ତଳେ । ସେଇ ପାଣିରେ କଟି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧୋଇ ହୋଇଗଲା ଆଉଥରେ । ପଡ଼ୁ ପଡ଼ୁ ହାତ ଠାବ ଦେଇ ଉପର ଅଂଶକୁ ରୋକି ନେଲା । ଦେହକୁ ଲାଗିନି ସେପରି କିଛି । ହେଲେ ପଡ଼ିସାରି କିଏ କାଳେ ଦେଖି ନେଇଥିବ ଭାବି ଯେତେବେଳେ ସରମରେ ଚାହିଁଲା ଚାରିଆଡ଼େ, ଦେଖିଲା ଦେବଦତ୍ତ ପୋର୍ଟିକୋ ଉପରେ ଛିଡ଼ା ହୋଇ ତାକୁ ଚାହିଁ ହସୁଛି । ଲଜ୍ଜାରେ ମରିଗଲା ମିତାଳି ।

 

ଅସଂଯତ ଆଭରଣକୁ ସଂଯତ କରିବା ପାଇଁ ଚେଷ୍ଟାକରି ଅଧିକ ବିପଦରେ ପଡ଼ିଲା ସେ । ଓଦା ଲୁଗାକୁ ଏପାଖ ସେପାଖ କରି ଯଥାସ୍ଥାନରେ ରଖିବା ସମ୍ଭବ ହେଲାନାହିଁ । ଅଗତ୍ୟା ସେଥିରୁ ନିରସ୍ତ୍ର ହୋଇ ସେ ଅଗ୍ରସର ହେଲା । ଦେବଦତ୍ତର ସମ୍ମୁଖରେ ପହଞ୍ଚି ଫୁଲ ପେନ୍ଥାଟି ବଢ଼ାଇ ଦେଲା ତା’ ହାତକୁ । ହାତ ବଢ଼ାଇ ନେଲା ଦେବଦତ୍ତ । ମିତାଳି ଥରେ ମାତ୍ର ଚାହିଁନେଲା ଦେବଦତ୍ତର ମୁହଁ । ହସୁ ଥିଲା ସେ ମିତାଳି । ନିଜ ଦେହ ଉପରେ ପୁଣି ଆଉଥରେ ଆଖି ବୁଲାଇ ନେଲା । ଅନାବୃତ ଅଙ୍ଗ ଫୁଲିଉଠିଥିଲା । ବର୍ଷାପାଣି ପାଇ ପୃଥିବୀର ସମସ୍ତ ଲଜ୍ଜା ଯେପରି କ୍ଷଣକରେ ଆସି ତା’ର କାନ ମୁହଁ ଦେହରେ ଖୁନ୍ଦି ହୋଇଗଲେ । ତାକୁ ଅଧିକ ବିବ୍ରତ ନ କରିବା ପାଇଁ ସହଜ ଗଳାରେ କହିଲା ଦେବଦତ୍ତ ତମେ କାହିଁକି ବର୍ଷାରେ ଭିଜୁଥିଲ ଯେ ! ଦେହ ଖରାପ ହୋଇପାରେ । ଶୀଘ୍ର ଯାଇ ଲୁଗା ବଦଳାଅ ।

 

–ଆସୁଛି କହି କ୍ଷିପ୍ର ପଦରେ ଗୃହ ମଧ୍ୟରେ ପ୍ରବେଶ କଲା ମିତାଳି । ଓଦାଲୁଗାରୁ ପାଣି ଝରି ଝରି ଯାଉଥିଲା ତା’ର ଯିବା ପଥରେ ।

 

ମିତାଳିର ଅମିତ ରୂପ ଆଜି ପ୍ରତିଭାତ ହେଲା ଦେବଦତ୍ତ ଆଗରେ । ଏତେ ରୂପ ଆଜିଯାଏ କେଉଁଠି ଲୁଚାଇ ରଖିଥିଲା ଭାବି ଆଶ୍ଚର୍ଯ୍ୟ ଏବଂ ମୁଗ୍ଧ ହେଲା ସେ । ସେ କବି ନୁହେଁ । ହୋଇଥିଲେ ହୁଏତ ବର୍ଷାସ୍ନାତ ତରୁଣୀର ରୂପ ଲାବଣ୍ୟ ନେଇ ଏକ ସୁନ୍ଦର ଆକର୍ଷଣୀୟ କବିତା ରଚନା କରିପାରିଥାନ୍ତା । ଅଯତ୍ନ କେଶ ବର୍ଷାପାଣିରେ ଭିଜି ଅବିନ୍ୟସ୍ତ ହୋଇପାଇଥିଲା । କପୋଳ, ଚିକୁର ଏବଂ ଓଠ ଉପରେ କେତେ ବିନ୍ଦୁ ବର୍ଷାପାଣି ଢଳ ଢଳ ହେଉଥିଲେ । ବୁକୁ ଉପର ଅପେକ୍ଷାକୃତ ଅନାବୃତ । କଳା କଳା ଚକ୍ଷୁରେ ସ୍ୱପ୍ନିଳ ସଂକେତ ସୁସ୍ପଷ୍ଟ । ଦୁଇଟି ପାଦ ସମ୍ପୂର୍ଣ୍ଣ ଶୋଭାନେଇ ସ୍ଥଳ ପଦ୍ମ ପରି ପ୍ରସ୍ଫୁଟିତ । ଯେତିକି ଭାବିଲା ସେତିକି ବିଭୋର ହେଲା ଦେବଦତ୍ତ । ମିତାଳି ପ୍ରକୃତରେ ସୁନ୍ଦରୀ !

 

ପ୍ରାୟ ଦଶ ମିନିଟ୍ ମଧ୍ୟରେ ଲୁଗା ବଦଳାଇ କେଶ ବିନ୍ୟାସ କରି ପୁଣି ହସି ହସି ଫେରିଆସିଲା ମିତାଳି । ସେତେବେଳକୁ ସନ୍ଧ୍ୟା ହେବ ହେବ ହେଉଥାଏ । ଦୁହେଁ ଯାଇ ବସିଲେ ଡ୍ରଇଂ ରୁମ ଭିତରେ । ଆୟା ଚା ଏବଂ ପକୋଡ଼ି ପୂର୍ଣ୍ଣ ଟ୍ରେଟା ଆଣି ଟେବୁଲ ଉପରେ ରଖି ଦେଇଗଲା । କପ୍‍ରେ ଚା’ ଢାଳୁ ଢାଳୁ କହିଲା ମିତାଳି–

 

କେତେବେଳୁ ଚୋର ପରି ଆସି ଚାହୁଁଥିଲ ଯେ–ମୁହଁରେ ତା’ର ଲଜ୍ଜାମିଶ୍ରିତ ସ୍ମିତହାସ୍ୟ~

 

ଉତ୍ତର ଆସିଲା ଦେବଦତ୍ତର–“ଯେତେବେଳୁ ନିଜକୁ ତୁମେ ପ୍ରକାଶ କରିଛ–”

“ବଡ଼ ଦୁଷ୍ଟ ହେଲଣି ଏବେ ।”

 

“ଦୁଷ୍ଟାମି କରିବା ପାଇଁ ଉତ୍ସାହ ଦେଲେ ଦୁଷ୍ଟାମି ନ କରିବାଟା ହେଉଛି ଅପରାଧ–”

 

“ହୁଁ ଲେଉଟାଇ କଥା କହିବା କେବେଠୁ ଶିଖିଲଣି ।”

 

“ମିତାଳି ବୋଲି ଗୋଟିଏ ଅପରୂପ ଲାବଣ୍ୟମୟୀ ତରୁଣୀର ସାନ୍ନିଧ୍ୟ ପାଇବା ଦିନୁ ।”

 

ଚା’ ବଢ଼ାଇ ଦେଲା ମିତାଳି । ନିଜ ରୂପର ପ୍ରଶଂସା ଶୁଣିବା କ୍ଷଣି ତା’ ମୁହଁରେ କିଏ ଯେପରି ଅବିର ମେଞ୍ଚାଏ ବୋଳି ଦେଇଗଲା । ଲଜ୍ଜା ଉକୁଟି ଆସିଲା–ମୁହଁରେ–କାନରେ–ଓଠରେ~। ଧୀରେ କହିଲା ସେ–ବାଜେ କଥା । ଏଇ ଗରମ ପକୋଡ଼ି ନିଅ ।

 

ଦେବଦତ୍ତ ପକୋଡ଼ି ଦୁଇଟା ମୁହଁରେ ଗୁଞ୍ଜି ଚା’ରେ ଚୁମ୍ୱକ ଦେଇ କହିଲା–ବଡ଼ ସୌଭାଗ୍ୟ ଆଜି । ମନ ନୟନର ପରିତୃପ୍ତି ପରେ ଉଦର ମଧ୍ୟ ପରିତୃପ୍ତ ।

 

“ମନ ନୟନ କ’ଣ ପକୋଡ଼ି ଖାଇ ପରିତୃପ୍ତ ହୁଏ” ଦୁଷ୍ଟାମି କରି ନିଜ ବିଷୟରେ ଦେବଦତ୍ତ ମୁହଁରୁ ଅଧିକ ଶୁଣିବା ପାଇଁ କହିଲା ମିତାଳି ।

 

“ନା ମନ ନୟନ ପକୋଡ଼ିଦ୍ୱାରା ପରିତୃପ୍ତ ହୁଏନା; କିନ୍ତୁ ଯେ ପକୋଡ଼ି ବଢ଼ାଇ ଦିଏ ତା’ରି ଶୋଭାରେ......

 

ଆଉ କୁହାଇ ଦେଲାନି ମିତାଳି । ଦେବଦତ୍ତ ମୁହଁ ଉପରେ ନିଜ ହାତ ପାପୁଲି ଯାକି ଧରିଲା । ଦେବଦତ୍ତ ଉଷ୍ମତା ଅନୁଭବ କଲା ସେଇ ସ୍ପର୍ଶରେ । ସେ ମିତାଳିର ମୁହଁକୁ ଚାହିଁଲା । ମିତାଳି ଝୁଙ୍କି ପଡ଼ିଥିଲା ତା’ ମଥା ଉପରେ । ହଠାତ୍ ସର୍ବାଙ୍ଗରେ ବିଦ୍ୟୁତ୍ ଛଟା ଖେଳିଗଲା ପରି ଖେଳିଗଲା ଶିହରଣ । ଦେବଦତ୍ତର ସେ ଚା’କପ୍ ଟାକୁ ଟେବୁଲ ଉପରେ ରଖି ନିମିଷକ ମଧ୍ୟରେ ନଇଁ ପଡ଼ିଥିବା ମିତାଳିର ପାଟିଲ ଚିବୁକ ଉପରେ ଅବିଶ୍ୱାସ୍ୟ କ୍ଷିପ୍ରତାର ସହିତ ଚୁମ୍ୱନ କଲା । ମିତାଳି ପରମୁହୂର୍ତ୍ତକୁ ଅପେକ୍ଷା ନ କରି ଦୂରକୁ ହଟିଗଲା । ଅଗ୍ନ୍ୟୁତ୍ପାତ ହେଉଥିଲା ତା’ର ରକ୍ତ କଣିକାରେ । ସେ ଅନନୁଭୂତ ଏକ ଆବେଗ ଶିରାରେ ଶିରାରେ ଅନୁଭବ କଲା । ଉତ୍ତେଜନାରେ କମ୍ପୁଥିଲା ସେ ।

 

“କ’ଣ ହେଲା–“ପୁଣି ଚା’ରେ ଚୁମୁକ ଦେଉଁ ଦେଉଁ ପଚାରିଲା ଦେବଦତ୍ତ । ‘ନା ତୁମ ସହିତ ଆଉ କଥା କହିବିନି’ “ଏଇ ଯେ କହିଲ–”

 

ନିରୁତ୍ତର ରହିଲା ମିତାଳି । ପକୋଡ଼ିରୁ ଦୁଇଟା ମୁହଁରେ ଗୁଞ୍ଜି ପୁଣି କହିଲେ ଦେବଦତ୍ତ–

 

“ସତରେ ପକୋଡ଼ି ଖୁବ୍ ଭଲ ହୋଇଛି–”

 

“ଆୟାକୁ ଧନ୍ୟବାଦ ଦିଅ–”

 

“ବାସ୍ ! ଏଇ ତ କଥା କହିଲ ମଉନାବତୀ.....

 

ଆଉ କଥା କୁହାଇ ନ ଦେଇ ପୁଣି ତା’ ମୁହଁରେ ହାତ ଯାକି ଟିକିଏ ବ୍ୟବଧାନରେ ଛିଡ଼ା ହୋଇ କହିଲା ମିତାଳି–“ଶାନ୍ତ ପିଲାଟି ପରି ଚୁପ୍ ହୋଇ ବସି ବସି ଖାଅ ।”

 

“–ହାତ ଆଡ଼େଇ ଦେବଦତ୍ତ କଥା ଫେରାଇବା ପାଇଁ କହିଲା–“କାହିଁକି ଆଜି ତିନ୍ତୁଥିଲ ଯେ–ବର୍ଷାପାଣି ଖୁବ୍ ଭଲଲାଗୁଥିଲା ନୁହେଁ–”

 

“ସତରେ ବର୍ଷାରେ ଭିଜିବାପାଇଁ ମୋତେ ଭାରି ଭଲଲାଗେ । ପିଲାବେଳେ ମୁଁ ସବୁବେଳେ ଭିଜେ ବୋଲି ମା’ ମୋତେ ବକୁଥିଲେ–”

 

“ବର୍ତ୍ତମାନ କେହି ବକିବାପାଇଁ ନାହିଁ ବୋଲି ଦେହ ଉପରେ ଏଇ ଅତ୍ୟାଚାର–”

 

ଦେବଦତ୍ତର ମୁହଁକୁ ମମତା ବୋଳା ନୟନରେ ଚାହିଁ କହିଲା ମିତାଳି–ବକିବାପାଇଁ ତମେ ତ ଅଛ । କେତେଥର ସାବଧାନ କଲଣି–”

 

“ମୋତେ ମାନ ତାହେଲେ–”

 

“ମୁଁ କ’ଣ ଉତ୍ତର ଦେବି ! ନିଜକୁ ନିଜେ ପଚାର–”

 

“ଶୁଣ ତାହେଲେ–ମହାକବି କାଳିଦାସ ରଚନା କରିଥିଲେ–“ଆଷାଢ଼ସ୍ୟ ପ୍ରଥମ ଦିବସେ–”

 

“ରଖ ତୁମର କବିତା । ଆଜି କ’ଣ ଆଷାଢ଼ର ପ୍ରଥମ ଦିବସ ।”

 

ଦୁହିଁଙ୍କୁ ଜଣା ନଥିଲା । ମିତାଳି ଭିତରକୁ ଗଲା କ୍ୟାଲେଣ୍ଡର ଦେଖିବାପାଇଁ । ଫେରିଆସି କହିଲା । ଇଂରାଜୀ କ୍ୟାଲେଣ୍ଡର । ଓଡ଼ିଆ ମାସର ବର୍ଣ୍ଣନା ନାହିଁ । ଦେବଦତ୍ତ ପ୍ରଫୁଲ୍ଲ ହେଲା-। ସେ କହିଲା ତାହେଲେ” ଧରିନିଅନା ଏଇ ଫଗୁଣର ବର୍ଷଣ ମଧ୍ୟ ଆଷାଢ଼ ପରି ଧନ୍ୟା ମୁଁ ଜ୍ୟୋତିଷ ଯେ....

 

“ନିଶ୍ଚୟ–ହାତ ଦେଖି ଜାଣିଥିବ–”

 

“ସ୍ଥଳ ବିଶେଷରେ ଦେଖେ–”

 

“ଏଇ ସ୍ଥଳରେ ଦେଖିବା ସମ୍ଭବ କି ?”

 

“ସମ୍ଭବ ନୁହେଁ କାହିଁକି ? ତେବେ ପ୍ରାପ୍ୟ ଦେଇପାରିଲେ ହେଲା–”

 

“ପ୍ରାପ୍ୟ–ପ୍ରାପ୍ୟ ପରେ । ଆଗ ମୋ ହାତ ଦେଖ ତ ।”

 

–କହି କହି ନିଜର ଡାହାଣ ହାତ ମେଲାଇ ଦେଲା ମିତାଳି ।

 

“ଉହୁଁ ତୁମେ ନାରୀ ! ତୁମର ବାମହାତ ଦେଖାଅ–“ଅତି ଅଭିଜ୍ଞ ଜ୍ୟୋତିଷ ପରି କହିଲା ଦେବଦତ୍ତ ।

 

ମିତାଳି ବାମହାତ ମେଲାଇ ଦେଲା । ତା’ର ଖୋଲା ପାପୁଲି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ଅଳ୍ପକ୍ଷଣ ଚୁପ୍ ରହି କହିଲା ଦେବଦତ୍ତ–ଇସ୍....

 

ଭୟ ପାଇଲା ମିତାଲି ! ଦ୍ୱିଧା ପୂର୍ଣ୍ଣ କଣ୍ଠରେ କହିଲା–“କ’ଣ ଖରାପ ଦେଖିଲ–”

 

ଦେବଦତ୍ତ ଉତ୍ତର ଦେଲାନି । ପୁଣି ଦେଖିବାରେ ମନୋନିବେଶ କଲା । କିଛି ସମୟ ନିରୀକ୍ଷଣ କରିବା ପରେ ଉପରକୁ ମୁହଁ ଟେକି କ’ଣ ଭାବିଲା, ତା’ପରେ ପୁଣି ଦେଖିଲା । ନରମ ପାପୁଲି ଭିତରେ ଦେବଦତ୍ତର ଅଙ୍ଗୁଳି ସ୍ପର୍ଶ, କାତର କରୁଥିଲା ମିତାଳିକୁ । ସେଇ ସ୍ପର୍ଶ ମଧ୍ୟ ଦେଇ ପାଉଥିଲା ଆକାଂକ୍ଷିତ ସାନ୍ନିଧ୍ୟ, ପ୍ରତୀକ୍ଷିତ ପୁରୁଷର ମାଧୁର୍ଯ୍ୟ ।

 

“ଡାହାଣ ହାତ ଦେଖାଅ”–କହିଲା ଦେବଦତ୍ତ ।

 

ଝିଅମାନଙ୍କର କେବଳ ବାମହାତ ଦେଖାଯାଏନା ?” ପ୍ରଶ୍ନ କଲା ମିତାଳି ।

 

ଦେବଦତ୍ତ ହାରିଯିବାର ପାତ୍ର ନୁହେଁ । ସେ ସଙ୍ଗେ ସଙ୍ଗେ ଉତ୍ତର କଲା–“ଆଧୁନିକ ହସ୍ତରେଖା ବିଜ୍ଞାନ ଏହା ସ୍ୱୀକାର କରେନା । ତୁମ ଡାହାଣ ହାତ ଦେଖାଅ, ମୁଁ ତୁଳନାତ୍ମକ ଅନୁଧ୍ୟାନ କରିବି ।”

 

ମିତାଳିର ଦୁଇଟି ହାତ ଦେବଦତ୍ତର ଦୁଇଟି ହାତ ଭିତରେ ଆଶ୍ରୟ ପାଇ ରୋମାଞ୍ଚିତ ହୋଇ ଉଠିଲା । ଏଇ ଅଳ୍ପ ସମୟ ପୂର୍ବରୁ ବର୍ଷା ପାଣିରେ ତିନ୍ତି ଦେହ ତା’ର ଶୀତଳ ହୋଇଯାଇଥିଲା । ବରଂ ଟିକିଏ ଥଣ୍ଡା ଅନୁଭବ କରୁଥିଲା ସେ; କିନ୍ତୁ ଅଳ୍ପ ସମୟ ପୂର୍ବରୁ ସେ ଶୀତଳତା କ୍ରମଶଃ ଅନ୍ତର୍ହିତ ହୋଇଯାଇ ତା’ ସ୍ଥାନରେ ଦେଖାଦେଲା ଉତ୍ତାପ । ସମଗ୍ର ଅବୟବରେ ଏକ ଅଗ୍ନି ସ୍ରୋତ ଧୀରେ ଧୀରେ ଅଥଚ ନିଶ୍ଚିତ ଭାବରେ କ୍ରମଶଃତାକୁ ଆବେଶ ଆଚ୍ଛନ୍ନ କରି ତୋଳୁଥିଲା । ତା’ର ଆଖି ଯୋଡ଼ିକରେ ନିଶା ଭରି ଆସିଲା ପରି ମନେହେଉଥିଲା ତାକୁ । ଛାତିଭିତରର ସ୍ପନ୍ଦନ ଦୃତରୁ ଦୃତତର ହେଉଥିଲା ।

 

ଦେବଦତ୍ତ ଦୁଇଟି ହାତ ପାପୁଲିକୁ ନିଜ ହାତ ଉପରେ ଆଶ୍ରୟ ଦେଇ ନିରୀକ୍ଷଣ କରୁଥିଲା । ମନେହେଉଥିଲା ଦୁଇଟି ଫୁଟନ୍ତ ଗୋଲାପ ଦୁନିଆର ଦହନରେ ଦଗ୍ଧ ହୋଇଯିବା ପୂର୍ବରୁ ଆଶ୍ରୟ ନେଇଛନ୍ତି ତା’ରି ପାଖରେ । ସେ ତାହା ନିଜର ପୌରୁଷତ୍ୱ ବଳରେ ରକ୍ଷା କରିବ । ଦିନ–ରାତି, ଗ୍ରୀଷ୍ମ ବର୍ଷାର ପରିବର୍ତ୍ତନ ଏହି ରକ୍ଷା ବ୍ୟବସ୍ଥାକୁ ନିର୍ଜୀବ ବା ନିଷ୍ଫଳ କରିପାରିବ ନାହିଁ-। ହାତ ସେ ଦେଖି ଜାଣେନା । ହାତ ଦେଖିବାର ବାହାନା କରି ଦୁଇଟି ପ୍ରସାରିତ ହସ୍ତର ଉଷ୍ମତା ସେ ଅନୁଭବ କରିବା ପାଇଁ ଚାହେଁ । ଦେବଦତ୍ତ ମିତାଳିର ଅଳ୍ପ ସମୟ ପୂର୍ବର ଶୀତଳ ହାତ ଭିତରେ ଉଷ୍ମତାର ସନ୍ଧାନପାଇଲା । ମନରେ ଛୁଆଁ ଲାଗିଲା । ଛୁଆଁ ଲାଗିଲେ ତାହା ଆଗକୁ ଦଉଡ଼େ–ଉଚ୍ଚାଟ ହୁଏ । ମିତାଳିର ଖୋଲା ହାତ ଫୁଲର କୋମଲତା ଏବଂ ସୌରଭ ନେଇ ଆଶ୍ରୟ ନେଇଥିଲା । ଦେବଦତ୍ତର ଦୃଢ଼ ହସ୍ତ ଭିତରେ ସେଇ ଆଶ୍ରୟ ଯଦି ସବୁଦିନ ଦେଇପାରନ୍ତା ମିତାଳି କ’ଣ ଖସି ଯାଇପାରନ୍ତା । ମିତାଳିକୁ ଆପଣାର କରିବା ପାଇଁ, ସମ୍ପୂର୍ଣ୍ଣ ନିଜସ୍ୱ କରିବା ପାଇଁ, ପ୍ରବଳ ବାସନା ହେଲା ତା’ର । ସେଇ ବାସନା ସଙ୍ଗେ ସଙ୍ଗେ ତା’ର ସର୍ବାଙ୍ଗରେ ଆଲୋଡ଼ନ ତୋଳି ଏକ ଅଗ୍ନିପ୍ରବାହ ପ୍ରବାହିତ ହୋଇଗଲା । ଲକ୍ଷ୍ୟକଲା ଦେବଦତ୍ତ ମିତାଳିର କାନ, ମୁହଁ, ଓଠ ସବୁ ଲାଲହୋଇ ଉଠିଛି । ସେ ନିଜ କାନ ମୂଳରେ ଉତ୍ତାପ ଅନୁଭବ କଲା । ହାତ ମୁଠା ଭିତରେ ମିତାଳିର ହାତ ଟିକିଏ ଥରିଉଠିଲା । ତା’ପରେ ସେଇ ହାତ ଦୁଇଟିକୁ ଝଡ଼ବେଗରେ ନିଜର ଛାତି ଉପରକୁ ଟାଣି ଆଣି ଲେହନ କଲା ଦେବଦତ୍ତ ।

 

ୱାଲ କ୍ଳକ୍‍ରେ ଠଂ ଠଂ ହୋଇ ଆଠ ବାଜିଲା । ଚମକି ପଡ଼ିଲା ମିତାଳି । ଦେବଦତ୍ତର ଛାତି ଉପରେ ଢଳି ପଡ଼ି ଆତ୍ମୋତ୍ସର୍ଗ କରିବା ପୂର୍ବରୁ ନିଜକୁ ସଜାଡ଼ି ନେଇ ବାହାରକୁ ଚାହିଁଲା ସେ–

 

ଥରିଲା କଣ୍ଠରେ ପଚାରିଲେ ଦେବଦତ୍ତ–“କ’ଣ ହେଲା ?”

 

“ବାପା ଆସିବେ–ଆଠଟା ବାଜିଲା ।”

 

“ବାପା କ’ଣ ଏତେ ପଙ୍କ୍‍ଚୁଆଲ୍–

 

“ତୁମେ ଜାଣନା–ତାଙ୍କ ଆସିବାର ସମୟରେ ମିନିଟିଏ ଏପାଖ ସେପାଖ ହୁଏନା–”

 

ଦେବଦତ୍ତ କ୍ରସ୍ତ ହେଲା ।

 

“କ’ଣ ଭୟ ହେଉଛି–ଏଇ ଅଳ୍ପକ୍ଷଣ ପୂର୍ବରୁ ତ ବେଶ୍ ପୌରୁଷ ଦେଖାଇ କେତେ କ’ଣ କରିବା ପାଇଁ ଯାଉଥିଲ–”କହି କହି ହସରେ ଫାଟି ପଡ଼ିଲା ମିତାଳି ।

 

“ଭୟ କରିବି କାହିଁକି ? ତେବେ ହୁଏତ ଆମକୁ ବର୍ଷା ରାତ୍ରିର ଏଇ ନିଭୃତ ପରିବେଶ ଭିତରେ ଆବିଷ୍କାର କଲେ ସେ କ’ଣ ଭାବିପାରନ୍ତି–”

 

“ସେ ଭାବିପାରିଛନ୍ତି, ସେ ସବୁ ଜାଣନ୍ତି । ସେ ଏହା ମଧ୍ୟ ଜାଣନ୍ତି ଯେ ସୀମା ଲଙ୍ଘନ କରିବା ପୂର୍ବରୁ ତାଙ୍କର କନ୍ୟା କିଛି ଗୋଟାଏ ଶେଷ ସମାଧାନ କରିବା ପାଇଁ ସମର୍ଥ–”ହସି ହସି ଚାହିଁଲା ମିତାଳି ଦେବଦତ୍ତର ଜିଜ୍ଞାସୁ ଚକ୍ଷୁ ଉପରକୁ । ଦେବଦତ୍ତ ସେଇ ହସ ଭିତରେ ଏକ ରହସ୍ୟମୟୀ ନାରୀ ଚରିତ୍ରର ବିକାଶ ଲକ୍ଷ୍ୟ କଲା ।

 

“ସୀମା ତୁମେ କ’ଣ ଲଙ୍ଘନ କଲ ଯେ–”

 

‘ଲଙ୍ଘନ କରିବା ପାଇଁ ଆଉ କ’ଣ ବାକୀ ରହିଲା ଯେ–ହାତ ଦେଖିବାର ବାହାନା କରି–ବଡ଼ ଚାଲାଖ ହୋଇଯାଇଛ ଆଜିକାଲି–”

 

ହସିଲା ଦେବଦତ୍ତ । ହେଲେ ଏଇ ହସ ହସି ସେ ଆଜି ମିତାଳିକୁ ଫାଙ୍କି ଦେଇପାରିବ ନାହିଁ । ଆଜି ମିତାଳିର ପ୍ରଚ୍ଛନ୍ନ ପ୍ରଶ୍ନର ସମାଧାନ କରିବାକୁ ହେବ ତାକୁ । ସେ ଭାବି ଚାଲିଲା–ବାହାରେ ଝିପି ଝିପି ବର୍ଷା ହେଉଥାଏ । ଅନ୍ଧାର ବହଳ ହୋଇଥାଏ ।

 

“କ’ଣ ଏତେ ଭାବୁଛ ଯେ”….କହିଲା ମିତାଳି ।

 

“କ’ଣ ଭାବୁଛି କୁହ ତ....”ପଚାରିଲା ଦେବଦତ୍ତ ।

 

“ଭାବୁଛ ଏଠାକୁ ଆସି ଭୁଲ୍ କଲ କାହିଁକି–” ଉଦ୍‍ଗତ ଅଶ୍ରୁ ଜଡ଼ିତ କଣ୍ଠ ଭିତରୁ ଅନୁଯୋଗ କଲା ପରି ମନେହେଲା ଦେବଦତ୍ତର । ସେ ମୁହୂର୍ତ୍ତକ ପାଇଁ କ’ଣ ଭାବିଲା, ତା’ପରେ “କହିଲା–ତୁମେ ସୁଖୀ ହେବ ମିତାଳି ?”

 

ଅନୁଚ୍ଚ କଣ୍ଠରେ କହିଲା ମିତାଳି–“ତୁମ ପାଖରେ ମୋତେ କେବେ ଅସୁଖୀ ଦେଖିଛ–”

 

–ବାସ୍ ସେତିକି ! ଆଜି ଏଇ ବର୍ଷଣ ମୁଖର ରାତିରେ ମୁଁ ତୁମକୁ.....

 

କଥା ସମାପ୍ତ କରିବା ପୂର୍ବରୁ କ୍ରିଂ କ୍ରିଂ ହୋଇ ଫୋନ୍ ବାଜି ଉଠିଲା–

 

ମିତାଳି ଦଉଡ଼ି ଯାଇ ରିସିଭର ଉଠାଇ କହିଲା ହ୍ୟାଲୋ....

 

ଓ ! ଡାଡ଼ି.......

 

ତୁମର ଡେରି ହେବ..........

 

ଗାଡ଼ି ଖରାପ ହୋଇଛି......

 

ମୁଁ କ’ଣ.......

 

ମୁଁ ଅପେକ୍ଷା କରିବି ଡିନର ପାଇଁ.....

 

ନା, ମୁଁ ଏକା ବସିଛି....ରଘୁ ରାନ୍ଧୁଛି...ଆୟା ଭିତରେ ଅଛି ।

 

ଅଲ୍ ରାଇଟ୍ ।

 

ରିସିଭରଟା ରଖି ଦେଇ ମୁହଁ ଉପରେ ସ୍ୱସ୍ତିର ଶୋଭା ଖେଳାଇ ଦେବଦତ୍ତର ମୁହଁକୁ ଚାହିଁଲା ମିତାଳି । ଦେବଦତ୍ତ ଲକ୍ଷ୍ୟ କଲା କେଡ଼େ ବେଗେ ଏବଂ କେଡ଼େ ସହଜରେ ମିତାଳି ତା’ର ବାପାଙ୍କ ପାଖରେ ଗୋପନ ରଖିଲା ତା’ର ଉପସ୍ଥିତି । ପଚାରିଲା ସେ–“ମିଛ କହିଲ କାହିଁକି ?”

 

“ସତ କହିବାରେ ଲାଭ କ’ଣ ?” –ରହସ୍ୟ ଜଡ଼ିତକଣ୍ଠରେ ଆଭାସ ପାଇଲା ଦେବଦତ୍ତ-

 

“ସତ କହିବାରେ ଲାଭ ଅଛି ମିତା ! ହେଲେ ଭଲ କରିଛ । ମୋ ପାଖରେ ଅଛ ଶୁଣିଲେ ହୁଏତ କ’ଣ......”

 

“ସେଇ ଭାବିବାର ଭାବନା ଭିତରୁ ତାଙ୍କୁ ଏବଂ ମୋତେ ମୁକ୍ତ କରିଦେଲ.......”

 

ମିତାଳି ସ୍ୱର ଭାଙ୍ଗି ଭାଙ୍ଗି ଆସୁଥିଲା । ଦେବଦତ୍ତ ତାକୁ କୋଳ ଉପରକୁ ଆଉଜାଇ ନେଇ ତା’ର କାନେ କାନେ କହିଲା ସ୍ପଷ୍ଟ କିଛି ବୁଝିପାରିଲା ନାହିଁ ମିତାଳି । ସେ କ୍ରମସଃ ଭୁଲି ଯାଉଥିଲା, ତା’ର ଅସ୍ତିତ୍ୱ–ତା’ର ମଥାଟା ବୁଲାଉଥିଲା ଦେବଦତ୍ତର କାନ୍ଧ ଉପରେ । ଦେହ ଭରି ତାତି ତାକୁ ଏକ ଅପୂର୍ବ ଆବେଶରେ ଆଲୋଡ଼ିତ କରୁଥିଲା ।

 

ଦେବଦତ୍ତ ସେଇ ସୁକୁମାର ସୁଶୋଭିତ ତନୁ ଲାବଣ୍ୟର ସୁବାସରେ ମୁଗ୍ଧ ମୋହିତ ହେଲା । ସେ ପ୍ରବଳ ବେଗରେ ମିତାଳିକୁ ଆକର୍ଷଣ କରିବାକୁ ଯାଉଛି, ହଠାତ୍ ଗେଟ୍ ଖାଲି ଗାଡ଼ି ଆସିବାର ଶବ୍ଦ ସ୍ପଷ୍ଟ ଜାଣିପାରିଲା ସେ–

 

ଅଲଗା ହୋଇଗଲା ମିତାଳି । ସେ ମଧ୍ୟ ସ୍ପଷ୍ଟ ଜାଣିପାରିଲା–ବାପା ଆସୁଛନ୍ତି; କିନ୍ତୁ ମି. ସେନ ଆସିଲେ ନାହିଁ । ଆସିଲା ଆଉ ଜଣେ । ଯାହାର ଉପସ୍ଥିତି ଏଇ ସ୍ଥାନରେ, ଏଇ ମୁହୂର୍ତ୍ତରେ ଏବଂ ଏଇ ସମୟରେ କଳ୍ପନା ମଧ୍ୟ କରାଯାଇ ପାରେନା, ସେ ଆସିଲା । ତା’ର ଉପସ୍ଥିତି ଦେଖି ପ୍ରଥମେ ଆଖିକୁ ବିଶ୍ୱାସ କରିପାରିଲା ନାହିଁ ଦେବଦତ୍ତ । ଏହା କିପରି ସମ୍ଭବ ହେଲା । କାଲି ସନ୍ଧ୍ୟା ସୁଦ୍ଧା ସେ ନଥିଲା.....ଆଜି ତାହେଲେ ଫେରିଛି...କିନ୍ତୁ ଫେରିବା ଯଦି ସତ୍ୟ ରାତି ସାଢ଼େ ଆଠଟାରେ ଏଠାରେ କାହିଁକି.....ମିତାଳି ବୋକାପରି ଅନାଇ ରହିଥିଲା ତା’ର ଆଗମନକୁ ।

 

ସମସ୍ତ ପ୍ରଶ୍ନର ସମାଧାନ କରି ବର୍ଷାରାତ୍ରିର ବିଜୁଳି ପରି ଚମକ ଖେଳାଇ ଡ୍ରଇଂ ରୁମ୍ ଭିତରକୁ ପ୍ରବେଶ କଲେ ଅସୀମା–

 

“ହ୍ୟାଲୋ.....”ଅସୀମା ଆଗେଇ ଗଲେ ମିତାଳି ଆଡ଼କୁ । ଦେବଦତ୍ତ ଆଡ଼କୁ ଚାହିଁଲେନି । ସମ୍ପୂର୍ଣ୍ଣ ଏଡ଼ିଗଲେ ଯେପରି ।

 

“ହ୍ୟାଲୋ........”

 

ମୋତେ ଦେଖି ଆଶ୍ଚର୍ଯ୍ୟ ହେଉଚ ଯେ । ମୁଁ ଆଜି ଫେରିଲି ମିତା । ଏଇବାଟେ ଯାଉଥିଲି ହଠାତ୍ କିମିତି ମନେହେଲା ଦେଖିଯାଏ ଥରେ–

 

“ଭଲ କଲେ...ମୁଁ ଅତି ଖୁସି ହୋଇଛି ଏଥିରେ....” କହିଲା ମିତାଳି ।

 

ମିତାଳିର କାନ୍ଧ ଉପରେ ଗୋଟିଏ ହାତ ରଖି ତା’ କାନମୂଳେ କ’ଣ କହିଲେ ଅସୀମା । ତା’ପରେ ଦୁହେଁ ହସି ଉଠିଲେ......

 

ଦେବଦତ୍ତ ନିରୀହ ଅଜ୍ଞାତ ଭଦ୍ରବ୍ୟକ୍ତି ପରି ଛିଡ଼ା ହୋଇଥିଲା । ସେ ଦେଖୁଥିଲା ଦୁଇଟି ପ୍ରବାହିତ ତରଙ୍ଗର ଆଲୋଡ଼ନ । ତା’ ଆଡ଼କୁ ମୁହଁ ଫେରାଇ କହିଲେ ଅସୀମା ।

 

“ଆଶ୍ଚର୍ଯ୍ୟ, ଦେବ ତୁମେ ଏଇଠାରେ, ଅଥଚ ଏ ପର୍ଯ୍ୟନ୍ତ କଥାବି କହୁନ–”

 

“କଥା କୁହାଇ ନ ଦେଲେ କହିବି କିପରି”–କିପରି ନିର୍ଜୀବ ନୀରସ ଶୁଣାଗଲା ଦେବଦତ୍ତର ଉତ୍ତର । ମିତାଳି ଅନାଇ ରହିଛି ତା’ ଆଡ଼କୁ । ସେ ମୁହଁ ଫେରାଇ ଗୋଟିଏ ଲ୍ୟାଣ୍ଡ ସ୍କେପ୍‍କୁ ଚାହିଁ କହିଲା–ତା’ପରେ ଖବର କ’ଣ ? ଦାର୍ଜିଲିଂ କିପରି ଲାଗିଲା ? ବେଶ୍ ଏକା ଏକା ଘେରାଏ ବୁଲି ଆସିଲ–

 

କଟାକ୍ଷ ଥିଲା ଦେବଦତ୍ତ କଥାରେ । ଆଉ ଠିକ୍ ସ୍ଥାନରେ ଲାଗିଲା ତାହା । ଅସୀମା ମୁହୂର୍ତ୍ତ ମାତ୍ର ଆନମନା ହୋଇ ମୁହଁରେ ହସ ଖେଳାଇ କହିଲେ–“ଖବର ତ ସବୁ ଏଇଠି । ମୁଁ ଫେରିଲିଣି ମାସେ ହେଲା । କ’ଣ ନୂଆ ନୂଆ ଖବର ମୋତେ କୁହ ତ !”

 

ମିତାଳି ଭିତରକୁ ଗଲା ଅସୀମାକୁ ଚର୍ଚ୍ଚା କରିବା ପାଇଁ କିଛି ଆଣିବାପାଇଁ । ଦେବଦତ୍ତକୁ ଏକୁଟିଆ ଦେଖି ତା’ ମୁହଁ ଉପରେ କିପରି ଏକ କରୁଣ ଚାହାଣୀ ଅଜାଡ଼ି ଦେଇ ଅନୁଚ୍ଚ କଣ୍ଠରେ କହିଲେ ଅସୀମା–“ଦେବୁ ।”

 

ଦେବଦତ୍ତ ଅନୁଭବ କଲା ଯେପରି ଅସୀମା ତାକୁ କିଛି କହିବାକୁ ଚାହାଁନ୍ତି । ତା’ ପାଖରେ କିଛି ଅଳି ଅଛି ତାଙ୍କର । ସେ କୌଣସି ଉତ୍ତର ଦେଲାନି ।

 

“ନୀରବ ରହିଲ ଯେ–ଆଉ ଖବର କ’ଣ ?”

 

“ଖବରତ ସବୁ ତୁମ ପାଖରେ । ପ୍ରଥମେ ଦାର୍ଜିଲିଂ କିପରି ଲାଗିଲା କୁହ–” ଦେବଦତ୍ତ ଉଖୁରେଇ ପୁଣି ସେହି ପ୍ରଶ୍ନ କଲା । ସେଇ ପ୍ରଶ୍ନ ଭିତରେ ପ୍ରଚ୍ଛନ୍ନ ଇଙ୍ଗିତ ଲୁଚି ରହିଥିଲା ଦେବଦତ୍ତର । ଅସୀମା ବୁଝିଲେ । ସେ ଉତ୍ତର ଦେଲେନି, କେବଳ ଏକ କରୁଣ ଚାହାଣୀଦ୍ୱାରା ବିଦ୍ଧ କଲେ ଦେବଦତ୍ତକୁ ।

 

“କ’ଣ କିଛି କହୁନ ଯେ–”

 

“ବେଶ୍ ଭଲଲାଗିଲା–” ସଂକ୍ଷିପ୍ତ ଉତ୍ତର ଅସୀମାଙ୍କର ।

 

“ଖୁବ୍ ଭଲ । ତୁମେ ଭାଗ୍ୟବାନ୍ । ସମୟ ସୁବିଧା କରିପାରୁଛ–” ପୁଣି କଟାକ୍ଷ କଲା ଦେବଦତ୍ତ ।

 

“ପ୍ଲିଜ୍ ଦେବୁ....ପରେ ସେ କଥା । ଆଚ୍ଛା କୁହତ ତୁମ ଘରକୁ ମି: ମହାନ୍ତି କେବେ ଯାଇଥିଲେ–”

 

“ଗତକାଲି ପ୍ରାୟ ପାଞ୍ଚଟା ସମୟରେ–କାହିଁକି ? କୌତୁହଳ ହେଲା ଦେବଦତ୍ତର । କିଛି ନ କହି ଛିଡ଼ା ହୋଇ ରହିଲେ ଅସୀମା । ମିତାଳି ଫେରିଆସିଲା । ପଛେ ପଛେ ବୟ ହାତରେ ଟ୍ରେ-କଫି ।

 

“ଅଶେଷ ଧନ୍ୟବାଦ ମିତା । ଏଇ ବର୍ଷା ରାତ୍ରିରେ କେବଳ କଫିହିଁ ଆନନ୍ଦ ଦିଏ ।” ମିତାଳି ଆଡ଼କୁ ଚାହିଁ ଉତ୍ସାହ ଦେଖାଇ କହିଲା, ଅସୀମା ।

 

ତିନିହେଁ ବସି କଫି ପାନ କଲେ ।

 

“ତା’ପରେ ଦାର୍ଜିଲିଂ କିପରି ଲାଗିଲା ଦିଦି”…..ପଚାରିଲା ମିତା ।

 

ଦାର୍ଜିଲିଂ....ଦାର୍ଜିଲିଂ....ଦାର୍ଜିଲିଂ....ବାରମ୍ୱାର ସେଇ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ସମସ୍ତେ ଅସୀମାକୁ । ସେଇ ଗୋଟାଏ ଅଡ଼ୁଆ, ଅସୌଜନ୍ୟ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ସବୁ ସ୍ଥାନରେ ସେ କ’ଣ ଦେଇପାରିବେ । ଦାର୍ଜିଲିଂର ସ୍ମୃତି ତା’ର ମୋହାଚ୍ଛନ୍ନ ମନକୁ ମୁଗ୍ଧ ବିଭୋର କରିନି–ସଙ୍ଗ ସୁଖରେ ତିକ୍ତତା ଭରି ଦେଇଛି; କିନ୍ତୁ ତଥାପି ସବୁ ମନେପକାଇବା ପାଇଁ ହେବ । ସମସ୍ତଙ୍କୁ ଟିକେ ଅଧେ ରଙ୍ଗବୋଳି ରୂପ ବଦଳାଇ କହିବାକୁ ପଡ଼ିବ । ମନେପଡ଼ିଲା ଦୀକ୍ଷିତ ସାହେବଙ୍କ କଥା । ଦୀକ୍ଷିତ୍ ମଣିଷ ନୁହେଁ ଗୋଟାଏ ବୃଟ୍...ପଶୁ....ଦାନ୍ତରେ ଚାପିଲେ ଅସୀମା ।

 

“ମୋର ଇଚ୍ଛା ଅଛି ଯିବାପାଇଁ–“ବାପା କିନ୍ତୁ ନେଇଯାଇ ପାରୁନାହାନ୍ତି–”ପିଲାଳିଆ ଆଗ୍ରହ ଦେଖାଇ କହିଲା ମିତା ।

 

“ମନକଲେ–ନିଶ୍ଚୟ ଯାଇପାରିବ । ମନଥିଲେ ସୁଯୋଗ ଆପେ ଆପେ ଆସିଯିବ–” କହିଲା ଦେବଦତ୍ତ । ଶେଷପଦକ ଯେପରି ଅସୀମାକୁହିଁ ଲକ୍ଷ୍ୟକରି କହିଲା ସେ ।

ଅସୀମା ଉଠିବସିଲେ । ଡେରି ହୋଇଯାଉଛି । ମିତାକୁ ଶୁଭ ରାତ୍ରି ଜଣାଇ ଅଗ୍ରସର ହେଲେ ଯିବାପାଇଁ । ଦ୍ୱାର ସେପାଖକୁ ଯିବା ପୂର୍ବରୁ ଫେରି ପଡ଼ି ଦେବୁ ଆଡ଼କୁ ଟିକିଏ ଆଗେଇ ଯାଇ ପ୍ରଶ୍ନ କଲେ–“ତୁମେ କ’ଣ ମୋ ସାଙ୍ଗରେ ଆସୁଛ ଦେବୁ ।”

ଦେବଦତ୍ତ କ’ଣ ଉତ୍ତର ଦେବ କିଛି ଠିକ୍ କରିପାରିଲାନି । ମିତାଳି ମୁହଁ ଶୁଖାଇ ନେଲା, ଦେବଦତ୍ତର ଆସନ୍ନ ଉତ୍ତର ଶୁଣିବା ପୂର୍ବରୁ । ତା’ର ଆଖିର ଭାଷା ବୁଝିଲା ଦେବଦତ୍ତ । ସେ କହିଲା–“ତମେ ଯାଅ । ମୁଁ ପରେ ପରେ ଆସୁଛି । ମିଷ୍ଟର ସେନ୍‍ଙ୍କ ପାଖରେ କାମ ଅଛି ଟିକିଏ ।”

ଦେବଦତ୍ତ ସାଧାରଣତଃ ମିଛ କୁହେନି । ଆଜି କିନ୍ତୁ ତା’ର ମିଛ କଥା ଶୁଣି ଖୁସି ହେଲା ମିତାଳି । ମନେ ମନେ ପ୍ରଶଂସା କଲା ତା’ ବୁଦ୍ଧିର । ଅସୀମା ଅନ୍ତର୍ଯ୍ୟାମୀ ନ ହେଲେ ମଧ୍ୟ ଅନେକ ଖବର ରଖନ୍ତି । ଦେବଦତ୍ତକୁ ଏଇପରି ଅବସ୍ଥାରେ ଛାଡ଼ିଦେଇ ଯିବାପାଇଁ ମୋଟେ ମନ ନଥିଲା ତାଙ୍କର । ସେ ଆଉ ଟିକିଏ ଆଗକୁ ଯାଇ କହିଲେ–“କାଲି ପୁଣି ଆସିବ । ଏତେ ରାତ୍ରିରେ ଅପେକ୍ଷା କରା ଯାଏନି ଭଦ୍ରଲୋକଙ୍କୁ । ଆସ ଗାଡ଼ି ଅଛି । ପରେ ଗଲେ ଭିଜି ଯିବାର ଆଶଙ୍କା ଅଛି ।”

ଅସୀମାଙ୍କର ଅସୌଜନ୍ୟ ଦେଖି କ୍ଷୁଣ୍ଣ ହେଲା ଦେବଦତ୍ତ । କିନ୍ତୁ କିଛି କହିବା ପୂର୍ବରୁ ତା’ର ଉତ୍ତର ଶୁଣିବାପାଇଁ ପ୍ରତ୍ୟାଶା ନ କରି ମିତାଳି ଆଡ଼କୁ ବୁଲି ପଡ଼ି ଦେବଦତ୍ତ ପାଇଁ କ୍ଷମା ମାଗି ନେଇ କହିଲେ ଅସୀମା–“ମୋ କଥା କ’ଣ ମିଛ ମିତା । ଦେଖୁଛ କିପରି ମୂଷଳ ଧାରାରେ ବର୍ଷା ହେଉଛି । ଦେବଦତ୍ତ ଯିବାକୁ ରାଜି ହେଲେ ପହଞ୍ଚାଇ ଦେବି ମୁଁ । ତା’ପରେ ମିଷ୍ଟର ସେନ୍ କ୍ଳାନ୍ତ ହୋଇ ଫେରିଥିବେ । ନ ହେଲେ ଅବଶ୍ୟ ଦେବଦତ୍ତକୁ ଛାଡ଼ି ଦେଇ ଆସିବାରେ ଅସୁବିଧା ହୁଅନ୍ତା ନାହିଁ–”

ମିତାଳି କୃଦ୍ଧ ହେଲା ଏତେ ଅବାନ୍ତର କଥା ଶୁଣି । ରାଗହେଲା ତା’ର ଦେବଦତ୍ତ ଉପରେ । ଏତେ କଥା କହି ଯାଉଛନ୍ତି ଅସୀମା, ଅଥଚ କୌଣସି ଉତ୍ତର ଦେଉନି ଦେବଦତ୍ତ । ତାହେଲେ ସେ କ’ଣ ଯିବାପାଇଁ ଚାହେଁ ଅସୀମା ସହିତ । ଯଦି ସେ ଚାହେଁ, ଯାଉ, ସେଥିରେ ସେ ବାଧା ଦେବ କାହିଁକି ? ସେ ତ ଦେବଦତ୍ତର ମୁରବୀ ନୁହେଁ ଯେ ତା’ ପାଇଁ କଥା କହିବ ।

କ୍ଷୁଣ୍ଣ କଣ୍ଠରେ କହିଲା ମିତା–“ଭଲ ପ୍ରସ୍ତାବ ଦେବ । ବର୍ଷା ହେଉଛି... ମିସେସ୍ ମହାନ୍ତିଙ୍କ ଗାଡ଼ିରେ ସୁବିଧାରେ ଯାଇପାରିବ–”

ଅସୀମା ଆଗେଇଲେ । ମିତାଳି ଆଉ କିଛି କହିବାପାଇଁ ବା ଦେଖିବାପାଇଁ ଅପେକ୍ଷା ନ କରି ନିଜର ପ୍ରକୋଷ୍ଠ ଭିତରେ ପ୍ରବେଶ କଲା ।

କିଂକର୍ତ୍ତବ୍ୟବିମୂଢ଼ ଦେବଦତ୍ତ ବାକ୍ୟ ବ୍ୟୟ ନ କରି ସର୍କସର ଅନୁଗତ ସିଂହ ପରି ଅସୀମାଙ୍କର ପିଞ୍ଜରାବଦ୍ଧ ଗାଡ଼ି ଭିତରେ ଯାଇ ବସିଲା । ଷ୍ଟାର୍ଟ ଦେଇ ଗାଡ଼ି ଛାଡ଼ିଲେ ଅସୀମା ।

ମୂଷଳଧାରାରେ ବର୍ଷା ହେଉଥିଲା । କଦଳୀ ପତ୍ର ଉପରେ ବଡ଼ ବଡ଼ ବର୍ଷା ଟୋପା ପଡ଼ି ଏକ ବେସୁରା ରାଗିଣୀର ସୃଷ୍ଟି କରୁଥିଲା । ଘାସବୁଦା ଭିତରେ ଝିଣ୍ଟିକାର ଝିଁ ଝିଁ ଶବ୍ଦ ମନର ନିଭୃତ କୋଣରେ ବେଦନାର୍ତ୍ତ କଣ୍ଠର କରୁଣତା ନେଇ କ’ଣ କହୁଥିଲା ଯେପରି ।

ମିତାଳି ଗେଟ୍ ଆଡ଼କୁ ଚାହିଁ ଥିଲା । ଗେଟ୍ ପାରି ହୋଇ ନୀଳ ଫିଆଟ୍ ଭିତରେ ଫ୍ରଣ୍ଟସିଟ୍‍ରେ ବସି ଦେବଦତ୍ତ ଏବଂ ଅସୀମାକୁ ଚାଲିଯିବାର ଦେଖିଲା ସେ । ଆଉ ଅନୁଭବ କଲା, ତା’ର ହୃତ୍‍ପିଣ୍ଡ ଉପରେ ଯେପରି କିଏ ମୂଷଳାଘାତ କରୁଛି । ବହୁକ୍ଷଣ ସେହିପରି ଅନାଇ ରହିଲା ସେ । ଯେତେବେଳେ ଆଖି ଫେରାଇଲା, ଦେଖିଲା ତା’ର ଦୁଇ ଆଖି ଭରି ଲୁହ ଜମିଛି । କୋହରେ ଫାଟି ପଡ଼ି ବିଛଣା ଉପରେ ଶୋଇ ଶୋଇ କାନ୍ଦିଲା ମିତାଳି ।

ଫୁଟନ୍ତ ରଜନୀଗନ୍ଧା ବର୍ଷାବିନ୍ଦୁର ଭାରବହନ କରି ନ ପାରି ନଇଁ ପଡ଼ିଥିଲା ଭୂଇଁ ଉପରେ ନିଜର ଅନାଘ୍ରାତ ଯୌବନର ବିଦଗ୍ଧ ବିରହ ନିବେଦନ କରିବା ପାଇଁ ।

 

ପନ୍ଦର

 

ଆକାଶ ପରିଷ୍କାର ହୋଇଯାଇଥିଲା । କେଉଁଠି କେମିତି ମେଞ୍ଚାଏ ଧଳାମେଘ ଭାସି ବୁଲୁଥିଲେ । ଆକାଶର ବୁକୁଭରି କୋଟି କୋଟି ତାରା । ପୂର୍ବର ଏକ ଅବାନ୍ତର ସ୍ଥାନରେ ଦ୍ୱିତୀୟା ଚନ୍ଦ୍ରର ସରୁ ରେଖା । ଶେଯ ଉପରେ ଶୋଇ ଶୋଇ ଝରକାର ଫାଙ୍କ ଦେଇ ଚାହିଁଥିଲେ ଅସୀମା ।

 

ଭସାମେଘଗୁଡ଼ିକ ପରି ଆକାଶ ବୁକୁରେ ପହଁରିବା ପାଇଁ ତାଙ୍କର ମନ ହେଉଥିଲା । କାହିଁ କେତେ ଦୂରରେ, କିନ୍ତୁ ସେଇ ଭସାମେଘଗୁଡ଼ିକର ଚପଳତା ସହିତ ତୁଳନା କରୁଥିଲେ ନିଜକୁ~। ସେ ବି ଏଇମିତି ସ୍ୱଚ୍ଛନ୍ଦ, ସାବଲୀଳ ଜୀବନଯାପନ କରିବା ପାଇଁ ଚାହାନ୍ତି । ଏଇପରି ଶୀତଳ ସନ୍ଧ୍ୟାରେ ପହଁରିବା ପାଇଁ ଇଚ୍ଛା ତାଙ୍କର କଳ୍ପନାର କଳ୍ପଲୋକରେ–ମନର ମଣିଷ ଆଖିରେ~। ସେ ନିଜକୁ ଦେଖନ୍ତି, ବାରମ୍ୱାର ଅଙ୍ଗ ପ୍ରତ୍ୟଙ୍ଗରେ ହାତ ବୁଲାଇ ଅନୁଭବ କରନ୍ତି । ଏଇ ଦେହ ଭିତରେ ଏତେ ଦାହ କେଉଁଠି ଲୁଚିଥାଏ–ମଝିରେ ମଝିରେ ଦହନ କରେ, ବୁଝିବାପାଇଁ ଚେଷ୍ଟା କରନ୍ତି । ଯେତିକି ନିରେଖି ଦେଖିବାପାଇଁ ଆଖି ବନ୍ଦ କରନ୍ତି, ସେତିକି ଶିରାରେ ସ୍ୱପ୍ନ-ଶିଉଳିରେ ଖସଡ଼ି ପଡ଼ନ୍ତି । ପୁଣି ଉଠନ୍ତି ଉଠି ବୁଲନ୍ତି । ଦେହ ତାତେ, ମନ ମାତେ । ଛାତି ଭିତରଟା କ’ଣ ପାଇବା ପାଇଁ ଧକ୍ ଧକ୍ ହୁଏ ।

 

ମନେ ମନେ ଭାବନ୍ତି–ସବୁ ତ ପାଇଛି, ଅଭାବ କ’ଣ ? ସ୍ୱାମୀ, ସଂସାର, ସମାଜ ଏବଂ ବଡ଼ଲୋକୀ ! ମେମ୍‍ସାହେବ ହୋଇ ବୁଲି ପାରୁଛନ୍ତି ଦାଣ୍ଡରେ । ତାହେଲେ ? ବିବାହବେଳର କେତେଗୁଡ଼ା ଅସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ ମନେପଡ଼େ ତାଙ୍କର । ଛି, ଛି, ଘୃଣାରେ ଦେହ ଶୀତେଇ ଉଠେ, ବିଦ୍ରୋହର ନିଆଁ ଜଳିଉଠେ–ତନୁରେ–ମନରେ । ଗୋଟିଏ ଗତାନୁଗତିକ ଧାରାରେ ନିଜର ଜୀବନ ସ୍ରୋତକୁ ଅଜାଡ଼ି ଦେଇପାରିବେ ନାହିଁ ସେ–ପାରିବେ ନାହିଁ ସେ ସେହି ରୋମାଞ୍ଚହୀନ ନୂତନତାରହିତ ଏକ କରୁଣ–ଜୀବନର ଅବସ୍ଥିତି । ସେ ତ କେବଳ ବଞ୍ଚିବାପାଇଁ ଆସିନାହାନ୍ତି । ବଞ୍ଚିବା ଭିତରେ ବଞ୍ଚି ତା’ର ସ୍ଥାନ ନାହିଁ । ଭଲଭାବେ ବଞ୍ଚିବାପାଇଁ ଚାହିଁଲେ, ବାଞ୍ଛିତକୁ ପରିପୂର୍ଣ୍ଣଭାବରେ ପାଇବାକୁ ହେବ । ନୂଆ ସମାଜ, ନୂତନ ମୂଲ୍ୟବୋଧ ମଣିଷକୁ ସ୍ୱାଧୀନ କରିଛି, ସଂଯମର ଖୋଲଭିତରୁ ବାହାରକୁ ଟାଣି ଆଣି ଆଖିଆଗରେ ଦୁନିଆର ରୂପକୁ ଝଲସାଇ ଦେଇଛି~। ତାଙ୍କ ମତରେ ସଂଯମ ମଣିଷର ସ୍ୱାଧୀନତାକୁ ଖର୍ବ କରେ । ସେଇଥିପାଇଁ ଆଉ କେଉଁଥିରେ ନ ହେଲେ ମଧ୍ୟ ଏଇ ଗୋଟାଏ ବିଷୟରେ ଦୀକ୍ଷିତଙ୍କ ସହିତ ସହମତ ସେ । ଦୀକ୍ଷିତ ସାହେବ କହନ୍ତି, ମଣିଷ ଫୁଲ ହୋଇ ଫୁଟୁଛି, ଆକାଶ ପରି ମେଲି ଧରିଛି ନିଜକୁ । ଫୁଲ ପରି ବାସ ଛୁଟାଇ ଆକାଶ ପରି ନଗ୍ନ ହୋଇ ଅନୁଭବ କରୁ ନିଜକୁ ଆନନ୍ଦ ପାଉ ନିଜର ଅବସ୍ଥିତିରେ । ପଥରତଳେ ଆର୍ତ୍ତନାଦ କରୁଥିବା ଦୂର୍ବାଦଳ ପରି ଶେତା ହୋଇ ସ୍ୱାଦହୀନ ଜୀବନଯାପନ କରିବାରେ ଲାଭ କ’ଣ ? ଯେଉଁଥିରେ ଆବେଗ ନାହିଁ, ସେଥିରେ ଅନୁରାଗ ଆସିବ କେଉଁଠୁ ? ଏଇଥିପାଇଁ ଅବିନାଶଙ୍କର ଉପସ୍ଥିତି ସହ୍ୟ କରିପାରନ୍ତି ନାହିଁ ଅସୀମା । ଦିନକୁ ଦିନ ଅତିପୁରାତନ ହୋଇଯାଉଛନ୍ତି ମି: ମହାନ୍ତି~। ତାଙ୍କୁ ଚାହିଁ କୌଣସି ପ୍ରେରଣା ପାଇପାରନ୍ତିନି ସେ । ତାଙ୍କର ସାନ୍ନିଧ୍ୟରେ ଗଳ୍ପର ଦୈର୍ଘ୍ୟ ଅଛି; କିନ୍ତୁ କବିତାର ପ୍ରବାହ ନାହିଁ । ସେ ପ୍ରବାହମାଳା ପରି ବହିଯିବା ପାଇଁ ଚାହାନ୍ତି । ଆଉ ସେଇ ବହିଯିବା ପଥରେ ଯଦି ସାଗରର ସନ୍ଧାନ ପାଆନ୍ତି, ତାହେଲେ ତହିଁରେ ଯୋଗଦେଇ ସଙ୍ଗମରେ ଅବଗାହନ ନ କରିବେ କାହିଁକି ? ନିଜକୁ ଅନୁଭବ କରିବେ–ଅନ୍ୟ ଆଗରେ ଆକାଶ ପରି ମେଲି ଧରିବେ ନିଜର ସର୍ବସ୍ୱକୁ ।

Unknown

 

ଅବିନାଶ ତାଙ୍କୁ ଦେଖି ମଧ୍ୟ ଯେପରି ଦେଖିପାରନ୍ତି ନାହିଁ । ତାଙ୍କ ଦେହରେ ଏତେ ରୂପ, ଏତେ ଲାବଣ୍ୟ ତାଙ୍କୁ ହୁଏତ ମୁଗ୍ଧ କରେ; କିନ୍ତୁ ସେଥିରେ ଯାଏ ଆସେ କେତେ ? ସେ କ’ଣ କେବଳ ଦେଖିବା ପାଇଁ ଜନ୍ମ ନେଇଛନ୍ତି, ତାଙ୍କୁ ଦେଖି ଦେଖି ପ୍ରଖ୍ୟାତ ଶିଳ୍ପୀର ଚିତ୍ରପିତୁଳା ଦେଖି କେହି ମୁଗ୍ଧ, ବିସ୍ମିତ ହେଉ ଏହା ସେ ଚାହାଁନ୍ତିନି । ସେ ତାଙ୍କ ସ୍ତୁତି ଚାହାଁନ୍ତି, ମୁକ୍ତିବି ଚାହାଁନ୍ତି । ସ୍ତୁତି ଶୁଣି ଶିହରଣ ଆସିବ ତାଙ୍କ ଦେହରେ–ସେଇ ଶିହରଣରେ ସଙ୍ଖୋଳି ନେଇ କେହି ଯଦି ମୁକ୍ତବିହଙ୍ଗପରି ଉଡ଼ାଇ ପାରିବ ତାଙ୍କୁ, ସେଇଥିରେ ସେ ପାଇବେ ମୁକ୍ତି । ଅନ୍ତରାତ୍ମାର ଅବରୁଦ୍ଧ ଇଚ୍ଛାକୁ ଅମୁହାଁ ଦେଉଳ ଭିତରେ ଆର୍ତ୍ତନାଦ କରିବା ପାଇଁ ଛାଡ଼ି ଦେଇପାରିବେ ନାହିଁ ସେ ।

 

ଆହୁରି କେତେ କ’ଣ ଭାବିଥାନ୍ତେ ଅସୀମା; କିନ୍ତୁ ସେଇ ଭାବନାରେ ବାଧା ଦେଇ ବାହାରେ କାହାର କଡ଼ାସ୍ୱର ଶୁଣାଗଲା । ସ୍ୱର ଶୁଣି କିଏ ଆସିଲା ବୁଝିପାରିଲେ ନାହିଁ ସେ । ଉଠି ବସି ଝରକା ବାଟେ ଚାହିଁଲେ ବାହାରକୁ । ଦ୍ୱିତୀୟା ଚନ୍ଦ୍ର ସେତେବେଳକୁ ନଥିଲା । ହେଲେ ଠିକ୍ ସେଇପରି ଏକ ବଙ୍କିମ ହସର ରେଖା ଲାଗି ରହିଥିଲା ଆଗନ୍ତୁକର ମୁହଁରେ । ଦେଖିପାରିଲେ ନାହିଁ ସେ ।

 

ଅବିନାଶ ଟଳି ଟଳି ଆସୁଥିଲେ ବଙ୍ଗଳା ଭିତରକୁ । ପାଦ ଥରୁଥିଲା । ହାତ ଟେକି ଥରେ ଥରେ କ’ଣ କହୁଥିଲେ । ତୀକ୍ଷ୍‍ଣତା ଥିଲା ସ୍ୱରରେ । ବେହେରା ବାଟ କଢ଼ାଇ ନେଇ ଆସୁଥିଲା । ଆଶ୍ଚର୍ଯ୍ୟ ହେଲେ ଅସୀମା । ହେଲେ ବିଚଳିତା ହେଲେନାହିଁ । ଅଳ୍ପ ସମୟ ବାକ୍‍ରୁଦ୍ଧ ଭାବରେ ଛିଡ଼ା ହୋଇ ସେଇ ମୂର୍ତ୍ତିକୁ ଅବଲୋକନ କଲେ କେବଳ । ତା’ପରେ ସମ୍ୱିତ୍ ଫେରିପାଇଲେ । ତଡ଼ିତ୍‍ବେଗରେ ଯାଇ ନିଜର ଶୟନ କକ୍ଷର ଦରଜା ସଜୋରେ ରୋଧ କରିଦେଇ ଯେଉଁ ଅବରୁଦ୍ଧ ଜୀବନକୁ ଅଳ୍ପ ସମୟ ପୂର୍ବରୁ ହେୟ ଚକ୍ଷୁରେ ଦେଖୁଥିଲେ ସେ, ସେଇ ଅବରୋଧ ଆବେଗର ଜ୍ୱାଳାରେ ଜଳିପୋଡ଼ି ଗଲେ ସେ ।

 

ଛି ! ଛି ! ଛି ! ଅବିନାଶ ଏତେ ତଳକୁ ଖସି ଯାଇଛନ୍ତି । ଘୃଣାରେ ମୁହଁ ଫେରାଇଲେ ଅସୀମା । କବାଟ ଆଉଜାଇ ଦେଲେ ସେ ।

ସେତେବେଳକୁ ଦରଜା ପାଖରେ ଛିଡ଼ାହୋଇ କଡ଼ା ହଲାଉଥିଲେ ଅବିନାଶ ।

ଖୋଲ, ଖୋଲ, ଖୋଲ.......ନିଜକୁ ନିଜେ କଥା କହୁଥିଲେ ଅବିନାଶ ।

‘ମୁଁ ତମକୁ ଚାହେଁ....ତୁମର....

ସଟ୍ ଅପ୍, ସଟ୍ ଅପ୍ ଭଲଗାରିଟି ପାଇଁ ଆଉ ସ୍ଥାନ ମିଳିଲା ନାହିଁ ଯେ ଏଇଠି ଆସି ମାତଲାମି କରିବା ପାଇଁ ସାହସ କରୁଛ ।”

ଭିତରୁ ଚିତ୍କାର କଲେ ଅସୀମା । ଖୋଲ–ଖୋଲ ପ୍ଲିଜ୍ ।

ଅନୁନୟ କଲେ ଅବିନାଶ; କିନ୍ତୁ ଅବିନାଶକୁ ଅଭ୍ୟର୍ଥନା କରି ନେଇଯିବା ପାଇଁ ସ୍ତ୍ରୀ ଆଗେଇ ଆସିଲେ ନାହିଁ । ସେ ଆଗେଇ ଯାଉଁ ଯାଉଁ କହିଲେ ଆଜି ତ ବଡ଼ ସୁନ୍ଦର ଦିଶୁଛ ଅସୀମା–

ସଟ୍ ଅପ୍....... ସଟ୍ ଅପ୍....

ସେଇ ଚିତ୍କାରର ତୀବ୍ରତାରେ ମାତାଲ ଅବିନାଶ ମଧ୍ୟ ମୁହୂର୍ତ୍ତେ ଥମକି ଛିଡ଼ା ହେଲେ । ତାଙ୍କର ଥରୁଥିବା ପାଦ ଦୁଇଟା, ଟଳୁଥିବା ଦିହଟା କ୍ଷଣିକ ପାଇଁ ଯଥା ସ୍ଥାନରେ ସାଷ୍ଟାଙ୍ଗ ହୋଇ ରହିଲା । ତାଙ୍କର ମୁହଁ ଭିତରୁ ଦୀର୍ଘନିଶ୍ୱାସ ପରି ଗୋଟାଏ ଲମ୍ବା ଭାରି ନିଶ୍ୱାସ ବହି ଯିବାର ଅନୁଭବ ହେଲା । ଆଉ ତା’ପରେ ତାଙ୍କୁ ସଜୋରେ ଆଗକୁ ଠେଲି ଦେଇ କକ୍ଷର ଦରଜା ବନ୍ଦ କଲେ ଅସୀମା ଏବଂ ସେଇ ସଙ୍ଗେ ସଙ୍ଗେ ମୁହଁରୁ ବାହାରି ଆସିଲା–

–ନାଷ୍ଟି ! ବ୍ରୁଟ୍......

ଅବିନାଶ ଦଣ୍ଡେ ଛିଡ଼ା ହୋଇ ରହିଲେ, ସେଇ ପରିଚିତ ଏବଂ ଏ ସଦାପ୍ରିୟ ପ୍ରକୋଷ୍ଠ ସମ୍ମୁଖରେ । ଯେଉଁ ଗୃହ ଭିତରେ ପ୍ରବେଶ ଥିଲା ଅବାରିତ, ଆଜି ତାହା ବନ୍ଦ ହୋଇଯାଇଛି ତାଙ୍କରି ସାମ୍ନାରେ । କ’ଣ ମନକୁ ମନ ବିଳିବିଳେଇଲେ । ସେଇ ଅନୁଚ୍ଚ କଣ୍ଠସ୍ୱର, ଉଦ୍‍ଗତ ଅଶ୍ରୁଜଡ଼ିତ କଣ୍ଠପରି ଶୁଣାଗଲା । ତା’ପରେ ଧୀରେ ଧୀରେ ଅଥଚ ନିଶ୍ଚିତ ଭାବରେ ଗୃହାନ୍ତରକୁ ଚାଲିଗଲେ ଅବିନାଶ । କେହି ବାଧା ଦେଲେନି, କେହି ତାଙ୍କରି ପଥ ରୋକି ଛିଡ଼ା ହେଲେନି । ଯେଉଁ ସାହେବଙ୍କ ଆଗମନ ପ୍ରତ୍ୟାଗମନକୁ ସୁବିଧା ଏବଂ ସରଳ କରିବା ପାଇଁ ପାଗଭିଡ଼ି କୋର୍ଟ ପ୍ୟାଣ୍ଟ ପିନ୍ଧା ଅଡ଼ର୍ଲି ସଦା ପ୍ରସ୍ତୁତ ରହି ଆଦେଶ ପାଇବା ଆଗରୁ ତାହା ତାମିଲ କରେ, ସେଇ ଇଞ୍ଜିନିଅରିଂ ବିଭାଗର ବଡ଼ ସାହେବ ଆଜି ଅବଜ୍ଞାର ପ୍ରଥମ ଧକ୍‍କାରେ ବାହାରକୁ ଛିଟିକି ପଡ଼ିଲେ ଯେପରି ।

ତଳେ ମାଟି, ଉପରେ ଆକାଶ । ମାଟିରେ ସେଇ ଗନ୍ଧରେ ବାସ୍ତବତାର ସ୍ୱୀକୃତି । ଆଉ ଆକାଶର ଅବସ୍ଥିତିରେ କଳ୍ପଲୋକର ଆନନ୍ଦ । ଦୁହେଁ କେତେ ତଫାତ୍, ଅଥଚ ଦୂରକୁ ଚାହିଁଲେ ଦିଶେ ଦୁହେଁ ମିଶି ଯାଇଛନ୍ତି ବହୁଦୂରରେ–ଏକ ରେଖାରେ–ଚକ୍ରବାଳର ଦେହ ଭିତରେ ।

ମାଟିର ଗନ୍ଧ, ଘାସର କୋମଳତା ଏବଂ ଆକାଶର ଶୀତଳତା କ୍ରମଶଃ ତାଙ୍କୁ ଆକ୍ରାନ୍ତ କରୁଥିଲା । ସେ ଧୀରେ ଧୀରେ ଯାଇ ଲନ୍ ଉପରେ ନିରୁଦ୍‍ବେଗ ଭାବରେ ବସି ପଡ଼ିଲେ । ବସୁ ବସୁ କେତେବେଳେ ଶୋଇ ପଡ଼ିଲେ ମନେପଡ଼ିଲା ନାହିଁ ତାଙ୍କର ।

ରାତି ଯେତିକି ବଢ଼ିଲା, ସେତିକି ଅଥୟ ହେଲେ ଅସୀମା । ଅନିନ୍ଦ୍ରା ଏବଂ କ୍ରୋଧଜନିତ କ୍ଳାନ୍ତି କ୍ରମଶଃ ଶରୀରକୁ ନିଷ୍ପ୍ରଭ କରି ତୋଳୁଥିଲା; କିନ୍ତୁ ବସି ବା ଶୋଇପାରୁ ନଥିଲେ । ସେ ଏକ ବିଚିତ୍ର ଅନୁଭୂତି । ସେଥିରେ ଆନନ୍ଦ ବା ନିରାନନ୍ଦ, ଆଶା ବା ହତାଶା ନଥିଲା । ଥିଲା କେବଳ ଏକ ଦଗ୍‍ଧ ହେବାର ବ୍ୟାକୁଳତା । ଏକ ଦହନଶୀଳ ମନର ଆକୁଳତା ସେଇ ବ୍ୟାକୁଳତା କିନ୍ତୁ ବେଶି ସମୟ ସ୍ଥାୟୀ ହେଲାନି । ତା’ପରେ ଦେଖାଦେଲା ଅଭିଯୋଗ, ଅଭିମାନ ନୁହେଁ । ଅଭିଯୋଗ ଯେତେବେଳେ ମନଭିତରେ ବସା ବାନ୍ଧେ, ଅଭିମାନ ଉଡ଼ିଯାଏ ଆଉ ଗୋଟିଏ ସ୍ଥାନକୁ ନିଜକୁ ଲୁଚାଇ ରଖିବାପାଇଁ । ଯେଉଁଠାରେ ଅଭିଯୋଗ, ସେଠାରେ ଅଭିମାନ ରହିପାରେନା । ଅଭିମାନ ଅନୁରାଗର ସଂକେତ, ଅଭିଯୋଗ ଅତୃପ୍ତିର ଆଲେଖ୍ୟ ।

 

କେତେବେଳେ ବ୍ୟସ୍ତ, କେତେବେଳେ କ୍ରସ୍ତ ଆଉ କେତେବେଳେ ବା କୃଦ୍ଧ ମୁହଁ ଉପରେ କାଳିମା ରେଖା ସୁସ୍ପଷ୍ଟ । ଅବିନାଶ ତାକୁ ଅପମାନିତ କରିଛନ୍ତି–ପ୍ରତିଶୋଧ ନେବା ପାଇଁ ପାଦ ବଢ଼ାଇଛନ୍ତି–ଏହାହିଁ ଶେଷରେ ଲାଗିରହିଲା ତାଙ୍କ ମନରେ । ଏଇ ଧାରଣା ସଙ୍ଗେ ସଙ୍ଗେ ପରକାର୍ଯ୍ୟକ୍ରମ କ’ଣ ହେବ, ତାହା ଦେଖିବାପାଇଁ କାହାକୁ ଅପେକ୍ଷା କରିବା ପାଇଁ ପଡ଼ିଲା ନାହିଁ ଆଉ । ତାଙ୍କ ଆଖି ଦୁଇଟାରେ ସେଇ କଳା ରାତିରେ ମଧ୍ୟ ଏକ ଅଦ୍ଭୁତ ଲାଳସାର ବହ୍ନି ଜକ୍ ଜକ୍ ହୋଇ ଜଳି ଉଠିଲା । ଯାହା ଆଜିଯାଏ କୁହୁଳୁ ଥିଲା, ସଂସାରର ବନ୍ଧନଭିତରେ, ସମାଜର ଶୃଙ୍ଖଳା ଭିତରେ ଏବଂ ଆଭିଜାତ୍ୟର ଆଡ଼ମ୍ବର ଭିତରେ, ତାହା ଏକ ନଗ୍ନ ଶିଖା ପରି କୁଦି ପଡ଼ିଲା ସ୍ଥାନରୁ ସ୍ଥାନାନ୍ତର.....

 

ଆଉ ସେଇ ଅର୍ଦ୍ଧ ରାତ୍ରିରେ ଫୋନରେ ଡାଏଲ କରି ଶୁଭ ରାତ୍ରି ଜଣାଇ ଆରମ୍ଭ କଲେ ଅସୀମା ।

 

–ହ୍ୟାଲୋ.....

 

–ହଁ କିଏ....

 

....ଅ.....ସୀ.....ମା......

 

–ଗୁଡ଼ ହେଭେନ୍‍ସ.....ଏତେ ରାତିରେ......

 

–ନିଦ ହେଉନି......

 

––କାହିଁକି......

 

–ଇଚ୍ଛାଥିଲେ ବୁଝିପାରନ୍ତ......

 

–ନା, କିଛି ବୁଝିପାରୁନି.........

 

–ବାଜେ ବକନା.....କ’ଣ କରୁଛ.....

 

–ଶୋଇଥିଲି ପରା.....ଟେଲିଫୋନ ରିଙ୍ଗ ପାଇ କ’ଣ ଏକ୍‍ସିଡ଼େଣ୍ଟ ହୋଇଥିବ କି କ’ଣ ବୋଲି ଉଠି ଫୋନ୍ ଧରିଛି.....

 

–କେବଳ ନିଜ କାମ ଛାଡ଼ି ଆଉ କିଛି ମନେପଡ଼େନା ତୁମର......

 

–ନିଶ୍ଚୟ ମନେପଡ଼େ । ହେଲେ ରାତି ଅଧରେ ଏକ୍‍ସିଡ଼େଣ୍ଟ ଛାଡ଼ି ଆଉ କ’ଣ ପାଇଁ ଫୋନ୍ ଆସେ ଯେ......

 

–ରାତି ଅଧରେ କେବଳ କ’ଣ ଏକ୍‍ସିଡ଼େଣ୍ଟ ହୁଏ......

 

–ରେଳବାଇ ସହିତ ଯେଉଁମାନେ ସଂଯୁକ୍ତ ସେମାନଙ୍କୁ ଏହାହିଁ ମନେ ହୋଇଥାଏ ।

 

–ଛାଡ଼ ସେକଥା ମୋ କଥାର କ’ଣ ଅନ୍ୟ କିଛି ଉତ୍ତର ହୋଇପାରେନା......

 

–ବୁଝାଇ କୁହ ତ......

 

–ତୁମେ ଛୋଟ ପିଲା ନୁହ ଯେ ବୁଝାଇବାକୁ ପଡ଼ିବ......

 

–ମାନେ ?

 

–ମାନେ ଅତି ସରଳ.....ଏଇକ୍ଷଣି......

 

–କ’ଣ.....କହୁଛ......

 

–ଏଇକ୍ଷଣି ତୁମକୁ ଆସିବାକୁ ହେବ.....

 

–କେଉଁଠାକୁ.....

 

–ମୁଁ ଯେଉଁଠି ଅଛି......

 

–କାହିଁକି, କ’ଣ ହୋଇଛି......

 

–କ’ଣ ଆଉ ହୁଅନ୍ତା ଯେ......

 

–ନାଇଁ, ତଥାପି ଏତେ ରାତିରେ....

 

–କ’ଣ ଦ୍ୱିଧା ଲାଗୁଛି......

 

–ନିଶ୍ଚୟ ଲାଗିବାର କଥା–ଏତେ ରାତିରେ କୌଣସି ଭଦ୍ରଲୋକ ଆଉ କେଉଁ ଭଦ୍ରଲୋକଙ୍କ ଘରକୁ......

 

–ତୁମେ ତାହେଲେ ପହିଲେ ଭଦ୍ରାମି କଥା ଭାବୁଛ......

 

–ତୁମେ ରାଗନା ଅସୀ–କ’ଣ ହେଇଛି କୁହ ତ......

 

–ନା, ନା, ନା,...

 

–ହ୍ୟାଲୋ ! ଅସୀ...ଅସୀମା...ହ୍ୟାଲୋ...

 

ଫୋନ ସେ ପାଖରୁ ଛାଡ଼ି ଦେବାର ଶବ୍ଦ ହେଲା । ବିଛଣା ଉପରେ ଉଠିବସି ଉଦ୍‍ବିଗ୍ନ ଦେବଦତ୍ତ ପୁଣି ଆଉଥରେ ରିସିଭରଟା ଉଠାଇ ନେଇ କ’ଣ ଭାବି ପୁଣି ରଖିଦେଲା ।

 

ଅସୀମାଙ୍କର ଉତ୍ତପ୍ତ କଣ୍ଠସ୍ୱର କାନ ପାଖରେ ଝଙ୍କାର ତୋଳୁଥିଲା । ସେ କିଛିକ୍ଷଣ ଭାବିବାପାଇଁ, କ’ଣ ହୋଇଛି ବା ହୋଇଥାଇପାରେ ଅନୁମାନ କରିବା ପାଇଁ ଚେଷ୍ଟା କଲା; କିନ୍ତୁ କିଛି ଠିକ୍ କରିପାରିଲା ନାହିଁ । ମି: ମହାନ୍ତିଙ୍କ କଥା ମନେପଡ଼ିଲା । ସେ ତ ଅଫିସରେ ଥିଲେ ଦିନବେଳେ । ବାହାରକୁ ଯିବାର କୌଣସି ପ୍ରୋଗ୍ରାମ ନଥିଲା ତାଙ୍କର । ତାହେଲେ କ’ଣ କୌଣସି ଜରୁରୀକାମରେ ରାତିରେ ବାହାରିଯାଇଛନ୍ତି ସେ । ଆଉ ସେଇ ସୁଯୋଗରେ... । ଆଉ ଭାବିପାରିଲା ନାହିଁ ଦେବଦତ୍ତ । କେଜାଣି କାହିଁକି ଅଳସୁଆ ତନ୍ଦ୍ରାଜଡ଼ିତ ଦେହକୁ ତତାଇ ଗୋଟାଏ ଉଲ୍ଲଗ୍ନ କାମନା ସଜାଗ କରି ତୋଳିଲା ତାକୁ । ସିଗାରେଟରେ ଅଗ୍ନି ସଂଯୋଗ କରି ଧୂଆଁ ଛାଡ଼ିଲା-। ଗୋଟାଏ ପରେ ଗୋଟାଏ । କିପରି ଗୋଟାଏ ଅନନୁଭୂତ ଅସ୍ଥିରତା ଗ୍ରାସ କରୁଥିଲା ତାକୁ । ଅସ୍ଥିର ଚିତ୍ତରେ ପଦଚାରଣ କଲା କିଛି ସମୟ । ତା’ପରେ ଝରକା ଦେଇ ବାହାରକୁ ଚାହିଁଲା ସେଇ ଅନ୍ଧକାର ରାତ୍ରିର ନଗ୍ନରୂପ ଚିତ୍ତକୁ ପ୍ରଲୁବ୍‍ଧ କଲା ତା’ର । ପୁଣି ଫେରିଆସିଲା । ରାତି ଦୁଇଟା ।

 

ନା, ଦୁଇଟାରେ ସେ କାହାରି ଘରକୁ ଯାଇପାରିବ ନାହିଁ । ଶାଳୀନତାରେ ବାଧିବ ତା’ର-। ସେଇ ସଂସ୍କୃତି, ସୁରୁଚି ଏବଂ ଶାଳୀନତାର ଭାବ ଆସିଲା କ୍ଷଣି ଦମକାଏ ଥଣ୍ଡା ପବନ ପାଇଲେ ବିଦଗ୍ଧ ଦେହ ମନ ପ୍ରଫୁଲ୍ଲ ହୋଇ ଉଠିଲା ପରି ଟିକିଏ ଆଶ୍ୱସ୍ତ ହେଲା ଦେବଦତ୍ତ । ଶେଷ ଅର୍ଦ୍ଧଦଗ୍ଧ ସିଗାରେଟଟାକୁ ଦୂରକୁ ଫିଙ୍ଗି ଦେଇ ପୁଣି ଶୋଇ ପଡ଼ିଲା ସେ... ।

 

କିନ୍ତୁ ଶୋଇବା ପାଇଁ ଇଚ୍ଛାକଲେ କ’ଣ ଶୋଇ ହୁଏ?

 

କ୍ରିଂ......କ୍ରିଂ......କ୍ରିଂ.......।

 

ରିସିଭରଟା ଉଠାଇ ନେଇ କ୍ଷୁଣ୍ଣ କଣ୍ଠରେ କହିଲା–ହ୍ୟାଲୋ.....

 

ସେପାଖରୁ କୌଣସି ଉତ୍ତର ନାହିଁ...

 

–ହ୍ୟାଲୋ...କିଏ ସେ....

 

–ମୁଁ–ବିଜଡ଼ିତ କଣ୍ଠସ୍ୱର ।

 

–ଅସୀମା......

 

–ହଁ......

 

–ଆଚ୍ଛା କ’ଣ କୁହ ତ.....

 

–ରାଗିଲ......

 

–କାହିଁକି......

 

–ଏଇ ଯେ ମୁଁ ଫୋନ ଛାଡ଼ିଦେଲି......

 

–ନା’ତ......

 

–ତାହେଲେ କ’ଣ ଭାବିଲ......

 

–ଭାବିଲି କେତେ କ’ଣ......

 

–କ’ଣ ଭାବିଲ କୁହନା......କଣ୍ଠରେ ଅନୁରାଗ ।

 

–ତମେ କାହିଁକି ଫୋନ କରିଥିଲ......।

 

–ମୋ କଥା ମନେପଡ଼ିଲା ତାହେଲେ......

 

–ମନେପକାଇ ଦେଲ ଯେ.....

 

–ମନେ ନ ପକାଇଲେ ମନେପଡ଼େନା ତୁମର.....

 

–ନା ସେ କଥା ନୁହେଁ ଯେ...ତଥାପି

 

–ତଥାପି ?

 

–କାମର ଭିଡ଼ରେ

 

–କାମର ଭିଡ଼ କ’ଣ ସବୁବେଳେ–

 

କାହିଁ ଅନ୍ୟମାନେ ତ ଏକଥା କହନ୍ତିନି–

 

–କାମ କଲେ ଶେଷ ହୁଏନା–ନ କଲେ ଶେଷ ହେବ ଏଇଲାଗେ......

 

ହସି ଉଠିଲେ ଅସୀମା । କଥାଟା କାହିଁକି କେଜାଣି ମନକୁ ପାଇଲା । ତରଳ କଣ୍ଠରେ କହିଲେ–

 

–ତାହେଲେ କାମ ଶେଷ ହେଲେ ମନେପଡ଼ିବ......

 

–ଛାଡ଼ ସେ କଥା । ହଁ କ’ଣ ପାଇଁ ଫୋନ୍ କରିଥିଲ । ଦେବଦତ୍ତ ଅଧିକ ଜାଣିବାପାଇଁ ପଚାରିଲା ।

 

–ତୁମେ କ’ଣ କିଛି ବୁଝିପାରୁନା ରାତି ଅଧରେ କାହିଁକି ଫୋନ କଲି ମୁଁ...।

 

–ନା, ବୁଝାଇ ନ ଦେଲେ ବୁଝିବ କିପରି ?

 

–ଫୋନରେ ବୁଝାଇ ହୁଏନା.....ତା’ପରେ......

 

–ତା’ପରେ.....

 

–ତୁମେ କେବେ ଆସୁଛ......

 

–କାଲି ତ କ୍ଳବରେ ଡିନର ଏବଂ ଡ୍ୟାନସ ।

 

–ହଁ, ବେଶ ମନେପକାଇ ଦେଇଛ...ତାହେଲେ....

 

–ସେଇଠି ଦେଖାହେବ । ତୁମେ ଆସୁଛ ତ...

 

–ଯିବାର ଇଚ୍ଛା ନଥିଲା–

 

–ନା, ନା, ଆସ । ମିସ୍ ମେ ଫ୍ଳାୱାର ନୂତନ ନାଚ ନାଚିବାର ଚୁକ୍ତି କରିଆସୁଛି......

 

–ତା’ପରେ......

 

–ତା’ପରେ ଆଉ ସବୁ...ନିଶ୍ଚୟ ଆସିବ, କିନ୍ତୁ ।

 

ଯିବି, ଅପେକ୍ଷା କରିଥିବ ।

 

–ହଁ,

 

–ମୋ କଥା କାମର ଚାପରେ ଭୁଲିଯିବ ନାହିଁ ତ ।

 

–ନା, ନା, ନା ।

 

ଫୋନ ରଖି ଦେଉଛି–ଆଜି କିନ୍ତୁ ଆସିଥିଲେ....

 

–ମି: ମହାନ୍ତି କ’ଣ ଟୁରରେ ଯାଇଛନ୍ତି......

 

–ନା, ଘରେ ଅଛନ୍ତି...ବଦ୍ଧ ମାତାଲ......

 

କ’ଣ କହିଲେ ଦେବଦତ୍ତ ସ୍ପଷ୍ଟ ଶୁଣିପାରିଲା ନାହିଁ । ଅବା ଶୁଣି ବିଶ୍ୱାସ କରିପାରୁ ନଥିଲେ । ଦେବଦତ୍ତ କଣ୍ଠ ଯେପରି କରୁଣତାରେ ଚିହିଁକି ଉଠିଲା ।

 

–ଆଚ୍ଛା ରଖି ଦେଉଛି......

 

–ଗୁଡ଼୍ ନାଇଟ୍......

 

–ଉହୁଁ, ଗୁଡ଼ ମର୍ନିଂ...।

 

ରିସିଭର ରଖିଦେଇ ଝରକାଆଡ଼େ ଚାହିଁଲେ ଅସୀମା । ଝରକାର ନୀଳ ପର୍ଦ୍ଦା ଟିକିଏ ହଲିଲା ପରି ଜଣାଗଲା । ଆଉ କିଏ ଯେପରି ଛିଡ଼ା ହୋଇଥିଲା ଚାଲିଗଲା–ଏୟା ଅନୁଭବ କଲେ ସେ । କିଏ ? କିଏ ? ଏତେ ରାତିରେ କିଏ ଶୋଇବା ଘରର ଝରକା ପାଖରେ ଛିଡ଼ା ହୋଇପାରେ-? ଟିକିଏ ଦମିଗଲେ ଅସୀମା । ତାହେଲେ ସେ କ’ଣ ସବୁ କଥା ଶୁଣିପାରିଛି । ଧୀରେ ଧୀରେ ହାତରେ ଟର୍ଚ୍ଚର ନେଇ ଦୁମୁଦୁମୁ ଛାତିରେ ଝରକା ପାଖରେ ଯାଇ ଛିଡ଼ା ହେଲେ । ବହଳ ରାତ୍ରରେ ଅନ୍ଧାର ଉଜାଡ଼ି ହୋଇ ପଡ଼ିଛି ପୃଥିବୀ ଉପରେ । ଦୂରରେ ରାସ୍ତାର ବତୀଗୁଡ଼ିକ । କାହିଁ କେତେ ଯୋଜନରେ ଆକାଶରେ ତାରା । ଶୀତଳ ପବନ ବହୁଛି ଥରେ ଥରେ ବେଶ ଭଲଲାଗିଲା ତାଙ୍କୁ; କିନ୍ତୁ କାହିଁ କାହାକୁ ଦେଖୁ ନାହାଁନ୍ତି ତ ? ଟର୍ଚ୍ଚଦ୍ୱାରା ଚାରିଆଡ଼କୁ ନିରୀକ୍ଷଣ କରିବାର ଇଚ୍ଛା ହେଲା-। କିନ୍ତୁ କେଜାଣି କାହିଁକି ଫେରିଆସି ଶୋଇ ପଡ଼ିଲେ ପଲଙ୍କ ଉପରେ । ଆଖି ଭରି ନିଦ ଆକ୍ରାନ୍ତ କରୁଥିଲା ତାଙ୍କୁ । ଶୋଇ ପଡ଼ିବା ଆଗରୁ ୱାଲ କ୍ଳକ୍‍ରେ ଠକ୍ ଠକ୍ ହୋଇ ତିନିଟା ବାଜିଲା-। ରାତି ତିନିଟା । ଅସୀମା ଶୋଇ ପଡ଼ିଲେ ।

 

ଶେଷ ରାତିର ଶୀତଳ ପବନରେ ଉଠି ବସିଥିଲେ ଅବିନାଶ । ଗୋଟି ଗୋଟି ହୋଇ ସବୁ କଥା ମନେପଡ଼ିଲା ତାଙ୍କର । ସେ ବ୍ଲୁବାରରୁ ଫେରିଲେ–ତା’ପରେ ଅସୀମା ତାଙ୍କୁ ଅପମାନ ଦେଇ ଫେରାଇ ଦେଲେ ।

 

ଅସୀମା ! ବାରମ୍ବାର ସେଇ ଗୋଟିଏ ନାମ ଉଚ୍ଚାରଣ କଲେ ଅବିନାଶ । ପତଳା ନିଶ୍ୱାସ ସଙ୍ଗେ ସଙ୍ଗେ ଘନ ହେଲା । ଦୀର୍ଘନିଶ୍ୱାସ ଛାଡ଼ି ଉଠିଗଲେ ବେଡ଼୍ ରୁମ୍ ପାଖକୁ । ଝରକା ଖୋଲା ଅଛି । ସ୍ତ୍ରୀଙ୍କର ଘୁମନ୍ତ ଅବୟବକୁ ଦେଖିବାପାଇଁ ବଡ଼ ଲୋଭ ହେଲା ତାଙ୍କର । ସେ ଧୀରେ ଧୀରେ ସନ୍ତର୍ପଣରେ ଯାଇ ଛିଡ଼ା ହେଲେ ଝରକା ପାଖରେ । ଅସୀମାଙ୍କର କଣ୍ଠ ସ୍ୱର ସ୍ପଷ୍ଟ ଶୁଣାଯାଉଛି ଭିତରୁ । ତାହେଲେ......

 

ତାହେଲେ କାହା ସହିତ କଥା କହୁଛନ୍ତି ଅସୀମା ? କିପରି ଏକ ପ୍ରଚଣ୍ଡ ଜ୍ୱାଳାରେ ସମଗ୍ର ଶରୀର ତାଙ୍କର ପୋଡ଼ି ଯିବାରେ ଲାଗିଲା । ସେଇ ଜ୍ୱାଳାର ଅସହ୍ୟ ବେଦନା ପ୍ରାୟ ଅଥର୍ବ କରିଦେଲା ତାଙ୍କୁ । ନିର୍ବେଦ ଅବିନାଶ ସ୍ଥାଣୁ ପରି ଛିଡ଼ା ହୋଇ ରହିଲେ କେତେକ୍ଷଣ । ଯେତେବେଳେ ସମ୍ବିତ୍ ଫେରିପାଇଲେ ଆଉ କାହାର କଣ୍ଠ ସ୍ୱର ଶୁଣାଗଲା ନାହିଁ ତାଙ୍କୁ । କେବଳ ଟେଲିଫୋନ ରଖିବାର ଶବ୍ଦ ହେଲା । ତାହେଲେ ଟେଲିଫୋନରେ କଥା କହୁଥିଲା ଅସୀମା......

 

ଫେରିଆସିଲେ ଅବିନାଶ– । ଲନ୍ ଉପରକୁ ନୁହେଁ ସିଧା ଯାଇ ନିଜ କୋଠରୀ ଭିତରେ ପ୍ରବେଶ କଲେ । ସାହେବଙ୍କ ପାଇଁ ଆଗରୁ ଦରଜା ଖୋଲା ରଖି ଶୋଇବାପାଇଁ ଯାଇଥିଲା ବେହେରା ।

 

ଅବିନାଶ କିନ୍ତୁ ଶୋଇପାରିଲେ ନାହିଁ । ସୁଖ ସ୍ୱପ୍ନ ଦେଖିବାପାଇଁ ଅବକାଶ ନାହିଁ ତାଙ୍କର । କ୍ଳାନ୍ତ ଦେହ, ଶ୍ରାନ୍ତ ପାଦରେ ପଦଚାରଣ କଲେ ଘର ଭିତରେ । ମନକୁ ମନ ତୁହାଇ ତୁହାଇ ପ୍ରଶ୍ନ କଲେ, ରାତି ଦୁଇଟାରେ କାହା ସହିତ ଏତେ ପ୍ରଗ୍‍ଲଭ ହୋଇ କଥା କହିପାରନ୍ତି ଅସୀମା ।

 

ଦେବଦତ୍ତ ! ଦେବଦତ୍ତ !! ଦେବଦତ୍ତ !!! କିଏ ତାଙ୍କୁ ବେକ୍ରାଘାତ କରି ତାଙ୍କ କାନ ପାଖରେ ବଜ୍ରନିର୍ଘୋଷ ସ୍ୱରରେ କହିଗଲା ଯେପରି । ଆଙ୍ଗୁଳି ଭିତରେ ଆଙ୍ଗୁଳି ଯାକି ଅଧିକ କ୍ଷିପ୍ର ଗତିରେ ପଦଚାରଣ କଲେ ଅବିନାଶ । ଏକ ଅସୀମ ବେଦନା, ଏକ ଅଭିନବ ଈର୍ଷା ଏବଂ ସର୍ବୋପରି ଏକ ପ୍ରତାରିତ ସ୍ୱାମୀର ଅସୀମ ଗ୍ଳାନି ତାଙ୍କୁ କ୍ରମଶଃ ମ୍ରିୟମାଣ କରି ତୋଳିଲା ।

 

ଆଜି ସୁସ୍ପଷ୍ଟ ସେ ଅନୁଭବ କଲେ, ତାଙ୍କର ସରଳ ସହଜ ବିଶ୍ୱାସ ମୂଳରେ ଦାରୁଣ ଆଘାତ ଲାଗିଛି । ଆତ୍ମବଡ଼ିମା ନୁହେଁ, ଆତ୍ମସମ୍ମାନହିଁ ଥିଲା ତାଙ୍କ ପାଖରେ ସର୍ବସ୍ୱ । ସେହି ଆତ୍ମସମ୍ମାନ ଉପରେ ଅନଭିପ୍ରେତ ଆଘାତ ଲାଗିଲା ଆସି । ଅବିନାଶ ଶିହରି ଉଠିଲେ ମନରେ, ଦେହରେ ଏବଂ ପ୍ରାଣରେ । ଅସୀମା ଯଦି ତାଙ୍କୁ ପ୍ରତାରିତ ନ କରି ସ୍ପଷ୍ଟଭାବରେ କହି ପାରିଥାନ୍ତେ ସବୁକଥା ଏବଂ ଯଦି ଇଚ୍ଛା କରିଥାନ୍ତେ ସେ ହୁଏତ ବାଧ୍ୟ କରି ନ ଥାନ୍ତେ ତାଙ୍କୁ ତାଙ୍କ ସହିତ ସ୍ତ୍ରୀ ଭାବରେ ରହିବାପାଇଁ । ତାଙ୍କର କୌଣସି କାର୍ଯ୍ୟରେ କେବେ ବାଧାଦେଇ ନଥିଲେ ସେ ବିଶ୍ୱାସଥିଲା ସ୍ୱତନ୍ତ୍ରତା । ମଣିଷର ମନ ଏବଂ ପ୍ରାଣକୁ ମୁକ୍ତ କରେ, ତାକୁ ପ୍ରଶସ୍ତ କରେ ଏବଂ କରେ ଶ୍ରୀ ପୂର୍ଣ୍ଣ । କିନ୍ତୁ ସ୍ୱତନ୍ତ୍ରତା ସ୍ଥାନରେ ସ୍ୱୈରାଚାର ମଣିଷକୁ ତଳକୁ ଟାଣି ନିଏ । ତା’ର ଆତ୍ମପ୍ରକାଶ ଖର୍ବ କରେ ବ୍ୟକ୍ତିତ୍ୱ ଏବଂ ସ୍ଥୂଳ ସ୍ୱାର୍ଥକୁ ବିକଶିତ କରିବା ପାଇଁ ଯାଇ ଯାହା ଗର୍ହିତ, ଅସାମାଜିକ ବା ଅସଂସ୍କୃତ ତାହାକୁ ଅତି ସହଜରେ ଗ୍ରହଣ କରେ । ଆଜି ସ୍ୱୈରାଚାରର ଶିକାର ହୋଇ ନିଜକୁ ଛୋଟ କରି ପକାଇଛନ୍ତି ଅସୀମା–ଆଉ ତା’ ସଙ୍ଗେ ସଙ୍ଗେ ଛୋଟ କରିଛନ୍ତି ତାଙ୍କର ଉନ୍ମତ ମସ୍ତକଙ୍କୁ । କ୍ରୋଧରେ ନୁହେଁ ହତାଶାରେ ଦୁର୍ବଳତା ଅନୁଭବ କଲେ ଅବିନାଶ । ଆଜି ପ୍ରଥମଥର ପାଇଁ ମନରେ କ୍ଳାନ୍ତି ଅନୁଭବ କଲେ ।

 

ବାହାରକୁ ଚାହିଁଲେ । ଆକାଶର ତାରା କେଇଟା ତାଙ୍କୁ ଚାହିଁ ହସୁଥିଲେ । ମନେକଲେ ଅବିନାଶ ସେମାନେ ସବୁ ଜାଣିଯାଇଛନ୍ତି ଯେପରି । ଲଜ୍ଜାରେ ଘର୍ମବିନ୍ଦୁ ଦେଖାଦେଲା ମୁଖମଣ୍ଡଳରେ ଏବଂ ସର୍ବାଙ୍ଗରେ । ପୁଣି ବାହାରକୁ ଦୃଷ୍ଟି ପ୍ରସାରିତ କଲେ–କେବଳ ମେଞ୍ଚା ମେଞ୍ଚା ବହଳ ଅନ୍ଧକାର । କେଉଁଠି କୌଣସି ରାସ୍ତା ଦେଖିପାରିଲେ ନାହିଁ ସେ ।

 

ଅନ୍ଧକାରର ଏହି ଭୀତିପ୍ରଦ ରୂପ ପୂର୍ବରୁ ଆଉ କେବେ ଦେଖିଥିବାର ମନେପଡ଼ିଲା ନାହିଁ ତାଙ୍କର । ସେଇ ମୂକ ଅନ୍ଧକାର ଏପରି ମୁଖର ହୋଇପାରେ, ଏହା ଅନୁଭବ କରିବାକ୍ଷଣି ସେ ଅଧିକ ଶିଥିଳ ହୋଇ ପଡ଼ିଲେ । ଶ୍ରାନ୍ତ, କ୍ଳାନ୍ତ ଅବିନାଶ ଦପ୍‍କିନା ଗୋଟାଏ ଆରାମ ଚୌକି ଉପରେ ବସିପଡ଼ି ମଥା ଚିପି କ’ଣ କହିଲେ ଅସ୍ପଷ୍ଟ ସ୍ୱରରେ କିଛି ଶୁଣାଗଲା ନାହିଁ । ତାଙ୍କର ସେଇ ସବଳ ଶରୀର ଭିତରୁ ଗୋଟାଏ ବୋକା ଲୋକର କ୍ରନ୍ଦନ ପରି ଏକ ଅତି କରୁଣ ଅଥଚ ଭୟଙ୍କର ଶବ୍ଦ ଭାସି ଆସିଲା ।

 

ବାହାରର ସମସ୍ତ ଅନ୍ଧକାର ରାଶି ରାଶି ହୋଇ ଠୁଳ ହୋଇଥିଲା କୋଠରୀ ଭିତରେ ।

 

ଷୋହଳ

 

ହେନା ଅପେକ୍ଷା କରି କରି ଅଧୀର ଅସ୍ଥିର ହୋଇ ପଡ଼ିଥିଲା, କିନ୍ତୁ ଅବିନାଶ ଆସିଲେ ନାହିଁ ।

 

ରାତି ପ୍ରାୟ ବାରଟା । ବାର୍ ବନ୍ଦ କରିବାର ସମୟ ହୋଇଆସିଛି । ମି: ଜନ୍‍ସନ୍ ଚାକରମାନଙ୍କୁ ସବୁ ଜିନିଷ ପତ୍ର ଗୁଛାଇ ନେଇ ବାର ବନ୍ଦ କରିବା ପାଇଁ ଆଦେଶ ମଧ୍ୟ ଦେଇସାରିଛନ୍ତି । ଆଉ ପାଞ୍ଚ ଦଶମିନିଟ ମଧ୍ୟରେ ବାର ବନ୍ଦ କରି ବାହୁଡ଼ିଯିବେ କନ୍ୟା ସହିତ ।

 

ପିତାଙ୍କ ସହିତ ଦେଖା ହେଲା ମିସ୍ ଜନ୍‍ସନ୍‍ର । ହେନା ଅଧୀରତା ପ୍ରକାଶ କରି କହିଲା–

 

“ଦେଖିଲ ଡାଡ଼ି, ଆଜି ତ ମି: ମହାନ୍ତି ଆସିଲେନି–’’

 

ମୁଁ ସେୟା ଅନୁମାନ କରିଥିଲି ଆଗରୁ ହେନା । ମି: ମହାନ୍ତି ଖୁବ୍ ଚତୁର ଏବଂ ଧୂର୍ତ୍ତ ।

 

.......ଉତ୍ତର କଲେ ମି: ଆର୍ଥର ଜନ୍‍ସନ୍ । ଯେପରି ଏହାହିଁ ସେ ପ୍ରତ୍ୟାଶା କରୁଥିଲା । ଚୁରୁଟଟା ମୁହଁରେ ଲଗାଇ ମି: ଜନ୍‍ସନ୍ କହିଲେ ପୁଣି......

 

–ବୁଝିଲୁ ହେନା ! ହୁଏତ ତାଙ୍କର ପ୍ରୟୋଜନ ଶେଷ ହୋଇଯାଇଛି......

 

–ଅଥଚ ମୋତେ କଥା ଦେଇଥିଲେ–

–ତୁ ଏଇ ସ୍କାଉଣ୍ଡ୍ରେଲଗୁଡ଼ାକର କଥା ଉପରେ ବିଶ୍ୱାସ ରଖୁ । ମୋର ତ ଡାଡ଼ି ସେଇପରି ଅନ୍ତତଃ ମନେହେଲା ।

–ଭୁଲ କଲୁ ହେନା ! ଏମାନଙ୍କୁ ପ୍ରଥମ ଦେଖାରେହିଁ ଖାପଚରେ ପକାଇବା ପାଇଁ ହେବ । ଯେପରି ସେମାନେ ଖସିଯାଇ ନ ପାରନ୍ତି–ତା’ପରେ ଖସି ଯିବାର ପଥ ମଧ୍ୟ ବନ୍ଦ କରିଦେଲେ ଗଲା... ।

ମି: ଜନ୍‍ସନ୍‍ଙ୍କ ଚାହାଣୀରେ ଏକ ଆବିଳ ଧୂର୍ତ୍ତତା । ସେ କନ୍ୟା ମୁହଁକୁ ଚୁରୁଟ ଟାଣୁ ଟାଣୁ ଅନାଇଲେ । ହେନା ବୁଝିଲା ପିତା ତା’ ଉପରେ ପ୍ରସନ୍ନ ହୋଇନାହାନ୍ତି । ତା’ର ଦୋଷ କେଉଁଠି ସେ ବୁଝିପାରିଲା ନାହିଁ । ସେ ତ ପ୍ରଥମ ଦିନରୁ ଚେଷ୍ଟା କରିଆସିଛି ମି: ମହାନ୍ତିଙ୍କୁ ହାତ କରିବା ପାଇଁ । କିନ୍ତୁ ମି: ମହାନ୍ତି ହାତମୁଠା ଭିତରେ ଆସିନାହାନ୍ତି । କ୍ଷୋଭ ହେଲା ହେନାର–ବୁଝି ମଧ୍ୟ ଡାଡ଼ି ବୁଝୁନାହାନ୍ତି । ନିଜ ଉପରେ ମଧ୍ୟ ରାଗ ହେଲା ହେନାର ।

ଚାକରମାନେ ସବୁ ସଜାଡ଼ି ଝରକା ଦରଜା ବନ୍ଦ କରି ଛିଡ଼ାହେଲେ ଆସି । ମି: ଜନ୍‍ସନ୍ କହିଲେ, ହେନାକୁ ବାହାରିବା ପାଇଁ ଏବଂ ଚାକରମାନଙ୍କୁ ଛୁଟି କରିଦେଲେ ନିଜ ନିଜ ଘରକୁ ଯିବାପାଇଁ । ସାମ୍ନା ଦ୍ୱାର ସେ ନିଜେ ବନ୍ଦକରି ଦେଇପାରିବେ ।

ହେନା ନିଜର ବେଗ୍ ନେଇ ବାହାରି ଆସିଲା ମିନିଟକ ମଧ୍ୟରେ । ଜନ୍‍ସନ୍ ଦରଜାରେ ତାଲା ଲଗାଇ ଗାଡ଼ି ପାଖକୁ ଗଲେ । ହେନା ଭିତରେ ବସିଲା ଯାଇ । ଜନ୍‍ସନ୍ ଥରେ ଚାରିଆଡ଼କୁ ଚାହିଁ ମୁହଁ ବୁଲାଇ ନେଇ ଗାଡ଼ିର ଦରଜା ଖୋଲି ବସିବାକୁ ଯାଉଛନ୍ତି ବାରଆଡ଼କୁ ମୁହାଁଇଥିବା ଗୋଟିଏ ଗାଡ଼ିର ତୀବ୍ର ଆଲୋକ କ୍ଷଣିକପାଇଁ ଆସି ମୁହଁ ଉପରେ ପଡ଼ିଲା ତାଙ୍କର । ଜନ୍‍ସନ୍ ମୁହଁ ଫେରାଇ ବାରଆଡ଼େ ଚାହିଁଲେ । ହେନା ଗାଡ଼ିଟା କେଉଁଆଡ଼ୁ ଆସିଲା, କିଏ ଆସୁଛି, ତାହା ଜାଣିବାପାଇଁ ବ୍ୟଗ୍ର ହୋଇ ପଡ଼ି ଝରକା ଦେଇ ମୁହଁ ଗଳାଇ ଦେଖିବାପାଇଁ ଚେଷ୍ଟା କଲା ।

ଅବିନାଶ ବ୍ରେକ୍ କଷି ଗାଡ଼ି ଛିଡ଼ାକରି ମିନିଟକ ଭିତରେ ଗାଡ଼ି ଭିତରୁ ବାହାରି ଆସିଲେ ବନ୍ଦ ବାରର ସାମ୍ନାକୁ । ମି: ଜନ୍‍ସନ୍ ଅସ୍ପଷ୍ଟ ସ୍ୱରରେ କ’ଣ କହି କହି ଆଗେଇ ଗଲେ । ହେନାର ମୁହଁରେ ଚେନାଏ ହସ ଝଲସି ଉଠିଲା । ସେଇ ହସରେ ଥିଲା ନିଜର ଆତ୍ମବଡ଼ିମା–ହାରିଯାଉଥିବା ହେନାର ବିଜୟ ଆହ୍ଲାଦ ।

“ହ୍ୟାଲୋ ମି: ଜନ୍‍ସନ୍ ।

“ହ୍ୟାଲୋ ସାର୍......ୟୁ ଆର ଭେରି ଲେଟ୍ ।

“ଆଇ ଆମ ଭେରି ସରି.....ହ୍ୟାଭ୍ ୟୁ କଲ୍‍ଡ଼ ଇଟ୍ ଏ ଡ଼େ ?

“ନୋ, ନୋ......ମୁଁ ପୁଣି ଏଇକ୍ଷଣି ଆପଣଙ୍କୁ ସତ୍କାର କରିବା ପାଇଁ ବାର ଖୋଲୁଛି । ଏହା କହି କହି ଚାବି ଗୋଚ୍ଛାଟା ନେଇ ଆଗେଇ ଚାଲିଲେ ମି: ଜନ୍‍ସନ୍ ।

–ହେନା, ହେନା......କ୍ୱିକ୍ ପ୍ଲିଜ । ହେନା ଆଗେଇ ଆସି ମି: ମହାନ୍ତିଙ୍କ ଦେହ ଘଷି ଛିଡ଼ା ହେଲା । ଅବିନାଶ ଥରେ ତା’ ଆଡ଼କୁ ଚାହିଁଲେ, ତା’ପରେ ସେଇ ଉଗ୍ରତା ସହ୍ୟ କରି ନ ପାରି ଆଖି ଫେରାଇଲେ ।

ବାର୍ ପୁଣି ଖୋଲା ହେଲା । ଅବିନାଶଙ୍କୁ ନେଇ ହେନା ଭିତର ଘରକୁ ଚାଲିଗଲା । କେହି ଚାକର ନଥିଲେ । ମି: ଜନ୍‍ସନ୍ ନିଜେ ସୋଡ଼ା, ବରଫ ଏବଂ ସ୍କଚ ହୁଇସ୍କି ଏବଂ ଅଳ୍ପ କିଛି ବାଦାମ ଯଥା ସ୍ଥାନରେ ରଖି କନ୍ୟାର ଅପେକ୍ଷା କଲେ ।

 

ଅଳ୍ପ ସମୟ ଭିତରେ ଫେରିଆସିଲା ହେନା ଏଇ ସବୁ ପରିଚିତ ଦ୍ରବ୍ୟ ନେଇଯିବା ପାଇଁ-। ତାକୁ ଗୋଟିଏ କୋଣକୁ ଡାକିନେଇ କାନ ପାଖରେ ଫୁସ୍ ଫୁସ୍ କରି କ’ଣ କହିଲେ ମି: ଜନ୍‍ସନ୍-। ହେନା ବେଶ୍ ବୁଝିପାରିଲା କଥାର ଗୁରୁତ୍ୱ । ତା’ପରେ ସେଇପରି ହସି ହସି, କଟିରେ ଛନ୍ଦ ଖେଳାଇ, ଚାଲିରେ ନୃତ୍ୟ ତୋଳି, ହାତରେ ଟ୍ରେ ଭରି ପାନୀୟ ଏବଂ ସରଞ୍ଜାମ ନେଇ ଫେରିଗଲା ଅବିନାଶ ପାଖକୁ ।

 

ଅବିନାଶ ତାକୁ ପୁଣିଥରେ ଚାହିଁଲେ । ସେତେବେଳେ ନଇଁ ପଡ଼ି ସବୁ ଯଥା ସ୍ଥାନରେ ରଖୁଥିଲା ହେନା ।

 

“ଇସ୍...କି” ଆଉ କିଛି ଆସିଲା ନାହିଁ ତାଙ୍କ ମନରେ । ସେ ହେନାକୁ ଚାହିଁ ପାରିଲେ ନାହିଁ ଆଉ । ହେନା ଜାଣି ଜାଣି ସେଇ ପୋଜ୍‍ରେ ରହି ଝୁଙ୍କି ପଡ଼ିଲା ଅଧିକ ତାଙ୍କ ଆଡ଼େ । ତା’ର ନଇଁ ପଡ଼ିବାର କୁଞ୍ଚନରେ ଆଭରଣ ଫୁଲି ଉଠି ବକ୍ଷର ନିଭୃତ ଅଙ୍ଗ ଦେଶର ଗୋପନତାକୁ ଉଜ୍ଜ୍ୱଳ କରି ତୋଳୁଥିଲା ।

 

ଅବିନାଶ କିଛି ନ କହି ପାନୀୟ ନେଲେ ହାତରେ ଏବଂ ପ୍ରାୟ ଅଳ୍ପ କେଇ ମିନିଟରେ ପାନୀୟ ଶେଷ କରି ଗ୍ଳାସ ରଖିଲେ ଟେବୁଲ ଉପରେ । ହେନା ପୁଣି ଭରି ଦେଲା ଉଲ୍ଲାସ ଚିତ୍ତରେ-। ପୁଣି ଅଳ୍ପ କେଇ ମିନିଟରେ ନିଃଶେଷ କରି ଦେଇ ଅନାଇଲେ ଅନିନାଶ ।

 

ହେନା ପ୍ରସ୍ତୁତ ଥିଲା । ପାନୀୟ ଢାଳୁଢ଼ାଳୁ ପୁଣି ସେଇ ପୋଜରେ ଅବିନାଶଙ୍କ ଆଖିତଳେ ନିଜର ବକ୍ଷର ଅଭ୍ୟନ୍ତରକୁ ତୋଳି ଧରିଲା ନିର୍ବିକାର ଚିତ୍ତରେ । ଅବିନାଶ ଉନ୍ମତ୍ତ ହୋଇ ଉଠି ପାନୀୟ ଗ୍ଳାସଟା ଠେଲି ଦେଇ ହେନାର କଟିରେ ବାହୁ ବେଷ୍ଟନ କରି ଗୋଟିଏ ଝଲକରେ ନେଇ ଆସିଲେ କୋଳ ଉପରକୁ । ଚତୁରୀ ହେନା ତାଙ୍କ କୋଳ ଉପରେ ଆଉଜି ପଡ଼ୁ ପଡ଼ୁ ଆଖି ବୁଜି ମୁହଁ ଟେକିଲା ଉପରକୁ । ଅବିନାଶ ପାର୍ଥିବ ଜଗତର ସମସ୍ତ କଥା ଭୁଲିଯାଇ ଗଭୀର ଦୀର୍ଘ ଚୁମ୍ବନରେ ହେନାକୁ ଅସ୍ତ ବ୍ୟସ୍ତ କରି ପକାଇଲେ ।

 

ଏତେ ଶୀଘ୍ର ଏତେ ବେଶି ଅଗ୍ରସର ହେବା ପାଇଁ ହେନାର ଇଚ୍ଛା ନାହିଁ । ନ ହେଲେ ଶିକାର ହାତଛଡ଼ା ହୋଇଯିବ । ସେ ନିଜକୁ ମୁକ୍ତକରି ପୁଣି ପାନ କରାଇଲା ଅବିନାଶଙ୍କୁ । ପାନ କରି କରି ସେତେବେଳକୁ ପ୍ରାୟ ଟଳୁଥିଲେ ଅବିନାଶ । ଆଖିରେ କେବଳ ଗୋଟିଏ ବଣ୍ୟ ମତ୍ତତା-। ସେ ହେନାର ହାତଧରି ଆକର୍ଷଣ କଲେ ପୁଣି–

 

ହେନା ଟିକିଏ ନିବିଡ଼ ହୋଇ ଅନୁଯୋଗ କଲା–ନୋ, ମି: ମହାନ୍ତି ଆଉନା......

 

ନା, ନା, ଡାର୍ଲିଂ......

 

ପୁଣି ଆକର୍ଷଣ କଲେ ଅବିନାଶ ।

 

ହେନା ତାଙ୍କୁ କୁଣ୍ଢାଇ ପକାଇ ତାଙ୍କ କାନେ କାନେ କ’ଣ ନିବେଦନ କଲା–କ୍ଷଣିକପାଇଁ ଉନ୍ମତ୍ତ ଅବିନାଶ ମଧ୍ୟ ସ୍ଥିର ହୋଇଗଲେ । ତା’ପରେ କହିଲେ–

 

“କିଛି ଚିନ୍ତା କରନା...........ମ: ଜନ୍‍ସନ୍‍ହିଁ ପାଇବେ–’’

 

ବେଶ୍ ଏତିକି ଚାହୁଁ ଥିଲା ହେନା, ଏତିକି ଚାହୁଁ ଥିଲେ ମି: ଜନସନ୍ । ଏହାପରେ ଆଉ କିଛି କହିବାର ନଥିଲା ହେନାର । ସେ ଆଉଥରେ ଆଖି ବୁଜି ମୁହଁ ଉପରକୁ କଲା ଏବଂ ସେଇ ସଙ୍ଗେ ସଙ୍ଗେ ଅଦ୍ଭୁତ ଆବେଗରେ ଅବିନାଶ ହେନାର ଦେହଟାକୁ ନିଜର ତୀକ୍ଷ୍‍ଣ ଦଂଶନଦ୍ୱାରା ନିଃଶେଷ କରି ଦେବାପାଇଁ ଶବ ଉପରେ ଶାଗୁଣା ଝାମ୍ପ ଦେଲାପରି ବାରମ୍ବାର ଲେହନ କରିବାରେ ଲାଗିଲେ ।

 

ରାତି ବେଶି ହୋଇଯାଇଥିଲା । ଜନସନ୍ ଅସ୍ଥିର ହୋଇ ବେଲ୍ ଟିପିଲେ । ସେ ପାଖରୁ ହେନା ସମ୍ବିତ୍ ଫେରିପାଇଲା ବେଲ୍‍ର ଝଙ୍କାରରେ । ହେନାର ଅବିନ୍ୟସ୍ତ ବେଶ ଦେଖିଲେ ମି: ଜନସନ୍, କିନ୍ତୁ କିଛି କହିଲେନି । ଚୁରୁଟ୍ ଟାଣୁ ଟାଣୁ କହିଲେ କେବଳ–କ’ଣ ହେଲା ହେନା ?

 

–କେଉଁ କଥା ।

 

–ଯେଉଁ ପ୍ରସ୍ତାବ ଦେଇଥିଲି ।

 

ହେନା ଟିକିଏ ହସିଲା । ଲଜ୍ଜା ମିଶାଥିଲା ସେ ହସରେ ।–ମୁଁ ସେ ସବୁ ସମାଧାନ କରିଆସିଛି । ସେ ମୁହଁ ଖୋଲି ପିତାଙ୍କୁ ଉତ୍ତର କଲା–ମି: ମହାନ୍ତି ଜବାବ ଦେଇଛନ୍ତି ଡାଡ଼ି, ସିନେମାହଲ୍‍ ପାଇଁ ସେ ପ୍ଳଟ୍‍ଟା ତୁମକୁହିଁ ଦେବେ ।

 

ବଡ଼ ଖୁସି ହେଲି ହେନା । ଯାହାହେଉ ଗୋଟାଏ ଦୁର୍ଭାବନା ମନରୁ ଅନ୍ତର୍ହିତ ହୋଇଗଲା ।

 

ମି: ଜନସନ୍ ଦ୍ୱିଗୁଣ ଉତ୍ସାହରେ ଚୁରୁଟ୍ ଟାଣି ପ୍ରବେଶ କଲେ । ଭିତର ପ୍ରକୋଷ୍ଠରେ ଯେଉଁଠି ବସିଥିଲେ ଅବିନାଶ । ମୁହଁରେ ଆଶ୍ୱସ୍ତି ଏବଂ ଏକ ବେପରୁଆ ଭାବ ଖେଳାଇ କହିଲେ–ଆଉ ସବୁ କ’ଣ ଖବର ସାର୍ ।

 

–ଅଲରାଇଟ୍ ମି: ଜନସନ୍ । ତା’ପରେ ଶୁଣିଲି ଆପଣ ଗୋଟାଏ ସିନେମାହଲ୍ ତିଆରି କରିବା ପାଇଁ ସ୍ଥିର କରିଛନ୍ତି ।

 

ଇଙ୍ଗିତ ଭରା ଆଖିରେ ଚାହିଁ କହିଲେ ମି: ଜନସନ୍ ସେୟାତ ଇଚ୍ଛା ସାର୍ ।

 

ଇଚ୍ଛା ଯେତେବେଳେ ହୋଇଛି କାମ ଠିକ୍ ହେବ–

 

–କିନ୍ତୁ......

 

କିନ୍ତୁ ଆଉ କ’ଣ ? ହେନା ମୋତେ ସବୁ କହିଛି । ପ୍ଳଟ୍ ପାଇବାରେ ବିଶେଷ ଅସୁବିଧା ହେବନାହିଁ ।

 

–ଆପଣଙ୍କ ଦୟା ହେଲେ କିଛି ଅସୁବିଧା ହେବନି, ମୁଁ ବୁଝୁଛି କିନ୍ତୁ......

 

–ଫେର୍ କିନ୍ତୁ କ’ଣ ?

 

ଅନୁକୂଳ ସମୟରେ କଥା କହି ଜାଣନ୍ତି ମିଷ୍ଟର ଜନ୍‍ସନ୍ । ଦୀର୍ଘ ତିରିଶବର୍ଷ ଚାକିରୀର ଅଭିଜ୍ଞତା ଭିତରେ କେତେ ସାହେବଙ୍କୁ ଦେଖିଛନ୍ତି ସେ–ସେମାନଙ୍କ ମର୍ଜି ଜଗି କଥା କହିଛନ୍ତି, ସେଇଥିପାଇଁ ଆଜି ଅନ୍ୟାନ୍ୟମାନଙ୍କ ପରି ସ୍ୱଦେଶକୁ ଫେରିଯିବା ପାଇଁ ହୋଇନି ତାଙ୍କୁ । ଏଇ ଦେଶକୁ ନିଜର ଦେଶ ଭାବରେ ଗ୍ରହଣ କରି ନେଇଛନ୍ତି ସେ ଏଇଠି ଶେଷ ଜୀବନ ଅତିବାହିତ କରିବା ପାଇଁ ଇଚ୍ଛା ତାଙ୍କର ।

 

ମିଷ୍ଟର ମହାନ୍ତିଙ୍କର ମନ ଜାଣି କହିଲେ ମିଷ୍ଟର ଜନସନ୍–ଆପଣ ତ ଜାଣନ୍ତି ସାର୍ ଯାହା ସାମାନ୍ୟ ରିଟାୟାର କରିବାବେଳେ ପାଇଥିଲି ଏଇ “ବ୍ଲୁବାର” କରିବାରେ ସବୁ ଖର୍ଚ୍ଚ କରି ଦେଇଛି ।

 

ଅବିନାଶ ମିଷ୍ଟର ଜନ୍‍ସନ୍‍ଙ୍କ ମୁହଁକୁ ଚାହିଁଲେ । ତା’ପରେ କ’ଣ ଭାବିଲେ ଟିକିଏ ଏବଂ ଯୋଗ କଲେ–

 

ହେଲେ ଗୋଟାଏ ସିନେମାହଲ ପାଇଁ ତ ବହୁତ ଟଙ୍କାର ପ୍ରୟୋଜନ ମିଷ୍ଟର ଜନସନ୍-।

 

–ତାହା ମୁଁ ଜାଣେ ସାର୍ । ସେଇଥିପାଇଁ ଆପଣମାନଙ୍କ ପରି ସଦାଶୟ ବ୍ୟକ୍ତିମାନଙ୍କ ସହିତ ଗୋଟାଏ କିଛି ପାର୍ଟନରସିପ୍ କରିବା ପାଇଁ ଚାହେଁ......

 

–ପାର୍ଟନରସିପ୍–ଧୀରେ ଧୀରେ କହିଲେ ଅବିନାଶ ।

 

–ହଁ ପାର୍ଟନରସିପ୍–ନ ହେଲେ ଏତେ ଟଙ୍କା ଆସିବ କୁଆଡ଼ୁ । ଆପଣ ଶୁଣି ଖୁସି ହେବେ ଯେ ମିଷ୍ଟର କସ୍ତୁରୀ ଚନ୍ଦ ରସିକ ଚନ୍ଦ ସେଇ ଯେଉଁ ଗୋଲ ବଜାରର କପଡ଼ା ହୋଲସେଲର ପଚାଶ ହଜାର ଟଙ୍କା ଖଟାଇବା ପାଇଁ ରାଜି ହୋଇଛନ୍ତି ।

 

ତା’ପରେ......

 

ତା’ପରେ– ?

 

–କଣ୍ଟ୍ରାକ୍ଟର ଜୀବନଦାନୀ ରାଣା ଖଟାଇବେ ପଚାଶ ହଜାର ।

 

–ତାହେଲେ ଆଉ ଚିନ୍ତା କ’ଣ ଜନସନ୍ !

 

–ଚିନ୍ତା ବହୁତ ସାର । ଏକାଥରେ ବହୁ ଅର୍ଥର ପ୍ରୟୋଜନ ଯେପରି, ବହୁଲୋକଙ୍କର ସହାନୁଭୂତି ମଧ୍ୟ ସେହିପରି ଆବଶ୍ୟକ ।

 

–ହଁ, ହଁ, ତା’ ଅବଶ୍ୟ ଆପଣ ପାଇବେ । ଆଉ ନିହାତି ଯଦି ଅର୍ଥର ପ୍ରୟୋଜନ ହୁଏ ଜଣାଇବେ । ପାର୍ଟନରସିପ୍ ମୋର ଲୋଡ଼ା ନାହିଁ–ମୁଁ ଯାହାପାରେ ଦେବି ଏଇମିତି । ସୁବିଧା ହେଲେ ଫେରାଇ ଦେବେ ପୁଣି ।

 

–ନିଶ୍ଚୟ, ନିଶ୍ଚୟ ସାର୍ । ମୁଁ ଆପଣଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ । ହେଲେ ପାର୍ଟନରସିପ୍‍ରେ ଯୋଗଦେଲେ ମୁଁ ବେଶ ସାହସ ପାଆନ୍ତି ସାର୍– ।

 

–ନା, ନା, ମିଷ୍ଟର ଜନସନ୍ । ମୁନାଫାରେ ମୋର ଯେମିତି ଆଗ୍ରହ ନାହିଁ, ବିଜିନେସ କରିବାରେ ମଧ୍ୟ ସେମିତି ଅନାଗ୍ରହ । ତା’ପରେ ସେଥିରେ ବହୁତ ଜଞ୍ଜାଳ......

 

–ଏ କଥା ଖୁବ୍ ସତ ସାର୍ । ବିଜିନେସରେ ଜଞ୍ଜାଳ ବହୁତ......ଉତ୍ସାହିତ ହୋଇ କହିଲେ ମି: ଜନସନ୍ ।

 

–ତାହେଲେ ମୁଁ ଆଜି ଉଠିଲି । ପରେ ପୁଣି ଦେଖା ହେବା ଗୁଡ଼ ନାଇଟ୍–

 

–ଗୁଡ଼ ନାଇଟ୍ ସାର୍ ।

 

ଅବିନାଶ ବାହାରକୁ ବାହାରିଗଲେ । ରାସ୍ତାରେ ପୁଣି ହେନା ସହିତ ଭେଟ ହେଲା । ତା’ ହାତ ପାପୁଲିରେ ଟିକିଏ ଚାପଦେଇ ଶୁଭରାତ୍ରି ଜଣାଇ ଗାଡ଼ିରେ ବସିଲେ ଯାଇ ଅବିନାଶ ।

 

ହେନା ଆଗେଇ ଆସି କାର ପାଖରେ ଛିଡ଼ା ହୋଇ କଣ୍ଠରେ ଆକୁଳତା ଖେଳାଇ ପଚାରିଲା–ପୁଣି କେବେ ଦେଖା ହେବ ମିଷ୍ଟର ମହାନ୍ତି !

 

ଅବିନାଶ ଟିକିଏ ହସିଲେ; କିନ୍ତୁ କୌଣସି ଉତ୍ତର ଦେଲେ ନାହିଁ । ହେନା ଅତି ଚତୁରୀ । ସେ କାର୍‍ର ଝରକା ପାଖରେ ନଇଁ ପଡ଼ି ଫିସ୍ ଫିସ୍ କରି କହିଲା–ମୁଁ ଆପଣଙ୍କୁ ବିରକ୍ତି କରିଥିଲେ ଅତ୍ୟନ୍ତ ଦୁଃଖିତ ମିଷ୍ଟର ମହାନ୍ତି !

 

ଅବିନାଶ ଆଉଥରେ ତା’ର ଚିବୁକ ସ୍ପର୍ଶ କରି ତା’ର କାନ୍ଧ ଉପରେ ହାତ ଚାପି କହିଲେ–

 

–ସେ କ’ଣ ହେନା ! ମୁଁ ଅତ୍ୟନ୍ତ ଖୁସି ହୋଇଛି । ତା’ପରେ ପ୍ଳଟ୍ ତୁମ ପିତା ପାଇବେ ନିଶ୍ଚୟ, ତୁମେ ଦେଖି ନିଅ ।

 

ହେନା କାର୍ ଛାଡ଼ି ସିଧା ଛିଡ଼ା ହେଲା । ଅବିନାଶ ହାତ ହଲାଇ ବିଦାୟ ଜଣାଇ କାର୍‍ରେ ଷ୍ଟାର୍ଟ ଦେଲେ......

 

ଗୁଡ଼୍ ନାଇଟ୍.....

 

ଗୁଡ଼୍ ନାଇଟ.....

 

ଅବିନାଶ ଗାଡ଼ି ଛୁଟାଇ ଫେରିଲେ ଗୋଲବଜାର–ତା’ପରେ ଟ୍ରାଫିକ୍ କଲୋନୀ–ତା’ପରେ ହିଜ୍‍ଳିରୋଡ଼ ପାରି ହୋଇ ଆସି ପଡ଼ିଲେ ଫୋର୍ଥ ଏଭିନିଉରେ । ତା’ପରେ ନିଜ ବଙ୍ଗଳା ଆଗରେ ଗାଡ଼ିର ଗତି କମ୍ କରି ମୋଡ଼ ଭାଙ୍ଗି ପ୍ରବେଶ କଲେ ବଙ୍ଗଳା ଭିତରେ ।

 

ଗାଡ଼ି ବାହାରେ ରଖି ଦେଇ ବଙ୍ଗଳା ଭିତରକୁ ପ୍ରବେଶ କରିବା ଆଗରୁ ଲକ୍ଷ୍ୟ କଲେ ଅବିନାଶ ଅସୀମାଙ୍କର କୋଠରୀ ଭିତରେ ଆଲୁଅ ଜଳୁଛି । ହାତ ଘଡ଼ିକୁ ଚାହିଁ ଦେଖିଲେ ସମୟ ପ୍ରାୟ ତିନିଟା । ଏତେ ରାତି ତଥାପି କ’ଣ...ଶୋଇନି ଅସୀମା ।

 

ମନରେ ସନ୍ଦେହ, ଅଭିମାନ ଏବଂ ନାନା ଅଭିଯୋଗ ଗୁମୁରି ଗୁମୁରି ଉଠିଲା । ଝରକା ଫାଙ୍କ ଦେଇ କ’ଣ କରୁଛନ୍ତି ଅସୀମା ଥରେ ଦେଖିନେବା ପାଇଁ ପ୍ରବଳ ଇଚ୍ଛା ହେଲା ତାଙ୍କର । ଆଗେଇ ଗଲେ ମଧ୍ୟ ଟିକିଏ; କିନ୍ତୁ ଫେରିଆସିଲେ ପୁଣି । ଜନ୍ମଗତ ଶିଷ୍ଟାଚାରରେ ବାଧିଲା ଯେପରି । ଯାହା କରୁଛନ୍ତି କରନ୍ତୁ ଅସୀମା–ସେଥିରେ ଆଉ ପ୍ରୟୋଜନ ନାହିଁ ତାଙ୍କର !

 

ସେ କଲିଂ ବେଲ୍ ଟିପିଲେ । ଭିତରୁ ବେହେରା ଆସି ଦରଜା ଖୋଲି ଦେଇ ଗଲା । ନିଜ କୋଠରୀ ଭିତରକୁ ପ୍ରବେଶ କରି ଦରଜା । ବନ୍ଦ କରିବାକୁ ଉଦ୍ୟତ ହେଉଛନ୍ତି ଅବିନାଶ, ଏଇ ସମୟରେ ଦ୍ୱାର ପ୍ରାନ୍ତରେ କାହାର ପଦଧ୍ୱନି ଶୁଣିପାରିଲେ ସେ ।

 

ଅସୀମା ଆସି ଛିଡ଼ା ହେଲେ ଦ୍ୱାର ଦେଶରେ; କିନ୍ତୁ ଭିତରକୁ ପ୍ରବେଶ କଲେନାହିଁ । ଅବିନାଶ ଝଲକାଏ ଚାହାଣୀରେ ଦେଖି ନେଲେ ତାଙ୍କୁ । ଦେହରେ ବସନର ସ୍ୱଳ୍ପତା । ବୋଧହୁଏ ଯାହା ପିନ୍ଧି ଯାଇଥିଲେ କ୍ଳବକୁ ସେଇ ଆଭରଣ ବଦଳାଇ ନାହାନ୍ତି ଏପର୍ଯ୍ୟନ୍ତ । ମୁହଁ ଉପରେ ସ୍ନୋ ଏବଂ ପାଉଡ଼ରର ପ୍ରଲୋପ ବାରି ହୋଇ ପଡ଼ୁଛି । ଅଧର ଉପରେ ଗଭୀର ଲାଲ ରଙ୍ଗର ବୋଳ ଫିକା ପଡ଼ି ଯାଇଛି......

 

ଅବିନାଶ କିଛି ପଚାରିଲେ ନାହିଁ । ଅସୀମାଙ୍କୁ ଯେପରି ଦେଖିନାହାନ୍ତି, ଏଇଭାବ ଖେଳାଇ ନିଜ ଲୁଗା ବଦଳାଇବା ପାଇଁ ବାଥ୍‍ରୁମ୍ ଭିତରକୁ ପ୍ରବେଶ କଲେ ।

 

ଅସୀମାଙ୍କ ଧୈର୍ଯ୍ୟ ସୀମାଲଙ୍ଘନ କଲା । ପବନରେ କଦଳୀ ପତ୍ର ଥରିଲା ପରି ଥରୁଥିଲେ ସେ ରାଗରେ । ଅବିନାଶ କ୍ଷଣିକ ପରେ ପୁଣି ଦେଖା ଦେଲେ କୋଠରୀ ଭିତରେ । ଦ୍ୱାରଦେଶରେ ଛିଡ଼ା ହୋଇ ତୀକ୍ଷ୍‍ଣ କଣ୍ଠରେ କହିଲେ ଅସୀମା–କେଉଁଠାକୁ ଯାଇଥିଲ ଶୁଣିପାରେ କି ?

 

ଥମକି ଚାହିଁଲେ ଅବିନାଶ । ତାଙ୍କରି କାନକୁ କେବଳ ସେଇ ସ୍ୱର ତୀକ୍ଷ୍‍ଣ ଜଣାପଡ଼ୁ ନଥିଲା, ସେଥିରେ ତିକ୍ତତା ଅନୁଭବ କଲେ ସେ; କିନ୍ତୁ କୌଣସି ଜବାବ ଦେଲେ ନାହିଁ ।

 

ପୁଣି କଣ୍ଠରେ ରୂଢ଼ତା ଫୁଟାଇ ପଚାରିଲେ ଅସୀମା–କ’ଣ ଉତ୍ତର ଦେବନି ତାହେଲେ-?

 

ଏଥର ଆଉ ଚୁପ୍ ହୋଇ ରହିବା ଉଚିତ ମନେକଲେ ନାହିଁ ଅବିନାଶ–ସେ ଧୀର କଣ୍ଠରେ କହିଲେ–ସେଥିରେ ତୁମର ପ୍ରୟୋଜନ କ’ଣ ?

 

“ମୋର ପ୍ରୟୋଜନ ଅଛି ବୋଲି ପଚାରୁଛି ।” ଝଙ୍କାର ତୋଳିଲେ ଅସୀମା ।

 

–କିନ୍ତୁ ମୋର ପ୍ରୟୋଜନ ନାହିଁ ଅସୀମା । ସଂକ୍ଷିପ୍ତ ଉତ୍ତର ଅବିନାଶଙ୍କର ।

 

–ତୁମର ପ୍ରୟୋଜନ ନ ଥାଇପାରେ; କିନ୍ତୁ ମୋତେ ଅପମାନ କରିବାର ଅଧିକାର ତୁମର ନାହିଁ–ଏ କଥା ତୁମେ ମନେରଖ ।

 

ଆଶ୍ଚର୍ଯ୍ୟ ହୋଇ ଅସୀମା ମୁହଁକୁ ଥରେ ଅନାଇ ଅନ୍ୟ ଆଡ଼କୁ ଆଖି ଫେରାଇ ଉତ୍ତର ଦେଲେ ଅବିନାଶ–

 

“ତୁମକୁ ମୁଁ ଅପମାନ କରିଛି । ତୁମ ମୁହଁରେ ବରଂ ଏ ଅଭିଯୋଗ ନ ଶୁଣି ମୋ କଣ୍ଠରେ ବରଂ ତୁମେ ଏ ଅଭିଯୋଗ ଶୁଣିବାର ଥିଲା ଅସୀମା–’’

 

ଅସୀମା ଅତି କର୍କଶ ଏବଂ ଅନେକଟା ରୁଚି ବିଗର୍ହିତ କଣ୍ଠରେ କହିଲେ ମୋତେ କ୍ଳବରେ ଏକାକୀ ଛାଡ଼ି ରାତି ବାରଟାରେ ମଦ ଖଟିକୁ ଯିବାଟା କେଉଁ ମାନସମ୍ମାନର କଥା । ତୁମେ କ’ଣ ଭାବିଥିଲ ମୁଁ ତୁମର ଦାରୀ ଯେ ସମସ୍ତେ କାର ଛୁଟାଇ ଫେରିଲାବେଳେ ମୁଁ ଫେରିତାନ୍ତି ପାଦରେ ଚାଲି ଚାଲି ।”

 

–‘ଓଃ ! ଏଇଥିପାଇଁ ତାହେଲେ ଏତେ ରାଗ; କିନ୍ତୁ ତୁମେ ତ ମୋ ସହିତ ଆସିବା ପାଇଁ ପ୍ରସ୍ତୁତ ନଥିଲ ।”

 

–“କାହିଁକି ପ୍ରସ୍ତୁତ ହେବି । ତୁମେ କ’ଣ ଜାଣି ନଥିଲ ଯେ ସେ ପର୍ଯ୍ୟନ୍ତ ଡ୍ୟାନ୍‍ସ ଶେଷ ହୋଇ ନଥିଲା ।”

 

–“ସେଥିରେ ମୋର ଯାଏ ଆସେନା । ମୋତେ ଭଲ ନ ଲାଗିଲେ ମୁଁ ରହିବି କାହିଁକି-?”

 

–ତୁମକୁ ତାହେଲେ ଯାହା ଭଲଲାଗିବ ତାହାହିଁ କରିବ ତୁମେ । ଅନ୍ୟର ଭଲଲାଗିବା ତୁମ ପାଖରେ କିଛି ନୁହେଁ–

 

–ଅନ୍ୟର ଭଲଲାଗିବାକୁ ସମ୍ମାନ ଦେଇ ମୁଁ ଠକିଛି ଅସୀମା ।

 

–ତୁମେ ଆକ୍ଷେପ କରି କଥା କହୁଚ । ତୁମର ମନ ଅତି ନୀଚ ।

 

ରାଗରେ ଆଉ କିଛି କହିପାରିଲେ ନାହିଁ ସେ । ତାଙ୍କ ଦେହ ଥରୁଥିଲା । ଲାଲ ମୁହଁ ଆହୁରି ଅଧିକ ରକ୍ତାଭ ହୋଇ ଉଠିଥିଲା ।

 

ନିଜର ଅପମାନ ନିଜ ସ୍ତ୍ରୀ ମୁହଁରେ ଶୁଣି ଗଳାଧଃକରଣ କଲେ ଅବିନାଶ । ଏଇ ରାତି ଶେଷରେ କଥା ବଢ଼ାଇ ମାଛହାଟ ସୃଷ୍ଟି କରିବା ପାଇଁ ଇଚ୍ଛା ନଥିଲା ତାଙ୍କର ! ସେ ଥକ୍କା ହୋଇ ବସି ପଡ଼ିଲେ ଆରାମ ଚୌକିଟା ଉପରେ ।

 

ତା’ପରେ ଧୀରେ ଧୀରେ କହିଲେ–ଅସୀମା ! ତୁମେ ଅତି ଉତ୍ତେଜିତ ହୋଇ ପଡ଼ିଛ । ଏଥର ଶୋଇବ ଯାଅ । କାଲି ସକାଳୁ ସବୁ କଥା ।

 

–ମୁଁ ଶୋଇବାପାଇଁ ଆସିନି । ମୁଁ ଆସିଛି ଶୁଣିବାପାଇଁ ମୋତେ ଛାଡ଼ି ତୁମେ ପଳେଇଲ କାହିଁକି ? ତୁମେ କ’ଣ ଭାବିଥିଲ ପ୍ରତିଥର ତୁମେ ଏଇମିତି ପଳେଇ ଯିବ, ଆଉ ମୁଁ ଅନ୍ୟର ଲିଫ୍ଟ ପାଇଁ ଅନାଇ ବସିଥିବି । ମୋର କ’ଣ ବ୍ୟକ୍ତିତ୍ୱ ନାହିଁ, ମାନ, ସମ୍ଭ୍ରମ କିଛି ନାହିଁ...

 

–ସବୁ ଅଛି ! କିନ୍ତୁ ଲିଫ୍ଟ ଦେବାର ଲୋକ ତ ତୁମର ଅଭାବ ନଥିଲେ ଅସୀମା ।

 

–ସଟ୍ ଅପ୍, ନୀଚ, ପରଶ୍ରୀକାତର...

 

ଅସୀମାଙ୍କ ତୀକ୍ଷ୍‍ଣ ତିକ୍ତ ସ୍ୱର ରାଗରେ କମ୍ପି ଉଠୁଥିଲା । ସେ କାଣ୍ତଜ୍ଞାନ ଶୂନ୍ୟ ହୋଇ ଯାହା ଆସିଲା କହିଯାଇ କ୍ରସ୍ତ ପାଦରେ ନିଜ ଶୟନ କକ୍ଷ ଭିତରେ ପ୍ରବେଶ କରି ଭିତରୁ ସଜୋରେ ବନ୍ଦ କଲେ ଦରଜା ।

 

ବେତ୍ରାହତ ହୋଇ ବ୍ୟଥା ଏବଂ ବେଦନାରେ କ୍ଳାନ୍ତ ହୋଇ ସେହିପରି ବସି ରହିଲେ ଅବିନାଶ ।

 

ବାହାରେ ଅନ୍ଧାର ଆଖି ଠାରେ ଦେଉଥିଲା ଆଲୁଅର । ଆଲୋକ... ଆଲୋକ... ଆଲୋକର ପ୍ରୟୋଜନ ।

 

ବାହାରର ଥଣ୍ତା ପବନ ଯେତେବେଳେ ତାଙ୍କ ଦେହରେ ପ୍ରଲେପ ଲଗାଇ ନିଜର ଗ୍ଳାନି ଏବଂ ବେଦନାକୁ ନିଭାଇ ଦେବାପାଇଁ ସାନ୍ତ୍ୱନା ଦେଲା, ଅବିନାଶ ଭଗ୍ନ କଣ୍ଠରେ ଶୂନ୍ୟକୁ ଚାହିଁ ଭିଜା ଭିଜା ଆଖି ମୁଦି ପ୍ରାର୍ଥନା କଲା ପରି ଭଙ୍ଗୀରେ କହିଲେ.....

 

ଆଲୋକ....ଆଲୋକ....ଆଲୋକର ପ୍ରୟୋଜନ ।

 

ସତର

 

ମନୀଷାଙ୍କର ମନର ସଂସାର ଫେରିଆସିଛି । ସୁଧା କିପରି, କେଉଁଠି ମିଳେ ତାହା ଜାଣିନାହାନ୍ତି ସେ । ସ୍ୱର୍ଗବାସୀମାନେ ନିତ୍ୟ ପ୍ରତିଦିନ ସୁଧାପାନ କରି ଅମର ହୋଇ ପୃଥିବୀର ଜରା, ବ୍ୟାଧି ଓ ଦୁଃଖରୁ ଚିରଦିନ ପାଇଁ ମୁକ୍ତି ପାଇଥିବାର ଶାସ୍ତ୍ର ପୁରାଣରେ ଅଧ୍ୟୟନ କରିଛନ୍ତି, କିନ୍ତୁ ଆଜି ପରୋକ୍ଷରେ ନୁହେଁ, ପ୍ରତ୍ୟକ୍ଷରେ ଅନୁଭବ ହେଉଛି ତାଙ୍କର ଏ ସଂସାର ସୁଧା କେଡ଼େ ସୁନ୍ଦର, କେତେ ସୁନ୍ଦର କେତେ ମଧୁର ନୁହେଁ ସତେ !

 

ହଜିଲା ମଣିଷ ଫେରିଆସିଛି । ଉଡ଼ି ଯାଇଥିବା ମନ ଲେଉଟି ଆସି ବସା ବାନ୍ଧିଛି ପୁଣି-। ମନୀଷାଙ୍କର ସଂସାରରେ ସବୁ ଥାଇ କିଛି ନଥିଲା । ଏବେ କିନ୍ତୁ ସବୁ ନ ଥାଇ ସବୁ ଅଛିର ସ୍ୱାଦ ପାଇଛନ୍ତି ସେ ।

 

ଦୀକ୍ଷିତ ସାହେବ ଫେରିଆସିଛନ୍ତି । ଗୋଠ ଖଣ୍ତିଆ ଗୋରୁ ଘରମୁହାଁ ହେଲେ ତାକୁ ଯେପରି ବାଟରେ ଆଉ କିଏ ଅଟକାଇ ପାରେନା, ସାହେବ ଆଉ କାହିଁ ଅଟକି ନ ଯାଇ ସିଧା ସିଧା ଫେରିଆସିଛନ୍ତି ଘରକୁ । ମନୀଷା ଯେତେବେଳେ ପ୍ରତ୍ୟାଗତ ଦୀକ୍ଷିତ ସାହେବଙ୍କୁ ଦେଖିଲେ, ପ୍ରଥମେ ଆଶ୍ଚର୍ଯ୍ୟ ଚକିତ ହୋଇ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ପରେ କିନ୍ତୁ ବିସ୍ମୟ ବିମୁଗ୍ଧ ନେତ୍ରରେ ସ୍ୱାମୀଙ୍କୁ ଅନାଇ ରହିଲେ । ତାଙ୍କର ମୋହ ଭାଙ୍ଗି ଦୀକ୍ଷିତ ସାହେବ କହିଲେ–ମୋତେ ହାଁ କରି ଏଭଳି କ’ଣ ଚାହିଁଛି ମନି । ଭିତରକୁ ଚାଲ, ବହୁତ କଥା ଅଛି । ମନୀଷା କ୍ୱଚିତ୍ ଶୁଣିଥିଲେ ଦୀକ୍ଷିତ୍ ସାହେବଙ୍କ ଅନୁନୟ । ଆଜି ସେଇ ଅନୁନୟ ଭିତର ଦେଇ ଶୁଣିଲେ ଅନୁରାଗ ରଞ୍ଜିତ ଏକ ନୂତନକଣ୍ଠର ରସ ନାଦ । ଲାଜେଇ ଗଲେ ସିନା ପଛେଇ ଗଲେନି । ସ୍ୱାମୀଙ୍କ ପଛେ ପଛେ ଘର ଭିତରେ ପଶିଲେ । ତାଙ୍କୁ ଏକା ପାଇ ତାଙ୍କ ହାତ ଦୁଇଟାକୁ ନିଜ ହାତ ମୁଠା ଭିତରେ ଯାକିଧରି ପ୍ରଥମେ କିଛି ସମୟ ନୀରବରେ ଅନାଇ ରହିଲେ, ଦୀକ୍ଷିତ, ତା’ପରେ କ’ଣ କହିବାପାଇଁ ଚାହିଁଲେ, କିନ୍ତୁ କହିପାରିଲେ ନାହିଁ । ତାଙ୍କର ମୁହଁଟା କମ୍ପି ଉଠିଲା ଟିକିଏ । ଆଖି ଯୋଡ଼ିକ ସଜଳ ହୋଇ ଉଠିଲା ।

 

ବେଶ କଥାର ମଣିଷ ନୁହଁନ୍ତି ଦୀକ୍ଷିତ୍ ସାହେବ । ସ୍ତ୍ରୀଙ୍କୁ ପାଖକୁ ଟାଣିନେଇ ସେଇପରି ତାଙ୍କ ହାତକୁ ନିଜ ହାତ ଭିତରେ ରଖି କହିଲେ–ମୋତେ କ୍ଷମାକର ମନି ! ମୋର ସମସ୍ତ ଦୁଷ୍କୃତି ପାଇଁ ମୁଁ ପ୍ରାୟଶ୍ଚିତ୍ତ କରିବାକୁ ପ୍ରସ୍ତୁତ ଅଛି ।

 

ବାସ୍, ସେତିକି । ମନୀଷା ମଧ୍ୟ ଏତିକି ଚାହୁଁଥିଲେ । ଦୁଷ୍କୃତିକୁ ଥରେ ସ୍ୱୀକାର କଲେ ପଶ୍ଚାତ୍ତାପର ଅଶ୍ରୁଜଳରେ ଧୋଇ ପୋଛି ସରଳ ହୋଇଯାଏ ଜୀବନ । ଆଜି ରାଶିରାଶି କାଳିମା ଧୋଇ ହୋଇଗଲା ଦୀକ୍ଷିତ୍ ସାହେବଙ୍କ ଜୀବନ ଉପରୁ । ସେ ପୁଣି ସରଳ ଓ ନିଷ୍ପାପ ହୋଇ ଉଠିଲେ ।

 

ଆଦ୍ର କଣ୍ଠରେ, ଲୋତକଭରା ଚକ୍ଷୁରେ ପ୍ରତିପ୍ରାଣ ମନୀଷା ପ୍ରାର୍ଥନା କଲେ–ମୋ ପାଖରେ ତୁମେ ସଦାସର୍ବଦା ଗଙ୍ଗାଜଳ ପରି ପବିତ୍ର । ତୁମେ କ୍ଷମା ମାଗ ସେଇ ଅଧିଷ୍ଠାନ ମା’ ବାସନ୍ତୀଙ୍କ ପାଖରେ । ସବୁ ଦାଗ ନିଭିଯିବ ତୁମର ।

 

ଆଉ କିଛି କହିପାରି ନଥିଲେ ମନୀଷା । ନିଜର ଉଦ୍‍ଗତ କୋହକୁ ଚାପି ରଖିବାପାଇଁ ସ୍ୱାମୀଙ୍କୁ ପରିଚର୍ଯ୍ୟା କରିବାର ଆଳ ଦେଖାଇ ନିର୍ଗତ ହୋଇଯାଇଥିଲେ ସେଠାରୁ । ଦୀକ୍ଷିତ୍ ସାହେବ ସ୍ନାନ କରି, ଶୁଦ୍ଧ ପୂତ ବ୍ରାହ୍ମଣ ସନ୍ତାନ ପରି ଜୀବନରେ ପ୍ରଥମଥର ପାଇଁ ପ୍ରବେଶ କଲେ ଯାଇ ସ୍ତ୍ରୀଙ୍କ ପୂଜାଘର ଭିତରେ ଏବଂ ସାଷ୍ଟାଙ୍ଗ ପ୍ରଣିପାତ କଲେ ଦେବୀଙ୍କ ଚରଣତଳେ

 

ମନୀଷାଙ୍କୁ ସୀମନ୍ତ ସିନ୍ଦୂର ପିନ୍ଧାଇ ଦେଉଁ ଦେଉଁ ଶାଶୁଘରକୁ ଆସିଲାବେଳେ ମା’ କୋଳ ଉପରକୁ ଆଉଜାଇ ନେଇ କହିଥିଲେ–ମା’ ! ଦୁଃଖରେ, ସୁଖରେ, ଆନନ୍ଦରେ, ନିରାନନ୍ଦରେ ଏଇ ଜଗତ୍ ଜନନୀ ମା’ ବାସନ୍ତୀ ତତେ ରକ୍ଷା କରିବେ । ତାଙ୍କରି କପୋଳରୁ ଟୋପେ ସିନ୍ଦୂର କାଢ଼ି ଆଣି ତୋ ସୀମନ୍ତରେ ଦେଇଛି ମା’ ! ସେ ଅନ୍ୟଥା ହେବନାହିଁ । ସବୁଠାରୁ ଅଧିକ ସୁଖରେ ତାଙ୍କୁ ଯେପରି ଭୁଲିଯିବାର ନୁହେଁ ମା’, ଜୀବନର ଅନ୍ଧକାରପୂର୍ଣ୍ଣ ସନ୍ଧିକ୍ଷଣରେ ମଧ୍ୟ କେବଳ ତାଙ୍କରି ପ୍ରାର୍ଥନା ତୋ ପକ୍ଷେ ଯଥେଷ୍ଟ ।

 

ମା’ଙ୍କର ସେଇକଥା ଭୁଲିଯାଇ ନଥିଲେ ମନୀଷା । ଆଜି ସେଇଥିପାଇଁ ମା’ର ଆଶୀର୍ବାଣୀ ଅଭୟ ବାଣୀରେ ପରିଣତ ହୋଇଛି । ହରାଇଲା ସ୍ୱାମୀଙ୍କୁ ପୁଣି ଫେରିପାଇଛନ୍ତି ସେ-। ଯାହା ଯାଇଛି ଯାଉ, ତାକୁ ଆଉ ଖୋଳି ତାଡ଼ି ଲାଭନାହିଁ ତାଙ୍କର । ସେତିକି ଅଛି, ତାକୁ ସାଇତି ରଖିପାରିଲେ ଅବଶିଷ୍ଟ ଜୀବନରେ ଅସୁଖୀ ହେବେନି ସେ ।

 

ପୂଜା ଘରୁ ବାହାରି ଦୀକ୍ଷିତ ସ୍ତ୍ରୀଙ୍କ କପୋଳରେ ମା’ ବାସନ୍ତୀଙ୍କ ସିନ୍ଦୂର ଟୋପା ଆଙ୍କି ଦେଲେ । ମନୀଷା ନଇଁପଡ଼ି ସ୍ୱାମୀଙ୍କ ପଦଧୂଳି ନେଇ ମଥାରେ ଛୁଆଁଇଲେ । ଦୁହିଁଙ୍କ ଭିତରେ ଥିବା ପନ୍ଦରବର୍ଷର ବ୍ୟବଧାନ, ମାନ, ଅଭିମାନ, ଅଭାବ ଅଭିଯୋଗ ସବୁ ମିଳନର ସେଇ ପ୍ରବଳ ସ୍ରୋତରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।

 

ଚିରାଚରିତ ପନ୍ଥା ବିସର୍ଜନ ଦେଇ ଟେବୁଲରେ ନ ବସି ଦୀକ୍ଷିତ ସାହେବ ସ୍ତ୍ରୀଙ୍କ କୋଠରୀ ଭିତରେ ବସିଲେ ପ୍ରାତଃ ଭୋଜନ ସମାପ୍ତ କରିବା ପାଇଁ । ସ୍ନେହ ସରାଗରେ ରଞ୍ଜିତ ମନୀଷା ଅଳ୍ପ ସମୟ ଭିତରେ ସ୍ୱାମୀଙ୍କୁ ପରିତୃପ୍ତିର ସହିତ ଆହାର କରାଇଲେ । ତା’ପରେ ବହୁ କଥୋପକଥନ ହେଲା ଦୁହିଁଙ୍କ ଭିତରେ । କଥା ପ୍ରସଙ୍ଗକୁ ବ୍ୟକ୍ତିଗତ କରି କହିଲେ ଦୀକ୍ଷିତ–ତୁମେ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଉଛ, ନା !

 

–ନୁହେଁ କ’ଣ ? ତୁମେ ଯେ ସତରେ; କିନ୍ତୁ ଦିନେ ଫେରିଆସିବ ମୋରି ସଂସାର ଭିତରକୁ ଏ ବିଶ୍ୱାସ କିନ୍ତୁ ଥିଲା ମୋର ।

 

–ତୁମର ବିଶ୍ୱାସରହିଁ ଜୟହେଲା ମନୀଷା । ସେ ଦିନ ମୁଁ ଅସୀମାଠାରୁ ଆଘାତ ପାଇ ଦାର୍ଜିଲିଂରେ ପାଇନ୍ ବଣରେ, ଫିର୍ ଜଙ୍ଗଲ ଭିତରେ ଦେବଦାରୁର ଅନ୍ତରାଳରେ ଖୋଜିବାପାଇଁ ଚେଷ୍ଟା କରୁଥିଲି ସୁନା ହରିଣୀ ନୁହେଁ–ମନହରିଣୀ ! କେତେ ତରୁଣୀ ଆଖି ଆଗରେ ପଡ଼ିଲେ; କିନ୍ତୁ କେହି ପ୍ରଲୋଭିତ କଲେନି । ଅସଲ କଥା ମନ ମୋର ବିଷେଇ ଉଠିଥିଲା ନିଜ ଉପରେ । କିପରି ଗୋଟାଏ ଅଦ୍ଭୁତ ବାସନା ମଥାତୋଳି ଗୁଞ୍ଜନ କରୁଥିଲା ଅନ୍ତରର ଅନ୍ତରାଳରେ ।

 

–ତା’ପରେ–

 

ତା’ପରେ ରାତି ଅଧିକ ହୋଇଥାଏ । ବସୁ ବସୁ କେତେବେଳେ ଏଗାରଟା ବାଜି ଯାଇଥାଏ ଟେର ନଥାଏ ମୋର । ହଠାତ୍ ମୋର ମନେହେଲା କିଏ ଯେପରି ମୋର କାନ୍ଧରେ ହାତ ରଖିଛି । ଭୟରେ ଶିହରଣ ଖେଳିଗଲା ଦେହରେ । ଏତେ ରାତିରେ ମୋ କାନ୍ଧରେ ହାତ ରଖିବ କିଏ ଏଇ ପାଇନ ବଣ ଭିତରେ । କିଛି କହିପାରିଲି ନାହିଁ, ମୁହଁ ବୁଲାଇ ଦେଖିପାରିଲି ନାହିଁ-। କେବଳ ଥିର ହୋଇ ପରକ୍ଷଣରେ କ’ଣ ଘଟିବ ଜାଣିବା ପାଇଁ ଶ୍ୱାସରୁଦ୍ଧ ପ୍ରାୟ ବସି ରହିଲି–

 

–ତା’ପରେ ପଚାରିଲେ ମନୀଷା ।

 

–ଅଦ୍ଭୁତ ସତରେ । ଆଉ ଠିକ୍ କ୍ଷଣକ ପରେ ମୁଁ ଶୁଣିଲି ଯେପରି କିଏ ମୋର କାନେ କାନେ କହୁଛି–ବହୁତ ହୋଇଛି ! ଆଉ ନୁହେଁ । ଏଥର ଫେରିଯାଅ ଘରକୁ । ଅଙ୍କାବଙ୍କା ପଥ ଦେଇ ନୁହେଁ–ଦୁନିଆ ଆଗରେ ସବୁଠାରୁ ଉଜ୍ଜ୍ୱଳ ଏବଂ ପ୍ରଶସ୍ତ ପଥ ଦେଇ ।

 

ଆଶ୍ଚର୍ଯ୍ୟ ହୋଇଗଲି । ସାର ମର୍ମ ବୁଝିଲି ସେଇ କଥାର । ତା’ପରେ ଆଉ ଶୋଚନା କରିବାର ବେଳ ନଥିଲା । ଉଠି ବସିଲି ଫେରିବାପାଇଁ ।

 

–ଅଥଚ କାହାକୁ ଦେଖିଲ ନାହିଁ ପାଖରେ ।

 

–ନା ସେପରି ନୁହେଁ । ଉଠି ବସି ଦେଖେତ ନିକଟରେ ଗୋଟାଏ ପାଇନ ଗଛମୂଳେ ବସିଛି ଗୋଟିଏ ଛାୟାମୂର୍ତ୍ତି । ଟର୍ଚ୍ଚଲାଇଟ ଜଳାଇ ଦେଖିଲି ଜଣେ ସନ୍ନ୍ୟାସୀ ଧ୍ୟାନସ୍ଥ । ଏତେ ନିକଟରେ ଅଥଚ ପୂର୍ବରୁ ଦେଖିପାରି ନଥିଲି ।

 

ଉତ୍ତର ମୁଁ ପାଇସାରିଥିଲି । ସେଇ ଧ୍ୟାନମଗ୍ନ ସନ୍ନ୍ୟାସୀଙ୍କର ଚରଣତଳେ ପ୍ରଣାମ କରି ଭଲ ହେବାର, ପୂର୍ଣ୍ଣ ହେବାର ପଣକରି ଫେରିଲି ବସାକୁ । ଆସି ଦେଖିଲି ସେଇ ସନ୍ଧ୍ୟା ଗାଡ଼ିରେ ଅସୀମା ଫେରିଯାଇଛି । ଫେରିଯିବାର ଯେ ତା’ର ନଥିଲା, ଏପରି ନୁହେଁ । ତା’ର ଫେରିଯିବାର କଥାଟା ମୁଁ କଳ୍ପନା କରୁ ନଥିଲି ମୋରି ନିଜସ୍ୱାର୍ଥରେ ଅନ୍ଧ ହୋଇ ।

 

–ଅଦ୍ଭୁତ ମନେହେଉଛି ଏ ସବୁ; କିନ୍ତୁ ମୁଁ ନିଶ୍ଚିତ ଯେ ଏ କେବଳ ସେଇ ଆଦ୍ୟା ଶକ୍ତିର କରୁଣା ।

 

–ସେଥିରେ ତିଳେ ହେଲେ ସନ୍ଦେହ ନାହିଁ ମନୀଷା ! ଆଜି ତିକ୍ତ ଅତୀତକୁ ତୁମ ଆଗରେ କହିଯିବାର ଦ୍ୱିଧା ମୋର ନାହିଁ । ପାପାଶା ଥିଲେ, ଜଡ଼ତା ରହେ । ସେ ଆଶା ମୋର ଆଉ ନାହିଁ । ଏଣୁ ଜଡ଼ତା ମଧ୍ୟ ନାହିଁ । ବର୍ତ୍ତମାନ ମୁଁ ମୁକ୍ତ ଓ ନିର୍ମଳ ଜୀବନର ଅଧିକାରୀ । ତୁମର ସଂସାରର ସୁଖ–

 

ଆଉ କୁହାଇ ଦେଲେନି ମନୀଷା । ସ୍ୱାମୀଙ୍କ ମୁହଁ ଉପରେ ହାତ ରଖି କହିଲେ–

 

ଥାଉ ଥାଉ ସେତିକି ହୋଇଥାଉ । ବେଶି କୁହନା, ମୋର ଭୟ ହେଉଛି ସତରେ ଭଗବାନ ମୋର ଏତେ ବଡ଼ ସୁଖ ସହ୍ୟ କରିବେ ! ଆଖିରେ ତାଙ୍କର ଲୁହ, ବୁକୁରେ ବିପୁଳ କୋହ-

 

କିନ୍ତୁ ସେ ଲୋତକରେ ଥିଲା ଐଶ୍ୱର୍ଯ୍ୟର ବନ୍ୟା, ସେ କୋହରେ ଥିଲା ଆନନ୍ଦର କୋଳାହଳ ।

 

ଏକ ଅନାଗତର ପଦଧ୍ୱନିରେ ଚମକି ପଡ଼ିଲେ ମନୀଷା । ଦୀକ୍ଷିତ ସାହେବ ସ୍ତ୍ରୀଙ୍କ କପୋଳରେ ବହୁ ଦିନର ସଂଚିତ ଉଷ୍ମ ଚୁମ୍ବନ ଅଙ୍କନ କରି ଦେଇ ଟାଣି ନେଲେ ନିଜ ବୁକୁ ଉପରକୁ-। ପଞ୍ଚତିରିଶବର୍ଷର ମନୀଷା ଆଜି ଆଉଥରେ ପ୍ରଥମ ଫଗୁଣର ଉନ୍ମାଦନା ଅନୁଭବ କଲେ ଅଙ୍ଗ ପ୍ରତ୍ୟଙ୍ଗରେ । ମଳୟର ଶତସହସ୍ର ଲହରୀ ଲାଗିଲା ତାଙ୍କର ଶିରାରେ ଶିରାରେ, ପ୍ରତ୍ୟେକ ରକ୍ତ କଣିକାରେ । ସେ ଦୀକ୍ଷିତ ସାହେବଙ୍କ ଛାତି ଉପରେ ମୁହଁ ଗୁଞ୍ଜି ଅନୁନୟ କଲେ–ମୋତେ ପୂର୍ଣ୍ଣକର, ମୋତେ ଧନ୍ୟ କର । ମୋତେ ମୋର ସୃଷ୍ଟିର ଆନନ୍ଦ ଦିଅ । ମୋତେ ଜନନୀ କର ।

 

ଆଖି ବୁଜି ସ୍ତ୍ରୀଙ୍କର ମଥା ଉପରେ ହାତ ବୁଲାଇ ଦେଉଁ ଦେଉଁ ଭାଷାର ଆଡ଼ମ୍ବରରେ ନୁହେଁ, ବ୍ୟବହାରର ମାଧୁର୍ଯ୍ୟରେ ନିଜର ସମ୍ମତି ଜଣାଇଲେ ବିଭୂତି ଦୀକ୍ଷିତ ।

 

ଅଠର

 

ଦୀକ୍ଷିତ ସାହେବ ପୂଜା କରୁଥିଲେ । ମନୀଷା ବାରଣ୍ତାର ଗୋଟାଏ ଆରାମ ଚୌକିଉପରେ ବସି ଗୋଟିଏ ପତ୍ରିକାଉପରେ ଆଖି ବୁଲାଉଥିଲେ । ହଠାତ୍ ତାଙ୍କର ନଜର ପଡ଼ିଗଲା ଦେବଦତ୍ତର ଗାଡ଼ିଟା ଉପରେ । ତାଙ୍କରି ଗେଟ ସେପାଖରେ ଚାଲି ଯାଉଥିବାବେଳେ ସେ ହାତ ଦେଖାଇଲେ । ଦେବଦତ୍ତର ନଜର ସେଇଆଡ଼େ ଥିଲା–ସେ ସହଜରେ ଦେଖିପାରିଲା ମନୀଷାଙ୍କୁ ।

 

ଗାଡ଼ି ବନ୍ଦ କରି ଓହ୍ଲାଇ ପଡ଼ି ଫାଟକ ଖୋଲି ଭିତରକୁ ଗଲା ଦେବଦତ୍ତ ।

 

–ଆରେ ଦେବଦତ୍ତ ଯେ !

 

–ହଁ ଦିଦି, ଦେବଦତ୍ତ !

 

ଦେବଦତ୍ତ ଦୀକ୍ଷିତ ସାହେବଙ୍କ ଆବର୍ତ୍ତମାନରେ ମନୀଷାଙ୍କୁ ଦିଦି ବୋଲି ସମ୍ବୋଧନ କରେ । ଏହା ତା’ର ଇଚ୍ଛାକୃତ ନ ହେଲେ ମଧ୍ୟ ଅନିଚ୍ଛାକୃତ ନୁହେଁ । ଏହା ମନୀଷାଙ୍କ ନିର୍ଦ୍ଦେଶ । ଦେବଦତ୍ତ ଯେତେବେଳେ ନୂଆ ହୋଇ ଆସି ଜଏନ୍ କଲା, ଖଡ଼ଗପୁରରେ ଦୀକ୍ଷିତ ସାହେବ ଲଞ୍ଚ ଖୁଆଇବା ପାଇଁ ମଧ୍ୟାହ୍ନରେ ନେଇ ଆସିଥିଲେ ତାକୁ ନିଜ ବଙ୍ଗଳାକୁ । ଦେବଦତ୍ତର ଦୀର୍ଘ ବଳିଷ୍ଠ ସୁଶ୍ରୀ ଗଠନ, ମିତ ବ୍ୟବହାର ଏବଂ ସର୍ବୋପରି ତା’ର ସଦାପ୍ରସନ୍ନ ମୁଖମଣ୍ତଳ ମନୀଷାଙ୍କୁ ମୁଗ୍ଧ କରିଥିଲା । ବୟସରେ ଦେବଦତ୍ତ ତାଙ୍କଠାରୁ ପ୍ରାୟ ଛଅ ସାତବର୍ଷର ସାନ ହେବ । ସେଇଥିପାଇଁ ତାକୁ ଦିଦି ଡାକିବାପାଇଁ ଚୁପି ଚୁପି କହିଥିଲେ । ବଡ଼ ଲୋଭ ଥିଲା ତାଙ୍କର ଏଇ ଡାକରେ । ଦେବଦତ୍ତ ରାଜି ହୋଇଥିଲା ଆନନ୍ଦରେ; କିନ୍ତୁ ସର୍ତ୍ତଥିଲା ଦୀକ୍ଷିତ ସାହେବଙ୍କ ଆବର୍ତ୍ତମାନରେହିଁ କେବଳ ସେ ଦିଦି ବୋଲି ଡାକିବ । ଯେତେହେଲେ ସେ ତା’ର ବଡ଼ ସାହେବ ।

 

ମନୀଷା ସେତେବେଳେ ଟିକିଏ ହସି ସମ୍ମତି ଦେଇଥିଲେ । ପ୍ରତିବାଦ କରି ନଥିଲେ । ଦୀକ୍ଷିତ ସାହେବ ସେତେବେଳେ ପୂରା ସାହେବ ଯେ ! ଆଜି ପୂର୍ବ ସ୍ମୃତି ମନେପଡ଼ିଲା ତାଙ୍କର ।

 

–ଏତେଦିନ ପରେ ମନେପଡ଼ିଲା ଦେବ !

 

ଲାଜେଇ ଗଲା ଦେବଦତ୍ତ ଏଇ ଅନୁଯୋଗ ଶୁଣି । ସତରେ ତ ପ୍ରାୟ ଛ’ ମାସ ହେବ ଏଇ ବାଟଦେଇ ଏତେ ଥର ଗଲେ ମଧ୍ୟ ଥରେ ହେଲେ ଆସିନାହିଁ ସେ; କିନ୍ତୁ ସରଳ ସହଜ ଉତ୍ତର ଦେଲା–

 

–ମନେଥିଲା ଯେ ଦିଦି, ସମୟ ପାଉ ନଥିଲି ।

 

–ଦିଦି ଆଗରେ ଏଇମିତି ମିଛ କହିବାପାଇଁ କିଏ ଶିଖାଇଲା ଦେବ !

 

କୌତୁକ କରି କହିଲେ ମନୀଷା । କିନ୍ତୁ ଲଜ୍ଜାରେ ଲାଲ ପଡ଼ିଗଲା ଦେବଦତ୍ତର ସମଗ୍ର ମୁଖମଣ୍ତଳ । ସେ ଅନୁନୟ କରି କହିଲା–ଧୀରେ ଧୀରେ ଦିଦି ! ଶୁଣିଛି ସାହେବ ଫେରିଆସିଛନ୍ତି-।

 

–କାହିଁକି ସାହେବଙ୍କୁ ତ ଦେଖୁଛି ଖୁବ୍ ଭୟ । ଅତି ଭକ୍ତି ଭଲ ନୁହେଁ ଭାଇ ।

 

–ନା, ନା, ଦିଦି । ସେ ବଡ଼ ସାହେବ ଯେ । କ’ଣ ଭାବିବେ କେଜାଣି ।

 

–ତୁମର ଦିଦି ଡାକ ସେ ଜାଣିପାରିଛନ୍ତି ।

 

ସାମାନ୍ୟ ଗମ୍ଭୀର ହୋଇ କହିଲେ ମନୀଷା । ସେ ଦେବଦତ୍ତର ମୁହଁ ଉପରେ ପ୍ରତିକ୍ରିୟା ଲକ୍ଷ୍ୟ କରିବା ପାଇଁ ମଝିରେ ମଝିରେ ଅନାଉଥିଲେ ତା’ ମୁହଁକୁ ।

 

ମୁକ୍ତା ବିନ୍ଦୁ ପରି କେଇଟା ଘର୍ମ ବିନ୍ଦୁ ଦେଖାଗଲା ଦେବଦତ୍ତର ପ୍ରଶସ୍ତ କପୋଳ ଉପରେ । ସେ ସନ୍ତର୍ପଣରେ କହିଲା–ସତରେ ଦିଦି ଆପଣ ବଡ଼ ଅନ୍ୟାୟ କରିଛନ୍ତି ସାହେବଙ୍କୁ ଜଣାଇ ।

 

ନିଜର ଛୋଟ ଭାଇକୁ ଆବଦାର କଲାଭଳି ସ୍ୱରରେ କହିଲେ ସେ,–ଏଇଥିପାଇଁ ଏତେ ଡର । ଆଉ ସମସ୍ତେ କହନ୍ତି କିନା ଦେବଦତ୍ତ ପରି ସାହସୀ ଅଫିସର ଖଡ଼ଗ୍‍ପୁରରେ କେହି ନାହାନ୍ତି-

 

କହୁଁ କହୁଁ ଭଗ୍ନୀର ବିମଳ ହସ ଫୁଲଝରି ପରି ପ୍ରବଳ ବେଗରେ ଝରି ପଡ଼ିଲା ତାଙ୍କ ମୁହଁ ଉପରେ । ସେଇ ହସ, ସେଇ ସ୍ନେହାଲୋକରେ ସମଗ୍ର ପରିବେଶ ଶାନ୍ତ, ଶୀତଳ ଏବଂ ମଧୁର ହୋଇ ଉଠିଲା । ସେ ଏତେ ସୁନ୍ଦର । ତାଙ୍କ ହସରେ ଏତେ ସ୍ନେହ ସୋହାଗ ମିଶି ରହିଛି, ଏଇ ପ୍ରଥମ କରି ଅନୁଭବ କଲା ଦେବଦତ୍ତ ।

 

–ତୁମର କିଛି ଭୟ ନାହିଁ ଦେବୁ–ସାହେବ ପୂଜା କରୁଛନ୍ତି ।

 

–ସାହେବ ପୂଜା କରୁଛନ୍ତି ! କାନକୁ ଯେପରି ବିଶ୍ୱାସ କରିପାରୁ ନଥିଲା ଦେବଦତ୍ତ । ସେ ଥତମତ ହୋଇ ଜିଜ୍ଞାସା କଲା–କ’ଣ କରୁଛନ୍ତି ?

 

–ପୂଜା କରୁଛନ୍ତି । ବଡ଼ ଆଶ୍ଚର୍ଯ୍ୟ ହେଲ ଯେ ?

 

–ସତରେ ଆଶ୍ଚର୍ଯ୍ୟ ହେବାର କଥା ଯେ ଦିଦି । ହୁଏତ ମିଶରର ପିରାମିଡ଼ ବା ଅନ୍ୟ ସପ୍ତାଶ୍ଚଯ୍ୟାମାନଙ୍କ ମଧ୍ୟରୁ କୌଣସିଟିକୁ ହଠାତ୍ ଦେଖିବାର ପରମ ସୌଭାଗ୍ୟକୁ ଲାଭ କଲେ ମଧ୍ୟ ମୁଁ ଏତେ ଅଧିକ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ–

 

–ସତ ଭାଇ ! କିନ୍ତୁ ପୃଥିବୀ ବଦଳୁଛି । ଦୀକ୍ଷିତ ସାହେବ ବଦଳି ଯାଇଛନ୍ତି ।

 

ଆଶ୍ଚର୍ଯ୍ୟ ଚକିତ ଅବିଶ୍ୱାସ୍ୟ ଚକ୍ଷୁରେ ଅନାଇଲା ଦେବଦତ୍ତ ମନୀଷାଙ୍କ ମୁହଁ ଉପରକୁ । ଦେଖିଲା ନାହିଁ ସେ ମୁହଁ ଉପରେ କୌଣସି ଛଳ ବା ତାକୁ ଭୁଲାଇବାର ପ୍ରଯତ୍ନ । ମନୀଷା ଈଷତ୍ ହସୁଥିଲେ । ତାଙ୍କୁ ଆଉଥରେ ପ୍ରଶ୍ନ କଲା ଦେବଦତ୍ତ–ପୃଥିବୀ ପରିବର୍ତ୍ତନଶୀଳ । ମଣିଷର ମନ ମଧ୍ୟ । କିନ୍ତୁ ଦୀକ୍ଷିତ ସାହେବ !

 

–ଦୀକ୍ଷିତ ସାହେବ କ’ଣ ମଣିଷଠାରୁ ଅଲଗା ଦେବୁ !

 

–ମୋର ତ ତାଙ୍କ ଉପରଟା ଦେଖି ଥରେ ଥରେ ସେଇ ଭୟ ହେଉଥିଲା ଦିଦି ।

 

–ସେ ଭୟ ଆଉ ତୁମର ରହିବ ନାହିଁ । ବସ, ମୁଁ ଚା’ପାଇଁ କହି ଦେଇଆସେ ।

 

ଦେବଦତ୍ତ ବାଧା ଦେଲାନି । ବାଧା ଦେବା ନିଷ୍ପ୍ରୟୋଜନ । କାରଣ ବାଧା ଦେଲେ ମଧ୍ୟ ସେ ଭଲଭାବରେ ଜାଣେ ଏଇ ଧର୍ମପରାୟଣା ପତିଭକ୍ତା ଭଦ୍ରମହିଳା କେବେ ଅଭୁକ୍ତ କାହାକୁ ଦ୍ୱାରଦେଶରୁ ଫେରାଇ ଦେଇନାହାନ୍ତି । ତା’ର ଭାବନାକୁ ଗୋଳମାଳ କରି ମିନିଟ୍ ମଧ୍ୟରେ ଫେରିଆସିଲେ ମନୀଷା ।

 

–ତାହେଲେ ଆଉ ସବୁ ଖବର କ’ଣ ? ସେ ପଚାରିଲେ ।

 

–ଖବର ଆଉ କ’ଣ ଦିଦି । ଶୁଣିଲେ ଅବିନାଶ ବାବୁ ଚାରିମାସ ଛୁଟି ନେଉଛନ୍ତି ।

 

–ଚା...ରି...ମା...ସ ।

 

ଆଶ୍ଚର୍ଯ୍ୟ ହୋଇ କହିଲେ ମନୀଷା ।

 

–ହଁ ଚାରିମାସ । ଶୁଣୁଛି କୁଆଡ଼େ ବିଦେଶ ଯିବେ ।

 

–ବିଦେଶ ! କାହିଁକି?

 

–ଜାଣେନା, ହୁଏତ ଏଇପରି !

 

କ’ଣ ଯେପରି ଭାବିଲେ ମନୀଷା । ତା’ପରେ ସେ କଥା ଏଡ଼ିଯାଇ ଅନ୍ୟ ପ୍ରସଙ୍ଗର ଅବତାରଣା କଲେ ।

 

–ତୁମେ ଧର୍ମ ମାନ ଦେବୁ ?

 

–ଅମାନ୍ୟତ କରିଆସିଛି ଆଜିଯାଏ । ଦେବଦତ୍ତର ସିଧା ଉତ୍ତର ।

 

–ତୁମେ କ’ଣ ବିଶ୍ୱାସ କରନା, ନା ଅମାନ୍ୟ କରି ଯିବାଟାହିଁ ପ୍ରଧାନ ।

 

–ବିଶ୍ୱାସ ଅବିଶ୍ୱାସର କଥା ନୁହେଁ ଦିଦି । ମୋତେ କାହିଁକି ସେ ସବୁ କଥା ଚିନ୍ତା କରିବା ପାଇଁ ମଧ୍ୟ ଭଲଲାଗେନା ।

 

–କେବେ ଚିନ୍ତା କରିଥିଲେ ହୁଏତ ଭଲଲାଗିଥାନ୍ତା; କିନ୍ତୁ–

 

–କିନ୍ତୁ କେହି ତ ମାନୁନାହାନ୍ତି ଦିଦି ।

 

–ସେଇଠେଇଁ ଆମର କେବଳ ବ୍ୟକ୍ତିଗତ ନୁହେଁ, ସମୂହ ଦୁର୍ବଳତା ଦେବୁ ! ଅଥଚ ଏହି ଧର୍ମ ବିଶ୍ୱାସହିଁ ଯୁଗ ଯୁଗ ଧରି ମଣିଷକୁ ସତ୍, ମହତ୍ ଏବଂ ସରଳ ହେବା ପାଇଁ ଶିଖାଇ ଆସିଛି ।

 

–ଧର୍ମ ଅବଲମ୍ବନ ନ କରି ମଣିଷ ସତ୍ ଏବଂ ମହତ୍ ହୋଇପାରେନା ଦିଦି !

 

–ନା, ଭାଇ । ଧର୍ମ ମଣିଷର ଆତ୍ମବିଶ୍ୱାସକୁ ଦୃଢ଼ କରେ, ତାକୁ ଆଣିଦିଏ କର୍ମ ପ୍ରେରଣା ଏବଂ ପ୍ରତ୍ୟୟ ଏବଂ ଭଲ ମନ୍ଦର ବିଚାରଶକ୍ତି ଭିତରେ ସେ ନ୍ୟାୟକୁହିଁ ନିର୍ବାଚନ କରିବା ପାଇଁ ଶିଖେ ।

 

–କିନ୍ତୁ ଅନେକ ବଡ଼ ବଡ଼ ଲୋକ ତ ଧର୍ମ ମାନନ୍ତି ନାହିଁ, ଅଥଚ ତଥାପି ସେମାନେ ସତ୍ ଏବଂ ମହତ୍ । ଜୀବନରେ କେବଳ ନ୍ୟାୟ ପ୍ରତିଶକ୍ତି ପାଇଁ ଅଧ୍ୟବସାୟ କରି ଯାଇଅଛନ୍ତି ।

 

–ସେମାନେ ଅଜ୍ଞାତରେ ଧର୍ମର ମୂଳ ବସ୍ତୁକୁ ଅବଲମ୍ବନ କରିଛନ୍ତି । ନିଜର ଅସାରତା ବୁଝିପାରି ଧର୍ମର ସାରତତ୍ତ୍ୱ ମଣିଷର ସେବା ଭିତରେ ନିଜକୁ ଉତ୍ସର୍ଗ କରିଛନ୍ତି ।

 

ଅଭିଭୂତ ପ୍ରାୟ ଶୁଣୁଥିଲା ଦେବଦତ୍ତ ମନୀଷାଙ୍କ କଥା । ବେଶ୍ ଭଲଲାଗିଥିଲା ଶୁଣିବାକୁ ।

 

–ଅଥଚ ଦେଖ ଏଇ ଦେଶରେ ଧର୍ମକୁ ଅମାନ୍ୟ କରିବାଟାହିଁ ହେଉଛି କେତେକ ଲୋକଙ୍କର ଗୋଟାଏ ଫେସନ ରୀତି ।

 

–କ୍ଷତି ତ ସେମାନଙ୍କର କିଛି ହେଉନି ଦିଦି !

 

–ହେଉନି, ଯଥେଷ୍ଟ ହେଉଛି । ଏଇ ଦେଖ କିପରି ପ୍ରତ୍ୟେକ କ୍ଷେତ୍ରରେ ଆମର ନୀତି ବୋଲି କିଛି ଗୋଟାଏ ପରିଲକ୍ଷିତ ହେଉନାହିଁ । କେଉଁ ଆମେରିକାରେ କିଏ ମିନିସ୍କାର୍ଟ ପିନ୍ଧିଲା–ଆମେ ତାକୁ ଗ୍ରହଣ କରିବା ପାଇଁ ପାଗଳ । ଡ୍ରେନ ପାଇପ୍ ତ ଆଗରୁ ଖାଇ ବସିଛି ଆମକୁ ।

 

–ଏ ସବୁ ନୂତନ ଫେସନ ଦିଦି । ସେଇ ପୁରୁଣା ଚିରାଚରିତ ପନ୍ଥାକୁ ଫୋପାଡ଼ି ଦେବାର ଏହା ଏକ ପଥ ।

 

–ସତ କହୁଛି । କିନ୍ତୁ ଯାହା ଫିଙ୍ଗି ଦେଉଛି, ତାହାଠାରୁ ଏଇ ନୂତନ ବେଶ କେଉଁ ଗୁଣରେ ଉତ୍ତମ ଥରେ କେହି ପରୀକ୍ଷା କରି ଦେଖିଛି କି ? ନା ! କେବଳ ଗଡ଼୍ଡ଼ଳିକା ସ୍ରୋତରେ ଭାସି ଯାଇଛନ୍ତି ସମସ୍ତେ । ଆମର ସଂସ୍କାର ସଂସ୍କୃତି ଏବଂ ସମାଜକୁ ଦେଖ । ମଣିଷ ଆଦିମ ଯୁଗରେ ନଗ୍ନଥିଲା । ସଭ୍ୟ ହେଲା ଲଜ୍ଜା ନିବାରଣ କରି; ଅଥଚ ଆଜିକାଲି ଝିଅମାନଙ୍କୁ ଦେଖ–ଯେ ଯେତିକି ଅଙ୍ଗ ମୁକୁଳିତ କରିପାରିବ–ସେ ସେତିକି ଆଧୁନିକା–ସେତିକି ଶିକ୍ଷିତା ।

 

–ଆଜି ମଣିଷର ମନ ମୁକ୍ତହେବା ପାଇଁ ଚାହେଁ । ସମାଜର ବେଷ୍ଟନୀ ଭିତରେ ଆଉ ଶ୍ୱାସରୁଦ୍ଧ ହୋଇ ବଞ୍ଚି ରହିବାପାଇଁ ଇଚ୍ଛା ନାହିଁ ତା’ର ।

 

–କାହାକୁ ତୁମେ ବେଷ୍ଟନୀ କହୁଛ । ଯାହା ରୁଚି, ସଂସ୍କୃତି ଏବଂ ଯୁଗ ଯୁଗର ସଂସ୍କାର ଦେଇ ଗଢ଼ା ହୋଇଛି । ତା’ର ମୂଲ୍ୟବୋଧ ବିଚାର ନ କରି ଏଭଳି ସହଜରେ ଫିଙ୍ଗି ଦେବା ଚଳେନା; ଅଥଚ ଏଇ କଥା ହେଉଛି ବୋଲି ଆଜି ବ୍ୟଭିଚାର, ଅନାଚାର ସ୍ୱୈରାଚାରର ଅନ୍ତ ନାହିଁ-

 

–ଆଜିବି ତ ଲୋକେ ସଭ୍ୟତାର ଚରମ ଶିଖର ଉପରକୁ ଉଠିବା ପାଇଁ ପ୍ରଯତ୍ନ କରୁଛନ୍ତି ।

 

–ଉଠିବାପାଇଁ ନୁହେଁ, ଆତ୍ମହତ୍ୟା କରିବା ପାଇଁ । ପ୍ରାଚୀନ ଇତିହାସକୁ ଚାହିଁ ଦେଖ । ସେଇ ସମାଜ ସୀତା ସାବିତ୍ରୀଙ୍କ ପରି ସତୀ ସ୍ୱାଧୀ ସ୍ତ୍ରୀ, ମୈତ୍ରେୟୀ ଏବଂ ଗାର୍ଗୀଙ୍କ ପରି ଅସମାନ୍ୟ-। ପଣ୍ତିତମାନଙ୍କୁ ଧାରଣ କରି ଉନ୍ନତ ହୋଇଥିଲା । ଆଜିର ସମାଜ ଏବଂ ପୁରୁଷ ଓ ସ୍ତ୍ରୀମାନଙ୍କୁ ଦେଖ । ଆଜିର ମିନିସ୍କାର୍ଟର ଅନାବରଣ ଭିତରେ ନିଜର ପ୍ରକାଶହିଁ ବଡ଼ । ଆବରଣ ସଂସ୍କୃତିର ଏକ ଅଙ୍ଗ; କିନ୍ତୁ ଆଜି ସେ ଅଧିକ ଆଧୁନିକା ଯେ ନିଜର ଯୌବନକୁ ଯେତେ ଅଧିକ ପରିମାଣରେ ଅନ୍ୟମାନଙ୍କ ଆଖିଆଗରେ ମୁକୁଳିତ କରିପାରିଛି । ଏ ସବୁ ଦେଖି ମୁଁ ଲଜ୍ଜାରେ ମରିଯାଏ ଦେବଦତ୍ତ ।

 

ଦେବଦତ୍ତ ଶୁଣିଯାଉଥିଲା ଏଇ ସବୁ କଥା । ଭଲଲାଗୁ ନଥିଲେ ମଧ୍ୟ ଖରାପ ମଧ୍ୟ ଲାଗୁ ନଥିଲା । ଆଜି ବହୁ ଦିନର ପରିଚୟ ଭିତରେ ସେ କେତେ ସ୍ତ୍ରୀଙ୍କ ସମ୍ପର୍କରେ ଆସିଛି; କିନ୍ତୁ କାହା ପାଖରେ ଏପରି ଏକ ସଂସ୍କୃତ ଓ ସୃଜନଶୀଳ ମନର ପରିଚୟ ପାଇ ନାହିଁ । ମନୀଷା କିଛିକ୍ଷଣ ଶାନ୍ତ ରହି କହିଲେ–

 

“ଆରେ ଦେଖ ତ । ମୁଁ ତୁମକଥା ଭୁଲିଯାଇ କେବଳ ବକିବାରେ ଲାଗିଛି । କେତେ ସମୟ ଗପିଲିଣି । ବସ, ମୁଁ ଚା’ ଆଣୁଛି ।

 

ବସନ୍ତୁନା ଦିଦି । ବେଶ୍ ଭଲ କଥା ତ ଆପଣ କହୁଛନ୍ତି । ଚା’ ପାନ ପରେ କଲେ କ’ଣ ଚଳିବନି । ଦୀକ୍ଷିତ ସାହେବ ମଧ୍ୟ ଆସିବେ ଯେ ।

 

–ହଁ ଆସିବେ । ଆସିବା ବେଳ ହୋଇଗଲା । ତା’ପରେ କିଛି ସମୟ ମୌନ ରହି ଉଠୁ ଉଠୁ ପୁଣି ବସି ପଡ଼ି ଧୀରେ ସଂଯତ କଣ୍ଠରେ କହିଲେ, “କିଛି ମନେ ନ କଲେ ତୁମ ପାଖରେ ଗୋଟିଏ ଅନୁରୋଧ ଭାଇ ।

 

–ନା, ନା ମନେ କରିବି କ’ଣ । ଆପଣ ନିଶ୍ଚିନ୍ତ ହୋଇ କୁହନ୍ତୁ ।

 

–ବଡ଼ ସାଧାରଣ କଥା ନୁହେଁ ଦେବୁ । ମୋତେ କଥା ଦବାକୁ ପଡ଼ିବ, ତୁମେ ମୋ ଅନୁରୋଧ ଏଡ଼ି ଯିବ ନାହିଁ ।

 

ନା, ନା, କହନ୍ତୁ । କିଛି ନ ଭାବି କହିଲା ଦେବଦତ୍ତ । କିଛି ସମୟ ନୀରବରେ କଟିଗଲା-। ତା’ପରେ ଇତଃସ୍ତତହୋଇ ଆରମ୍ଭ କଲେ ମନୀଷା । ଏଇ ଅସୀମା କଥା କହୁଥିଲି । କାହା ବିଷୟରେ କଥା କହିବା ବା ଚର୍ଚ୍ଚା କରିବା ମୋର ଅଭ୍ୟାସ ନୁହେଁ ଦେବ । ମୋତେ ତାହା ଭଲଲାଗେନା । କେଜାଣି କାହିଁକି ରୁଚିରେ ବାଧେ; ଅଥଚ ଆଜି ନ କହି ରହିପାରୁନି ।

 

ସ୍ତବ୍ଧ ହୋଇ ଶୁଣୁଥିଲା ଦେବଦତ୍ତ ଏଇ ଶେଷ କେଇପଦ କଥା । ଶୁଣିବାକୁ ଆଉ ଭଲଲାଗୁ ନଥିଲା, ଉଠି ଯିବାର ଉପାୟ ନଥିଲା । ଅସୀମା ସମ୍ବନ୍ଧରେ କ’ଣ କହିପାରନ୍ତି ମିସେସ୍ ଦୀକ୍ଷିତ ସେ ବେଶ୍ ଅନୁମାନ କରିପାରୁଥିଲା । ଗୋଟାଏ ଶ୍ରୀହୀନ ଇଙ୍ଗିତ ହୁଏନା ତା’ ପ୍ରତି ପ୍ରକାଶ ପାଇବ ସେଇ କଥା ପ୍ରସଙ୍ଗରେ । ସଙ୍କୋଚ ବୋଧ କରୁଥିଲା ସେ । ଅଥଚ ସ୍ପଷ୍ଟ ଭାବରେ କଥା ପ୍ରସଙ୍ଗ ଏଡ଼ାଇ ଯିବାର ସାହସ ହେଉ ନଥିଲା ତା’ର ।

 

ମନୀଷା ଦେବଦତ୍ତର ଭାବାନ୍ତର ଲକ୍ଷ୍ୟ କଲେକି ନା କହି ହେବନାହିଁ; କିନ୍ତୁ ଦେବଦତ୍ତ ସହିତ ଅସୀମାଙ୍କ ସମ୍ପର୍କ କାହାକୁ ଅଜଣା ନଥିଲା । ସେଇଥିପାଇଁ ଆଜି ଏଇ ସନ୍ଧ୍ୟାରେ ତା’ରି ଆଗରେ କହିବା ପାଇଁ ଚାହାନ୍ତି ସେ ପ୍ରତିଶୋଧ ଆଶାରେ ନୁହେଁ–ଯାହା ଅଶୋଭନ, ଗର୍ହିତ ତା’ର ପ୍ରତିରୋଧ କରିବା ପାଇଁ ।

 

–କିଛି ମନେକରିବନି ଦେବଦତ୍ତ । ତୁମେ ହୁଏତ ଲକ୍ଷ୍ୟ କରିଛ କି ନା ଜାଣେନା; କିନ୍ତୁ ଖବର ନେଲେ ଜାଣିପାରିବ ମି: ମହାନ୍ତିଙ୍କ ଅବସ୍ଥା । ଦୋଷ ମୁଁ କାହାରି ଦେଉନି । ଏ ବୟସର ଏକ ଅନିବାର୍ଯ୍ୟ ଆକର୍ଷଣ, ଦୁର୍ଦ୍ଦନୀୟ ଏହାର ପ୍ରୟୋଜନୀୟତା; କିନ୍ତୁ ସବୁ ପ୍ରୟୋଜନ ସବୁ ପ୍ରୟାସ କ’ଣ ସୁନ୍ଦର ଏବଂ ରୁଚିକର ?

 

ଦେବଦତ୍ତର ସମସ୍ତ ଶରୀରକୁ ଏକ ଅସ୍ୱସ୍ତିକର ଅନୁଭୂତି ଗ୍ରାସ କରୁଥିଲା । ସେ ଏଥିରୁ ପରିତ୍ରାଣ ପାଇବାର ଉପାୟ ଖୋଜି ପାଉ ନଥିଲା । ପାଇବ କେମିତି ? ଯେଉଁ ଲାଳସା ତା’ର ଅଙ୍ଗ ପ୍ରତ୍ୟଙ୍ଗରେ ଶିହରଣ ତୋଳେ, ତାହା ସର୍ପର ସପ୍ତବେଷ୍ଟନୀ ପରି ବିଚାର ବୁଦ୍ଧିକୁ ଆକ୍ରାନ୍ତ କରିଛି । ଦେବଦତ୍ତ ଅସ୍ଥିର ଚିତ୍ତରେ ଏଣେତେଣେ ଚାହୁଁଥିଲା ।

 

“ଅସୀମା ବିବାହିତା–ଗୃହିଣୀ । ପିଲା ବୟସ । ସଂସାର ସମ୍ବନ୍ଧରେ ଅଭିଜ୍ଞତା କମ୍ । ମୋର ଅନୁରୋଧ, ଭାଇ ତାକୁ ସମାଜର ସିଧା ପଥକୁ ଫେରାଇ ଆଣିବାକୁ ହେବ । ଆଉ ମୋର ବିଶ୍ୱାସ ତମେ ଏହା କରିପାରିବ ଦେବ ।

 

ଚମକି ପଡ଼ିଲା ଦେବଦତ୍ତ । ହୃଦୟର କେଉଁ ଏକ ନିଭୃତ କୋଣରେ ଏକ ଅବ୍ୟକ୍ତ ବ୍ୟଥା ଏବଂ ବେଦନାରେ ଟଣ ଟଣ କରି ଉଠିଲା । ସେ କ’ଣ ଅସୀମାର ପଦ ସ୍ଖଳନ ପାଇଁ ଏକା ଦାୟୀ ? ସେ କ’ଣ ଅସୀମାକୁ ଏକ ବିଶୃଙ୍ଖଳ ଜୀବନର ଅପରିସୀମ ସ୍ୱାଦର ଆକର୍ଷଣ ଦେଖାଇ ଆଗେଇ ଆସିବାପାଇଁ ସାହାଯ୍ୟ କରିଛି ? ହୃଦୟର ଏକ ନିଭୃତ କୋଣରେ–ଯେଉଁଠି ମଣିଷର ପାଞ୍ଚମନ ପଚିଶ ପ୍ରକୃତିର ତାଡ଼ନା ସବୁବେଳେ ଶୁଣାଯାଏ ନାହିଁ; ଯେଉଁଠି ଭଲ ମଣିଷର ସମ୍ବେଦନ, ବିଚାର ବୁଦ୍ଧି ଏବଂ ଆତ୍ମପ୍ରତ୍ୟୟ କ୍ଷଣିକପାଇଁ ହେଲେ ମଧ୍ୟ ତାକୁ ଥରେ ଥରେ ଆଲୋଡ଼ିତ କରେ–ସେଇଠି କିଏ ଯେପରି ଆଘାତ କଲା ଦେବଦତ୍ତର । ସେଇ ଆଘାତର କ୍ଷତ ସ୍ପର୍ଶରେ ଶିହରି ଉଠିଲା ଭିତରର ଦେବଦତ୍ତ । ଭିତରର ଶୋଣିତ ବହ୍ନି ଲଜ୍ଜା ଏବଂ ଆତ୍ମ ତିତୀକ୍ଷାର ରୂପାନ୍ତର ନେଲା କପୋଳ, କର୍ଣ୍ଣ ଏବଂ ନାସାର ସ୍ୱେଦ ବିନ୍ଦୁରେ । ଝାଳେଇ ଯାଇଥିଲା ଦେବଦତ୍ତ ।

 

ଅନୁଚ୍ଚ କଣ୍ଠରେ କହିଲା ସେ–ମୁଁ କ’ଣ କରିପାରେ କୁହନ୍ତୁ ।

 

ଆଶାନ୍ୱିତ ମନୀଷା ହାତରେ ସରଗ ପାଇଲେ ଯେପରି । ସେ ନିଜର ଗ୍ଳାନି, ନିଜର ଅପରିସୀମା ବେଦନାକୁ ଆଉ ଲୁଚାଇ ରଖିପାରିଲେ ନାହିଁ ।–କହିଲେ ଏଇ ଦୀକ୍ଷିତ ସାହେବ ମଧ୍ୟ ତା’ରି ପଛେ ପଛେ କାୟା ସହିତ ଛାୟା ଘୂରିଲାପରି ଘୂରିଲେ ଅନେକ ଦିନ; କିନ୍ତୁ ମଣିଷର ଭଲ ପ୍ରକୃତି, ତା’ର ଆତ୍ମଚେତନା ଥରେ ଥରେ ଚେଇଁ ଉଠେ ଦେବଦତ୍ତ । ସେଇ ମୁହୂର୍ତ୍ତରେ ଆହ୍ୱାନ ଯଦି ମଣିଷ ଶୁଣିପାରେ, ଭଲ ହୋଇଯାଏ ସେ–ଭେଲକୁ ପରିତ୍ୟାଗ କରେ । ଆଉ ତୁମ ପାଖରେ କହିବାର ମୋର ଦ୍ୱିଧା ନାହିଁ ଯେ ସେଇ ଆତ୍ମପରିଚୟ ପାଇ ଭଲ ପଥକୁ ଫେରିଆସିଲେ ଦୀକ୍ଷିତ ସାହେବ ।

 

ଲକ୍ଷ୍ୟକଲା ଦେବଦତ୍ତ ମନୀଷା ଶେଷ କେଇପଦ କଥା । ଅନ୍ତରାନୁଭୂତିରେ ଆପ୍ଳୁତ । ଆଶ୍ଚର୍ଯ୍ୟ ହୋଇ ଦେଖିଲା ସେ ଦୁଇବିନ୍ଦୁ ଲୁହ ତାଙ୍କର ଚକ୍ଷୁ ପ୍ରାନ୍ତରେ ଟଳମଳ ହେଉଥିଲା । ବୁଝିପାରିଲା ଦେବଦତ୍ତ ମନୀଷାଙ୍କ ସେଇ ସତ୍ୟ ପ୍ରକାଶ ମୂଳରେ ନାରୀ ପ୍ରାଣର ଏକ ଅରକ୍ଷିତ ଅନ୍ତଃସ୍ଥଳର ବେଦନା କିଭଳି ନିମିଷେକରେ ନିର୍ଗତ ହୋଇଗଲା ତାଙ୍କର ଅଲକ୍ଷରେ । ସେ ହାହାକାର କରୁଣତାର ପଟାନ୍ତର ନାହିଁ, ସେ ଅନ୍ତଦାହର ଆକୁଳତାରେ ଚିରଆଚ୍ଛନ୍ନ । ସେ ହୃଦୟ ପୃଥିବୀର ସମସ୍ତ ସମ୍ବେଦନ ସହାନୁଭୂତି ଏବଂ ସ୍ନେହର ସ୍ପର୍ଶ କାତରତାର ଊର୍ଦ୍ଧ୍ୱରେ । ତାକୁ ଥରେ ଆଘାତ କରି ଆଉ ଶତ ସହସ୍ରବାର ପ୍ରେମ, ସ୍ନେହ ଏବଂ ଭଲପାଇବାର ପ୍ରଲେପରେ ଶାନ୍ତ ଶୀତଳ କରାଯାଇ ପାରେନା ।

 

ସେ ନିର୍ବାକ ନିସ୍ପନ୍ଦଭାବରେ ଚାହିଁ ରହିଲା ନୀଳ ଆକାଶର ଚକ୍ରବାଳକୁ । ସନ୍ଧ୍ୟା ନଇଁ ଆସୁଥିଲା ଦିଗନ୍ତର ଧାରେ ଧାରେ ।

 

ଆଉ କିଛି ପାରିଲେନି ମନୀଷା । ଏକ ଉଦ୍‍ଗତ କୋହକୁ ଚାପି ରଖି ନିଜକୁ ଶାନ୍ତ ସଂଯତ କରିବା ପାଇଁ ଚା’ ଆଣିବାର ଛଳନା କରି ଅନ୍ତର୍ହିତା ହୋଇଗଲେ ସେଠାରୁ । ଦେବଦତ୍ତ ଦିଗନ୍ତର ନୂତନ ବର୍ଣ୍ଣୋତ୍ସବ ନିରୁତ୍ସାହ ଭାବରେ ଲକ୍ଷ୍ୟ କରୁଥିଲା ।

 

“ହ୍ୟାଲୋ ! କେତେବେଳୁ ଆସିଲଣି ଦେବଦତ୍ତ–“ଦୀକ୍ଷିତ ସାହେବଙ୍କ କଣ୍ଠସ୍ୱର ବେଶ ଶୁଣିପାରିଲା ସେ ।

 

“ଗୁଡ଼୍ ଇଭିନିଂ ସାର....”

 

“ଗୁଡ଼୍ ଇଭିନିଂ...ଆରେ ବସ, ବସ । ତା’ପରେ କିପରି ଅଛ...ଦେହ ଭଲ ତ ।”

 

ଦୀକ୍ଷିତ୍ ସାହେବଙ୍କର କଣ୍ଠରେ ଏକ ନୂତନ ସ୍ନେହ ଶୀତଳତାର ସ୍ପର୍ଶ ।

 

“ହଁ ଭଲ ଅଛି ସାର୍ । ତା’ପରେ ଆପଣଙ୍କ ସହିତ ବହୁତ ଦିନ ହେଲା ଦେଖାହୋଇ ନଥିଲା.........”

 

“ସତ କଥା–ଅନେକ ଦିନ ହେଲା ଆଳାପ ହୋଇନି । ବେଶ୍ ଭଲ କଲ ଆସି । ତା’ପରେ ଆଉ ସବୁ ଖବର କ’ଣ.........”

 

“ଆପଣ ତ ସବୁ ଜାଣନ୍ତି...ଆପଣଙ୍କ ଦାର୍ଜିଲିଂ ରହଣୀ ବେଶ୍ ସୁଖକର ହୋଇଥିବ ବୋଧହୁଏ ।”

 

ପଚାରି ସାରି ଭାବିଲା ଦେବଦତ୍ତ ଏକଥା ନ ପଚାରି ଥିଲେ ଭଲ ହୋଇଥାନ୍ତା ବୋଧହୁଏ । ଏଇ ପ୍ରଶ୍ନ ମୂଳରେ ଯେଉଁ ପ୍ରଚ୍ଛନ୍ନ ଇଙ୍ଗିତ ଥିଲା, ତାହା ପଚାରି ସାରିବା ପରେ ବାଧିଲା ତା’ର ରୁଚିରେ । ଗତ୍ୟନ୍ତର ନଥିଲା । ଇଡ଼ି ଗଲା ଦୁଧ, କସିଗଲା ତୁଣ୍ତ ଆଉ ଫେରିଆସେନା ।

 

ପାଶ୍ଚାତ୍ତାପ ଏବଂ କରୁଣତାର ସ୍ନିଗ୍ଧ କଣ୍ଠରେ କହିଲେ ଦୀକ୍ଷିତ ସାହେବ–ଦାର୍ଜିଲିଂରେ ବହୁତ ଦିନ ରହିଗଲି; କିନ୍ତୁ ମୋ ଜୀବନଯାତ୍ରାକୁ ପୁଣି ସହଜ ପଥକୁ ନେଇ ଆସିଛି ଦେବଦତ୍ତ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ........

 

କଥା ଶେଷ ହେବା ପୂର୍ବରୁ ମନୀଷା ଚା’ ଏବଂ ଗରମ ସିଙ୍ଗଡ଼ା ନେଇ ଫେରିଲେ ହସି ହସି ଏବଂ ଦୀକ୍ଷିତ ସାହେବଙ୍କୁ କୁହାଇ ନ ଦେଇ ଯୋଗକଲେ–“ଗରମ ସିଙ୍ଗଡ଼ା ଏବଂ ଚା’ ମୋତେ ଭାରି ଭଲଲାଗେ ।”

 

କଥାର ମୋଡ଼ ଫେରାଇ କହିଲା ଦେବଦତ୍ତ–“କାହାକୁ ଭଲ ନ ଲାଗେ କୁହନ୍ତୁ ତ ! ଯାହା ମୁହଁକୁ ସୁଆଦଲାଗେ, ଭଲଲାଗେ ସମସ୍ତଙ୍କୁ...........”

 

“ଅଥଚ ସତ କଥା କ’ଣ ଜାଣ ଦେବ, ଏଇ ସିଙ୍ଗଡ଼ା ମି: ଦୀକ୍ଷିତଙ୍କ ପେଟରେ କେବେ ସହ୍ୟ ହୁଏନା.........”

 

ସମସ୍ତେ ହସରେ ଫାଟି ପଡ଼ିଲେ । ଅଳ୍ପକ୍ଷଣ ପୂର୍ବରୁ ଏକ ଅଶ୍ୱସ୍ତିକର, ଗମ୍ଭୀର ବାୟୁମଣ୍ତଳ ନିମିଷକରେ ହାଲୁକା ହୋଇ ଉଠିଲା । ଚା’ ପାନର ଗଳ୍ପ ଗୁଜବରେ ମର୍ମରିତ ହୋଇ ଉଠିଲା ସନ୍ଧ୍ୟାର ପରିବେଶ ।

 

ସୂର୍ଯ୍ୟାସ୍ତ ପରେ ପରେ ତ୍ରୟୋଦଶୀର ଚନ୍ଦ୍ର ଦେଖାଗଲା ନିଷ୍ପ୍ରଭ ମଳିନ ବେଶରେ । ଦେବଦତ୍ତ ବିଦାୟ ନେଇ ବାହାରକୁ ଆସିଲା ।

 

ଊଣେଇଶ

 

ମଧ୍ୟାହ୍ନର ଅଳସତାର ଅମୋଦ ଉପଭୋଗ କରୁଥିଲେ ଅସୀମା । ଅବିନାଶ କ’ଣ ଗୋଟାଏ ଜରୁରୀ କାମରେ ବାହାରକୁ ଯାଇଥିଲେ । ମଧ୍ୟାହ୍ନଭୋଜନ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ପଲଙ୍କ ଉପରେ ଦେହଟାକୁ ଲୋଟାଇ ଦେଇ ଅବିନ୍ୟସ୍ତ ଅଙ୍ଗ–ଭୂଷଣର ଆଢ଼ୁଆଳରେ ଉଙ୍କିମାରି ନିଜର ନିଟୋଳ ରୂପ ଲାବଣ୍ୟର କଳନା କରୁଥିଲେ ।

 

ଏଇ ଦେହ ! ଏତେ ଦାହ ! !

 

ଗୋଟାଏ ଦେହ ଅସୀମାର । କିନ୍ତୁ ପାଞ୍ଚଟା ମନ–ପଚିଶଟା ପ୍ରକୃତି । ଅନ୍ତସ୍ଥଳର ଗୋଟିଏ ଆବେଦନ କୋଟିର ରୂପରେ ଉଜାଡ଼ି ହୋଇଯିବା ପାଇଁ ଆବେଗରେ ମର୍ମରି ଉଠେ । ଅସୀମା ଚକ୍ଷୁ ବନ୍ଦ କରି ମାନସ ଲୋକରେ ନିଜକୁ ଦେଖନ୍ତି–ଦେଖନ୍ତି ମନର ମଣିଷକୁ ।

 

ସେଇ ମନର ମଣିଷହିଁ ପ୍ରୟୋଜନ ଏଇ ଦେହର ଅନ୍ତର୍ଦାହର ପ୍ରଶମନ ପାଇଁ । ସେଇ ପ୍ରତୀକ୍ଷିତ ପୁରୁଷର ଆଗମନ ଏକାନ୍ତ କାମ୍ୟ ।

 

କିନ୍ତୁ କାମନା କଲେ କ’ଣ ସବୁ ମିଳେ । ମିଳେନା । ଏଇଥିପାଇଁ ଏତେ ଦ୍ୱନ୍ଦ୍ୱ, ଏତେ ସଂଘର୍ଷ ଏବଂ ଏତେ ବିଡ଼ମ୍ବନା ।

 

ଯାହା କାମନା କରିଛନ୍ତି ଅସୀମା, ସବୁ ପାଇଛନ୍ତି–ନାରୀର ସବୁ ସଂପଦ ଠୁଳ ହୋଇଛି ତାଙ୍କର ପାଦତଳେ; କିନ୍ତୁ ସେଇ ସଂପଦର ଅଧିକାରିଣୀର ସନ୍ତୋଷ ଏବଂ ଶାନ୍ତି ପାଇପାରିନାହାନ୍ତି ସେ । ସବୁ ଥାଇ ମନେହେଉଛି କିଛି ଯେପରି ନାହିଁ; ସବୁ ପାଇ ମନେହେଉଛି କିଛି ଯେପରି ପାଇପାରିଲେ ନାହିଁ ।

 

ସେ ସବୁ ପାଇବାପାଇଁ ଚାହାଁନ୍ତି । ନୂଆକରି ଜୀବନର ବିଭିନ୍ନ ଆସ୍ୱାଦ ଅନୁଭବ କରିବା ପାଇଁ ଇଚ୍ଛା ତାଙ୍କର । ଶୋଣିତରେ ଏକ ଉଦ୍ଧାମ ଆବେଗ, ଅନନୁଭୂତି ହିଂସ୍ରତା ଗୁମୁରି ଉଠିଲା । ଅକୁଣ୍ଠିତ ଚିତ୍ତରେ ନିଜର ଅନାବୃତ୍ତି ଅଙ୍ଗକୁ ଏକ ବିସ୍ମୟ ବିମୁଗ୍ଧ ଚକ୍ଷୁରେ ଅବଲେହନ କରି ଅନ୍ତରର ଏକ ଆରଣ୍ୟକ କ୍ଷୁଧାରେ କାତର ହୋଇ ପଡ଼ିଲେ ।

 

କିଏ ତାଙ୍କୁ ଏଇ ନିଷ୍ଠୁର ନିର୍ଯ୍ୟାତନାରୁ ରକ୍ଷା କରିବ ? କିଏ ଦେବ ଦେହ ଏବଂ ମନ ଭିତରେ ପ୍ରତୀକ୍ଷିତ ପ୍ରୟୋଜନୀୟତାର ପ୍ରାଣପ୍ରାଚୁର୍ଯ୍ୟ ।

 

ଦେବଦତ୍ତ ! ଦେବଦତ୍ତ ! ! ତାଙ୍କର ସମଗ୍ର ଚିତ୍ତ ରାଜ୍ୟକୁ ଜଣେ ମାତ୍ର ଆଚ୍ଛନ୍ନ କରି ରଖିଛି । ସେ ହେଉଛି ଦେବଦତ୍ତ ।

 

–ତାହେଲେ ଆସୁନାହିଁ କାହିଁକି ସେ । ଯାହାପାଇଁ ସେ ଏତେ ଆକୁଳ, କାହିଁକି ତେବେ ସେ ଏତେ ଦୂରରେ ।

 

ମନକୁ ମନ ପଚାରନ୍ତି ଅସୀମା !

 

–ସେ କ’ଣ ଯାହା ଚାହାଁନ୍ତି ପାଇବେ ନାହିଁ ? ଆସିବେ ନାହିଁ ଦେବଦତ୍ତ ତାଙ୍କର ସ୍ୱପ୍ନ ରାଜ୍ୟର ସୁଖର ସ୍ୱାଦ ଆସ୍ୱାଦନ କରିବା ପାଇଁ ।

 

ଉଚ୍ଚାଟ ହୁଏ ମନ । କିଏ ପୁଣି କହେ–ତୁ କ’ଣ ହାରିଯିବୁ ଅସୀମା । ତତେ ଉପେକ୍ଷା କରି ମିତାଳିକୁ ନେଇ କ’ଣ ବସା ବାନ୍ଧିବ ଦେବଦତ୍ତ ।

 

–ନା, ନା, ନା...କଦାପି ନୁହେଁ । ଏ ସମ୍ଭବ ହୋଇପାରେନା...ନା...ନା...ନା–’’ କେହିନାହାନ୍ତି ଅଥଚ ମନକୁ ମନ କହି ଚାଲିଛନ୍ତି ଅସୀମା । ସେଇ କହିବାରେ କୁଣ୍ଠା ନାହିଁ; କିନ୍ତୁ ଭିତରର କାତରତାରେ ସେ ନିଜେ ଚମକି ଉଠିଛନ୍ତି ଭୟରେ ।

 

ଦେବଦତ୍ତକୁ ଯେପରି ହେଉ, ଯେତେ ମୂଲ୍ୟ ଦେବାକୁ ହେଉନା କାହିଁକି, ତାଙ୍କର ପ୍ରୟୋଜନ ।

 

ଦେବଦତ୍ତର ସ୍ମୃତି, ନିଜ ଚିତ୍ତ ରାଜ୍ୟରେ ଅସୀମାଙ୍କୁ ଆବେଗର ଆବେଶରେ ଆତ୍ମବିଭୋର କରି ତୋଳିଲା ।

 

ବ୍ରେକ୍ କଷି ବାହାରେ ଗାଡ଼ି ଛିଡ଼ା ହେବାର ଶବ୍ଦ ଶୁଣାଗଲା ।

 

ଏଡ଼େ ସହଳ ଫେରିଆସିଲେ ଅବିନାଶ । ଆଶାଭଙ୍ଗର କ୍ଷୁଣ୍ଣତାରେ ଅସ୍ଥିର ହୋଇ ଉଠି ବସିଲେ ଅସୀମା ।

 

ଅବିନାଶ ଗୃହ ଭିତରେ ପ୍ରବେଶ କରି ଖାନ୍‍ସାମାକୁ କ’ଣ କହିଲେ । ତା’ପରେ ଟେଲିଫୋନଦ୍ୱାରା କାହା ସହିତ କଥା କହିଲେ କିଛି ସମୟ ।

 

ସେଇ କଥାର କିଞ୍ଚିତ ବୁଝିପାରି ରାଗରେ କମ୍ପିବାକୁ ଲାଗିଲେ ଅସୀମା ।

 

ଅବିନାଶ ଚାରିମାସ ଛୁଟି ନେବେ । ବଙ୍ଗଳା ଛାଡ଼ି ଦେବେ । ଏଠାକାର ସଂସାର ପୂର୍ବ ଶେଷ କରି ଛୁଟି କଟାଇବା ପାଇଁ ଯିବେ ଅଖ୍ୟାତ କେଉଁ ପଲ୍ଲୀଗ୍ରମାକୁ–ଯେଉଁଠି ପୂର୍ବପୁରୁଷର ଭିଟାମାଟି । ବେଶ୍ ବଡ଼ ଚକ୍ରାନ୍ତ ତାଙ୍କ ବିରୁଦ୍ଧରେ । ତାଙ୍କୁ ଦୁଃଖ ଦେବା ପାଇଁ ଏବଂ ନିର୍ଯ୍ୟାତିତା କରିବା ପାଇଁ । ସେଇଥିପାଇଁ ତାଙ୍କ ଅଜ୍ଞାତରେ ଏବଂ ଇଚ୍ଛା ବିରୁଦ୍ଧରେ ଅବିନାଶ ଏଇ ଚକ୍ରାନ୍ତ କରିଛନ୍ତି । ସ୍ୱାମୀଙ୍କ ବିରୁଦ୍ଧରେ ସହସ୍ର ଅଭିଯୋଗ ତାଙ୍କର ।

 

ସେ ନିଜ କୋଠରୀ ଭିତରୁ ବାହାରକୁ ଆସିଲେ । ଅବିନାଶ ବସି ବସି କ’ଣ ଲେଖୁଥିଲେ ଯେପରି ।

 

କିଛି ନ କହି ସେ ଯାଇ ସାମ୍ନାରେ ଛିଡ଼ାହେଲେ । ଅବିନାଶ ତାଙ୍କୁ ନ ଚାହିଁ କ’ଣ ଲେଖିବାରେ ମନ ଦେଲେ ।

 

ଅପମାନିତ ମନେକଲେ, ସେ ଆଉ ନିଜକୁ ସମ୍ଭାଳି ନ ପାରି କହିଲେ ଫୋନରେ କ’ଣ କହୁଥିଲ ଶୁଣେ !

 

–ଏଇ ଛୁଟି ନେଲି ଯେ–ସବୁ ତ ପୁଣି ଯୋଗାଡ଼ କରିବାକୁ ହେବ ଯିବାପାଇଁ–ତାଙ୍କ ଆଡ଼କୁ ନ ଚାହିଁ ମୁହଁ ସେଇପରି କାଗଜ ଉପରେ ରଖି କହିଲେ ଅବିନାଶ ।

 

–ମୋର ମତ ନେବା କ’ଣ ଆବଶ୍ୟକ ନଥିଲା ଛୁଟି ନେବା ଆଗରୁ–

 

ସ୍ୱରରେ ତୀକ୍ଷ୍‍ଣ । ଥିଲା ଅବିନାଶ ଆଶ୍ଚର୍ଯ୍ୟ ହେଲେନି କିନ୍ତୁ କିଛି ସମୟ ନୀରବରେ କଟାଇ କହିଲେ–ନା.......

 

–ନା, ଆଚ୍ଛା ମୁଁ ଦେଖିବି ତମେ ଛୁଟି ନେଇ କିପରି ଯିବ । ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଛ, ବେଶ୍ ବୁଝିପାରିଛି ମୁଁ.......

 

ରାଗରେ ଥରୁଥିଲେ ଅସୀମା । ଅବିନାଶ କିନ୍ତୁ ତାଙ୍କୁ ସାନ୍ତ୍ୱନା ଦେବାପାଇଁ କିଛି କଲେନି, କିଛି କରିବାର ଆବଶ୍ୟକତା ମନେକଲେ ନାହିଁ । ସେ ମଥା ତୋଳି ସ୍ତ୍ରୀ ଆଡ଼କୁ ଏକ ସକରୁଣ ଦୃଷ୍ଟି ନିକ୍ଷେପ କରି କହିଲେ–

 

ଏଡ଼େ ପାଟି କରି କଥା କୁହନା ଅସୀ ! ପାଖରେ ଚାକର ଖାନସାମା ଅଛନ୍ତି ।

 

–ମୁଁ କ’ଣ ଡରି ଡରି କଥା କହିବି ସେମାନଙ୍କ ପାଇଁ । ଛି, ଛି,.........

 

–ଆସ୍ତେ..........

 

“ନା, ନା, ନା–ମୁଁ ତୁମର ଆଜ୍ଞା ତାଲିମ କରିବା ପାଇଁ ସୃଷ୍ଟି ହୋଇନି ଯେ ଯାହା ଯେତେବେଳେ ଆଜ୍ଞା କରିବ ନିର୍ବିରୋଧରେ ପାଳନ କରିବି ।

 

“ମୁଁ ତ ସେକଥା କହିନି । ମୁଁ କହୁଛି ଯେ–

 

“କ’ଣ ମୁଁ କହୁଛି ଯେ.......ଛୁଟି ନେଲ ମୋର ଅଜ୍ଞାତରେ–ଇଚ୍ଛା ବିରୁଦ୍ଧରେ । ମୋତେ ଥରେ କହିଲ ମଧ୍ୟ ନାହିଁ । ଅଥଚ ମୁଁ କହୁଛି ଯେ ମୋ କଥାମାନି ତୁମେ ମୋ ସହିତ ବନବାସ ଚାଲ–ଏଇ କଥା ତ !

ଶେଷ ପଦକ କଥା ଖତେଇ ହେବା ଭଙ୍ଗୀରେ କହିଲେ ଅସୀମା । ମୁହଁରେ ସେ ଏତେ ରୁଚିହୀନ ଏବଂ ଅଶ୍ଳୀଳ ହୋଇପାରନ୍ତି ଏହା ଦେଖି ବିସ୍ମିତ ହେଲେ ଅବିନାଶ । ଅଥଚ ନିଜ ସ୍ତ୍ରୀର ଆଚରଣ ପାଇଁ ବଡ଼ିମା କରି ଶୁଣାଇ ଥିଲେ ସେ ସମସ୍ତଙ୍କୁ ସ୍ତ୍ରୀର ପ୍ରଶଂସା ।

କାଲି ଆଉ ଆଜି ! ଆହା ବିଚରା ଅବିନାଶ ।

କଥା ବଢ଼ାଇବା ତାଙ୍କର ଅଭିପ୍ରାୟ ନଥିଲା । ଅଗତ୍ୟା ସେହି ଲଜ୍ଜାକର ପରିସ୍ଥିତିରୁ ପରିତ୍ରାଣ ପାଇବାପାଇଁ ଆତ୍ମଗୋପନ କରିବା ପାଇଁ ଇଚ୍ଛା ହେଲା ତାଙ୍କର । ସେ ବାକ୍ୟବ୍ୟୟ ନ କରି ନିଜ କୋଠରୀ ଅଭିମୁଖେ ପାଦ ବଢ଼ାଇଲେ ।

–ଶୁଣ...

ଅସୀମାଙ୍କ କଣ୍ଠରେ ରଣନାଦର ତୀକ୍ଷ୍‍ଣତା ।

–ଏଇଠି ସବୁ କଥା ନ କହିଲେ କ’ଣ ଚଳିବନି ଅସୀ !

କଥାରେ କରୁଣତା ଏବଂ ଆଖିରେ ଅନୁରୋଧ ଜଣାଇ କହିଲେ ଅବିନାଶ ।

–ଓହୋ ! ବଡ଼ ସୋହାଗତ ଆଜି ଅସୀ ଉପରେ । ମୁଁ ତୁମର ଛୋଟଲୋକୀ...

ଆଉ ଶୁଣିବାପାଇଁ ଧୈର୍ଯ୍ୟ ନଥିଲା ତାଙ୍କର । ଅବିନାଶ ତ୍ରସ୍ତ ପାଦରେ, ବିମୂଢ଼ ଚିତ୍ତରେ ନିଜକୁ ଲୁଚାଇ ରଖିବାପାଇଁ ପ୍ରବେଶ କଲେ କୋଠରୀ ଭିତରେ; କିନ୍ତୁ ଅସୀମା ଆଜି ରୁଦ୍ରାଣୀମୂର୍ତ୍ତି ଧାରଣ କରିଛନ୍ତି । ତାଙ୍କ ଉତ୍ତେଜନା ସୀମା ଅତିକ୍ରମ କରିଛି । ଅଭିଯୋଗ ବହୁତ–ଆଘାତ ସେ କରିବେ ଏଇ ପଣ । ଅସୀମା ଅବିନାଶଙ୍କ କୋଠରୀ ଭିତରେ ପ୍ରବେଶ କରି କହିଲେ...ତମେ ନ ଶୁଣି ଏପରି ପଳାଇଯାଇ ପାରିବ ନାହିଁ...ମୁଁ କହୁଛି ତୁମର ଏ ଛୁଟି ନେବା ହବନି....

–କାହିଁକି ? ଛୁଟି ନେବା କ’ଣ ଅପରାଧ ?

–ହଁ ନିଶ୍ଚୟ ଅପରାଧ । ଅନ୍ୟମାନଙ୍କୁ ଠକିପାର, କିନ୍ତୁ ମୋତେ ଠକି ପାରିବନି ।

–ସେ ଦୁଃସାହସ ମୋର ନାହିଁ ଅସୀ । ତେବେ ତୁମେ ଛୁଟି ନେବାର ପ୍ରସ୍ତାବରେ ଏତେ ବିଚଳିତ ହେବାର କାରଣ ମୁଁ ବୁଝିପାରୁନି ।

–ତୁମର ପ୍ରାଣ ଥିଲେ, ଆବେଗ ଥିଲେ ବୁଝିପାରନ୍ତ । ଆଜି ତ ସେ ସବୁ ଜଳାଞ୍ଜଳି ଦେଇ ନିଶାରେ....

–ବନ୍ଦକର, ବନ୍ଦକର ଅସୀମା । ତୁମର ଗ୍ଳାନି ଭିତରକୁ ମୋତେ ଆଉ ଅକାରଣରେ ଟାଣିବାପାଇଁ ଚେଷ୍ଟା କରନା ।

 

ଆଉ ସହିପାରିଲେନି ଅସୀମା । ସେ ରାଗରେ ଫାଟିପଡ଼ିଲେ ଏଥର । ଚିତ୍କାର କରି କହି ଉଠିଲେ, ମୋର ଗ୍ଳାନି ତୁମ ଆଖିକୁ ଦିଶୁଛିନା । ପୌରୁଷ ଅଛି ତ ବନ୍ଦକର ତାହା । ଦେଖିବି ତୁମର ବୀରତ୍ୱ । ଆଉ ତୁମର ଗ୍ଳାନିର ଖବର ମୁଁ ରଖିନି ଭାବିଛ ।

 

ଅବିନାଶ ଅଶ୍ୱସ୍ତିରେ ଅସ୍ଥିର ହେଉଥିଲେ । ସେଇପରି ରୁକ୍ଷ କଣ୍ଠରେ କହିଲେ ଅସୀମା–ତୁମେ ନ ହେଲେ ପାଞ୍ଚ ହଜାର ଟଙ୍କା ଦେଇଥାନ୍ତ ଜନ୍‍ସନ୍‍କୁ ।

 

–ମି: ଜନ୍‍ସନ୍‍ଙ୍କର ଅତି ଆବଶ୍ୟକ ଥିଲା......

 

କ୍ଷୀଣ କଣ୍ଠରେ କହିଲେ ଅବିନାଶ

 

ମି: ଜନ୍‍ସନ୍‍ଙ୍କର ନଥିଲା–ଥିଲା ହେନା ଜନ୍‍ସନ୍‍ । ଥିଲା ତା’ର ଦେହର, ଥିଲା ତୁମର.....

 

ସଟ୍ ଅପ୍ ଅସୀମା...ସଟ୍ ଅପ୍...

 

–ୟୁ ସଟ୍ ଅପ୍.........

 

ଚିତ୍କାର କରି କରି ଅପମାନର ଅନ୍ତର୍ଦାହରେ ପୋଡ଼ି ମରିବାପାଇଁ ଛାଡ଼ି ଦେଇ ସେ ଘରୁ ଚକ୍ଷୁ ପଲକରେ ନିଷ୍କ୍ରାନ୍ତ ହୋଇଗଲେ ଅସୀମା ।

 

ହତବାକ୍ ଅବିନାଶ ବିଶ୍ୱାସ କରିପାରୁ ନଥିଲେ କ’ଣ ହେବାକୁ ଯାଉ ଯାଉ କ’ଣ ହୋଇଗଲା ତାଙ୍କର । ଏକ ଅପରିସୀମ ଦୁଃଖ ଆଚ୍ଛନ୍ନ କରି ପକାଇଲା ତାଙ୍କୁ । ସେ ବସି ବସି କେବଳ ବିସ୍ମୟାଭିଭୂତ ହୋଇ ଭାବିବାରେ ଲାଗିଲେ–

 

ସେ କ’ଣ ସତରେ ହେନାକୁ ଚାହିଁଥିଲେ, ଚାହିଁଥିଲେ ତା’ର ଦେହ ? ତା’ର ଯୌବନ–ନା, ନା କହି କାହାକୁ ବୁଝାଇପାରିବେ ଏଇ କଥା ଆଜି ଯେ ବୁଝିଥାନ୍ତା, ସେ ଅବୁଝା । ବୁଝିବାପାଇଁ ଚାହେଁନା । ନିଜର ଅନ୍ତର୍ଦାହର ଜ୍ୱାଳା ସହି ନ ପାରି, ନିଜକୁ ଗ୍ଳାନିର ଦଂଶନରୁ ରକ୍ଷା କରିବା ପାଇଁ ଦଉଡ଼ିଯାଇଥିଲେ ସେ ବ୍ଳୁବାରକୁ–ଆଉ ସେଇଠି ସୁରାପାନ କରିଥିଲେ ନିଜକୁ ଭୁଲାଇବା ପାଇଁ । ହେନାକୁ ଆକର୍ଷଣ ସେ ହୁଏତ କରିଛନ୍ତି; କିନ୍ତୁ ଆଘ୍ରାଣ କରିନାହାନ୍ତି । ଆଉ ସେଇ ମୋହାଚ୍ଛନ୍ନ ନିରୁଦ୍‍ବେଗ ଆକର୍ଷଣ ଭିତରେ ସେ ତ ଆତ୍ମଦାନ କରିନାହାନ୍ତି ହେନା ପାଖରେ । ତାହେଲେ କାହିଁକି ଏତେ ବଡ଼ ଅବିଶ୍ୱାସ ? ପ୍ରସଙ୍ଗର ଅବତାରଣା କଲେ ଅସୀମା; ଅଥଚ ସେ ତାଙ୍କରି ଆଗରେ ପ୍ରଶସ୍ତ ରାଜପଥ ଉପରେ ଦେବଦତ୍ତର ପ୍ରଣୟପ୍ରାର୍ଥୀନୀ !

 

ରୁଦ୍ଧ କକ୍ଷ ଭିତରେ ସତରବର୍ଷର କିଶୋର ପରି ନିଜ କୋହରେ ଜେ ଫୁଲି ଫୁଲି ଅଶ୍ରୁମୋଚନ କଲେ ଅବିନାଶ ।

 

ସେ କ’ଣ କୁପୁରୁଷ ! ତାହେଲେ କାହିଁକି ଧରି ରଖିପାରିଲେନି ଅସୀମାଙ୍କୁ । ସେଇ ଉଦ୍ଧତ ଯୌବନକୁ ଶାନ୍ତ ଏବଂ ମନୋରମ କରିବାରେ କାହିଁକି ଅସମର୍ଥ ହେଲେ ସେ । ସମସ୍ତ ଦୋଷ ତାହେଲେ ତାଙ୍କର ।

 

କିନ୍ତୁ..........

 

କିନ୍ତୁ ସେ କ’ଣ ଅସୀମାଙ୍କୁ ନାରୀର ସମସ୍ତ ମର୍ଯ୍ୟାଦା ଦେଇ ନଥିଲେ ? ଦେଇଥିଲେ, ସେ ନିଜର ସତ୍ତା ଅନୁଭବ କରିଥିଲେ ତାଙ୍କରି ଭିତରେ । ତାଙ୍କୁ ନିବିଡ଼ ଭାବରେ ଭଲପାଇଥିଲେ ନିଜର ଅତୀତ ବନର ଦୈନ୍ୟ ଭୁଲି; କିନ୍ତୁ କାହିଁକି ତେବେ ଏପରି ହେଲା ? କାହିଁକି ତାଙ୍କର ବଦ୍ଧମୂଳ ବିଶ୍ୱାସ ଉପରେ କୁଠାରାଘାତ କରି ଏହି ହତାଶା ଏବଂ ହାହାକାର ଆଣିଲେ ଅସୀମା ତାଙ୍କ ଜୀବନ ଉପରେ ।

 

ତାଙ୍କର ମନେହେଲା ସେଇ ଅଶ୍ରୁଳ ମଧ୍ୟାହ୍ନରେ ପ୍ରାଣବହ୍ନି ନିର୍ବାପିତ ହୋଇଆସୁଥିଲା । ସେ ଦେହ ଭିତରେ ଏକ ନିର୍ଜୀବ ନିଶ୍ଚେଷ୍ଟତା ଅନୁଭବ କରିବାରେ ଲାଗିଲେ ।

 

କୋଡ଼ିଏ

 

ସେଦିନ ଶୋଭାକ୍ରାନ୍ତ ଫେରିଲେ ଉଦ୍‍ଭ୍ରାନ୍ତ ପରି । ମିଷ୍ଟର ସେନଙ୍କୁ କେହି କେବେ ଏପରି ଅବସ୍ଥାରେ ଦେଖି ନଥିଲେ । ଶାନ୍ତ ମଧୁର, ସଂଯତ ମଣିଷ ସେ । ସାମାନ୍ୟ କଥାରେ ରାଗିବାର କେହି ଦିନେ ହେଲେ ଦେଖିନି ତାଙ୍କୁ । ଧୈର୍ଯ୍ୟଚ୍ୟୁତି ପ୍ରାୟ ହୁଏନା ତାଙ୍କର । ଗୋଟିଏ କଥାରେ ଅତି ଅମାୟିକ, ଅଳ୍ପଭାଷୀ, ଶାନ୍ତ ଏବଂ ସଂଯତ ସେ । ସେଇ ଶୋଭାକାନ୍ତଙ୍କର ଉଦ୍‍ଭ୍ରାନ୍ତ, ରୁଦ୍ରମୂର୍ତ୍ତି ଦେଖି ପ୍ରମାଦ ଗଣିଲେ ବନ୍ଧୁମାନେ ।

 

ଶୋଭାକାନ୍ତ ଗୋଲ ବଜାରର ବିଶିଷ୍ଟ କଣ୍ଟ୍ରାକ୍ଟର । ଆଇ, ଆଇଟିର ପ୍ରତିଟି ହର୍ମ୍ୟରେ ରେଳକମ୍ପାନୀର ପ୍ରତିଟି ବାସଗୃହରେ ସହରର ସମସ୍ତ ପ୍ରଶସ୍ତ ରାଜପଥରେ ଶୋଭାକାନ୍ତଙ୍କର ନିର୍ମାଣ ନୈପୁଣ୍ୟ ପୂରି ଉଠିଛି । ଅଜସ୍ର କାମ ସମାପ୍ତ କରି ପ୍ରଚୁର ଅର୍ଥ ଉପାର୍ଜନ କରିଛନ୍ତି । ଅର୍ଥ ନୁହେଁ, କାମର ମାନଦଣ୍ତହିଁ ଆକର୍ଷଣ କରିଛି ସବୁବେଳେ । କେତେକ କ୍ଷେତ୍ରରେ କ୍ଷତିଗ୍ରସ୍ତ ମଧ୍ୟ ହୋଇଛନ୍ତି ଏଇଥିପାଇଁ । ସେଥିପାଇଁ କି କେହି କେବେ ଅନୁତାପ କରିବାର ଦେଖି ନାହିଁ ତାଙ୍କୁ । ଯାହା ଯାଇଛି ତାକୁ ଫେରି ଚାହିଁ ଦେଖିବାର ମଣିଷ ନୁହନ୍ତି । ସେ କେବଳ ଦିନ, ମାସ ବର୍ଷର ଅକ୍ଳାନ୍ତ ପରିଶ୍ରମ ଭିତରେ ନିଜର କର୍ମ ନୈପୁଣ୍ୟତାକୁ ଭାସ୍ୱମାନ କରିବା ପାଇଁ ପ୍ରୟାସ କରିଛନ୍ତି । ସ୍ୱଭାବତଃ ତାଙ୍କର କାମରେ ଦେଖାଦେଇଛି ନୈପୁଣ୍ୟ ଓ ସୌନ୍ଦର୍ଯ୍ୟ ଏବଂ ଏହାହିଁ ତାଙ୍କୁ ଆଣିଦେଇଚି ଅପ୍ରତ୍ୟାଶିତ ସାର୍ଥକତା । ବ୍ୟବସାୟ କ୍ଷେତ୍ରରେ ଆଜି ସେ ଲକ୍ଷପତି ।

 

ଏହି ଲକ୍ଷ୍ୟପତିଙ୍କ ଲକ୍ଷ୍ୟ କିନ୍ତୁ ଏଡ଼ିଯାଇ ପାରିଲାନି ମିତାଳିର । ମିଲି ତାଙ୍କର ଏକମାତ୍ର ସନ୍ତାନ । ପୁତ୍ର କନ୍ୟା ମଧ୍ୟରେ ପାର୍ଥକ୍ୟ କେବେ ଦେଖିନାହାଁନ୍ତି ଶୋଭାକାନ୍ତ । ତେଣୁ ଏକମାତ୍ର ସନ୍ତାନ ମିଲିକୁ ପାଞ୍ଚ । ସେ ସମାନ ଆନନ୍ଦ ପାଇଛନ୍ତି । ସ୍ତ୍ରୀ ଦେହତ୍ୟାଗ କରିଛନ୍ତି ବହୁଦିନ ପୂର୍ବରୁ-। ତାଙ୍କର ପାଖରେ ସ୍ନେହ ସୋହାଗ ପାଇ ବଢ଼ି ଆସିଛି ମିଲି । ମିଲିକୁ ସେ ସ୍ନେହ, ଆଦର ଓ ସ୍ୱାଧୀନତା ସବୁ ଦେଇଛନ୍ତି । ଐଶ୍ୱର୍ଯ୍ୟ ଭିତରେ କୌଣସି ଅଭାବ ତା’ର ପାଖ ମଧ୍ୟ ସ୍ପର୍ଶ କରିପାରିନାହିଁ; କିନ୍ତୁ ଏହା ସଙ୍ଗେ ସଙ୍ଗେ ଶୃଙ୍ଖଳା, ଶାଳୀନତା ଏବଂ ସୁରୁଚି ମଧ୍ୟ ଶିକ୍ଷା ଦେଇଚନ୍ତି କନ୍ୟାକୁ । ଆଜି ତେଣୁ ସେଇଥିପାଇଁ ତାଙ୍କୁ ବାଧିଛି ବେଶି ।

 

ଦେବଦତ୍ତ ସହିତ ମିତାଳିର ସମ୍ପର୍କ ସେ ଅନୁମାନ କରିଛନ୍ତି । ଆଶାନ୍ୱିତ ମଧ୍ୟ ହୋଇଛନ୍ତି । ଦୁହିଁଙ୍କର ଆଚରଣରେ କୌଣସି ଗର୍ହିତ ଭାବ ଲକ୍ଷ୍ୟ କରିନାହାନ୍ତି । ପ୍ରକାଶ୍ୟରେ ନ ହେଉ ମନରେ ଦେବଦତ୍ତ ଯେ ମିଲିର ଅଯୋଗ୍ୟ ନୁହେଁ, ଏକଥା ବାରମ୍ବାର ସ୍ୱୀକାର କରିଛନ୍ତି ସେ-

 

ଆଜି ସେଇ ଦେବଦତ୍ତହିଁ ତାଙ୍କୁ ଉଦ୍‍ଭ୍ରାନ୍ତ କରିଛି । ଆଉ ସେଥିରେ ସାହାଯ୍ୟ କରିଛି ମିଲି-

 

ସେଦିନ ଦେବଦତ୍ତ ଏବଂ ଅସୀମା ଫେରିଗଲା ପରେ ରାତି ପ୍ରାୟ ଏଗାରଟାବେଳକୁ ଫେରିଲେ ଶୋଭାକାନ୍ତ । ସବୁଦିନ ପରି ସେଦିନ ମଧ୍ୟ ତାଙ୍କୁ ସ୍ୱାଗତ ଜଣାଇଲା ମିତାଳି; କିନ୍ତୁ ତା’ର ମୁହଁର ହସ ଉପରେ ମାଧୁର୍ଯ୍ୟ ନ ଦେଖି ଦେଖିଲେ କରୁଣତା । ତା’ ମଥା ଉପରେ ହାତ ବୁଲାଇ କହିଥିଲେ ସେ–

 

“କ’ଣ ହୋଇଛି ମା’, ବଡ଼ ଶୁଖିଲା ଦିଶୁଛୁ ଯେ ।”

 

“ନା ବାପା, କିଛି ତ ହୋଇନି ମୋର, ଏଇମିତି କିଛି ତ ମନେହେଉନି ମୋର– ।”

 

ପିତାଙ୍କର ଛାତି ଉପରେ ଆଉଜି ପଡ଼ି ଗେହ୍ଲେଇ ହୋଇ କହିଥିଲା ମିତାଳି ।

 

“ନା ମା’ ! ମୋ ଆଖିକୁ ଲୁଚାଇ ପାରିବୁନି ତୁ । ମା’ ତୋର ଥିଲେ ଆଜି ସ୍ପଷ୍ଟ ଜାଣିପାରିଥାନ୍ତେ...ମୁଁ ତ ରହିଲି ବାହାରେ ବାହାରେ ତୋ କଥା ବୁଝିପାରିନି–ସମୟ ହେଇନି । ହେଲେ ମୋତେ କ’ଣ ହେଇଛି ଖୋଲି କରି କହ ତ ମା’–”

 

ଶେଷ କେଇପଦ କଥାରେ ପିତାଙ୍କର ସ୍ନେହ କରୁଣା ଝରି ପଡ଼ୁଥିଲା । ମିତାଳି ସଜଳ ଚକ୍ଷୁରେ ତାଙ୍କ ମୁହଁକୁ ଚାହିଁ କହିଲା–“ରାତି ବେଶି ହେଲାଣି ବାପା ! ବଡ଼ ଡେରି ହୋଇଯାଇଛି ଡିନର । ଆସ–ଆଉ ଡେରି କରନା ।”

 

ମିତାଳି ଆଗେଇଗଲା ଭୋଜନ କକ୍ଷ ଆଡ଼କୁ । ଶୋଭାକାନ୍ତ ବାଥ୍‍ରୁମ୍‍ରେ ଧୁଆଧୋଇ ହୋଇ ଫେରିଆସିଲେ । ମନଟା ତାଙ୍କର ସେଇପରି ଭାରି ହୋଇ ରହିଲା । କନ୍ୟାର ମନ ବୁଝିବାପାଇଁ ଚେଷ୍ଟା କରି ମଧ୍ୟ ବୁଝିପାରିଲେ ନାହିଁ । ଭୋଜନର ଆଗ୍ରହ ନଥିଲା; କିନ୍ତୁ ମିଲି ସହଜରେ ଛାଡ଼ି ଦବନି ତାଙ୍କୁ । ଗତ୍ୟନ୍ତର ନ ଦେଖି ଡିନରପାଇଁ ବସିଲେ ଯାଇ ।

 

ସୁପ୍‍ରେ ଟିକିଏ ଗୋଲମରିଚ ଗୁଣ୍ତ ଢାଳୁ ଢାଳୁ କହିଲେ ଶୋଭାକାନ୍ତ । “ତୁ ଏତେ ସମୟ ନ ଖାଇ ମୋପାଇଁ ଅପେକ୍ଷା କରିବା ଅନ୍ୟାୟ ହୋଇଛି ମା’ ! ଏତେ ରାତିରେ............”

 

–ଏତେ ରାତିରେ ମୁଁ ଖାଇଲେ ମୋର ଅସୁଖ କରିବ, ଆଉ ତୁମର କିଛି ହେବନିନା ବାପା–

 

–କଥା ଛଡ଼ାଇ ନେଇ କହିଲା ମିଲି ଏବଂ ତା’ର ସ୍ନେହ ସିଗ୍ଧ ସ୍ୱରରେ ଦୁହେଁ ହସି ଉଠୁଥିଲେ ସୁପ୍ ଖାଇବା ଆଗରୁ । ଶୋଭାକାନ୍ତ ସୁପ୍ ଖାଉଁ ଖାଉଁ କହିଲେ–“କ’ଣ ମା’ ଖାଇଲୁ ନାହିଁ ଯେ ଆଉ । ବେଶ୍ ଭଲ ହୋଇଛି ତ ଆଜି !”

 

–“ଭଲ ହୋଇଛି ବାପା–କିନ୍ତୁ ଭଲଲାଗୁନି ଖାଇବାପାଇଁ ।” କହି କହି ପାଣି ଢୋକେ ପିଇଲା ମିଲି । ଖାନସାମା ସୁପ୍ ପ୍ଳେଟ ଉଠାଇ ଅନ୍ୟ ପାତ୍ର ଆଣି ରଖିଲା । ଶୋଭାକାନ୍ତ ମଧ୍ୟ ଆଉ ଖାଇବାରେ ଆଗ୍ରହ ରଖିଲେ ନାହିଁ ।

 

ଚିଙ୍ଗୁଡ଼ି କଟ୍‍ଲେଟରୁ ଟୁକୁରାଏ ମୁହଁରେ ଗୁଞ୍ଜି ଚୋବାଉ ଚୋବାଉ କହିଲେ ଶୋଭାକାନ୍ତ–“ତତେ ଚୁଙ୍ଗୁଡ଼ି କଟ୍‍ଲେଟ୍ ଭାରି ଭଲଲାଗେନା ମା’ !”

 

“ମୋତେ ଖୁବ୍ ଭଲଲାଗେ ବାପା ! ଖାଅନା ବେଶି କରି ଗୋଟାଏ, ଦେଖିବ କି ସୁନ୍ଦର-।”

 

ଶୋଭାକାନ୍ତ ଗୋଟାଏ ନୁହେଁ ଦୁଇଟା ଖାଇଲେ; କିନ୍ତୁ ଦେଖିଲେ ଖାଉଁ ଖାଉଁ ମିତାଳି ଅନ୍ୟମନସ୍କ ହୋଇଯାଇଛି । ଆଉ କିଛି କହିଲେ ନାହିଁ ସେ । ଏପରି ସଚରାଚର ହୁଏନା । ଅନ୍ୟମନସ୍କ ଭାବ କେବଳ ନୁହେଁ ତା’ର ଖାଇବାରେ ନିସ୍ପୃହତା ଲକ୍ଷ୍ୟକଲେ ଶୋଭାକାନ୍ତ ଏଭଂ ସର୍ବୋପରି ତା’ର ଆଖିରେ ଯାହା ଏଡ଼ାଯାଇ ପାରେନା, ତା’ର ଅବୟବରେ, ମୁହଁର ଲାବଣ୍ୟରେ ଏକ ଅଶ୍ୱସ୍ତିକର କରୁଣତା ଲକ୍ଷ୍ୟ କଲେ ଶୋଭାକାନ୍ତ ।

 

ମନର କଥା ମନରେ ରହିଲା । କାହାକୁ ଖୋଲି କରି କହିବାର ଅବସର ପାଇଲେ ନାହିଁ ସେ । ଅଳ୍ପ କେଇଦିନ ପରେ କିନ୍ତୁ ଗୋଟାଏ ଘଟଣାରୁ ସମସ୍ତ ଦିବାଲୋକ ପରି ସ୍ପଷ୍ଟ ହୋଇ ଉଠିଲା ଆଖି ସାମ୍ନାରେ ।

 

ସେ ଦିନ ରବିବାର । ପୂଜା ପାଖ ହୋଇଆସୁଥାଏ । ପୂଜାକମିଟିର ସଭାପତି ଶୋଭାକାନ୍ତ । ପୂଜାକମିଟିର ଗୋଟାଏ ଜରୁରୀ ସଭାରେ ଯୋଗ ଦେଇ ଫେରିବା ସମୟରେ ବାଟରେ ବିଜୟା ସିନେମାହଲ ସାମ୍ନା ରାସ୍ତାର ମୋଡ଼ରେ ଲକ୍ଷ୍ୟ କଲେ ଶୋଭାକାନ୍ତ ମି: ମହାନ୍ତିଙ୍କ ଗାଡ଼ି । ତାଙ୍କ ସହିତ ଅନେକ ଦିନ ହେଲା ଆଳାପ ହେଇନି–ଦୁହେଁ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ-। ଆଜି ଏଇ ଅବସରରେ ତାଙ୍କୁ ଅନ୍ତତଃ ଶୁଭ ସନ୍ଧ୍ୟା ଶୁଣାଇ କ୍ଷମା ମାଗି ନେବେ ଏଇ କଥା ଭାବି ଯେତେବେଳେ ସେଇ କାର ପାଖରେ ବ୍ରେକ୍ କଷି ଗାଡ଼ି ଛିଡ଼ାକରି ବାହାରକୁ ଆସିଲେ ଶୋଭାକାନ୍ତ, ଦେଖି ବିସ୍ମିତ ହେଲେ ଯେ ମି: ମହାନ୍ତି ଆରୋହୀମାନଙ୍କ ମଧ୍ୟରେ ନାହାନ୍ତି–ଅଛନ୍ତି ମିସେସ୍ ମହାନ୍ତି ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟ ମି: ଦେବଦତ୍ତ ଦାସ । ଆଗ ସିଟରେ ବସିଥିଲେ ଦୁଇଜଣ । ମିସେସ୍ ମହାନ୍ତି ଗାଡ଼ିର ଷ୍ଟିଅରିଂ ପାଖରେ ବସିଥିଲେ । ପାଖକୁ ଯାଇ ବେଶ୍ ବିବ୍ରତ ବୋଧ ହେଲେ ଶୋଭାକାନ୍ତ । ତାଙ୍କୁ ଅପ୍ରତ୍ୟାଶିତ ଭାବରେ ଏତେ ନିକଟରେ ଦେଖି ଅସୀମା ଏବଂ ଦେବଦତ୍ତ ଯେପରି ଆଶ୍ଚର୍ଯ୍ୟ ହେଲେ । ଫେରିଆସିଲେ ଶୋଭାକାନ୍ତ–ମୁହଁରୁ ତାଙ୍କର ପଦେହେଲେ କଥା ବାହାରିଲା ନାହିଁ ।

 

ଏ ସାମାନ୍ୟ କଥା ! ମନରେ ତାଙ୍କର ଦାଗ ରଖିଲା ଭଳି କିଛି ହୋଇନି; କିନ୍ତୁ ବ୍ୟଥା ପାଇଲେ ସେ । ବୟସ ହୋଇଛି ତାଙ୍କର । ଦିନେ ସେ ସ୍ୱାମୀ ଥିଲେ । ପ୍ରାୟ ନଅଟା ରାତିରେ ଗୋଟାଏ ସିନେମାହଲ ପାଖରେ ପରସ୍ପରକୁ ଲଗାଲଗି ହୋଇ ଜଣକର ସ୍ତ୍ରୀ ଆଉ ଜଣେ ପରପୁରୁଷ ସହିତ ଏଭଳି ବସିପାରେ ଏହା ରୁଚିରେ ବାଧିଲା ତାଙ୍କର । ହୁଏତ ସିନେମା ଦେଖା ଶେଷକରି ଫେରିବାର ଉଦ୍‍ଯୋଗ କରୁଥିଲେ ଦୁହେଁ । ତାଙ୍କୁ ଅଧିକ ବିସ୍ମିତ କଲା ଦେବଦତ୍ତର ଆଚରଣ । ସେ ଅନ୍ତତଃ ଯଥୋଚିତ ବ୍ୟବଧାନ ରକ୍ଷା କରି ବସି ପାରିଥାନ୍ତା ଗାଡ଼ି ଭିତରେ । ଏଇ ସବୁ ତାଙ୍କୁ ଚିନ୍ତିତ କଲା, ବିବ୍ରତ ମଧ୍ୟ କଲା । ଆଉ ସେଇ ସଙ୍ଗେ ସଙ୍ଗେ ମନେପଡ଼ିଲା ମିତାଳି । ଦେବଦତ୍ତ ପାଖରେ କେତେବାର ଦେଖିଛନ୍ତି ତାଙ୍କୁ । କେବେ ଶିଷ୍ଟାଚାର ଲଙ୍ଘନ କରିନାହିଁ ସେ । କିନ୍ତୁ ଆଜି......

 

ସେ ଦିନର କଥା ମନେପଡ଼ିଲା । ମିଲି ଅପେକ୍ଷା କରିଥିଲା ତାଙ୍କ ଫେରିବା ବାଟକୁ । ଫେରୁ ଫେରୁ ଏଗାରଟା ହୋଇଯାଇଥିଲା । ଖାଇବା ଟେବୁଲରେ ବସି ମିଲିର ଅନ୍ୟମନସ୍କ ଏବଂ ସକରୁଣ ଭାବ ସେ ବେଶ ଭଲ ଭାବରେ ଲକ୍ଷ୍ୟ କରିଥିଲେ । କନ୍ୟା ତାଙ୍କୁ କିଛି ନ କହି ଏଡ଼ି ଯାଇଥିଲା । ସେ ଅନୁଭବ କରିଥିଲେ, ଯେପରି ତାଙ୍କ ପାଖରୁ କିଛି ଗୋଟାଏ ଗୋପନ ରଖିବା ପାଇଁ ଚାହେଁ ମିତାଳି ! କିଛି ପଚାରି ପାରି ନଥିଲେ ମନେ ମନେ ପୀଡ଼ା ଅନୁଭବ କରିଥିଲେ ।

 

ଆଜି ଦେବଦତ୍ତ ପାଖରେ ଅସୀମାକୁ ଦେଖି ଯେଉଁ ଖଟକା ମନ ଭିତରେ ସେ ଦିନ ଜାଗିଥିଲା, ତାଙ୍କର ତାହା ଅଧିକ ବଦ୍ଧମୂଳ ଧାରଣାରେ ପରିବର୍ତ୍ତିତ ହେଲା । ସେ ସେଇଥିପାଇଁ ହଜାରେ କଥା ମନ ଭିତରେ ଭାବୁ ଭାବୁ ବେଶ୍ ବିଚଳିତ ହୋଇ ପଡ଼ିଲେ । ରକ୍ତଚାପ ନଥିଲା ତାଙ୍କର କିନ୍ତୁ ସେଇ ଭାବନାର ବୋଝ ବହନ କରି ନ ପାରି ବେଶ୍ ଅଶ୍ୱସ୍ତି ମନେକଲେ ସେ ।

 

ଆଉ ଯେତେବେଳେ ଗାଡ଼ିରୁ ଓହ୍ଲାଇଲେ, ସମସ୍ତେ ସଚକିତର ସହିତ ଲକ୍ଷ୍ୟ କଲେ ତାଙ୍କର ପରିବର୍ତ୍ତନ । ଶାନ୍ତ, ସଂଯତ୍ ଶୋଭାକାନ୍ତଙ୍କୁ ଚିନ୍ତିତ ଏବଂ ଉତ୍ତେଜିତ ମନେହେଉଥିଲା ।

 

ମିଲି ତାଙ୍କ ପାଖକୁ ଆଗେଇ ଆସୁ ଆସୁ କହିଲା–“ଆଜି କ’ଣ କଲ ବାପା–ଏ ବର୍ଷ ଦୁର୍ଗା ମୂର୍ତ୍ତି କରିବା ପାଇଁ କ’ଣ କଟକରୁ କାରିଗର ଆସିବେ ।”

 

ଉତ୍ତର ଦେଲେ ନାହିଁ ଶୋଭାକାନ୍ତ–ଅନ୍ୟମନସ୍କ ଭାବରେ ଆଗେଇ ଚାଲିଲେ । ଆଶ୍ଚର୍ଯ୍ୟ ବ୍ୟାପାର । କନ୍ୟାର ଗୋଟାଏ କଥାକୁ ଦଶଟା ଉତ୍ତର ଦେବାପାଇଁ ଯେଉଁ ଶୋଭାକାନ୍ତଙ୍କ ତୁଣ୍ତରେ ଥାଏ ବାଚାଳତା, ଆଜି ସେ ନିରୁତ୍ତର । କନ୍ୟାର ପ୍ରଶ୍ନ ଶେଷ ହେବା ଆଗରୁ ଉତ୍ତର ଦିଅନ୍ତି ଯେ, ତାଙ୍କର ଏ ନିରୁତ୍ତରତାରେ ଯେ କେହି ତାଙ୍କର ଗଭୀର ଚିତ୍ତଚାଞ୍ଚଲ୍ୟ ଲକ୍ଷ୍ୟ କରିବା ସ୍ୱାଭାବିକ-

 

–“କ’ଣ ବାପା କହୁନ ଯେ କିଛି–ଭୋକ ଲାଗିବଣି ନୁହେଁ ! ମିତାଳି କହି ଯାଉଥିଲା ଆଦର ଜଡ଼ିତ କଣ୍ଠରେ । ଚମକି ପଡ଼ି ଚାହିଁଲେ ଶୋଭାକାନ୍ତ ତା’ର ମୁହଁ ଉପରକୁ–ତା’ପରେ କହିଲେ–ଆରେ ସତେତ କ’ଣ ପଚାରୁଥିଲୁ ମା’ ପୂଜା ବିଷୟରେ ।

 

–“ଏ ବର୍ଷ କ’ଣ କଟକରୁ କାରିଗର ଆସିବେ ବାପା ?”

 

“ହଁ ମା’ କଟକରୁ ଆସିବେ । ଗତବର୍ଷ ତ ସେଇ କଟକୀ କାରିଗରର କାରୁକାର୍ଯ୍ୟ ଯୋଗୁଁ ଗୋଲ ବଜାର ପୂଜାମେଢ଼ ସବୁଠୁ ସୁନ୍ଦର ହୋଇ ପୁରସ୍କାର ପାଇଥିଲା ।”

 

–“ସେଥିରେ ଆଉ କାହାର ବାହାଦୂରି ନାହିଁ ବାପା–ଅଛି ଯେ ଉଦ୍ୟୋକ୍ତା ତାଙ୍କର !”

 

କନ୍ୟା କ’ଣ କହିବାକୁ ଚାହେଁ ବୁଝିପାରି ଟିକିଏ ହସିଲେ ଶୋଭାକାନ୍ତ ! ସେଇ ହସ ଭିତରେ କିନ୍ତୁ ଝରି ପଡ଼ିଲା କେତେ ଦିନର କ୍ଳାନ୍ତି, କେତେ ଗୁରୁ ଅବସାଦର ଭାର । ସେ କହିଲେ–ବାପାକୁ ଝିଅର ଏତେ ପ୍ରଶଂସା ସହ୍ୟ ହେବନି ମା’ !

 

“ମୁଁ କ’ଣ ମିଛରେ କହିଲି ବାପା ! ତମେ ତ କମିଟିରେ ଯୋର କରି କଟକୀ କାରିଗର ଆଣିବାପାଇଁ ପ୍ରସ୍ତାବ ପାଶ୍ କରାଇଥିଲ, ନୁହେଁ !”

 

“ସବୁ ତୋର ମନେଅଛି ନା ମା’ ! କିନ୍ତୁ ବୁଢ଼ା ପୁଅର ଗୋଟିଏ ଅଳି ଆଜି ତତେ ପୂରଣ କରିବାକୁ ହେବ ମା’ !”

 

କହୁଁ କହୁଁ ଆତୁର ନୟନରେ ମିଲିର ମୁହଁ ଉପରକୁ ଚାହିଁଲେ ଶୋଭାକାନ୍ତ । ତାଙ୍କର ଛାତି ଉପରେ ମଥା ଗୁଞ୍ଜି ତାଙ୍କ ପିଠିରେ ହାତ ବୁଲାଇ ଦେଉଁ ଦେଉଁ କହିଲା ମିଲି–“ବେଶ୍ କୁହନା ବାପା ! ମୁଁ କ’ଣ ଅବାଧ୍ୟ ହୋଇଛି କେବେ– ।”

 

ଆଶାର ଆଲୋକ ଦେଖିପାରି କିଞ୍ଚିତ ଆଶ୍ୱସ୍ତ ହୋଇ କହିଲେ–“କହିବି ମା’ କହିବି । ଡେରି ହେଲାଣି । ଆଗ ଖାଇସାରି–ତା’ପରେ କହିବି ।”

 

ଦୁହେଁ ରାତ୍ରିଭୋଜନ ସମାପନ କରି ଆସି ବସିଲେ ଶୋଭାକାନ୍ତଙ୍କ କୋଠରୀରେ । ଏ ପ୍ରତିଦିନର ଅଭ୍ୟାସ । ଏଇ ସମୟରେ କନ୍ୟାକୁ ଏକାନ୍ତ ଭାବରେ ଆଦର କରିବାର ସୁଯୋଗ ପାଆନ୍ତି ଶୋଭାକାନ୍ତ । କେବେ ନିଜର ବ୍ୟବସାୟ ସମ୍ପର୍କରେ, କେବେ କନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ ନେଇ, ଆଉ କେବେ ବା ଆଗାମୀ କାଶୀର ଭ୍ରମଣ ସମ୍ପର୍କରେ ଆଲୋଚନା କରନ୍ତି ସେ । ଏଇ ସମୟରେ କନ୍ୟାକୁ ଜାଣିବାର ଚେଷ୍ଟା କରନ୍ତି । ତା’ରି ଆଦର ଆବ୍‍ଦାର ଭିତରେ ନିଜେ ଆନନ୍ଦ ଅନୁଭବ କରନ୍ତି ।

 

ଆଜି କିନ୍ତୁ ଏକ ଗୁରୁତର ଆଲୋଚନା କରିବା ପାଇଁ ଆଗରୁ ନିଜକୁ ପ୍ରସ୍ତୁତ କରିଥିଲେ ଶୋଭାକାନ୍ତ । ସେ ଝରକା ପାଖରେ ଗୋଟାଏ ଇଜି ଚେୟାରରେ ବସି କନ୍ୟାକୁ ପାଖକୁ ଡାକିଲେ-। ମିଲି ବାପାଙ୍କ ପଲଙ୍କ ଉପରେ ବସି ସୁଏଟର ବୁଣୁବୁଣୁ କହିଲା–“କ’ଣ କହୁଥିଲ ଯେ ବାବା !”

 

ଟିକିଏ ମୌନରହି କହିଲେ ସେ–“ହଁ ମା’, ଗୋଟିଏ ବିଷୟ ନେଇ ତୋ ସାଙ୍ଗରେ ପରାମର୍ଶ କରିବାର ଅଛି ।”

 

–କ’ଣ ବାବା !

 

–ମୁଁ ବୁଢ଼ା ହେଲିଣି ମା’ ! ତା’ପରେ ତୁ ଜାଣୁ, ତୁ ମୋର ଜୀବନର କେତେଟା ଅଂଶ ମାଡ଼ି ବସିଛୁ । ଏଣୁ ତୋରି ଭବିଷ୍ୟତ ନେଇ ମୁଁ ବଡ଼ ଚିନ୍ତାରେ ପଡ଼ିଛି ମା’–

 

–କାହିଁକି ବାବା ! ତୁମର ସ୍ୱାସ୍ଥ୍ୟ ତ ଭଲ ଅଛି । ଆଉ ମୁଁ ତ ବେଶ୍ ଅଛି.........

 

ସେକଥା ନୁହେଁ ମା’–ମଣିଷ ଆଖି ବୁଜିଲେ ଅନ୍ଧାର; କିନ୍ତୁ ତା’ ଆଗରୁ ମୁଁ ଦେଖି ଯିବାକୁ ଚାହେଁ–

 

–ଆଉ କିଛି କହିପାରିଲେନି ଶୋଭାକାନ୍ତ । ତାଙ୍କର କଥାରେ କନ୍ୟାପାଇଁ ବ୍ୟଗ୍ରତା ଫୁଟିଉଠୁଥିଲା ।

 

–ନା ବାବା, ତୁମେ ସେପରି କହିଲେ କିନ୍ତୁ ମୁଁ ବସିବିନି ଆଉ–

 

ଏହା କହି ଅନ୍ୟଆଡ଼େ ମୁହଁ ଫେରାଇଲା ମିଲି । ଶୋଭାକାନ୍ତ ତା’ ପାଖକୁ ଉଠି ଆସି ତା’ ମଥା ଉପରେ ହାତ ବୁଲାଉ ବୁଲାଉ କହିଲେ–

 

–ଗୋଟାଏ କଥା ପଚାରିବି ମା’–

 

–ପଚାର ବାବା !

 

ଆଗ୍ରହରେ ପିତାଙ୍କ ମୁହଁକୁ ଚାହିଁଲା ମିତାଳି ।

 

–ଦେବଦତ୍ତ ତତେ କିଛି ଜବାବ ଦେଇଛି ମା’ !

 

ମିଲି ଏବେ ବୁଝିପାରିଲା କେଉଁଠି ବାବାଙ୍କର ବ୍ୟଗ୍ରତା କ’ଣ ପାଇଁ ତାଙ୍କର ଏତେ ଅଧୀରତା । ସେ କିନ୍ତୁ ନ ଜାଣିଲା ପରି କହିଲା–

 

–କେଉଁ କଥା ବାବା !

 

–ତୁମ ଦୁହିଁଙ୍କର ଯଦି ମତ ଥାଏ, ତାହେଲେ ବିବାହଟା ତ ହୋଇଯିବା ବାଞ୍ଚନୀୟ ମା’......

 

ମିତାଳି ପିତାଙ୍କ ମୁହଁ ଉପରୁ ମୁହଁ ତଳକୁ ଆଣି କିଛିକ୍ଷଣ ଚିନ୍ତାକଲା । ଏକଥା ଯେ ସେ ଆଗରୁ ନ ଭାବିଛି ତା’ ନୁହେଁ; କିନ୍ତୁ କିଛି ଗୋଟାଏ ସମାଧାନ ହୋଇନି । ସେଦିନ କଥା ଶେଷ ହେବା ପୂର୍ବରୁ ଆସିଥିଲେ ଅସୀମା । ଆଉ ତା’ରି ସାଙ୍ଗରେ ଫେରିଯାଇଥିଲା ଦେବଦତ୍ତ । ଦେବଦତ୍ତର ସେଇ ଚାଲିଯିବାଟା ବଡ଼ ବ୍ୟଥା ଦେଇଥିଲା ମିତାଳିକୁ । ଅସୀମାଙ୍କର ଆଚରଣର ଅସଂଯତ ଭିତରେ ଏବଂ ତା’ ସହିତ ଜୋର କରି ପ୍ରାୟ ଦେବଦତ୍ତକୁ ନେଇଯିବାରେ ଅଭିମାନ ଏବଂ ଅନୁଯୋଗରେ ଫାଟି ପଡ଼ିଥିଲା । କିନ୍ତୁ ଏସବୁ କ’ଣ କାହା ଆଗରେ ପ୍ରକାଶ କରିବାର କଥା-। ଦୁଃଖ ହେଲେ ଏ ତା’ର ନିଜସ୍ୱ, ଆଉ ଯଦି ସୁଖ ହୁଏ, ତାହା ମଧ୍ୟ ତା’ର ଏକାନ୍ତ ଆପଣାର-। ଏଥିରୁ ଭାଗ ଦିଆଯାଇପାରେନା, ଦିଆଯାଏନା ।

 

ତାକୁ ନୀରବ ରହିବାର ଦେଖି କହିଲେ ଶୋଭାକାନ୍ତ । “ଯଥା ସମୟରେ ଶୁଭ କାର୍ଯ୍ୟ ହେଲେ ସମସ୍ତେ ଆନନ୍ଦ ପାଆନ୍ତି ମା’ !”

 

–“କିନ୍ତୁ ତାଙ୍କର ମତାତମ ତ ଜାଣିବା ଆବଶ୍ୟକ ବାବା !”

 

ଆଶ୍ଚର୍ଯ୍ୟ ହେଲେ ଶୋଭାକାନ୍ତ । ଏତେ ଦିନ ଦେବଦତ୍ତ ସହିତ ତା’ର ମିଳାମିଶା ଅଥଚ ଦୁଇଜଣଙ୍କ ମଧ୍ୟରେ ଆଳାପ ଆଲୋଚନା ହୋଇ ଯେଉଁ କଥାର ଗୋଟାଏ ସମାଧାନ ହେବା ସ୍ୱାଭାବିକ–ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ହୋଇନି । ଆଶ୍ଚର୍ଯ୍ୟ ହେଲେ ସେ । ଅଧିକ ଚିନ୍ତିତ ହୋଇ ପଡ଼ିଲେ କ୍ଷଣିକରେ ।

 

ତା’ପରେ କନ୍ୟାକୁ ଆଦର କରି କହିଲେ, “କିନ୍ତୁ କିଛି ଗୋଟାଏ ଶେଷ କଥା ଜାଣିବା ଯେ ନିତାନ୍ତ ପ୍ରୟୋଜନ ମା’ ! ତା’ପରେ ମୁଁ ଯେ ଆଉ ସ୍ଥିର ହୋଇ ବସି ରହିପାରୁନି ।”

 

ପିତାଙ୍କର ବ୍ୟଗ୍ରତା ସ୍ୱାଭାବିକ; କିନ୍ତୁ ମୁହଁ ଖୋଲି ମିତାଳି କିଛି କହିପାରିଲାନି ତାଙ୍କୁ । ଦେବଦତ୍ତ ଶେଷ କଥା କହିଯାଇ ନଥିଲେ ମଧ୍ୟ ଯାହା କହିଯାଇଛି, ତାହା କ’ଣ ଯଥେଷ୍ଟ ନୁହେଁ ମିତାଳିର; କିନ୍ତୁ ବୁଝିଲାନି ତା’ର ମନ । କେଉଁଠି କେଜାଣି ବେଦନାରେ ଆକୁଳ ହୋଇ ଉଠିଲା ସେ-। ଆଉ ତା’ର ଅଜ୍ଞାତରେ ସେଇ ସୁତୀବ୍ର ବେଦନାର ଛାପ ଦେଖାଦେଲା ତା’ର ଦୁଇ ଚକ୍ଷୁର ଦୁଇ ପ୍ରାନ୍ତରେ ।

 

ବାପାଙ୍କ ଛାତି ଉପରେ ମୁହଁଗୁଞ୍ଜି କାନ୍ଦୁଥିଲା ମିତାଳି ।

 

ଶୋଭାକାନ୍ତ ସବୁ ଦେଖି ସହିପାରନ୍ତି କିନ୍ତୁ କନ୍ୟାର ଅଶ୍ରୁ ଦେଖି ସହ୍ୟ କରିପାରନ୍ତି ନାହିଁ-। ସେ କ୍ଷଣିକରେ ଦୁଃଖରେ ମୁହ୍ୟମାନ ହୋଇ ପଡ଼ିଲେ । ବ୍ୟଥିତ କଣ୍ଠରେ କହିଲେ–“ମୁଁ ତ ଏୟା ବୁଝିଥିଲି ମା’ ଆଜିଯାଏ–ଛାଡ଼ ସେ କଥା । ଦେବଦତ୍ତ ଯଦି ଆଉ ଆସେ, ତାକୁ ଥରେ ଶେଷ କଥା ପଚାରି ନେବୁ ମା’....। ତା’ପରେ....”

 

ଆଉ କହିପାରିଲେନି ଶୋଭାକାନ୍ତ । ସିନେମାହଲ ଆଗର ସେଇ ଦୃଶ୍ୟ ତାଙ୍କୁ ଚାବୁକ ମାରି ଯେପରି କହିଲା–ମିଲି ପଛରେ ପଡ଼ିଯାଇଛି ଶୋଭାକାନ୍ତ ।

 

–“ଜୀବନର ଜୁଆଖେଳରେ ବହୁଦୂର ଆଗେଇ ଯାଇଛନ୍ତି ଅସୀମା ଏବଂ ଦେବଦତ୍ତ ।”

 

ସ୍ୱଳ୍ପଲୋକିତ ସେଇ ପ୍ରକୋଷ୍ଠର ନିବିଡ଼ ନୀରବତା ମଧ୍ୟରେ ଦୁଇଟି ପ୍ରାଣର ବେଦନା ମୂର୍ତ୍ତି ହୋଇ ଉଠୁଥିଲା ।

 

ତାରା ଭରା ଆକାଶର ଏକ କୋଣରୁ ଗୋଟିଏ ଉଜ୍ଜ୍ୱଳ ତାରକା ଖସି ପଡ଼ିଲା ଭୂଇଁ ଉପରେ ।

 

ଏକୋଇଶ

 

ଟେଲିଫୋନ ବାଜି ଉଠିଲା ।

 

ରିସିଭରଟା ଉଠାଇ ନେଇ କହିଲା ଦେବଦତ୍ତ–

 

–ଦେବଦତ୍ତ କହୁଛି ।

 

–ଗୁଡ଼ ମର୍ନିଂ ୟଙ୍ଗମ୍ୟାନ୍ । ମୁଁ ଶୋଭାକାନ୍ତ ସେନ କହୁଛି ।

 

–ଗୁଡ଼୍ ମର୍ନିଂ ! ଏତେ ସକାଳେ ସକାଳେ ଯେ....

 

–ତୁମେ ଜାଣ ବଡ଼ି ସକାଳୁ ଉଠିବା ଅଭ୍ୟାସ ମୋର । ସକାଳ କାଗଜ ଆସିନି ଏ ଯାଏ-। ଭାବିଲି ତୁମ ସହିତ ଟିକିଏ ଆଳାପ କରିନିଏ ।

 

–ସୌଭାଗ୍ୟର କଥା । ଆସନ୍ତୁନା ଦିନେ.....

 

–ଦିନେ ନୁହେଁ ! ଆଜି ଅସୁବିଧା ନଥିଲେ ଯାଇପାରେ ।

 

–ଆସନ୍ତୁ, ଆସନ୍ତୁ, ଅସୁବିଧା କ’ଣ ଯେ । ବରଂ ମୁଁ ଅତ୍ୟନ୍ତ ଆନନ୍ଦିତ ହେବି ।

 

–ବର୍ତ୍ତମାନ ଆସିପାରେ କି ?

 

–ଆସନ୍ତୁ । ମୁଁ ଅପେକ୍ଷା କରୁଛି । ହଁ, କଫି ଯେପରି ଥଣ୍ତା ନ ହୁଏ ।

 

–ଧନ୍ୟବାଦ । ଆସୁଛି ତାହେଲେ ।

 

ମୁହଁରେ ହସ ନେଇ ଆଳାପ ଶେଷ କଲେ ମିଷ୍ଟର ସେନ ।

 

ସେ ଦେବଦତ୍ତ ସହିତ ଦେଖାକରି ମିଲି ସମ୍ପର୍କରେ ଆଲୋଚନା କରିବା ପାଇଁ ଚାହାଁନ୍ତି-। ଦିନ ଗଡ଼ି ଯାଉଛି । ଆଉ ଡେରି କରିବା ଚଳେନା । ସେ ନିଜେ ଯାଇ ତା’ର ମତାମତ ଶୁଣି ଆସିବେ ।

 

ପ୍ରଭାତର ଆଲୋକ ବିଛାଡ଼ି ହୋଇ ପଡ଼ିଥିଲା ଲନ୍ ଉପରେ । ପୁଷ୍ପିତ ଗୋଲ ମୋହରର ଶାଖା ପ୍ରଶାଖାରେ ରଙ୍ଗର ଉତ୍ସବ । ଲନ୍ ଉପରେ ବେତ ଚୌକି ଚାରିଟି । ମଝିରେ ଛୋଟ ଟେବୁଲ । ସେଇଠି ବସିଥିଲା ଦେବଦତ୍ତ । ଗଛର ଛାଇ ପଡ଼ିଥିଲା ଉପରେ ।

 

ଭାବୁଥିଲା ସେ । କାହିଁକି ଆସୁଛନ୍ତି ଶୋଭାକାନ୍ତ । ସଚରାଚର ଏ ସମୟରେ ଆସନ୍ତିନି ଆଳାପ କରିବା ପାଇଁ । ବ୍ୟସ୍ତ ବ୍ୟବସାୟୀ ମଣିଷ । ସମୟର ମୂଲ୍ୟ ବୁଝନ୍ତି । ହୁଏତ ବିଭାଗୀୟ କୌଣସି କାର୍ଯ୍ୟ ସମ୍ପର୍କରେ କଥାବାର୍ତ୍ତା କରିବା ପାଇଁ ଚାହାଁନ୍ତି କିମ୍ବା ଆଗାମୀ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ସମ୍ପର୍କରେ ଆଲୋଚନା କରିବା ପାଇଁ ଇଚ୍ଛା ତାଙ୍କର ।

 

କିନ୍ତୁ ଯଦି ଏ ସବୁ ନ କହି ଅନ୍ୟ କିଛି କୁହନ୍ତି । ଭାବିଲାକ୍ଷଣି ଛାତି ଭିତରେ ଟିକିଏ କମ୍ପନ ଅନୁଭବ କଲା ।

 

ହୁଏତ ମିଲିର ବିବାହ ସମ୍ପର୍କରେ ନିରୋଳାରେ ଦୁଇଚାରି ପଦ ଆଳାପ ଆଲୋଚନା କରିବା ପାଇଁ ଚାହାଁନ୍ତି । ଯେତେହେଲେ ଝିଅର ବାପତ । ଉଦ୍‍ବେଗ ଅଛି, ଉତ୍କଣ୍ଠା ଅଛି । କିଛି ଗୋଟାଏ ମୀମାଂସା ପ୍ରୟୋଜନ ତାଙ୍କର ।

 

ଦୁଇ ନାଆରେ ଗୋଡ଼ ଦେଇ ଭାରସାମ୍ୟ ରକ୍ଷା କରି ଆଉ କେତେଦିନ ବନ୍ୟାପ୍ଳାବିତ ନଦୀ ବକ୍ଷରେ ବୁଲି ପାରିବ ସେ । ଦୁଇ କୂଳରୁ ଗୋଟିକୁ ବାଛି ନବାକୁ ହବ । ଦୁଇ ନାଆରୁ ଗୋଟିକ ଉପରେ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦବ ନିଜକୁ.........

 

ମନରେ ଭାବନାର ମେଘ ।

 

ସୁକୋମଳ ଘାସ ଶେଯ ଉପରେ ନଗ୍ନ ପାଦ ଘଷି ବେଶ୍ ଆନନ୍ଦ ଉପଭୋଗ କରୁଥିଲା; କିନ୍ତୁ କେତେବେଳେ ଅନ୍ୟମନସ୍କ ହୋଇଯାଇ ଆଉ କ’ଣ ଭାବୁଥିଲା ପୁଣି......

 

ମନଗହନର ଅନ୍ଧିସନ୍ଧିରେ ଅଶେଷ ପ୍ରଶ୍ନର ଲୁଚକାଳି ଖେଳଚାଲିଛି ।

 

ମନକୁ ମନ ପ୍ରଶ୍ନ କଲା । ଆଉ କେତେଦିନ ଏଡ଼ି ଯାଇପାରିବ ପ୍ରଶ୍ନର ଉତ୍ତର । ସମସ୍ୟାର ସମାଧାନ ।

 

ସେଦିନ ମନୀଷାଙ୍କ ସହିତ ତା’ର ଯେଉଁ ଆଳାପ ହୋଇଥିଲା, ମନେପଡ଼ିଲା । କେତେଗୁଡ଼ିଏ କଥା ତାଙ୍କର ମନ ଉପରେ ଗଭୀର ରେଖାପାତ କରିଥିଲା । ସେଇଥିପାଇଁ ତା’ର ଅଭ୍ୟାସ ଏବଂ ଆଚରଣ ଉପରେ ସନ୍ଦେହ ଜାଗିଲା ତା’ ମନରେ ।

 

ମନୀଷା କହୁଥିଲେ–

 

ସନ୍ତୋଷ ଏବଂ ଶାନ୍ତି ମନ ଉପରେ ନିର୍ଭର କରେ । ଯାହା ପାଇଛ ତାକୁହିଁ ସର୍ବସ୍ୱ ବୋଲି ଭାବ ଦେଖିବ ନପାଇବାର ଅସନ୍ତୋଷ ଏବଂ ଅଶାନ୍ତି ଉଭେଇଯିବ ମନରୁ ।

 

ସେ କ’ଣ ସବୁ ପାଇଛି ? ସମୁଦ୍ରର ଉତ୍ତାଳ ତରଙ୍ଗକୂଳରେ ପହଞ୍ଚିବା ପୂର୍ବରୁ ଭାଙ୍ଗି ପଡ଼ିବା ପରି, ସଙ୍ଗେ ସଙ୍ଗେ ମନ-ମହୋଦଧିର ବାଲି ଶେଯ ଉପରେ ଅଜାଡ଼ି ହୋଇ ପଡ଼ିଲା ।

 

ବିଚଳିତ ହେଲା ଦେବଦତ୍ତ । ଇଚ୍ଛା କରି ମଧ୍ୟ ମନକୁ ଭାବନା ମୁକ୍ତ କରିପାରିଲା ନାହିଁ-। ମନର ଶେଷ ପ୍ରଶ୍ନର ଉତ୍ତର ଦବା ଆଗରୁ ତା’ ଭିତରର ଭଲ ମଣିଷଟା ଯାହା ଅକ୍ଟୋପାସ ପରି ଶୋଇଥିଲା ଏତେଦିନ; ଚେଇଁ ଉଠିଲା ଏକ ନୂତନ ଶିହରଣରେ । ସେ ଶିହରଣ ଆନନ୍ଦର ନୁହେଁ ଆତଙ୍କର ।

 

ମନୀଷା କହୁଥିଲେ–

 

ସାଙ୍ଗ ସାଥିରେ ସୌଖ୍ୟ ଯେପରି କାମ୍ୟ, ସେ କାମନାରେ ଶିଷ୍ଟାଚାର ସେଇପରି ପ୍ରୟୋଜନ । ଅନ୍ୟର ପଥ ରୁଦ୍ଧ କରି ନିଜର ପଥ ପରିଷ୍କାର କରିବା ଅନ୍ୟାୟ ।

 

ତେବେ ସେ କ’ଣ ଅନ୍ୟାୟ କରିଛି ? ଅବିଚାର କରିଛି ନିଜର ଆଚରଣ ଏବଂ ଅଭ୍ୟାସଦ୍ୱାରା । ଆତଙ୍କରେ ଶିହରି ଉଠିଲା ଦେବଦତ୍ତ । ସେ ପ୍ରଶ୍ନର ଉତ୍ତର ସେ ଜାଣେ; କିନ୍ତୁ ପ୍ରକାଶ କରିବା ପାଇଁ ଭୟ ହେଲା ତା’ର ।

 

ଅସୀମା । ସୀମାହୀନ ଗୋଟାଏ ଉତ୍ତାଳ ତରଙ୍ଗ । ଆଦିମାନବର ଅନାଦି ମତ୍ତତା ନେଇ ବହି ଆସୁଛି ସୃଷ୍ଟିର ବହ୍ନିବନ୍ୟା ଭିତରେ । ତା’ର ପଥରୋଧ କରି କ’ଣ ଛିଡ଼ା ହୋଇପାରିବ ଦେବଦତ୍ତ !

 

ହୁଏତ ପାରିବ ନାହିଁ..........

 

କିନ୍ତୁ ସେ ଯେ ଅବିନାଶଙ୍କର ସ୍ତ୍ରୀ । ବନ୍ଧୁ ପତ୍ନୀ । ବନ୍ଧୁର ବିଶ୍ୱାସ, ଜୀବନରେ ନ୍ୟୂନତମ ଶିଷ୍ଟାଚାର ଓ ମୂଲ୍ୟବୋଧ ସେ କ’ଣ ଫିଙ୍ଗି ଦବ ଦୂରକୁ...........

 

ମନକୁ ବଡ଼ ବାଧିଲା ତା’ର । ଆଖି ଆଗରେ ଶୁଖିଲା ପତ୍ରର ବିଦଗ୍ଧ ବେଦନା ନେଇ ଦେଖାଦେଲା ଅବିନାଶଙ୍କର ଅବନତ ମୁହଁଟି ।

 

ଆହା ।

 

ବିଚରା ଅବିନାଶ ।

 

କିନ୍ତୁ...........

 

ଅସୀମା ତାକୁ ଅବାରିତ ସାନ୍ନିଧ୍ୟ ଏବଂ ଉଦ୍ଦାମ ଶିହରଣ ଦେଇ ଟାଣି ନବାପାଇଁ ଚାହାଁନ୍ତି । ସେ ତାଙ୍କର ଉତ୍ତାଳ ବହ୍ନି ବନ୍ୟା ଭିତରେ ତାକୁ ଆତ୍ମସାତ୍ କରିବା ପାଇଁ ଚାହାଁନ୍ତି । ସେ ଏକ ଦୂରନ୍ତ ଦୁଃସାଧ୍ୟ ପ୍ରଣୋଚ୍ଛ୍ୱାସ । ତାଙ୍କ ସମ୍ମୁଖରେ ଅସହାୟ ଦୁର୍ବଳ ଶିଶୁ ପରି କେବଳ କଥାମାନି ଆଗେଇ ଯାଇଛି ସେ ।

 

ସମ୍ପୂର୍ଣ୍ଣତାର ସ୍ୱାଦ ପାଇବାପାଇଁ ଯାଇ ଅପୂର୍ଣ୍ଣତାର ଏତେ ବଡ଼ ଅବସାଦ ଆଉ କେବେ ଅନୁଭବ କରିନି ।

 

ଶୋଭାକାନ୍ତଙ୍କର ଗାଡ଼ି ଗେଟ୍ ପାରିହୋଇ ଭିତରକୁ ଆସିଲା । ଗାଡ଼ି ଆସିବାର ଶବ୍ଦ ଶୁଣି ତା’ର ଭାବନା ଗୋଳମାଳ ହୋଇଗଲା । ସେ ଆଗେଇ ଗଲା ତାଙ୍କୁ ପାଛୋଟି ଆଣିବାପାଇଁ-

 

ଶୋଭାକାନ୍ତ ଗାଡ଼ିରୁ ଓହ୍ଲାଇ ଆଗେଇ ଆସିଲେ । ତାଙ୍କୁ ଚାହିଁ ଟିକିଏ ଆଶ୍ଚର୍ଯ୍ୟ ହେଲା ଦେବଦତ୍ତ । ବୟସ ହୋଇଛି; କିନ୍ତୁ ସେ ଯେ ଏତେ ଦୁର୍ବଳ ହୋଇଯାଇଛନ୍ତି, ଏହା ପ୍ରଥମ ଆଜି ଦେଖିଲା ସେ । କେଶ ବିପର୍ଯ୍ୟସ୍ତ । ମୁହଁରେ ତାଙ୍କର କିପରି ଏକ ସ୍ନିଗ୍ଧ କରୁଣତା । ଆଖିରେ ନିଷ୍ପ୍ରଭ ଦୃଷ୍ଟି ।

 

ବୟସ ବଢ଼ି ଯାଇଛି । ହଠାତ୍ ବୁଢ଼ା ହୋଇଯାଇଛନ୍ତି ଶୋଭାକାନ୍ତ ।

 

କିନ୍ତୁ ଚାଲିର ବୈଶିଷ୍ଟ୍ୟ ହଜିଯାଇନି । ଲୁଚି ଯାଇନି ପାଦ ପକାଇବାର ବିଶେଷତ୍ୱ । ଦୀର୍ଘ ଏବଂ ବ୍ୟକ୍ତିତ୍ୱ ପୂର୍ଣ୍ଣ ଚେହେରା । ଶହେ ଲୋକଙ୍କ ମଧ୍ୟରେ ଅକ୍ଳେଶରେ ବାରିହୁଏ ତାଙ୍କର ଉପସ୍ଥିତି ।

 

ଚୌକି ଉପରେ ବସିବାପାଇଁ ଅନୁରୋଧ କରି ଗୋଟେ ବେତ ଚୌକି ଆଗେଇ ଦେଲା ଦେବଦତ୍ତ ।

 

–ଆଜି ବଡ଼ ସୌଭାଗ୍ୟ । ଆପଣଙ୍କର ବହୁଦିନ ପରେ ମନେପଡ଼ିଲା.......

 

–ସମୟ ପାଏନା । ଆସିବି ଆସିବି ଭାବିଲେ ମଧ୍ୟ ଆସି ହୁଏନା, ଶାନ୍ତ କଣ୍ଠରେ କହିଲେ ଶୋଭାକାନ୍ତ ।

 

–ସେ କଥା ସତ । ଏଇ ଦେଖନ୍ତୁନା ମୁଁ ଯିବି ଯିବି କହି ଆଜିକି ପ୍ରାୟ ପନ୍ଦର ଦିନ ହେଲା ଆପଣଙ୍କ ସେ ଆଡ଼େ ଯାଇପାରିନି ।

 

–ତା’ପରେ ଆଉ ସବୁ ଖବର କ’ଣ ? ଟିକିଏ ପରେ କହିଲେ ଶୋଭାକାନ୍ତ ।

 

–ନୂଆ ଖବର ସେପରି କିଛି ନାହିଁ । ତେବେ ଶୁଣିଥିବେ ନିଶ୍ଚୟ ମିଷ୍ଟର ମହାନ୍ତି ଚାରିମାସ ଛୁଟିରେ ଯାଉଛନ୍ତି ।

 

–ଶୁଣିଛ । ମିଷ୍ଟର ମହାନ୍ତି ଭଗ୍ୟବାନ । ସହଜରେ ଛୁଟି ପାଇଗଲେ ।

 

–ତା’ ସତ । ଲମ୍ବା ଛୁଟି ପାଇବା କଷ୍ଟ; କିନ୍ତୁ ମିଷ୍ଟର ଦୀକ୍ଷିତ ମଞ୍ଜୁର କରିଦେଲେ ।

 

–ତାଙ୍କ ସ୍ଥାନରେ କିଏ ଆସୁଛି ତାହେଲେ–

 

ଟିକିଏ ନୀରବ ରହି ପଡ଼ିଥିବା ଗୋଲ ମୋହରର ଗୋଟାଏ ବୃନ୍ତଚ୍ୟୁତ ଫୁଲକୁ ଲନ୍ ଉପରୁ ଗୋଟାଇ ଆଣୁ ଆଣୁ କହିଲେ ଦେବଦତ୍ତ–

 

–ହୁଏତ କେହି ଆସି ନ ପାରେ ।

 

–ତାହା କ’ଣ ସମ୍ଭବ ! ଚାରିମାସ ପୋଷ୍ଟଟା ଖାଲି ରହିବ ?

 

–ନା । ମୋର ଗୋଟାଏ ଚାନ୍‍ସ ଅଛି । ଦେଖାଯାଉ ।

 

–ଶୁଭ ଖବର । ତମକୁ ଅଭିନନ୍ଦନ ଜଣାଇପାରେ କି ?

 

–ବର୍ତ୍ତମାନ ନୁହେଁ । କାଲି ଉପର ମହଲର ସିଦ୍ଧାନ୍ତ ଜଣାପଡ଼ିବ । ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

 

–ନା । ଅପେକ୍ଷା କରିବାର ପ୍ରୟୋଜନ ନାହିଁ । ତୁମର ପଦୋନ୍ନତି ମୁଁ ଦିବାଲୋକ ପରି ସ୍ପଷ୍ଟ ଦେଖିପାରୁଛି ।

 

–ଆପଣଙ୍କ ଶୁଭେଚ୍ଛାପାଇଁ ଧନ୍ୟବାଦ । ତା’ପରେ ଆଉ ସବୁ ଖବର କ’ଣ ?

 

ଟିକିଏ ଭାବିଲେ ଶୋଭାକାନ୍ତ । ବୟ କଫି ଆଣି ରଖି ଦେଇଥିଲା ଟେବୁଲ ଉପରେ । କଫି କପଟା ଆଗେଇ ଦଉଁ ଦଉଁ କହିଲା ଦେବଦତ୍ତ ବେଶ୍ ଗରମ ଅଛି ! ଥଣ୍ତା ହୋଇନି ।

 

–ଥଣ୍ତା ହେବାର ଅବସର ଦେଲେ ସିନା ! ଲୁହା ଯେତେବେଳେ ଲାଲ ଟକ୍ ଟକ୍ ହୁଏ, ସେତିକିବେଳେ ହାତୁଡ଼ି ନ ପଡ଼ିଲେ..........

 

–ସେଇମିତି ପେଟ ଭିତରେ ଗରମ କଫି ନ ପଡ଼ିଲେ କଫି ପିଇବାର ମଜା ହୁଏନା ।

 

–ସତ ! ତୁମ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ; କିନ୍ତୁ ମିଲି କ’ଣ କରେ ଜାଣ ? ସେ ପିଏ ଥଣ୍ତା କଫି–ଆଇସ୍ କୋଲ୍ଡ଼ ।

 

–ବେଶ୍ ତ । ସେ ବି ଗୋଟାଏ ସ୍ୱାଦ ।

 

କପ ଉଠାଇ ଚୁମ୍ବନ ଦେଇ ଟିକିଏ ଆଗକୁ ନଇଁ ପଡ଼ି ପ୍ରାୟ ଫିସ୍ କରି କହିଲେ ଶୋଭାକାନ୍ତ–ମୁଁ କିଛି ବ୍ୟକ୍ତିଗତ କଥା କହିପାରେ କି ?

 

–ନା, ନା । ଅନୁମତିର ପ୍ରୟୋଜନ ନାହିଁ । ନିର୍ବିକାର ଚିତ୍ତରେ କୁହନ୍ତୁ ଆପଣ ।

 

ଟିକିଏ ବ୍ୟସ୍ତ ହୋଇ କହିଲା ଦେବଦତ୍ତ ।

 

କିନ୍ତୁ କହିସାରି ଟିକିଏ ସଂକୁଚିତ ହୋଇ ପଡ଼ିଲା ଦେବଦତ୍ତ । ପୂର୍ବର ଛିଣ୍ତା ଖିଅ ଯୋଡ଼ି ହୋଇ ଭାବନାର ଖିଅ ଧରା ଦେଲା ପୁଣି ।

 

ତେବେ କ’ଣ ମିଲି ସଂପର୍କରେ କହିବାପାଇଁ ଚାହାଁନ୍ତି ! ହୁଏତ ଅନ୍ୟ କିଛି ବ୍ୟକ୍ତିଗତ ବ୍ୟପାର ଥାଇପାରେ........

 

ନା । ଅନ୍ୟ ବ୍ୟକ୍ତିଗତ ବ୍ୟାପାର ନେଇ ଆସି ନଥିଲେ ଶୋଭାକାନ୍ତ । ଦେବଦତ୍ତର ମୁହଁ ଉପରେ ଆଖି ରଖି ସିଧାସଳଖ କହିଲେ, ସ୍ନିଗ୍ଧ କରୁଣ କଣ୍ଠରେ ।

 

–ମିଲି ମୋର କେବଳ କନ୍ୟା ନୁହେଁ ଦେବଦତ୍ତ । ସେ ମୋର ଆଶା ଭରସା ଓ ଶେଷ ସମ୍ବଳ । ତାକୁ ନେଇ କିନ୍ତୁ ମୁଁ ବିଶେଷ ଚିନ୍ତିତ ହୋଇ ପଡ଼ିଛି.....

 

–କାହିଁକି ? ମିଲି ଆପଣଙ୍କର ଅବାଧ୍ୟ ହୋଇପାରେ, ଏହା ମୁଁ ତ କଳ୍ପନାବି କରିପାରୁନି-

 

କିଛି ନ ଜାଣିଲା ପରି କହିଲା ଦେବଦତ୍ତ ।

 

–ନା । ସେ ବିଶ୍ୱାସ ମୋର ଅଛି; କିନ୍ତୁ କ’ଣ ଜାଣ ଦେବୁ, ମୁଁ ବୁଢ଼ା ହୋଇଛି । ନିଜ ଉପରେ ଆଉ ବିଶ୍ୱାସ ରଖିପାରୁନି । ତା’ପରେ କେତେବେଳେ ଯେ କ’ଣ ହୋଇଯିବ କିଏ ଜାଣେ-?

 

–ନା, ନା । ଆପଣ ବେଶ୍ ସୁସ୍ଥ ସବଳ ମଣିଷ । ଆପଣଙ୍କର କିଛି ହବନି । ଆପଣଙ୍କର ହତାଶ ହବାର କୌଣସି କାରଣ ନାହିଁ ମିଷ୍ଟର ସେନ ।

 

–ହୁଏତ ତୁମେ ଯାହା କହୁଛ ସତ; କିନ୍ତୁ ମୁଁ ବୁଢ଼ା ହୋଇଛି । ବାପର ବୁଦ୍ଧି ଦେଇ ଯାହା ଦେଖିପାରୁ ନଥିଲି, ମା’ର ମମତା ଦେଇ ତାହା ଆଜି ଅନୁଭବ କରିପାରୁଛି । ମିଲି ବଡ଼ ହୋଇଛି-। ତାକୁ ଅଧିକ ଦିନ ଆଉ ଅବିବାହିତ ରଖାଯାଇପାରେନା ।

 

କହିସାରି ପୁଣି କଫିରେ ଚୁମ୍ବନ କଲେ ଶୋଭାକାନ୍ତା ।

 

ଉତ୍ତର ସହସା ଦେଇପାରିଲାନି ଦେବଦତ୍ତ । ଏହାର ସମାଧାନ ଯେ ତା’ରି ପାଖରେ ଏହା କ’ଣ ଅଛପାଥିଲା ତାକୁ ?

 

କିନ୍ତୁ କିଛି କହିବାପାଇଁ ଭୟ ହେଲା ତା’ର । ମାନସ ପଟରେ ଭାସି ଗଲା ମିତାଳିର ପ୍ରିୟଦର୍ଶିନୀ ମୂର୍ତ୍ତି; କିନ୍ତୁ ପରେ ତା’ର ସମଗ୍ର ସତ୍ତାକୁ ଆଚ୍ଛନ୍ନ କରି ଆଉ ଗୋଟାଏ ମୂର୍ତ୍ତି ଦେଖାଦେଲା ଚିତ୍ତାକାଶରେ ।

 

ସେ ଅସୀମା !

 

ତାଙ୍କର ସୀମାହୀନ ଦାବି ଭିତରେ କେବଳ ଆହୁତି ଦବାର ଉତ୍ତେଜନା ଅଛି । ଆତସବାଦୀର ଅଳୀକ ଆଲୋକର ପ୍ରଖରତା ଅଛି । କିନ୍ତୁ ସେ କ’ଣ ପ୍ରତିରୋଧ ବାରିପାରିବ !

 

ଦ୍ୱନ୍ଦ୍ୱ ।

 

ମୁହୂର୍ତ୍ତକରେ ଦ୍ୱନ୍ଦ୍ୱରେ ପଡ଼ିଗଲା ଦେବଦତ୍ତ । ଗୋଟିଏ ଚିରନ୍ତନ ତ୍ରିଭୁଜ । ତିନୋଟି ବିନ୍ଦୁର ସଂଯୋଗ ରେଖା ସୃଷ୍ଟି କରୁଛି ପ୍ରେମ ଜଗତର ଚିରନ୍ତନ ଦ୍ୱନ୍ଦ୍ୱର ମୂର୍ତ୍ତି ପ୍ରତୀକ ତ୍ରିଭୁଜ ।

 

କାହାକୁ ଛାଡ଼ିବ, କାହାକୁ ରଖିବ ପାଖରେ ? କିଏ ସୁଷମା ଏବଂ ଲାବଣ୍ୟ ଆଣିବ ତା’ର ଶୁଖି ଆସୁଥିବା ଜୀବନ ପ୍ରାନ୍ତର ଉପରେ ।

 

ଭାବିଲା, କିନ୍ତୁ କିଛି ଠିକ୍ କରିପାରିଲା ନାହିଁ ଦେବଦତ୍ତ ।

 

କିନ୍ତୁ ଶୋଭାକାନ୍ତ ଉତ୍ତର ପ୍ରତ୍ୟାଶା କରୁଥିଲେ । ସେ ଚାହୁଁଥିଲେ ଦେବଦତ୍ତର ମୁହଁ ଉପରକୁ ।

 

ତାଙ୍କର ଯୋଡ଼ାଏ ଆଖିର ଜିଜ୍ଞାସୁ ଦୃଷ୍ଟି ତାଙ୍କୁ ଅଶ୍ୱସ୍ତିକର ମନେହେଉଥିଲା । କ୍ରମଶଃ ଅସ୍ଥିରତା ଅନୁଭବ କରୁଥିଲା ମନରେ ଏବଂ ଦେହରେ ।

 

ଯେଉଁ ପ୍ରଶ୍ନର ସମାଧାନ ଏଡ଼ିଯିବା ପାଇଁ ବାରମ୍ବାର ଚେଷ୍ଟା କରୁଛି ସେ, ଆଜି ସେଇ ପ୍ରଶ୍ନ ରୁଦ୍ରମୂର୍ତ୍ତି ଧାରଣ କରି ଉତ୍ତର ଦାବି କରୁଛି ।

 

ଉତ୍ତର ଦେବାକୁ ହବ । ନୀରବ ରହିବା ଆଉ ସମ୍ଭବ ନୁହେଁ । ସ୍ପୃହଣୀୟ ମଧ୍ୟ ନୁହେଁ ।

 

–ଆପଣ କ’ଣ କହିବାପାଇଁ ଚାହାଁନ୍ତି ମିଷ୍ଟର ସେନ୍ ?

 

–ମୋର କହିବାର ବେଶି କିଛି ନାହିଁ । ତେବେ ମୋର ବିଶ୍ୱାସ ମିଲି କ’ଣ ଚାହେଁ, ତାହା ଅଜ୍ଞାତ ନୁହେଁ ତୁମର । ତୁମେ ବିଚାର କରି ଦେଖିଛକି ନା ଜାଣେନା; କିନ୍ତୁ ତୁମର ଆପତ୍ତି ନଥିଲେ ତୁମ ହାତରେ ମିଲିକୁ ସମର୍ପଣ କରିପାରିଲେ ମୁଁ ନିଶ୍ଚିନ୍ତ ହେବି । ଆଉ ମିଲିକୁ ପାଇ ତମେବି ଅସୁଖୀ ହେବ ନାହିଁ, ଏହା ମୋର ଆଶା ।

 

ନିଃଶଙ୍କ ଏବଂ ନିର୍ଦ୍ୱନ୍ଦ୍ୱ ଚିତ୍ତରେ ସହଜ କଣ୍ଠରେ କହିଲେ ଶୋଭାକାନ୍ତ ।

 

ଦେବଦତ୍ତ ସାମ୍ନାକୁ ଚାହିଁଲା । ବିଶ୍ୱଜଗତ ଝଲମଲ କରୁଛି ସୂର୍ଯ୍ୟାଲୋକରେ । ସେଇ ଆଲୋକର ଦୀପ୍ତିରେ ସେ କମ୍ପିତ ହୃଦୟର ଶିହରଣ ଅନୁଭବ କଲା । ଅନୁରାଗ ରଞ୍ଜିତ ଦୁଇଟି କଣ୍ଠର ସ୍ନେହଶୀଳ ଆବେଦନ ମୂର୍ତ୍ତି ହୋଇ ଉଠିଲା ତା’ ମନ ଭିତରେ ।

 

–ତୁମେ ଦ୍ୱିଧା କରନା ଦେବଦତ୍ତ । ତୁମର ନିଃସଙ୍କୋଚ ହଁ ବା ନାଁ ଶୁଣିବାପାଇଁ ମୁଁ ପ୍ରସ୍ତୁତ କରିସାରିଛି ନିଜକୁ–

 

ତାକୁ ନିରୁତ୍ତର ଦେଖି ଟିକିଏ ପରେ କହିଲେ ଶୋଭାକାନ୍ତ ।

 

ନା, ଆଉ ଦ୍ୱିଧା କରିବାର ବେଳନାହିଁ । ଦ୍ୱନ୍ଦ୍ୱର ଅବସାନ କରିବାକୁ ହଁ ହବ । ଅନ୍ଧକାରର ନିବିଡ଼ତା ତାକୁ ଶୀତ୍କାର ଦେଇପାରେ; କିନ୍ତୁ ଆଲୋକର ଅନୁଭବ ଦେଇପାରିବ ନାହିଁ । ଅସ୍ୱୀକୃତ ପ୍ରଣୟ ଲାଳସାକୁ ଅଧିକ ଶାଣିତ କରିପାରେ; କିନ୍ତୁ ଶୋଣିତର ସ୍ୱାକ୍ଷର ବହନ କରିବା ପାଇଁ ସୃଜନଶୀଳ ହୋଇପାରିବ ନାହିଁ ।

 

ନା, ଆଉ ଦ୍ୱିଧା ନ କରି କମ୍ପିତ କଣ୍ଠରେ କହିଲା ଦେବଦତ୍ତ ।

 

–ଆପଣଙ୍କ ପ୍ରସ୍ତାବରେ ମୁଁ ରାଜି ମିଷ୍ଟର ସେନ୍ ।

 

ତା’ର ଉଜ୍ଜ୍ୱଳ ଓ ଆଲୋକ ମୁଖା ମୁହଁକୁ ପୁଣିଥରେ ଭଲ କରି ଚାହିଁଲେ ଶୋଭାକାନ୍ତ । ନା ! ସେଥିରେ ସନ୍ଦେହର କୌଣସି ସଙ୍କେତ ଦେଖିପାରିଲେ ନାହିଁ । ବରଂ ତାରୁଣ୍ୟର ସ୍ୱଭାବ ସୁଲଭ ପାଟଳିମା ଫୁଟିଉଠୁଥିଲା ନୂତନ ସିନ୍ଧାନ୍ତର ସ୍ୱାକ୍ଷର ବହନ କରି ।

 

“ମୁଁ ଆନନ୍ଦିତ ହେଲି ଦେବଦତ୍ତ । ଆଶୀର୍ବାଦ କରୁଛି, ତୁମେ ସୁଖୀ ହୁଅ ।”

 

କହୁଁ କହୁଁ ଉଠିଲେ ଯିବାପାଇଁ । ଉଠୁଁ ଉଠୁଁ କହିଲେ ଦେବଦତ୍ତ, ଆଉ ଟିକିଏ ବସନ୍ତୁନା-। ଏତେ ବ୍ୟସ୍ତ କାହିଁକି ?

 

–ନା ବାବା ! ସମୟ ଅଳ୍ପ। ତା’ପରେ ଶୁଭ ସମ୍ବାଦ ଶୁଣିବାପାଇଁ ଚାହିଁ ବସିଥିବ ମିତାଳି-

 

ହସି ହସି କହିଲେ ସେ । ଲାଜେଇ ଗଲା ଦେବଦତ୍ତ ।

 

ଶୋଭାକାନ୍ତ ଚାଲିଗଲେ ।

 

ଦେବଦତ୍ତ ଲନ୍ ଉପରେ ପଦଚାରଣ କରୁ କରୁ ଭାବିବାପାଇଁ ଚେଷ୍ଟା କରୁଥିଲେ–ସେ ଭୁଲ କଲା କି ଠିକ୍‍ କଲା । ଗୋଟିଏ ପାଖରେ ଅସୀମାର ଅପରିସୀମ ଯାଚନା, ଅନ୍ୟ ପାଖରେ ମିତାଳିର ଅପରିମିତ ଅଭିନନ୍ଦନ । ଗୋଟିଏ ପାଖରେ ଅନ୍ଧକାରର ଆମନ୍ତ୍ରଣ ଏବଂ ଅନ୍ୟ ପାଖରେ ଆଲୋକର ସମ୍ଭାଷଣ ।

 

ଆଲୋକହିଁ ତ ଜୀବନ ।

 

ଆକାଶ ଏବଂ ଦାବ୍ୟା ପୃଥିବୀ ଆଲୋକ ଉଦ୍ଭାସିତ ହୋଇଥିଲା । ରାଶି ରାଶି ଅମାପ ଆଲୋକରେ ସ୍ୱପ୍ନ ନୁହେଁ, ବାସ୍ତବର ବର୍ଣ୍ଣାଢ଼୍ୟ ବିହ୍ୱଳତା ଅନୁଭବ କଲା ସେ ।

 

କ’ଣ ସେତିକି ?

 

ଅସୀମାପାଇଁ ଅପରିସୀମ ବେଦନା ଅନୁଭବ କଲା । କାହିଁକି ସେ ଆଗେଇ ଆସିଲେ ଏତେଦୂର, ଫେରି ଯାଇପାରିବେ ନାହିଁ । ଫେରିବାର ପଥ ବନ୍ଦ ହୋଇଯାଇଛି ।

 

ଯେତିକି ଭାବିଲା ସେତିକି ନିଜକୁ ଅପରାଧୀ ମନେକଲା ।

 

ହାୟ ! ହାୟ !

 

ସେଦିନ ମନୀଷା କହିଥିଲେ–

 

ପୁରୁଷ ଓ ନାରୀ ମଧ୍ୟରେ କ’ଣ କେବଳ ଜୌବିକ ସଂପର୍କ ବ୍ୟତୀତ ଅନ୍ୟ କିଛି ସଂପର୍କ ହୋଇପାରେନା ! ସେମାନଙ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ଏହାର ପ୍ରୟୋଜନ ଗୌଣ । ସେମାନଙ୍କ ଭିତରେ ସ୍ନେହ, ସୌଖ୍ୟ, ପ୍ରେମ ଓ ମମତା ଯେପରି ପରିପୂର୍ଣ୍ଣତା ପାଇଁ ଆବଶ୍ୟକ, ସେଇପରି ଆବଶ୍ୟକ ଦୁହିଁଙ୍କ ମଧ୍ୟରେ ବୁଝାମଣା ଓ ପରସ୍ପର ପ୍ରତି ଆନୁଗତ୍ୟ ଓ ନିଷ୍ଠା !

 

ନା,

 

ସେ ଆଉ ଆଗେଇ ଯିବ ନାହିଁ ।

 

ସନ୍ତର୍ପଣରେ ନୁହେଁ, ନିଃଶଙ୍କ ଚିତ୍ତରେ ଶେଷ ସିଦ୍ଧାନ୍ତ ଘୋଷଣା କରିଦେଲା ଦେବଦତ୍ତ-

 

ଦୂରକୁ ଚାହିଁଲା ।

 

ସୀମାହୀନ ଆକାଶରେ ଝଲମଲ କରୁଥିଲା ସକାଳର ସୂର୍ଯ୍ୟ !

 

ରୌଦ୍ରସ୍ନାତ ଆକାଶରେ ପୃଥିବୀର ବୁକୁରେ ଏବଂ ଫୁଟନ୍ତା ଗୋଲ ମୋହରର ବର୍ଣ୍ଣୋତ୍ସବରେ ଆଲୋକ ଏବଂ ଆନନ୍ଦର ନୂତନ ଶିହରଣ ଶୋଣିତରେ ଚମକ ଖେଳାଇ ଦେଲା । ସେ ରିସିଭର ଉଠାଇ ଟେଲିଫୋନରେ ଡାଏଲ କଲା ।

 

ହ୍ୟାଲୋ....

 

କଂଗ୍ରାଚୁଲେସନ....

 

କାହିଁକି...

 

ବାବା ଫେରିଲେ ପଚାରିବ....

 

ବାବା ଆସୁଛନ୍ତି...ଏଇ ମୋଟର ହର୍ଣ୍ଣ ଶୁଣାଯାଉଛି

 

ଶୀଘ୍ର ଯାଇ ପଚାର....

 

ଯାଉଛି, ତେବେ କହିବାପାଇଁ ତୁମର ଆପତ୍ତି କାହିଁକି ଯେ ।

 

ନା, ଆଜି ନୁହେଁ ସେଇଦିନ କହିବି ।

 

କଟିଗଲା ଲାଇନ । ହ୍ୟାଲୋ, ହ୍ୟାଲୋ, ଦୁଇ ଚାରିଥର କହି ନିରାଶ ହୋଇ ରିସିଭରଟା ରଖି ଦଉଁ ଦଉଁ ଚାହିଁଲା ଦରଜା ଆଡ଼କୁ–

 

ଶୋଭାକାନ୍ତ ଘର ଭିତରକୁ ପ୍ରବେଶ କରୁଥିଲେ । ମୁହଁରେ ହସ !

 

ବୁଝିପାରିଲା ମିତାଳି !

 

ଆଉ ସେଇ କ୍ଷଣକରେ ପୃଥିବୀର ସମସ୍ତ ଲଜ୍ଜା ଆସି ଠୁଳ ହେଲା ତା’ର ମୁହଁ, ଆଖି, ନାକ, କାନ ଓ ସର୍ବାଙ୍ଗରେ ।

 

ସେ ଦଉଡ଼ି ପଳାଇଲା ।

 

ବାଇଶ

 

ଜୀବନର ଜୁଆ ଖେଳରେ କିନ୍ତୁ ସହଜରେ ହାର ମାନିଯିବାର ପାତ୍ରୀ ନୁହନ୍ତି ଅସୀମା । ସ୍ୱାମୀ ସହିତ ଯେପରି ତାଙ୍କର ଗୋଟାଏ ମୀମାଂସା ହେବା ଆବଶ୍ୟକ, ହେନା ଜନ୍‍ସନ୍ ପାଖରୁ ପାଞ୍ଚହଜାର ଟଙ୍କା ଫେରିପାଇବା ସେହିପରି ପ୍ରୟୋଜନ ଏବଂ ସର୍ବୋପରି କାମ୍ୟ ଦେବଦତ୍ତର ସବଳ, ସମ୍ପୂର୍ଣ୍ଣ ସାନ୍ନିଧ୍ୟ ।

ଦେବଦତ୍ତର ବାହାରେ ନିଜର ସତ୍ତାକୁ ମଧ୍ୟ କଳ୍ପନା କରିବା ପାଇଁ ଆଜିକାଲି ଇଚ୍ଛା ହୁଏନା ତାଙ୍କର । ଅନ୍ଧକାର କୋଣରେ ଅବିନାଶ ଛାୟାମୂର୍ତ୍ତି ପରି ଆଶା ଏବଂ ଆଶଙ୍କା ମଧ୍ୟରେ ଛିଡ଼ା ହୋଇ ରହନ୍ତି । ସେ ମୂର୍ତ୍ତି ଅବହେଳାରେ ପୀଡ଼ିତ ଏବଂ କୁଣ୍ଠାରେ କରୁଣ ।

ତାଙ୍କୁ ସ୍ୱାମୀ ଭାବରେ ପାଇବାରେ ଯେପରି ବିରାଟ ବ୍ୟତୀତ ଅନୁରାଗ ନଥିଲା । ଯେଉଁ ପ୍ରାଣ ଚାଞ୍ଚଲ୍ୟ, ଆତୁରତା ଏବଂ ବଳିଷ୍ଠ ସମ୍ଭୋଗ ସାଂସାରିକ ଜୀବନର ମାଧୁରୀ ଭିତରେ ଚାହିଁଥିଲେ, ତାହା ଦେଇପାରିନାହାନ୍ତି ଅବିନାଶ । ସହଜ ଏବଂ ସରଳତାର ନିରୁତ୍ତାପ ପଥରେ ଆନନ୍ଦ ଥାଇପାରେ କିନ୍ତୁ ଶିହରଣ ନାହିଁ । ସେ ଚାହାଁନ୍ତି ପ୍ରତିଟି ମୁହୂର୍ତ୍ତକୁ ମୂର୍ତ୍ତ କରି ନିଜର ସତ୍ତା ଭିତରେ ଆଉ ଗୋଟିଏ ଉଦ୍ଦୀପ୍ତ ସତ୍ତାର ଉପସ୍ଥିତି ଉପଭୋଗ କରିବା ପାଇଁ । ଆଉ ସେଇ ଅଭିଯାନର ପ୍ରଥମ ସୋପାନରେ ପାଇଥିଲେ ଦେବଦତ୍ତକୁ ।

ଚିନ୍ତାଧାରା ବିପର୍ଯ୍ୟସ୍ତ କରି ଫୋନ ବାଜି ଉଠିଲା କ୍ରିଂ କ୍ରିଂ କ୍ରିଂ.....

–ହ୍ୟାଲୋ

–ମୁଁ ଅସୀମା ମହାନ୍ତି

–ନା, ନା, ମିଷ୍ଟର ମହାନ୍ତି ।

–ଆପଣ କିଏ କହୁଛନ୍ତି ଜାଣିପାରେ କି ?

–ଓଃ ! ହେନା ଜନ୍‍ସନ୍ । ନମସ୍କାର ।

–କ’ଣ ଦରକାର ଅଛି… ହ୍ୟାଲୋ…ହ୍ୟାଲୋ…

ସେପାଖରୁ ଆଉ କୌଣସି କଥା ଶୁଣାଗଲା ନାହିଁ । ଫୋନ ଛାଡ଼ି ଦେଇଥିଲା ହେନା ଜନ୍‍ସନ୍ । ଅଲକ୍ଷ୍ୟରେ ଅବହେଳାର ହସ ଫୁଟିଉଠିଲା ମୁହଁ ଉପରେ ।

 

ଟଙ୍କାର ପ୍ରଲୋଭନରେ ପଡ଼ିଛି ହେନା । ଗୋଟାଏ ଦୁଷ୍ଟ ବୁଦ୍ଧି ଖେଳି ଗଲା ମଥାରେ । ସଙ୍ଗେ ସଙ୍ଗେ ଷ୍ଟେଟ ବ୍ୟାଙ୍କର ଏଜେଣ୍ଟ ମିଷ୍ଟର ମୁଖର୍ଜିଙ୍କୁ ଫୋନ୍ କରି ଜଣାଇଦେଲେ ମିଷ୍ଟର ମହାନ୍ତି ଏବଂ ତାଙ୍କ ନାମରେ ଯେଉଁ ଜଏଣ୍ଟ ଆକାଉଣ୍ଟ ଅଛି, ସେଥିରୁ ଯେପରି ପଇସା କେହି ନ ଉଠାଏ । ସେ ଟଙ୍କା ବିବାଦୀୟ ।

 

ବାସ୍ । ନିଜ ବୁଦ୍ଧିର ପ୍ରଖରତାରେ ନିଜେ ଆଶ୍ଚର୍ଯ୍ୟ ହେଲେ ଅସୀମା । ସେ ଅପେକ୍ଷା କଲେ ଅଫିସରୁ ଅବିନାଶଙ୍କର ପ୍ରତ୍ୟାବର୍ତ୍ତନ ପାଇଁ । ଆଉ ଚାରିଦିନ ପରେ ଛୁଟି ନେଇ ଚାଲିଯିବେ-। ତା’ ଆଗରୁ ସବୁ ସମାଧାନ କରି ନେବାପାଇଁ ସେ ଚାହାଁନ୍ତି ।

 

କିନ୍ତୁ ସାଢ଼େ ପାଞ୍ଚଟାରେ ଅବିନାଶ ନ ଆସି ଆସିଲା ଦେବଦତ୍ତ ।

 

କ୍ଳବକୁ ଟେନିସ ଖେଳି ଯିବାପାଇଁ ରାସ୍ତାରେ ମୋଡ଼ ଭାଙ୍ଗି ତାଙ୍କୁ ସଙ୍ଖୋଳି ଯିବାପାଇଁ ଆସିଥିଲା । ଧଳା ପ୍ୟାଣ୍ଟ, ଟାଇଟ୍‍ଟି ସାର୍ଟ ଏବଂ ହାତରେ ରାକେଟ୍ ତାକୁ ବେଶ୍ ଲୋଭନୀୟ କରିଥିଲା ।

 

–ବଡ଼, ସୁନ୍ଦର ଦିଶୁଛ ଆଜି !

 

–ସତରେ ?

 

ହସି ହସି ଉତ୍ତର କଲା ଦେବଦତ୍ତ ।

 

–ମୁଁ କ’ଣ ମିଛରେ କହୁଛି...। ତା’ପରେ କୁଆଡ଼େ ଯାଉଛ ଶୁଣେ ।

 

–ଏଇତ ଦେଖୁଛ ହାତରେ ରାକେଟ...

 

–କ୍ଳବ

 

–ହଁ ।

 

–ପାଟନର କିଏ ।

 

–ଆପତ୍ତି ନଥିଲେ ତୁମେ ଆସିପାର ।

 

–ମୋ ଆପତ୍ତିରେ ତୁମର ଯାଏଆସେ କେତେ ।

 

–ଯଥେଷ୍ଟ । ଉଠ । ଡେରି କରନା । ହରିଅପ୍....

 

–କିନ୍ତୁ ଗୋଟାଏ ସର୍ତ୍ତରେ....

 

–କ’ଣ କୁହ....

 

–ସେତେବେଳେ କିନ୍ତୁ ପଛଘୁଞ୍ଚା ଦବନି ।

 

–ନା, ପଛଘୁଞ୍ଚା ନାହିଁ ବୀରର ଜାତକେ....

 

କେଇ ମିନିଟ୍ ଭିତରେ ନିଜକୁ ଟାଇଟ୍ ଜିନ୍‍ରେ ସଜାଡ଼ି ନେଲେ ଅସୀମା । ଦୁହେଁ ଚାଲିଲେ କ୍ଳବ ଅଭିମୁଖେ ।

 

କ୍ଳବରେ ସେଦିନ ଭିଡ଼ ନଥିଲା । ଟେନିସ୍ କୋଟରେ ଆଉ ଦୁଇଜଣ ପ୍ରାକ୍ଟିସ କରୁଥିଲେ-। ଚୌଧୁରୀ ଏବଂ ରାଓ । ଦୁଇ ଦୁଇ ଜଣ । ଖେଳ ଜମି ଉଠିଲା ଅଳ୍ପ ସମୟ ଭିତରେ ।

 

ପ୍ରବଳ ପରାକ୍ରମରେ ଖେଳିଲେ ଅସୀମା । ଆଶ୍ଚର୍ଯ୍ୟ ଚକିତ ନୟନରେ ତାଙ୍କର ତରଙ୍ଗାୟିତ ଗତିକୁ ଲକ୍ଷ୍ୟ କରୁଥିଲା ଦେବଦତ୍ତ । ଆଜି ସେ ନୂତନ ରୂପରେ ପ୍ରଜ୍ୱଳିତା ।

 

ପାଞ୍ଚଟା ଗେମରେ ଚାରିଥର ଜିତିଲେ ଦେବଦତ୍ତ ଓ ଅସୀମା । ରାଓ ଅସୀମାନଙ୍କର ପ୍ରତିଟି ସଟ୍‍କୁ ଚମତ୍କାର କହୁଥିଲେ । ଅନାୟାସରେ ବିପକ୍ଷକୁ ପରାସ୍ତ କରି ଯେତେବେଳେ ବିଜୟିନୀ ଅସୀମା ଟିକିଏ ବିଶ୍ରାମ ନବାପାଇଁ ଆସି ବସିଲେ ଟେନିସ କୋର୍ଟର ଏକ ଧାରରେ ଥିବା ବେଞ୍ଚ ଉପରେ, ସ୍ୱେଦବିନ୍ଦୁରେ ପୂରିଉଠିଥିଲା ମୁଖମଣ୍ଡଳ । କେତେଗୁଡ଼ିଏ ଚୂର୍ଣ୍ଣ କୁନ୍ତଳ ଉଡ଼ି ବୁଲୁଥିଲେ ଅବିନ୍ୟସ୍ତ ଭାବରେ ।

 

ରାଓ ଓ ଚୌଧୁରୀ ଧନ୍ୟବାଦ ଜଣାଇ ବିଦାୟ ନେଲେ । ପାଖକୁ ଆସି କହିଲା ଦେବଦତ୍ତ–ଆଜି ତୁମେ କିନ୍ତୁ ଚମତ୍କାର ଖେଳିଛ ଅସୀମା ।

 

ସେ କଣେଇ ଚାହିଁଲେ । ଆଖି କୋଣରେ କେତେ କାହାଣୀର ଅଭିଲେଖ । ଅଧର ଉପରେ କେତେ ଉପନ୍ୟାସର ପ୍ରତିଲିପି ।

 

–ନା, ତୁମେ କିନ୍ତୁ ୱଣ୍ଡରଫୁଲ ଖେଳିଛ ଆଜି ।

 

କଟାକ୍ଷ ହାଣି କହିଲେ ଅସୀମା । ଦେବଦତ୍ତ ରାର୍କେଟଟାକୁ ଶୂନ୍ୟରେ ଦୋଳାଇ ଦୋଳାଇ କହିଲା–ଉଠ, ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ ।

 

ଦୁହେଁ ଅଗ୍ରସର ହେଲେ ।

 

ପଞ୍ଚମ ଆଭେନିଉର ମୋଡ଼ରେ ନିଅନ ଆଲୋକର ଆସ୍ତରଣ । ସେଇ ଆଲୋକରେ ଦଣ୍ଡେ ଛିଡ଼ା ହୋଇ ଦେବଦତ୍ତକୁ ପ୍ରାଣଭରି ଆଉଥରେ ଏକାନ୍ତରେ ଦେଖିନେଲେ ଅସୀସା ।

 

–ଏତେ କ’ଣ ଦେଖୁଛ ଯେ କହିଲା ଦେବଦତ୍ତ ।

 

–ଦେଖୁଛି ତୁମର ଆକର୍ଷଣୀୟ ରୂପକୁ ।

 

କହିଲେ ଅସୀମା ।

 

–ସତେ ।

 

ହସି ଉଠିଲା ଦେବଦତ୍ତ । ଅଧର ଉପରେ ଆବେଗ ଫୁଟାଇ ଟିକିଏ ହସିଲେ ଅସୀମା । ନିଅନ ଆଲୋକରେ ଜିନ୍ ଭିତରୁ ଫୁଟିଉଠୁଥିଲା ଉତ୍ତାଳ ଯୌବନର ତରଙ୍ଗମାଳା ।

 

ମଣିଷ ଯାହା ଖୋଜେ ପାଏନା, ଆଉ ଯାହା ପାଏ ତାହା ହୁଏତ ଲୋଡ଼େନା । କିନ୍ତୁ ଯାହା ଚାହିଁଥିଲେ ହାତ ମୁଠାରେ ପାଇଲେ ଅସୀମା । ନିରୋଳା, ନିବିଡ଼, ସାନ୍ନିଧ୍ୟ ।

 

ଦେବଦତ୍ତ କିନ୍ତୁ ଅନ୍ୟମନସ୍କ ହୋଇଗଲା । ବିଜୁଳି ବେଗରେ ମନ ଆକାଶ ଉପରେ ଚମକି ଉଠିଲା ଆଉ ଗୋଟିଏ ମୁହଁ, ଆଉ ଗୋଟିଏ ସମ୍ୱେଦନଶୀଳ ସମର୍ପିତ ହୃଦୟର ଛନ୍ଦଲିପି । ବିସ୍ମିତ ଦେବଦତ୍ତ ଲକ୍ଷ୍ୟ କଲା ଅନ୍ତରର ନିଭୃତ କୋଣରେ ମିତାଳିର ଆବାହନ । ଏକ ଅନୁପମ ଅଭିନନ୍ଦନ ।

 

ସ୍ୱପ୍ନ.........

 

ବାସ୍ତବ.......

 

ସ୍ୱପ୍ନ କିନ୍ତୁ ବାସ୍ତବ ନୁହେଁ । ଆଉ ବାସ୍ତବ କ’ଣ ତେବେ ସ୍ୱପ୍ନ ।

 

ନା ।

 

ଅସୀମା ଚାହୁଁ ଥିଲେ ବଳିଷ୍ଠ, ମୁଖରିତ ଏବଂ ଉତ୍ତାଳ ବାହୁ ବନ୍ଧନ ଭିତରେ ନିଜକୁ ହରାଇ ଦବାପାଇଁ । ଢୋକ ଗିଳି ଚୁପି ଚୁପି କହିଲେ ମୋ ସାଙ୍ଗରେ ଆସୁଛ ତ ।

 

କଥା କହିବାର ବିନ୍ୟାସରେ ଏବଂ ସର୍ବୋପରି ତା’ ଆଡ଼କୁ ଢଳି ପଡ଼ିବାର ଠାଣିରେ ଏକ ଅନନୁଭୂତ ନିବିଡ଼ତା ଅନୁଭବ କଲା ଦେବଦତ୍ତ । କିନ୍ତୁ ପରକ୍ଷଣରେ ସେ ଇତଃସ୍ତତ ହେଲା ନିଜର ସ୍ଥିତି ସମ୍ପର୍କରେ ସଚେତନ ହୋଇ ।

 

ରାସ୍ତା କଡ଼ରେ ଏପରି ଭାବରେ ଛିଡ଼ା ହୋଇ କଥା କହିବା ଅସୁନ୍ଦର । କିନ୍ତୁ ସବୁବେଳେ କ’ଣ ମଣିଷ ସୁନ୍ଦର ଅସୁନ୍ଦରର ଧାରଣା କରିପାରେ । ସେଇ ଅସୁନ୍ଦରତା ଭିତରେହିଁ ସେ ପାଗଳପରି ଖୋଜେ ସୌନ୍ଦର୍ଯ୍ୟ, ଲୋଡ଼େ ଜୀବନର ଗଭୀରତମ ଆସ୍ୱଦନ । ସେତେବେଳେ ସେ ଭୁଲିଯାଏ ତା’ର ସ୍ଥିତି ଓ ସ୍ଥାନ, ସମ୍ମାନ ଏବଂ ପରିଚୟ ।

 

ସେଇପରି ମନେକରୁଥିଲେ ଅସୀମା ।

 

–ଚାଲ....

 

–ଚାଲ....

 

ଦୁହେଁ ପୁଣି ଚାଲିଲେ । ଚାଲିବାହିଁ ତ ଜୀବନ । ସ୍ୱପ୍ନ ଓ ଜାଗରଣରେ ମଣିଷ ଚାଲେ–କେତେବେଳେ ଅଏସପାଇଁ ଆଉ କେତେବେଳେ ବା ଆୟାସପାଇଁ ।

 

ଆୟାସ ଅଛି ଅସୀମାର ଅଏସ କରିବା ପାଇଁ । ସେଇଥିପାଇଁ ପ୍ରତୀକ୍ଷିତ ପୁରୁଷର ପଦଧ୍ୱନି ଶୁଣିବାପାଇଁ ସାଧନା କରିଛି ସେ ।

 

ସେଇ ସାଧନାର ସିଦ୍ଧି ଆଜି ଅତି ନିକଟରେ । ସାମ୍ରାଜ୍ୟର ସିଂହଦ୍ୱାରରେ ପ୍ରବେଶ କରୁଁ କରୁଁ କହିଲେ–ଆଜି ଆମର ବିଜୟର ଦିନ । ତମେ ରହିଯାଅ ଦେବଦତ୍ତ ।

 

ସେ ଚମକି ପଡ଼ିଲା । ନା କହିବାର ସାହସ ନାହିଁ, ହଁ କରିବାର ଉଦ୍ଦୀପନା ଅଛି । କିନ୍ତୁ.....

 

କିନ୍ତୁ ସେ ଆଡ଼େ ଅପେକ୍ଷା କରି ରହିଛି ଆଉ ଗୋଟିଏ ତପସ୍ୟାରତ ନିରୂପମ ହୃଦୟ । ଅନାଇ ଦେଖୁଛି ସମାଜ ଓ ଶିଷ୍ଟାଚାର ।

 

ରାତି ଭୋଜନ ଶେଷ ହେଲା । ଅବିନାଶ ଆସିଲେ ନାହିଁ । ତାଙ୍କର ଅପେକ୍ଷାରେ ଅସୀମା ବସି ରହିଲେ ନାହିଁ ।

 

ଭୋଜନପାଇଁ ଭୁଜଙ୍ଗିନୀ ଉନ୍ମତ୍ତ ହେଲାପରି, ଆତୁର ଆବେଗରେ ମର୍ମରିତ ହୋଇ ଉଠିଲେ । ସେ ପୂର୍ଣ୍ଣ କରିବା ପାଇଁ ଚାହାନ୍ତି ନିଜର ଜୀବନ । ଧନ୍ୟ କରିବା ପାଇଁ ଚାହାଁନ୍ତି ନିଜର ରିକ୍ତ, ସ୍ୱାଦହୀନ ଓ ନିରୁତ୍ତାପ ଅନ୍ତର । ଅପୂର୍ଣ୍ଣତାର ହାହାକାର ଏବଂ ପରାଜୟର ଗ୍ଳାନିକୁ ଚିରଦିନ ପାଇଁ ନିଃଶେଷ କରିବା ପାଇଁ ପ୍ରୟାସ ତାଙ୍କର ।

 

ଆଜି ଜୀବନ ଓ ଯୌବନକୁ ଅବିଭାଜ୍ୟ ଭାବରେ ପାଇବାପାଇଁ ସେ ଚାହାଁନ୍ତି । ଅନୁଭବ କରିବା ବସିବାପାଇଁ ଚାହାଁନ୍ତି ଦେହର ଅମାପ ଉତ୍ତାପକୁ । ସମ୍ଭୋଗର ସମ୍ଭାଷଣ ଭିତରେ ବିଛେଇ ଦେବାପାଇଁ ଚାହାଁନ୍ତି ଏ ଦେହର ଦାହକୁ ।

 

ନିରନ୍ଧ୍ର ରାତ୍ରିର କାଳିମା ଭିତରେ କେବଳ ଗୋଟାଏ ରୂପ ଗୋଟାଏ ଭାଷା ଏବଂ ଗୋଟାଏ ସ୍ୱାକ୍ଷର ପ୍ରତିଭାତ ହେଲା । ଅସୀମାଙ୍କର ଦେହରେ ଏବଂ ମନରେ ଓ ନିଶ୍ୱାସ ପ୍ରଶ୍ୱାସରେ ଉଦ୍‍ବେଳିତ ଯାଚନାର ବିସ୍ତାରିତ ରୂପ ମୂର୍ତ୍ତ ହୋଇ ଉଠିଲା । ଅରକ୍ଷିତ ଅନ୍ତଃସ୍ଥଳରେ ଅଗ୍ନି ପ୍ରବାହର ଅଭାବନୀୟ ଆବେଗ ନାକ, କାନ, ନଖ, ଗ୍ରୀବା, କଟି, ଜିହ୍ୱା ଓ ଚିବୁକ ସବୁଥିରେ ବ୍ୟାଘ୍ରର ହିଂସ୍ର ଲୋଲୁପତା ଦେଇ ଉକୁଟି ଉଠିଲା ।

 

କିନ୍ତୁ ସଙ୍କୁଚିତ ହୋଇଯିବା ପୂର୍ବରୁ ଦେବଦତ୍ତର ଗଭୀରତମ ଅନ୍ଥଃସ୍ଥଳରେ କିଏ ଆଘାତ କଲା ଯେପରି । ସେ ଭାବିଲା, ଭାବନାର ପର୍ଦ୍ଦା ଉପରେ ନାରୀର ପରମ ପ୍ରତିକ୍ଷା ଓ ଅଶେଷ ମମତା ନେଇ ତାକୁ ଅନାଇ ରହିଥିଲା ମିତାଳି । ସ୍ନିଗ୍ଧ ଓ ଲାବଣ୍ୟମୟୀ, ଶୁଭ୍ରତା ଓ କଲ୍ୟାଣମୟୀ ଏକ ସମର୍ପିତା ନାରୀର ଅନବଗୁଣ୍ଠିତ ଅକୁଣ୍ଠିତ ଆକୁଳତା ତା’ର ଅପେକ୍ଷା କରୁଥିଲା-। ତାହା ଗୋଟିଏ ରାତ୍ରିର ତପସ୍ୟାରେ ନୁହେଁ, ଜନ୍ମାନ୍ତରର ସାଧନାରେ ସିକ୍ତ ଓ ସଞ୍ଚରିତ-। ଗୋଟିଏ ଯନୋର ଲାଳସାମୟ ଲୋଲୁପତା ନୁହେଁ; କିନ୍ତୁ ତାହା ଅନୁଚ୍ଚାରିତ ପ୍ରାଣବହ୍ନିର ଏକ ଅପରୂପ ଆଲେଖ୍ୟ ।

 

ଦୁହେଁ ବସିଥିଲେ । ମଝିରେ ମଝିରେ ଗଳ୍ପଗୁଜବ ଚାଲିଥିଲା ।

 

ସେଇ ଅନ୍ଧକାର ରାତ୍ରିର ସର୍ବଗ୍ରାସୀ କ୍ଷୁଧାର ହୁତାସନର ଜ୍ୱଳନ ନିମେଷକ ପାଇଁ ସ୍ତବ୍ଧ ଓ ଚକିତ କଲା ଅବିନାଶଙ୍କୁ । ସେ ଫେରିଆସିଲେ ମଧ୍ୟରାତ୍ରିର ନୀରବତାରେ ।

 

କିନ୍ତୁ ସେଇ ନୀରବ ରାତ୍ରିର ଗଭୀରତମ ପ୍ରସାରଣ ମଧ୍ୟରେ ଭୂମିକମ୍ପର ବିସ୍ଫୋରଣ ଶୁଣିପାରିଲେ ଅବିନାଶ ।

 

–ତମେ ମୋତେ ଗ୍ରହଣକର ଦେବୁ ।

 

–ତା’ ହୋଇପାରେନା ଅସୀ ।

 

–କାହିଁକି, ତମେଇ ତ ଦିନେ କହିଥିଲ ଏଇକଥା ।

 

–କହିଥିଲି; କିନ୍ତୁ ବୁଝିପାରି ନଥିଲି ।

 

–ଆଜି କ’ଣ ବୁଝିପାରିଛ ।

 

–ତାହା ସମ୍ଭବ ନୁହେଁ ।

 

–କାହିଁକି ? କାହିଁକି ତୁମେ ଅସ୍ୱୀକାର କରିବା ପାଇଁ ଚାହଁ । ମୁଁ କ’ଣ ତୁମର ଅଯୋଗ୍ୟ.........

 

ସ୍ୱରରେ ଆକୁଳ ଆବେଦନ । ଭଙ୍ଗୀରେ ବିପୁଳ ନିବେଦନ ।

 

–ସତ କୁହତ, ତୁମେ କ’ଣ ମିଷ୍ଟର ମହାନ୍ତିଙ୍କୁ ଭଲପାଅନା ।

 

–ଭଲପାଇବାର କ’ଣ ଅଛି ତାଙ୍କଠି । ଗୃହିଣୀର ସେବା ଭିତରେ ଆଭିଜାତ୍ୟର ଅଳଙ୍କାର ଭିତରେ ମୋର କାମନାକୁ ଚିରଦିନ ରୁଦ୍ଧ କରି ରଖିପାରିବିନି ମୁଁ । ସମ୍ଭବ ମଧ୍ୟ ନୁହେଁ । ମୁଁ ଯାହାକୁ ଭଲ ନପାଇ ଘୃଣା କରେ, ତା’ର ସାନ୍ନିଧ୍ୟ ମୋତେ ଜଡ଼ତା ଭିତରକୁ ଠେଲି ନେଇ ଯାଏ ଦେବୁ ।

 

ଆଉ ଶୁଣିବାପାଇଁ ସାହସ ବା ଧୈର୍ଯ୍ୟ ନଥିଲା ତାଙ୍କର । ଅବିନାଶ ଯେପରି ସମସ୍ତଙ୍କର ଅଲକ୍ଷ୍ୟରେ ଆସିଥିଲେ । ସେଇପରି ଫେରିଗଲେ ନୀରବ କରୁଣତାରେ । କିନ୍ତୁ....,.....

 

କିନ୍ତୁ ଆଉ କ’ଣ ଦେବୁ । ମୋର ବିଶ୍ୱାସ ମୋତେ ଏବେ ଦୂରକୁ ଟାଣି ଆଣି ଆଉ ବଞ୍ଚିବାର ବିଡ଼ମ୍ୱନା ମଧ୍ୟରେ ଛାଡ଼ି ଦେଇ ଯିବନି ତୁମେ........

 

କିନ୍ତୁ ତମେ ଭୁଲିଯାଉଛ ଅସୀ, ତମେ ଅନ୍ୟର, ତମେ ବିବାହିତା ।

 

ଚମକି ପଡ଼ିଲେ ଅସୀମା । ଦେବଦତ୍ତର ସ୍ୱରର ଚଟୁଳତା ଗଲା କେଉଁଆଡ଼େ । ସେ କ’ଣ ନୀତିବାଣୀ ଶୁଣିବାପାଇଁ ଧାଇଁ ଆସିଥିଲେ ଏତେ ବାଟ । ଟିକିଏ ଉଷ୍ମ ସ୍ୱରରେ ରୁକ୍ଷତା ମିଶାଇ କହିଲେ–

 

ବିବାହିତ ବୋଲି କ’ଣ ଗୋଟାଏ ଲଦି ଦିଆହୋଇଥିବା ବନ୍ଧନ ଭିତରେ ଚିରଦିନ ସଢ଼ିବାପାଇଁ ହବ ମୋତେ ?

 

ସମାଜ ଅଛି । ଶାସନ ଅଛି । ଅଛି ଆମ ବିଷୟରେ ସଭ୍ୟତାର ମୂଲ୍ୟବୋଧ ।

କିନ୍ତୁ ବିବାହିତା ସାଙ୍ଗରେ ତୁମେ ଅବାଧରେ ବିହାର କରିପାର, ତାକୁ ବିବାହ କରିପାରନା ନା ? ଏୟା ତେବେ କ’ଣ ତୁମ ଭଲପାଇବାର ସଙ୍କେତ ?

 

–ମୋତେ ଭୁଲବୁଝନା ଅସୀ.......

 

–ତୁମେ କେବଳ ତୁମରି କଥା ଭାବୁଛ । କିନ୍ତୁ ମୋ କଥା ଟିକିଏ ଭାବ, ଦେଖିବ ତୁମଠାରୁ ମୋର ବାଧା କେଡ଼େ, ବିରାଟ କେତେ ଅଲଂଘ୍ୟ... ।

 

ଦେବଦତ୍ତ ଉତ୍ତର ନ ଦେଇ ବସି ରହିଲା । ଅଭିମାନ ଏବଂ ଅଭିଯୋଗର ଜ୍ୱାଳା ସର୍ବାଙ୍ଗରେ ଅସ୍ଥିରତା ସଞ୍ଚାର କରୁଥିଲା ଅସୀମାଙ୍କର । କିନ୍ତୁ ନିଜକୁ ଯଥାସମ୍ଭବ ସଂଯତ କରି ସେ ଟିକିଏ ନିକଟକୁ ଘୁଞ୍ଚି ଯାଇ ଦେବଦତ୍ତର କାନ୍ଧ ଉପରେ ହାତ ରଖି ଓ ତା’ ମୁହଁ ପାଖରେ ନିଜର ମୁହଁ ରଖି କାନେ କାନେ ନିବେଦନ କଲେ–

 

ମୋତେ ସେ ସମ୍ପୂର୍ଣ୍ଣତାର ସ୍ୱାଦ ଦବନି ଦେବୁ ।

 

ଅଳି । ଏଇ ଅଳି ଭିତରେ ଭରି ରହିଥିଲା ଉଦ୍ଦାମ ଅନ୍ତରର ଉତ୍ତପ୍ତ ଆବେଦନ ।

 

ଭାବିଲା ଦେବଦତ୍ତ । ଯେତିକି ଭାବିଲା ସେତିକି ବିବେକର ନିଭୃତତମ କକ୍ଷରୁ କିଏ ଯେପରି କଷାଘାତ କରି କହିଲା ତାକୁ–ଏ ତୁ କ’ଣ କରିବାକୁ ଯାଉଛୁ ଦେବଦତ୍ତ । ବନ୍ଧୁର ମର୍ଯ୍ୟାଦା; ବାନ୍ଧବୀର ବିଶ୍ୱାସ ଏବଂ ନ୍ୟୂନତମ ଶିଷ୍ଟାଚାର କ’ଣ ଭୁଲି ଯିବୁ ଶେଷରେ ।

 

ନା, ନା ଅସୀମାଙ୍କୁ ବିବାହ କରିବା ଅସମ୍ଭବ, ଅବାସ୍ତବ । ସେ ଆଉ ଆଗେଇବା ପାଇଁ ଚାହେଁନା ! ପଶ୍ଚାତ୍ତାପରେ ଦଗ୍ଧ ହେଉଥିଲା ସେ ।

 

ଦେବଦତ୍ତ ଅସୀମାଙ୍କର ହାତର ସ୍ପର୍ଶ କାନ୍ଧ ଉପରୁ ଏଡ଼ାଇ ଦେଲାନି କି ନଇଁ ଆସିଥିବା ଚିବୁକ ଉପରେ ଉଷ୍ଣ ଚୁମ୍ୱନର ଚଟୁଳ ରେଖା ଟାଣି ଦେଲାନି । ସେ ଦରଦଭରା କଣ୍ଠରେ କହିଲା–

 

ଆମେ ବନ୍ଧୁ ହୋଇ ରହିବାରେ କ୍ଷତି ନାହିଁ ଅସୀ । ଏହାହିଁ ଏ ଜନ୍ମର ଅଭିଶାପ......

 

ଦେବଦତ୍ତର କଥା ସମାପ୍ତ ହେବା ପୂର୍ବରୁ ପ୍ରାୟ ଛିଟିକି ପଡ଼ିଥିଲେ ଅସୀମା । ସେ ଚିତ୍କାର କରି କହି ଉଠିଲେ–

 

ଏଇଥିପାଇଁ ଭଲପାଇବାର ଛଳନା କରି ଆଗେଇ ଆସିଥିଲ ତୁମେ ! ଏଡ଼େ ସ୍ୱାର୍ଥପର-

 

–ସେ କ’ଣ କେବଳ ମୋରି ଦୋଷ ?

 

ହଁ, ହଁ, ହଁ । ତୁମରି ଦୋଷ । ତୁମେ ମୋତେ ସର୍ବସ୍ୱାନ୍ତ କରିବା ପାଇଁ ଆଗେଇ ଆସିଥିଲ । ତିଳ ତିଳ କରି ମୋର ସର୍ବସ୍ୱ ଅପହରଣ କରିବା ପାଇଁ ଅଭିପ୍ରାୟ ଥିଲା ତୁମର; କିନ୍ତୁ କାହିଁକି ତେବେ ଆଜି ପଛଘୁଞ୍ଚା ଦେଉଛ । ମୁଁ ତ ମନା କରିନି...ଫେରାଇ ଦେଇନି ତୁମକୁ ।

 

ଦେବଦତ୍ତ କ’ଣ ଭାବିବାପାଇଁ ଚେଷ୍ଟା କରୁଥିଲା । ସବୁ ଗୋଳମାଳ ହୋଇଯାଉଥିଲା-। ଏତେ ବଡ଼ ଗୋଟାଏ ପ୍ରତିଶ୍ରୁତି ଦାବି କରୁଛି ଅସୀମା । ତାହା କ’ଣ ପୂରଣ କରିପାରିବ ସେ ?

 

ନା, ନା । ସେ ହୋଇପାରେନା । ମିତାଳି ଚାହିଁଛି । ତାଙ୍କୁ କଥା ଦେଇଛି ସେ । ବିଗତ ସ୍ଖଳନପାଇଁ ସେ ପ୍ରାୟଶ୍ଚିତ୍ତ କରିବ । ଅବିନାଶ ଚାହିଁଛନ୍ତି । ସେଇ ଚାହାଣୀର ଅନନ୍ତ ପ୍ରତ୍ୟାଶା ସେ ଭାଙ୍ଗି ଚୁରମାର କରି ଦେଇପାରିବ ନାହିଁ । ଯେତିକି ହୋଇଛି ଯଥେଷ୍ଟ । ଆଉ ନୁହେଁ ।

 

–ଚୁପ୍ କରି ବସି ରହିଲ ଯେ........

 

ଝଙ୍କାର ତୋଳିଲେ ଅସୀମା । ଉତ୍ତର ମୋର ଶେଷ ହୋଇଯାଇଛି ଅସୀ ।

 

–ତାହେଲେ ତୁମେ ମୋତେ ପ୍ରତ୍ୟାଖ୍ୟାନ କରୁଛ ।

 

–ତୁମେ ବାନ୍ଧବୀର ସମ୍ମାନ ପାଇବ, ସନ୍ଦେହ ନାହିଁ ।

 

–ବାନ୍ଧବୀର ସମ୍ମାନ ବହୁତ ପାଇଛି । ଥାଉ, ଆଉ ତା’ର ଆବଶ୍ୟକତା ନାହିଁ । ତମେ ନୀଚ, ସ୍ୱାର୍ଥପର, ନିର୍ଦ୍ଦୟ ।

 

–ବନ୍ଦ କର ଅସୀମା ।

 

ଅନୁନୟ କଲା ଦେବଦତ୍ତ,–କାହିଁକି ବନ୍ଦ କରିବି, କାହିଁକି ? ଯେତେବେଳେ ଘଣ୍ଟା ଘଣ୍ଟା ବସି ଗପିଲେବି ଆହୁରି ଶୁଣିବାପାଇଁ ଜିଦ୍ କରୁଥିଲ, ସେତେବେଳେ ଦିନେ ହେଲେ ତ କହି ନଥିଲ ବନ୍ଦ କରିବା ପାଇଁ ।

 

ରାଗ ଏବଂ ଅଭିମାନରେ ଥରୁଥିଲେ ସେ । ଅଳ୍ପ ସମୟ ପୂର୍ବରୁ ଯେଉଁ ସ୍ୱରରୁ ମଧୁ ଝୁରୁଥିଲା, ସେଇ କଣ୍ଠର କାଠିନ୍ୟ ଦେଖି ଅବାକ୍ ହୋଇଗଲା ଦେବଦତ୍ତ । ସେ ଉଠିବାପାଇଁ ଉପକ୍ରମ କଲା । ରାତି ଅଧିକ ହୋଇଛି । ଆଉ ଅଧିକ ସମୟ ଏପରି ଭାବରେ ବସି ରହିବା ଅନ୍ୟାୟ, ଅସ୍ପୃହଣୀୟ ।

 

ତାକୁ ଉଠିବାର ଦେଖି ତୀକ୍ଷ୍‍ଣ କଣ୍ଠରେ କହିଲେ ଅସୀମା–ତାହେଲେ ଜବାବ ନ ଦେଇ ଚାଲି ଯିବାପାଇଁ ବସିଛ ।

 

ନିଜକୁ ସଂଯତ କରି କହିଲା ଦେବଦତ୍ତ–ତମେ ବଡ଼ ଉତ୍ତେଜିତ ହୋଇ ପଡ଼ିଛ ଅସୀ । ଆଜି ବରଂ ଥାଉ । ପରେ ଆଲୋଚନା କରିବା ।

 

–ନା, ନା, ଆଜି ଏଇ ମୁହୂର୍ତ୍ତରେ ତମେ କୁହ । ଆଉ ଏଡ଼ିଯିବା ପାଇଁ ଧୈର୍ଯ୍ୟ ବା ସମୟ ମୋର ନାହିଁ ।

 

ତାଙ୍କ କଥାର ରୁକ୍ଷତାରେ ସ୍ତମ୍ଭିତ ହୋଇଗଲା ଦେବଦତ୍ତ । ସେ ଏତେ ଅଶ୍ଳୀଳ ହୋଇ ସହନଶୀଳତାର ବାହାରକୁ ଚାଲିଯାଇପାରନ୍ତି, ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ଅଥଚ ଏଇ ଅସୀମା ସହିତ ସାଙ୍ଗ ହେବା ପାଇଁ ସେ ପାଗଳ ହୋଇ ଉଠିଥିଲା । ଯେଉଁ ସପ୍ତରଙ୍ଗର ବିଳାସ ଦେଇ ବିଭବ ଦେଖୁଥିଲା ସେ, ସେଇ ରଙ୍ଗରେ ଅନୁରାଗ ନ ଦେଖି ନିର୍ବାକ୍ ଏବଂ ନିସ୍ତବ୍ଧ ହୋଇଗଲା କ୍ଷଣିକପାଇଁ ।

 

ସଙ୍କଟ ।

 

ଏ ସଙ୍କଟରୁ ପରିତ୍ରାଣ ପାଇବାକୁ ହେବ ।

 

ମନ ସ୍ଥିର କରି ଧୀରେ ଧୀରେ ଚୌକି ଉପରୁ ଉଠି କହିଲା ସେ ଅବୁଝା ହୁଅନା । ଆଜି ଆସୁଛି ମୁଁ । ଭାବି ଦେଖିବାପାଇଁ ସମୟ ଦିଅ । ତମବି ଭାବି ଦେଖ ଅସୀ....

 

ମୁହୂର୍ତ୍ତକରେ ଏକ ଅଭାବନୀୟ କାଣ୍ଡ କରି ବସିଲେ ଅସୀମା, ଉନ୍ମାଦିନୀ ପରି ଏକା ଝଟକରେ ଦେବଦତ୍ତର ସାମ୍ନାରେ ଛିଡ଼ା ହୋଇ ପଥରୋଧ କଲେ ଆସି । ଆଉ ସେ ଯେମିତି ପାଦ ବଢ଼ାଇଛି, ତା’ ଉପରେ ଝାମ୍ପି ପଡ଼ିଲେ ଆଖି ପଲକରେ । ଅପ୍ରତ୍ୟାଶିତ ସେଇ ବେଗ ସହି ନ ପାରି ପଡ଼ି ଯାଉଁ ଯାଉଁ ନିଜକୁ ସମ୍ଭାଳି ନେଲା ଦେବଦତ୍ତ । ଅସୀମାଙ୍କୁ ଅଡ଼େଇ ଦେଇ ପାଦ ବଢ଼ାଇଲା ଆଗକୁ ।

 

ଆଉ ସେଇ ମୁହୂର୍ତ୍ତରେ ସ୍ଥାନ କାଳ ପାତ୍ର ଭୁଲି ଯାଇ ଅଭିଯୋଗର ସମସ୍ତ ବୋଝ ତା’ ମଥା ଉପରେ ଲଦି ଦେଇ ଚିତ୍କାର କରି କରି, ଦେବଦତ୍ତର ଦେହ, ହାତ, ମୁହଁ ଓ ମଥାର ଅନାବୃତ ଅଂଶକୁ ନଖ ଓ ଦାନ୍ତ ସାହାଯ୍ୟରେ କ୍ଷଣକରେ କ୍ଷତବିକ୍ଷତ କରି ପକାଇଲେ ।

 

ଅବିଶ୍ୱାସ୍ୟ ହିଂସ୍ରତାର ବେଗରେ ହତ ଚକିତ ଦେବଦତ୍ତ ନିଜକୁ ଭୁଲିଗଲା କ୍ଷଣକପାଇଁ; କିନ୍ତୁ କ୍ଷଣକ ପରେ ଯେତେବେଳେ ସର୍ବାଙ୍ଗରେ ଏକ ଅନନୁଭୂତ ଅସ୍ୱାଭାବିକ ଜ୍ୱାଳା ଅନୁଭବ କଲା, ଅସୀମାଙ୍କୁ ସଜୋରେ ସୋଫା ଉପରେ ଫିଙ୍ଗି ଦେଇ ବାହାରି ଆସିଲା ପ୍ରକୋଷ୍ଠ ଭିତରୁ ।

 

ଆଉ ତା’ର ଯିବା ପଥକୁ ନ ଅନାଇ ସୋଫା ଉପରେ ଶୋଇ ଶୋଇ ଆକୁଳାୟିତା ଆସୀମା ନିଜକୁ ନିଜେ ଆକ୍ରମଣ କଲେ ଅସୀମ ଉତ୍ତେଜନାରେ । ସେଇ ଆକ୍ରମଣର ହିଂସ୍ରତାରେ କେତେ ସ୍ଥାନ କ୍ଷତବିକ୍ଷତ ହେଲା, ମୁଣ୍ଡର ଅନେକ ବାଳ ଟାଣି ଟାଣି ଉଠାଇ ଦେଲେ ଏବଂ ଅଧର ଉପରେ ନିଷ୍ଠୁର ଭାବରେ ଦଂଶନ କରି ରକ୍ତାକ୍ତ କରି ପକାଇଲେ ।

 

ତା’ପରେ–

 

ତା’ପରେ ଅବୁଝା ଅନ୍ତରର ଅସରନ୍ତି କୋହ ଆସିଲା ସର୍ବାଙ୍ଗରେ ଅଶାନ୍ତ ଅସ୍ଥିରତାର ପ୍ରକାଶ କରି । ସେ ଶୋଇ ଶୋଇ କେବଳ କାନ୍ଦିଲେ । କ୍ରନ୍ଦନର ସେଇ କରୁଣମୂର୍ଚ୍ଛନାର ଉଚ୍ଛ୍ୱାସରେ କେବଳ ଦେବଦତ୍ତର ରୂପଟା ତାଙ୍କ ମାନସପଟରେ ସତ ବିରୋଧ ସତ୍ତ୍ୱେ ଦିବାଲୋକ ପରି ଉଦ୍ଭାସିତ ହେବାକୁ ଲାଗିଲା ।

 

ଅବନତ ମନର ଅବସନ୍ନତାରେ ଶାନ୍ତ ଏବଂ କ୍ଳାନ୍ତ ଅସୀମା ରାତ୍ରିର ଶେଷ ଯାମରେ ନିଜର ଅତୃପ୍ତ ଏବଂ ଅଶାନ୍ତ ଦେହର ଅଶେଷ ଦାହକୁ ପ୍ରଶମିତ କରିବା ପାଇଁ ସ୍ଲିଫି ଟେବଲେଟ ଅତ୍ୟଧିକ ପରିମାଣରେ ଖାଇ ଶୋଇ ପଡ଼ିଲେ ପଲକ ଉପରେ । ସ୍ୱପ୍ନ ଏବଂ ଜାଗରଣର ଆଲୋକରେ କେବଳ ଦେଖୁଥିଲେ ଗୋଟିଏ ରୂପ, ଅନୁଭବ କରୁଥିଲେ ଗୋଟିଏ ସତ୍ତା । ଆତଙ୍କରେ ନୁହେଁ, ନିଜର ପରମ ବିହ୍ୱଳତାରେ ସେ ଅନୁଭବ କରୁଥିଲେ ଦେବଦତ୍ତ ଭିତରେ ଲୀନ ହୋଇଯିବାର ଅବିସ୍ମରଣୀୟ ଏବଂ ଅନାସ୍ୱାଦିତ ମାଦକତା ।

ସେଇ ମାଦକତାଇ ସତ୍ତାପରେ କ୍ରମଶଃ ଚେତନାର ଆଲୋକିତ ଜଗତରୁ ଅଚେତନତାର ଅନ୍ଧକାର ମଧ୍ୟକୁ ଚାଲି ଯାଉଥିଲେ ସେ । ସ୍ୱପ୍ନର ଶିଉଳି ମଖା ଖସଡ଼ା ପଥରେ ବାରମ୍ୱାର ଖସଡ଼ି ପଡ଼ି ରକ୍ତାକ୍ତ ହେଉଥିଲେ ଅସୀମା ।

ଦେବଦତ୍ତ କିନ୍ତୁ ଫେରିଲା ନାହିଁ ।

ଯେତେବେଳେ ଦିନର ଅପର୍ଯ୍ୟାପ୍ତ ଆଲୋକ ମଧ୍ୟରେ ତହିଁ ପରଦିନ ପ୍ରାୟ ବାରଟାବେଳକୁ ବିଡ଼ମ୍ୱିତ ଏବଂ ପ୍ରତାରିତ ଜୀବନର ଗ୍ଳାନି ନେଇ ଅବସାଦ ଭରା ଦେହ ଓ ମନରେ ଫେରିଆସିଲେ ଅବିନାଶ, ଦେଖିଲେ ତାଙ୍କ ପୋର୍ଟିକୋ ତଳେ ସିଭିଲ ସର୍ଜନଙ୍କ କଳା ଗାଡ଼ିଟା ଛିଡ଼ା ହୋଇଛି । ଏବଂ ତା’ର ଠିକ୍ ପଛରେ ଛିଡ଼ା ହୋଇଛି ପୁଲିସ ଜିପ୍ ।

ମନରେ ଖଟକା ଲାଗିଲା । ପାପ ଛୁଇଁଲା ମନକୁ । ସମଗ୍ର ଅବୟବରେ ସେ ଶୀତଳତା ଏବଂ ନିଶ୍ଚେଷ୍ଟତା ଅନୁଭବ କଲେ । ହୃଦ ସ୍ପନ୍ଦନ ତୀବ୍ର ହେବାରେ ଲାଗିଲା । ତେବେ କ’ଣ ପୁଣି କିଛି ଦୁର୍ଘଟଣା...

ଭାବିପାରିଲେ ନାହିଁ । କେଇମାସ ତଳର ସ୍ମୃତି ମନେପଡ଼ିଲା ଆସି । ଛି ଛି । ନିଜେ ଏତେ ତଳକୁ ଖସି ଯାଇପାରିଲେ ସେ । ଅବଚେତନ ମନର ହିଂସ୍ରତାକୁ ନିଭାଇବା ପାଇଁ ଏବଂ ନିଜର ଖର୍ବ ବ୍ୟକ୍ତିତ୍ୱକୁ ଲୁଚାଇବା ପାଇଁ ଗୋପନରେ ଅସୀମା ଉପରେ ଏସିଡ଼ ବଲ୍‍ବ ଫୋପାଡ଼ି ଥିଲେ ସେ । ଶୀତେଇ ଉଠିଲେ ଅବିନାଶ । ସମଗ୍ର ଅବୟବ ଝାଳେଇ ଗଲା ଅସ୍ୱାଭାବିକ ଭୟ ଓ ବିହ୍ୱଳତାରେ ।

ଗାଡ଼ିରୁ ଓହ୍ଲାଇ ଧୀରେ ଧୀରେ ସନ୍ତର୍ପଣରେ ଆଗେଇଲେ ଅବିନାଶ ।

ଅନେକ ଲୋକଙ୍କର ଦୃଷ୍ଟି ଆସି ପଡ଼ିଲା ତାଙ୍କ ଉପରେ । ସମସ୍ତେ ଯେପରି ତାଙ୍କୁ କରୁଣା କରୁଛନ୍ତି, ତାଙ୍କ ପରାଜୟର ଗ୍ଳାନିପାଇଁ ।

କିନ୍ତୁ ଭିତରକୁ ପ୍ରବେଶ କରିବା ପୂର୍ବରୁ ଆତଙ୍କରେ ଥରିଉଠିଲେ । ମଥାନତ କରି ସିଭିଲ ସର୍ଜନ ଡାକ୍ତର ଆଚାର୍ଯ୍ୟ ଛିଡ଼ା ହୋଇଥିଲେ । ତାକୁ ନେଇ ଦେଖାଇ ଦେଲେ ଅସୀମାଙ୍କର ଅଲୁଳାୟିତ ଦେହକୁ ।

ସେ ଏବେବି ଶୋଇଥିଲେ । ଅନ୍ତରର ସମସ୍ତ ଉଚ୍ଛ୍ୱାସ ବହୁ ଦିନର ସଂଚିତ ଅତୃପ୍ତ ବାସନାକୁ ପ୍ରବଳ ବେଗରେ ଏକା ଝଲକରେ ଟାଣି ଆଣିଲା ବାହାରକୁ ।

ସେ ନଇଁପଡ଼ି ଅସୀମାର ନିର୍ଜୀବ ଦେହଟିକୁ କୋଳ ଉପରକୁ ଟେକି ନେଇ ବାରମ୍ୱାର ତାଙ୍କ ମୁହଁ, ନାକ କାନ ଓ କପୋଳରେ ଚୁମ୍ୱନ କରିବାରେ ଲାଗିଲେ ।

ଏତେ ଉତ୍ତାପ । ଅସରନ୍ତି ଆଲୋକର ଏତେ ଯାତନା; କିନ୍ତୁ ସ୍ୱପ୍ନ ଶିଉଳିରେ ଖସଡ଼ି ପଡ଼ି ଅନ୍ତରୀକ୍ଷର ତରଙ୍ଗରେ ଅଣୁ ପରମାଣୁ ସହିତ କେଉଁଆଡ଼େ ବିଲୀନ ହୋଇଯାଇଥିଲେ ଅସୀମା ।

ସେ ଉଠିଲେନି ।

ଅବିନାଶ ଆକୁଳ ଆବେଗରେ କେବଳ ଶିଶୁପରି କ୍ରନ୍ଦନ କରି ଚାଲିଲେ ।

ତାଙ୍କ ଅଶ୍ରୁର ପ୍ଳାବନରେ ଥିଲା ସାତ ସାଗରର ଗଭୀରତା ଏବଂ ତେରନଦୀର ପ୍ରବାହ-

Image